ଫ୍ରାନଜ କାଫକାକଂ ଦୁଇଟି କ୍ଷୁଦ୍ର ଗପ


ମୂଳ ରଚନା – ଫ୍ରାଞ୍ଜ କାଫକା II ଓଡ଼ିଆ ଭାଷାନ୍ତର – ଶୈଳେନ୍ଦ୍ର ପଟ୍ଟନାୟକ

(1)

ମହାମହିମ ସମ୍ରାଟକଂ ଠାରୁ ବାର୍ତ୍ତା


ମହାମହିମ ସମ୍ରାଟ ତାଙ୍କର ଏକ ନିର୍ଦ୍ଧିଷ୍ଟ ବାର୍ତ୍ତା, ଏ ଭଳି ହୋଇପାରେ କାହାଣୀର ଚଳଣି ପ୍ରକାରେ, କରିଥାନ୍ତି ପ୍ରେରଣ ଖାସ ତୁମ ଉଦ୍ଦେଶ୍ୟରେ | ତୁମେ, ସମ୍ରାଟକଂ ଅଧୀନସ୍ଥ ସମସ୍ତ ବାସିନ୍ଦାକଂ ମଧ୍ୟରେ ହୁଏତ ସର୍ବ ନିକୃଷ୍ଟ; ତୁମେ, ସାମ୍ରାଜ୍ୟର ସୂର୍ଯ୍ୟତୁଲ୍ୟ ଆଲୋକର ବିକିରଣ ସମ୍ମୁଖରେ ନିଷ୍ପ୍ରଭ ନିଶ୍ଚିହ୍ନ ହୋଇ ହୋଇ ଯାଉଥିବା ଛାଇମାନଙ୍କ ମଧ୍ୟରେ ସବୁଠାରୁ ଦୁରନ୍ତ କ୍ଷୁଦ୍ରାତିକ୍ଷୁଦ୍ର ବିନ୍ଦୁଟିଏ, ତୁମ ଲାଗି, ଖାସ ତୁମ ଲାଗି ମୃତ୍ୟୁ ଶଯ୍ୟାରେ ଶାୟିତ ମହାମହିମ ସମ୍ରାଟକଂ ଠାରୁ ବାର୍ତ୍ତା ! ଖୋଦ ସମ୍ରାଟ ଦୂତକୁ ତାଙ୍କ ଶଯ୍ୟାର ଗୋଟିଏ ପାଖରେ ଆଣ୍ଠେଇବା ଲାଗି ଇଙ୍ଗିତ ଦେଇ ତା କାନରେ ଶୁଣେଇଥିଲେ ତାଙ୍କ ବାର୍ତ୍ତା ଅତୀବ କ୍ଷୀଣ କିନ୍ତୁ ନିଶ୍ଚିତ ସ୍ୱରରେ | କେବଳ ସେତିକି ନୁହଁ ବାର୍ତ୍ତାଟିର ଗୁରୁତ୍ୱ ଅନୁଭବ କରି ଦୂତକୁ ସେ ଇଙ୍ଗିତ କରିଥିଲେ ସେ ଯାହା ଶୁଣିଲା ତାଙ୍କ କାନପାଖେ ଦୋହରେଇବା ସକାଶେ ଏବଂ ତାହାର ସଠିକତାରେ ସୁନିଶ୍ଚିତ ହେବାପରେ ଯାଇ ମୁଣ୍ଡହଲେଇ ଯିବାପାଇଁ ସେ ଆଜ୍ଞା ଦେଇଥିଲେ |


ଏହା ପରେ, ସମ୍ରାଟକଂ ଅନ୍ତିମ ଦର୍ଶନ ଲାଗି ସାମ୍ରାଜ୍ୟର ସବୁ ଅନୁଚର ଓ ସମ୍ରାଟକଂ ସମସ୍ତ ପରିଜନ ବର୍ଗ ରୁଣ୍ଡ ହେବା ପୂର୍ବରୁ ସମ୍ରାଟକୁଂ ଆଡୁଖାରେ ରଖୁଥିବା ପ୍ରତ୍ୟେକଟି କାନ୍ଥ ଭାଙ୍ଗି ଦିଆଯାଏ ଏବଂ ପ୍ରାସାଦକୁ ଘେରି ସୁଉଚ୍ଚ ପ୍ରଶସ୍ଥ ବାହ୍ୟ ପାହାଚ ସୋପାନ ଉପରେ ଘେରି ଛିଡା ରହିଥିଲେ ସାମ୍ରାଜ୍ୟର ସର୍ବୋଚ୍ଚ ଉପାଧୀଧାରୀ ସଂଭ୍ରାତଗଣ ତଥା ସେମାନଙ୍କ ସମ୍ମୁଖରେ ହିଁ ମହାମହିମ ସମ୍ରାଟ ସେହି ବାର୍ତ୍ତାବାହକକୁ କରିଥିଲେ ତା କାର୍ଯ୍ୟ ଲାଗି ସମ୍ପୂର୍ଣ କ୍ଷମତା-ସମ୍ପନ୍ନ | ଅତ୍ୟନ୍ତ ବଳବାନ ଓ ଅବିରତ ଅକ୍ଲାନ୍ତିର ଅଧିକାରୀ ସେ ବାର୍ତ୍ତାବାହକ ତତକ୍ଷଣାତ ଉଦ୍ୟତ ତା ଗନ୍ତବ୍ୟରେ ପହଞ୍ଚିବା ଲାଗି | ସାମ୍ନାର ଜନାରଣ୍ୟକୁ ଦୁଇ ହାତରେ ଆଡେଇ ସେ ଆଗକୁ ଆଗକୁ ଧସେଇ ଚାଲିଥାଏ ଓ ଯେଉଁଠି ପ୍ରତିବନ୍ଧକ ଦେଖେ ତା ଛାତିରେ ଝଲସୁଥିବା ସୂର୍ଯ୍ୟ ଚିହ୍ନ ପ୍ରତି ଇଙ୍ଗିତରେ ଦୃଷ୍ଟି ଆକର୍ଷଣ କରିବା କ୍ଷଣି ସବୁ ପ୍ରତିବନ୍ଧକ ତତକ୍ଷଣାତ ସାମ୍ନାରୁ ହଟିଯାଏ | କିନ୍ତୁ ଦେଖେଣାହାରୀକଂ ସଂଖ୍ୟା ଏତେ ଅଧିକ ଯେ କୌଣସି ଠାରେ ବି ଖାଲି ସ୍ଥାନଟିଏ ସମ୍ଭବ ନଥାଏ |
ଯଦି ବି ଏଭଳି ହୁଅନ୍ତା – ତା ସାମ୍ନାରେ କେବଳ ଉନ୍ମୁକ୍ତ କ୍ଷେତର ବିସ୍ତୃତି, ସେ କିଭଳି ଦ୍ରୁତ ଗତିରେ ଦୌଡ଼ନ୍ତା ସତରେ ଏବଂ ଖୁବ ଶୀଘ୍ର ତୁମେ ଶୁଣି ପାରନ୍ତ ସୂର୍ଯ୍ୟ ଚିନ୍ହିତ ତା ହାତର ମୁଦ୍ରିକା ଠକ ଠକ ଶବ୍ଦ କରି ତୁମର ଦ୍ୱାରରେ ତୁମକୁ ଡାକୁଥିବା | କିନ୍ତୁ ସେଭଳି ହୁଏନା, ତାର ସବୁ ଚେଷ୍ଟା ପ୍ରକୃତରେ ଅର୍ଥହୀନ ଭାବେ ଏତେ ସବୁ ପରେ ମଧ୍ୟ ଉଆସର ଅନ୍ତଃପୁରୀରେ ହିଁ ଜମିଥିବା ଭିଡ ମଧ୍ୟେ ଠେଲି ପେଲି ବାହାରକୁ ଖୋଜୁଥାଏ ବାଟ; ବୋଧହୁଏ ତା’ ମଧ୍ୟରୁ ହିଁ ସେ କେବେ ହୋଇପାରିବନି ମୁକ୍ତ | ଯଦି ବି ସେ କେବେ ସେ ମଧ୍ୟରୁ ବାହାରକୁ ନିର୍ଗତ ହୋଇଯାଇପାରେ ତଥାପି ବି ଖୋଲା ମେଲା ବାଟ ତା’ ଲାଗି ହେବନି ସମ୍ଭବ; ତଥାପି ବି ଜନାରଣ୍ୟ ପ୍ରାସାଦକୁ ଘେରି ପ୍ରଥମ ହତା ମଧ୍ୟରେ ଅଗଣିତ ମଣିଷଙ୍କ ଭିଡ, ସେ ହତାକୁ ଘେରି ଦ୍ଵିତୀୟ ହତାର ଜନାର୍ଣ୍ଣବ ଘେର ଏବଂ ତାପରେ ପୁଣି ଏକ ଚକ୍ରାକାର ପାହାଚ ସୋପାନ, ଭିତର ଅଗଣା ଓ ପୁଣି ଅନ୍ୟ ଏକ ଉଆସର ଅନ୍ତଃପୁରୀ ….. ଏବଂ ଯଦି ବି ସେ କେବେ ସର୍ବଶେଷ ଉଆସର ଶେଷ ଦ୍ୱାର ଦେଇ ନିଜକୁ ଉତକ୍ଷିପ୍ତ କରିବାରେ ସକ୍ଷମ ହୁଏ; ସେଥି ମଧ୍ୟେ ହଜାରେ ବର୍ଷରୁ ଅଧିକ ବିତିସାରିଥିବ – କିନ୍ତୁ ସେଭଳି ଘଟିବା ମଧ୍ୟ ସମ୍ଭବ ହୁଏନା, କାହିଁକି ନା ତା’ ସାମ୍ନାରେ ପାର କରିବାକୁ ଥିବ ସମଗ୍ର ରାଜଧାନୀ-ନଗ୍ର, ଯାହା ପୃଥିବୀର ମଧ୍ୟ-ବିନ୍ଦୁ ଭାବରେ ଚିନ୍ହିତ ତଥା ଅଗଣିତ ମଣିଷଙ୍କ ଦ୍ୱାରା ସବୁବେଳେ ଭରପୁର | ସେ ରାଜଧାନୀ ନଗରୀ ଭିଡକୁ ଆଡେଇ ତଡ଼େଇ କେହି କେବେ ବାହାରକୁ ଯାଇଥିବା କେବେ କାହା ଜଣାଶୁଣାରେ ନଥିବ, ପୁଣି ଏହି ଅଜଣା ଅଚିନ୍ହା ନଗଣ୍ୟ ଦୂତ କେହି ଜଣେ କେବେଠାରୁ ମୃତ-ବ୍ୟକ୍ତିର ବାର୍ତ୍ତାବାହାକ …….
କିନ୍ତୁ ତୁମେ ତୁମ ଘର ଝରକା ସାମ୍ନାରେ ବସି ଅପେକ୍ଷାରେ ଥିବ, ଏତେ ସବୁ ଘଟୁଥିବା ସତରେ ସତରେ, ତୁମ ସ୍ୱପ୍ନରେ ମଧ୍ୟ…..ଏବଂ ସେତେବେଳେ ସନ୍ଧ୍ୟାକାଳୀନ ଛାଇ ନଇଁ ନଇଁ ଗାଢ଼ ହୋଇ ହୋଇ ଆସୁଥିବ…..

(2)

ଘରକୁ ଫେରୁଥିବାବେଳେ


ଦେଖ, ଅଝଟ ପବନ କିପରି ପିଛା ଛାଡ଼େନାହିଁ, ସେଇ ଝଡ-ବତାସର ପରେ | ମୋ ସର୍ଜନାତ୍ମକତା ଉନ୍ମୀଳିତ ହୋଇ ହୋଇ ଚାଲେ ଓ ମତେ ସମ୍ପୂର୍ଣ ଆଚ୍ଛାଦିତ କରିନିଏ | “ତୁମର ଅନୁପ୍ରବେଶ ମୁଁ ମାନିନିଏ |” କୌଣସି ବିରୋଧାଭାସ ମୋ ଲାଗି ସମ୍ଭବ ନଥାଏ |
ଲମ୍ବା ଲମ୍ବା ପାହୁଣ୍ଡରେ ମୁଁ ଚାଲିଥାଏ ଏବଂ ମୋ ଗତି ସହ ଏକାକାର ମୋ ଦୁଇ ପାଖ ସାହୀ, ଲମ୍ବିଯାଇଥିବା ରାସ୍ତା, ଏପରି କି ସମଗ୍ର ଇଲାକା | ମୁଁ ଉତ୍ତରଦାୟୀ,ପ୍ରକୃତରେ ଉତ୍ତରଦାୟୀ – ପ୍ରତ୍ୟେକ ଘର ଦରଜାରେ ଡାକୁଥିବା ଠକ ଠକ ଶବ୍ଦ ଲାଗି, ପ୍ରତ୍ୟେକଟି ଟେବୁଲ ଉପରେ ପ୍ରତିଟି ହାତକଂର ବିଶ୍ରାମ ନେବାର ଭଙ୍ଗୀ ଲାଗି, ପ୍ରତ୍ୟେକଟି ପାନ-ପାତ୍ରରୁ ପ୍ରତ୍ୟେକଟି ଆମୋଦିତ ଢ଼ୋକ ଲାଗି, ପ୍ରେମିକ ପ୍ରେମିକା ମାନେ ସେମାନଙ୍କ ଶେଯରେ କିମ୍ବା ଗଢ଼ା ହେଉଥିବା ଘରମାନଙ୍କୁ ଆଢୁଆଳରେ ରଖିଥିବା ପରଦା ସେପାଖେ, ହୋଇପାରେ ଅନ୍ଧାରୁଆ ଗଳି ମାନଙ୍କରେ ଘର କାନ୍ଥକୁଂ ଲାଗି ପରସ୍ପର ସହ ସଟେଇ ହୋଇ ରହିଥିବା ସେମାନଙ୍କ ଶରୀର, ହୋଇପାରେ ମଧ୍ୟ କୌଣସି ଗଣିକା ଗୃହରେ ଅଣଓସାରିଆ ଚାରପାଈ ……ସବୁକିଛି ପାଇଁ ମୁଁ ଅବଶ୍ୟ ଉତ୍ତରଦାୟୀ |
ମୁଁ ମୋର ବିଗତକୁ ମୋ ଭବିଷ୍ୟତ ସହ ତୁଳନା କରେ, କିନ୍ତୁ ଉଭୟକୁଂ ସମାନ ଭାବେ ପ୍ରଶଂସନୀୟ ହିଁ ପାଏ | ତେଣୁ କୌଣସି ଗୋଟିଏକୁ ଅନ୍ୟ ଠାରୁ ଅଧିକ କରି ବାଛିପାରେନାହିଁ | କାହାପ୍ରତି ମୋର କୌଣସି ଅଭିଯୋଗ ବି ନଥାଏ | କେବଳ କହିପାରେ ଯେ ବିଧାତା ପ୍ରଦତ୍ତ ଦୁର୍ଭାଗ୍ୟ ମୋ ପ୍ରତି ସବୁବେଳେ ଦ୍ଵିଧାହୀନ ଭାବେ ସବୁବେଳେ ବଦାନ୍ୟ ହୋଇ ଚାଲିଥାଏ |
ଘର ଭିତରକୁ ପ୍ରବେଶ କରିବା ସାଥେ ସାଥେ ମୋ ମାନସ ଏକ ଗଭୀର ଚିନ୍ତାର ସ୍ତରକୁ ଚାଲିଯାଉଥିବା ମୁଁ ଅନୁଭବ କରେ, ଯଦିଚ ବା ଫେରିବା ବାଟରେ ମୋ ସାମ୍ନାକୁ ସେଭଳି କିଛି ବି ଆସିନଥାଏ ଯାହା ମତେ ଚିନ୍ତାର ଗଭୀରତାକୁ ଯିବା ଲାଗି ପ୍ରେରିତ କରିପାରେ | ମୋ କୋଠରୀର ଝରକା ମୁଁ ଯଦି ଖୋଲିଦିଏ, ଘର ବାହାରେ ବଗିଚାରେ ଏବେ ବି ଚାଲିଥିବା ସଂଗୀତ ଆସର ମୁଁ ଶୁଣିପାରେ, କିନ୍ତୁ ମୁଁ ଜାଣିଥାଏ ଯେ ମୋ ମନର କୌଣସି ସୁରୁଖୁରୁ ପରିବର୍ତ୍ତନ ଲାଗି କିଛି ଅବକାଶ ସମ୍ଭବ ନଥାଏ |