ବିଶ୍ୱାସ


–ସେ ଜାଣିଥିଲା,
ତାଙ୍କ ଗାଁ ଡଙ୍ଗରରେ ରହନ୍ତି
ତା’ ପୂର୍ବପୁରୁଷଙ୍କ ଡୁମା ମାନେ।
ସେ ଏକଥା ବି ଜାଣିଥିଲା,
ସେ ଦୟାଳୁ ଡୁମାମାନେ ତାକୁ ରକ୍ଷା କରିବେ
ରୋଗ-ଦୁଃଖ-ଶୋକରୁ,
ତା’ ଛାତି ଭିତରେ ଭରି ଦେବେ ସାହସ
ସବୁ ବିପଦ ସହ ମୁକାବିଲା କରିବାକୁ ଅଣ୍ଟା ଭିଡ଼ି,
ତାକୁ ବତାଇ ଦେବେ ଆଗକୁ ବଢ଼ିବାରେ ରାସ୍ତା।

ପାହାଡ଼ ଛାତିରୁ କୁଦ ମାରି
ତଳକୁ ଝରି ଆସୁଥିଲା ଝରଣା,
ଯା’ର କାଚକେନ୍ଦୁ ପାଣିରେ
ନିଇତି ମୁହଁ ଦେଖୁଥିଲା ଫୁଲମତୀ।
ସେ ପାଣି ଢେର୍ ଥିଲା ତା’ ଶୋଷ ପାଇଁ,
ତା’ ହାଣ୍ଡିର ଭାତ-କନ୍ଦା ପାଇଁ।
ସେ ପାହାଡ଼, ସେ ଡଙ୍ଗରକୁ ଘେରିଥିଲା ଯେଉଁ ଜଙ୍ଗଲ
ସେ ଯଥେଷ୍ଟ ଥିଲା ତା’ ଚୁଲିର ଜାଳ ପାଇଁ,
ତା’ କୁଡ଼ିଆର ଛାତ-କାନ୍ଥ ଆଉ ଖୁଣ୍ଟ ପାଇଁ।

ସେ ଜଙ୍ଗଲର ପାଣି-ପବନ ଭରିଦେଉଥିଲା
ତା’ ଛାତି ଭିତରେ ନିର୍ମଳ ଅମ୍ଳଜାନ,
ସୁସ୍ଥ ରଖୁଥିଲା ତା’ ଦେହମନ;
ଯଥେଷ୍ଟ ଥିଲା ବି ସେ ଜଙ୍ଗଲର ଚେରମୂଳି
ତା’ ଛୋଟମୋଟ ଦେହ ଅସୁଖ ପାଇଁ।

ତା’ ମୁଣ୍ଡ ଉପରେ ଥିଲା ଗୋଟେ ସ୍ବଚ୍ଛ ନୀଳ ଆକାଶ।
ସେ ଆକାଶରୁ ଆଶୀର୍ବାଦ ଭଳି
ଖସି ଆସୁଥିଲେ ଖରା ଆଉ ବର୍ଷାର ଧାରା
ବର୍ଷ ତମାମ ତା’ ଘର ଅଗଣାକୁ, ତା’ କ୍ଷେତ-ଖାଦାନକୁ
ନିଜ ଆଶିଷରେ ସଦା ବେଳେ ଭରପୂର ରଖିବା ପାଇଁ।

ପାହାଡ଼ ମଥାନରେ ସୂରୁଜ ଉଇଁଲେ
ସେ ଜାଣୁଥିଲା,
ତା’ ପାଇଁ ସେ ସାଙ୍ଗରେ ଆଣି ଆସିଛି
ଆଉ ଗୋଟେ ଦିନ ମେହେନତର।
ଆଉ ସେ ସୂରୁଜ ଯେତେବେଳେ ଢଳି ଯାଉଥିଲା
ଆରପାଖ ପାହାଡ଼ ସେପାଖରେ
ସେ ନାଚୁଥିଲା ମହୁଲି ନିଶାରେ।
ତା’ର ମାଦଲ୍ ବେଶ୍ ଜାଣିଥିଲା
ଫୁଲମତିର ପାଦ ସହ କେମିତି ମିଳେଇ ହୁଏ ତାଳ।

ଚଇତି ଜହ୍ନର ଜୋଛନାରେ
ଯେବେ ଦାଉ ଦାଉ ଜଳୁଥିଲା ଫୁଲମତିର ମୁହଁ
ସେ ରୂପର ନିଶା ତାକୁ ସଳପ ରସଠୁ ବି ବେଶି ଘାରୁଥିଲା!
ସେ ଖୁସି ଥିଲା, ସନ୍ତୁଷ୍ଟ ଥିଲା
ତା’ ପାହାଡ଼କୁ ନେଇ, ତା’ ଜଙ୍ଗଲକୁ ନେଇ।
ତାକୁ ବିଭୋର କରିବାକୁ ଯଥେଷ୍ଟ ଥିଲା ଫୁଲମତିର ରୂପ,
ତା’ ବିଶ୍ବାସକୁ ସୁରକ୍ଷା ଦେବା ପାଇଁ
ତା’ ପୂର୍ବ ପୁରୁଷଙ୍କ ଡୁମା ମାନେ।

ହେଲେ ଦିନେ ତା’ର ସୁଖ ଉପରେ
ନଜର ପଡିଲା ଗୋଟେ ଅପଦେବତାର!
ଯା’ର ବିଷଭରା ନିଃଶ୍ବାସ
ଧୀରେ ଧୀରେ ଆବୋରି ନେଲା
ତା’ ପାହାଡ଼, ଡଙ୍ଗର, ଜଙ୍ଗଲ;
ତା’ ନୀଳ ଆକାଶ, ତା’ କାଚକେନ୍ଦୁ ଝରଣା!
ଏବେ ତା’ ଦୋହଲା ବିଶ୍ବାସରେ
କେବେ କେବେ ଚହଲି ଉଠି ମିଳେଇ ଯାଉଥିଲା
ଫୁଲମତିର ମଉଳା ମୁହଁ!!!

–ଭୁବନେଶ୍ୱର



About Preeti Prajna Pradhan

Preeti Prajna Pradhan is a writer based in Bhubaneswar.

View all posts by Preeti Prajna Pradhan →

Leave a Reply

Your email address will not be published. Required fields are marked *