ମୂଳ ରଚନା : ହକୁ ଶାହ ।। ଓଡ଼ିଆ ଅନୁବାଦ : ଜ୍ୟୋତି ନନ୍ଦ
ମଣିଷର କଥା ମୋତେ ଠିକ୍ ସେତିକି ନିଜର ଲାଗେ ଯେତିକି ପ୍ରକୃତି,ମାଟି,ଭୂ ଆଉ ମାଆ ର କଥା। ମୋର ପୁରା ବହିଟିରେ ଏହି ସବୁ ବୀଜକ-ବିନ୍ଦୁ ସହିତ ଅଲଗା ଭାବରେ ବି ଆହୁରି କିଛି ଦୃଷ୍ଟି,ବିନ୍ଦୁ ଆଉ ଆଧାର ଆମର ସଂସାରରେ ମିଳିବ । ମୋର ପରିଧିର ବାହାର ରୂପଟି ବି ତିଆରି ହେଉଥିବ । ମାତ୍ର ଏଇ କଥାକୁ ମୁଁ କେମିତି ସ୍ଥିର କରି କହିବି ?
କଳା ସହିତ ବଞ୍ଚିଛି-କଳା ଭିତରେ,ମଣିଷ ଭିତରେ । ଉଭୟର ଗଭୀରତା ଆଉ ବ୍ୟାପ୍ତି ଅନନ୍ତ । ଅନେକ ଥର ମନେ ହୁଏ, ସୃଜନ-ଶକ୍ତି ଅପାର, ତାହାହେଲେ ମୁଁ ଏଇଲେ କରିବି କ’ଣ -ତଥାପି ଏଇ ଚିତ୍ର ହୃଦୟ ଭିତରକୁ ପ୍ରବେଶ କରିବାକୁ ଲାଗେ ।
ପ୍ରକୃତିର ପରିମାପ ସମ୍ଭବ ନୁହଁ । ମଣିଷ ତଥା କଳାକାର ଏହାକୁ କେତେ କଳନା କରିପାରିବେ ,ଜଣା ନାହିଁ । ତାହାହେଲେ ସେତିକିବେଳେ ତଥାପି ବି ଛୋଟିଆ ଦେଖିବା ଭଳି ଗୋଟିଏ ଜୀବ ବା କଅଁଳି ଆସୁଥିବା ଗୋଟିଏ ପତ୍ର ମୋତେ ଏତିକି ପରିମାଣରେ ଆନନ୍ଦ ଦେଉ ଥାଏ ଯେ ସେତିକିରେ ସାରା ଆକାଶ ଭରି ଯିବ । ମୋ ପାଇଁ ଉଭୟ ସର୍ଜନ- ଏହା ଯାହାକୁ ମଣିଷ ତିଆରି କରିଛି ଆଉ ତାହା ଯାହାକୁ ଆଉ କିଏ ତିଆରି କରିଛି -ବହୁତ ବଡ କଥା । ଦମକାଏ ଶୀତଳ ପବନ କୁ ନିଆଯାଉ କି ନିଃଶ୍ୱାସ ପ୍ରଶ୍ୱାସ ପାଇଁ ଦମକାଏ ସତେଜ ବତାସକୁ ଦେଖାଯାଉ -ଏହାର ବସ୍ତୁତଃ କୌଣସି ମୂଲ୍ୟ ରଖାଯାଇ ପାରିବ କି ? ଏହିସବୁର ଅତି ପାଖରେ ଆମେ ଯେଉଁ ପୃଥିବୀର ନିର୍ମାଣ କରିଦେଇଛୁ,ଏହା ବ୍ୟର୍ଥ ନୁହଁ,ଏକଥା ବି ମୁଁ ଜାଣିଛି ମାତ୍ରକ ସେହି ଦମକାଏ ପବନ ଏଇ ନିଃଶ୍ୱାସପ୍ରଶ୍ୱାସକୁ ବା ଗୋଟିଏ ଫୁଟି ଆସୁଥିବା କୋମଳ କଢ କୁ ସମତୁଲ କରି ପାରିବ ନାହିଁ ।

ହୁଏତ ସେଇଥିପାଇଁ ଯେତେବେଳେ ମୁଁ ଗୋଟିଏ ଗଛ ଦେଖେ ସେତେବେଳେ ସେଥିରେ ଫୁଟିଥିବା ଫୁଲ ପ୍ରତି ହିଁ ମୋର ଦୃଷ୍ଟି ଯାଏନାହିଁ । ମୁଁ ତାହାର ଚେର,ଗଣ୍ଡି ,ଡାଳପତ୍ର କୁ ବି ଉପଲବ୍ଧି କରେ ,ସେମାନଙ୍କୁ ସେମାନଙ୍କର ମୂଳପିଣ୍ଡ /ସତ୍-ବିନ୍ଦୁ ମାନଙ୍କୁ ଏକାଠି ଯୋଡିବା ଭଳି ପ୍ରୟାସ ସହ । ମୋ ପାଇଁ ଇଏ ବଂଚିରହିବାର ସମସ୍ତ କଳାକାରିଗରୀ ଆଣିଥାଏ ଆଉ ସମସ୍ତ ଆଧ୍ୟାତ୍ମିକତା ବି ; ଏହିଭଳି କିଛି ଯେଉଁଠି ପ୍ରାମାଣିକ ଭାବରେ ଅନୁଭବ କରିବା ଅନବରତ ରହି ଥାଏ । ମୁଁ ଈଶ୍ୱରଙ୍କୁ ଖୋଜୁଥାଏ। ମୁଁ ଏହିପରି ଅଂକୁରଣରେ,କଅଁଳିଆ ପତ୍ରର ପତ୍ରପଣରେ ତାଙ୍କୁ ଖୋଜି ପାଏ,ବାଦଲରେ,ଧୂଳିମାଟିର ପଦଚିହ୍ନରେ । ଯେଉଁ କେଉଁଠି ମୋତେ ସତେଜତା ମିଳୁଥାଏ,ମୁଁ ସେଇଠି ଛୁଉଁଥାଏ ଈଶ୍ୱରଙ୍କୁ । ନିଜର ଗୋଟିଏ କବିତାରେ ଅକ୍ତାଭିଓ ପାଜ୍ ଲେଖିଛନ୍ତି ଯେ,ଆମକୁ ନକ୍ଷତ୍ରମାନେ ଲେଖିଛନ୍ତି ଆଉ “ଏବେ ଏଇ କ୍ଷଣ,ମୋତେ କିଏ କେଉଁଠୁ ଡାକୁଛି” ।ମୋର ମଧ୍ୟ ଏହି ଭଳି କିଛି ବିଶ୍ୱାସ ଯେ,କିଛି ଏଇଭଳି ଲେଖା ଯାହା ଆମଠୁ ଅଲଗା । ଏହାକୁ ଏଇଭଳି ଅନୁଭବ କରିବା ଆଉ ମାର୍ଗ ଦର୍ଶନକୁ ଶୁଣିବା । ଠିକ୍ ଯେଉଁ ଭଳି ରମଣ ମହର୍ଷି କହିଛନ୍ତି-” ତାହା ହୁଏ ଯାହା ତମେ ହିଁ/ ୱି ଆଜ୍ ୟୁ ଆର୍” – ସେତେବେଳେ କାହିଁକି ଆଉ କେଉଁପରି ଭଳି କୌଣସି ପ୍ରଶ୍ନ ଉଠୁ ନଥିଲା ।
ଏଇ ଜୀବନରେ ମୋର ଏମିତି ରହିବା ସମ୍ଭବତଃ ଖାସ୍ ଦେଖିବା ଭଳି କଥାକୁ ନେଇ- ଆତ୍ମା ଯାଏଁ ଆଉ ଯେଉଁ ପର୍ଯ୍ୟନ୍ତ ତାହା ସମ୍ଭବ ହେଉଥିବ ତାହା ଯାଏଁ । ଜୀବନ-ଶକ୍ତି ଅପାର ମାତ୍ର ଏହା ଅଧିକାଂଶ ସମୟ ମୁଁ ଏହାକୁ ଅନୁଭବ କରିବାର ପ୍ରୟାସ କରୁଥାଏ ; ନିଜର ଚିତ୍ରମାନଙ୍କର ଉନ୍ମୋଚନ କରିବା ଭଳି କାମ ଇଏ । ଅନେକ ଗୁଡିଏ ସ୍ୱାଧୀନତା ସହ ମୁଁ ନାନାସ୍ଥାନ ଆଉ ସ୍ଥିତି ସମ୍ପର୍କିତ ଚିତ୍ର ଦେଖି ପାରୁଥିଲି । ଅସଲରେ ମୁଁ ସଂସାରକୁ ଏହି ଭଳି ଦେଖୁଥିଲି ।
କଳା ଆଉ ଅଧ୍ୟାତ୍ମ ପର୍ଯ୍ୟାୟବାଚକ ମାତ୍ର କଳା ଆଧ୍ୟାତ୍ମିକତାର ଉଜାଗର କରିବା କଥାକୁ ବୁଝାଏ । ସକାଳରେ ମୁଁ ଯେତେବେଳେ ଉଠେ ସେତେବେଳେ ତାହା ହେଉଛି ମୋର ପହିଲା କାମ, ଚିତ୍ର ଦେଖିବା ।
ହଁ,ଏଇଭଳି କେତେବେଳେ ଲାଗି ନାହିଁ ଯେ,ଏବେ ଯାଏ ,ଈଶ୍ୱରଙ୍କୁ କିଛି ସବାଲ୍ ପଚାରି ଆସେ । ଯେତେବେଳେ ଗୋଟିଏ ପତ୍ର ଦେଖେ ବା ଗୋଟିଏ ଶିଶୁ ବା ପାଣିର ଗୋଟିଏ ବିନ୍ଦୁ,ମୋତେ ମୋର ସବୁ ପ୍ରଶ୍ନର ଉତ୍ତର ମିଳିଯାଏ ।
ମୁଁ ନିଜର ଅତୀତ ଆଉ ପିତାମାତାଙ୍କ ଧର୍ମ (ସଂପ୍ରଦାୟ) ର ଅନୁସରଣ କରେନାହିଁ । ମୋର ପତ୍ନୀଙ୍କର ମନ୍ଦିର ଯିବା ପରେ ମୁଁ ଚଟାଣ ଉପରେ ଖଟିଆ ଖଣ୍ଡିକ ପକାଇ ସେଇଠି ସିନ୍ଧୁକରେ ଥିବା ସେହି ସବୁ ଧାର୍ମିକ ସଂଗ୍ରହ ଯାହା କୃଷ୍ଣ ଙ୍କ ଉପରେ ଏକାଗ୍ର ତାହାକୁ ବାହାର କରି ରଖେ । ସୃଜନତାର ଏଇ ସର୍ବବ୍ୟାପୀ ସ୍ଫୁଲିଙ୍ଗ ନିମନ୍ତେ ଯାହା ସବୁ ମଣିଷ ଭିତରେ ବିଦ୍ୟମାନ – ଏଥିରେ ରହିଛି ମୋର ଆସ୍ଥା ,ରହିଛି ମୋର ଧ୍ୟାନ। ଏହା କେବଳ କିଛି ଉତ୍କୃଷ୍ଟ ଚିତ୍ର ଆଉ ସିନ୍ଧୁକରେ ରହିଥିବା କଥା ନୁହଁ ,ଏହା ଦୈନନ୍ଦିନ ଜୀବନରେ ରଖାପରଖା ଯାଉଥିବା ସବୁଠୁ ସାଦା ସରଳ ଚିଜ ଭିତରେ ବି ବିଦ୍ୟମାନ ଅଛି । ଗୋଟିଏ ବସ୍ତୁର ରଚନା ପ୍ରକ୍ରିୟା ଆଉ ଏହାର ସହିତ ବଞ୍ଚିବା ହେଉଛି ଏଇ ଭଳି ଦୁଇଟି ତତ୍ତ୍ୱ ଯାହା ଭିତରେ ଅନ୍ତଃସମ୍ବନ୍ଧ ରହିଥାଏ । ଗୋଟିଏ ଅ-ଜୀବ ବସ୍ତୁକୁ ବି ଗୋଟିଏ ସ-ଜୀବ ପ୍ରାଣୀ ଭଳି ଦେଖାଯାଇପାରେ । ଏହା ଆପଣାଆପେ ଉପସ୍ଥିତ କୌଣସି ବିଚ୍ଛେଦିତ ଏକକ ନୁହଁ,ବରଂ ଏହା କେତେକ ତଥ୍ୟ ରେ ନିର୍ମିତ ସଂପୂର୍ଣ୍ଣତାର ଅଂଶ ବିଶେଷ -ପ୍ରଯୁକ୍ତି ଦୃଷ୍ଟିରୁ ଆଉ ଏହାର ସଂରଚନାର ଠାଣି,ସୌନ୍ଦର୍ଯ୍ୟଶାସ୍ତ୍ର,ସାମାଜିକ-ଆର୍ଥିକ ସମ୍ବନ୍ଧ,ଧର୍ମ ଏବଂ ଦର୍ଶନ ।
ବିଶେଷତଃ ସୃଜନଶୀଳତାର ମାର୍ଫତରେ ଆମେ ଜୀବନର ଉତ୍ସବ ପାଳନ କରିଥାଉ । କଳା ଆଉ ଅଭିକଳ୍ପ ବା ହାଇପୋଥେସିସ୍ ଏହି ମୂଳଗାମୀ ବୃତ୍ତି ଦ୍ୱାରା ବିକଶିତ ହୋଇଥାଏ । ଆମର ଆଖପାଖର ଜୀବନ ,ପରିବେଶ,ପରମ୍ପରା ଆଉ ସେହି “ସହୋଦରା” ଯାହା ସହିତ ଆମେ ଜନ୍ମଗ୍ରହଣ କରିଅଛୁ ,ଗୋଟିଏ କଳାକୃତିକୁ ରୂପାୟିତ କରିଥାଆନ୍ତି । ପ୍ରଜନ୍ମ ପରେ ପ୍ରଜନ୍ମ ଆମ ଯାଏଁ ପହଞ୍ଚିଯାଇଥିବା ଏଇ ଅଭିକଳ୍ପ କୁ ଆମେ ପୋଷଣ ଆଉ ସମୃଦ୍ଧ କରିବା ଉଚିତ୍ ,ଏଥିରୁ ପ୍ରେରଣା ନେବା ଉଚିତ୍- ଏହାର ଆପଣା ବୈଶିଷ୍ଟ୍ୟ କୁ ସଂରକ୍ଷିତ କରି ରଖିବା ସହ,ଆମ ସହିତ ଜଡିତ ସମସ୍ତ ଋଢିକୁ ଚର୍ଚ୍ଚାକୁ ନେଇ । ଅନବରତ ସୃଜନଶୀଳତା ର ନୂତନ ପ୍ରବିଧିମାନଙ୍କୁ ସ୍ପର୍ଶ କରିବା ଉଚିତ । ଏହି ସୃଜନଶୀଳତା ର ସ୍ରୋତ ହେଉଛି ଏହି ପୂର୍ଣ୍ଣତା ଯାହା ଜଣେ ବ୍ୟକ୍ତି ଏବଂ ତାହାର ଜୀବନର ଅନୁଭବ ମାନଙ୍କର ସମାବେଶ ଏବଂ ଏହା ଉପରେ ଆଧାରିତ ।
ଏମିତିରେ ଭାରତରେ ଦୁଇଟି ସ୍ରୋତ – ଚେତନାର ଅନ୍ତଃଧାରା ଗୁଡିକ -ପ୍ରମୁଖତଃ ପ୍ରବହମାନ ହେଉଥାଏ। ପ୍ରଥମରେ ହେଉଛି ଜନ ଆଉ ତାହାର ପାରସ୍ପରିକ ଭୂତ-ବର୍ତ୍ତମାନ-ଭବିଷ୍ୟତ । ଦ୍ୱିତୀୟ ରେ ହେଉଛି ଆଧୁନିକ କଳାକାରଙ୍କର ଅନ୍ତଃପ୍ରବାହ । ଆଜିକାଲି କଳାକାର ମାନେ ବହୁତ ପରିଶ୍ରମ ତଥା ବହୁତ ବିପଦପୂର୍ଣ୍ଣ ତଥା ଅନେକ ଚାଲେଞ୍ଜ୍ ମାନଙ୍କର ସହ କାମ କରୁଛନ୍ତି ଆଉ ମଣିଷ ଭିତରେ ଏହି ତତ୍ତ୍ୱ ମୋତେ ବିଶେଷ ମୂଲ୍ୟବାନ ଜଣାପଡେ।
ମାତ୍ର ଯେତେବେଳେ ଜଣେ କଳାକାର ଅଲଗା ପ୍ରକାରର ଟୋପି ଖଣ୍ଡିଏ ପିନ୍ଧି ସାମ୍ନାକୁ ଆସେ,ମୋତେ ବହୁତ ଆଶ୍ଚର୍ଯ୍ୟ ଲାଗେ । ହଁ,ଗୋଟିଏ ସମ୍ବେଦନଶୀଳ ପ୍ରାଣୀ ତଥା କଳାକାର ଜଣକ ପାଇଁ ଏହା ଅପରିହାର୍ଯ୍ୟ ହେବ, ସେ ଆପଣା ଇନ୍ଦ୍ରିୟ ମାନଙ୍କୁ ଯେମିତି ସବୁବେଳେ କ୍ଷୁରଧାର କରି ରଖେ : ସଂସ୍କାର ,ଧର୍ମ ଆଉ ସଂସ୍କୃତି ର ଦୃଷ୍ଟିକୋଣରୁ ହୁଏତ ହୋଇପାରେ ବହିରେ ବ୍ୟକ୍ତ କରାଯାଇଥିବା ମୋର ମତ କାହାକୁ ଦୂର ଲେଖିପାରେ। ତଥାପି ବି କିଛି ବିନ୍ଦୁ ଉପରେ ଚିନ୍ତା କରିବା ମୋତେ ଜରୁରୀ ମନେ ହୋଇଛି।
ସଂଗୀତ,ନୃତ୍ୟ,ନାଟ୍ୟ, ସାହିତ୍ୟ କୁ ମୁଁ ଦୃଶ୍ୟକଳାଠାରୁ ଅଲଗା କରିପାରେ ନାହିଁ। ରଚନା ହେଉଛି ଆତ୍ମବୋଧ,ଏହାକୁ କେବଳ ତର୍କ ର ପାତ୍ରରେ ମହଯୁଦ କରି ରଖାଯାଇ ପାରିବ ନାହିଁ । ଏହା ଦୁନିଆ ଯାକର କଳାକାର ମାନଙ୍କର ଅର୍କ , ରସପାନ। ଆପଣାର ଜନ୍ମରୁ ମରଣଯାଏଁ ଆମେ ଏହାରି ସହ ଚାଲିଥାଉ । ଭାରତ ଭଳି ଗୋଟିଏ ଦେଶରେ ଏହା ଜୀବନଧାରଣର ମାଧ୍ୟମ ଥିଲା /ଅଛି ।
ଆମ ଦେଶରେ ଅହଂ-ଅସ୍ମିତା ଉପରେ ଜୋର୍ ଦେଲାବେଳେ ଏକଥା କହିବାକୁ ହେବ ଯେ “ମୁଁ” କିଛି ନା କିଛି କରୁଥାଏ , ଏଥିରେ କୌଣସି ଅର୍ଥ ନାହିଁ-ମଣିଷ ଠୁ ଆରମ୍ଭ ହୋଇଛି,ଏମିତି କହିବାରେ ହିଁ ସବୁ ଅର୍ଥ ରହିଛି।
ମଣିଷର ବିଶ୍ଳେଷଣ କରିବା ବହୁତ କଠିନ।
°°°°°

ହକୁ ଶାହ (୧୯୩୪- ୨୦୧୯) ଜଣେ ଶୀର୍ଷ ସ୍ଥାନୀୟ ଚିତ୍ରକର ଏବଂ ଲୋକଶାସ୍ତ୍ରବିତ । ତାଙ୍କର ଏହି କଳାଦୃଷ୍ଟି ର ବିଚାର ଆଲେଖଟି ତାଙ୍କର ରଚିତ “ମାନୁଷ” ପୁସ୍ତକର ଅଗ୍ରଲେଖ ହିସାବରେ ଲିଖିତ । ହକୁ ଶାହଙ୍କ ଏଇ ସଂକ୍ଷିପ୍ତ ଆଲେଖଟି ଆମକୁ ଆମର ସୃଜନବୋଧକୁ ବୁଝିବାରେ ସହାୟକ ହେବ ବୋଲି ଉପସ୍ଥିତ ଲେଖକର ଆଶା ।
ଏଇ ଅନୁସୃଜିତ ଅଂଶଟି ଚିତ୍ରଶିଳ୍ପୀ,କବି , କଥାକାର ତଥା ପ୍ରାବନ୍ଧିକ ପ୍ରିୟ ଅନୁଜ ରମାକାନ୍ତ ସାମନ୍ତରାୟଙ୍କୁ ।
ଶୁଭ ଜନ୍ମଦିନ ରମାକାନ୍ତ ।