ଶେଷ ଦୃଶ୍ୟ (ଭାଗ-୨)

।। ୨ ।।

ଏକ ଛୋଟିଆ ସହର ପରି ପ୍ରତୀୟମାନ ହେଉଥିବା ସିଂହପୁର ଗାଁର ଯେଉଁ କୋଣରେ ମନ୍ତ୍ରୀଙ୍କ ବଙ୍ଗଳା ସଦୃଶ ଘରଟି ଅବସ୍ଥିତ, ସେଠି କାଳେ କିଛିବର୍ଷ ତଳେ ଥିଲା ଅନାବନା ଗଛବୃଚ୍ଛରେ ଭର୍ତ୍ତି ଏକ ସୁନ୍ଦର ଶ୍ମଶାନ । ସେତେବେଳେ ମନ୍ତ୍ରୀ ଦିନବନ୍ଧୁ ୱାର୍ଡମେମ୍ବର ସୁଦ୍ଧା ହୋଇନଥିଲେ । ତାଙ୍କ ମାଆ ପାଖ ହାଟରେ ସିଝାସୋଲା ବିକ୍ରି କରୁଥିଲେ ଓ ପୁଅ ‘ଦିନା’ କେମିତି ମନ୍ତ୍ରୀ ହେବ ଦିନରାତି ସେହି ପ୍ରକାର ସ୍ୱପ୍ନ ଦେଖୁଥିଲେ । ଦିନବନ୍ଧୁ ମନ୍ତ୍ରୀ ହେଲାପରେ କୌଣସି ଏକ ବହୁଳ ପ୍ରସାରିତ ଖବରକାଗଜରେ ପ୍ରକାଶିତ ତାଙ୍କର ଏକ ପ୍ରଲମ୍ବିତ ସାକ୍ଷାତକାରରେ, ସେ ତାଙ୍କର ଏହି ପିଲାଦିନର ଦୁଃଖଦ ଗୁମରଟି ରାଜ୍ୟବାସୀଙ୍କ ଆଗରେ ଖୋଲି ଦେଇଥିଲେ । କିନ୍ତୁ ଏ ଅଂଚଳର ପୁରୁଖା ଲୋକେ କହନ୍ତି, ଏହା କାଳେ ଥିଲା ମନ୍ତ୍ରୀଙ୍କର ଏକ ତୁଚ୍ଛା ଗୁଲିଗପ । ବାସ୍ତବରେ ମନ୍ତ୍ରୀଙ୍କ ମାଆ କାଳେ ହାଟରେ ସୋଲା ବିକ୍ରି କରିବା ଏକ ବାହାନା ଥିଲା ମାତ୍ର । ବାସ୍ତବରେ ସେ ଥିଲେ ଏ ଅଂଚଳର ପୁରୁଣା ଜମିଦାର ସୌର୍ଯ୍ୟସୁନ୍ଦର ରାୟଙ୍କର ଏକାଧିକ ରକ୍ଷିତାଙ୍କ ଭିତରୁ ଜଣେ । ଯିଏକି ହାଟରେ ସୋଲା ବିକ୍ରି କରିବା ଆଳରେ, ଜମିଦାରଙ୍କ ପାଇଁ ବାହାର ଦୁନିଆରୁ ଖବର ସଂଗ୍ରହ କରୁଥିଲେ ଓ ବାସରାତିରେ ଚୁପୁଚୁପୁ କରି ଜମିଦାରଙ୍କ କାନରେ ତାହା ଶୁଣାଉଥିଲେ । ଜମିଦାରଙ୍କ ରକ୍ଷିତା ଭାବରେ ଦିନବନ୍ଧୁଙ୍କ ମାଆ ଅନେକ ସଂପତ୍ତିର ମାଲିକ ବନି ଯାଇଥିଲେ ।

ସେଇ ହିଁ ସିଂହପୁର ଗାଁ ଲୋକଙ୍କ ଶତ ବିରୋଧ ସତ୍ୱେ, ପ୍ରାୟ ଦଶ ଏକର ପରିମିତ ଏହି ଶ୍ମଶାନ ଜମି ଖଣ୍ଡକ ମାଡି ବସିଥିଲେ, କିନ୍ତୁ ଜମିଦାରଙ୍କ ପ୍ରଭାବରୁ ତାଙ୍କର କେହି କିଛି କରିପାରି ନଥିଲେ । କାଳକ୍ରମେ ଦିନବନ୍ଧୁ ଛାତ୍ରନେତା, ପରେ ପରେ ୱାର୍ଡ ମେମ୍ବର, ପରେ ପରେ ସରପଂଚ, ପରେ ପରେ ସମିତି ସଭ୍ୟ, ପରେ ପରେ ବ୍ଲକ୍ ଅଧ୍ୟକ୍ଷ ଏବଂ ସବାଶେଷରେ ବିଧାୟକ ପଦ ଅଳଙ୍କୃତ କରି ଏ ଅଂଚଳକୁ ଧନ୍ୟ କରିଥିଲେ ଓ ଜଣେ ପ୍ରଭାବଶାଳୀ ବ୍ୟକ୍ତିରେ ପରିଣତ ହୋଇଥିଲେ ।

“ବାବୁ ଓକିଲ ସାର୍ ଆସିଛନ୍ତି । ୱେଟିଂରୁମ୍‌ରେ ଅଛନ୍ତି । ଭିତରକୁ ଡାକିଦେବି ?’

ଗରମ ଚା’ଟା ଥୋଇଦେଇ ମନ୍ତ୍ରୀଙ୍କ ଖୁବ୍ ପାଖରୁ ଲାଗିକି ଠିଆହେଲା ଚାକରାଣୀ ସୋନିଆ । ଦେହରେ ଯୌବନ ଖଇ ଫୁଟୁଛି । ଯେମିତି ସଦ୍ୟଫୁଟା ଚମ୍ପା କଢିଟିଏ । ଯେମିତି ଛନଛନ ହୋଇ ବଢୁଥିବା ବାଉଁଶ ବୁଦାଟିଏ । ଗରମ ଚା’ ପିଉ ପିଉ ମନ୍ତ୍ରୀ ଦିନବନ୍ଧୁ ତାକୁ ଲୋଭିଲା ଆଖିରେ ଦେଖିଲେ ଓ ତରତର ହୋଇ ଦୁଇଢୋକ ଚା’ ଅଧିକ ପିଇଦେଲେ । ଅନ୍ୟଦିନ ହୋଇଥିଲେ ଏଇ ସକାଳୁ ସକାଳୁ ହିଁ ତା ଦେହରେ ଟିକେ ହାତ ବୁଲେଇଥାନ୍ତେ ଦିନବନ୍ଧୁ । ତାଙ୍କୁ ଲାଗେ ଖାସ୍ ତାଙ୍କରି ପାଇଁ ହିଁ ବିଚାରୀ ସୋନିଆ, ଏମିତି ଏକ ଉଚ୍ଛନ ବୟସରେ, ତାଙ୍କ ପତ୍ନୀଙ୍କଠାରୁ ସବୁ ପ୍ରକାର ଗଂଜଣା ସହି ଏ ଘରେ ପଡି ରହିଛି । ଆହାଃ !

‘ଓକିଲଙ୍କୁ ଭିତରକୁ ଡାକ୍ । ତୋ କଥା ଆଜି ରାତିରେ ବୁଝିବି, ଯାଃ !’

ମନ୍ତ୍ରୀ ଦିନବନ୍ଧୁ ମହାନ୍ତିଙ୍କ ପାଖରେ ମଉଜ ପାଇଁ ସମୟ ନଥିଲା । ଏବେ ସମୟ ଟିକେ ମୋଡାଣି ନେଇଛି । ଗତକାଲିଠୁ ବୋହୂ ତାଙ୍କ ନାଁରେ ଥାନାରେ କେଶ୍‌ଟା ଠୁଙ୍କି ଦେଲାବେଳଠୁ ତାଙ୍କ ଛାତିରେ ଛନକା ପଶିଛି । ମନ୍ତ୍ରିପଦ ଚାଲିଯିବ କି ? ପୋଲିସ୍ ବାନ୍ଧି ନେବ କି ? ସବୁ ଓଲଟପାଲଟ ହୋଇଯାଇଛି । କିଃ ସାହସଃ ସେଃ ଟୋକିଟାରଃ !! ତାଙ୍କ ପରି ପାୱାରଫୁଲ୍ କ୍ୟାବିନେଟ୍ ମନ୍ତ୍ରୀ ନାଁରେ କେଶ୍ କରିଦେଲା !!

କାଲି ସଂଧ୍ୟାରେ ଯେତେବେଳେ ସେ କ୍ୟାବିନେଟ୍ ବୈଠକରେ ବସିଥିଲେ ଏବଂ ତାଙ୍କରି ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ଉପରେ ମୁଖ୍ୟମନ୍ତ୍ରୀଙ୍କୁ ବୁଝାଉଥିଲେ, ଠିକ୍ ସେଇ ସମୟରେ ଥାନା ଆଇଆଇସି ଚମ୍ପତିରାୟ ଫୋନ୍ କରିଥିଲା । ସେ ଶଳା ମାଇକିନିଆ ଏସ୍‌୍‌ପିର ଏ ସବୁ କାମ । ତା’ର ଏଡେ ସାହସ ! ମୋ ପରି ପାୱାରଫୁଲ୍ କ୍ୟାବିନେଟ୍ ମନ୍ତ୍ରୀଠେଇଁ ହାତ ମାରିଦବ !! ଆଛାଃ ଦେଖିବା !! ତତେ ଯଦି ଓଡିଶାରୁ ନ ତଡିଚି ଲୋ ଝୁଅ ତେବେ ମତେ ତୁ ଜାଣିବୁ । ତୁ ମୂଷାଟିଏ ଗିଳିଦେଇ ଶୋଇଥିବା ନାଗ ସାପଠେଇଁ ବାଡି କେଂଚି ଦେଇଛୁ ।

ଚମ୍ପତିରାୟ କହିଲା- ‘ସାର୍ ଗଡବଡ ହେଇଗଲା । ବୋହୂ ମାଆ ଆପଣଙ୍କ ନାଁରେ କେଶ୍‌ଟା ଠୁଙ୍କି ଦେଲେ । ଜଗି ଜଗି ଆଉ ପାରିଲିନି । ଏସ୍‌ପି ମାଡାମ୍ ତାଙ୍କୁ ହେଲ୍ପ କଲେ । ଲୋକ ପଠେଇ ବୋହୂ ମାଆଙ୍କୁ ଡରା ଧମକା କରେଇଲି । ଗୁଣ୍ଡା ଲଗେଇ ଘର ଉପରକୁ ପଥର ଫିଙ୍ଗେଇଲି । କିନ୍ତୁ କିଛି ହେଲାନେଇଁ ସାଆର୍ । ଏଣିକି ଆପଣଙ୍କ ଡ୍ୟାସ୍ ଆପଣ ସମ୍ଭାଳନ୍ତୁ । ସେ ମାଇକିନା ଏସ୍‌ପି ମୋ ଡ୍ୟାସ୍ ଫଟେଇ ଦବ ସାର୍ । କେତେଥର କହିଚି, ସାଆର୍ ତାକୁ ଏଠୁ ହଟାନ୍ତୁ । ସେ ଉପୁରୁ ପାୱାର୍ ପାଇଚି ବୋଧେ । କାହା କଥା ଶୁଣିଲାନେଇଁ ସାଆର୍ । ଏବେ କ’ଣ କରିବା ?’

ଛେନା ଗୁଡଟେ କରିବା ! ଗୋଟେ କାମ ବି ଏ ଲୋକଟା ଦ୍ୱାରା ଠିକ୍‌ରେ ହେଲାନି । ଶଳା ସାତବର୍ଷ ହେଲା ଯାଇକି ନୂଆପଡାରେ ପଡିଥିଲା । ମନ୍ତ୍ରୀ ହେଲାପରେ ମୋ ଗୋଡହାତ ଧରିଲା । ଶଳାକୁ ମୋ ପାଖକୁ ଆଣିଥିଲି । କିନ୍ତୁ କାମଟା ଠିକ୍‌ରେ ମୁଣ୍ଡି ମାରି ପାରିଲା ନାହିଁ !! ଅବଶ୍ୟ ଅନେକ ଅସମୟରେ ଏଇ ଚମ୍ପତିରାୟ ହିଁ ମତେ ସାହାଯ୍ୟ କରିଛି । ଦିନେ ରାତିରେ ଗୋଟେ ବିଧବା ମାଇକିନା ସହ ତା ଘରେ ଡାରେନାରେ କରୁଥିବା ବେଳେ, ଶଳା କୋଉଠୁ ଖବର ପାଇଲେ କେଜାଣି ବିରୋଧୀ ଦଳ ବାଲାଙ୍କ ଚେଲାଚାମୁଣ୍ଡା ଯାଇକି ହାଜର ହେଇଗଲେ ସେ ଘର ଆଗରେ ଅଧରାତିରେ । ସେଦିନ ଏଇ ଚମ୍ପତିରାୟ ଥିଲା ବୋଲି, ସେଠୁ ମୁକୁଳିକି ଆସିଲି । ନହେଲେ ମାନସମ୍ମାନ ଛ’ଗଣ୍ଡା ଦି’କଡା ହେଇଯାଇଥିଲା ବୋଲି ଜାଣ ।

‘ହଉ ହଉ ତୁ ନଜର ରଖିଥା ସେ ମାଇକିନା ଏସ୍‌ପି ଉପରେ । ମଉକା ପାଇଲେ ଚିରିକି ଫିଙ୍ଗି ଦେ ସେ ଏଫ୍‌ଆଇଆର୍ କପିଟା । ଟାଇମ୍ ଟୁ ଟାଇମ୍ ଖବର ଦଉଥିବୁରେ ବଚ୍ଚା । ଆଜି ରାତିରେ ମୁଁ ସିଂହିପୁର ଫେରୁଚି । ଆସିକି ଦେଖା କରିବୁ ମତେ ।’

ଉଭୟ ଡାଇବେଟିସ୍ ଓ ବ୍ଲଡ୍‌ପ୍ରେସର ରୋଗରେ ଆକ୍ରାନ୍ତ ମନ୍ତ୍ରୀ ଦିନବନ୍ଧୁ ମହାନ୍ତି, ଖବରଟା ଶୁଣୁ ଶୁଣୁ ଥରିବା ଆରମ୍ଭ କରିଥିଲେ । ପର୍ସନାଲ୍ ଆସିଷ୍ଟାଂଟ୍ ଚେତନ ପ୍ରଧାନ ଉର୍ଫ ଚଙ୍କି ତାଙ୍କୁ ସମ୍ଭାଳି ନେଲା । ସେହି ମୁହୂର୍ତରେ ତାଙ୍କର ତାଙ୍କ ଗୁଣବନ୍ତି ଅର୍ଧାଙ୍ଗିନୀଙ୍କୁ ଚପଲରେ ବାଡେଇବାକୁ ଇଚ୍ଛା ହେଉଥିଲା । ଶାଳୀ ମାଇକିନାକୁ କେତେଥର ନ କହିଛି, ଜନାକାରୀ କେଶ୍ ହେଇଯିବ, ଏସବୁ ମାମଲାରେ ପଶନା । କିନ୍ତୁ ବୋହୂଟାକୁ ନାହିଁନଥିବା ନିର୍ଯାତନା ଦେଲା । ଏତେ ଲୋଭ ଯେ, ଚତୁର୍ଥୀ ଷ୍ଟେଜ୍ ଉପରୁ ବୋହୂଟାର ଦେହରୁ ସୁନା ଓ ହୀରା ଗହଣା ଯାକ, ତାରରୁ ଲୁଗା ତୋଳିଲା ପରି ଓଟାରି ଆଣିଲା । ଓଃ ! କି ଲଜ୍ଜାକର କଥା କହିଲେ !! ବୋହୂଟା କ’ଣ କୁଆଡେ ପଳେଇ ଯାଉଥିଲା ? ଘର ଜିନିଷ ଘରେ ତ ଥିଲା । ବୋହୂଟା କିନ୍ତୁ ସୁନା ଗହଣା ପିନ୍ଧିକି ସତରେ ଅପ୍ସରା ପରି ଦିଶୁଥିଲା । ଶ୍ୱଶୁର ପକ୍ଷରେ ଏମିତି ଭାବିବା ପାପ, କିନ୍ତୁ ପୁରୁଷ ଆଖିକୁ ତ କୁଆଡେ ଲୁଚେଇ ଦେଇ ହେବନି । ମନ ମୋର ଉଚ୍ଛନ ହେଇଯାଉଥିଲା । ବୋଧହୁଏ ସେଦିନ ସେଇ ଚତୁର୍ଥୀ ଭୋଜିରେ ବୋହୂ ପ୍ରତି ମୋର ଏ ଲୋଲୁପ ଦୃଷ୍ଟିକୁ ମୋ ଚତୁର ଅର୍ଧାଙ୍ଗିନୀ ଧରି ଦେଇଥିଲେ । ସେଇ କାରଣରୁ ବୋଧେ ସେ ବୋହୂ ଦେହରୁ ଗହଣା ଯାକ ସଙ୍ଗେ ସଙ୍ଗେ ସର୍ବ ସମ୍ମୁଖରେ ଓହ୍ଲେଇ ନେଇଗଲେ । ଆଉ କାରଣଟା ଦର୍ଶେଇଲେ ଯେ, ଆଜିକାଲି ଚୋରତସ୍କର ଯୁଗ, କେତେବେଳେ କିଏ ଝାମ୍ପି ନେବ କାହାକୁ ବା ଭରସା ? ଅର୍ଧାଙ୍ଗିନୀଙ୍କ ଏ ଚତୁର କଥାରେ ମନ୍ତ୍ରୀ ଦିନବନ୍ଧୁ ମହାନ୍ତି ସେଦିନ କେବଳ ଚୁପୁ ଚୁପୁ ହସିଥିଲେ ।

‘ସାର୍ ନମସ୍କାର ।’

ମନ୍ତ୍ରୀ ଦିନବନ୍ଧୁ ମହାନ୍ତିଙ୍କୁ ନମସ୍କାର ହେଲେ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ବ୍ରଜବନ୍ଧୁ ପଟ୍ଟନାୟକ । ତାଙ୍କ ଓକିଲାତି ବିଦ୍ୟା ବଳରେ ବ୍ରଜବନ୍ଧୁ କାଳେ ମଣିଷକୁ ଚଢେଇ ଓ ବଳଦକୁ କୋଇଲି ବନେଇ ଦେଇପାରନ୍ତି । ମହକିଲମାନେ କାଳେ ତାଙ୍କୁ ଓକିଲ ନକହି ଯାଦୁଗର ବୋଲି କହନ୍ତି । ତାଙ୍କ ମୁଣ୍ଡରେ ଯେତିକି ବାଳ ପାଚି ଯାଇଛି, ସେ ସବୁ କାଳେ ଓକିଲାତି ବିଦ୍ୟାର ପରିପକ୍ୱତା । ବାକି ଯେଉଁ କିଛି ବାଳ ପକ୍ୱ ହୋଇନାହିଁ ବା କଳା ମୁଚୁମୁଚୁ ହୋଇ ରହିଛି, ତାହା କାଳେ ବ୍ରଜବନ୍ଧୁଙ୍କ ଯୁବସୁଲଭ ଆଚରଣକୁ ଦର୍ଶାଉଛି । ମହକିଲଙ୍କଠାରୁ ସେ କାଳେ ପାଉଣା ଆକାରରେ କେବଳ ଗାନ୍ଧିମୁଣ୍ଡ ନିଅନ୍ତି ନାହିଁ, ଘର, ଗାଡି, ପ୍ଲଟ୍‌, ଏପରିକି ବେଳେବଳେ କଷିକନ୍ୟାଙ୍କ ସାହଚର୍ଯ୍ୟ ବି ଗ୍ରହଣ କରନ୍ତି । ମଝିରେ ମଝିରେ ଟିନ୍ ଏଜ୍ ଝିଅଙ୍କ ସହ ସେକ୍ସ କରୁଥିବାରୁ କାଳେ ଭିତରେ ଭିତରେ ତାଙ୍କ ଯୌବନ ଏବେବି ବଳବତ୍ତର ରହିଛି ବୋଲି ଓକିଲ ବ୍ରଜବନ୍ଧୁ ପଟ୍ଟନାୟକ ଭାବନ୍ତି ।

‘ବଡ ବିପଦ ପଡିଗଲା ବରଜୁ ବାବୁ । କଥାଟାକୁ ବର୍ଷେ ହେଲା ସମ୍ଭାଳିକି ରଖିଥିଲି, କିନ୍ତୁ ଆଉ ହେଲାନି । ସବୁ ବିଗିଡି ଗଲା । ଏବେ କ’ଣ କରିବା କୁହ ? ତମ ବିଛାବିଦ୍ୟା ଏ ନାଗକନ୍ୟା ଦଂଶନକୁ ସମ୍ଭାଳି ପାରିବ ତ ?’

ଓକିଲ ବ୍ରଜବନ୍ଧୁଙ୍କୁ ମନ୍ତ୍ରୀ ଦିନବନ୍ଧୁ ଶ୍ରଦ୍ଧାରେ ବରଜୁ ବୋଲି ଡାକନ୍ତି । ଦୁହିଁଙ୍କର ଏ ବନ୍ଧୁତା ଛାତ୍ର ରାଜନୀତି ବେଳୁ । ଦିହେଁ ହଷ୍ଟେଲରେ ଗୋଟିଏ କୋଠରୀର ବାସିନ୍ଦା ଥିଲେ । ରାତି ଅନିଦ୍ରା ହୋଇ ଦିହେଁ ଅନେକ ନୀଳ ସିନିମା ଦେଖିଛନ୍ତି, ଟୋକିଙ୍କୁ ଲାଇନ୍ ମାରିଚନ୍ତି, ଅବିବାହିତା ଅଧ୍ୟାପିକାଙ୍କ କ୍ୱାର୍ଟରରେ ପଶି ଅତ୍ୟଧିକ ଉତ୍ତେଜନାପ୍ରବଣ ହୋଇ ତାଙ୍କ ଅନ୍ତର୍ବସ୍ତ୍ର ଚୋରି କରିଛନ୍ତି । ପାଠଶାଠକୁ ବାଙ୍କୁସରେ ତାଲା ମାରି, ମନ୍ତ୍ରୀ ଦିନବନ୍ଧୁ ଛାତ୍ର ରାଜନୀତିରେ ମାତୁଥିଲେ, ଆଉ କିଛି କୁଆଡୁ ନହେଲାରୁ ବାଳୁଙ୍ଗା ବ୍ରଜବନ୍ଧୁ ଓକିଲାତି ପାଠ ପଢିଥିଲେ । ନହେଲେ ବିଶ୍ୱବିଦ୍ୟାଳୟରେ ହଷ୍ଟେଲ୍ ରୁମ୍‌ଟା ହାତଛଡା ହୋଇ ଯାଇଥାନ୍ତା ।

‘ତମକୁ ଏବେ ଲୁଚିବାକୁ ପଡିବ ସାଙ୍ଗ ।’

‘ମାନେ? ତମ ମୁଣ୍ଡଫୁଣ୍ଡ ଖରାପ ନା କ’ଣ ?’

‘ବ୍ୟସ୍ତ ହୁଅନି । ଏ ଜନାକାରୀ କେଶ୍ ଏମିତିକା । ଥରେ ଥାନାରେ କେଶ୍ ହେଲେ ବନ୍ଧା ହେବା ଥୟ । ମୁଁ ସବୁ ରେଡ୍ଡି କରି ଆଣିଛି । ବେଲ୍ ପାଇଁ ଆପ୍ଲାଏ କରିଦେବା । କିନ୍ତୁ କିଛି ଗ୍ୟାରେଂଟି ନାହିଁ । ବେଲ୍ ମିଳିଲା ପର୍ଯ୍ୟନ୍ତ ତମେ କୁଆଡେ ଲୁଚିଯାଅ ।’

‘ହେଃ ! ତମେ କି ବାଳ ଓକିଲ କିହୋ ? ମୁଁ କ୍ୟାବିନେଟ୍ ମନ୍ତ୍ରୀ । ମାନ ଇଜ୍ଜତ ରହିବ ଟି ?’

‘ଆରେଃ ସେଇଥି ପାଇଁ ତ କହୁଛି । ତମେ ଜମା ବ୍ୟସ୍ତ ହୁଅନି । ହାତକଡା ଏଡେଇବାକୁ ମୁଁ ବନ୍ଦୋବସ୍ତ ବି କରିଛି । ଜାଗା ବି ଠିକ୍ କରିଦେଇଛି । ତମେ ଖାଲି ରେଡ୍ଡି ହେଇକି ଥାଅ, କହିଲେ ଲୁଚିଯିବ । ବେଲ୍ ମିଳିଲେ ପୁଣି ଗୁମ୍ଫାରୁ ବାହାରିବ ।’

ମନ୍ତ୍ରୀ ଦିନବନ୍ଧୁ ମହାନ୍ତି ବିମର୍ଷ ଦିଶିଲେ । ଏକ ଦୋଳାୟମାନ ଚୌକିରେ ବସି ସେ ଚାହିଁଥିଲେ ଦୂର ଦିଗନ୍ତରେ ଚିତ୍ର ପରି ଦିଶୁଥିବା ବିଲମାଳ ଆଡକୁ । ଅ।।ହାଃ ! କି ସୁନ୍ଦର ସତେ ଏ ପୃଥିବୀ । ରାଜନୀତି କରିବା ପରେ ସେ ଆଉ ଥରଟିଏ ହେଲେ ତାଙ୍କ ଘର ଆଗରେ ଥିବା ଏ ବିସ୍ତୀର୍ଣ୍ଣ ସବୁଜିମାକୁ ନିରିଖେଇ ଦେଖିବାକୁ ସମୟ ପାଇନାହାଁନ୍ତି । ମନେ ମନେ ଭାବୁଥିଲେ, ଜୀବନ କ’ଣ ଏକ ଅପେରା ? ଯୋଉଥିଲେ ମଂଚସ୍ଥ ହେଉଥିବା ଅନେକ ଅଧ୍ୟାୟ ଭିତରେ ଇଏ ଆଉ ଗୋଟିଏ ଅଧ୍ୟାୟ ? ଏବେ ସେ କୋଉ ରୋଲ୍‌ରେ ଅଛନ୍ତି ? ହିରୋ ? ଭିଲେନ୍ ? ନା ଚରିତ୍ର ଅଭିନେତା ?

‘ଘରଟା ଯୋଉଠି ବୁଝୁଛ ବୁଝ ଦିଅର, ସେଠି କିନ୍ତୁ ଗୋଟେ ଠାକୁର ଘର ନିଶ୍ଚୟ ରଖିଥିବ । ସେ ବାହାର ଦୁନିଆରେ ମୁଁ ଠାକୁର ବାକୁର ପୁଣି କୋଉଠୁ ପାଇବି?’

ଓକିଲ ବ୍ରଜବନ୍ଧୁ ପଟ୍ଟନାୟକଙ୍କ ପାଇଁ ହାତରେ ଚା’ କପେ ଧରି ବାଲ୍‌କୋନୀରେ ପହଞ୍ଚିଲେ ସୁନ୍ଦରମଣି ମହାନ୍ତି ଓରଫ୍ ମିସେସ୍ ମନ୍ତ୍ରିଆଣୀ । ତାଙ୍କ ପାଇଁ ସବୁଠାରୁ ବଡ ଚିନ୍ତା ଠାକୁର ପୂଜା । ଦିନକୁ ତିନିଥର ଗାଧାନ୍ତି ଓ ତିନିଥର ଠାକୁର ପୂଜା କରନ୍ତି । ପ୍ରତିଥର ପୂଜାର ଡ୍ୟୁରେସନ୍ ହେଲା ଏକଘଂଟା ପାଂଚ ମିନିଟ୍ । ଏ ଗୁରୁମନ୍ତ୍ରଟି ସେ ପାଇଥିଲେ କୌଣସି ଜଣେ ସାଧୁଙ୍କଠାରୁ । କୁହାଯାଏ, ଯାହାଙ୍କ କୁଛ୍ର ସାଧନା ବଳରେ କାଳେ ଦିନବନ୍ଧୁ ମହାନ୍ତି ଏ ବହୁ ପ୍ରତୀକ୍ଷିତ ମନ୍ତ୍ରିପଦଟି ହାତେଇ ପାରିଥିଲେ । ବହୁଦିନ ତଳେ ଦିନବନ୍ଧୁଙ୍କ ଘରେ କାମ କରୁଥିବା ଜଣେ ଚାକରର ଛୋଟ ଝିଅଟିଏ ହଠାତ୍ କୁଆଡେ ଗାଏବ୍ ହୋଇଗଲା । ଏବେସୁଦ୍ଧା ସେ ଚାରିବର୍ଷୀୟା ଝିଅଟି କୁଆଡେ ଗଲା ତାହା କେହି ଜାଣିପାରି ନାହାଁନ୍ତି । ଲୋକେ କୁହାକୁହି ହୁଅନ୍ତି, ମନ୍ତ୍ରିପଦ ପାଇବାକୁ ଦିନବନ୍ଧୁ ମହାନ୍ତିଙ୍କୁ କାଳେ ଶ୍ମଶାନ ଦେବୀଙ୍କ ପାଖରେ ମଣିଷ ବଳି ଚଢେଇବାକୁ ପଡିଛି । ଆଉ ସେଇ ଚାରିବର୍ଷୀୟା ଝିଅଟିର ରକ୍ତରେ କାଳେ ଦିନବନ୍ଧୁଙ୍କ ମନ୍ତ୍ରି ଆସନ ଜୁଡୁବୁଡୁ । ହେଇଥିବ । ଏ କଥା ଖାଲି ଶୁଣିବା କଥା । କିନ୍ତୁ ଏହା ସ୍ୱୀକାର୍ଯ୍ୟ ଯେ, ପତ୍ନୀ ସୁନ୍ଦରମଣୀଙ୍କ କଳ କୌଶଳ ଯୋଗୁ ମନ୍ତ୍ରୀ ଦିନବନ୍ଧୁଙ୍କ ଏ ସାମ୍ରାଜ୍ୟରେ ଏମିତି ଫୁଲଫଳ ଧରିଛି । ଅନ୍ୟଥା ରାଜ୍ୟରେ ଅନେକ ନେତା ମନ୍ତ୍ରୀ ଅଛନ୍ତି । କିନ୍ତୁ କ୍ୟାବିନେଟ୍‌ରେ ଦିନବନ୍ଧୁଙ୍କ ଏତେ ଶକ୍ତି କେମିତି ଆସିଲା ?

‘ଉଁହ୍‌ଃ !! ଠାକୁର ଘର ନା ଚୋପା । ସ୍ୟାଡେ ହାତକଡା ପଡିବାକୁ ବସିଲାଣି ୟାକୁ ଠାକୁର ଘର ଦରକାର ପଡିଛି ! ବେଧେଇ ମାଇକିନା କଥାଟାକୁ ଏମିତି ଅସମ୍ଭାଳ କରୁଥିଲୁ କାହିଁକି ? ବୋହୂଟା ତ ଘରେ ଥିଲା, ସୁନାଅଣ୍ଡା ଦିଆ କୁକୁଡା । ସେ କ’ଣ କୁଆଡେ ପଳୋଉଥିଲା ? ତାକୁ ଦେଲା ଫିଡିକେଇ । ଏବେ ସମ୍ଭାଳେ । ଶଳା ମୁର୍ଖ କୋଉଠିକାର । ଏବେ ମୁଁ ଚାଲିଲି । ତମେ ତମ କଥା ସମ୍ଭାଳ ।’

ପତ୍ନୀଙ୍କ ଠାକୁର ଘର କଥା ଶୁଣି ମନ୍ତ୍ରୀ ଦିନବନ୍ଧୁ, ଦେହରେ ମଶା ଲାଗିଲା ପରି ଖାଲି ବାଡେଇ ଛାଟି ହେଲେ । ଯେମିତି ମଶା ଡାଆଁଶ ଲାଗିଲେ ହୁଅନ୍ତି କଷା ଦାମୁରୀ । ସେ ଆହୁରି ଅଧିକ ଚିନ୍ତିତ ଦିଶିଲେ । ସେ ମୁଖ୍ୟମନ୍ତ୍ରୀଙ୍କର ପୂରା ପାଖ ଲୋକ । ଭଲ କରି ଓଡିଆ ଜାଣିନଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ କନିଷ୍କ ପଟ୍ଟନାୟକ କଥା କଥାକେ ‘ଡିନାବଣ୍ଡୁ ବାବୁ ଡିନାବଣ୍ଡୁ ବାବୁ’ ହୁଅନ୍ତି । ସେଇ ମଉକାରେ ଦିନବନ୍ଧୁ ମହାନ୍ତି ଏବେ ରାଜ୍ୟର ପାୱାରଫୁଲ୍ କ୍ୟାବିନେଟ୍ ମନ୍ତ୍ରୀ । ତାଙ୍କ ମୁଣିରେ ଏବେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗ, ପରିବା ପାଛିଆରେ ଆଳୁ ଗଡିଲା ପରି ଗଡୁଛନ୍ତି । କାହାକୁ ଖଣି ଦେଲେଣି ତ କାହାକୁ ପାଣି । ପୁଣି କାହାକୁ ପ୍ରାଇଭେଟ୍ କଲେଜ କରିବାକୁ ଅନୁମତି ଦେଲେଣି ତ କୋଉ ସୁପରକ୍ଲାସ୍ କଂଟ୍ରାକ୍ଟରକୁ ବଡବଡ ଟେଣ୍ଡର ଚୁଟ୍‌କିରେ ଦେଇଦେଇ ପାରନ୍ତି । ଏମିତି ପାୱାର ପ୍ଲେ ବେଳକୁ ଏ ମାଇକିନା ନାଟ ଲଗେଇ ଦେଲା । ଶାଳୀ ବେଧେଇକି ଚପଲରେ ବାଡେଇଲେ ଯାଇକି ତାଙ୍କ ମନ ଶାନ୍ତ ପଡିବ ।

‘ମଲାଃ ! ମୋ ଉପରେ କାହିଁକି ଗରଗର ହୋଉଛ ? ହେଇଟି ମୁଁ ରତନପୁର ଜମିଦାର ଝିଅଟି । ମତେ ଏତେ ନାଲିଆଖି ଦେଖାନା । କେତେ ଲୋକଙ୍କ ନାଲି ରକତରେ ମୋ ବୋପା ଗାଧୋଉଥିଲା । ତମେ ତ ରକ୍ଷିତାର ପିଲା, ଜମିଦାର ଘର କଥା କାହୁଁ ବୁଝିବ ? ତମ ମନ୍ତିରି ଫନ୍ତିରି ତମ ପାଖରେ ରଖ ହେଃ । ତମେ କ’ଣ ମାଗଣାରେ ମନ୍ତିରି ହେଇଚ ନା କ’ଣ ? ସବୁ ସେଇ ଯକ୍ଷବାବାଙ୍କ କରାମତି । ମଣିଷ ରକତ ଦେଇ ଗ୍ରହଶାନ୍ତି କରିବାକୁ ମତେ ପୂରା ଗୋଟିଏ ହପ୍ତା ମଶାଣିରେ ରହିବାକୁ ପଡିଥିଲା । ସେ କଥା କ’ଣ ଭୁଲିଗଲ ନା କ’ଣ ? କହିଲା କଅଣନା ମନ୍ତିରି । ହୁଟ୍ ବେ ରକ୍ଷିତା ଛୁଆ । ଗୋଟିଏ ନାତରେ ତୋ ମନ୍ତ୍ରିରିମଣ୍ଡଳ ଭାଙ୍ଗିଦେବି ଜାଣିଛୁ ମତେ ? ତୋର ସେ ଛକ୍କା ମୁଖ୍ୟମନ୍ତ୍ରୀକୁ ଆଇତି କରିବାକୁ ମୁଁ କ’ଣ ସବୁ କରିଛି ମନେ ନାହିଁକି ?’

ପତ୍ନୀ ସୁନ୍ଦରମଣିଙ୍କ ରାଗ ଦେଖିକି ମନ୍ତ୍ରୀ ଦିନବନ୍ଧୁଙ୍କର ପିଳେହି ପାଣି । ସାରା ଜୀବନ ସେ ୟାଙ୍କରି ପାଖରେ ମୂଷାଛୁଆ ପରି ରହିଛନ୍ତି । ବେଳେବେଳେ ତାଙ୍କୁ ସୁନ୍ଦରମଣି ଦିଶନ୍ତି ସାକ୍ଷାତ କାଳୀ ମୂର୍ତିଟିଏ ପରି । ଯିଏ ହାତରେ ଖଣ୍ଡା ଖର୍ପର ଧରି, ରୁଦ୍ରମୂର୍ତି ଧାରଣ କରି, ହାତେ ଲମ୍ବର ଜିଭ କାଢି ଠିଆ ହୋଇଛନ୍ତି ତାଙ୍କ ଛାତି ଉପରେ । ଆଉ ପ୍ରଭୁ ଶିବଙ୍କ ପରି ସେ ମଲାଗଲା ଅବସ୍ଥାରେ ତଳେ ପଡିଛନ୍ତି । ଓହୋଃହୋଃ ସେମିତି ଦୃଶ୍ୟ ମନକୁ ଆସିଲେ ମନ୍ତ୍ରୀ ଦିନବନ୍ଧୁ ଖରାମାସରେ ବି ରେଜେଇ ଘୋଡେଇ ହୋଇ ଶୟନ ଯାଆନ୍ତି । ନାରାୟଣ ନାରାୟଣ ।

‘ଓହୋଃ ଭାଉଜ ରାଣୀ, ଏମିତି ରାଗୁଚ କାହିଁକି? ଟିକିଏ ଶାନ୍ତ ପଡ ଭଲା । ଏ ବେଳରେ ଖସିବାର ବାଟ ଖୋଜିବା ନା ଏମିତି ନିଜ ଭିତରେ ଲଢେଇ କରିବା ?’

ଖାନଦାନି ଓକିଲ ବ୍ରଜବନ୍ଧୁ ପଟ୍ଟନାୟକ, ମନ୍ତ୍ରିଆଣୀ ସୁନ୍ଦରମଣିଙ୍କୁ ବୋଧ ଦେଲାପରି କହିଲେ ଓ ନିଜ ବ୍ୟାଗ୍‌ରୁ ଖାତା ଖତିଆନ ବାହାର କରି ଭୟାଳୁ ଦିନବନ୍ଧୁ ଓ ରୁଦ୍ରମୂର୍ତି ସୁନ୍ଦରମଣିଙ୍କ ଏକାଧିକ ଦସ୍ତଖତ ନେବାରେ ଲାଗିଲେ । ଉଭୟଙ୍କ ଦସ୍ତଖତ ସତରେ ଦେଖିବାର ଥିଲା । ମନ୍ତ୍ରୀ ଦିନବନ୍ଧୁଙ୍କ ‘ସଇ’ ଦିଲ୍ଲୀରୁ ଆଗ୍ରା ଦେଇ ଜାମ୍ମୁକାଶ୍ମିରରେ ପହଂଚିଲା ବେଳକୁ ସୁନ୍ଦରମଣିଙ୍କ ‘ସଇ’ ଦିଶୁଥିଲା ବାଦାମବାଡିରେ ନିର୍ମିତ ମୁକୁଟପିନ୍ଧା ଦଶରା ଗେଟ୍ ପରି । ‘ସୁ’ଠାରୁ ‘ନ୍ଦ’ ଅକ୍ଷରଟି ଏତେ ବଡ ଯେ, ତାକୁ ଗାରପକା ହସ୍ତାକ୍ଷର ଖାତାରେ ଲେଖିଲେ ପାଖାପାଖି ଛଅଟି ଗାର ଦରକାର ପଡିପାରେ । କିନ୍ତୁ ମନ୍ତ୍ରୀ ଦିନବନ୍ଧୁଙ୍କର ଅକ୍ଷର ଗୁଡିକର ଉଚ୍ଚତା ଭାରସାମ୍ୟ ରକ୍ଷା କରିଥିଲେ ବି ଧାଡିଟି ଏତେ ବଙ୍କା ଦିଶୁଥିଲା ଯେ, ନାଁଟି ପଢିବାକୁ ଜଣକୁ କାଗଜଟିକୁ ଓଲଟାଇବାକୁ ପଡିପାରେ ।

ଓକିଲ ବ୍ରଜବନ୍ଧୁ ପଟ୍ଟନାୟକ କିନ୍ତୁ ଟିକିଏ ହେଲେ ହସିଲେ ନାହିଁ । ଜୀବନର ଏ ବଙ୍କାତେଢା ରାସ୍ତାରେ ବିନା ବ୍ୟସ୍ତତାରେ ବାଟ ଚାଲିବାରେ ସେ ଖୁବ୍ ଅଭ୍ୟସ୍ତ ଥିଲେ ।

କ୍ରମଶଃ.. .. ..