ପ୍ରବର୍ତ୍ତାଇପାରିବାର ଶକ୍ତି
ମୂଳ ଲେଖା : ମାରିଓ ଭର୍ଗାସ ୟୋସା || ଅନୁବାଦ : ଜ୍ୟୋତି ନନ୍ଦ
ପ୍ରିୟ ବନ୍ଧୁ
ଆପଣ ଠିକ୍ । ମୋର ପ୍ରଥମ କେତୋଟି ଚିଠିରେ ସାହିତ୍ୟବୃତ୍ତି ସଂପର୍କରେ ତଥା ଉପନ୍ୟାସର ବିଷୟବସ୍ତୁ ବା ଥିମ୍ କୁ ନେଇ କିଛି ପରିମାଣର ଅସ୍ପଷ୍ଟ ପରିକଳ୍ପନା ର ରହିଛି,ସେଥିରେ ଥିବା ଜୀବବିଜ୍ଞାନ ଭିତ୍ତିକ କିଛି ରୂପକଥା ଯେପରି କି ଫିତାକୃମୀ ଆଉ କାଟୋବ୍ଲେପାସ୍ କୁ ବାଦ ଦେଲେ,ଅଧିକାଂଶ ଅଧିକ ଭାବରେ ଅମୂର୍ତ୍ତ,ସେମାନଙ୍କର ଅନ୍ଦାଜର ସତ୍ୟତାକୁ ସେମିତି ପରୀକ୍ଷା କରାଯାଇପାରିବନାହିଁ । ତାହାର ଅର୍ଥ ହେଉଛି ଏବେ ଏଇ ସମୟଟି ଉପଗତ ଯେଉଁଠି ଆମେ ଏଥର କିଛି ପରିମାଣରେ ନ୍ୟୁନ ବସ୍ତୁଗତ ବିଷୟକୁ ଯିବା,ଯାହା ଆମର ସାହିତ୍ୟ ପ୍ରକ୍ରିୟାସହିତ ଜଡିତ ରହିଅଛି।
ଚାଲନ୍ତୁ ଆମେ ଆଙ୍ଗିକ ବା ଫର୍ମ ଉପରେ କଥା ହେବା, ଯେତିକି ସ୍ୱବିରୋଧୀ ଶୁଭୁ ପଛକେ, ଯେବେଠାରୁ ତାହା ଉପନ୍ୟାସକୁ ତାହାର ଗଢଣ ଆଉ ବସ୍ତୁତ୍ୱ ପ୍ରଦାନ କରିଛି, ତାହା ହିଁ ଉପନ୍ୟାସର ସବୁଠାରୁ ଦୃଢ ବୈଶିଷ୍ଟ୍ୟ।ମାତ୍ର ଆପଣ ଆଉ ମୋ ଭଳି ଯେଉଁମାନେ ଏଇଭଳି ଏକ ବଖାଣ ଶୈଳୀପ୍ରତି ଆକୃଷ୍ଟ ତାହାର ଭିତରକୁ ପ୍ରବେଶ କରିବା ପୂର୍ବରୁ ଆମେ ଯାହା ଆଗରୁ ଭଲ କରି ଜାଣିଛେ ତାହାକୁ ଭଲ ଭାବରେ ଉପସ୍ଥାପନ କରିବା ଉଚିତ,ଯଦିଓ ଏହା ଅଧିକାଂଶ ଉପନ୍ୟାସର ପାଠକମାନଙ୍କ ନିକଟରେ ସେପରି ସ୍ପଷ୍ଟ ନୁହଁ: ଆଙ୍ଗିକ ବା ଫର୍ମ ଏବଂ ବିଷୟବସ୍ତୁ ବା ଥିମ୍ ମଧ୍ୟରେ ଦୂରତ୍ୱ ( ଅଥବା ବିଷୟବସ୍ତୁ ବା ଥିମ୍ ଏବଂ ଶୈଳୀ ବା ଷ୍ଟାଇଲ୍ ଏବଂ ବଖାଣ ଶୈଳୀ ବା ନ୍ୟାରେଟିଭ୍ ଷ୍ଟ୍ରକଚର୍) ହେଉଛି କୃତ୍ରୀମ, ଆମେ ଯେତେବେଳେ ଏହାକୁ ବୁଝାଇବସୁଛୁ ବା ବିଶ୍ଳେଷଣ କରୁଛୁ ସେତେବେଳେ ହିଁ ଏହା ପ୍ରଯୁଜ୍ୟ ହେଉଛି,ଏହାର କୌଣସି ବାସ୍ତବସ୍ଥିତି ନାହିଁ,ଯେବେଠାରୁ ଗୋଟିଏ ଉପନ୍ୟାସର କାହାଣୀ କହିବାକୁ ଆରମ୍ଭ କରେ ଯେ ଯେଉଁ ଭଳି କୁହାଯାଉଛି ଏହା ତାହାଠାରୁ ଅଭିନ୍ନ। ଏହି ବାଟଟି ଯାହା ନିର୍ଦ୍ଧାରିତ କରିଥାଏ ଯେ କଥନୀକାଟି ବିଶ୍ୱାସଯୋଗ୍ୟ କି ବିଶ୍ୱାସଯୋଗ୍ୟ ନୁହଁ ,ଏହାର ଆବେଦନ ରହିଛି କି ଅଥବା ଏହା ପୁରାପୁରି ଉପହାସଯୋଗ୍ୟ,ମଜାଳିଆ ଅଥବା ନାଟକୀୟ। ଏପରି କହିବା ସମ୍ଭବପର ଯେ “ମବିଡିକ୍” ହେଉଛି ସମୁଦ୍ରରେ ଜଣେ କ୍ୟାପଟେନ୍ ର ଏକ ଧଳା ତିମି ମାଛ ପ୍ରତି ଅନୁରକ୍ତି ଯାହାକୁ ସେ ପୃଥିବୀର ସମସ୍ତ ସମୁଦ୍ରରେ ଖୋଜିବୁଲୁଛି ଆଉ “ଦନ୍ କିହୋତେ” କହିଚାଲିଛି ଜଣେ ଅର୍ଦ୍ଧ-ପାଗଳ ନାଇଟ୍ ର ଅଭିଯାନ ଆଉ ଦୁରାଭିଯାନର କାହାଣୀ ଯିଏ ଲା ମାଞ୍ଚା ର ସମତଳ ଇଲାକାରେ ବଖାଣ କରିଚାଲିଛି ଶୌର୍ଯ୍ୟମୟ ସାହିତ୍ୟର ବୀର ର କାର୍ଯ୍ୟାବଳୀ। ହେଲେ ଏଇ ଉପନ୍ୟାସକୁ ପାଠ କରିଥିବା କେହି ମେଲଭିଲ୍ କି ସର୍ଭାଣ୍ଟିସ୍ ଙ୍କ ଶାଶ୍ୱତ, ବିପୁଳ ଏବଂ ସୂକ୍ଷ୍ମ ବିଶ୍ୱକୁ ଏଥିରୁ ଚିହ୍ନି ପାରିବ କି ? ଯେଉଁ ପ୍ରଯୁକ୍ତି ଗୋଟିଏ କାହାଣୀକୁ ଜୀବନ୍ତ କରିଥାଏ ତାହାକୁ ବୁଝାଇବାକୁ ଗଲାବେଳେ ତାହାର ବିଷୟବସ୍ତୁ ବା କଣ୍ଟେଣ୍ଟକୁ ତାହାର ଆଙ୍ଗିକ ବା ଫର୍ମ ରୁ ଅଲଗା କରିବାର ଆବଶ୍ୟକତା ରହିଛି,ଏଇ ସର୍ତ୍ତରେ ତାହାକୁ ଅଲଗା କରିବାର ଅଛି ଯେ ସ୍ୱାଭାବିକ ଭାବରେ ତାହା ପୃଥକ ହୋଇପାରିବ ନାହିଁ, ଭଲ ଉପନ୍ୟାସ କ୍ଷେତ୍ରରେ କଦାପି ନୁହଁ। କେବଳ କିଛି ମନ୍ଦ ଉପନ୍ୟାସ କ୍ଷେତ୍ରରେ ଏହା ସମ୍ଭବପର ଆଉ ସେଇଥିପାଇଁ ତାହା ମନ୍ଦ, ମାତ୍ର ଭଲ ଉପନ୍ୟାସର କ୍ଷେତ୍ରରେ ଯାହା କୁହାଯାଇଛି ଆଉ ଯେଉଁଭଳି କୁହାଯାଇଛି ଉଭୟ ପରସ୍ପର ସହିତ ଏକାତ୍ମଭାବରେ ବନ୍ଧା।ସେଗୁଡିକ ଭଲ ଉପନ୍ୟାସ କାରଣ ସେମାନଙ୍କର ଆଙ୍ଗିକ ବା ଫର୍ମର ପ୍ରଭାବୀପଣ କୁ ଧନ୍ୟବାଦ ଯେ ତାହାସହିତ ଜଡିତ ହୋଇ ରହିଛି ବିଶ୍ୱାସଯୋଗ୍ୟତା ତଥା ପ୍ରବର୍ତ୍ତାଇପାରିବାର ଆକର୍ଷଣୀୟ ଶକ୍ତି।

କାଫକାଙ୍କ “ମେଟାମୋରଫୋସିସ୍” କୁ ପଢିବା ପୂର୍ବରୁ ଯଦି ଆପଣଙ୍କୁ କୁହାଯିବ ଯେ ଏଇଟି ହେଉଛି ଗୋଟିଏ ଦୁର୍ବଳ ଅଫିସ୍ କର୍ମଚାରୀର ଗୋଟିଏ ଘୃଣିତ ଅସରପା ପାଲଟିଯିବା ବିଷୟରେ , ହୁଏତ ତାହାପରେ ଆପଣଙ୍କର ମୁହଁଟି କ୍ଳାନ୍ତିରେ ଅଥବା ଅବସାଦରେ ଆଁ ହୋଇଯାଇପାରେ ଆଉ ଆପଣ ହୁଏତ ତାହାପରେ ନିଜକୁ କହିପାପାରନ୍ତି ଏପରି ଗୋଟିଏ ମୂର୍ଖତାପୂର୍ଣ୍ଣ ଲେଖାକୁ ପଢିବାର କିଛି ଅର୍ଥ ନାହିଁ। ସେ ଯାହାହେଉ ଆପଣ ଯେତେବେଳେ କାଫକାଙ୍କ ଯାଦୁବରା ଲେଖାର ଏଇ କାହାଣୀଟିକୁ ପଢିସାରିଛନ୍ତି, ଆପଣ ଗ୍ରେଗୋର ସାମସାର ସେହି ଦାରୁଣ ଦୁଃସ୍ଥିତିର କଥାକୁ ନିଶ୍ଚୟ ସର୍ବାନ୍ତକରଣରେ “ବିଶ୍ୱାସ” କରିବେ ; ଆପଣ ତାହାସହିତ ନିଜକୁ ଯୋଡିପାରିବେ; ତାହାର ଯନ୍ତ୍ରଣାକୁ ଆପଣ ନିଜେ ଭୋଗିପାରିବେ, ସେହି ଅସହାୟ ଚରିତ୍ରଟିର ହତାଶା ଆପଣଙ୍କୁ ଆକ୍ତାମାକ୍ତା କରିଦେବ, ଯେଉଁ ପର୍ଯ୍ୟନ୍ତ ତାହାର ମୃତ୍ୟୁ ତାହାର ଜୀବନ ଯେଉଁପରି ସାଧାରଣ ରହିଥିଲା (ତାହାର ବିଷାଦବ୍ୟଞ୍ଜକ ଅଭିଯାନର ପୂର୍ବର ଜୀବନ) ସେଇଠିକୁ ଫେରାଇ ନ ନେଇଛି।
ଆପଣ ଗ୍ରେଗୋର ସାମସାର କାହାଣୀକୁ ବିଶ୍ୱାସ କରିବେ କାରଣ କାଫକା ଏଇ କଥାକୁ କହିବାପାଇଁ ବାଟ ପାଇଯାଇଛନ୍ତି-ଶବ୍ଦରେ, ନୀରବତାରେ, ଉନ୍ମୋଚନରେ, ପୁଙ୍ଖାନୁପୁଙ୍ଖ ବର୍ଣ୍ଣନାରେ, ସୂଚନା ଏବଂ ବଖାଣପ୍ରବାହକୁ ସୁବିନ୍ୟାସ କରିବାରେ- ଯାହା ଅତିକ୍ରମ କରିଯାଇଛି କାହାଣୀକୁ ପଢିବା ଆଗରୁ ଆଉ ପଢିବା ଭିତରେ ଉପୁଜିଥିବା ପାଠକର ପ୍ରତିରୋଧ,ଯେତେକ ମାନସିକ ପୂର୍ବାଗ୍ରହ ।
ଗୋଟିଏ ଉପନ୍ୟାସରେ ବିଶ୍ୱାସଯୋଗ୍ୟତା ବା ପ୍ରବର୍ତ୍ତନା ଶକ୍ତି ଭରିବାକୁ ହେଲେ ଆପଣଙ୍କୁ ଆପଣଙ୍କର କାହାଣୀକୁ ଏପରି ଭାବରେ କହିବାକୁ ହେବ ଯେଉଁଥିରେ ଲେଖକର ପ୍ରତିଟି ବ୍ୟକ୍ତିଗତ ଅନୁଭବ ର ଯଥେଷ୍ଟ ଭାଗ “ପ୍ଲଟ୍” ଏବଂ “ଚରିତ୍ର” ଭିତରେ ଉକୁଟି ଉଠୁଥିବ;ତାହା ସହିତ ସେଇ ସମାନ ସମୟରେ ବି ପାଠକ ମାନଙ୍କ ଭିତରେ ଯେଉଁ ଜଗତରେ ସେ ବସବାସ କରୁଛି ତାହାଠାରୁ ଏକ ବିଭ୍ରମର ସ୍ୱାତନ୍ତ୍ର୍ୟ ର ଉଦ୍ରେକ କରିପାରୁଥିବ।
ଉପନ୍ୟାସଟି ଏହି ଭଳି ଭାବରେ ଆମକୁ ଯେତିକି ଯେତିକି ଅଧିକ ସ୍ୱାଧୀନ ଆଉ ଆତ୍ମାଭିମୁଖୀ ଲାଗିବ,ସେତିକି ସେତିକି ତାହାରି ଭିତରେ ଯାହା ଘଟିଯାଉଥିବ ସେଇସବୁ କାହାଣୀର ଆତ୍ମଗଢଣ ରେ ଆମକୁ ଘଟିତ ପ୍ରବାହର ଅବବୋଧ ଦେଉଥିବ,ଏହା ବାହାରର କୌଣସି ପ୍ରକ୍ଷେପଣ ବା ବାଧ୍ୟ-ନିର୍ଦ୍ଦେଶ ବୋଲି ମନେହେବ ନାହିଁ। ଏହା ହିଁ ଉପନ୍ୟାସର ପ୍ରବର୍ତ୍ତନା (ପରସୁଏସନ୍) ଶକ୍ତି।ଯେତେବେଳେ ଗୋଟିଏ ଉପନ୍ୟାସ ଆମକୁ ଆତ୍ମ-ନିର୍ଭରତା ବା ସେଲ୍ଫ ସଫିସିଏନ୍ସିର ଧାରଣା ପ୍ରଦାନ କରିଥାଏ ,ବାସ୍ତବ ଜଗତରୁ ବିମୁକ୍ତ ହୋଇଥାଏ, ନିଜକୁ ତିଷ୍ଠିରହିବା ପାଇଁ ଯାହା ଯାହା ଲୋଡା ସେସବୁ ତାହାର ଭିତରେ ରହିଥାଏ,ସେତେବେଳେ ସେ ବିଶ୍ୱାସଯୋଗ୍ୟତାର ଶୀର୍ଷରେ ଉପନୀତ ହୋଇଯାଇଥାଏ,ପାଠକକୁ ସଫଳତାର ସହ ତାହାର ସହିତ ଅନୁଗମନ କରିବାକୁ ଚୂଡାନ୍ତ ଭାବରେ ପ୍ରଲୋଭିତ କରିବାରେ ସଫଳ ହୋଇଥାଏ,ଉପନ୍ୟାସଟି ଯାହା କହୁଛି ତାହାକୁ ପୂର୍ଣ୍ଣତଃ ବିଶ୍ୱାସ କରିବାକୁ ବାଧ୍ୟ ଏବଂ ବଶବର୍ତ୍ତୀ କରିଦେଇଥାଏ। ଭଲ ଉପନ୍ୟାସ, ବିଖ୍ୟାତ ଯେଉଁ ସବୁ, କେବେହେଲେ ଅସଲରେ କିଛି କହୁଥିବା ଭଳି ଲାଗନ୍ତି ନାହିଁ; ବରଂ ସେମାନେ ଆମକୁ ସେଥିରେ ବଞ୍ଚିବା କୁ ନିଶ୍ଚିତ କରିଦେଇଥାନ୍ତି,ଆଉ ନିଜର ପ୍ରବର୍ତ୍ତନା ଶକ୍ତିର ସାମର୍ଥ୍ୟରେ ତାହାକୁ ଆମମାନଙ୍କ ସହିତ ସହଭାଗ କରିଥାନ୍ତି।

ଆପଣମାନେ ନିଶ୍ଚିତ ବେଳଟୋଲ୍ଟ ବ୍ରେଖଟଙ୍କ ବିଖ୍ୟାତ ଏକାକୀତ୍ୱ ବୋଧର ପ୍ରଭାବ ତତ୍ତ୍ୱ ବା ଥିଓରୀ ଅଫ୍ ଆଲିଏନେସନ୍ ଇଫେକ୍ଟ ସହିତ ପରିଚିତ ଥିବେ। ବ୍ରେଖଟ୍ ବିଶ୍ୱାସ କରୁଥିଲେ ଯେ ମହାକାବ୍ୟିକ ତଥା ପାଣ୍ଡିତ୍ୟପୂର୍ଣ୍ଣ (ଏପିକ୍ ଏବଂ ଡିଡାକ୍ଟିକ) ନାଟକ ରଚନାରେ ସଫଳ ହେବା ନିମନ୍ତେ ଏହାକୁ କୌଣସି ପ୍ରକାରରେ ମଞ୍ଚନ କରିବା ଅନିର୍ବାର୍ଯ୍ୟ -ଚରିତ୍ର ମାନଙ୍କର ଭାବଭଂଗି,ସଂଳାପ ,ମଞ୍ଚର ସେଟ୍ ଆଦିର ପ୍ରଭାବ ଉପସ୍ଥାପିତ କରିବାକୁ ହେବ-ଏହା କ୍ରମଶଃ ସୃଷ୍ଟି ହୋଇଥିବା “ବିଭ୍ରମ”କୁ ଭାଙ୍ଗିଦେଇ ପାରିବ ଏବଂ ଦର୍ଶକଙ୍କୁ ମନେପକାଇଦେବ ଯେ,ସେମାନେ ଯାହା ଦେଖୁଛନ୍ତି ତାହା ବାସ୍ତବ ଜୀବନ ନୁହଁ,ଏହା ଏକ ନାଟକ ,ଏକ ମିଛ ନିର୍ମାଣ,ଏକ ଅଭିନୟ, ଆଉ ସେଥିରୁ ନିଷ୍କର୍ଷ ନିଆଯାଇପାରିବ,କ୍ରିୟା ଏବଂ ସଂସ୍କାର ସଂପର୍କରେ ଶିକ୍ଷା ଦିଆଯାଇପାରିବ। ମୁଁ ଜାଣେନାହିଁ ବ୍ରେଖଟ୍ ଙ୍କ ସଂପର୍କରେ ଆପଣମାନଙ୍କର ଅଭିମତ କ’ଣ ? ମୋ ଧାରଣାରେ ସେ ଜଣେ ପ୍ରଖ୍ୟାତ ଲେଖକ,ଯଦିଓ ଅନେକ ସମୟରେ ନିଜର ଆଦର୍ଶଗତ ଏବଂ ପ୍ରଚାରମୂଳକ ଆଭିମୁଖ୍ୟ ଯୋଗୁ ତାଙ୍କର ଲେଖା ବାଧିତ ହୋଇଥାଏ,ତାଙ୍କର ନାଟକଗୁଡିକ ଚମତ୍କାର, ଆଉ ଧନ୍ୟବାଦ ଯେ ସେଥିରେ ସେ ତାତ୍ତ୍ୱିକତାର ସ୍ଥାନରେ ଅଧିକଭାବରେ ପ୍ରବର୍ତ୍ତନାର ଶକ୍ତିର ଉପଯୋଗ କରିଛନ୍ତି।
ନିଜକୁ ବିଶ୍ୱାସଯୋଗ୍ୟ ବା ନିଜପାଇଁ ଅନ୍ୟକୁ ପ୍ରବର୍ତ୍ତାଇବାକୁ ଗଲାବେଳେ ଉପନ୍ୟାସ ବସ୍ତୁତଃ ଏହାର ଓଲଟା ପ୍ରଭାବ ପ୍ରତି ଲକ୍ଷ୍ୟ ରଖିଥାଏ : ଯେଉଁ ଦୂରତ୍ୱ ବାସ୍ତବତା ଠାରୁ ଉପନ୍ୟାସକୁ ଅଲଗା କରିଥାଏ ତାହାକୁ ପ୍ରତିହତ କରିବା,ଆଉ ଯେତେବେଳେ ଏଇ ସୀମାରେଖାଟି ଦୂର ହୋଇଯିବ ସେତେବେଳେ ପାଠକ ଲେଖକର ମିଛ ସହିତ ବସବାସ କରିପାରିବ ଯେମିତି ତାହା ଚିରନ୍ତନ ଶାଶ୍ୱତ,ଏହାର ବିଭ୍ରମଗୁଡିକ ସବୁବେଳେ ସ୍ଥିରନିଶ୍ଚିତ,ଏବଂ ଏହା ବାସ୍ତବତାର ଯେମିତି ପ୍ରକୃତ ବଖାଣକାର। ସମସ୍ତ ଉଚ୍ଚମାନର ଉପନ୍ୟାସ ଏଇ କୌଶଳକୁ ପ୍ରୟୋଗ କରିଥାନ୍ତି : ସେମାନେ ଆମକୁ ବୁଝାଇବାରେ ସଫଳ ହୋଇଥାନ୍ତି ଯେ ସେମାନେ ଯେଉଁ ଭଳି କହିଛନ୍ତି ପୃଥିବୀଟି ଅସଲରେ ସେଇଭଳି,ଯେମିତି ଏହା ଜମାରୁ କୌଣସି କାହାଣୀ ନୁହଁ, ଏଥିରେ ଥିବା ପୃଥିବୀର ଛବିକୁ ଭାଙ୍ଗିରୁଜି ଏକ ନୂତନ ନିର୍ମାଣ କରାଯାଇଛି,ଏଇ ନୂତନ ନିର୍ମାଣ ବାସ୍ତବତାର ନିର୍ମାଣ ନିମନ୍ତେ ଆମର ଭିତରେ ରହିଥିବା ଥିବା ଦେବବଧ-ପ୍ରବଣତାକୁ ସନ୍ତୁଷ୍ଟ କରିବା ନିମନ୍ତେ ଉଦ୍ଦିଷ୍ଟ ,ଲେଖକ ହୁଏତ ଜାଣେ ବା ଅଜଣା ଥାଏ ଯେ ,ଏହି ଦେବବଧ-ପ୍ରବଣତା ବା “ଡେଇସାଇଡାଲ୍ ଅର୍ଜ” ହେଉଛି ଉପନ୍ୟାସ ଲେଖିବାର ଚାଳିକା ଶକ୍ତି। କେବଳ ନିମ୍ନମାନର ଉପନ୍ୟାସଗୁଡିକ ସେହି ଏକାକୀତ୍ୱକୁ ଲାଳନ କରିଥାନ୍ତି ଯାହାକୁ ବ୍ରେଖଟ୍ ତାଙ୍କର ଦର୍ଶକମାନଙ୍କୁ ରାଜନୈତିକ ବିଚାରକୁ ଶିଖିବାକୁ ହେଲେ ଅନୁଭବ କରିବାକୁ ହେବ ବୋଲି କହନ୍ତି,ବ୍ରେଖଟଙ୍କ ପାଇଁ ରାଜନୈତିକ ବିଚାର ହେଉଛି ତାଙ୍କର ନାଟକଗୁଡିକରେ ଯାହା ରହିଥାଏ ବସ୍ତୁତଃ ସେଇକଥା। ନିମ୍ନମାନର ଉପନ୍ୟାସ ପ୍ରବର୍ତ୍ତାଇପାରିବାର କାମରେ ବିଫଳ ଅଥବା ଏଇ କାମରୁ ଅଳ୍ପ କିଛି ସେଥିରେ ଦେଖାଯାଇଥାଏ,ଯେଉଁ ମିଛକୁ ସେମାନେ ସତ ଆକାରରେ ବଖାଣ କରିଥାନ୍ତି ତାହାର ସେମିତି ଗ୍ରହଣଯୋଗ୍ୟତା ନଥାଏ,”ମିଛ”ସେଇଠି ଏକ ନିର୍ମାଣ,ଏକ ନିରଙ୍କୁଶ ଜୀବନଭାଗ ନଥିବା ଉଦ୍ଭାବନ ଯାହା କଷ୍ଟେମଷ୍ଟେ ଆଉ ଅବାଗିଆ ଭାବରେ ଗତିଶୀଳ ହେଉଥାଏ ଯେମିତି କୌଣସି ମେଡିଓକର୍ କଣ୍ଢେଇଚାଳକର ସୂତାରେ ବନ୍ଧା କଣ୍ଢେଇ,ଯାହାକୁ ତାହାର ସ୍ରଷ୍ଠା ଯେମିତି ଚତୁର ଭାବରେ ପରିଚାଳନା କରୁଛି ସେଇଭଳି ଦୃଶ୍ୟବାନ ହୋଇଥାଏ,ଯେମିତି ତାହା ବାସ୍ତବତାର ବ୍ୟଙ୍ଗରୂପ ବା କାରିକେଚର୍। ଏଇ ଭଳି କାରିକେଚର୍ ମାନଙ୍କର କ୍ରିୟା ଆଉ ଦୁଃଖ ଆମକୁ ସେମିତି ପ୍ରଭାବିତ କରିପାରେ ନାହିଁ ,ଏମିତି ସେମାନଙ୍କର ଭିତରେ ଅନୁଭବ କହିଲେ କ’ଣ କିଛି ରହିଛି ? ସେମାନେ ବସ୍ତୁତଃ ଗୋଟିଏ ଗୋଟିଏ ଅନୁବନ୍ଧିତ ଛାଇ,ସର୍ବବ୍ୟାପୀ ପ୍ରଭୂର ଧାର କରା ଜୀବନରେ ସେମାନଙ୍କ ଅସ୍ତିତ୍ୱ।
ପ୍ରକୃତରେ ଉପନ୍ୟାସର ସ୍ୱାତନ୍ତ୍ର୍ୟ କଥାଟି ସତ ନୁହଁ-ଏହା ଏକ ଫିକ୍ସନ,ମଧ୍ୟ। ସେଦୃଷ୍ଟିରୁ କୁହାଯାଇପାରେ,ଫିକ୍ସନ କେବଳ ଆଳଙ୍କାରିକ ଭାବରେ ହେଉଛି ସ୍ୱୟଂଚାଳିତ,ସେଇଥିପାଇଁ “ବିଭ୍ରମର ସ୍ୱୟଂକ୍ରିୟତା” ସଂପର୍କରେ କହିବା ବେଳେ ମୁଁ ଯଥେଷ୍ଟ ସତର୍କ ଯେତେବେଳେ କହୁଛି ଯେ ଏହା ” ଆତ୍ମନିର୍ଭରଶୀଳତାର ଛାପ,ଯେତେବେଳେ ଏହା ବାସ୍ତବ ଜୀବନରୁ ମୁକ୍ତ”। କେହି ଜଣେ ଏଇ ଉପନ୍ୟାସସବୁକୁ ଲେଖିଛି। ସେଇ ତଥ୍ୟଟି,ଯେ ସେସବୁ ସ୍ୱତଃସ୍ଫୃର୍ତ୍ତ ଜେନେରେସନ୍ ର ଉପଜ ନୁହଁ,ତେଣୁ ସେଗୁଡିକ ନିର୍ଭରଶୀଳ, ନାହିନାଡ ଭଳି ପୃଥିବୀ ସହିତ ଯୋଡି ହୋଇ ରହିଛି। ମାତ୍ର କେବଳ ଜଣେ ଲେଖକ ରହିବାର ଅର୍ଥ ନୁହଁ ଯେ ଉପନ୍ୟାସ ବାସ୍ତବ ଜୀବନ ସହିତ ସଂପର୍କରେ ରହିବ ନିଶ୍ଚୟ,ଯଦି କାହାଣୀ କହିବା ଉପନ୍ୟାସର ଉଦ୍ଭାବନ ହିସାବରେ ପାଠକମାନେ ଯେମିତି ପୃଥିବୀକୁ ଦେଖୁଛନ୍ତି ସେମିତି ନଦେଖାଏ ,ତାହେଲେ ଉପନ୍ୟାସଟି ସୁଦୂରର ଆଉ ମୂକ,ଏକ ପ୍ରକୌଶଳ ଯାହା ଆମକୁ ଦୂରେଇ ଦିଏ : ପାଠକକୁ ପ୍ରବର୍ତ୍ତାଇବା ଭଳି ସାମର୍ଥ୍ୟ ତାହାର ନାହିଁ ,ପାଠକ ଉପରେ ଏହାର କୌଣସି ଯାଦୁ ରହିବନାହିଁ , ସତ ପ୍ରତି ତାହାକୁ ବିଶ୍ୱସ୍ତ କରିପାରିବ ନାହିଁ, ନିଜର ଅନ୍ୟସହିତ ସଂପର୍କର ଅନୁଭବକୁ ସେମାନେ ସେଇ ଉପନ୍ୟାସରୁ ପାଇବେ ନାହିଁ।

ଉପନ୍ୟାସର ଏହା ହେଉଛି କୌତୁହଳପୂର୍ଣ୍ଣ ବିରୋଧାଭାଷ : ଏହା ବାସ୍ତବତାର ଦାସତ୍ୱ ଅନିର୍ବାର୍ଯ୍ୟ ବୋଲି ଜାଣି ବି ସେଥିରୁ ମୁକ୍ତ ହେବାର ପ୍ରଚେଷ୍ଟାରେ ରହିଥାଏ ଏବଂ ସମସ୍ତ ସଂଭ୍ରମତା ଭରା ପ୍ରକୌଶଳର ମାଧ୍ୟମରେ ଏହା ଏକ ସ୍ୱାତନ୍ତ୍ର୍ୟ ଏବଂ ଆତ୍ମନିର୍ଭରତାକୁ ଏକ ଛଳ ଆକାରରେ ଉପସ୍ଥାପନା କରିଥାଏ ଯେପରିକି କୌଣସି ଅପେରାରେ ବାଦ୍ୟଯନ୍ତ୍ର ଏବଂ ଗଳାକୁ ବାଦ ଦେଇ ଦର୍ଶକ କାନରେ ରହିଥାଏ ଯେଉଁ ସଂଗୀତ।
ଆଙ୍ଗିକ ଏଇ ସବୁ ଅଲୌକିତା ସୃଷ୍ଟି କରେ -ଯେତେବେଳେ ଲେଖନରେ ଏହାର ଉପଯୋଗ ହୋଇଥାଏ ସେତେବେଳେ। ପ୍ରାକ୍ଟିକାଲ୍ ଭାବରେ ଏହାକୁ ଅଦୃଶ୍ୟ ସାମଗ୍ରିକତା ବୋଲି କୁହାଯାଏ,ଏହା ଦୁଇଟି ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ ଆଧାର ଉପରେ ନିର୍ମିତ,ଯଦିଓ ସେ ଦୁଇଟି ଛନ୍ଦାଛନ୍ଦି,ବିଶ୍ଳେଷଣ କରିବା ପାଇଁ ସ୍ୱତନ୍ତ୍ର ହୋଇଥାନ୍ତି : ଶୈଳୀ ବା ଷ୍ଟାଇଲ୍ ଏବଂ ଶୃଙ୍ଖଳା ବା ଅର୍ଡର । ଶୈଳୀ ବସ୍ତୁତଃ ଶବ୍ଦକୁ ସୂଚିତ କରେ,ଯେଉଁ ଭଳି କାହାଣୀଟି ଲେଖାଯାଇଥାଏ ସେଇ ପ୍ରସଙ୍ଗ, ଶୃଙ୍ଖଳା ବା ଅର୍ଡର ହେଉଛି କାହାଣୀର ଉପାଦାନଗୁଡିକର ପ୍ରବନ୍ଧନ । ଅତି ସରଳରେ କହିଲେ,ଶୃଙ୍ଖଳା ହେଉଛି ଉପନ୍ୟାସ ନିର୍ମାଣ କାଳରେ ଔପନ୍ୟାସିକର ପ୍ରମୁଖ ଅସ୍ତ୍ର : ଏହା ସ୍ଥାନ ଆଉ କାଳକୁ ବଖାଣ କରିଥାଏ।
ତେଣୁ ଆଜି ଏଇ ଚିଠିଟିକୁ ଆଉ ଅଧିକ ଦୀର୍ଘ କରିବି ନାହିଁ ,ପରବର୍ତ୍ତି ଚିଠିରେ ଶୈଳୀ ବିଷୟରେ କିଛି ଅର୍ଥାତ୍ ଉପନ୍ୟାସର ଭାଷା ଆଉ ଏଇ ପ୍ରବର୍ତ୍ତନ-ଶକ୍ତି ବା “ପାୱାର୍ ଅଫ୍ ପେରସୁଏସନ୍” ଯାହାର ଉପରେ ସମସ୍ତ ଉପନ୍ୟାସର ଜୀବନ (ବା ମରଣ) ନିର୍ଭରଶୀଳ, ସେ ବିଷୟରେ କିଛି ରହିବ ।
ଶ୍ରଦ୍ଧାର ସହିତ।