ଏଲିଅଟଙ୍କ ଚିଠି

ମୂଳ ରଚନା : ଟି. ଏସ. ଏଲିଅଟ || ଓଡ଼ିଆ ଅନୁବାଦ : ଜ୍ୟୋତି ନନ୍ଦ

୧୩ ଜୁଲାଇ ୧୯୪୪

ପ୍ରିୟ ଅରୱେଲ୍

ମୁଁ ଜାଣିବାକୁ ପାଉଛି ଯେ ଆପଣ “ଆନିମାଲ୍ ଫାର୍ମ” ଉପରେ ଏକ ତ୍ୱରିତ ନିର୍ଣ୍ଣୟ ଚାହୁଁଛନ୍ତି ; ମାତ୍ର ଏହି ପ୍ରକ୍ରୀୟାରେ ଅନ୍ୟୁନ୍ୟ ଦୁଇଜଣ ନିର୍ଦ୍ଦେଶକଙ୍କ ଅଭିମତର ପ୍ରୟୋଜନ ଏବଂ ତାହା ଗୋଟିଏ ସପ୍ତାହ ମଧ୍ୟରେ ସମ୍ଭବପର ନୁହଁ।ହେଲେ ଏହାକୁ ଟିକିଏ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ମୋର ଚେୟାରମ୍ୟାନଙ୍କୁ ନିଜେ ଏଥିପ୍ରତି ଦୃଷ୍ଟିଦେବା ପାଇଁ କହିବା ଉଚିତ ହେବ। ହେଲେ ଅନ୍ୟ ନିର୍ଦ୍ଦେଶକ ଜଣକ ମୋଟାମୋଟି ପ୍ରମୁଖ ବିନ୍ଦୁ ଗୁଡିକ ସଂପର୍କରେ ମୋ ସହିତ ପ୍ରାୟତଃ ସହମତ। ଆମେ ଉଭୟେ ଏକମତ ଯେ ଏହା ଗୋଟିଏ ଉନ୍ନତ ମାନର ଲେଖା ; ଏଥିରେ ରୂପକଥାଟିକୁ ଅତ୍ୟନ୍ତ ଦକ୍ଷତାର ସହ ବ୍ୟବହାର କରାଯାଇଛି ,ଆଉ ଏହାର ବଖାଣ ଜଣକର ଆଗ୍ରହକୁ ତାହାର ଉପଯୁକ୍ତ ସ୍ଥାନରେ ସୁବିନ୍ୟସ୍ତ କରି ରଖିପାରୁଛି- ଆଉ ଏଇଟି ହେଉଛି ଏପରି ଏକ କଥା ଯାହା ଗଲିଭର୍ କାହାଣୀ ପରେ ଖୁବ୍ ଅଳ୍ପ କଥାକାର ହାସିଲ୍ କରିବା ପାଇଁ ସମର୍ଥ ହୋଇଛନ୍ତି।

ଅନ୍ୟପକ୍ଷରେ ,ଆମକୁ ଏହା ବିଶ୍ୱାସଯୋଗ୍ୟତା ର ଦୃଷ୍ଟିରୁ( ଏବଂ ମୁଁ ନିଶ୍ଚିତ ଯେ ଆଉ କୌଣସି ନିର୍ଦ୍ଦେଶକ ବି ) ଏହା ଏପରି ଗୋଟିଏ ଦୃଷ୍ଟିଭଙ୍ଗୀ ନୁହଁ ଯେଉଁ ଅବସ୍ଥାନରୁ ବର୍ତ୍ତମାନ ସମୟର ରାଜନୈତିକ ଅବସ୍ଥାକୁ ସଠିକ ସମାଲୋଚନା କରାଯାଇପାରିବ। ଏହା ନିଶ୍ଚିତ ଭାବରେ ଯେ କୌଣସି ପ୍ରକାଶନୀ ସଂସ୍ଥା ଏପରି ବହି ଯାହା ସମକାଳର ବିରୁଦ୍ଧରେ ଲିଖିତ ତାହାକୁ ପ୍ରକାଶ କରିବା ସମୟରେ ନିଜର ତୁଚ୍ଛ ବ୍ୟବସାୟିକ ସଫଳତା ଅପେକ୍ଷା ତାହାର ଅନ୍ୟାନ୍ୟ ଆଗ୍ରହ ଏବଂ ଉଦ୍ଦେଶ୍ୟର ପ୍ରାୟତଃ ଛଳନା କରିଥାଏ : ମାତ୍ର ଏପରି ପ୍ରତିଟି ସ୍ତରରେ ସଂପୃକ୍ତ ସଂସ୍ଥା ତରଫରୁ ଅତିକମ୍ ରେ ଜଣକ ନିକଟରେ ଏହିପରି ମୁହୂର୍ତ୍ତରେ ସ୍ପଷ୍ଟ କଥା କହିପାରିବା ଭଳି ବୈଚାରିକ ପ୍ରତ୍ୟୟ ରହିଥିବା ଆବଶ୍ୟକ। ମୁଁ ଏହି ବହିଟିକୁ ପ୍ରକାଶ ନ କରିବା ପଛରେ ସେମିତି କୌଣସି ବିଜ୍ଞତା ଅବା ବିଚାରଗତ କାରଣ ଦେଖୁନାହିଁ -ଯଦି ସେ ଯାହା ବିଶ୍ୱାସ କରେ ସେଥିରେ ସେ ଅବିଚଳ ରହିଥାଏ।

Eric Arthur Blair (25 June 1903 – 21 January 1950) was an English novelist, poet, essayist, journalist and critic who wrote under the pen name of George Orwell.

ଏବେ ମୋର ଏହି ମାର୍ଜନା ପତ୍ର ଜନୀତ ଅସନ୍ତୋଷ ସଂପର୍କରେ ମୁଁ ମନେ କରୁଛି ଯେ ସରଳ ଭାବରେ କହିଲେ ଏହା ଗୋଟିଏ ପ୍ରତ୍ୟାଖ୍ୟାନର ପ୍ରଭାବ ହିଁ ହେବ। ଏହା ଜଣେ ଲେଖକ ଯାହା ଚାହୁଁଛି ତାହା ପ୍ରତି ,ଆଉ ତାହା ସହିତ ସେ ଯାହାକିଛି ପ୍ରତି ଆପତ୍ତି ଜାହିର୍ କରୁଛି ତାହା ପ୍ରତି, ଏକ ସହମର୍ମିତାର ଉଦ୍ରେକ କରିବ : ଏବଂ ଏହାର ସକାତ୍ମକ ପରିପ୍ରେକ୍ଷ୍ୟଟି ହେଉଛି ,ଯାହା ଫଳରେ ସାଧାରଣଭାବରେ ମୋତେ ଜଣେ ଟ୍ରଟସ୍କାଇଟ୍ ବୋଲି ମନେ କରାଯାଇପାରେ,ତାହା କିନ୍ତୁ ବିଶ୍ୱସନୀୟ ନୁହଁ। ମୁଁ ମନେ କରୁଛି ଏଥିରେ ଜଣେ କୌଣସି ଗୋଟିଏ ଦଳ ପ୍ରତି ଦୃଢ କ୍ଷତିପୂରଣ ପାଇବା ଭଳି ସଂଲଗ୍ନତା ବ୍ୟତିରେକେ ନିଜର ଭୋଟ୍ କୁ ଭାଗ କରିବାକୁ ବସିଛି -ଯଥା ଯେଉଁମାନେ ଋଷୀୟ ଭାବଧାରାକୁ ଶୁଦ୍ଧ କମ୍ୟୁନିଜମ୍ ର ଦୃଷ୍ଟିକୋଣରୁ ସମାଲୋଚନା କରନ୍ତି ,ଆଉ ଯେଉଁମାନେ,ସଂପୂର୍ଣ୍ଣ ଭାବରେ ଆଉ ଏକ ଭିନ୍ନ ଦୃଷ୍ଟିକୋଣରୁ,ଛୋଟ ଛୋଟ ଜାତୀୟ ରାଷ୍ଟ୍ରମାନଙ୍କର ଭବିଷ୍ୟତ ପ୍ରତି ଆତଙ୍କଗ୍ରସ୍ତ। ଏବଂ ସେ ଯାହାହେଉ ଆପଣଙ୍କର ଘୁଷୁରିମାନେ ଅନ୍ୟାନ୍ୟ ଜନ୍ତୁମାନଙ୍କ ତୁଳନାରେ ଅଧିକ ବୁଦ୍ଧିମାନ,ଆଉ ସେଇଥିପାଇଁ ସେମାନେ ଫାର୍ମଟିର ପରିଚାଳନା ନିମନ୍ତେ ସବୁଠାରୁ ଅଧିକ କୁଶଳୀ- ବସ୍ତୁତଃ ସେମାନଙ୍କ ବ୍ୟତୀତ ଆଉ କୌଣସି ଏକ ଆନିମାଲ୍ ଫାର୍ମ ଆଉ କେଉଁଠି ସମ୍ଭବପର ହେବନାହିଁ : ତେଣୁ ଅସଲରେ ଯାହା ଆବଶ୍ୟକ ଥିଲା ( ଜଣେ ହୁଏତ ଏପରି ଯୁକ୍ତି କରିପାରେ ) ଅଧିକତର କମ୍ୟୁନିଜମ୍ ନୁହଁ ବରଂ ଅଧିକରୁ ଅଧିକ ଜନ-ଉତ୍ସାହୀ ପଲେ ଘୁଷୁରୀ।

ମୁଁ ଅତ୍ୟନ୍ତ ଦୁଃଖିତ,କାରଣ ଏହାକୁ ଯିଏ ପ୍ରକାଶ କରିବ,ସେ ସ୍ୱାଭାବିକ ଭାବର ଆପଣଙ୍କର ସମସ୍ତ ଆଗାମୀ ଲେଖାମାନଙ୍କର ପ୍ରକାଶନର ସୌଭାଗ୍ୟ ଅର୍ଜନ କରିବ : ଏବଂ ମୋର ଆପଣଙ୍କର ଲେଖା ପ୍ରତି ସମ୍ମାନ ରହିଛି,କାରଣ ଏଇଟି ହେଉଛି ମୌଳିକ ବିଶ୍ୱସ୍ତତାର ଏକ ଉତ୍ତମମାନର ଲେଖା।

ମିସ୍ ଶେଲଡନ୍ ପାଣ୍ଡୁଲିପିଟିକୁ ଏକ ସ୍ୱତନ୍ତ୍ର ଖାମ୍ ରେ ଆପଣଙ୍କ ନିକଟକୁ ପଠାଇଦେବେ।

ସାଧାରଣତଃ ସମସ୍ତ ଲେଖକଙ୍କ ଭିତରେ ପ୍ରକାଶକଙ୍କ ଠାରୁ ପ୍ରକାଶନ ଉଦ୍ଦେଶ୍ୟରେ ପଠାଇଥିବା ନିଜର ପାଣ୍ଡୁଲିପି ସଂପର୍କୀତ ଅଗ୍ରାହ୍ୟକରଣ-ପତ୍ର ପାଇବା ଭଳି ସମ୍ଭାବନାର ଭୟ ରହିଥାଏ।

ଏଇଠି ପ୍ରସଙ୍ଗକ୍ରମେ ଯେଉଁ ପ୍ରକାଶନ ସଂସ୍ଥାଟି ରହିଛି ତାହା ହେଉଛି ଇଂଲଣ୍ଡର ସମ୍ମାନଜନକ ପ୍ରକାଶନ ସଂସ୍ଥା “ଫାବର୍ ଆଣ୍ଡ ଫାବର” ଆଉ ସେହି ପ୍ରକାଶନ ସଂସ୍ଥା ତରଫରୁ କାର୍ଯ୍ୟନିର୍ବାହୀ ଆକାରରେ ” ଦି ୱେଷ୍ଟ ଲାଣ୍ଡ” ର ଚର୍ଚ୍ଚିତ କବି ଟି ଏସ ଏଲିଅଟ ଜଣେ ନବୀନ ଲେଖକଙ୍କୁ ତାଙ୍କର ପାଣ୍ଡୁଲିପି କୁ ପ୍ରକାଶକରିବାର ଅସମର୍ଥତା ଜଣାଇ ଏକ ଅଗ୍ରାହ୍ୟକରଣ -ପତ୍ର ଲେଖିଛନ୍ତି।

Thomas Stearns Eliot OM (26 September 1888 – 4 January 1965) was a poet, essayist and playwright.

ଏଲିଅଟଙ୍କ ସ୍ୱାକ୍ଷରିତ ସେହି ଅଗ୍ରାହ୍ୟକରଣ -ପତ୍ରଟି ଲେଖା ହୋଇଥିଲା ସେତେବେଳର ତରୁଣ ଲେଖକ ଜର୍ଜ ଅରୱେଲ୍ ଙ୍କ ନିକଟକୁ। ଜର୍ଜ ଅରୱେଲ୍ ସେତେବେଳକୁ ସ୍ପେନୀୟ ଗୃହ ଯୁଦ୍ଧରେ ଅଂଶ ଗ୍ରହଣ କରିବା ପରେ ସେହି ଗୃହଯୁଦ୍ଧ ସଂପର୍କୀତ ବିବରଣୀ ମୂଳକ ଆଲେଖମାନ ସଂବାଦପତ୍ରରେ ଲେଖୁଥିଲେ ଆଉ ସଂବାଦପତ୍ରରେ ବାହାରିଥିବା ସେଇ ଆଲେଖମାନ “ହୋମେଜ୍ ଟୁ କାଟାଲୋନିଆ” ନାମକ ଏକ ସଂକଳନ ଆକାରରେ ପ୍ରକାଶିତ ହୋଇଥିଲା। ଏହା ଛଡା ସେ ତାଙ୍କର
ଯୁଦ୍ଧକାଳୀନ ଅନୁଭୂତି ଏବଂ ନିଜର ଦାରିଦ୍ର୍ୟକୁ ନେଇ କିଛି ଆତ୍ମକଥାମୂଳକ ଲେଖା ଲେଖିଥିଲେ ଯାହା “ଦି ରୋଡ୍ ଟୁ ୱିଗାନ ପାଏର୍” ନାଆଁ ରେ ପ୍ରକାଶିତ ହୋଇଥିଲା।

ସାମ୍ବାଦିକ ହିସାବରେ ଦୁଇଟି ଏପରି ସଂକଳନ ପରେ ଜର୍ଜ ଅରୱେଲ୍ ଏକ ବିପଜ୍ଜନକ ସିଦ୍ଧାନ୍ତ ନେଇଥିଲେ । ଆଉ କୌଣସି “ରିପୋର୍ଟାଜ୍” ନୁହଁ ଏଥର ସେ କାହାଣୀ ରଚନା କରିବେ।ଆପଣ ଜାଣନ୍ତି ଲେଖନକର୍ମରେ ନିଜର ଶୈଳୀ (ଜାଁର୍) ପରିବର୍ତ୍ତନ କରିବା ଏକ ଦୁଃସାହସିକ କାର୍ଯ୍ୟ। ଉଦାହାରଣ ସ୍ୱରୂପ ଜଣେ ଯଦି କଥାକାର ଆକାରରେ କିଛିଟା ପାଠକ ପରିଚିତି ଅର୍ଜନ କରିଥାଏ ଆଉ ଯଦି ତାହାପରେ ସେ କବିତା ଲେଖେ ତାହାହେଲେ ସମସ୍ତେ କହିବେ ,ଇଏ କ’ଣ,ଏପରି ମତିଭ୍ରମ କାହିଁକି ? ସେ ଯାହାହେଉ ସାମ୍ବାଦିକ ଜର୍ଜ ଅରୱେଲ୍ କଥାକାର ଅରୱେଲ୍ ହେବାର ଅଭିପ୍ରାୟରେ ତାଙ୍କର ଲିଖିତ ସେହି ପ୍ରଥମ ଉପନ୍ୟାସର ପାଣ୍ଡୁଲିପି ପ୍ରଖ୍ୟାତ ପ୍ରକାଶନ ସଂସ୍ଥା “ଫାବର ଆଣ୍ଡ ଫାବର” କୁ ପଠାଇଥିଲେ ଆଉ ସେଇଠୁ ସେ ତାହାର ଏକ ପ୍ରକାଶନୀ ଅଗ୍ରାହ୍ୟକରଣ-ପତ୍ର ପାଇଥିଲେ ଆଉ ସେଥିରେ ସ୍ୱାକ୍ଷର ଥିଲା ପ୍ରଖ୍ୟାତ ଟି ଏସ ଏଲିଅଟ ଙ୍କର।

ପ୍ରକାଶନ ନିମନ୍ତେ ପ୍ରଥମ ଥର ପ୍ରତ୍ୟାଖ୍ୟାତ ହୋଇଥିବା ଜର୍ଜ ଅରୱେଲ୍ ଙ୍କର ସେହି ଉପନ୍ୟାସ ଟି ଆମ ସମସ୍ତଙ୍କର ଅତ୍ୟନ୍ତ ପରିଚିତ ପୁସ୍ତକ “ଆନିମାଲ ଫାର୍ମ”। ଏଇ ଉପନ୍ୟାସରେ ଅରୱେଲ୍ ଗୋଟିଏ ଫାର୍ମ ବା ଖମାରର ରୂପକରେ ସୋଭିଏଟ୍ ଋଷିଆର ସଂତ୍ରାସ ରାଷ୍ଟ୍ର ର ମରଣଯାତନା କୁ ଉଲ୍ଲେଖ କରିଛନ୍ତି। ଏହା କହିବାକୁ ଗଲେ ଷ୍ଟାଲିନଙ୍କ ୠଷିଆର ଏକ ସ୍ୱଚ୍ଛ ଉପସ୍ଥାପନ। ଅରୱେଲ୍ ତାଙ୍କର ରାଜନୈତିକ ବିଚାରରେ ଷ୍ଟାଲିନଙ୍କ ପ୍ରତିପକ୍ଷ ଟ୍ରଟସ୍କି ଙ୍କ ଅନୁଗାମୀ ଥିଲେ। ସେଇଥିପାଇଁ ଏଲିଅଟ୍ ତାଙ୍କର ଏଇ ଅଗ୍ରାହ୍ୟକରଣର ପତ୍ରରେ ଏଇ ଉପନ୍ୟାସର ବ୍ୟାପକତା ଉପରେ ପ୍ରଶ୍ନ ଉପସ୍ଥାପନ କରିଛନ୍ତି।

ଆନିମାଲ୍ ଫାର୍ମ ର ପ୍ରକାଶନ ପରେ ଏଇ ଉପନ୍ୟାସଟି ପୃଥିବୀର ଏକ ଯୁଗାନ୍ତକାରୀ ଉପନ୍ୟାସ ଆକାରରେ ଅଦ୍ଭୁତପୂର୍ବ ଜନପ୍ରିୟତା ଅର୍ଜନ କରିଛି। ବିଶ୍ୱର ସବୁଠାରୁ ଅଧିକ ଦଶଗୋଟି ଜନପ୍ରିୟ ଉପନ୍ୟାସ ତାଲିକାରେ ସବୁବେଳେ ସେଇଟି ରହିଆସିଛି।

ସେହି ଉପନ୍ୟାସର ଗୋଟିଏ ଧାଡି ପୃଥିବୀରେ ସଂଘଟିତ ସମସ୍ତ ବିପ୍ଳବର ବିଫଳତାକୁ ସବୁବେଳେ ବଖାଣ କରି ଆସିଛି। ଉଦ୍ଧୃତିର ସମସ୍ତ ସୀମା ସରହଦକୁ ଲଂଘିଚାଲିଥିବା ଜର୍ଜ ଅରୱେଲ୍ ଙ୍କ ଆନିମାଲ୍ ଫାର୍ମ ର ଆପ୍ତବାକ୍ୟ ସମ ସେହି ଧାଡିଟି ହେଉଛି :

” ସମସ୍ତେ ସମାନ ମାତ୍ର କେତେକ ଅନ୍ୟମାନଙ୍କ ଠାରୁ ଅଧିକତର ସମାନ ।”

ପ୍ରକାଶନ ସଂପର୍କୀତ ଭୟ ଅର୍ଥାତ୍ ଅଗ୍ରାହ୍ୟକରଣ-ପତ୍ର ସଂପର୍କରେ ପଦଟିଏ। ଯଦିଓ ପୃଥିବୀ ର ପୁସ୍ତକ ପ୍ରକାଶନ ର ଇତିହାସରେ ଆନିମାଲ୍ ଫାର୍ମ ସଂପର୍କୀତ ଏଇ ଅଗ୍ରାହ୍ୟକରଣ-ପତ୍ର ହେଉଛି ଏକ ସବୁଠାରୁ ବଡ ଭୁଲ୍। ଏଇ ପୁସ୍ତକଟିର ପ୍ରକାଶନ ପରର ବିସ୍ମୟ ଅର୍ଜନ ଏହି ଅକ୍ଷମଣୀୟ ଭୁଲ କୁ ପରେ ପ୍ରତିଷ୍ଠିତ କରିପାରିଛି। କିନ୍ତୁ ସେ ଯାହା ହେଉନା କାହିଁକି ଏଲିଅଟ ଙ୍କ ଲିଖିତ ଏପରି ଏକ ଅଗ୍ରାହ୍ୟକରଣ-ପତ୍ର ପୃଥିବୀର ଚିଠିଲେଖନର ଏକ ଅନ୍ୟତମ ଶ୍ରେଷ୍ଠ ସମ୍ପଦ। ଆପଣ ଦେଖିପାରୁଥିବେ ଏଲିଅଟ ନିହାତି ସତ୍ୟନିଷ୍ଠ ଭାବରେ ପାଣ୍ଡୁଲିପିଟି ମହାନତା ଏବଂ ଏହାକୁ ପ୍ରକାଶନ କରିନପାରିବାର ଅକ୍ଷମତାକୁ କେମିତି ନିହାତି ସୌମ୍ୟ ଆଉ ଅଭିଜାତ ଭାବରେ,ନିଜର ଅନ୍ତରଂଗ ସାହିତ୍ୟବୋଧ ସହିତ ଲେଖିପାରିଛନ୍ତି।

ସିଏ ଯିଏ ବି ହେଉ ଯେମିତି ବି ହେଉ ତାହାକୁ ଅଗ୍ରାହ୍ୟ କରିବା ପାଇଁ ଅଗ୍ରାହ୍ୟକରଣ-ପତ୍ରର ଲେଖକର ଲେଖନୀ ସର୍ବଦା ମୌଳିକ ଭାବରେ ବିଶ୍ୱସ୍ତ ଏବଂ ଅନ୍ତରଂଗ ହୋଇଥିବା ଆବଶ୍ୟକ।

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →

Leave a Reply

Your email address will not be published. Required fields are marked *