ଶାନ୍ତି ନିକେତନ ଉତ୍ସବ : ମାଘମେଳା


ଶାନ୍ତି ନିକେତନରେ ପାଳିତ ବିଭିନ୍ନ ଉତ୍ସବ ମଧ୍ୟରେ ମାଘୋତ୍ସବ ଅନ୍ୟତମ। ଏହାକୁ ମାଘମେଳା ବୋଲି ମଧ୍ୟ କୁହାଯାଏ। ଶାନ୍ତି ନିକେତନରେ ଥିବା ଦୁଇଟି କ୍ୟାମ୍ପସ ମଧ୍ୟରୁ ଗୋଟିଏ କ୍ୟାମ୍ପସ୍ ଶାନ୍ତି ନିକେତନରେ ପୌଷମେଳା ଅନୁଷ୍ଠିତ ହେଉଥିବା ବେଳେ ଦ୍ବିତୀୟ କ୍ୟାମ୍ପସ ଶ୍ରୀନିକେତନରେ ମାଘମେଳା ଅନୁଷ୍ଠିତ ହୁଏ। ପୌଷମେଳା ପ୍ରତ୍ୟେକ ବର୍ଷ ଡିସେମ୍ବର ଶେଷ ସପ୍ତାହରେ ଅନୁଷ୍ଠିତ ହେଲା ବେଳେ ମାଘମେଳା ଜାନୁୟାରୀ ମାସ ଶେଷରେ ଅନୁଷ୍ଠିତ ହୁଏ। ତେବେ ଗତ କିଛିବର୍ଷ ଧରି ଏହା ଫେବ୍ରୁଆରୀ ୬ରୁ ୮ତାରିଖ ତିନିଦିନ ଧରି ପାଳିତ ହେଉଛି। ଶ୍ରୀନିକେତନ ଗ୍ରାମାଞ୍ଚଳର ବିକାଶ, କୁଟୀର ଶିଳ୍ପର ବିକାଶ, କୃଷିକାର୍ଯ୍ୟ ପରିଚାଳନା ଓ ଲୋକ ସଂସ୍କୃତିର କେନ୍ଦ୍ର ଅଟେ। ବୈଜ୍ଞାନିକ ପଦ୍ଧତିରେ କିଭଳି କୃଷିକାର୍ଯ୍ୟ ଓ ହସ୍ତଶିଳ୍ପ ଦ୍ରବ୍ୟକୁ ବିକଶିତ ଓ ପ୍ରସାର କରାଯାଇପାରିବ ଓ ଗାଁ ଲୋକଙ୍କୁ କିଭଳି ସ୍ବାବଲମ୍ବୀ କରାଯାଇ ପାରିବ, ସେଥିପାଇଁ ଏହାର ସୃଷ୍ଟି। ତେବେ ମାଘମେଳାରେ ଗାଁ ଲୋକମାନଙ୍କର ଗୋଟିଏ ମେଳା ବସେ।

ପାରମ୍ପରିକ ଭାବେ ଶାନ୍ତି ନିକେତନରେ ଯେ କୌଣସି ମେଳା, ମହୋତ୍ସବ ଅନୁଷ୍ଠିତ ହୁଏ, ତା ପୂର୍ବଦିନ ରାତିରେ ମନ୍ଦିରରେ ଉପାସନା ହୁଏ। ଠିକ୍ ସେହିଭଳି ମାଘମେଳା ପୂର୍ବଦିନ ସନ୍ଧ୍ୟାରେ ମନ୍ଦିରରେ ଉପାସନା ହୁଏ। ଏ ସମୟରେ ମନ୍ଦିରକୁ ଆଲୋକମାଳାରେ ସୁସଜ୍ଜିତ କରାଯାଏ। ତେବେ ମନ୍ଦିର ପ୍ରାଙ୍ଗଣରେ ଓ ଆଶ୍ରମ ପରିସରରେ ବିଦ୍ୟୁତ୍ ପରିଚାଳିତ ଲିଚୁମାଳ ନ ଲଗାଇ କେବଳ ମହମବତୀ ଲଗାଯାଏ। ବ୍ରହ୍ମ ସଂଗୀତ ଓ ପୂଜା ସମୟର ଗୀତ ଗାନ କରାଯାଏ। ଉପାସନା ଯିଏ ପରିଚାଳନା କରନ୍ତି, ଅର୍ଥାତ ସେ ଦିନ ପୂଜାର ଯିଏ ଆଚାର୍ଯ୍ୟ ସାଜନ୍ତି, ସେ ଏହାର ତାତ୍ପର୍ଯ୍ୟ ବ୍ୟାଖ୍ୟା କରନ୍ତି। ପୂଜାପାଠ ଓ ଗାନରେ ସମଗ୍ର ପରିବେଶ ଉତ୍ସବମୁଖର ହୋଇଉଠେ।

ପ୍ରଚଳିତ ଧାରଣା ଅଛି ଯେ, ୧୧ ମାଘ ହେଉଛି ବ୍ରାହ୍ମ ସମାଜର ପ୍ରତିଷ୍ଠା ଦିବସ ।ତେଣୁ ସେଇ ଦିନ ମାଘୋତ୍ସବ ପାଳନ କରାଯାଏ । ଉତ୍ସବର କାରଣ କେବଳ ଏତିକିରେ ସୀମିତ ନୁହେଁ । ଗୋଟିଏ ଧର୍ମ ସଂପ୍ରଦାୟ ଯଦି କେବଳ ମାତ୍ର ପ୍ରତିଷ୍ଠା ହୋଇଯାଏ ତାହା ସେହି ସମ୍ପ୍ରଦାୟ ଭିତରେ ସୀମିତ ରହିବା କଥା,କିନ୍ତୁ ତାର ପ୍ରତିଷ୍ଠା ଦିବସରେ କିଛି ଲୋକ ଉତ୍ସବ ପାଳନ କରୁଛନ୍ତି। ଅତଏବ ଏଇ ୧୧ମାଘ କେବଳ ଗୋଟିଏ ଛୋଟ ଦିନ ନୁହେଁ, ବରଂ ଏହାର ମହତ୍ତ୍ଵ ଅଧିକ ଓ ବ୍ୟାପକ । ଏହି ଦିନରେ ହିଁ ଘୋଷିତ ହୋଇଥିଲା ମାନବତାର ଜୟଧ୍ଵନି । କୁସଂସ୍କାର ପରିପୂର୍ଣ୍ଣ ହିନ୍ଦୁ ସମାଜର ସମସ୍ତଙ୍କୁ ଆହ୍ବାନ କରି କୁହାଯାଇଥିଲା ‘ଜୀର୍ଣ୍ଣ ପୁରାତନ ଯାଉ, ଭାସିଯାଉ।’ ଏଇ ଦିନରେ ହିଁ ଜନ୍ମ ନେଇଥିଲା ନବଭାାରତ । ଭାରତର ଅଧିବାସୀମାନଙ୍କ ଶିକ୍ଷାରେ,ବିଜ୍ଞାନରେ ଓ ଦେଶପ୍ରେମରେ ଉଜ୍ଜୀବିତ ହୋଇଥିଲା ନୂତନ ଚିନ୍ତା ଓ ଚେତନା। ଏହି ନୂତନ ଚିନ୍ତାଧାରାର ପ୍ରବର୍ତ୍ତକ ଥିଲେ ରାଜା ରାମମୋହନ ରାୟ । ଧର୍ମ ବିଷୟରେ ମଣିଷ ବିଭିନ୍ନ ଭାବରେ ଅନ୍ଧ ସଂସ୍କାରର ରଜ୍ଜୁରେ ବାନ୍ଧି ହୋଇଥିଲା । ରାମମୋହନ ରାୟ ଏହି ବନ୍ଧନକୁ ଖୋଲି ମନୁଷ୍ୟକୁ ପ୍ରକୃତ ଧର୍ମର ପଥ ପ୍ରଦର୍ଶନ କରିଥିଲେ। ବ୍ରାହ୍ମଧର୍ମ କୌଣସି ଗୋଟିଏ ନୂତନ ଧର୍ମ ନୁହେଁ, ଏହା ହେଉଛି ହିନ୍ଦୁ ଧର୍ମର ଏକ ପରିମାର୍ଜିତ ରୂପ । ରାମମୋହନ ଏହାର ନାମ ଦେଇଥିଲେ ‘ ବେଦାନ୍ତ ପ୍ରତିପଦ୍ୟ ସତ୍ୟଧର୍ମ ‘। ରାମମୋହନଙ୍କ ନିର୍ଦ୍ଦେଶ ଥିଲା – ‘ ପ୍ରତିମା ମାଧ୍ୟମରେ ପରମେଶ୍ବରଙ୍କ ଉପାସନା ବ୍ରାହ୍ମମାନେ କରିବେ ନାହିଁ।’ ସାମାଜିକ ଈଶ୍ୱର ଉପାସନା ପ୍ରବର୍ତ୍ତନର ସଂକଳ୍ପ ନେଇ ରାମମୋହନ ରାୟ ୧୮୨୮ ଅଗଷ୍ଟ ୨୦ରେ (୬ ମାଘ ୧୨୩୫ ବଙ୍ଗାବ୍ଦ) କଲିକତାର ଅପର ଚିତପୁର ରୋଡସ୍ଥିତ କମଳକୃଷ୍ଣ ବସୁଙ୍କ ଘରେ ବ୍ରାହ୍ମସମାଜ ପ୍ରତିଷ୍ଠା କରିଥିଲେ । ପ୍ରତ୍ୟେକ ଶନିବାର ଦିନ ସେଠାରେ ସଭା ବସେ , ବେଦପାଠ ହୁଏ, ବେଦାନ୍ତରେ ଯେମିତି ଅଛି ସେମିତି ନିରାକାର ପରଂବ୍ରହ୍ମଙ୍କ ଉପାସନା କରାଯାଏ ଓ ରାତିରେ ବ୍ରହ୍ମ ସଙ୍ଗୀତ ଗାନ କରାଯାଏ । ଏହାର ପ୍ରାୟ ଦୁଇବର୍ଷ ପରେ ୧୮୩୦ ମସିହା ଜାନୁଆରୀ ୨୩ ତାରିଖ (୧୧ମାଘ ୧୨୩୬ ବଂଗାବ୍ଦ)ରେ , ୫୫ ନମ୍ବର ଅପର ଚିତପୁର ରୋଡରେ ବ୍ରାହ୍ମ ସମାଜର ନିଜସ୍ଵ ଉପାସନା ଗୃହ ଉଦଘାଟିତ ହୋଇଥିଲା। ଏହି ଦିନ ଦ୍ୱାରକାନାଥ ଠାକୁର ଓ ପ୍ରସନ୍ନ କୁମାର ଠାକୁର ଉପସ୍ଥିତ ଥିଲେ । ତା ପରଠାରୁ ଏହାକୁ ବ୍ରାହ୍ମସମାଜ ମନ୍ଦିର କୁହାଗଲା। ଦେବେନ୍ଦ୍ରନାଥ ବ୍ରାହ୍ମସମାଜର ପ୍ରଚାର ଓ ପ୍ରକୃତ ଜ୍ଞାନଚର୍ଚ୍ଚା ପାଇଁ ୧୮୩୯ (୨୧ ଆଶ୍ଵିନ)ରେ ‘ ତତ୍ୱବୋଧିନୀ ସଭା ‘ ପ୍ରତିଷ୍ଠା କଲେ । ୧୮୪୧ ସାଲ. ମେ ୨୮ ତାରିଖରେ ଗୋଟିଏ ସଭାରେ ନିର୍ଦ୍ଧାରିତ ହେଲା ଯେ ‘ ବେଦାନ୍ତ ପ୍ରତିପାଦ୍ୟ ସତ୍ୟଧର୍ମ” ପରିବର୍ତ୍ତେ ‘ “ବ୍ରାହ୍ମଧର୍ମ ‘ ଅବଲମ୍ବନ କରାଯିବ । ବ୍ରହ୍ମ ମନ୍ଦିରର ପ୍ରତିଷ୍ଠା ମାଘ ଏକାଦଶ ତିଥି ବା ୧୧ ମାଘରେ ହୋଇଥିବା ଯୋଗୁଁ ଉପଲକ୍ଷେ ‘ ମାଘଉତ୍ସବ ‘ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୁଏ। ଅତଏବ ୧୧ ମାଘରେ ଯୁଗ ପ୍ରବର୍ତ୍ତକ ରାମମୋହନ ରାୟ ସଂସାରକୁ ଶୁଣେଇଥିଲେ ନବଯୁୁଗର ମନ୍ତ୍ର । ତେଣୁ ୧୧ମାଘ ଦିନ ଏତେ ଆନନ୍ଦମୁଖର ସହ ମାଘ ଉତ୍ସବ ପାଳିତ ହୁଏ ।

ରବୀନ୍ଦ୍ରନାଥ ବାଲ୍ୟକାଳରୁ ହିଁ ଆଦି ବ୍ରାହ୍ମସମାଜ ଗୃହକୁ ଯାତାୟତ କରୁଥିଲେ। ମାତ୍ର ୧୧ ବର୍ଷ ବୟସରେ ସେ ୧୮୯୧-୯୨ରେ ଅନୁଷ୍ଠିତ ମାଘ ଉତ୍ସବରେ ବ୍ରାହ୍ମ ସଂଗୀତ ଗାଇଥିଲେ। କଲିକତାରେ ଥିଲାବେଳେ ବି ସେ ପିଲାମାନଙ୍କ ସହ ମିଶି ପ୍ରତି ୧୧ ମାଘ ଉତ୍ସବରେ ଗୀତ ଗାଉଥିଲେ । ରବୀନ୍ଦ୍ରନାଥ ୧୪ ବର୍ଷ ବୟସରେ ପ୍ରଥମ ଗୀତ ‘ ଗଗନର ତାଳେ ରବୀନ୍ଦ୍ର ଦୀପକ ଜ୍ୱଳେ ‘ ଲେଖିଥିଲେ । ଏହାର ସ୍ବର ମଧ୍ୟ ସେ ନିଜେ କରିଥିଲେ । ଏହି ଗୀତ ଦ୍ବାରା ପ୍ରଥମଥର ପାଇଁ ତାଙ୍କୁ ସାମାଜିକ ସ୍ଵୀକୃତି ମିଳିଥିଲା । ୫୧ତମ ସାମ୍ୱତ୍ସହିକ ବ୍ରାହ୍ମ ସମାଜର ଉତ୍ସବରେ (୧୨୮୯ ବଙ୍ଗାବ୍ଦ ୧୮୮୧ ସାଲ) କବିଙ୍କୁ ସଂଗୀତ ଦାୟିତ୍ଵ ନ୍ୟସ୍ତ କରାଯାଇଥିଲା । ଏ ଉତ୍ସବରେ ମୋଟ ୧୧ ଟି ବ୍ରାହ୍ମ ସଂଗୀତ ଗାନ କରାଯାଇଥିଲା ସେଥିରୁ ୯ ଟି ଗୀତ ଥିଲା ରବୀନ୍ଦ୍ରନାଥଙ୍କ ରଚନା । ବ୍ରାହ୍ମ ସମାଜର ୫୩ ତମ ସାମ୍ବତ୍ସରିକ ଉତ୍ସବ (୧୮୮୧) ଉପଲକ୍ଷେ କବି ଚାରିଟି ବ୍ରାହ୍ମ ସଂଗୀତ ରଚନା କରିଥିଲେ । ଏଥିରୁ ଦୁଇଟି ସକାଳ ଉପାସନାରେ ସମାଜ ମନ୍ଦିରରେ ଓ ଦୁଇଟି ସନ୍ଧ୍ୟାରେ ମହର୍ଷି ଭବନରେ ଗାନ କରାଯାଉଥିଲା।

୧୮୯୮ ମସିହାରେ ଶାନ୍ତି ନିକେତନରେ ପ୍ରତିଷ୍ଠିତ ବ୍ରହ୍ମ ଆଶ୍ରମ ୧୯୦୧ ମସିହାରେ ବ୍ରହ୍ମ ବିଦ୍ୟାଳୟରେ ପରିଣତ ହୋଇଥିଲା।
ବ୍ରାହ୍ମଧର୍ମକୁ ଆଧାର କରିଥିବା ଶାନ୍ତି ନିକେତନର ମୂଳମନ୍ତ୍ର ହେଉଛି ପ୍ରକୃତି ବନ୍ଦନା। ପ୍ରକୃତି ସହିତ ଜୀବନର ଅନ୍ତଃ ସମ୍ପର୍କ ସ୍ଥାପନା। ସେଥିପାଇଁ ଶାନ୍ତି ନିକେତନରେ ପ୍ରତିବର୍ଷ ପାଳିତ ହେଉଥିବା ବର୍ଷାବନ୍ଦନା, ବୃକ୍ଷବନ୍ଦନା, ପୌଷ ବନ୍ଦନା, ବସନ୍ତ ବନ୍ଦନା ଭଳି ମାଘୋତ୍ସବ ବି ପ୍ରକୃତି ବନ୍ଦନାର ଅନ୍ୟତମ ଉତ୍ସବ। ୧୯୦୧ ମସିହାରୁ ଏହା ଶାନ୍ତି ନିକେତନରେ ପାଳିତ ହେଉଥିବା ବେଳେ ୧୯୨୨ ମସିହାରୁ ପ୍ରତିଷ୍ଠା ପାଇଥିବା ଏହାର ଦ୍ବିତୀୟ କ୍ୟାମ୍ପସ ଶ୍ରୀନିକେତନରେ ପାଳିତ ହୋଇ ଆସୁଛି।

ପ୍ରତ୍ୟେକ ବର୍ଷ ମାଘମେଳାରେ ମାଘ ସଂଗୀତ ଗାନ କରାଯାଏ। ମଘୋତ୍ସବ ପାଇଁ ହିଁ ରବୀନ୍ଦ୍ରନାଥ ଏତେ ଗୁଡ଼ାଏ ବ୍ରାହ୍ମ ସଂଗୀତ ଲେଖି ପାରିଥିଲେ । ମାନବଚିିତ୍ତର ଜାଗରଣ ଓ ଉତ୍ତରଣ ହିଁ ଏହି ଉତ୍ସବର ମୂଳକଥା।

Rabindranath Thakur (7 May 1861– 7 August 1941)

About Dr. Sarat Kumar Jena

Dr. Sarat Kumar Jena is a writer, researcher and from Odisha. Currently he is working as a professor at Biswabharati University, Kolkata.

View all posts by Dr. Sarat Kumar Jena →

Leave a Reply

Your email address will not be published. Required fields are marked *