“କେଉଁ ଦେବତାର କ୍ଷଣିକ ଆଶିଷ, ଶୁଭ୍ର ପାଖୁଡା ଧରି, ସୁନ୍ଦର ଏହି ଶରତ ସକାଳେ, ଭୂତଳେ ପଡିଲୁ ଝରି!”…….ଶେଫାଳିକୁ ନେଇ ବିଦ୍ବୁତପ୍ରଭା ଦେବୀଙ୍କ ଏଇ ଚାରି ଧାଡି କାହାର ମନେ ନଥିବ ଯେ? ଆଜିର ଆଲୋଚନା ସେଇ ଧଳା ଟିକି ଟିକି ଫୁଲ ଶେଫାଳି ବା ପାରିଜାତ ବା ଗଙ୍ଗଶିଉଳିକୁ ନେଇ।
ଅନେକ ବର୍ଷ ତଳର କଥା। ପାରିଜାତ ବୋଲି ଜଣେ ଭାରି ସୁନ୍ଦରୀ, ନରମ ହୃଦୟର ରାଜକୁମାରୀ ଥିଲେ। ଥରେ ସେ ସୂର୍ଯ୍ୟ ଦେବଙ୍କୁ ପୂର୍ବ ଦିଗରୁ ପଶ୍ଚିମ ଦିଗକୁ ତାଙ୍କ ସାତଟି ଘୋଡା ଯଡିତ ରଥ ଚଳାଇ ଯିବାର ଦେଖି ତାଙ୍କ ପ୍ରେମରେ ପଡିଗଲେ। ଯିଏ ଯେତେ ବୁଝେଇଲେ ଯେ ଜଣେ ମାନବ ପକ୍ଷରେ ସୂର୍ଯ୍ୟ ଦେବଙ୍କ କିରଣକୁ ସହ୍ୟ କରିବା ଅସମ୍ଭବ ହେବ, ପାରିଜାତ ବୁଝିବାକୁ ନାରାଜ। ଶେଷରେ ପାରିଜାତଙ୍କ ପ୍ରେମ ଓ ନିଷ୍ଠା ଦେଖି ସୂର୍ଯ୍ୟ ଦେବବି ରାଜକୁମାରୀ ପାରିଜାତଙ୍କ ପ୍ରେମକୁ ସ୍ବୀକାର ନକରି ରହି ପାରିଲେ ନାହିଁ। ସୂର୍ଯ୍ୟ ଦେବଙ୍କୁ ପୃଥିବୀ ପୃଷ୍ଠରେ ଅବତରଣ କରିବାକୁ ପଡିଲା। ଉଭୟଙ୍କ ଦିନ ଗୁଡିକ ପ୍ରେମ ଆଉ ପରସ୍ପରର ସାନିଧ୍ୟରେ କଟିବାକୁ ଲାଗିଲା। ୟା ଭିତରେ ଗ୍ରୀଷ୍ମ ଋତୁ ପାଖେଇ ଆସିଲା। ଗ୍ରୀଷ୍ମ ଋତୁ ଯେତେ ପାଖେଇ ଆସୁଥାଏ ସୂର୍ଯ୍ୟଙ୍କ କିରଣ ସେତେ ପ୍ରଖର ହେଉଥାଏ, ତାତି ବଢୁଥାଏ। ପୃଥିବୀ ବାସୀଙ୍କ ପାଇଁ ଧିରେ ଧିରେ ଉତ୍ତାପ ଅସହ୍ୟ ହେବାକୁ ଲାଗିଲା। ରାଜକୁମାରୀ ପାରିଜାତବି ଝାଉଁଳିବାକୁ ଲାଗିଲେ। ଶେଷରେ ସୂର୍ଯ୍ୟ ଦେବ ପୃଥିବୀ ବାସୀ ଓ ପାରିଜାତଙ୍କ ଜୀବନ ରକ୍ଷା କରିବା ପାଇଁ ସ୍ବର୍ଗଲୋକକୁ ଫେରିଯିବା ପାଇଁ ମନସ୍ତ କଲେ। ସୂର୍ଯ୍ୟ ଦେବ ଓ ଅନ୍ୟ ମାନେ ଯେତେ ବାରଣ କଲେବି ପାରିଜାତ, ସୂର୍ଯ୍ୟ ଦେବଙ୍କ ପଛେ ପଛେ ଚାଲିଥାନ୍ତି। ସମୟ ସହ ସୂର୍ଯ୍ୟଙ୍କ ତାପ ଆହୁରି ବଢୁଥାଏ। ଶେଷରେ ସୂର୍ଯ୍ୟଙ୍କ ତାପ ସହି ନପାରି ରାଜକୁମାରୀ ପାରିଜାତ ଭଷ୍ମ ହୋଇଗଲେ। ଏହା ଦେଖି ସୂର୍ଯ୍ୟଦେବ, ଦେବତା ମାନଙ୍କ ପାଖରେ ପାରିଜାତକୁ ଆଉଥରେ ଜୀବିତ କରିବା ପାଇଁ ପ୍ରାର୍ଥନା କଲେ। ସୂର୍ଯ୍ୟଦେବଙ୍କ ପ୍ରେମ ଓ ବ୍ୟାକୁଳତା ଦେଖି ଦେବତା ମାନେ ପାରିଜାତକୁ ଆଉ ଗୋଟିଏ ଜନ୍ମ ଦେଲେ। ସେ ଟିକି ଟିକି ଧଳା ଫରଫର ପାଖୁଡା ସାଙ୍ଗକୁ ଛୋଟିଆ ଗାଢ ଚିକଚିକିଆ ନାରଙ୍ଗୀ ରଙ୍ଗର ଡେମ୍ଫ ଥିବା ଫୁଲ ଭାବରେ ପୂର୍ନଜନ୍ମ ନେଲେ। ଖାଲି ରୂପେରେ ସୁନ୍ଦର ନୁହେଁ, ସେଇ ଫୁଲର ବାସ୍ନା ବି ଖୁବ୍ ମଧୁର ଏବଂ ସମ୍ମୋହିତ କଲାପରି। କିନ୍ତୁ ଏଇ ଜନ୍ମରେ ବି ପାରିଜାତ ଫୁଲ ସୂର୍ଯ୍ୟ କିରଣକୁ ସହ୍ୟ କରିବାରେ ଅକ୍ଷମ ରହିଗଲେ। ସେଇଥି ପାଇଁ ସେ ରାତିରେ ଫୁଟି, ସକାଳ ପ୍ରଥମ ସୂର୍ଯ୍ୟ କିରଣ ପଡିଲା ବେଳକୁ ଝଡି ପଡନ୍ତି।
ପୁରାଣ ଅନୁସାରେ ସମୁଦ୍ର-ମନ୍ଥନ ସମୟରେ ପ୍ରକଟ ହୋଇଥିବା ପାଞ୍ଚଟି ଗଛ ମଧ୍ୟରୁ ଗୋଟିଏ ହେଉଛି ପାରିଜାତ। ପାରିଜାତକୁ ନେଇ ମହାଭାରତରେ ମଧ୍ୟ ଗୋଟିଏ କାହାଣୀ ଅଛି। ପାରିଜାତ ଗଛକୁ ଦେବରାଜ ଇନ୍ଦ୍ରଙ୍କ ରାଜଧାନୀ ଅମରାବତୀରୁ ନିଜ ରାଜ୍ୟ ଦ୍ବାରିକାକୁ ଆଣିବା ପାଇଁ କୃଷ୍ଣ, ଦେବରାଜ ଇନ୍ଦ୍ରଙ୍କ ସହ ଯୁଦ୍ଧ କରିଥିଲେ। ଯେତେବେଳେ କୃଷ୍ଣ ପାରିଜାତ ଗଛ ନେଇ ଦ୍ବାରିକାରେ ପହଞ୍ଚିଲେ, ସେତେବେଳେ ସତ୍ୟଭାମା ଜିଦ୍ଦି ଧରି ବସିଲେ ଯେ ଏଇ ସୁନ୍ଦର ଗଛଟି ତାଙ୍କରି ଅଗଣାରେ ହିଁ ଲଗାଯିବ। କୃଷ୍ଣ ଶେଷରେ ଜିଦ ମାନି, ଗଛଟିକୁ ସତ୍ୟଭାମାଙ୍କ ଅଗଣାରେ ଲଗାଇଲେ। ହେଲେ ଯେତେବେଳେ ଫୁଲ ଫୁଟିଲା, ସେତେବେଳେ ସବୁଦିନ ସକାଳୁ ଫୁଲ ସବୁ ରୁକ୍ମିଣୀଙ୍କ ଅଗଣାରେହିଁ ଝରୁଥିଲା। ଆହୁରି ମଧ୍ୟ ପୌରାଣିକ ମାନ୍ୟତା ଅନୁସାରେ କୁନ୍ତିଙ୍କ ପାଉଁଶରୁ ପାରିଜାତ ଉତ୍ପନ୍ନ ବୋଲି ଅନେକ କହିଥାନ୍ତି।
ଶେଫାଳି ବା ପାରିଜାତ ଫୁଲକୁ ଗଙ୍ଗଶିଉଳି ମଧ୍ୟ କୁହାଯାଏ। ଇ°ରାଜୀରେ ଏହାକୁ Night Jasmine ଓ Coral Jasmine। ଏହି Jasmin ନାଁ ପର୍ସିଆନ୍ ଶବ୍ଦ Yasminରୁ ସୃଷ୍ଟି, ଯାହାର ଅର୍ଥ “ସୁଗନ୍ଧିତ ଫୁଲ”। ପର୍ସିଆନ୍ ପରମ୍ପରାରେ ଏହାକୁ “gift of God” ବା “ଭଗବାନଙ୍କ ଆର୍ଶୀବାଦ” ଭାବରେ ଗ୍ରହଣ କରାଯାଏ। ହିନ୍ଦୀରେ ହରଶିଙ୍ଗାର (ଭଗବାନଙ୍କ ଇହଣା), ବଙ୍ଗଳାରେ ଶେଫାଳି, ଗୁଜରାଟୀ ଏବଂ ମରାଠୀରେ ପାରିଜାତକ, କନ୍ନଡରେ ପାରିଜାତ, ମଲାୟଲମରେ ପାଭିଲାମଲ୍ଲୀ ଏବଂ ଉର୍ଦ୍ଦୁରେ ଗୁଲ୍-ଜାଫରୀ କୁହାଯାଏ। ଏହାର Botanical name Nyctanthes abortristis ଅଟେ, ଯାହା ଲାଟିନ୍ ଭାଷାରୁ ଆସିଛି। Latin ଭାଷାରେ Nyct ଅର୍ଥାତ Night (ରାତି), Anthus ଅର୍ଥ flowering (ଫୁଲ ଫୁଟିବା), Arbor ଅର୍ଥାତ tree (ଗଛ) ଏବଂ Tristis ଅର୍ଥ weeping (flowers dropping like tears ଅର୍ଥାତ ଲୁହ ଠୋପା ପରି ଝରି ପଡୁଥିବା ଫୁଲ)। ସାଧାରଣତଃ ଏହି ଗଛ ୧୦ -୧୨ ଫୁଟ ଯାଏଁ ବଢିଥାଏ। ଉତ୍ତରପ୍ରଦେଶର ବାରାବାଙ୍କୀ ଜିଲ୍ଲାର ବୋରୋଲିୟା ଗ୍ରାମରେ ଥିବା ୪୫ ଫୁଟ ଲମ୍ବା ଏବଂ ୫୦ ଫୁଟ ଚଉଡା ଗଙ୍ଗଶିଉଳି ଗଛ, ଭାରତରେ ବୃହତ୍ତମ ଅଟେ।
ଭାରତୀୟ ପାରମ୍ପାରିକ ଚିକିତ୍ସା, ଆୟୁର୍ବେଦି ଅନୁସାରେ ଗଙ୍ଗଶିଉଳି ଗଛର ପତ୍ର, ଫୁଲ, ମଞ୍ଜି ଏବଂ ଛାଲି ଔଷଧୀୟ ଗୁଣ ଯୁକ୍ତ ଅଟନ୍ତି। ଗଛର ବିଭିନ୍ନ ଅ°ଶକୁ ଆୟୁର୍ବେଦ ଅନୁସାରେ ଆଣ୍ଠୁଗଣ୍ଠି ବାତ, ପାଳି ଜ୍ବର, ଯକୃତ (liver) ସମସ୍ୟା, କୃମିଦୋଷ, ଚନ୍ଦାପଣ, ପରିଶ୍ରାପୋଡା, ଶ୍ବାସରୋଗ, କାଶ-କଫ ପାଇଁ ବ୍ୟବହାର କରାଯାଏ। ଡେଙ୍ଗି ଜ୍ବର ସମୟରେ ଏହିଗଛର ପତ୍ରର ରସ ବେସ୍ ଉପକରୀ ହୋଇଥାଏ। ହୋମିଓପ୍ୟାଥିକ ଚିକିତ୍ସା ବିଜ୍ଞାନରେ ଗଙ୍ଗଶିଉଳିରୁ ପ୍ରସ୍ତୁତ ଔଷଧ Nyctanthes abortristis ପେଟରୋଗ, ମୁଣ୍ଡବିନ୍ଧା, ପାଳିଜ୍ବର, ଆଣ୍ଠୁଗଣ୍ଠି ପିଡା, ସ୍ନାୟୁ ରୋଗ ପାଇଁ ବ୍ୟବହାର କରାଯାଏ। ଗଙ୍ଗଶିଉଳି ଫୁଲର ନାରଙ୍ଗୀ ରଙ୍ଗର ନାଡକୁ ଶୁଖାଇ ପ୍ରକୃତିକ ଖାଦ୍ୟ ରଙ୍ଗ ତଥା ପାଟ, ଟସର ଏବଂ କପଡା ରଙ୍ଗ କରିବା ପାଇଁ ବ୍ୟବହାର କରାଯାଏ। ଫୁଲର ଅର୍କକୁ ପରଫ୍ୟୁମ ବନାଇବା ପାଇଁ ବ୍ୟବହାର କରାଯାଏ। ଭଗବାନ ବିଷ୍ଣୁ ଏବଂ ମା’ ଲକ୍ଷ୍ମୀଙ୍କ ପ୍ରିୟ ଫୁଲ ମଧ୍ୟରୁ ଗୋଟିଏ ହେଉଛି ଏହି ଗଙ୍ଗଶିଉଳି ଫୁଲ।
ଫ୍ଲାଓ୍ବର ସିମ୍ବଲିଜମ୍ ଅନୁସାରେ ଗଙ୍ଗଶିଉଳି ଫୁଲ ପ୍ରେମର ପ୍ରତୀକ ଅଟେ। ରାତିରେ ସ୍ବଳ୍ପ ସମୟ ପାଇଁ ଫୁଟି ସକାଳୁ ଝଡି ପଡିଲେ ବି ଗଙ୍ଗଶିଉଳି ତାର ରୂପ ଓ ସୁଗନ୍ଧ ପାଇଁ ତଥାପି ଆଦୃତ, ସେମିତି ଜୀବନରେ ପ୍ରତ୍ୟେକ ସମ୍ପର୍କ ମୂଲ୍ୟବାନ। ଅତି କମ୍ ସମୟ ପାଇଁ ଆମ ପାଖରେ ରହି ଦୂରେଇ ଗଲେ ମଧ୍ୟ ତା’ର ନିଜର ମହତ୍ତ୍ଵ ରହିଥାଏ। ବିଭିନ୍ନ ପାରମ୍ପରିକ ଚିକିତ୍ସା ପଦ୍ଧତିରେ ଏଥିରୁ ପ୍ରସ୍ତୁତ ତୈଳ ଇନ୍ଫେକ୍ସନକୁ ଦୂର କରିବା ଏବଂ ଏହି ଫୁଲର ବାସ୍ନା ଘରର ପରିବେଶକୁ ଶୁଦ୍ଧ ଓ ମୁଗ୍ଧକର ବନାଏ, ସେଥିପାଇଁ ଗଙ୍ଗଶିଉଳିକୁ ପବିତ୍ରତାର ପ୍ରତୀକ ଧରାଯାଏ। ଗଙ୍ଗଶିଉଳିକୁ ନାରୀ ଶକ୍ତିର ପ୍ରତୀକ ମଧ୍ୟ କୁହାଯାଏ। ଅନେକ ପାରମ୍ପରିକ ଚିକିତ୍ସାରେ ଏହାକୁ ବିଭିନ୍ନ ସ୍ତ୍ରୀ-ରୋଗ/ ସତସ୍ୟା ତଥା ବନ୍ଧ୍ୟାତ୍ତ୍ବ ଦୂର କରିବା ପାଇଁ ବ୍ୟବହାର କରାଯାଏ। ହିନ୍ଦୁ ଧର୍ମରେ ଲକ୍ଷ୍ମୀ ଏବଂ ଦୁର୍ଗା, ବୌଦ୍ଧ ଧର୍ମରେ ଦେବୀ ତାରା ଏବଂ ଖ୍ରୀଷ୍ଟିୟାନ ଧର୍ମରେ ମଦର ମେରୀଙ୍କ ପାଇଁ ଏହି ଫୁଲ ବ୍ୟବହାର କରାଯାଏ। ସେହିପରି ଇସ୍ଲାମ୍ ମାନ୍ୟତା ଅନୁସାରେ ଗଙ୍ଗଶିଉଳି health & healing ର ପ୍ରତୀକ ଅଟେ। ଏହାର ଆଉ ଗୋଟିଏ ଅର୍ଥ ଆତିଥ୍ୟପରାୟଣ ମଧ୍ୟ। ସେଇଥିପାଇଁ ହଓ୍ବାଇ ରେ ଏହି ଫୁଲ ତଥା ଏଥିରୁ ପ୍ରସ୍ତୁତ ଚା’ ଦେଇ ଅତିଥି ସ୍ବାଗତ କରିବାର ପରମ୍ପରା ରହିଛି।
ସାଧାରଣତଃ ଏହି ଫୁଲ ରାତିରେ ଫୁଟି ସକାଳୁ ଝଡି ପଡୁଥିବାରୁ (ସେଥିପାଇଁ ଏହାକୁ Tree of Sorrow ମଧ୍ୟ କୁହନ୍ତି) ଏହି ଫୁଲକୁ କାହାକୁ ଉପହାର ଆକାରରେ ଦେଇ ହୁଏ ନାହିଁ। ଡେମ୍ଫରେ ଲାଗିଥିବା ଗଙ୍ଗଶିଉଳି ଖୁବ୍ କମ୍ ଦେଖାଯାଏ। ଏହି ଡେମ୍ଫଲଗା ଗଙ୍ଗଶିଉଳି କାହାକୁ ଉପହାର କରିବାର ଅର୍ଥ ସେହି ବ୍ୟକ୍ତି ଓ ସମ୍ପର୍କ ଆପଣଙ୍କ ପାଇଁ ଖୁବ୍ ମହତ୍ତ୍ୱପୂର୍ଣ୍ଣ ବୋଲି ସୂଚାଏ। ନିଜ ପ୍ରେମିକାକୁ ଗଙ୍ଗଶିଉଳି ଫୁଲର ଗଜରା ଦେବାର ଅର୍ଥ ପ୍ରଗାଢ ପ୍ରେମ ଓ ସମର୍ପଣର ପ୍ରତୀକ ମନାଯାଏ।
ବାଡି-ବଗିଚାରେ ଗଙ୍ଗଶିଉଳି ଗଛ ଲଗାଇବା ଦ୍ବାରା ଘରେ ସୁଖ, ସମୃଦ୍ଧି ବଢିଥାଏ, ତେଣୁ ଏହାକୁ Good Luck plant ବୋଲି ଗଣନା କରାଯାଏ। ସେମିତି ଅତ୍ୟଧିକ ଚିନ୍ତା, ମାନସିକ ଅଶାନ୍ତି ଆଦି ଲାଗିରହୁଥିଲେ ଗଙ୍ଗଶିଉଳି ଗଛ ମନକୁ ଶାନ୍ତ କରି, ମାନସିକ ଭାବରେ ସୁସ୍ଥ ରହିବାରେ ସାହାଯ୍ୟ କରେ। ଏହି ଗଛ ସୌଭାଗ୍ୟ ଓ ସମୃଦ୍ଧିକୁ ଆକର୍ଷିତ କରେ ବୋଲି, ବାସ୍ତୁ ଦୃଷ୍ଟିରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ତ୍ରିପୁରାର ଆଦିବାସୀ ବହୁଳ ଅଞ୍ଚଳରେ ପାଗ ଓ ବର୍ଷାର ଆକଳନ ଦୃଷ୍ଟିରୁ ଗଙ୍ଗଶିଉଳି ଗଛ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ।