ସୃଷ୍ଟି ଓ ସମୟର ଆରମ୍ଭର ଉପାଦାନ: ପଦ୍ମଫୁଲ

ଏ ହେଉଚି ସୃଷ୍ଟି ଆରମ୍ଭ ପୂର୍ବ ସମୟର କଥା। ପ୍ରବାହମାନ ଥାଏ ଖାଲି କଳା-ଘୁମର ଜଳର ସ୍ରୋତଟେ। ତା’ରି ଭିତରେ ବାସୁକୀ କୋଳରେ ଭଗବାନ ବିଷ୍ଣୁ ଅନନ୍ତ ଶୟନରେ ଥା’ନ୍ତି। ହଠାତ୍ ତାଙ୍କ ନାଭିରୁ କମ୍ପନ କରି ସୃଷ୍ଟି ହୁଏ ‘ॐକାର ଧ୍ବନୀ’। ଆଉ ସେଉଠୁ ଭଗବାନ ବିଷ୍ଣୁଙ୍କ ନାଭିରୁ ଉତ୍ପନ୍ନ ହୁଏ ଗୋଟିଏ ପଦ୍ମ ଫୁଲ। ସେଇ ପଦ୍ମ ପାଖୁଡା ମେଲି ହେଲା ପରେ ତା’ ଭିତରେ ବସି ଥା’ନ୍ତି ବ୍ରହ୍ମା। ତା’ପରେ ବ୍ରହ୍ମା, ବିଷ୍ଣୁଙ୍କ ଆଦେଶରେ ରଚନା କରନ୍ତି ସୃଷ୍ଟି। ପ୍ରଥମେ ସେ ସୃଷ୍ଟି କରନ୍ତି ତିନିଲୋକ। ଯେତେବେଳେ ନିଜ ଏକ୍ଲାପଣରେ ବିରକ୍ତ ହୋଇପଡନ୍ତାନି ପଦ୍ମକୁ ଦୁଗ ଭାଗକରି ସୃଷ୍ଟି କରନ୍ତି ନାରୀ ଓ ପୁରୁଷ। ଏ ହେଉଛି ହିନ୍ଦୁ ମାନ୍ୟତା ଅନୁସାରେ ପଦୁଫୁଲର ଜନ୍ମ ବୃତ୍ତାନ୍ତ। ଗ୍ରୀକ୍ ପୁରାଣରେ ମଧ୍ୟ ପଦ୍ମଫୁଲର ଉତ୍ପତ୍ତିକୁ ନେଇ ଅନୁରୂପ କାହାଣୀଟିଏ ଅଛି।


ଗ୍ରୀକ୍ ପୁରାଣ ଅନୁସାରେ, ଯେତେବେଳେ ସୃଷ୍ଟିର ରଚନା ଆରମ୍ଭ ହୋଇନଥାଏ। ସମୟର ଗର୍ଭରେ ପ୍ରବାହିତ ହେଉଥାଏ ଖାଲି ନନ୍ନାମକ ତରଳ ଗାଢ କଳା ରଙ୍ଗର ପଙ୍କ ସଦୃଶ ହ୍ରଦଟିଏ। ସେଇ ଗାଢ କଳା ପଙ୍କରୁ ଦିନେ ପଦ୍ମ କଢଟିଏ ଥାଇ ନାଡଟେ ମୁଣ୍ଡ ଟେକେ। କଢଟି ପାଖୁଡ଼ା ମେଲେ ଆଉ ସେଥିରୁ ବାଳକ ଅବତାରରେ ଉତ୍ପନ୍ନ ହୁଅନ୍ତି ସୃଷ୍ଟିର ରଚୟିତା ସୂର୍ଯ୍ୟ ଭଗବାନ। କେତେକ ସ୍ଥାନରେ ଏହି ବାଳକ ସୂର୍ଯ୍ୟଙ୍କୁ ‘ରା’ ତ ଆଉ କେତେକ ସ୍ଥାନରେ ‘ଅରମ୍’ ବର୍ଣ୍ଣନା କରା ଯାଇଛି। ସୂର୍ଯ୍ୟଙ୍କ ଆବିର୍ଭାବ ପରେ ସେ ପ୍ରଥମେ ଶୁ ଏବଂ ତେଫନଟ୍ ଭଗବାନଙ୍କୁ ସୃଷ୍ଟି କରନ୍ତି। କିନ୍ତୁ ଏହି ଦୁଇଜଣ ନନର ଧାରାରେ ପ୍ରବାହିତ ହୋଇ ବ୍ରହ୍ମାଣ୍ଡରେ ବିଚରଣ କରିବାରେ ଲାଗନ୍ତି। ନନ୍ ଏବଂ ସମୟର ଧାରା ଦିନେ ଶୁ ଓ ତେଫାନଟ୍ ଙ୍କୁ ସୂର୍ଯ୍ୟ ଦେବଙ୍କ ପାଖକୁ ଫେରାଇ ଆଣେ। ଦୁଇଜଣଙ୍କ ସହ ପୁର୍ନମିଳନ ସମୟରେ ସୂର୍ଯ୍ୟ ଦେବଙ୍କ ଆଖିରୁ ଆନନ୍ଦରେ ଦୁଇ ଠୋପା ଲୁହ ଖସି ପଡେ। ସେଇ ଦୁଇଠୋପା ଲୁହରୁ ସୃଷ୍ଟି ହୁଅନ୍ତି ନାରୀ ଏବଂ ପୁରୁଷ। ଅନେକ ପ୍ରଶ୍ନ କରନ୍ତି ନନ୍ ରୁ ଉତ୍ପନ୍ନ ଫୁଲର ପଦ୍ମ ହିଁ କାହିଁକି? ଗ୍ରୀକ୍ ପୁରାଣରେ କୁହାଯାଇଛି ଦଦ୍ମ ହିଁ ଗୋଟିଏ ଫୁଲ ଯେଉଁଥିରେ ଫଳ ଓ ପୁଷ୍ପ ଗୋଟିଏ ସମୟରେ ମହଜୁଦ ଥାଏ। ପଦ୍ମ ହେଉଛି ସୃଷ୍ଟି ଏବଂ ଫର୍ଟିଲିଟିର ପ୍ରତିକ।


ଇଜିପ୍ଟିଆନ୍ ଇତିହାସରେ ମଧ୍ୟ ପଦ୍ମଫୁଲକୁ ଖୁବ୍ ମହତ୍ତ୍ଵ ଦିଆ ଯାଇଛି। ସୃଷ୍ଟି କର୍ତ୍ତା ସୂର୍ଯ୍ୟ ଦେବଙ୍କ ସହ ସବୁବେଳେ ପଦ୍ମଫୁଲକୁ ଯୋଡା ଯାଇଛି। କାରଣ ସୂର୍ଯ୍ୟ ଉଦୟେ ପଦ୍ମଫୁଲ ଫୁଟେ ଏବଂ ସୂର୍ଯ୍ୟସ୍ତ ବେଳକୁ ଏହା ମଉଳି ଯାଏ। ତେଣୁ ପଦ୍ମଫୁଲକୁ ସୃଷ୍ଟି ଏବଂ rebirth ସହ ଯୋଡା ଯାଏ। ସେମିତି ଭାରତୀୟ ପୁରାଣ ଏବଂ ହିନ୍ଦୁ ଧର୍ମରେ ପଦ୍ମଫୁଲର ଖୁବ୍ ମାନ୍ୟତା ଦିଆଯାଇଛି। ହିନ୍ଦୁ ଧର୍ମଗ୍ରନ୍ଥ ଅନୁସାରେ ଭଗବାନ ବିଷ୍ଣୁ, ମାତା ଲକ୍ଷ୍ମୀ ଏବଂ ସୂର୍ଯ୍ୟଦେବଙ୍କର ପଦ୍ମଫୁଲ ଭାରି ପ୍ରିୟ। ବୌଦ୍ଧ ଧର୍ମ ଅନୁସାରେ, ପଦ୍ମଫୁଲ ସ୍ବୟଂ ଭଗବାନ ବୁଦ୍ଧଙ୍କର ପ୍ରତିକ ଅଟେ। ପଦ୍ମ ଯେମିତି ପଙ୍କରୁ ସୃଷ୍ଟି ହୋଇ ମଧ୍ୟ ତା’ ଦେହରେ ପଙ୍କର ଛିଟା ନଥାଏ, ସେମିତି ଭଗବାନ ବୁଦ୍ଧ ସ°ସାର ଭିତରେ ରହି ମଧ୍ୟ ସା°ସାରିକ ମୋହମାୟା, ଭୌତିକ ଜଗତ ଏବଂ ନକାରାତ୍ମକ ଉର୍ଜାର ଉର୍ଦ୍ଧ୍ବରେ। ଧଳାପଦ୍ମ ଭଗବାନ ବୁଦ୍ଧଙ୍କର ଶରୀର, ମନ ଏବଂ ଆତ୍ମାର ଶୁଦ୍ଧତାର ପ୍ରତୀକ ହୋଇଥିବା ବେଳେ, ଗୋଲାପୀପଦ୍ମ ସ୍ବୟଂ ଭଗବାନ ବୁଦ୍ଧଙ୍କର ପ୍ରତୀକ ଅଟେ। ଖ୍ରୀଷ୍ଟିଆନ ଧର୍ମ ବିଶ୍ୱାସ ଅନୁସାରେ, ପଦ୍ମଫୁଲ ସନ୍ଥ ଥମାସ (ପ୍ରଭୁ ଯୀଶୁଙ୍କର ପ୍ରଥମ ୧୨ଜଣ ଅନୁଗାମୀଙ୍କ ମଧ୍ୟରୁ ଜଣେ) ଙ୍କ ସହ ଯଡିତ। ୫୨ ଖ୍ରୀଷ୍ଟାବ୍ଦରେ ସନ୍ଥ ଥମାସ୍ ରୋମାନ ସାମ୍ରାଜ୍ୟ ଛାଡି ସୁଦୂର ମଧ୍ୟ-ପ୍ରାଚ୍ୟ ହୋଇ ଭାରତର ତାମିଲନାଡୁ ପର୍ଯ୍ୟନ୍ତ ଯାତ୍ରା କରିଥିଲେ। ଇସ୍ଲାମିକ୍ ବିଶ୍ୱାସ ଅନୁସାରେ (ବିଶେଷକରି ଦକ୍ଷିଣ ଏସୀୟ) ମଧ୍ୟ ପଦ୍ମଫୁଲ ଶୁଦ୍ଧତା ଏବଂ ପବିତ୍ରତାର ପ୍ରତୀକ।

Lotus (detail) Nandalal Bose

ପଙ୍କରୁ ଜାତ ହୋଇ ମଧ୍ୟ ପଦ୍ମଫୁଲରେ କୌଣସି ଦାଗ କିମ୍ବା ଦୁର୍ଗନ୍ଧ ନଥାଏ, ସେଥିପାଇଁ ଫ୍ଲାଓ୍ବାର ସିମ୍ବଲିଜମ୍ ଅନୁସାରେ ଏହା ପବିତ୍ରତାର ଚିହ୍ନ। ବିଭିନ୍ନ ଧର୍ମ ପରି ଫ୍ଲାଓ୍ବାର ସିମ୍ବଲିଜମ୍ ରେ ମଧ୍ୟ ପଦ୍ମକୁ ସୁଦ୍ଧତା, ରିବାର୍ଥ ଏବଂ ଶକ୍ତିର ପ୍ରତୀକ ଅଟେ। ପଙ୍କରେ ଫୁଟି ମଧ୍ୟ ପଦ୍ମ ଯେମିତି ତା’ ଦ୍ବାରା ପ୍ରଭାବିତ ହୁଏନି, ସେମିତି ମଣିଷ ମଧ୍ୟ ସ°ସାର ମଧ୍ୟରେ ରହି ସା°ସାରିକ ମୋହମାୟା ଦ୍ବାରା ପ୍ରଭାବିତ ହେବା ଉଚିତ ନୁହେଁ, ତେଣୁ ପଦ୍ମକୁ ପରିପକ୍ବତାର ଚିହ୍ନ ଭାବରେ ଗ୍ରହଣ କରାଯାଏ। ଏହା ମଣିଷକୁ ଶିଖାଏ କେମିତି ପ୍ରତିକୂଳ ପରିବେଶ ଏବଂ ପରିସ୍ଥିତି ସତ୍ତ୍ୱେ ଜଣେ ନିଜ ସୁକର୍ମ ଦ୍ବାରା ସୁନ୍ଦର ଓ ଅଲଗା ହୋଇ ଝଟକି ପାରେ, ଫ୍ଲାଓ୍ବାର ସିମ୍ବଲିଜମ୍ ରେ ଏହା ଶ୍ରେଷ୍ଠତା ଏବଂ ଶକ୍ତିର ଚିହ୍ନ ଅଟେ। ପ୍ରତ୍ୟେକ ସନ୍ଧ୍ୟାରେ ମଉଳି ଯାଇ, ସକାଳୁ ପଙ୍କ ଭିତରୁ ମୁଣ୍ଡ ଟେକି ଛିଡା ହେବା ଶିଖାଏ ଯେ ଦୃଢ ଇଚ୍ଛା ଶକ୍ତି ଓ ସାଧନା ସହ ଜଣେ ଯେକୌଣସି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ନିଜର ଅସ୍ତିତ୍ଵ ବଜାୟ ରଖି ପାରିବ। ଆଉ ମଧ୍ୟ ପଦ୍ମ ହେଉଛି ଆଶା, ଆଲୋକ ଓ ସକାରତ୍ମକ ଉର୍ଜାର ପ୍ରତୀକ।


ବୌଦ୍ଧଧର୍ମରେ ଗୋଲାପୀ ପଦ୍ମକୁ ହିଁ ପ୍ରକୃତ ପଦ୍ମ ଭାବେ ସ୍ବୀକାର କରାଯାଏ ଏବଂ ଏହା ପଦ୍ମଙ୍କ ଭିତରେ ସର୍ବଶ୍ରେଷ୍ଠ। ଲାଲ୍ ପଦ୍ମ ପ୍ରେମ ଏବଂ ଦୟାର ପ୍ରତୀକ, ଏହାକୁ ହୃଦୟ ସହ ଯୋଡାଯାଏ। ବାଇଗଣୀ ପଦ୍ମ ଆଧ୍ୟାତ୍ମିକତାର ଚିହ୍ନ। ବୌଦ୍ଧିକ ମାନ୍ୟତା ଅନୁସାରେ ଏହାର ଆଠଟି ପାଖୁଡା, ମୁକ୍ତି ଓ ନିର୍ବାଣ ପାଇଁ ଭଗବାନ ବୁଦ୍ଧଙ୍କ ଦ୍ବାରା ଦର୍ଶା ଯାଇଥିବା ଆଠଟି ମାର୍ଗର ପ୍ରତୀକ। ନୀଳ ପଦ୍ମ ବୌଦ୍ଧିକ ସତ୍ତା, ଜ୍ଞାନ, ବୁଦ୍ଧିମତା ଏବଂ ବିଜୟର ଚିହ୍ନ। ଧଳା ପଦ୍ମକୁ ପୃଥିବୀର ଗର୍ଭ ବୋଲି ଧରାଯାଏ, ଏହା ଶୁଦ୍ଧତା, ଆଧ୍ୟାତ୍ମିକ ଜ୍ଞାନ, ମାନସିକ ଶାନ୍ତିର ପ୍ରତୀକ।


ନିଜ ପ୍ରେମୀକୁ ପଦ୍ମ ଫୁଲ ଉପହାର ଦେବାର ଅର୍ଥ ଏହା ଆପଣଙ୍କର ତାଙ୍କ ପ୍ରତି ସମର୍ପଣ ଓ ପ୍ରଗାଢ ପ୍ରେମକୁ ଦର୍ଶାଏ। କୌଣସି ନୂତନ ବନ୍ଧୁତ୍ବ ବା ସମ୍ପର୍କର ପ୍ରାରମ୍ଭିକ ଅବସ୍ଥାରେ ପଦ୍ମ ଫୁଲ ଭେଟି ଦେବାର ଅର୍ଥ ଏକ ଦୃଢ, ଦୀର୍ଘସ୍ଥାୟୀ ଏବଂ ସୁସମ୍ପର୍କର ନିର୍ମାଣ। କୌଣସି ଆଶାୟୀ ମା’ ପାଇଁ ପଦ୍ମଫୁଲ ହିଁ ଶ୍ରେଷ୍ଠ ଉପହାର, ଏହା ଫର୍ଟିଲିଟିର ପ୍ରତୀକ। ଅନେକ ଦିନର ମନୋମାଳିନ୍ୟ, କଳି ଏବଂ ଦ୍ବନ୍ଦ୍ବ ପରେ ଯେକୌଣସି ସମ୍ପର୍କକୁ ଆଉଥରେ ଗଢିତୋଳିବା ସମୟରେ ପଦ୍ମଫୁଲ ହିଁ ସବୁଠାରୁ ଉପଯୁକ୍ତ ଉପହାର।

About Dr. Ipsita Pradhan

Dr. Ipsita Pradhan is a doctor by profession and writer by passion.

View all posts by Dr. Ipsita Pradhan →