ମୂଳ ରଚନା : ବୁଦ୍ଧଦେବ ଦାଶଗୁପ୍ତ ।। ଓଡ଼ିଆ ଅନୁବାଦ : ଜ୍ୟୋତି ନନ୍ଦ
ଆଈମା ର ହାଜରା ରୋଡ୍ ର ଘରର ଠିକ୍ ଉପର ତାଲାରେ ସତକୁ ସତ ଗୋଟିଏ ପାଗଳ ରହୁଥିଲା,ଅସଲରେ ସେ ଥିଲା ଗୋଟିଏ ପାଗଳୀ।ସେ ବାରଣ୍ଡାରେ ଛିଡା ଛିଡା ପରିଶ୍ରା କରେ ଆଉ ସେହି ଜଳୋଚ୍ଛ୍ୱାସ ଆଈ ମା ର ଅଗଣାକୁ ଭିଜାଇ ଦିଏ।ଦିନେ ଆଉ ସମ୍ଭାଳି ନପାରି ଆମର ଏ ଆଈମା “ପାଗଳ” ଡେଇଁ ପଡିଲା,ଚିତ୍କାର କରି କହିବାକୁ ଲାଗିଲା,
“ତୁ କେଉଁ ଦେଶର ମାଈକିନା ମଣିଷ ଲୋ, ଛିଡା ହୋଇ ସିଧାସିଧା ମୁତୁଛୁ ? ଆଖିରେ ଟିକିଏ ବୋଲି ଅଟକ ନାହିଁ”
ଦୋତାଲାରୁ ଗଳା ଭାସି ଆସିଲା,
” ସମସ୍ତେ ବସି ବସି ମୁତନ୍ତି,ମୁଁ ଛିଡାହୋଇ ମୁତେ।ତୋର କ’ଣ ଯାଏ ?ତୋ ବାପର କ’ଣ ଯାଏ ଆଉ ତୋର ଏଇ ସେ ଗୋବର ଗୋଟେଇ ବୁଢୀ ର କ’ଣ ଯାଏ ?

ଯେତେଥର ହାଜରା ରୋଡ୍ ର ଘରକୁ ଯାଏ, ଦୁଇ ପାଗଳଙ୍କ ଲଢେଇ ନିଶ୍ଚୟ ଚାଲିଥିବ। ଦିନେ ଆଈମାର ଜ୍ୱର, ପାଗଳ ଏକା କିଛି ସମୟ ପରେ ଗୌଟିଏ ବାଲତି ଧରି ବାହାରି ପଡିଲା।ସେତେବେଳକୁ ଆଖପାଖର ସବୁ ଗୋବର ଗାଏବ,ହାଜରା ପାର୍କର ପାଖରେ
ଯେଉଁ ସବୁ ଗୋରୁ ଗୁହାଳ ଅଛି ସେଇଠି ବି ଗୋବର ନାହିଁ।ପାଗଳ ହାତରେ ଖାଲି ବାଲତି ଧରି ଫେରି ଆସୁଥିଲା,ଏତିକି ବେଳେ -ହାଜରା ମୋଡ ପାଖରୁ ଗୋଟିଏ ମୁଲତାନି ଗାଈ ଲାଞ୍ଜ ଟେକିଥିଲା ଉପରକୁ। ଦିଗବିଦିଗ ହରାଇ ପାଗଳ ଛୁଟିଚାଲିଲା ଲାଞ୍ଜ ଉପରକୁ କରିଥିବା ଗାଈ ର ଠିକ୍ ପଛପଟକୁ। ଧୂଆଁ ଉଠୁଥିବା ଗୋବର ଲେଣ୍ଡାକ ମାଟିରେ ପଡିବା ଆଗରୁ ତାହାକୁ ଧରିନେବା ପାଗଳର ଉଚିତ ହେବ,କିନ୍ତୁ ଗାଈଟା ହଠାତ୍ ତାହାର ବାଆଁ ଗୋଡକୁ ଟେକି ମାଇଲା ଗୋଟାଏ ନାତ, ପାଗଳକୁ। ବାସ୍। ଫିମର୍ ବୋନ୍ ଫ୍ରାକଚର, ପାଗଳ ସେଇ ଯେ କତରା ଧରିଲା, ସେଇଠୁ ଉଠିନାହିଁ ଆଉ କେଉଁ ଦିନ !
ପାଳି କରି ପାଗଳକୁ ଖୁଆଇ ଦିଅନ୍ତି ଆଈମା ଆଉ ମାଉସୀମାନେ, ଚାଦର ତକିଆ ସବୁ ଭିଜାଇ ଦିଏ ପାଗଳ, ଦୁଇ ଭଳି ବଡକାମ ବି କରିପକାଏ ବିଛଣାରେ।ମାଉସୀ ଆଉ ଆଈମା ପାଗଳକୁ ଧୋଇଧାଇ ପରିଷ୍କାର କରିଦିଅନ୍ତି,ଶେଜକୁ ବି। ପାଗଳ ର ଗାଳି କିନ୍ତୁ କୌଣସି ଦିନ କମିଯାଇନାହିଁ ଟିକିଏ ବୋଲି। ବର୍ଷେ ଗଲା, ଦି ବର୍ଷ ଗଲା, ତିନି ବର୍ଷ ଗଲା.. ପାଗଳ ଦେହରକ୍ଷା କଲା।
ତାହାପରେ ଆଉ ଯାହା କିଛି ହେଲା ତାହା ଆଉ ଏକ ଗଳ୍ପ।ଆଈମା ଦୌଡିଲା ପୁରୋହିତଙ୍କ ଘରକୁ, ମଝିଆ ମାମୁଁ ମସଜିଦ୍ କୁ।କ’ଣ ଆଉ କରାଯିବ ?
“ହିନ୍ଦୁ ମତରେ” କହିଲେ ପୁରୋହିତ ଗୋସାଇଁ।
“ହିନ୍ଦୁମାନଙ୍କ ସହ ରହିରହି ସେ ବିବାକ ହିନ୍ଦୁ ହୋଇଯାଇଛି।”ମୌଲବି ତାଙ୍କର ଦାଢୀକୁ ସାଉଁଳେଇ ଆଣିକହିଲେ,”ମୁସଲମାନ ହିଁ ମୁସଲମାନ ରହେ,ହିନ୍ଦୁ ହୁଏନି,କବର ଦେବାକୁ ହେବ।”
ତାହା ପରେ କ’ଣ ହୋଇଥିଲା ମନେନାହିଁ।ମାଉସୀର କଇଁକଇଁ କାନ୍ଦ ଶୁଣିବାକୁ ପାଇଥିଲି ଅଧରାତିରେ ଆଉ ସେଇ ଆଖି ଲୁହରେ ଧର୍ମାଧର୍ମ କେଉଁ ଆଡେ ଭାସିଯାଇଥିଲା କିଏ ଆଉ ତାହାର ଖବର ରଖିବ !
ଆମ ସାନମାମୁଁ ଥିଲେ ଜଣେ ବ୍ୟାୟାମବୀର। ହାତ ପାହାନ୍ତାରେ ଚେୟାର୍, ଟେବୁଲ୍, ସାଇକେଲ୍ ଯାହା ପାଇଲେ ତାହାକୁ ଉପରକୁ ଟେକି ଧରି ଦଣ୍ଡ ବୈଠକ କରନ୍ତି। ମୁଁ ବି ବାଦ ପଡିନି।ଇଣ୍ଟର-କଲେଜ ବଡିବିଲଡିଂ ଚାମ୍ପିଅନ ହୋଇଥିଲେ। ଚମତ୍କାର ଗୀତ ଗାଆନ୍ତି ଆଉ ଫିଜିକ୍ସ ବହି ର ତଳେ ରଖିଥାନ୍ତି ନିଜ କବିତାର ଖାତା, ଆଶ୍ଚର୍ଯ୍ୟ ସବୁ କବିତାରେ ଭରା -ତୁମେ ଫଟୋ ଚାରିଆଡେ, ଗଛମୂଳରେ ମୁଁ ବସି ରହିଅଛି।

ହାଜରା ରୋଡ୍ ର ଘରେ କ୍ଲାସ୍ ଫାଇଭ୍ ର ମୋ ସହିତ ଆସ୍ତେ ଆସ୍ତେ ଦେଖାହେବାକୁ ଲାଗିଲା ଅନେକଙ୍କର।ତାରାପଦ ରାୟ ସକାଳ ନାହିଁ ଦିପହର ନାହିଁ ଚାଲି ଆସନ୍ତି। ଦାନ୍ତ କିଡିମିଡି କରନ୍ତି ମଝିଆ ମାମୁଁ। ମାଟ୍ରିକ୍ ରେ ଫୋର୍ଥ ପୋଜିସନ୍ ରଖିଥିବା ଭାଇକୁ କବିତା ଭସାଇ ନେଇ ଯିବ ଶେଷ ପର୍ଯ୍ୟନ୍ତ। କହନ୍ତି,ଆଉଥରେ ଆସୁ ତ ସେ “ତାରା”,ତାହାର “ପଦ” କୁ କାଟି ପକେଇବି ! ଆସନ୍ତି ଶକ୍ତି ଚଟ୍ଟୋପାଧ୍ୟାୟ,ସୁନିଲ୍ ଗଙ୍ଗୋପାଧ୍ୟାୟ,ପ୍ରଣବେନ୍ଦୁ ଦାଶଗୁପ୍ତ,ଦୀପକ ମଜୁମଦାର ଭଳି ସଦା ଉଜ୍ଜଳ ଆଲୋକରେ ଝଲମଲ କରୁଥିବା କବିଗଣ।ସେମାନେ ଚାଲିଗଲା ପରେ ଆସନ୍ତି ମଝି ଧାଡିର କବିମାନେ,ଆଉ ତାହାପରେ ତାହା ତଳ ଧାଡି ଆଉ ସବାଶେଷରେ ଛୋଟ କବିଙ୍କର ଦଳ।ମାଟ୍ରିକ ଆଉ ଇଣ୍ଟରମିଡିଏଟ୍ ରେ ଅସମ୍ଭବ ରେଜଲଟ୍ କରିଥିବା ସାନମାମୁଁ କୌଣସି ମତେ ଘୁଷୁରି ଘୁଷୁରି ବିଏସସି ପାଶ୍ କଲେ।ରେଜଲ୍ଟ ବାହାରିବା ପରେ ମଝିଆମାମୁଁ ସାତଦିନ ବଜାରକୁ ଯାଇନାହାଁନ୍ତି।ଦିନ ରାତି ଖାଲି ମୁଢି ଆଉ ପାଣି।ମୁଁ ସେତେବେଳେ ସାନମାମୁଁଙ୍କ ଖଟରେ ଶୋଉଥିଲି।ଖଟ ସାରା,ଘର ସାରା,ତକିଆ ସାରା ଖାଲି କବିତାର ଗନ୍ଧ।ସେଇ ଗନ୍ଧ ମୋର ନାକ ଦେଇ ପଶିଯାଇଥିଲା କେଉଁ ଅତଳ ଗହୀରକୁ,ବୁଝି ପାରିନି।ସେହି ସମୟରେ ସତ୍ୟଜିତ୍ ରାୟ,ଚିଦାନନ୍ଦ ଦାଶଗୁପ୍ତ ଆଉ ରାଧାପ୍ରସାଦ ଗୁପ୍ତ ମିଶି ଆରମ୍ଭ କରିଥିଲେ “କାଲକାଟା ଫିଲ୍ମ ସୋସାଇଟି।” ମାମୁଁ ମେମ୍ବର ହୋଇଗଲେ।ରାତି ର ଅନିଦ୍ରା ରହି ସାନମାମୁଁ “ବାଟଲସିପ୍ ପୋଟେମକିନ୍”,”ସିଟିଜେନ୍ କେନ୍”,”ଭର୍ଜିନ୍ ସ୍ପ୍ରିଂ” ସେ ସବୁର ଗପ ମୋତେ ଶୁଣାନ୍ତି।
କଲିକତା ସହର ସେତେବେଳେ ଗୋଟିଏ ଅନ୍ୟ ପ୍ରକାର ସହର ଥିଲା।କିଛି ହେବାକୁ ହେଲେ କେହି କିଛି କରୁନଥିଲେ।କବିମାନେ କବିତା ଲେଖୁଥିଲେ ଆଉ ତାହାପରେ ଘୁମେଇ ପଡୁଥିଲେ,ଚିତ୍ରକର ମାନେ ରଂଗ ସହିତ ରାଜନୀତି ଫେଣ୍ଟୁ ନଥିଲେ,ଧନ୍ଦାବାଜମାନେ ସେତେବେଳେ ଏଇ ସହରଟିକୁ ନିଜର ହାତମୁଠାରେ ରଖି ପାରୁନଥିଲେ।ପ୍ରେମ ନପାଇ ଦାଢୀ ରଖି ହଜିଯାଇଛନ୍ତି ଅନେକେ,ଏସିଡ୍ ର ବୋତଲମାନ ସଠିକ ବ୍ୟବହାରରେ ଲାଗିବା ପାଇଁ ଦୋକାନରେ ଠିକ୍ ଠାକ୍ ସ୍ଥାନରେ ରହିଛି। ଏତେ ରାଗ ସହରର ଗଳା ଯାଏଁ ଆସି ପହଞ୍ଚିନାହିଁ ସେଯାଏଁ।ସଦ୍ୟ କିଶୋର ହୋଇ ଉଠିବା ବାଳକ ଅପର୍ଛନିଆ କଥାରେ ଭାରି କରିଦେଇନାହିଁ ସହରର ବତାସ।ନବନୀତା ଦେବସେନ୍ ଙ୍କ ଘର “ଭାଲୋବାସା” ର ଝରକାର ଠିକ୍ ଓଲଟା ଦିଗରେ ଛାତରେ ଖାଲି ଦେହରେ ଲୁଙ୍ଗିପିନ୍ଧା ଅବସ୍ଥାରେ ଚଲାବୁଲା କରିବାର ଦେଖାଯାଏ ପ୍ରବଳପ୍ରତାପୀ କମ୍ୟୁନିଷ୍ଟ ନେତା ଜ୍ୟୋତି ବସୁଙ୍କୁ।ମୋର ନିଜ ଆଖି ଦେଖା।”ମନ ଡୋଲେ ମେରା ତନ୍ ଡୋଲେ” ରେ ସୁର ଦେଇ ଆଉ ଗାଇ ରାତାରାତି ବିଖ୍ୟାତ ହେମନ୍ତ ମୁଖୋପାଧ୍ୟାୟ ଲେକ୍ ମାର୍କେଟ୍ ରେ ବୁଲି ବୁଲି ବାଛି ବାଛି ପରିବା କିଣୁଛନ୍ତି! ସୁତିତ୍ରା ମିତ୍ରଙ୍କ ଘରେ ହଠାତ୍ ପହଞ୍ଚିଯାଇ ଜଣେ ଅଚିହ୍ନା ମଣିଷ ଅଳି କରି ପାରୁଥିଲା,”ତବୁ ମନେ ରେଖୋ ” ଗୀତଟି ଆଉ ଥରେ ଶୁଣେଇବେ ?
ମାମୁଁଙ୍କ ପରିବାରରେ ଆଉ ଜଣେ ନୂଆ ସଦସ୍ୟ ଆସିଲା,କ୍ରମଶଃ ସେ ବିଶେଷ ହୋଇ ଉଠିଲା।ମଝିଆ ମାମୁଁ ଏତେ ଦିନ ପରେ ଏମିତି କଥା କହିବା,ଚାହିଁ ରହିବା ଆଉ ଇଙ୍ଗିତ କରିବା ଭଳି ଜଣେ କାହାକୁ ପାଇଗଲେ- ଟମି।ଟମିର ମାଆ କୁକୁର,ବାବା କୁକୁର,ଭାଇଭଉଣୀ ମାନେ ସେମିତି,କିନ୍ତୁ ଟମି ମଣିଷ ହୋଇଗଲା,ନାଆଁ ହେଲା-ଟମୀନ୍ଦ୍ରନାଥ ସେନଗୁପ୍ତ।ଆଈମା ର ସଂସାରରେ ମଝିଆ ମାମୁଁ ଥିଲେ ଜଣେ ଏକେଲା ମଣିଷ।କେବେ କେଉଁକାଳରେ ମଝିଆ ମାମୁଁଙ୍କର କୁଆଡେ ଟିବି ହୋଇଥିଲା,ତାହା ପରଠାରୁ ଥାଳିବାସନ ସବୁ ଅଲଗା। ମଝିଆ ମାମୁଁ ବଜାରରୁ ଟଙ୍କାରେ ଷୋହଳଟା ଆଉ ଗୋଟିଏ ଫାଉ ଏମିତି ସତରଟା ରସଗୋଲ୍ଲା କିଣି ଆଣି ଆସି ଫାଙ୍କା ଘର ଭିତରେ ବସି ଗୋଟିକ ପରେ ଗୋଟିଏ ରସଗୋଲ୍ଲା ମୁହଁରେ ଭର୍ତ୍ତି କରୁଥାନ୍ତି ଆଉ କହୁଥାନ୍ତି-“ରସ,ମୋ ମୁହଁରେ ଏବେ ବସ”।ଦରଜାର ବାହାରେ ଛିଡାହୋଇ ମୁଁ ଭାବୁ ଥାଏ, ଏଥର ବୋଧେ ମୋ ପାଳି ପଡିବ। କଥା କହିବା ଭଳି,ମୁହଁକୁ ଚାହିଁ ରହିବା ଭଳି ମଝିଆ ମାମୁଁଙ୍କର କେହି ନଥିଲେ।ଟମି ଆଖିର ପଲକ ନପକାଇ ମଝିଆ ମାମୁଁଙ୍କୁ ଚାହିଁ ରହିଥାଏ।ଆସ୍ତେ ଆସ୍ତେ ଅନେକେ ଛବି ହୋଇଯାଉଥିଲେ।ଟମି ବି ଦିନେ ଛବି ହୋଇଗଲା।ଢାକା ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଅଜା,ତାହାପାଖରେ ଆଈମା,ଆଉ ତାହା ପାଖରେ ଆହୁରି ଅନେକ ଛବି ହୋଇ ଝୁଲି ରହିଥିବା ମଣିଷ ମାନଙ୍କ ଭିତରେ ଟମି ବି ନିଜର ଜାଗା ବାଛି ନେଲା।ଏହା ପରେ ମଝିଆ ମାମୁଁଙ୍କ ର ଆଉ ତର ସହିଲା ନାହିଁ ।ଗୋଟିଏ ଫାଙ୍କା ଜାଗା ଦେଖି ଗୋଟିଏ କଣ୍ଟାରୁ ଝୁଲି ପଡିଲେ ସେ ବି।
ହଠାତ୍ ଦେଖିଲି ମୁଁ ବଡ ହୋଇଗଲିଣି।ମାମୁଁଙ୍କ ସହ ବସି ଗିଲାସ ରେ ଚୁମୁକ ଦେଉଛି।ମନ ଭିତରେ ଦୁଃଖ ଜମାଟ ବାନ୍ଧିବାକୁ ଆରମ୍ଭ କଲାଣି।ତାହା ପରେ ଆହୁରି ଆହୁରି ଆହୁରି ସମୟ ବିତି ଯାଇଛି ,ମୁଁ ଆଉ ମାମୁଁ ବନ୍ଧୁ ହୋଇ ଯାଇଛୁ,ବୟସ ଖିଆଲ୍ ନାହିଁ।ମାମୁଁଙ୍କ ଶରୀରରୁ ଗୀତ,କବିତା,ସିନେମା ସଂକ୍ରାମକ ରୋଗ ଭଳି ମୋତେ ଜାବୁଡି ଧରିଛି।ଯାହା ମୋତେ ସବୁଠୁ ଆଶ୍ଚର୍ଯ୍ୟ ଲାଗେ ତାହା ହେଉଛି ଏଇ ଭଳି ନିହାତି ଶକ୍ତ ମଣିଷର ହୃଦୟଟି କେମିତି ତୁଳା ଭଳି ନରମ।କିଏ କିଛି ଚାହିଁଛି,କାହାର କିଛି ଦରକାର ପଡିଛି ଅଥଚ ମାମୁଁ ତାହାକୁ ଦେଇନାହିଁ କି ତାହାର ପାଖରେ ଆସି ଛିଡାହୋଇନି ,ଏପରି କେବେ ହୋଇନି।ସବୁ ସମୟ ନିଜକୁ ନିଜେ ଚାହିଁ ରହିଥିବା କବିମାନଙ୍କର ଭୀଡରେ,ସେଇ ଅର୍ଥରେ ମାମୁଁ ଜଣେ ଅ-କବି।

ଏହା ଭିତରେ ମୋର ବି ଦିନେ ଖୁବ୍ ଦରକାର ପଡିଲା ମାମୁଁକୁ।ସକାଳରୁ ମନ ଭଲ ନାହିଁ,ମନ ଭଲ ନାହିଁ, ମନ ଭଲ ନାହିଁ।ନିଜର କୌଣସି କାମ ଭଲ ଲାଗୁନାହିଁ,କବିତା ଭଲ ଲାଗୁ ନାହିଁ।ପୁରସ୍କାର ଫୁରସ୍କାର ,କବିତାର ବହି ଲାଠିମାରି ବିଦା କରିଦେବାକୁ ଇଚ୍ଛା ହେଉଛି।ରାତି ଅଧରେ ଗାଡି ଧରି ମାମୁଁଘର ରାସ୍ତାରେ ବାର ବାର ଚକ୍କର ଲଗାଉଛି,ହଠାତ୍ ଦେଖିଲି,ମାମୁଁ ଗେଟ୍ ସାମ୍ନାରେ ଛିଡା ହୋଇଛି।”ପୁଣି ପାଗଳାମୀ କରୁଛୁ,ତୋର ହେଇଛି କ’ଣ ?ଘରକୁ ଯା”।ଆଉ ଥରେ ଦେଖିବି ବୋଲି ପୁଣିଥରେ ଘୁରି ଆସି ଘର ସାମନାରେ ଛିଡା ହେଲି।ମାମୁଁ ,ମାନେ କବି ସମରେନ୍ଦ୍ର ସେନଗୁପ୍ତ,ଗେଟ୍ ର ପାଖରେ ନାହିଁ,ରହିବାର କଥା ବି ନୁହଁ।କେତେ ବର୍ଷ ଆଗରୁ ତ ସବୁ ଶେଷ ହୋଇ ଯାଇଛି।ମଝିରେ ମଝିରେ ବନ୍ଧୁ ଫାଲଗୁନି ରାୟ ର ଗୋଟିଏ ଧାଡି କୌଣସି ଏକ ଗହୀରରୁ ଉଠି ଆସେ-
“ମଣିଷ ବଂଚିଥାଏ ମଣିଷ ମରିଯାଏ
କାହାର କ୍ଷତି ସେଥିରେ ?କ’ଣ ବା କ୍ଷତି ହେବ ?
ମୋର କେବଳ ଛାତିରେ ଗୋପନରେ ଜ୍ୱର ବଢୁଥାଏ
ମଣିଷ ବଂଚେ ଆଉ ମଣିଷ ମରିଯାଏ”।
°°°°°
କାଳ ପୁରୁଷ,ବାଘବାହାଦୁର୍ ଓ ତାହାଦେର କଥା ଭଳି ଅନେକ ଅବିସ୍ମରଣୀୟ ଚଳଚ୍ଚିତ୍ର ର ପ୍ରଖ୍ୟାତ ଚଳଚ୍ଚିତ୍ରକାର ହେଉଛନ୍ତି ଶ୍ରୀ ବୁଦ୍ଧଦେବ ଦାଶଗୁପ୍ତ। ୧୦ ଜୁନ୍ ୨୦୨୧ ରେ ତାଙ୍କର ୭୭ ବର୍ଷ ବୟସରେ ଦେହାବସାନ ଘଟିଥିଲା।
ଏଇଠି ଯେଉଁ ଲେଖାଟି ଉପସ୍ଥାପନ କରାଯାଇଛି ସେଇଟି ଶ୍ରୀ ଦାଶଗୁପ୍ତ ଙ୍କର ଲିଖିତ ଆଉ ଜଣେ କବି ଙ୍କ ଉପରେ ତାଙ୍କର ଏହା ଏକ ଶ୍ରଦ୍ଧାଲେଖ। ଆପଣମାନେ ଏଇ ଲେଖାରୁ ଏହି ପ୍ରୟାତ ଚଳଚ୍ଚିତ୍ରକାରଙ୍କ କବିଦୃଷ୍ଟି ଆଉ ଚିତ୍ରଦୃଷ୍ଟିର ସମନ୍ୱୟକୁ କିଛି ପରିମାଣରେ ବୁଝି ପାରିବେ ବୋଲି ବିଶ୍ୱାସ।
ଉପସ୍ଥିତ ଲେଖକକୁ ଏଇ ଲେଖା ଯେମିତି ଗୋଟିଏ ଛୋଟ ଛବିର ଚିତ୍ରନାଟ୍ୟ ପରି ଲାଗିଲା।ତେଣୁ ଜଣେ ଚଳଚ୍ଚିତ୍ରକାର ଯେ ପ୍ରାଥମିକ ଭାବରେ ଜଣେ କବି ହେବା ଉଚିତ ,ସେହି ଭଳି ଏକ ଅବବୋଧ ଆସିଲା।
ଜଣେ ବିପ୍ଳବୀ ଜେଲଖାନାରେ ଦୀର୍ଘକାଳ ବନ୍ଦୀ ରହିବା ପାଗଳ ହୋଇଯିବା କାରଣରୁ ଛାଡ ପାଇ ଘରକୁ ଆସିଛି ଆଉ ନିଜ ଘରେ ବି ତାହାର ପାଗଳାମୀକୁ ଲୋକେ ସହି ନପାରି ଶେଷରେ ତାହାର ଗୋଡରେ ବେଡି ପକାଇଦେଉଛନ୍ତି। “ତାହାଦେର କଥା” ଚଳଚ୍ଚିତ୍ର ର ଏଇ ଶେଷ ଦୃଶ୍ୟ ଆଜି ବି ଉପସ୍ଥିତ ଲେଖକକୁ ଅସହଜ କରିଦିଏ।ମନେହୁଏ ଏଇ ଯେମିତି ଅନିର୍ଦ୍ଦିଷ୍ଟ କାରଣ ରୁ ନିଜ ପାଦରେ ବେଡି ପଡିବାର ବେଳ ଆସିଗଲା।
ଶ୍ରୀଯୁକ୍ତ ବୁଦ୍ଧଦେବ ଦାଶଗୁପ୍ତ,ଆପଣଙ୍କୁ ସ୍ମରଣ କରୁଛି ।
ଗଞ୍ଜାମର ବାଘନାଚର ଜଣେ ନର୍ତ୍ତକର ସୁଖଦୁଃଖ କୁ ନେଇ ଚିତ୍ରାୟିତ ଆପଣଙ୍କର ବହୁ ଚର୍ଚ୍ଚିତ “ବାଘବାହାଦୁର “ଛବିରେ ଶ୍ରୀଯୁକ୍ତ ଶାନ୍ତନୁ ମହାପାତ୍ରଙ୍କ ସୁରାରୋପଣରେ ରହିଛି ଆମର ଦୁଇଟି ପ୍ରସିଦ୍ଧ ଲୋକଗୀତ।”କୁଆଁର ପୁନେଇଁ ଜହ୍ନ ଗୋ ଫୁଲ ବଉଳ ବେଣୀ” ଆଉ “ବନସ୍ତେ ଡାକିଲା ଗଜ”।
ଆପଣଙ୍କୁ ପ୍ରଣାମ।

