ମୂଳ ରଚନା : ଶ୍ରୀ ଅରବିନ୍ଦ ।। ଓଡ଼ିଆ ଅନୁବାଦ : ଜ୍ୟୋତି ନନ୍ଦ
କବିତାର ସତ୍ତା କହିଲେ କ’ଣ ? କବିତା ନିକଟରୁ ଆମେ ସର୍ବୋଚ୍ଚ କେଉଁ ପ୍ରତ୍ୟାଶା କରିପାରିବୁ ? କାବ୍ୟସୃଷ୍ଟି ଭଳି ଗଭୀର ଆଉ ଜଟିଳ ବିଷୟକୁ ନିର୍ଦ୍ଦିଷ୍ଟ ଭାବରେ ସଂଜ୍ଞାୟିତ କରିବା ବା ବୈଜ୍ଞାନିକ ଭାବରେ ବିଶ୍ଳେଷଣ କରିବାକୁ ବସିବା ଏମିତିରେ ଏକ ଅତ୍ୟନ୍ତ ସଂକୀର୍ଣ୍ଣ ଆଉ ନିଷ୍ଫଳ ଏକ ପଦକ୍ଷେପ। ତଥାପି କବିତାର ନିଗୂଢ ରହସ୍ୟ ବୁଝିବାକୁ ଗଲାବେଳେ କିଛି ବିଷୟ ସଂପର୍କରେ ଅବଶ୍ୟ ଆମର ଜାଣିବାର ପ୍ରୟୋଜନ ରହିଛି,ଯାହା ଆମର କବିତା-ଖୋଜାର ବାଟଟିକୁ କିଛି ପରିମାଣରେ ସୁଗମ କରିପାରିବ।
କବିତାର ବ୍ୟାଖ୍ୟା କଲାବେଳେ ସାଧାରଣତଃ ଦୁଇଟି ଧରଣର ଭୁଲ ହୋଇଥାଏ। ପ୍ରଥମ ଭୁଲ୍ ଟି କରିଥାଆନ୍ତି ଅପରିପକ୍ୱ ବା ଅନଭିଜ୍ଞ ପାଠକ,ଆଉ ଦ୍ୱିତୀୟ ଭୁଲ୍ ଟିର ଅଭିଯୁକ୍ତ ହେଉଛନ୍ତି ସମାଲୋଚକ ଅଥବା ଅତିମାତ୍ରାରେ ବୁଦ୍ଧିନିର୍ଭର ଶିଳ୍ପୀଗଣ। ଅପରିଣତ ପାଠକ କେବେହେଲେ କବିତାର ଅନ୍ତଃସ୍ଥଳର ପରଶ ପାଏ ନାହି,ଫଳ ସ୍ୱରୂପ କବିତା ତାହାର ନିକଟରେ ଏକଧରଣର କଳ୍ପନାଉଦ୍ଭୂତ ସୁଖାନୁଭୂତି ବ୍ୟତୀତ ଆଉ କିଛି ନୁହଁ। ଏଇ ଶ୍ରେଣୀର ପାଠକ କବିତାକୁ ମାନସମ୍ମତ ଅବସରଯାପନ ହିସାବରେ ବିବେଚନା କରିଥାଆନ୍ତି । ଯଦି କଥାଟି କେବଳ ତାହା ତାହାହେଲେ କବିତାର ସତ୍ତା ବା ମୂଳ ଉଦ୍ଦେଶ୍ୟ କୁ ଅନୁସନ୍ଧାନ କରିବାର କୌଣସି ପ୍ରୟୋଜନ ଆଉ ପଡନ୍ତା ନାହିଁ । ସୁନ୍ଦର,ଆକର୍ଷଣୀୟ ,ସୁଶ୍ରାବ୍ୟ ଆଉ ଚିତ୍ତାକର୍ଷକ ଧାରଣାଯୁକ୍ତ ସକଳ କବିତା ହିଁ ତାହାହେଲେ ଆମମାନଙ୍କ ନିକଟରେ ଏଇପ୍ରକାରର ମନେ ହୁଅନ୍ତା। ଅବଶ୍ୟ ଆମେମାନେ କବିତା ନିକଟରୁ ଆନନ୍ଦର ପ୍ରତ୍ୟାଶା କରିବା,ଅନ୍ୟ ସମସ୍ତ ଶିଳ୍ପକର୍ମ ଠାରୁ ଆମେ ଠିକ୍ ଯେଉଁ ଭଳି ପ୍ରତ୍ୟାଶା କରିଥାଉ,କିନ୍ତୁ ଏଇ ଇନ୍ଦ୍ରୀୟଜାତ ଏବଂ କଳ୍ପନା-ଉଦ୍ଭୂତ ଆନନ୍ଦ ହିଁ କବିତାର ଏକମାତ୍ର ଉପାଦାନ ନୁହଁ । କବିତାର ପ୍ରକୃତ ଉପଲବ୍ଧିର ନିମନ୍ତେ ବୁଦ୍ଧି ଆଉ କଳ୍ପନା ଶକ୍ତିର ପରିଶୋଧନର ପ୍ରୟୋଜନ ରହିଛି। ଏଇ ପରିଶୋଧନ ବୁଦ୍ଧି ଆଉ କଳ୍ପନାକୁ ତୀକ୍ଷ୍ଣ ଆଉ ଶାଣିତ କରିଥାଏ ,ଯାହା କବିତାର ଉଚ୍ଚସ୍ତରୀୟ ଉପଲବ୍ଧି ନିମନ୍ତେ ଏକାନ୍ତ ପ୍ରୟୋଜନ । ତେବେ କବିତାର ପ୍ରକୃତ ଉପଲବ୍ଧିର ନିମନ୍ତେ ବୁଦ୍ଧି ଆଉ କଳ୍ପନାକୁ ତାହାର ନିଜସ୍ୱ ସୀମାକୁ ଅତିକ୍ରମ କରି ଆହୁରି ସୁଉଚ୍ଚ କିଛି ସ୍ପର୍ଶ କରିବାର ପ୍ରୟାସୀ ହେବାକୁ ପଡିବ।
ବୁଦ୍ଧି,କଳ୍ପନା ବା ଶ୍ରବଣେନ୍ଦ୍ରୀୟ ,ଏଇ କୌଣସିଟି କବିତାର ପ୍ରକୃତ ଗ୍ରହୀତା ନୁହଁ,ଏଗୁଡିକ କେବଳ ଗ୍ରହଣର ମାଧ୍ୟମ ମାତ୍ର। କବିତାର ସ୍ରଷ୍ଟା ଆଉ ଶ୍ରୋତା ଉଭୟେ ହେଉଛନ୍ତି ଆମର ମାନବାତ୍ମା। ଦ୍ରୁତତା ଆଉ ସ୍ୱଚ୍ଛତାର ସହିତ ଏଇ ମାଧ୍ୟମ ଗୁଡିକ ଅର୍ଥାତ୍ ବୁଦ୍ଧି,କଳ୍ପନା ଆଉ ଶ୍ରବଣେନ୍ଦ୍ରୀୟ,ଶବ୍ଦକୁ ଆତ୍ମାର ନିକଟକୁ ପ୍ରେରଣ କରି ପାରିଲେ ,ମାଧ୍ୟମ ଗୁଡିକ ଦ୍ୱାରା ସୃଷ୍ଟ ପୃଥକ ପୃଥକ ତୃପ୍ତିଲାଭର ସମ୍ଭାବନା କମିଯାଏ । ଯେଉଁ କବିତାର କ୍ଷେତ୍ରରେ ଏଇ ପ୍ରକ୍ରୀୟା ଯେତେ ଦ୍ରୁତଭାବରେ ଘଟେ ,ସେଇ କବିତା ସେତେ ବେଶି ସାର୍ଥକ। କବିତା ଯେତେପର୍ଯ୍ୟନ୍ତ ଏଇ ମାଧ୍ୟମଗୁଡିକୁ ଅତିକ୍ରମ କରିପାରିନାହିଁ,ସେତେ ଯାଏଁ ତାହାର ପ୍ରଧାନ ଏବଂ ସର୍ବୋଚ୍ଚ ଉଦ୍ଦେଶ୍ୟ ଅପୂର୍ଣ୍ଣ ରହିଥାଏ।
ଗୋଟିଏ ଶ୍ରେଣୀର ସମାଲୋଚକ ବା ବୁଦ୍ଧିବୃତ୍ତିକ ଶିଳ୍ପୀଗଣ ମନେ କରନ୍ତି ଯେ,କବିତା ନିର୍ଭୁଲ ବା ନିଖୁଣ କଳାକୌଶଳ ଦ୍ୱାରା ଗଠିତ ହୋଇଥାଏ।ଯେ କୌଣସି ଶିଳ୍ପର ଉତ୍କର୍ଷତା ନିମନ୍ତେ କଳାକୌଶଳ ଅବଶ୍ୟ ପ୍ରୟୋଜନୀୟ କିନ୍ତୁ ଏହା ସହିତ ଆଉ କେତେଗୁଡିଏ ପାହାଚ ଜଡିତ ରହିଥାଏ । କେବଳମାତ୍ର ସଠିକ କଳାକୌଶଳ ପ୍ରୟୋଗ କରି ଯେ କାଳଜୟୀ କବିତାର ସୃଷ୍ଟି କରାଯାଏ ନାହିଁ। ତାହାଛଡା ଏମିତି ଦେଖିଲେ କବିତା କ୍ଷେତ୍ରରେ କଳାକୌଶଳର ଭୂମୀକା ଅନ୍ୟାନ୍ୟ ଶିଳ୍ପର ତୁଳନାରେ ଅପେକ୍ଷାକୃତ କମ୍,କାରଣ କବିତା ଅତିମାତ୍ରାରେ ଇଙ୍ଗିତ ଓ ବ୍ୟଞ୍ଜନାପୂର୍ଣ୍ଣ । କବିତାରେ ବ୍ୟବହୃତ ଛନ୍ଦବଦ୍ଧ ଶବ୍ଦର ଧ୍ୱନୀଗତ ମୂଲ୍ୟ ରହିଛି ,ରହିଛି ଚିନ୍ତାଗତ ମୂଲ୍ୟ ବି। ଆହୁରି ଏଇ ଧ୍ୱନୀ ଏବଂ ଅର୍ଥର ପୃଥକ ଆଉ ସମ୍ମିଳିତଭାବରେ ରହିଛି ଏକ ଆଧ୍ୟାତ୍ମିକ ମୂଲ୍ୟ,ଆଉ କହିବାକୁ ଗଲେ ଏଇଟି ହେଉଛି କବିତାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। କେବଳମାତ୍ର କୌଶଳଦ୍ୱାରା କେବେହେଲେ ପରିପୂର୍ଣ୍ଣ ଭାବରେ ଏହାକୁ ନିୟନ୍ତ୍ରଣ କରିବା ସମ୍ଭବ ନୁହଁ । କବିତା ନିଜେ ହିଁ ତାହାର ନିଜର ଗଠନ ନିର୍ଦ୍ଧାରଣ କରିଥାଏ,ନିର୍ଦ୍ଦିଷ୍ଟ କୌଣସି ଗଠନକୁ କବିତା ଉପରେ ଯାନ୍ତ୍ରୀକ ଭାବରେ ଚାପି ଦିଆଯାଏ ନାହିଁ । ଜଣେ କବିକୁ ଅନ୍ୟ ଯେ କୌଣସି ଶିଳ୍ପୀର ତୁଳନାରେ କୌଶଳର ଦିଗ ପ୍ରତି କମ୍ ଦୃଷ୍ଟି ରଖିଲେ ଚଳିବ। ତାହାକୁ କୌଶଳକୁ ଆୟତ୍ତ କରିବାକୁ ପଡିଥାଏ ସତ,କିନ୍ତୁ ସୃଷ୍ଟିର ଉତ୍ତାପରେ ଏହାର ଭୂମିକା ଅତି ଗୌଣ ହୋଇପଡେ,ଏପରିକି ଉତ୍କୃଷ୍ଟ ବା ମହତ୍ତମ ସୃଷ୍ଟିର ମୁହୂର୍ତ୍ତରେ କୌଶଳ ସଂପୂର୍ଣ୍ଣ ଭାବରେ ଚାଲିଯାଇଥାଏ ବିସ୍ମୃତିର ଗର୍ଭକୁ। କାରଣ ଶବ୍ଦ-ଛନ୍ଦ-ଗଠନ ସେଇ ମୁହୂର୍ତ୍ତରେ ସ୍ୱତଃସ୍ଫୃର୍ତ୍ତଭାବରେ କବିର ଆତ୍ମା ଭିତରୁ ନିର୍ଗତ ହୋଇଥାଏ । ଏହି ସ୍ୱପ୍ରକାଶିତ ଶକ୍ତି କବିର ବ୍ୟବହୃତ ଶବ୍ଦକୁ ପରିଣତ କରିଥାଏ ଆତ୍ମଦର୍ଶନ ବା ଜଗତଦର୍ଶନ ପ୍ରକାଶର ଶ୍ରେଷ୍ଠ ମାଧ୍ୟମ ହିସାବରେ । ଏହାଛଡା ଏଇଟି ଲକ୍ଷ୍ୟଣୀୟ ଯେ,ଆମେମାନେ ଯେତେବେଳେ କୌଣସି ଗଭୀର ଅଭିଜ୍ଞତାକୁ କେବଳମାତ୍ର ବୁଦ୍ଧିବୃତ୍ତିକ ଭାବରେ ବ୍ୟାଖ୍ୟା ନକରି ସଂପୂର୍ଣ୍ଣରୂପରେ ପ୍ରକାଶ କରିବାର ଚେଷ୍ଟା କରୁ ,ସେତେବେଳେ ତାହା ସ୍ୱାଭାବିକ ଭାବରେ କବିତାର ଅନେକ ବୈଶିଷ୍ଟ୍ୟକୁ ଧାରଣ କରିଥାଏ । ଏଇ ଦୃଷ୍ଟିଭଂଗୀକୁ ମାନବିକ ସକଳ ଅଭିଜ୍ଞତାର କ୍ଷେତ୍ରରେ ବ୍ୟବହାର କରିଥାଏ କବିତା।

କବିତାର ଭାଷା ଓ ସାଧାରଣଭାବେ ବ୍ୟବହୃତ ଭାଷାର ଭିତରେ କିଛି ପାର୍ଥକ୍ୟ ରହିଛି। ସାଧାରଣଭାବରେ ଭାଷା ଆମମାନଙ୍କର ଅନୁଭୂତି ଆଉ ବିଭିନ୍ନ ଚିନ୍ତା ପ୍ରକାଶର ମାଧ୍ୟମ ହିସାବରେ ଦୈନନ୍ଦିନ ଜୀବନରେ ଖୁବ୍ ସୀମୀତ ଭାବରେ ବ୍ୟବହୃତ ହୋଇଥାଏ । ଏଇଭଳି ବ୍ୟବହାର ଫଳରେ ଭାଷା ଆମମାନଙ୍କର ଅତି ସାଧାରଣ ଗୋଟିଏ ପ୍ରୟୋଜନୀୟ ଦ୍ରବ୍ୟ ଭଳି ମନେହୋଇଥାଏ । ଆମେମାନେ ଭାବୁ ଭାଷା ଆମମାନଙ୍କର ଜୀବନ ପାଇଁ ପ୍ରୟୋଜନୀୟ,କିନ୍ତୁ ଏହାର ନିଜସ୍ୱ କୌଣସି ଜୀବନୀଶକ୍ତି ନାହିଁ । କୌଣସି ବକ୍ତବ୍ୟର ପ୍ରୟୋଜନୀୟ ଶକ୍ତି ପ୍ରଦାନ ଉଦ୍ଦେଶ୍ୟରେ ଆମେମାନେ ଆମର କଣ୍ଠସ୍ୱରର ଉତ୍ଥାନ-ପତନ କରିଥାଉ ବା ଆବେଗ ଦେଇ ଉଚ୍ଚାରଣ କରିଥାଉ। ଅର୍ଥାତ୍ ଆମେମାନେ ଏପରି କିଛି ସେଥିରେ ଯୋଡିବା ପାଇଁ ଚେଷ୍ଟା କରିଥାଉ,ଯାହା ଶବ୍ଦର ସହିତ ସହଜାତ ଭାବରେ ଅବସ୍ଥାନ କରିନଥାଏ । କିନ୍ତୁ ଭାଷାର ଉତ୍ପତ୍ତିର ଇତିହାସର ପ୍ରତି ଦୃଷ୍ଟିପାତ କଲେ ଆମେମାନେ ଦେଖିବା ଯେ,ପୁରାପୁରି ଆଦିପର୍ଯ୍ୟାୟର ଶବ୍ଦଗୁଡିକ କୌଣସି ନିର୍ଦ୍ଦିଷ୍ଟ ବୁଦ୍ଧିଗତ ଧାରଣା ପ୍ରକାଶ କରିବା ନିମନ୍ତେ ବ୍ୟବହୃତ ହେଉନଥିଲା,ବରଂ ତାହା ଦ୍ୱାରା ପ୍ରକାଶିତ ହେଉଥିଲା ମଣିଷର ବିଭିନ୍ନ ଅସ୍ପଷ୍ଟ ଅନୁଭୂତି ଏବଂ ମାନସିକ ଅବସ୍ଥା । ଶବ୍ଦ ସହିତ ବୁଦ୍ଧିବୃତ୍ତିକ ବୈଶିଷ୍ଚ୍ୟ ଯୋଗ ହୁଏ ପରବର୍ତ୍ତିକାଳରେ,ଯେତେବେଳେ ଧୀରେ ଧୀରେ ମଣିଷର ବୁଦ୍ଧିମତାର କ୍ରମବିକାଶ ଘଟିବାକୁ ଲାଗେ ।
କୌଣସି ଶବ୍ଦର ସହିତ ଶବ୍ଦଟି ଯେଉଁ ବୁଦ୍ଧିଗତ ଧାରଣା ପ୍ରଦାନ କରେ,ତାହାର କୌଣସି ସମ୍ବନ୍ଧ ନାହିଁ । ମଣିଷ ଭିତରେ ପାରସ୍ପରିକ ବୁଝାମଣାର ଭିତ୍ତିରେ ଯେ କୌଣସି ଶବ୍ଦର ମାଧ୍ୟମରେ ଯେ କୌଣସି ଅର୍ଥ ପ୍ରକାଶ କରିବା ସମ୍ଭବପର । କିନ୍ତୁ ପ୍ରାଚୀନ ଭାଷାରେ ଶବ୍ଦର ଉତ୍ପତ୍ତି ଭିନ୍ନ ଭାବରେ ହୋଇଛି। କୌଣସି ବସ୍ତୁର ଉପସ୍ଥିତି ମଣିଷ-ମନ ବା ମାନବାତ୍ମା ର ଉପରେ ଯେଉଁ ଅନୁରଣନକୁ ସୃଷ୍ଟି କରିଥାଏ ,ତାହାର ପ୍ରଭାବ ଏଇସବୁ ଭାଷାର ଶବ୍ଦର ଧ୍ୱନୀ ଭିତରେ ପରିଲକ୍ଷିତ ହୁଏ। ଶବ୍ଦର ଧ୍ୱନୀ ପ୍ରାଥମିକ ଭାବରେ ଭାଷାକୁ ଏକ ପ୍ରକାର ଜୀବନୀଶକ୍ତି ଏବଂ ଯାହାକୁ କୁହାଯିବ ଏକ କାବ୍ୟିକ ଦ୍ୟୋତନା ତାହା ପ୍ରଦାନ କରିଥାଏ। କ୍ରମବିକାଶ ଫଳରେ ଭାଷା ଅଧିକରୂପେ ସ୍ପଷ୍ଟ ଓ ବ୍ୟବହାର ଉପଯୋଗୀ ହୋଇଯାଏ ,ଠିକ୍ ସେହିପରି ତାହାର ଆଗଭଳି ଧ୍ୱନୀଗତ ଇଙ୍ଗିତ-ବୈଶିଷ୍ଟ୍ୟକୁ ହଜାଇ ବସୁଥାଏ।
ଭାଷାର ଏଇ ମୌଳିକ ବୈଶିଷ୍ଟ୍ୟର ପୁନରୁଦ୍ଧାର କରିବାକୁ ପ୍ରୟାସୀ ହୋଇଥାଏ କବିତା,ଯଦିଓ ଏଇ ପୁନରୁଦ୍ଧାରର ପନ୍ଥା ଟିକିଏ ଭିନ୍ନ। ଚିତ୍ରକଳ୍ପ ପ୍ରୟୋଗ କରି ଭାଷାର ବସ୍ତୁବାଚକ ଅର୍ଥର ପ୍ରତିସ୍ଥାପନ ଓ ଧ୍ୱନୀର ଇଂଗିତବାହୀ ବ୍ୟବହାର ହେଉଛି ଏଇ ପୁନରୁଦ୍ଧାରର ପ୍ରକ୍ରୀୟା। ଏହାର ସହିତ ଜଡିତ ହୋଇଯାଏ ବୁଦ୍ଧିବୃତ୍ତିକ ଉପାଦାନ,ଏବଂ ଏଇ ସଂଯୁକ୍ତିର ଫଳରେ କବିତା ଏବଂ ଚିନ୍ତା ଉଭୟ ହିଁ ଉତ୍କର୍ଷ ଅର୍ଜନ କରିଥାଏ। ଏହାଦ୍ୱାରା ଉଚ୍ଚତ୍ତର ଅଭିଜ୍ଞତାର ପ୍ରତ୍ୟକ୍ଷ ପ୍ରକାଶରେ ପରିଣତ ହୁଏ କବିତା,ଯାହା ସାଧାରଣ ବୁଦ୍ଧିବୃତ୍ତିକ ଚିନ୍ତାର ତୁଳନା ଶ୍ରେୟତର। ଅର୍ଥାତ୍ କବିତା ଆପାତ ସୀମୀତ ବୁଦ୍ଧିଗତ ଅର୍ଥର ଆଢୁଆଳରେ ଅବସ୍ଥିତ ଅସୀମ ଅର୍ଥର ଇଙ୍ଗିତକୁ ପ୍ରଦାନ କରିଥାଏ। କବିତା କେବଳମାତ୍ର ପ୍ରାଚୀନ ଶବ୍ଦ ଭଳି ଜୀବନୀଶକ୍ତି ବା ଆଧୁନିକ ଭାଷା ଭଳି ବୁଦ୍ଧିବୃତ୍ତିକ ଧାରଣା ପ୍ରକାଶ କରେ ନା,ବରଂ ପ୍ରକାଶ କରେ ମହତ୍ତର ମାନବାତ୍ମା ର ଅନ୍ତର୍ଦୃଷ୍ଟି। ଅନ୍ୟଦିଗରେ ଗଦ୍ୟରୀତି ବକ୍ତବ୍ୟକୁ ଭାଷାର ସାଧାରଣ ବ୍ୟବହାର ଠାରୁ ଉଚ୍ଚସ୍ତରକୁ ନେଇଯାଇଥାଏ ସତ,କିନ୍ତୁ ସେଇଟି କବିତାର ସ୍ତରକୁ ଯାଇପାରେ ନାହିଁ । ଏହାର କାରଣ ଗଦ୍ୟ ମୂଳତଃ ଶବ୍ଦର ବୁଦ୍ଧିବୃତ୍ତିକ ଅର୍ଥର ଉପରେ ନିର୍ଭର କରେ। ଗଦ୍ୟ ଶବ୍ଦକୁ ଗ୍ରହଣଯୋଗ୍ୟ ଓ ସ୍ପଷ୍ଟ ଭାବରେ ବିନ୍ୟାସ କରିବା ସହିତ ପରିଷ୍କାର ଅର୍ଥ ପ୍ରଦାନ କରିଥାଏ। ଏହାର ଲକ୍ଷ୍ୟ ହେଉଛି ବକ୍ତବ୍ୟକୁ ସଠିକ-ସୂକ୍ଷ୍ମ-ନମନୀୟ ଭାବରେ ଉପସ୍ଥାପନ କରିବା । ବକ୍ତବ୍ୟର ସାଧାରଣ ଗ୍ରହଣଯୋଗ୍ୟତା ହିଁ ଗଦ୍ୟର ମୁଖ୍ୟ ଉଦ୍ଦେଶ୍ୟ। ଏହାଛଡା ଗଦ୍ୟ ବକ୍ତବ୍ୟକୁ ଅଳଙ୍କାରର ସାହାଯ୍ୟ ନେଇ ଅଧିକ କାର୍ଯ୍ୟକାରୀ ଓ ଆକର୍ଷଣୀୟ ଭାବରେ ବୁଦ୍ଧିବୃତ୍ତିର ନିକଟରେ ଉପସ୍ଥାପନ କରିବାକୁ ସମର୍ଥ ହୋଇଥାଏ। ଏଇ ପର୍ଯ୍ୟାୟଟି ଅତିକ୍ରାନ୍ତ ହେବା ପରେ ଗଦ୍ୟ ଏପରି ଗୋଟିଏ ସ୍ତରରେ ଉପନୀତ ହୋଇପାରେ,ଯେତେବେଳେ ତାହା ଅତ୍ୟନ୍ତ ପ୍ରଖର ଓ ପ୍ରତ୍ୟକ୍ଷ ଭାବରେ ଆବେଗ ସୃଷ୍ଟି କରିଥାଏ ଆଉ ଆମମାନଙ୍କର ସୌନ୍ଦର୍ଯ୍ୟବୋଧକୁ ଉଜାଗର କରିବାପାଇଁ ସକ୍ଷମ ଥାଏ । ଗଦ୍ୟ କବିତା ଭଳି ଚିତ୍ତାକର୍ଷକ ଚିତ୍ରକଳ୍ପ ବି ବ୍ୟବହାର କରିପାରେ ,ତେବେ ତାହା କେବଳ ଆଳଙ୍କାରିକତା । କୌଣସି ଧାରଣାକୁ ଅଧିକତର ଆକର୍ଷଣୀୟ କରି ପ୍ରକାଶ କରିବା ନିମନ୍ତେ ଗଦ୍ୟ ଚିତ୍ରକଳ୍ପର ବ୍ୟବହାର କରିଥାଏ,କିନ୍ତୁ କେବେହେଲେ ଏଇ ଚିତ୍ରକଳ୍ପ କବିତା ଭଳି ଗଭୀତତର ଉପଲବ୍ଧି ପ୍ରକାଶ କରିବାପାଇଁ ସକ୍ଷମ ନୁହଁ । ସର୍ବଦା ହିଁ ଗଦ୍ୟର ଲକ୍ଷ୍ୟ ଥାଏ ତାହାର ପ୍ରଧାନ ଶ୍ରୋତା ଏବଂ ବିଚାରକ ବୁଦ୍ଧିବୃତ୍ତି ଆଡକୁ,ଅନ୍ୟାନ୍ୟ ଉପକରଣ ଏଇକ୍ଷେତ୍ରରେ କେବଳମାତ୍ର ସାହାଯ୍ୟକାରୀ ହିସାବରେ ବ୍ୟବହୃତ ହୋଇଥାଏ । ଛନ୍ଦର ଭାରସାମ୍ୟ ରକ୍ଷା ଓ ଚିତ୍ରକଳ୍ପର କାର୍ଯ୍ୟକାରୀ ବ୍ୟବହାର କରି ଗଦ୍ୟ ତାହାର ସାଧାରଣ ସୀମାନାକୁ ଅତିକ୍ରମ କରେ,ଏପରିକି ପ୍ରବେଶ କରିପାରେ କବିତାର ଚୌହଦୀରେ । ଏଇ ଭଳି ଭାବରେ ଗଦ୍ୟ ପରିଣତ ହୋଇଥାଏ କାବ୍ୟିକ ଗଦ୍ୟରେ ଅଥବା ବାହ୍ୟ ଆବରଣର ଆଢୁଆଳରେ ସଂପୂର୍ଣ୍ଣ କବିତାରେ।
କବିର କାମ ହେଉଛି ଆପାତ ପ୍ରତୀୟମାନ ଜଗତକୁ ଭେଦ କରିବା ବେଳରେ ନିଗୂଢ ଅର୍ଥର ସନ୍ଧାନ କରି ତାହାକୁ ସ୍ୱପ୍ରଣୋଦିତ ଛନ୍ଦରେ ପ୍ରକାଶ କରିବା,ଯାହା ପ୍ରତ୍ୟକ୍ଷଭାବେ ମାନବାତ୍ମାର ଆଡକୁ ଉତ୍ସାରିତ ହୋଇଥାଏ । ତେବେ ସବୁସମୟରେ ଯେ କବି ସଫଳ ହେବ,ତାହା ନୁହଁ। କବିତାର ଗଠନ ଆଉ ଛନ୍ଦ ପ୍ରକୃତପକ୍ଷରେ ଅନ୍ତର୍ଦର୍ଶନ ଫଳରେ ସୃଷ୍ଟ କୌଣସି ଆଧ୍ୟାତ୍ମିକ ଅନୁଭୂତିକୁ ପ୍ରକାଶ କରିଥାଏ,ଯାହା ସ୍ୱପ୍ରକାଶିତ। ଏଇ ଦର୍ଶନ ହୋଇପାରେ ପ୍ରକୃତିର,ଈଶ୍ୱରର,ମଣିଷର ଅଥବା ଜୀବନ୍ତ କ’ଣ କିଛିର ; ଏପରିକି ହୋଇପାରେ ଶକ୍ତି,କର୍ମ,ଇନ୍ଦ୍ରୀୟଜ ସୌନ୍ଦର୍ଯ୍ୟ,
ଆନନ୍ଦ, ଯନ୍ତ୍ରଣା,ଜୀବନ ଅଥବା ଜୀବନାତୀତ କ’ଣ କିଛିର । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ,ଏହି ସମସ୍ତ ଦର୍ଶନ ଆତ୍ମାର ମାଧ୍ୟମରେ ହିଁ ସଂଗଠିତ ହୁଏ;ଇନ୍ଦ୍ରୀୟ ଅଥବା ଚିନ୍ତା ଏଇଠି ସାହାଯ୍ୟକାରୀ ମାତ୍ର । ଏଇଭଳି ଘଟିଲେ ଯାଇ ଆମେ ଉଚ୍ଚ ପର୍ଯ୍ୟାୟର କବିତା ଲାଭ କରିଥାଉ। କିନ୍ତୁ କବିତା ଯଦି କେବଳ ମାତ୍ର ଆବେଗ,କଳ୍ପନା ଆଉ ବୁଦ୍ଧିଜାତ ହୁଏ ,ତାହାହେଲେ ତାହା ସୃଷ୍ଟି କରିଥାଏ ଅପେକ୍ଷାକୃତ ନିମ୍ନ ପର୍ଯ୍ୟାୟର କବିତା।ଏଇ ଶ୍ରେଣୀର କବିତା କଦାପି ଅମରତ୍ୱ ଲାଭ କରି ପାରେନା । କବିତା ଯଦି କେବଳ ମାତ୍ର ମନ ନିକଟରେ ଆକର୍ଷଣୀୟ ହୁଏ,ତାହାହେଲେ ତାହା ଆଉ କବିତାର ଆୟତରେ ପଡିବ ନାହିଁ,ବରଂ ପାଲଟି ଯିବ ଗୋଟିଏ ଛଦ୍ମବେଶୀ ଗଦ୍ୟ । ଏଇ ଭଳି କବିତାରେ କବିତା ର ପ୍ରକୃତ ସତ୍ତା ଉପସ୍ଥିତ ନଥାଏ।
କବିର ପ୍ରକୃତ କାର୍ଯ୍ୟ ଅନୁଭୂତିର ସନ୍ଧାନ ନୁହଁ,ବରଂ ଅନୁଭୂତିର ମୂଳ ବା ସତ୍ତାର ଅନ୍ୱେଷଣ,ସେହି ସତ୍ତା ଯାହା ଅନୁଭୂତିର ନିୟାମକ ହିସାବରେ ଆଢୁଆଳରେ ରହି କାର୍ଯ୍ୟକରିଥାଏ । କବିର ଦାୟିତ୍ୱ ଜୀବନ ଆଉ ଜଗତରେ ବିରାଜିତ ସତ୍ୟ ,ସତ୍ୟର ସୌନ୍ଦର୍ଯ୍ୟ ଏବଂ ଆନନ୍ଦର ସନ୍ଧାନ। ଏଇ ସନ୍ଧାନ ଫଳରେ ମାନବାତ୍ମା ନିଜେ ହିଁ ତାହାର ନିଜର ଗଭୀରତର ସତ୍ୟସମୂହ ର ଆବିଷ୍କାର କରିଥାଏ ।

°°°°°
ଶ୍ରୀ ଅରବିନ୍ଦଙ୍କର କବିତା ବିଚାର ସଂପର୍କୀତ ଏକ ଚର୍ଚ୍ଚିତ ଗ୍ରନ୍ଥ ହେଉଛି “ଦି ଫ୍ୟୁଚର ପୋଏଟ୍ରି”। ଏହି ପୁସ୍ତକର ଦ୍ୱିତୀୟ ଅନୁଚ୍ଛେଦ ଯାହାର ଶୀର୍ଷକ ରହିଛି “ଦି ଏସେନ୍ସ ଅଫ୍ ପୋଏଟ୍ରି”,ତାହାର ଅନୁସୃଜନକୁ ଏଇଠି ଉପସ୍ଥାପନା କରାଯାଇଛି।