ରବୀନ୍ଦ୍ରନାଥଙ୍କ ଜୀବନଧାରା

ରବିକଥା-୪

ମରିତେ ଚାଇନା ଆମି ସୁନ୍ଦର ଭୁବନେ
ମାନବେର ମାଝେ ଆମି ବାଞ୍ଚିବାର ଚାହି।

ମୃତ୍ୟୁ ଅପେକ୍ଷା ଏ ସୁନ୍ଦର ପୃଥିବୀର ମଣିଷମାନଙ୍କ ସହ ବଞ୍ଚିବା ପାଇଁ କାମନା କରିଥିବା କବିଗୁରୁ ରବୀନ୍ଦ୍ରନାଥ ଠାକୁର ଜଣେ ହିମାଳୟ ପ୍ରତିମ ବ୍ୟକ୍ତିତ୍ଵ। ବଙ୍ଗଳା ସାହିତ୍ୟର ଜଣେ ଅମୂଲ୍ୟ ସମ୍ପତ୍ତି। ବଙ୍ଗଳା ସାହିତ୍ୟ ପାଇଁ ଆଣି ଦେଇଛନ୍ତି ଯୁଗାନ୍ତକାରୀ ପରିବର୍ତ୍ତନ। ତେଣୁ ତାଙ୍କୁ ବଙ୍ଗଳା ଭାଷାର ସର୍ବଶ୍ରେଷ୍ଠ ସାହିତ୍ୟିକ ଭାବରେ ଗଣନା କରାଯାଏ। ତେବେ ତାଙ୍କର ସାହିତ୍ୟ ଚର୍ଚ୍ଚା ପରି ଜୀବନଧାରା ସମ୍ପର୍କରେ ବି ଜାଣିବା ଆବଶ୍ୟକ।

ବିଦ୍ୟାଳୟ ପ୍ରତି ଅନିଚ୍ଛାଭାବ:
ରବୀନ୍ଦ୍ରନାଥ ପଶ୍ଚିମବଙ୍ଗର ଯୋଡାଶଙ୍ଖର ଠାକୁର ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ଥିଲେ ତାଙ୍କର ପିତାମାତାଙ୍କର ଚତୁର୍ଦ୍ଦଶତମ ସନ୍ତାନ। ବିଦ୍ୟାଳୟ ଶିକ୍ଷା ପ୍ରତି ସେ ଥିଲେ ଅନାଗ୍ରହୀ। ତେଣୁ ତାଙ୍କୁ ଘରେ ପଢାଇବା ପାଇଁ ଜଣେ ଗୃହଶିକ୍ଷକଙ୍କୁ ନିଯୁକ୍ତି କରାଯାଇଥିଲା।

ଶରୀରଚର୍ଚ୍ଚା ପାଇଁ କୁସ୍ତିଶିକ୍ଷା:
ବାଳକ ରବୀନ୍ଦ୍ରନାଥ ଘରେ ପଢାଶୁଣା କରିବା ସହିତ ଗୀତ ଗାଇବା, ଗଣିତ ଶିଖିବା ବ୍ୟତୀତ ପ୍ରାୟ ପ୍ରତିଦିନ ସକାଳେ ବିଖ୍ୟାତ କୁସ୍ତି ଯୋଦ୍ଧା ହୀରା ସିଂହ ପାଖରେ କୁସ୍ତି ଶିଖୁଥିଲେ।ନିୟମ ମାନି ଚଳିବା ସହିତ ସେ ଶରୀରଚର୍ଚ୍ଚାକୁ ମଧ୍ୟ ଖୁବ୍ ଗୁରୁତ୍ୱ ଦେଉଥିଲେ। ପ୍ରତିଦିନର ନିୟମ ଓ ଖାଦ୍ୟାଭ୍ୟାସ ମାଧ୍ୟମରେ ସେ ରୋଗ ନିୟନ୍ତ୍ରଣ କରୁଥିଲେ।

ଗୀତ ଓ ଆବୃତ୍ତି ଚର୍ଚ୍ଚା:
ରବୀନ୍ଦ୍ରନାଥ ଯେ କେବଳ ଲେଖାଲେଖିରେ ବ୍ୟସ୍ତ ରହୁଥିଲେ ତାହା ନୁହେଁ, ଲେଖାଲେଖି ଭଳି ସେ ଗୀତ, ନାଚ ଏବଂ ଅଭିନୟ ପ୍ରତି ମଧ୍ୟ ସମାନ ସମୟ ଦେଉଥିଲେ। ବାଲ୍ୟ ବୟସରୁ ହିଁ ରବୀନ୍ଦ୍ରନାଥ ଗୀତ ରଚନା, ଗାୟନ ଓ ଆବୃତ୍ତି କରି ଆସୁଥିଲେ। ଗବେଷକ ମାନଙ୍କ ମତରେ, ରବୀନ୍ଦ୍ରନାଥ ମାତ୍ର ସାତ ବର୍ଷ ବୟସରେ ତାଙ୍କ ଜୀବନର ପ୍ରଥମ ଗୀତ ଗାଇଥିଲେ। ସେ ଗୀତଟି ଲେଖିଥିଲେ ତାଙ୍କର ସମ୍ପର୍କୀୟ ଭାଇ ଗଗନେନ୍ଦ୍ରନାଥ ଠାକୁରଙ୍କ ଲେଖା- ଦେଖିଲେ ତୋମାର ସେଇ ଅତୁଲ୍ ପ୍ରେମ ଆନନେ’ ଗୀତଟି। ରବୀନ୍ଦ୍ରନାଥ ଗାଇଥିବା ପ୍ରଥମ ଗ୍ରାମଫୋନ ରେକର୍ଡ ୧୯୦୫ ମସିହାରେ ପ୍ରକାଶ ପାଇଥିଲା। ତାର ଗୋଟିଏ ପାର୍ଶ୍ୱରେ ଥିଲା ବଙ୍କିମ ଚନ୍ଦ୍ରଙ୍କ ବନ୍ଦେ ମାତରମ୍ ଓ ଅନ୍ୟ ପାର୍ଶ୍ବରେ ଥିଲା ରବୀନ୍ଦ୍ରନାଥଙ୍କ ସ୍ବରଚିତ ‘ସୋନାର୍ ତରୀ’ କବିତାର ଆବୃତ୍ତି।

ନାଟକ ଅଭିନୟ:
ରବୀନ୍ଦ୍ରନାଥ ଖୁବ୍ ଭଲ ଡ୍ୟାନସ୍ କରିପାରୁଥିଲେ। ତାଙ୍କୁ ନାଚ ଶିଖାଇଥିଲେ ସମ୍ପର୍କୀୟ ଦିଦି ସତ୍ୟେନ୍ଦ୍ରବାଳା ଠାକୁର। ରବୀନ୍ଦ୍ରନାଥ ବିଭିନ୍ନ ଦେଶର ବିଭିନ୍ନ ନୃତ୍ୟଶୈଳୀରେ ଅନୁପ୍ରାଣିତ ହୋଇ ନିଜସ୍ଵ ନୃତ୍ୟଶୈଳୀ ସୃଷ୍ଟି କରିଥିଲେ। ରବୀନ୍ଦ୍ର ନୃତ୍ୟ ନାମରେ ବେଶ୍ ପ୍ରସିଦ୍ଧ। ସେ ସବୁବେଳେ କହୁଥିଲେ, ନୃତ୍ୟର ଟେକନିକ୍ ଯେମିତି ଗୀତର ଭାବକୁ ଘୋଡେଇ ନଦିଏ।

ଚିତ୍ରାଙ୍କନରେ ରୁଚି:
ରବୀନ୍ଦ୍ରନାଥଙ୍କ ଅନେକ ରୁଚି ମଧ୍ୟରୁ ଚିତ୍ର ଆଙ୍କିବା ହେଉଛି ଏକ ରୁଚି। ସେ ଜୀବନର ଆଦ୍ୟକାଳରୁ ଚିତ୍ର ଆଙ୍କୁଥିଲେ ମଧ୍ୟ ନିୟମିତ ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ ୬୭ବର୍ଷ ବୟସରେ। ବିଶେଷ କରି ୧୯୦୧ରୁ ୧୯୪୦, ଏଇ ଚାଳିଶ ବର୍ଷରେ ସେ କଳା-ଧଳା ଓ ରଙ୍ଗୀନ, ଛୋଟ ବଡ଼ ମିଶି ପ୍ରାୟ ତିନି ହଜାର ଚିତ୍ର ଆଙ୍କିଥିଲେ।

ଜଣେ ବୃକ୍ଷପ୍ରେମୀ:
ରବୀନ୍ଦ୍ରନାଥ କେବଳ କାବ୍ୟପ୍ରେମୀ ନଥିଲେ, ସେ ଜଣେ ବୃକ୍ଷପ୍ରେମୀ ବି ଥିଲେ। ତାଙ୍କର ଅନେକ ଗୀତ ଓ କବିତାରେ ବହୁ ଉଦ୍ଭିଦ ଓ ଫୁଲର ନାମ ରହିଛି। କେବଳ କାବ୍ୟରେ ଉଲ୍ଲେଖ ଅଛି ୧୦୮ଟି ଗଛ ଓ ଫୁଲର ନାମ। ତା ଭିତରେ ଅନେକ ବିଦେଶୀ ଫୁଲର ବଙ୍ଗଳା ନାମ ହେଉଛି- ଅଗ୍ନିଶିଖା, ତାରାଝରା, ନୀଳମଣି ଲତା, ବନପୁଲକ, ବାସନ୍ତୀ ଓ ଫାଲଗୁନ ବଧୂ ଇତ୍ୟାଦି।

ହୋମିଓପାଥିରେ ବିଶ୍ବାସ:
ହୋମିଓପାଥି ପଦ୍ଧତିରେ ଚିକିତ୍ସା ପ୍ରତି ରବୀନ୍ଦ୍ରନାଥଙ୍କ ଆଗ୍ରହ ଥିଲା ଖୁବ୍ ବେଶୀ। ସେ ନିଜେ ମଧ୍ୟ ହୋମିଓପାଥି ପଦ୍ଧତିରେ ଚିକିତ୍ସା କରି ଆସୁଥିଲେ। ସେ “ହେଲଥ୍ କୋ-ଅପରେଟିଭ୍” ଆରମ୍ଭ କରି ଭାରତରେ ପ୍ରଥମେ ଚିକି ତ୍ସାର ବ୍ୟବସ୍ଥା କରିଥିଲେ।

କବିଙ୍କ ପୋଷାକ:
ଗୁରୁଦେବ ଘରେ ସାଧାରଣତଃ ଗେରୁଆ ବା ସାଦା ରଙ୍ଗର କାମିଜ୍ ଓ ପାଇଜାମା ପିନ୍ଧୁଥିଲେ। ଏହାବ୍ୟତୀତ ସେ ଉପାସନା ବା ସଭାସମିତିକୁ ଯିବା ସମୟରେ କମିଜ୍ ବ୍ୟତୀତ ସାଦା ଧୋତି, ଜାମା ଓ ଚାଦର ବ୍ୟବହାର କରୁଥିଲେ। ବିଭିନ୍ନ ଊତୁ ଉତ୍ସବଗୁଡିକରେ ଋତୁ ଅନୁଯାୟୀ ବିଭିନ୍ନ ରଙ୍ଗର ରେଶମୀ ଉତ୍ତରୀୟ ବ୍ୟବହାର କରୁଥିଲେ। ଯେମିତି ବର୍ଷାକାଳରେ ଲାଲ୍ ବା କଳା, ଶରତରେ ସୋନାଲି, ବସନ୍ତରେ ବାସନ୍ତୀ ରଙ୍ଗର ପୋଷାକ ପିନ୍ଧୁଥିଲେ। ଅନେକ ସମୟରେ ପଇଜାମାର ରଙ୍ଗ ଉତ୍ତରୀୟର ରଙ୍ଗ ସହିତ ମିଶି ଯାଉଥିଲା।

କବିଙ୍କ ନିଦ୍ରା:
ରବୀନ୍ଦ୍ରନାଥଙ୍କ ନିଦ୍ରା ଥିଲା ଖୁବ୍ କମ୍। ସେ ବିଳମ୍ବିତ ରାତିରେ ଶୋଇ ପୁଣି ପାହାନ୍ତିଆରୁ ଉଠି ଯାଉଥିଲେ। ସାଧାରଣତଃ ତାଙ୍କର ଦିନ ଆରମ୍ଭ ହେଉଥିଲା ପ୍ରଭାତ ସ୍ନାନରୁ। ସେ ଭୋର ୪ରୁ ଏକ କପ୍ ଚା ପିଉଥିଲେ। ତାପରେ ୪ଟାରୁ ୭ଟା ପର୍ଯ୍ୟନ୍ତ ଲେଖାଲେଖି କରୁଥିଲେ। ୭ଟାରେ ଜଳଖିଆ ସାରି ପୁଣି ଲେଖାଲେଖିରେ ମଜ୍ଜି ରହୁଥିଲେ। ଲେଖିବାର ମଝିରେ ମଝିରେ ଚା ବା କଫି ପିଇବାକୁ ପସନ୍ଦ କରୁଥିଲେ ସେ। ସକାଳ ୧୧ଟା ପର୍ଯ୍ୟନ୍ତ ଲେଖାଲେଖି କରି ଗାଧୋଇ ଯାଆନ୍ତି। ତାପରେ ଖାଇବାକୁ ବସନ୍ତି। ଖାଇବା ପରେ ଦ୍ବିପହରରେ ସେ ଶୋଇବାକୁ ପସନ୍ଦ କରୁନଥିଲେ।

କବିଙ୍କ ରାତ୍ରି ଭୋଜନ:
ରବୀନ୍ଦ୍ରନାଥ ମଧ୍ୟାହ୍ନ ଭୋଜନ ପରେ ନ ଶୋଇ ପଢାପଢି କରନ୍ତି। ଅପରାହ୍ନ ୪ଟାରେ ଚା ସାଙ୍ଗରେ କିଛି ଲୁଣି ବିସ୍କୁଟ ଖାଆନ୍ତି। ରାତ୍ରି ଭୋଜନ ସେ ସନ୍ଧ୍ୟା ୭ଟା ଭିତରେ ସାରୁଥିଲେ। ରାତିରେ ସେ ବିଦେଶୀ ଖାଦ୍ୟ ଖାଇବାକୁ ପସନ୍ଦ କରୁଥିଲେ ଓ ଖରାବେଳେ ସାଧାରଣ ବଙ୍ଗାଳୀ ପରିବାରର ଖାଦ୍ୟ ଖାଉଥିଲେ। ରାତିରେ ଖିଆପିଆ ସାରି ପୁଣି ୧୧ଟା ପର୍ଯ୍ୟନ୍ତ ଲେଖାପଢ଼ା କରୁଥିଲେ।

About Dr. Sarat Kumar Jena

Dr. Sarat Kumar Jena is a writer, researcher and from Odisha. Currently he is working as a professor at Biswabharati University, Kolkata.

View all posts by Dr. Sarat Kumar Jena →

One Comment on “ରବୀନ୍ଦ୍ରନାଥଙ୍କ ଜୀବନଧାରା”

Comments are closed.