ମହିଷାସୁରର ସହରରେ ପାର୍ବଣ ଋତୁ

       ପାହାଡ଼ ମୁଣ୍ଡିଆ ଉପରେ ଗୋଟିଏ ଖୋଲା ସ୍ଥାନ, ସେଠି ଗୋଲ୍ ହୋଇ ଘେରେଇ ହୋଇଥିବ ଗୋଟିଏ ଫାଙ୍କାଫାଙ୍କା ଓ ଅନୁଚ୍ଚ ଗ୍ରୀଲ୍। ସେ ଗ୍ରୀଲ୍ ଭିତରେ ଡାହାଣ ହାତରେ ଖଣ୍ଡା ଏବଂ ବାମ ହାତରେ ଗୋଟିଏ ଲହଲହ ଜିଭ କାଢିଥିବା ସାପକୁ ମୁଠେଇ ଧରି ଛିଡ଼ା ହୋଇଥିବ ହେ’ ଏଡେ ଉଚ୍ଚର ମୂର୍ତ୍ତିଟେ। କପାଳରେ  ସ୍ପଷ୍ଟ ଦିଶୁଥିବ ତ୍ରିପୁଣ୍ଡ୍ର ତିଳକ, ତା’ ସାଙ୍ଗକୁ ହଳେ ମୋଟା କଳା ନିଶ ଆଉ ଆଖି ଯୋଡାକ କ୍ରୋଧରେ ତମତମ୍! ସତେ ଯେମିତି ହେଇ ଜାଳିଦେବ ସ°ସାରକୁ ତା’ ଭିତରର କ୍ରୋଧର ନିଆଁରେ! ପ୍ରଚଣ୍ଡ ବଳ ଓ ନିଜର ଅହଂକାରକୁ ନେଇ ମୂର୍ତ୍ତିଟିର ଦୈର୍ଘ୍ୟ ବ୍ୟାପି ଯାଇଥିବ ଆକାଶ ଯାଏଁ। ମୂର୍ତ୍ତିର ମୁହଁରେ କ୍ରୋଧ, ଅହ°କାର, ବିଶାଳ ଶରୀର, ଚଉଡା ଛାତି ଆଉ ହାତରେ ମହଜୁଦ ଥିବା ଅସ୍ତ୍ରକୁ ଦେଖିଲେ ଯେ କେହି କହିଦେବ, ଏହା ମହୀଷାସୁରର ମୂର୍ତ୍ତି ବୋଲି। ହଁ, ଆମ ଭିତରୁ ପ୍ରାୟ ସମସ୍ତେ ଛୋଟବେଳୁ ମହୀଷାସୁରର ଏ ମୂର୍ତ୍ତିଟି ଦେଖି ଆସିଛେ, ଛବିରେ! ମହୀଶୂର ସହର ବିଷୟରେ ଖବରକାଗଜ/ ପତ୍ରିକାରେ ପଢିବା ସମୟରେ କିମ୍ବା ଟିଭିରେ କୌଣସି ବିବରଣୀ ଦେଖିବା ସମୟରେ ଏହି ପ୍ରସିଦ୍ଧ ମହୀଷାସୁରର ମୂର୍ତ୍ତିଟି ନିଶ୍ଚୟ ଦେଖିଥିବେ। ସବୁବେଳେ ଫଟୋଟି ଦେଖିଲେ ଲାଗେ, ମୂର୍ତ୍ତିର ପାଦ ତଳେ ଛିଡା ହୋଇ, ମୁଣ୍ଡ ଟେକି ଅନାଇଲେ, ଚେହେରା ଯାଏଁ ଆଖି ପାଇବନି! ନଜର ଯାଇ ଆକାଶରେ ବାଡେଇ ହେବ। ଛୋଟବେଳେ କୋଉ ଦୈର୍ଘ୍ୟ, ପ୍ରସ୍ଥର ମାପ ପଢି ଅନୁମାନ ଲଗାଇବାର ଆବଶ୍ୟକତା ମନେ ହେଉଥିଲା ଯେ! ହେଲେ ବିଶାଳ ମୂର୍ତ୍ତି, ଭୀମକାୟ ରୂପ ଦେଖି ଆଶ୍ଚର୍ଯ୍ୟ ଲାଗିଲା ବେଳେ ମନରେ ଗୋଟିଏ ଇଚ୍ଛା ଜମାଟ ବାନ୍ଧୁଥିଲା ନିହାତି, “କେବେ ମହୀଶୂର ଭ୍ରମଣରେ ଗଲେ ଏଇ ମୂର୍ତ୍ତିଟି ନିଶ୍ଚିତ ଭାବରେ ଦେଖାଯିବ। ମପା ଯିବ ବି ତା’ ମୁଣ୍ଡ ଆଉ ଆକାଶ ଭିତରେ ଥିବା ଫାଙ୍କକୁ!” (ଛୋଟବେଳେ ମୁଁ ଭାବୁଥିଲି ମହୀଷାସୁରର ଏ ମୂର୍ତ୍ତିଟି ନିଶ୍ଚୟ ମହୀଶୂର ସହରର ଏକଦମ୍ କେନ୍ଦ୍ରବିନ୍ଦୁ ହୋଇଥିବ ବା ମୁଖ୍ୟ ଗୋଲେଇ ଛକ।)

          ମହୀଶୂର କହିଲେ ଏହି ମହୀଷାସୁର ମୂର୍ତ୍ତିର ଛବିଟି ଆପେଆପେ ମନରେ ଖେଳିଯାଏ। ସେବେ ବେଳେବେଳେ ମନରେ ପ୍ରଶ୍ନ ବି ଆସୁଥିଲା, ଯେ ଏତେ କଥା ଥାଉଥାଉ ମହୀଷାସୁର ପରି ଜଣେ ଅସୁରକୁ କାହିଁକି ଏଡେ ସୁନ୍ଦର ସହରର ପ୍ରତୀକ ଭାବରେ ପ୍ରସ୍ତୁତ କରାଯାଏ ସବୁବେଳେ? ଟିକେ ବଡ଼ ହେଲା ପରେ ଜାଣିଲି ଯେ, ଅନେକ ବର୍ଷ (ବୋଧେ ପୌରାଣିକ କାଳରେ) ତଳେ ସେହି ଅଞ୍ଚଳରେ ମହୀଷ/ମଇଁଷି ମୁଣ୍ଡଯୁକ୍ତ ଗୋଟିଏ କୃର, ବର୍ବର, ଅତ୍ୟାଚାରୀ ଅସୁର, ମହୀଷାସୁରର ଶାସନ ଥିଲା। ମାନବ, ଦେବତା ଓ ଦେବୀଙ୍କ ପ୍ରାର୍ଥନାର ଫଳ ସ୍ବରୂପ, ମା’ ପାର୍ବତୀ ଦେବୀ ଚାମୁଣ୍ଡେଶ୍ବରୀଙ୍କ ରୂପ ଧାରଣ କରି ମହୀଷାସୁରକୁ ବଦ୍ଧ କରିଥିଲେ। ମହୀଶୂରକୁ ନିପାତ କଲାପରେ ମା’ ସେଇଠି ଚାମୁଣ୍ଡି ପାହାଡର ଶୀର୍ଷରେ ନିଜେ ବିରାଜମାନ କଲେ। ସେହି ସ୍ଥାନରେ ଦେବୀ ଚାମୁଣ୍ଡେଶ୍ବରୀ, ମହୀଷାସୁରକୁ ବଦ୍ଧ କରିଥିବାରୁ, ଜାଗାଟିର ନାଁ ପଡିଛି ମହୀଶୂର ବା Mysooru/ Mysore। ଇଂରାଜୀ ନାଁ Mysore, କାନ୍ନାଡା ଶବ୍ଦ “ମହୀଶୂର” ବା “ମହୀଶାସୁରୁନା ଓରୁ”ରୁ ଆସିଛି। ଅତୀତରେ ସ°ସ୍କୃତରେ ଏହି ଅଞ୍ଚଳକୁ “ମହୀଶକ” କୁହା ଯାଉଥିଲା। ଏହି ସହରର ପ୍ରକୃତ ନାଁ  “ମହୀଶାପୁର” ଥିଲା, ଯାହାକୁ ଇଂରାଜମାନେ “Mysore” କହିବା ଆରମ୍ଭ କଲେ। ୨୦୦୫ରେ କର୍ଣ୍ଣାଟକ ସରକାର ଇଂରାଜୀରେ ଏହି ସହରକୁ “Mysuru” ଲେଖିବା ପାଇଁ ଅଦେଶ ଜାରୀ କରିଥିଲେ୍ ଏବଂ ୨୦୧୪ରେ କେନ୍ଦ୍ର ସରକାର ଏହି ପ୍ରସ୍ତାବକୁ ସହମତି ଦେଇଥିଲେ।

         ଏଇ ଅଳ୍ପ ଦିନ ତଳେ ମହୀଶୂର ଯିବାର ସୁଯୋଗ ଜୁଟିଲା। ସେପ୍ଟେମ୍ବର ଶେଷ ସପ୍ତାହ। କ୍ୟାଲେଣ୍ଡରରେ ଦୁର୍ଗା ପୂଜା ପାଇଁ ଆହୁରି ୧୦ -୧୨ ଦିନ ବାକି ଥାଏ। ପୂର୍ବ ଭାରତର ଦୁର୍ଗାପୂଜା, ମଧ୍ୟ- ଏବଂ ଉତ୍ତର ଭାରତର ଦୁର୍ଗାପୂଜା ଠାରୁ ଭିନ୍ନ। ଆମ ପୂର୍ବ ଭାରତରେ ପ୍ରାୟତଃ ମଣ୍ଡପ ପୂଜା ହୁଏ, ଆଉ ସେ ଆରମ୍ଭ ହେଲା ବେଳକୁ ଷଷ୍ଠୀ- ସପ୍ତମୀ। ହେଲେ ଉତ୍ତର ଭାରତରେ ମଣ୍ଡପ ବା ଦୂର୍ଗା ମେଢ ଅପେକ୍ଷା ଘରେ ନବରାତ୍ରି ପାଳନ ହୁଏ। ସେମିତି ଦକ୍ଷିଣ ଭାରତରେ ମଧ୍ୟ ଦଶହରାର ଗୋଟିଏ ଭିନ୍ନ ରୂପ ଦେଖିବା ପାଇଁ ମିଳେ। ହେଲେ ମହୀଶୂରର ଦଶହରା ଏସବୁଠାରୁ ଅଲଗା। ଯଦିଓ ନଦୀପଠା କି ସହର ତଳିଆ ଅନାବାଦୀ ଜମିରେ କାଶତଣ୍ଡୀ ଫୁଟିବା ଆରମ୍ଭ ହୋଇ ସାରିଥିଲା ତଥାପି ସକାଳେ ଆମେ ଭୁବନେଶ୍ୱରରୁ ବାହାରିଲା ବେଳକୁ ରାସ୍ତା-ଘାଟ, ବଜାର ସବୁ ସାମାନ୍ୟ ଦିନ ପରି ଥିଲେ। ଦୁର୍ଗାପୂଜା କିମ୍ବା ଦଶହରାକୁ ନେଇ ସେତେବେଳକୁ ମାହୋଲ୍ ଜମି ନଥିଲା। ସବୁ ସାଧାରଣ ଥିଲା। ହେଲେ ସନ୍ଧ୍ୟାରେ ମହୀଶୂରରେ ପହଞ୍ଚି ତା’ ହାଟ ବଜାର ଆଉ ରାସ୍ତା ବୁଲିବା ବେଳକୁ ପରିବେଶ ପୂରା ଅଲଗା ଥିଲା। ଆମ ଭୁବନେଶ୍ୱରର ରାସ୍ତା ସପ୍ତପନ୍ନୀ ଫୁଲର ବାସ୍ନାରେ ଭରି ଯିବା ପରି, ସେଠି ପାର୍ବଣ ଋତୁର ମହକ ଚାରିଆଡେ ଚହଟିବା ଆରମ୍ଭ ହୋଇ ଯାଇଥିଲା। ବଡ଼ ବଡ଼ ଗଛର ଗଣ୍ଡିଠୁ ଆରମ୍ଭ କରି ଇଲେକ୍ଟ୍ରିକ୍ ପୋଲ୍, ପାଚେରୀ, କାନ୍ଥ-ବାଡ ସବୁଠି ଯୁବକମାନେ ତାର ଟାଣିବା ଏବଂ ଲିଚୁ-ଲାଇଟ୍ ଲଗାଇବାରେ ବ୍ୟସ୍ତ ଥା’ନ୍ତି। ଅନେକ ବଜାର ଭିତରେ ରାସ୍ତା ଏପାଖରୁ ସେପାଖ ଜାଲପରି ଟାଣି ଲିଚୁ-ଲାଇଟ୍ ଝୁଲି ସାରିଥାଏ। ଚାଲିଲା ବେଳେ ଲାଗୁଥାଏ ସତେ ଯେମିତି ଜଣେ ତାରାମାନଙ୍କ ସମାଗମକୁ ଚିରିଚିରି ଯାଉଛି। ପ୍ରତ୍ୟେକ ଛକ, ବାଙ୍କ, ବୁଲାଣି ଆଉ ଫାଙ୍କା ଜାଗାରେ ସେଇ ରଙ୍ଗ ବେରଙ୍ଗି ଲାଇଟରେ ତୋରଣ ପରି ସଜା ହୋଇଥାଏ। କେଉଁଠି କୃଷ୍ଣ ବାଲ୍ୟଲୀଳାରେ ମାତି ଥା’ନ୍ତି ତ ଆଉ କେଉଁଠି ଯୋଡି ହ°ସ ପବନରେ ପହଁରୁଥା’ନ୍ତି। କେଉଁଠି ଫୁଲ ପ୍ରଦର୍ଶନୀ ପାଇଁ ପ୍ରସ୍ତୁତି ଚାଲିଥାଏ ତ କେଉଁଠି ସଙ୍ଗୀତ-ନାଟକ ଉତ୍ସବ ପାଇଁ ପଣ୍ଡାଲ୍ ସଜା ଚାଲୁଥାଏ, କେଉଁଠି ଫିଲ୍ମ ଫେଷ୍ଟିଭାଲ୍ ତ କେଉଁଠି କବି-ସାହିତ୍ୟ ସମ୍ମିଳନୀ ପୁଣି ଆଉ କେଉଁଠି ବହି ମେଳା ପାଇଁ ପ୍ରସ୍ତୁତି। ଅଟୋ- ଟ୍ୟାକ୍ସି ଚାଳକଠୁ ଆରମ୍ଭ କରି ଚା’ ଦୋକାନୀ ଆଉ ରାସ୍ତାରେ ବୁଲୁଥିବା ଲୋକ…….ସମସ୍ତେ ସେଇ ଗୋଟିଏ ସ୍ବର ଆଉ ସମାନ ଉତ୍ସାହରେ କହୁଥିଲେ, “ଏଠି ତ ଅକ୍ଟୋବର ତିନି ତାରିଖରୁ  ଦଶହରା ଉତ୍ସବ ଆରମ୍ଭ ହୋଇଯିବ ଆଉ ପୂରା ବିଜୟାଦଶମୀ ଯାଏଁ ଚାଲିବ।” କେବଳ ଦୋକାନ ବଜାର, ରାସ୍ତା କିମ୍ବା ଦଶହରା ପ୍ରଦର୍ଶନୀ ପଡିଆ ନୁହେଁ, ମହୀଶୂର ପ୍ୟାଲେସ୍ ବା ରାଜମହଲରେ ମଧ୍ୟ ଦଶହରା ପାଇଁ ପୂରା ଦମରେ ପ୍ରସ୍ତୁତିରେ ଲାଗିଥାଏ। ଜଗମୋହନ ପ୍ୟାଲେସ୍ ସାମନାରେ ‘ସଙ୍ଗୀତ କାର୍ଯ୍ୟକ୍ରମ’ଠୁ ଆରମ୍ଭ କରି, ଅମ୍ବା ବିଲାସ୍ ପ୍ୟାଲେସ୍ ସମ୍ମୁଖ ‘ଖାସ୍ ଦରବାର’ ପାଇଁ ଦର୍ଶକ ବସିବା ଓ ବିଭିନ୍ନ ପ୍ରଦର୍ଶନୀ ପାଇଁ ଆୟୋଜନ ଜୋରସୋରରେ ଚାଲିଥାଏ।  ମହୀଶୂର ସହରରେ ଦଶହରା (ସ୍ଥାନୀୟ ଲୋକେ “ଦଶେରା” କୁହନ୍ତି)ର ଅର୍ଥ କେବଳ ଦେବୀ ପୂଜା କି ମହୀଷାସୁର ବଦ୍ଧ ନୁହେଁ। ଏହା ସେମାନଙ୍କ ପାଇଁ ଗୋଟିଏ ଜୀବନ ଉତ୍ସବ। ସେମାନଙ୍କ ମହାନ୍ ପରମ୍ପରାର ପ୍ରତୀକ। ତାଙ୍କ ଆତ୍ମସମ୍ମାନ ଓ ଗର୍ବର ବିଷୟ। ସ୍ଥାନୀୟ ବାସିନ୍ଦା ସେ ଯେଉଁ ଧର୍ମ କି ଜାତିର ହେଉ ନା କାହିଁକି, ରାଜପରିବାରୁ ଆସିଥାଉ କି ରାଜରାସ୍ତା କଡରେ ଉଠା ଦୋକାନ ଦେଇଥାଉ, ସମସ୍ତଙ୍କ ପାଇଁ ଏହି ମହୋତ୍ସବ ହେଉଛି ତାଙ୍କ ସହର ଅର୍ଥାତ ମହୀଶୂରର definition ବା ସଜ୍ଞା ସ୍ବରୂପ। ସମସ୍ତଙ୍କ ସ୍ବର, ଉତ୍ସାହ, ଭାଷା, ଆନନ୍ଦ ସମାନ ଆଉ ଉତ୍ତର “our Dasara is grand, magnificent and famous….. it’s jumbo size……it’s royal”!

           ଦକ୍ଷିଣ ଭାରତରେ ଦୁର୍ଗାପୂଜା ବା ବିଜୟାଦଶମୀର ଇତିହାସ ପଞ୍ଚମ ଶତାବ୍ଦୀରେ ବନବାସୀ ରାଜ୍ୟର କଦମ୍ବା ରାଜବଂଶ ଏବଂ ଅଷ୍ଟମ ଶତାବ୍ଦୀରେ ବାଦାମୀ ରାଜ୍ୟର ଚାଲୁକ୍ୟ ରାଜବଂଶ ସମୟରୁ ରହି ଆସିଛି। କିନ୍ତୁ ଅତୀତରେ ଏହା କେବଳ ରାଜମହଲ କିମ୍ବା ଘର ଭିତରେ କିମ୍ବା ମନ୍ଦିର ଭିତରେ ସୀମିତ ରହୁଥିଲା। ୧୪ଶ ଶତାବ୍ଦୀରେ, ୫୦୦ ବର୍ଷ ପୂର୍ବରୁ ବିଜୟନଗର ସାମ୍ରାଜ୍ୟ କାଳରେ ‘ହାମ୍ପି’ରେ ଏହା ଗଣପର୍ବ ଭାବରେ ବିଧିବଦ୍ଧ ଭାବେ ଆରମ୍ଭ ହୋଇଥିଲା। ବିଜୟନଗର ସାମ୍ରାଜ୍ୟର ରାଜା ଶ୍ରୀ କୃଷ୍ଣଦେବରାୟ, ଉଦୟଗିରି ବିରୋଧରେ ଯୁଦ୍ଧ ଜିତିବା ପରେ “ଦଶେରା ମହାନବମୀ ଡିବ୍ବା” ନିର୍ମାଣ କରିଥିଲେ। ଏହା ପରଠୁ ଦଶହରା ପର୍ବକୁ ଗଣପର୍ବ ଭାବରେ ପାଳନ କରିବା ପରମ୍ପରା ସୃଷ୍ଟି ହେଲା। ସେତେବେଳେ ଏହି ପର୍ବ କେବଳ ଦୁଷ୍ଟ ଶକ୍ତି ଉପରେ ଧର୍ମର ବିଜୟ କିମ୍ବା ମହୀଷାସୁର ବଦ୍ଧର ପ୍ରତୀକ ନଥିଲା, ବର° ଏହା ନିଜର ରଣ କୌଶଳ, ଯୁଦ୍ଧବିଦ୍ୟାରେ ପାରଙ୍ଗମତା ଏବଂ କଳାର ପ୍ରଦର୍ଶନର ମଧ୍ୟ ମାଧ୍ୟମ ଥିଲା। ସେ ସମୟରେ ରାଜା ମହାନବମୀ ଡିବ୍ବାର ସୁଉଚ୍ଚ ପ୍ଲାଟଫର୍ମ ଉପରେ ଠିଆ ହେଉଥିଲେ। ଏବଂ ତାଙ୍କ ସମ୍ମୁଖରେ ରାଜ୍ୟର ନିପୁଣ କୁସ୍ତିବାଜ୍, ତରବାରୀ ଚାଳକ ନିଜ ନିଜର ଯୁଦ୍ଧ ବିଦ୍ୟାର ପ୍ରଦର୍ଶନ କରୁଥିଲେ। ରାଜ୍ୟର ବଛା ବଛା ସଙ୍ଗୀତଜ୍ଞ ଓ ନୃତ୍ୟଶିଳ୍ପୀ ନିଜ କଳାର ପ୍ରଦର୍ଶନ କରୁଥିଲେ। ଆଶ୍ବିନ ଶୁକ୍ଳପକ୍ଷର ଦଶଦିନ ତକ ମା’ ଦୁର୍ଗା ସ୍ବର୍ଣ୍ଣ ସି°ହାସନରେ ବିରାଜମାନ ରହୁଥିଲେ ଏବଂ ରାଜା ତାଙ୍କ ପାଦତଳେ ବସୁଥିଲେ। ବିଜୟନଗର ରାଜ୍ୟର ଏହି ଭବ୍ୟ ଦଶହରା ସମାରୋହ ଓ ପ୍ରଦର୍ଶନୀର ଚିତ୍ର ବର୍ତ୍ତମାନ ସୁଦ୍ଧା ହାମ୍ପିର 15th century ରେ ନିର୍ମିତ ‘Hazara Rama’ ମନ୍ଦିର କାନ୍ଥରେ ଦେଖିବାକୁ ମିଳେ। କିନ୍ତୁ ଏପର୍ଯ୍ୟନ୍ତ ବିଜୟନଗର ରାଜ୍ୟର ଏହି ମହାନବମୀ ମହୋତ୍ସବ ବିଷୟରେ ସବୁଠାରୁ ପ୍ରାଞ୍ଜଳ ବିବରଣୀ, ୧୫୨୦ରେ ହାମ୍ପି ଆସିଥିବା ଜଣେ ପର୍ତ୍ତୁଗୀଜ୍ ଘୋଡ଼ା ବ୍ୟବସାୟୀ Domi go Paesଙ୍କ ଆଲେଖ୍ୟରେ ମିଳେ। ସେମିତି ୧୪୪୩ରେ ପାରସ୍ୟରୁ ଆସିଥିବା ଜଣେ ରାଜଦୂତ Abdul Razzaq ମଧ୍ୟ ବିଜୟନଗରର ମହାନବମୀ ମହୋତ୍ସବ ବିଷୟରେ ବର୍ଣ୍ଣନା କରିଛନ୍ତି। ଧୀରେଧୀରେ ବିଜୟନଗର ସ୍ରାମଜ୍ୟ ନିଜର ଶକ୍ତି ହରାଇବା ସହ ଏହି ମହାନବମୀ ଉତ୍ସବ ମଧ୍ୟ ଫିକା ପଡି ଆସିଥିଲା। ଯେତେବେଳେ ମହୀଶୂର ଅଞ୍ଚଳରେ ଓ୍ବେଡେୟାର ବ°ଶର ରାଜୁତି ଆରମ୍ଭ ହେଲା ରାଜା ଓ୍ବାଡେୟାର ୧ (୧୫୭୮- ୧୬୧୭) ୧୬୧୦ ଖ୍ରୀଷ୍ଟାବ୍ଦରେ ଶ୍ରୀରଙ୍ଗପାଟଣାରୁ ପ୍ରଥମେ ଏହି ଦଶେରା ପର୍ବ ଓ ପଟୁଆର/ ପ୍ରଦର୍ଶନୀ ପ୍ରଥା ଆରମ୍ଭ କରିଥିଲେ। ଏମିତିକି ଓ୍ବେଡେୟାର ବ°ଶକୁ ପରାସ୍ତ କରି ଯେତେବେଳେ ଶ୍ରୀରଙ୍ଗପାଟଣା, ହାଇଦର ଅଲ୍ଲୀ ଏବଂ ଟିପୁ ସୁଲତାନଙ୍କ ଅଧୀନରେ ଥିଲା, ସେତେବେଳେ ମଧ୍ୟ ଏହି ଭବ୍ୟ ଦଶହରା ମହୋତ୍ସବକୁ ବନ୍ଦ କରା ଯାଇନଥିଲା। ବର° ହାଇଦର ଅଲ୍ଲୀଙ୍କ ସମୟରେ ଦଶହରା ପଟୁଆର ସହ କୁସ୍ତି-ମଲ୍ଲ ଯୁଦ୍ଧ, ପଶୁ ଲଢେ଼ଇ ଏବଂ ବାଣ- ରୋଷଣୀ ପ୍ରଦର୍ଶନର ଆରମ୍ଭ ହୋଇଥିଲା। ଟିପୁ ସୁଲତାନଙ୍କ ସମୟରେ ବିଭିନ୍ନ ଆଖଡା ଗୁଡିକ ମଧ୍ୟରେ କୁସ୍ତି ଲଢେ଼ଇ ଏବଂ ଅନ୍ୟାନ୍ୟ ଖେଳ ପ୍ରତିଯୋଗିତାର ପ୍ରଚୁର ପ୍ରସାର ଘଟିଥିଲା। ଇଂରେଜ ମାନଙ୍କ ସହାୟତାରେ, ଷଡ଼ଯନ୍ତ୍ର ଓ ବିଶ୍ୱାସଘାତ କରି ଟିପୁ ସୁଲତାନଙ୍କୁ ହରାଇବା ପରେ ଓ୍ବେଡେୟାର ରାଜବଂଶ ପୁଣି ୧୭୯୯ରୁ ଭବ୍ୟ ଦଶହରା ମହୋତ୍ସବ ପାଳନ ଆରମ୍ଭ କଲେ। ସିଂହାସନରେ ବସିବା ପରେ Mummadi Krishnaraja Wadiyar III, ମୋଗଲ ଶାସକଙ୍କ “ଦରବାର” ଆୟୋଜନ ଦ୍ବାରା ପ୍ରଭାବିତ ହୋଇ ୧୮୦୫ରୁ “ଭବ୍ୟ ଦଶେରା ଦରବାର”ର ପରମ୍ପରା ଆରମ୍ଭ କରିଥିଲେ। ରାଜା Nalwadi Krishnaraja Wadiyar IV ଙ୍କ ସମୟରେ ପ୍ରସିଦ୍ଧ ମହୀଶୂର ଦଶେରା procession ବା ପଟୁଆର ଆରମ୍ଭ ହୋଇଥିଲା। ତାଙ୍କରି ରାଜୁତି କାଳରୁ ଦଶହରା ସମୟରେ ରାଜାଙ୍କୁ ହାତୀ ପିଠିରେ, ସୁନା ପାଲିଙ୍କିରେ ବସାଇ ସହର ପରିକ୍ରମା କରି ପଟୁଆର ବାହାରିବାର ପରମ୍ପରା ଆରମ୍ଭ ହେଲା।

ମହୀଶୂର ଦଶହରାର ବିଶେଷତ୍ୱ

ଆନୁଷ୍ଠାନିକ ସ୍ନାନ: ମହୀଶୂର ଦଶହରାର ଆରମ୍ଭ ଓ୍ବେଡେୟାର ରାଜାଙ୍କ ଆନୁଷ୍ଠାନିକ ସ୍ନାନରୁ ଆରମ୍ଭ ହୁଏ। ଯଦିଓ ବର୍ତ୍ତମାନ ଏହା କେବଳ ଗୋଟିଏ ରାଜବଂଶ ଓ ପର୍ବ ପାଳନର ଅ°ଶ ମାତ୍ର କିନ୍ତୁ ଇତିହାସରେ ଏହା ଖୁବ୍ ମହତ୍ତ୍ୱପୂର୍ଣ୍ଣ ଥିଲା। ଏହା କେବଳ କୌଣସି ଧାର୍ମିକ ଅନୁଷ୍ଠାନ ପାଇଁ ରାଜାଙ୍କ ସ୍ନାନ ନଥିଲା, ବର° ଏହା ପ୍ରତୀକ ଥିଲା ଗୋଟିଏ ରାଜ୍ୟର ରାଜାଙ୍କର ନିଜ ମନ ଓ ଆତ୍ମାକୁ ଶୁଦ୍ଧ କରି ନିଜକୁ ଜଣେ ସୁଶାସକ ଭାବରେ ପ୍ରତିଷ୍ଠା କରିବା ପାଇଁ ପ୍ରସ୍ତୁତିର।

) ପବିତ୍ର ସୂତ୍ର ବନ୍ଧନ: ସ୍ନାନ ପରେ ରାଜାଙ୍କ ହାତରେ ଗୋଟିଏ ପବିତ୍ର ସୂତା ବା ବ୍ୟାଣ୍ଡ୍ ବନ୍ଧାଯାଏ। ଏଥିରେ ଅନେକ ଧାର୍ମିକ ଛବି ଅଙ୍କା ଯାଇଥାଏ। ଏହା ଦେବୀ ଚାମୁଣ୍ଡେଶ୍ବରୀଙ୍କର ରାଜଙ୍କୁ ଆଶୀର୍ବାଦ ହିସାବରେ ଗ୍ରହଣ କରାଯାଏ ଏବଂ ଏହା ତାଙ୍କର ସୁରକ୍ଷା କବଚ ବୋଲି ଗ୍ରହଣ କରାଯାଏ।

) ନବଗ୍ରହ ଓ ସିଂହାସନ ପୂଜା: ଦଶହରା ସମୟରେ ମହୀଶୂର ରାଜ ମହଲରେ ନବଗ୍ରହ, କଳସ (ପ୍ରାଚୁର୍ଯ୍ୟର ପ୍ରତୀକ) ଓ ସିଂହାସନ ପୂଜାର ଖାସ୍ ପରମ୍ପରା ରହିଛି।

) ଆୟୁଧ/ ଅସ୍ତ୍ର ପୂଜା: ନବମୀ ତିଥିରେ ରାଜାଙ୍କ ଦ୍ବାରା ରଜବ°ଶର ଖଣ୍ଡା ତଥା ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ପୂଜା କରାଯାଏ।

) ଦଶେରା ଖାସ୍ ଦରବାର ଓ ସ୍ବର୍ଣ୍ଣ ସିଂହାସନ: କେବଳ ଦଶହରା ମହୋତ୍ସବ ସମୟରେ ହିଁ ଓ୍ବେଡେୟାର ବ°ଶର ସ୍ବର୍ଣ୍ଣ ରାଜସିଂହାସନ (ମାନ୍ୟତା ଅନୁସାରେ ଏହା ଯୁଧିଷ୍ଠିରଙ୍କର ଥିଲା ଏବଂ ଇତିହାସ ଅନୁସାରେ ଓ୍ବେଡେୟାର ରାଜବ°ଶ ପୂର୍ବରୁ ଏହାକୁ ବିଜୟନଗର ରାଜା ଆରୋହଣ କରୁଥିଲେ) ସାଧାରଣ ଲୋକଙ୍କ ଦର୍ଶନ ପାଇଁ ଦଶେରା ଖାସ୍ ଦରବାରରେ ରଖାଯାଏ। ବର୍ଷର ଅନ୍ୟ ସମୟରେ ଏହାକୁ କଡା ସୁରକ୍ଷା ବ୍ୟବସ୍ଥା ଭିତରେ ରଖାଯାଏ। ରାଜକୀୟ ଅଦବ-କାଇଦା ସହ ସାଧାରଣ ଜନତାଙ୍କ ଜୀବନଶୈଳୀ ଉଭୟକୁ ଏକାଠି ପାଳନ କରିବାର ବିଶେଷ ମହତ୍ତ୍ଵ ହେଉଛି ଦଶେରା ରାଜକୀୟ ଦରବାରର। ଏହାର ଦୁଇଟି ଅ°ଶ ରହିଛି। ଗୋଟିଏ ରାଜାଙ୍କର ନିଜସ୍ୱ ବା ପ୍ରାଇଭେଟ୍ ଦରବାର ଏବଂ ଅନ୍ୟଟି ସାଧାରଣ ଜନତାଙ୍କ ଦ୍ବାରା ବିଭିନ୍ନ ସା°ସ୍କୃତିକ ଏବଂ ଯୁଦ୍ଧବିଦ୍ୟାର ପ୍ରଦର୍ଶନ ଓ ରାଜକୀୟ ପଟୁଆରରେ ସାଧାରଣ ଜନତାଙ୍କ ସାମିଲ ହେବା।

)ମହୀଶୂର ରାଜପ୍ରାସାଦରେ ଆଲୋକମାଳା: ମହୀଶୂର ବା ଅମ୍ବା ବିଲାସ୍ ପ୍ୟାଲେସରେ ଆଲୋକମାଳା ବିଷୟରେ ପ୍ରାୟ ସମସ୍ତେ ପଢିଥିବେ, ଫଟୋ ମଧ୍ୟ ଦେଖିଥିବେ ଏବଂ ମହୀଶୂର ଭ୍ରମଣ ସମୟରେ ରବିବାର କିମ୍ବା ଅନ୍ୟ ଜାତୀୟ ଛୁଟି ଦିନ ପଡିଥିଲେ ଦେଖି ମଧ୍ୟ ଥାଇ ପାରନ୍ତି। ସମ୍ପୂର୍ଣ୍ଣ ରାଜମହଲଟିରେ ସମୁଦାୟ ୧୦୦୦୦୦ ଛୋଟ ଛୋଟ ଇଲେକ୍ଟ୍ରିକ୍ ବଲବ ଲାଗାଯାଇ ପ୍ରଜ୍ବଳିତ କରା ଯାଏ। ବର୍ଷ ତମାମ ରବିବାର ଏବଂ ଅନ୍ୟ ଜାତୀୟ ଛୁଟି ଦିନରେ ସ°ନ୍ଧ୍ୟା ୭ରୁ ୭:୪୫ ପର୍ଯ୍ୟନ୍ତ ଏହା ସମସ୍ତ ଦର୍ଶକଙ୍କ ପାଇଁ ଉପଲବ୍ଧ ହେଉଥିବା ବେଳେ, ଦଶହରା ଦଶ ଦିନ ଯାକ ସ°ନ୍ଧ୍ୟା ୭ରୁ ରାତି ୧୦ ପର୍ଯ୍ୟନ୍ତ ଉପଲବ୍ଧ କରାଯାଏ। କେବଳ ରାଜପ୍ରାସାଦରେ ଲକ୍ଷେ ଆଲୋକମାଳା ନୁହେଁ, ତା’ ସହ ବିଭିନ୍ନ ସା°ସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଚାଲିଥାଏ।

) ଦଶହରା ସା°ସ୍କୃତିକ କାର୍ଯ୍ୟକ୍ରମ: ସାନ୍ଧ୍ୟ ମହୀଶୂର ରାଜପ୍ରାସାଦ ଆଲୋକମାଳା କାର୍ଯ୍ୟକ୍ରମ ସମୟରେ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ ଗୋଟିଏ ମୁଖ୍ୟ ଆକର୍ଷଣ। ପାରମ୍ପରିକ କର୍ଣ୍ଣାଟକୀ ସଙ୍ଗୀତ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ ହୋଇଥାଏ। ତା’ ସହ ଶାସ୍ତ୍ରୀୟ ନୃତ୍ୟ ପ୍ରଦର୍ଶନ ମଧ୍ୟ ହୁଏ। କେବଳ ଅମ୍ବା ବିଲାସ୍ ପ୍ୟାଲେସ୍ ନୁହେଁ ବର° “ପ୍ୟାଲେସ୍ ନଗରୀ ମହୀଶୂର”ର ୧୩ଟି ରାଜପ୍ରାସାଦ ମଧ୍ୟରୁ ପ୍ରାୟ ପ୍ରତ୍ୟେକଟିର ପ୍ରାଙ୍ଗଣ ଏବଂ ଅନ୍ୟ ସମାରୋହ ସ୍ଥଳୀରେ, ଯେମିତିକି ଜଗନମୋହନ ପ୍ୟାଲେସ୍, ଟାଉନ୍ ହଲ୍, ବୀଣା ଶେସନା ଭବନ, କଳାମନ୍ଦିର ଆଦିରେ ଏମିତି ନୃତ୍ୟ-ସଙ୍ଗୀତ କାର୍ଯ୍ୟକ୍ରମ, କାବ୍ୟ ପାଠ, ଗଳ୍ପ ପାଠ, ପୌରାଣିକ କଥା ଆଲୋଚନା ଆଦି ଲଗାତାର ଚାଲେ। ଏହା ଛଡା ପୁଣି ଡ୍ରାମା ଫେଷ୍ଟିଭାଲ୍, ଫିଲ୍ମ ଫେଷ୍ଟିଭାଲ୍, ଫୁଲ ପ୍ରଦର୍ଶନୀ, ପୁସ୍ତକ ପ୍ରଦର୍ଶନୀ ମଧ୍ୟ ହୋଇଥାଏ। ମହୀଶୂର ଦଶହରାର ଆଉ ଗୋଟିଏ ଆକର୍ଷଣ ହେଉଛି “Yuva Dasara” ବା ଯୁବା ଦଶହରା। ଏଥିରେ ରାଜ୍ୟର ବିଭିନ୍ନ ଅ°ଶରୁ ଆସିଥିବା ଯୁବ କଳାକାର, ଲେଖକ, କବି, ଖେଳାଳୀ ଏବଂ ଅନ୍ୟାନ୍ୟ ପ୍ରତିଭାଙ୍କୁ ନିଜର ଜ୍ଞାନ-କୌଶଳ ପ୍ରଦର୍ଶନର ମୌକା ମିଳିଥାଏ।

) କୁସ୍ତି/ ମଲ୍ଲଯୁଦ୍ଧ ପ୍ରଦର୍ଶନୀ: ଯଦିଓ ଦଶହରା ସମୟରେ ମହୀଶୂରରେ ଅନ୍ୟାନ୍ୟ ଖେଳ ପ୍ରତିଯୋଗିତା ହୋଇଥାଏ କିନ୍ତୁ ଏହାର ସବୁଠାରୁ ଆକର୍ଷଣୀୟ ହେଉଛି କୁସ୍ତି ପ୍ରତିଯୋଗିତା। ରାଜ୍ୟର ବିଭିନ୍ନ ଆଖଡାରୁ କୁସ୍ତି ଯୋଦ୍ଧା ଆସି ଯୋଗ ଦିଅନ୍ତି। ଆମକୁ ସହର ବୁଲାଉ ବୁଲାଉ, ଦଶହରା ବିଷୟରେ ଅନେକ ବିବରଣୀ ଦେଇଥିବା ଅଟୋ ଚାଳକଙ୍କ ମତରେ, “ମାନ୍ୟତା ଅଛି, ଯେପର୍ଯ୍ୟନ୍ତ କୁସ୍ତି ଲଢେ଼ଇରେ ଜଣେ ଯୋଦ୍ଧାର ରକ୍ତ ଭୂମି ଉପରେ ପଡିନି, ସେପର୍ଯ୍ୟନ୍ତ ଦେବୀ ପ୍ରସନ୍ନ ହେବେନି!” ଏ କଥା ଶୁଣି ମୁଁ ମନେମନେ ଆଶ୍ଚର୍ଯ୍ୟ ହୋଇଥିଲି ଆଉ ଭାବୁଥିଲି, ‘ ସତରେ କ’ଣ ସାରା ସ°ସାରକୁ ଘଣ୍ଟ ଘୋଡେ଼ଇ ରଖୁଥିବା ମା’ କେବେ ତା’ ସନ୍ତାନର ରକ୍ତପାତ ଦେଖି ଖୁସି ହେଉଥିବ? ନା’ ଏ କେବଳ ମଣିଷର ନିଜର ଅବଦମିତ ହି°ସ୍ର ମାନସିକତାକୁ ଶାନ୍ତି ଦେବାର ଗୋଟିଏ ବାହାନା?’

) ଜାମ୍ବୁ ସଓ୍ବାରୀ/ ରାଜକୀୟ ପଟୁଆର ବା ପ୍ରୋସେସନ୍: ମହୀଶୂର ଦଶହରାର ମୁଖ୍ୟ ଆକର୍ଷଣ ହେଉଛି ଏ “ଜାମ୍ବୁ ସଓ୍ବାରୀ” ବା jumbo procession। ଏହି ପ୍ରଥା ଇ°ରେଜ ଶାସନ କାଳରୁ ଚାଲି ଆସୁଛି। ହୁଏତ ଇଂରାଜୀ ଶବ୍ଦ ‘jumbo’ ଅର୍ଥାତ ‘ହାତୀ’ରୁ ଏହି ହାତୀ ପଟୁଆରକୁ ‘jumbo procession’ କୁ୍ଆଯାଇଛି, ଯାହା ସ୍ଥାନୀୟ ଭାଷାରେ ଅପଭ୍ର°ସ ହୋଇ “jamboo savari” ହୋଇ ଯାଇଛି। କିନ୍ତୁ ସ୍ଥାନୀୟ ଲୋକଙ୍କ ମତରେ, ପ୍ରକୃତରେ ଏହି ରାଜକୀୟ ପଟୁଆରକୁ ଆଗରୁ ‘jumbi savari (ଅର୍ଥାତ ବାନୀ ବା ସାମୀ ବା ବବୁଲ ଗଛ ପାଖକୁ ଯାତ୍ରା) କୁହା ଯାଉଥିଲା, କିନ୍ତୁ ଇଂରେଜମାନଙ୍କ ସମୟରେ ଏହାକୁ ‘jamboo savari’ କୁହାଯିବା ଆରମ୍ଭ ହେଲା, ଏବଂ ଏପର୍ଯ୍ୟନ୍ତ ଚାଲିଛି।

          ଏଥିରେ ସୁନ୍ଦର, ପାରମ୍ପରିକ ଶୈଳୀରେ ହାତୀ ମାନଙ୍କୁ ସଜାଯାଇ ଗୋଟିଏ ପଟୁଆର ଆମ୍ବା ବିଲାସ୍ ପ୍ୟାଲେସରୁ ବାହାରେ। ଏଥିରେ ପଟୁଆରର ଦଳପତି ହାତୀ ପିଠିରେ ୭୫୦ କିଗ୍ରା ସୁନାର ଗୋଟିଏ mantapa ବା ମଣ୍ଡପ ବା ପାଲିଙ୍କି ଉପରେ ମା’ ଚାମୁଣ୍ଡେଶ୍ବରୀଙ୍କ ମୂର୍ତ୍ତିକୁ ରଖି ପଟୁଆର ମହୀଶୂର ପ୍ୟାଲେସରୁ ୫ କିଲୋମିଟର ଦୂରରେ ଥିବା ବାନ୍ନୀମନ୍ତପ (ବାନ୍ନୀ ବା ବବୁଲ ଗଛ) ପର୍ଯ୍ୟନ୍ତ ଯାଏ। ବିଶ୍ୱାସ ଅଛି ଯେ ମହାଭାରତ ସମୟରେ ପାଣ୍ଡବମାନେ ଅଜ୍ଞାତବାସ ସମୟରେ ଏହି ବାନ୍ନୀ ବା ବବୁଲ ଗଛରେ ନିଜର ଅସ୍ତ୍ରଶସ୍ତ୍ର ଲୁଚାଇ ଥିଲେ। ତେଣୁ ଏହି ବୃକ୍ଷକୁ ଶକ୍ତି ଓ ସୌର୍ଯ୍ୟର ସ୍ରୋତ ବୋଲି ବିଚାର କରାଯାଏ। ଆଗରୁ ଯୁଦ୍ଧ ପୂର୍ବରୁ ଓ୍ବେଡେୟାର ବ°ଶର ରାଜା ଏହି ବବୁଲ ଗଛ ପାଖରୁ ଆର୍ଶୀବାଦ ନେଇ ଯୁଦ୍ଧଯାତ୍ରା ଆରମ୍ଭ କରୁଥିଲେ।

            ଚଳିତ ବର୍ଷ jumbo processionର ପାଟ ହାତୀର ନାଁ ହେଉଛି “ଅଭିମନ୍ୟୁ”। ଏହି procession ପାଇଁ ହାତୀ ମାନଙ୍କୁ ମାସ ମାସ ଧରି ପ୍ରଶିକ୍ଷଣ ଦିଆଯାଏ। ସମୟ ସମୟରେ ପ୍ରଶିକ୍ଷଣ ସମୟରେ ହାତୀମାନଙ୍କର ଶାରୀରିକ ଅସୁସ୍ଥତା ଏବଂ ମୃତ୍ୟୁର ଖବର ମଧ୍ୟ ଆସେ, ଯାହାକି ଏହି ପରମ୍ପରାକୁ ଅନେକ ସମୟରେ ବିବାଦୀୟ କରିଦିଏ। ଏବଂ ଅନେକ animal rights ସୁରକ୍ଷାକାରୀ ସ°ସ୍ଥା ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଦାବି ରଖି ଆସୁଛନ୍ତି।

          ଏହି jumbo processionରେ ଯେ କେବଳ ସୁସଜ୍ଜିତ ହାତୀ ପିଠିରେ ମା’ ଚାମୁଣ୍ଡେଶ୍ବରୀଙ୍କମୂର୍ତ୍ତି ପଟୁଆରରେ ଯାଏ ତା’ ନୁହେଁ, ଯାତ୍ରା ସାରା କଳାକାର ମାନେ ନୃତ୍ୟ, ସଙ୍ଗୀତ ଏବଂ ମାର୍ସାଲ୍ ଆର୍ଟର ପ୍ରଦର୍ଶନ କରିକରି ଚାଲନ୍ତି।

୧୦) ମଶାଲ୍ ଯାତ୍ରା (Torch Light Parade): Jumbo procession ପରେ ଏହି ମଶାଲ୍ ଯାତ୍ରା ବା torch light parade କାର୍ଯ୍ୟକ୍ରମ ହିଁ ଦର୍ଶକ, ପର୍ଯ୍ୟଟକ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଦଶେରା ମହୋତ୍ସବରେ ସବୁଠାରୁ ଆକର୍ଷଣୀ ଅଟେ। ସ୍ଥାନୀୟ ଭାଷାରେ ଏହାକୁ ପଣଜିନା କାଓ୍ବାୟାଟ୍ଟୁ କୁହାଯାଏ। ବିଜୟାଦଶମୀ ସ°ନ୍ଧ୍ୟାରେ, ପ୍ରଥମେ ମହୀଶୁର ରାଜା ନିଜର ପାରମ୍ପରିକ ରାଜକୀୟ ପୋଷାକ ପିନ୍ଧି, ଘୋଡ଼ା ପିଠିରେ ବସି ବାନ୍ନୀମନ୍ତପ ପଡିଆ ଭିତରକୁ ପ୍ରବେଶ କରନ୍ତି। ତା’ପରେ ସୈନ୍ୟ-ସାମନ୍ତ ବର୍ଗ ରାଜାଙ୍କ ସମ୍ମାନରେ ବିଭିନ୍ନ ରଣକୌଶଳ ପ୍ରଦର୍ଶନ କରିବା ସହ ରାଜାଙ୍କ ସମ୍ମାନରେ ହାତରେ ପ୍ରଜ୍ବଳିତ ମଶାଲ୍ ଧରି ଏକ ଶୃଙ୍ଖଳିତ ଧାରାରେ ଡ୍ରିଲ୍ କରନ୍ତି। ଯଦିଓ ବର୍ତ୍ତମାନ ଏହା କେବଳ ଗୋଟିଏ ରାଜକୀୟ ଓ ଦଶହରା ମହୋତ୍ସବ ପରମ୍ପରାର ପ୍ରତୀକ ମାତ୍ର, କିନ୍ତୁ ଅତୀତରେ ଏହି ବିଶାଳ ମଶାଲ୍ ପରେଡର ପକୃତ ଉଦ୍ଦେଶ୍ୟ ମହୀଶୁର ରାଜାଙ୍କର ସାମରିକ ଶକ୍ତି ପ୍ରଦର୍ଶନ ଥିଲା, ଯାହା ଦ୍ୱାରା ସେ ନିଜ ପ୍ରଜାଙ୍କୁ ସୁରକ୍ଷୁତ ଅନୁଭବ କରାଉଥିଲେ। ମହୀଶୁର ଦଶହରାର ଏଇ ଭବ୍ୟ ଆୟୋଜନ ଓ ବିଶାଳ ଶୋଭାଯାତ୍ରା ଦେଖି ହିଁ ଜୟ ପ୍ରକାଶ ନାରାୟଣ ଏହାକୁ କର୍ଣ୍ଣାଟକର ରାଜ୍ୟ ମହୋତ୍ସବ ବା state festival of Karnataka ଘୋଷିତ କରିଥିଲେ।

           ମହୀଶୂର ଦଶେରାର ଏହି ସବୁ ପାରମ୍ପରିକ ରୀତିନୀତି ଛଡା ପୁଣି Karnataka Exhibition Authority ଦ୍ବାରା Doddakere Maidanରେ ବିଶେଷ ପ୍ରଦର୍ଶନୀର ଆୟୋଜନ କରାଯାଏ। ଏଥିରେ ରାଜ୍ୟର ପ୍ରତ୍ୟେକ ପ୍ରାନ୍ତରୁ ଆସିଥିବା ବିଭିନ୍ନ ଶିଳ୍ପୀଙ୍କ ଦ୍ଵାରା ହସ୍ତଶିଳ୍ପ ବସ୍ତୁ ଛଡା ରାଜ୍ୟରେ ବିଭିନ୍ନ କାରଖାନା ଏବଂ ଇଣ୍ଡଷ୍ଟ୍ରିରେ (ଘରୋଇ ଏବଂ ସରକାରୀ) ନିର୍ମିତ ବସ୍ତୁ ମଧ୍ୟ ମିଳେ। ମେଳା- ମେଲଣ ଲାଗେ। ପୁରୁଣା ମହୀଶୂର ରାଜପ୍ରାସାଦ ଓ ସ୍ବର୍ଣ୍ଣ ସି°ହାସନର କାଷ୍ଠ ନିର୍ମିତ ପ୍ରତିକୃତି, ଚଳିତ ବର୍ଷ ମେଲଣ ପଡିଆର ବିଶେଷ ଆକର୍ଷଣ ରହିଛି। ଏହାଛଡା ଅମ୍ବା ବିଲାସ୍, ଚିତ୍ତରଞ୍ଜନ, ଜଗନମୋହନ୍, ଜୟଲକ୍ଷ୍ମୀ ବିଲାସ୍, ଲଲିତା ମହଲ ପ୍ୟାଲେସ୍ ପରି ମହୀଶୂରରେ ମହଜୁଦ ଥିବା ସମସ୍ତ ୧୩ଟି ଯାକ ରାଜାପ୍ରାସାଦର ଛବି ଏବଂ ସେମାନଙ୍କ ନିର୍ମାଣ କାଳ ଏବଂ ଅନ୍ୟାନ୍ୟ ବିବରଣୀ ମଧ୍ୟ ପ୍ରଦର୍ଶିତ ହୋଇଛି। ଯେତେ ଭବ୍ୟ କି ସୁନ୍ଦର ଆୟୋଜନ ହୋଇଥାଉ, ଯେତେ ବଡ ମେଳା-ମଉଛବ ହୋଇଥାଉ ଯଦି ପାଟି ସୁଆଦିଆ ଖାଦ୍ୟ ଟିକେ ନଜୁଟିଲା, ମଜା ଅଧା ରହିଯାଏ। ମହୀଶୂର ଦଶେରାରେ ମଧ୍ୟ ସ୍ଥାନୀୟ ଏବଂ ପାରମ୍ପରିକ ଖାଦ୍ୟର (କେବଳ ମହୀଶୂରପାକ୍ ନୁହେଁ) ଆସର ଖୁବ୍ ଜମେ। ଏଥିପାଇଁ କାଳେ ଶ୍ରୀହର୍ଷ ରୋଡ୍ ସବୁଠାରୁ ଉପଯୁକ୍ତ।

About Dr. Ipsita Pradhan

Dr. Ipsita Pradhan is a doctor by profession and writer by passion.

View all posts by Dr. Ipsita Pradhan →

Leave a Reply

Your email address will not be published. Required fields are marked *