ଉଜାଣି ଝଞ୍ଜାବତୀ:ଏକ ଜଟିଳ ସଂଘର୍ଷର ଅନ୍ତରଙ୍ଗ ଦସ୍ତାବେଜ

ଶ୍ରୀଯୁକ୍ତ ନିଗମାନନ୍ଦ ଷଡଙ୍ଗୀଙ୍କର କ୍ଳାନ୍ତିବିହୀନ ଶ୍ରମ ତଥା ଜନପକ୍ଷଧର ବିଚାରରେ ପରିପୁଷ୍ଟ, ମାନବ-ଅଧ୍ୟୟନର ଏକ ତଥ୍ୟାତ୍ମକ ଫଳଶ୍ରୁତି ହେଉଛି ଏକ ଗବେଷଣାମୂଳକ ପୁସ୍ତକ, “ଉଜାଣି ଝଞ୍ଜାବତୀ”।

“ଉଜାଣି ଝଞ୍ଜାବତୀ” ପୁସ୍ତକକୁ ନେଇ ଏବେ ଏଇଠି କିଛି ଚର୍ଚ୍ଚା ।

ଗୋଟିଏ ନଈର ନାଆଁ ଝଞ୍ଜାବତୀ । ଏହା ଓଡିଶାର କୋରାପୁଟ ଜିଲ୍ଲାର ବନ୍ଧୁଗାଆଁ-ନାରାୟଣପାଟଣା ଅଞ୍ଚଳରେ ପ୍ରବାହିତ। ଗୋଟିଏ ନଈ ଯେତେବେଳେ ଉଜାଣୀ ବହୁଛି ବୋଲି କୁହାଯିବ ତାହେଲେ ଏଥିରୁ ବୁଝାଯିବ ଯେ ପ୍ରତୀକାର୍ଥରେ ଏହା ସମୟର ପ୍ରତିକୂଳତାର କଥା ବଖାଣ କରିବାକୁ ବସିଛି। ବନ୍ଧୁଗାଆଁ-ନାରାୟଣପାଟଣା ଅଂଚଳର ଚାଷୀ-ମୁଲିଆ-ଆଦିବାସୀମାନଙ୍କର ଜମିର ଅଧିକାର ହାସଲ ନିମନ୍ତେ ସଂଘଟିତ ଆନ୍ଦୋଳନର ଐତିହାସିକତା ର ପୃଷ୍ଠଭୂମୀ,ବିବର୍ତ୍ତନ ଏବଂ ତଜ୍ଜନୀତ ପ୍ରତିରୋଧ ବିସ୍ତାରକୁ ଉଲ୍ଲେଖରେ ରହିଥିବା ଏଇ ପୁସ୍ତକରେ ଲିପିବଦ୍ଧ କରାଯାଇଛି। ଏବଂ ଏହାକୁ ଲିପିବଦ୍ଧ କରିବାବେଳରେ ଲେଖକ ଶ୍ରୀଯୁକ୍ତ ନିଗମାନନ୍ଦ ଷଡଙ୍ଗୀ ଙ୍କ ଦୃଷ୍ଟିଭଂଗୀଟି ବେଶ ସ୍ୱଚ୍ଛ। ପୁସ୍ତକଟିକୁ ଅଧ୍ୟୟନ କଲେ ଆମକୁ ଲାଗିବ ଯେ ଜଣେ ଇତିହାସକାର ଗୋଟିଏ ପର୍ଯ୍ୟଟକର ଯବକାଚ ଧରି ନାରାୟଣପାଟଣା-ବନ୍ଧୁଗାଆଁ ର ନୃତତ୍ତ୍ୱକୁ ସେଇ ଅଂଚଳରେ ବସତିକରି ରହିଥିବା ଲୋକଙ୍କସହ ସାକ୍ଷାତକାରର ଆଧାରରେ ଆମମାନଙ୍କ ପାଇଁ ଏକ ବିବରଣୀସୁଲଭ ବଖାଣରେ ଉପସ୍ଥାପିତ କରିଛନ୍ତି। ତେଣୁ ଏଇ ପୁସ୍ତକଟି ଏକାଧାରରେ ଏକ ଆଞ୍ଚଳିକ ସମକାଳୀନ ଇତିହାସ, ଭ୍ରମଣବୃତ୍ତାନ୍ତ,
ଏବଂ ଜନ ଆନ୍ଦୋଳନର ଏକ ତଥ୍ୟସମୃଦ୍ଧ ଧାରାବିବରଣୀ ଏବଂ ଏହାର ଆଧାରଶୀଳା ହେଉଛି ସଂପୃକ୍ତ ଅଂଚଳରେ ଜମିକୁ ନେଇ ବର୍ଗଗତ ଅବଧାରଣା ଏବଂ ତଜ୍ଜନିତ ସଂଘର୍ଷ।

କୋରାପୁଟର ଏଇ ବିଶେଷ ଅଞ୍ଚଳ ଅର୍ଥାତ୍ ଲକ୍ଷ୍ମୀପୁର-ନାରାୟଣ ପାଟଣା-ବନ୍ଧୁଗାଆଁ ଅଞ୍ଚଳଟି ଆମ ନିକଟରେ ଖୁବ୍ ପରିଚିତ। ଏହି ପରିଚିତିଟି କହିବାକୁ ଗଲେ ଏକ ସାହିତ୍ୟଭିତ୍ତିକ ଏବଂ ହୁଏତ ଏକ କାଳ୍ପନିକ ଭାବଗତ ପରିଚିତି। ଆମ ଭାଷାର ପ୍ରଖ୍ୟାତ ଲେଖକ ଶ୍ରୀଯୁକ୍ତ ଗୋପୀନାଥ ମହାନ୍ତିଙ୍କ କାଳଜୟୀ ଉପନ୍ୟାସ “ପରଜା”ର ନିର୍ଦ୍ଦିଷ୍ଟ ଭୂଦେଶ ହେଇଛି ଏଇ ବିଶେଷ ଅଂଚଳ। ଶୁକ୍ରୁଜାନି ସମେତ “ପରଜା”ର ସମସ୍ତ ଅବିନଶ୍ୱର ଚରିତ୍ର ମାନଙ୍କର ସହିତ ଆମେ ଆତଯାତ ହୋଇଛୁ ଆଉ ସେଇ କାରଣରୁ ଏଇ ଇଲାକା ସହିତ ଆମର ବେଶ୍ କିଛି ପରିମାଣରେ ଭାବ-ସଂପର୍କ ପୂର୍ବରୁ ପ୍ରତିଷ୍ଠିତ । “ଉଜାଣି ଝଞ୍ଜାବତୀ”କୁ ପାଠ କରିବାବେଳେ ଆମକୁ ତେଣୁ ଉଲ୍ଲେଖର ଏଇ ଇଲାକାଟି ଦୂରନ୍ତ,ଭିନ୍ନ ବା ଅପରିଚିତ ଲାଗିନାହିଁ। ଆମକୁ ସବୁବେଳେ ଲାଗିଛି ଆମେ ଏଇ ଇଲାକାକୁ ବେଶ୍ ଭଲଭାବରେ ଜାଣିଛୁ ଆଉ ଗୋପୀନାଥଙ୍କର” ପରଜା” ର ଚରିତ୍ରମାନେ ତାଙ୍କର ପ୍ରିୟ ଏଇ ବିଚରଣକ୍ଷେତ୍ରଟିକୁ ଏଯାଏଁ ତେଜ୍ୟା କରି ଅନ୍ୟତ୍ର ଅପସରି ଯାଇନାହାଁନ୍ତି। “ପରଜା” ର ଚିତ୍ର ଆଉ ଚରିତ୍ର ମାନେ ଉପନ୍ୟାସସୃଷ୍ଟ ହୋଇଥିବା କାରଣରୁ ଘଟଣା ପ୍ରବାହ ଆଉ ସଂଘାତ ଭିତରେ ଆବଦ୍ଧ। କିନ୍ତୁ ସେଇ ଚରିତ୍ରମାନଙ୍କର ନାଆଁ,ପାରସ୍ପରିକ ତଥା ଆବେଗିକ ସଂପର୍କକୁ ବାଦ ଦେଇ ଯଦି ଆମେ “ପରଜା” ର “ଇମାଜିନାରି ଫାକ୍ଟସିଟ୍-ଲେସ୍” ବା କଳ୍ପତଥ୍ୟହୀନତା ଏବଂ “ଅଣ୍ଟୋଲୋଜିକାଲ”ବା ଜୀବସତ୍ତାଦୃଷ୍ଟିର ଏକ “ପେଡାଗୋଗିକାଲ” ବା ଶିକ୍ଷାଶାସ୍ତ୍ରମୂଳକ ସଂସ୍କରଣକୁ ଚାହୁଁ ତେବେ ତାହା ଆମର ଏଇ ଉଲ୍ଲେଖର ପୁସ୍ତକ “ଉଜାଣି ଝଞ୍ଜାବତୀ” ହିଁ ହେବ। ଅନ୍ୟଭାବରେ ଏଇ କଥାକୁ ଏହି ଭଳି କହିଲେ କଥାଟି ସେମିତି ଭୁଲ ହେବନାହିଁ, “ପରଜା”ର ସମସ୍ତ ଚରିତ୍ର,କାହାଣୀ ତଥା ଘଟଣାପ୍ରବାହର ବସ୍ତୁତଃ ସାମାଜିକ,ଅର୍ଥନୈତିକ ତଥା ତାତ୍ତ୍ୱିକ ପରିପ୍ରେକ୍ଷ୍ୟ ଟି ହେଉଛି ଶ୍ରୀଯୁକ୍ତ ନିଗମାନନ୍ଦ ଷଡଙ୍ଗୀଙ୍କର ଅଧ୍ୟୟନ, “ଉଜାଣି ଝଞ୍ଜାବତୀ”।

ଉପନ୍ୟାସ “ପରଜା” ଏବଂ ଗବେଷଣାମୂଳକ ଅଧ୍ୟୟନ “ଉଜାଣି ଝଞ୍ଜାବତୀ” ଉଭୟର କେନ୍ଦ୍ରରେ ତେଣୁ ରହିଛି ଭୂମୀ,ଭୂମୀର ଅଧିକାର,ଶୋଷକ ଏବଂ ଶୋଷିତ,ଶୋଷଣର ସମସ୍ତ ପରିଭାଷା,ଏବଂ ବର୍ଗ ସଂଘର୍ଷ।

ଏହା କୌଣସି ଅତିଶୟୋକ୍ତି ନୁହଁ ଯେ,ଆମ ଭାଷାରେ ଭୂମୀର ଅଧିକାରକୁ ନେଇ ଅଧ୍ୟୟନସୁଲଭ ବିଚାରପରକ ଲେଖା ପ୍ରାୟତଃ ବିରଳ। ଭୂମୀ ଅସଲରେ ହେଉଛି ମଣିଷର ଏକ ସଂଯୋଜିତ ତଥା ସମନ୍ୱିତ ଅଧିକାର। ଏହି ଅଧିକାର ଆବହମାନକାଳରୁ ମଣିଷକୁ ଜୀବନବୋଧର ଉପଯୁକ୍ତ ସାମର୍ଥ୍ୟ ପ୍ରଦାନ କରିଆସିଛି। ଏବଂ ଏହା ସହିତ ଭୂମୀର ଅଧିକାରକୁ ନେଇ ମଣିଷ ଭିତରେ ସମାନଭାବରେ ଯାବତୀୟ ବୈଷମ୍ୟର ପ୍ରତିଷ୍ଠା ବି ହୋଇଚାଲିଛି। ଭୂମୀ ମାନବ ସମାଜକୁ ଶୋଷକ ଏବଂ ଶୋଷିତ ଏପରି ଦୁଇଟି ବର୍ଗରେ ବିଭାଜିତ କରିବା ସହିତ ନିରନ୍ତର ବର୍ଗସଂଘର୍ଷ ଭିତରେ ମଣିଷର ଅଗ୍ରୀମ ବିକାଶର ରୂପରେଖା ବି ସମାନ ଭାବରେ ପ୍ରସ୍ତୁତ କରିଚାଲିଛି। ଜମିର ମାଲିକାନାକୁ ନେଇ ସମାଜର ନିମ୍ନବର୍ଗର ଭିତରେ ଯେଉଁ ସମସ୍ତ ଅସନ୍ତୋଷ ଆଉ ବିରୋଧାଭାଷ ରହିଅଛି ସେସବୁର ପରିପ୍ରେକ୍ଷୀରେ କେଉଁଭଳି ସେମାନେ କ୍ରମଶଃ ସେସଂପର୍କରେ ସଚେତନ ତଥା ସଂଘର୍ଷପରକ ତଥା ସମାଜ-ସକ୍ରୀୟ ହୋଇ ଏକ ସମାନତାର ପ୍ରଶ୍ନକୁ ସାବ୍ୟସ୍ତ କରିବେ ତାହା ନିମ୍ନବର୍ଗୀୟ ଇତିହାସ ଅର୍ଥାତ୍ “ସବାଲଟର୍ଣ୍ଣ ହିଷ୍ଟୋରୀ”ର ମୂଳ କଥା। ନାରାୟଣ ପାଟଣା-ବନ୍ଧୁଗାଆଁ କୁ ଏକ “କେସ୍-ଷ୍ଟଡି” ହିସାବରେ ନେଇ ଲେଖକ ଶ୍ରୀଯୁକ୍ତ ଷଡଙ୍ଗୀ “ଉଜାଣି ଝଞ୍ଜାବତୀ” ରେ ଧାରାବାହିକ ଏବଂ ତଥ୍ୟପୂର୍ଣ୍ଣ ଭାବରେ ଏଇ ଚିରକାଳୀନ ପ୍ରଶ୍ନଟିକୁ ଆମକୁ ବୁଝାଇବାର ଭରପୂର ପ୍ରୟାସ କରିଛନ୍ତି।

ଆମର ଅବଧାରଣାରେ ଏଇ କଥାଟି ପ୍ରଥମରୁ ପ୍ରତିଷ୍ଠିତ ଯେ,ସମସ୍ତ ଜମିର ମାଲିକ ଈଶ୍ୱର,ଆଉ ଈଶ୍ୱରଙ୍କ ଠାରୁ ସେଇ ଜମି ସବୁ ରାଜାର ହାତକୁ ଆସିଛି ଆଉ ରାଜା ରାଜ୍ୟର ବିକାଶ ନିମନ୍ତେ ଜମିର ଉର୍ବରାଶକ୍ତିକୁ ଅଧିକରୁ ଅଧିକ ବିସ୍ତାର ପ୍ରଦାନ କରିବାପାଇଁ ତାହାକୁ ତାଙ୍କର ପ୍ରଜାମାନଙ୍କ ହାତରେ ନ୍ୟସ୍ତ କରିଛନ୍ତି। ଏପରି ଅବଧାରଣାର କାରଣରୁ ଜମିକୁ ନେଇ ପ୍ରଭୂବର୍ଗ ଏବଂ ଭୃତ୍ୟବର୍ଗ ଏଇଭଳି ଦୁଇଟି ବିଷମ ବର୍ଗ-ସ୍ଥିତିରେ ମଣିଷର ସମାଜ ବିଭାଜିତ । ପ୍ରଭୂବର୍ଗ ହାତରେ ଜମିର ଅସଲ ମାଲିକାନା ରହିବ ଯାହାଫଳରେ କି ସେମାନେ ନିରଙ୍କୁଶ ଭାବରେ କ୍ଷମତାର ଦଣ୍ଡଧାରୀ ହୋଇ ସମାଜର ବସ୍ତୁତଃ ନିୟନ୍ତ୍ରକର ଭୂମୀକାରେ ରହିପାରିବେ। ଅନ୍ୟପକ୍ଷରେ ଭୃତ୍ୟବର୍ଗର ପାଖରେ ସେଇ ପ୍ରଭୂବର୍ଗର ମାଲିକାନାରେ ଥିବା ଜମିର ଏପରି କିଛି ସଂକୁଚିତ ମାଲିକାନା ରହିବା ଭଳି ପ୍ରୟୋଜନ ଥିବ ଯାହା କେବଳ ସେମାନଙ୍କର କାୟିକ, ଶ୍ରମଦାନଭିତ୍ତିକ । ଭୃତ୍ୟବର୍ଗ ଏଇଭଳି ମାନସିକ “ଭାଗଚାଷ”କୁ ଉପଜୀବ୍ୟ କରି ଜମି ଉପରେ ସେମାନଙ୍କର ସଂକୁଚିତ ମାଲିକାନାକୁ ନେଇ ସନ୍ତୋଷରେ ରହିପାରିବାର କାରଣ ହେଉଛି ସମସ୍ତ “ସ୍ଥିତାବସ୍ଥା”ର ଅନିର୍ବାର୍ଯ୍ୟତାକୁ ପ୍ରଶ୍ନ କରାଯାଇପାରିବ ନାହିଁ । ପ୍ରଶ୍ନ ଏଇଥିପାଇଁ କରାଯାଇ ପାରିବନାହିଁ ଯେ,ସମସ୍ତ ସ୍ଥିତାବସ୍ଥା ଆମର ଭବିତବ୍ୟ ବୋଲି ପ୍ରଭୂବର୍ଗର ପୁରାଣ ଆଉ ନୀତିକଥାରେ ବହୁଳଭାବରେ ପ୍ରଚାରିତ କଥାଗୁଡିକ ଭୃତ୍ୟବର୍ଗର ମାନସପଟଳକୁ ପ୍ରବେଶ କରିଯାଇଛି। ଏହା ବ୍ୟତୀତ ପ୍ରଭୂବର୍ଗ ସେମାନଙ୍କର କ୍ଷମତା ନିରଙ୍କୁଶ ରହିଲେ ଭୃତ୍ୟବର୍ଗକୁ ଯଥୋଚିତ ସୁରକ୍ଷା ପ୍ରଦାନ କରିବାକୁ ସମର୍ଥ ହୋଇପାରିବେ,ଏହିଭଳି ବିଚାର ବି ଭୃତ୍ୟବର୍ଗ ଆଗରେ ରହିଥାଏ। ମୋଟ ଉପରେ କହିଲେ ଜୀବନଯାପନର ଅନିଶ୍ଚିୟତାର କାରଣରୁ ଭାଗ୍ୟବାଦୀ ହେବା ଏବଂ ଆଶଙ୍କାର କାରଣରୁ କ୍ଷମତାପନ୍ନ ଆଉ କାହାଦ୍ୱାରା ସୁରକ୍ଷିତ ହୋଇ ରହିବା ଭଳି ଅଭିଳାଷ ,ଏଇ ଦୁଇଟି କାରଣରୁ ମୁଖ୍ୟତଃ ଭୃତ୍ୟବର୍ଗ ଜମିର ସଂକୁଚିତ ମାଲିକାନା ତଥା ସମସ୍ତ ସ୍ଥିତାବସ୍ଥାକୁ ଗ୍ରହଣ କରିନେଇଥାଏ।

ଊନବିଂଶ ଶତାବ୍ଦୀର ପ୍ରାକ୍-କାଳରୁ ଉପନିବେଶୀୟ ଶାସନ ର ପ୍ରବନ୍ଧନ କାରଣରୁ ନାରାୟଣପାଟଣା -ବନ୍ଧୁଗାଆଁ ତଥା ଜୟପୁର ଏକ ଇଷ୍ଟେଟ୍ ରେ ପରିଣତ ହୁଏ ଆଉ ଏହି ଅଂଚଳର ଜମିର ସତ୍ୱ ଜୟପୁର ରାଜାଙ୍କ ଅଧିକାରକୁ ଆସେ।ପରେ ପୁଲିସ୍ ଏବଂ ନ୍ୟାୟ ବିଚାର,ମଦର ବ୍ୟବସାୟୀକରଣ,ଜଙ୍ଗଲର ସଂରକ୍ଷଣ, ଜମିଦାର ଆଉ ରୟତର ଭୂସଂପର୍କ, ଆଦିବାସୀର ଜମି ସଂକ୍ରାନ୍ତରେ ଅଧିକାର ଆଇନ ଅନୁସାରେ ନିର୍ଦ୍ଦିଷ୍ଟ ହୁଏ।

କହିବାକୁଗଲେ ” ଉଜାଣି ଝଞ୍ଜାବତୀ”ରେ ଯେଉଁ ଇଲାକାଟି ଆମର ଅଧ୍ୟୟନର ପରିସରକୁ ଆସୁଛି ସେଇଠି ଅନ୍ୟ କୌଣସି ସାଧାରଣ ଅଂଚଳର ମାନସିକ “ଭାଗଚାଷ” ଭଳି ଜମିଜମାର ଅଧିକାରକୁ ମାନିନେବା ଆଉ ସ୍ଥିତାବସ୍ଥା ସହିତ ଏକ ପ୍ରକାର ସହାବସ୍ଥାନ କରିବା ଭଳି ପ୍ରସଙ୍ଗଟି ହୁଏତ ପଶ୍ଚାତପଟରେ ରହିଅଛି, ପ୍ରତ୍ୟକ୍ଷରେ ନୁହଁ, ପ୍ରତ୍ୟକ୍ଷରେ ଜମିଜମା ସମସ୍ୟା ସେଇଠି ପ୍ରସଙ୍ଗତଃ ଭିନ୍ନ।

ସେଇଠି ଅର୍ଥାତ୍ ନାରାୟଣପାଟଣା-ବନ୍ଧୁଗାଆଁର ଇଲାକାରେ ଗୋଟିଏ ପଟେ ପ୍ରଭୂବର୍ଗ ହିସାବରେ ଉପସ୍ଥିତ ରହିଛି ସାହୁକାର ବର୍ଗ ଏବଂ ଅନ୍ୟପଟରେ ଭୃତ୍ୟବର୍ଗ ଆକାରରେ ଉପସ୍ଥିତ ଅଛି ସେଠିକାର ଜନଜାତିବୃନ୍ଦ। ସାହୁକାର ବର୍ଗ ଯେଉଁ ଜମିର ମାଲିକାନାକୁ କଳେବଳେ କବଳିତ କରୁଛନ୍ତି ତାହା ଜନଜାତିର ଜମି ଏବଂ ଜନଜାତିର ଜଙ୍ଗଲ। ଊନବିଂଶ ଶତାବ୍ଦୀରୁ ଅର୍ଥାତ୍ ଭାରତରେ ଉପନିବେଶ ଶାସନ କାଳରୁ ଜନଜାତିର ଅଧିକାରରେ ଥିବା ଜମିର ହସ୍ତାନ୍ତରଣକୁ ପ୍ରତିରୋଧ କରିବା ପାଇଁ ଆଇନ ପ୍ରଚଳିତ ଥିଲା ଏବଂ ଭାରତ ସ୍ୱାଧୀନ ହେବା ପରେ ଏହି ବିଶେଷ ଆଇନର ପୁନର୍ବିନ୍ୟାସ କରାଯାଇଥିଲା,ଯାହା ଫଳରେ ଓଡିଶା ଅନୁସୂଚିତ ଅଂଚଳ ସ୍ଥାବର ସମ୍ପତ୍ତି ହସ୍ତାନ୍ତର ନିୟନ୍ତ୍ରଣ ଆଇନ (୧୯୫୬) ଏବଂ ପରେ ୨୦୦୦ ମସିହାରେ ଏହାର ଏକ ସଂଶୋଧନ ଏହି ଅଂଚଳର ଆଦିବାସୀ ଜମିଜମାର ହସ୍ତାନ୍ତର ଉପରେ ଅଙ୍କୁଶ ଲଗାଇବାର ଉପକ୍ରମ ହୋଇଥିଲା। ଏହାର ଫଳରେ ଆଗରୁ ଅର୍ଥାତ୍ ୧୯୫୬ ରୁ କ୍ଷମତାପ୍ରାପ୍ତ ଅଧିକାରୀମାନଙ୍କ ଅନୁମତିକ୍ରମେ ଆଦିବାସୀର ଜମି ହସ୍ତାନ୍ତରଣ ହୋଇପାରିବ ବୋଲି ଯେଉଁ ପ୍ରାବଧାନଟି ରହିଥିଲା ତାହା ୨୦୦୦ ମସିହାର ରେଗୁଲେସନ ଦ୍ୱାରା ସଂଶୋଧିତ ହୋଇ ଆଦିବାସୀ ମାନଙ୍କ ଜମି ଅଣ-ଆଦିବାସୀମାନଙ୍କୁ ହସ୍ତାନ୍ତରଣ କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ରହିଲା। କିନ୍ତୁ ଏଇ ଭଳି ଆଦିବାସୀ ଜମିର ହସ୍ତାନ୍ତରଣକୁ ପ୍ରତିରୋଧ କରିବା ଭଳି ଆଇନଗତ ପ୍ରବନ୍ଧନ ରହିଥିଲେ ହେଁ ସାହୁକାର ଗୋଷ୍ଠୀ ଊପନିବେଶ ଶାସନକାଳରୁ ଆଦିବାସୀ ଜମିକୁ ଆଇନର ଜଳାବାଟ ଦେଇ ବିଭିନ୍ନ ପ୍ରକାର ଛଳ କୌଶଳରେ କବଳିତ କରି ଆସୁଥିଲେ। ଏବଂ ଅନ୍ୟପଟରେ ଆଦିବାସୀ ମାନେ ଦାରିଦ୍ର୍ୟ ଆଉ ଅସହାୟତାର ଶିକାର ହୋଇ ନିଜର ଅଧିକାରରେ ଥିବା ଜମିକୁ ହରାଇବାକୁ ବାଧ୍ୟ ହେଉଥିଲେ। ସାହୁକାର ଠାରୁ ଚଢା ହାରରେ ସୁଧ ଏବଂ ସୁଧକୁ ଶୁଝି ନପାରିବା କାରଣରୁ ଗୋତି ( ୧୯୪୮ ରେ ଗୋତି ପ୍ରଥାର ଶେଷ ପରେ ବି ) ସାହୁକାରର ମର୍ଜି-ଶ୍ରମିକ ବା ” ଟେନାଣ୍ଟସ୍ ଆଟ୍ ୱିଲ୍” ଏହିଭଳି ଭାବରେ ସେହି ସମାଜର ଭୃତ୍ୟବର୍ଗଟି ପ୍ରତିଷ୍ଠିତ ହେଉଥିଲା। ଆଦିବାସୀମାନଙ୍କର ଦାରିଦ୍ର୍ୟ ଆଉ ଅସହାୟତା ଆଉ ସେହି କାରଣରୁ ସେମାନଙ୍କୁ ସେମାନଙ୍କର ଜମିର ମାଲିକାନାରୁ ଛିନ୍ନମୂଳ କରିବାର ନିରନ୍ତର ପ୍ରୟାସ କ୍ଷେତ୍ରରେ ସାହୁକାର ମାନଙ୍କର ଆଉ ଦୁଇଟି କୌଶଳ ମୁଖ୍ୟତଃ ସେଠିକାର ସମାଜରେ ବେଶ୍ ପ୍ରଭାବୀ ଥିଲା।ସେଇ ଦୁଇଟି ସାହୁକାର ତଥା ଶୋଷକ ବର୍ଗର ପ୍ରଭାବୀ କୌଶଳ ହେଉଛି ମଦ ଏବଂ ବିଳାସ ର ବଜାର। ସାହୁକାରମାନେ ମଦର ବ୍ୟବସାୟକୁ ଏକଚାଟିଆଭାବରେ ନିଜର ନିୟନ୍ତ୍ରଣକୁ ଆଣିବା କାରଣରୁ ଆଦିବାସୀମାନଙ୍କୁ ଏକ ନିଶାଗ୍ରସ୍ତ ଗୋଷ୍ଠୀରେ ପରିଣତ କରିବା ସହିତ ସେମାନଙ୍କର ଅବସରର ମୁହୂର୍ତ୍ତକୁ ନିଜର କରାୟତ୍ତକୁ ଆଣିପାରିଥିଲେ। ସମାଜତାତ୍ତ୍ୱିକ ଦୃଷ୍ଟିକୋଣରୁ ଆମର ଅବସରର ନିୟନ୍ତ୍ରକକୁ ଆମେ ଆମର ସାମାଜିକ ଦୋସର ବୋଲି ବିଚାର କରିଥାଉ। ତେଣୁ ମଦନିଶା ମାଧ୍ୟମରେ ସେଇ ଅଂଚଳର ଜନଜାତିର ମାନସରେ ସାହୁକାରଗୋଷ୍ଠୀ ଆପଣାର ପାଇଁ ଏକ ଛଳ-ସଦର୍ଥକ ଭାବମୂର୍ତ୍ତି ତିଆରି କରିପାରୁଥିଲେ ଯାହାଫଳରେ ସେମାନଙ୍କର ଆଦିବାସୀ-ଜମି ତଥା ଅନ୍ୟ ଶୋଷଣର ବିରୁଦ୍ଧରେ ଜନପ୍ରତିବାଦଟି ସଂଘଟିତ ହୋଇ ପାରୁନଥିଲା।

ଉପନିବେଶୀୟ ଶାସନକାଳରୁ ଭାରତର ସ୍ୱାଧୀନତା ପରବର୍ତ୍ତି ସମୟରେ ନାରାୟଣପାଟଣା-ବନ୍ଧୁଗାଆଁ ଅଂଚଳରେ (ଅନ୍ୟାନ୍ୟ ଆଦିବାସୀ ବହୁଳ ଅଂଚଳରେ ବି) ଆଦିବାସୀ ଜମିକୁ ସାହୁକାରବର୍ଗ ନିଜର ଆୟତ୍ତକୁ କୌଶଳକ୍ରମେ ଆଣିବା ଫଳରେ ସେଠିକାର ଜନଜାତିର ଜୀବନଧାରଣର ଭିତ୍ତିରେ ଯେ କ୍ରମଶଃ ଘୁଣ ଚରିଯାଉଥିଲା କଥାଟି ସେତିକି ଶେଷ ହୋଇ ରହିନଥିଲା। ଜମି ବ୍ୟତୀତ ଆଉ ଗୋଟିଏ ଅଧିକାର ଆଦିବାସୀ ଜୀବନର ନିଛକ ସ୍ଥିତି ହୋଇ ରହି ଆସିଛି । ତାହା ହେଉଛି ଆଦିବାସୀର “ଅରଣ୍ୟର ଅଧିକାର” (ଏଇ ଶୀର୍ଷକରେ ପ୍ରଖ୍ୟାତ ମହାଶ୍ୱେତା ଦେବୀଙ୍କ ଗୋଟିଏ ଉପନ୍ୟାସ ରହିଛି ଯାହାର ଆଧାର ହେଉଛି ଆଦିବାସୀମାନଙ୍କ ଦ୍ୱାରା ଭଗବାନ ବୋଲି କଥିତ “ଧରତୀ ଆବବା” ବିରସା ମୁଣ୍ଡାଙ୍କ ସଂଘର୍ଷର କାହାଣୀ। ବିରସା ମୁଣ୍ଡା ଙ୍କ ସଂଘର୍ଷ ଜଙ୍ଗଲକୁ ନେଇ ଥିଲା,ଜଙ୍ଗଲ ର ଅଧିକାର ହେଉଛି ଆଦିବାସୀର ଆଉ ଏହାଭିତରକୁ ଅନ୍ୟର ବ୍ୟବସାୟକାରଣରୁ ଅନୁପ୍ରବେଶ ବର୍ଜିତ,ସଂକ୍ଷେପରେ କହିଲେ ଏହା ଥିଲା ବିରସାଙ୍କ ସଂଘର୍ଷର ମୂଳପିଣ୍ଡ)। ନାରାୟଣପାଟଣା-ବନ୍ଧୁଗାଆଁ ଅଂଚଳର ଜଙ୍ଗଲଜାତ ପଦାର୍ଥର ବ୍ୟବସାୟକୁ ସାହୁକାର ବର୍ଗ ଆଦିବାସୀ-ଜମି ଭଳି ନିଜର ନିୟନ୍ତ୍ରଣକୁ ଆଣିବା କାରଣରୁ ଏବଂ ଏହି ବ୍ୟବସାୟର ଅଂଶୀଦାର ମାନେ ସମତଳ ଅଂଚଳର ସୁଦୃଢ ଆର୍ଥିକ ପ୍ରତିଭୂ ହୋଇଥିବା କାରଣରୁ ସେମାନଙ୍କର ସାମ୍ନାରେ ବିଚରା ଆଦିବାସୀର ନିଜର ପରିଶ୍ରମର ଉପଜ ଜଙ୍ଗଲଜାତ-ସଂଗ୍ରହରେ ନିଜର ଆର୍ଥିକ ସ୍ଥିତିକୁ ଟିକିଏ ସବଳ କରିବା ବଦଳରେ “ଅଭାବୀ ବିକ୍ରୀ”କରିବାକୁ ଅନେକ ସମୟରେ ବାଧ୍ୟ ହେଉଥିଲା।

ସାହୁକାର ବର୍ଗ ସ୍ଥିତାବସ୍ଥାକୁ ଅଧିକରୁ ଅଧିକ ନିଜର ଅନୁକୂଳକୁ ଆଣିବା ପାଇଁ କ୍ଷମତା,ରାଜନୀତିର ସମସ୍ତ ସୁଚତୁର କୌଶଳକୁ ପ୍ରୟୋଗ କରି ଚାଲିଥିଲେ ଆଉ ଅନ୍ୟପକ୍ଷରେ ସେଠିକାର ଆଦିବାସୀମାନେ ଅଧିକରୁ ଅଧିକ ଦରିଦ୍ର ଆଉ ଅସହାୟ ହେବାରେ ଲାଗିଥିଲେ। ସେମାନେ ଏପରି ଅସହାୟ ପାଲଟିଯାଇଥିଲେ ଯେ ଶୋଷଣ ଯେତେ କଠୋର ହେଉପଛକେ ସ୍ଥିତାବସ୍ଥାର ବିରୁଦ୍ଧରେ ଯିବାଭଳି ସାମୁହିକ ସାହସ ସେମାନଙ୍କ ଭିତରେ ଜାଗ୍ରତ ହୋଇପାରୁନଥିଲା। ଜଙ୍ଗଲ-ଜମି ଅଧିକାରକୁ ଆଧାର କରି ସେମାନଙ୍କର ଗୋପନ କ୍ଷୋଭକୁ ସଂଘଟିତ ରୂପ ଦେବା ଉଦ୍ଦେଶ୍ୟରେ ଆନ୍ଧ୍ରପ୍ରଦେଶର ରୟତ କୁଲି ସଂଘମ ଯାହା ସିପିଆଇ (ମାର୍କ୍ସିଷ୍ଟ-ଲେନିନିଷ୍ଟ) ରାଜନୈତିକ ଦଳର ଏକ ଶାଖା ତାହାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ରୟତ କୁଲି ସଂଘମ ଆଦିବାସୀ -ଜମିର ଅଧିକାରର ହସ୍ତାନ୍ତରଣ ପଛରେ ଯଥାଯଥ ଭାବରେ ଯାହା ପ୍ରମୁଖ କାରଣ ରହିଛି ତାହାକୁ ସଠିକ ଭାବରେ ଚିହ୍ନଟ କରି ଆନ୍ଦୋଳନର ଭିତ୍ତିଟି ସେଇଠୁ ଆରମ୍ଭ କରନ୍ତି। ତାହା ହେଉଛି “ମଦ”। ସେମାନେ ସେଇ ଅଂଚଳରେ ସର୍ବପ୍ରଥମେ (୧୯୯୪-୯୫)”ମଦ ବିରୋଧୀ” ଆନ୍ଦୋଳନର ଆରମ୍ଭ କରନ୍ତି ଆଉ ଏହା ଦ୍ୱାରା ଆଦିବାସୀମାନଙ୍କୁ ସଚେତନ ଆଉ ସଂଘଟିତ କରିବା ର ପ୍ରଚେଷ୍ଟା କରନ୍ତି। ରୟତ କୁଲି ସଂଘମର ପ୍ରଭାବରେ ସ୍ଥାନୀୟ ଭାବରେ ଗଠିତ ହୁଏ ଚାଷୀ ମୁଲିଆ ଆଦିବାସୀ ସଂଘ (୧୯୯୮) ଏବଂ ସେମାନେ ଜଙ୍ଗଲ ଜମି ଅଧିକାର ଏବଂ ମଦମୁକ୍ତି ଅଭିଯାନ ଏଇ ଦୁଇଟି ଆଭିମୁଖ୍ୟକୁ ସ୍ଥାନୀୟ ଆଦିବାସୀମାନଙ୍କ ଭିତରେ ପହଞ୍ଚେଇବା ପାଇଁ ସଫଳ ହୁଅନ୍ତି। ଲୋକମାନେ ଏହି ଅଭିଯାନ ସହିତ ଯେତିକି ଯେତିକି ସଂପୃକ୍ତ ହେବାକୁ ଲାଗନ୍ତି ସେମାନଙ୍କର ଅଭିଯାନ ସେତିକି ସେତିକି ପ୍ରଭାବୀ ହେବାକୁ ଲାଗେ। ଅନ୍ୟପକ୍ଷରେ ସାହୁକାର ବର୍ଗ ଆଉ କ୍ଷମତା ସେତିକି ସେତିକି ଏହାକୁ ଦମନ କରିବା ପାଇଁ ଆଗଭର ହେଉଥାଏ। “ଉଜାଣି ଝଞ୍ଜାବତୀ”ରେ ଶ୍ରୀଯୁକ୍ତ ଷଡଙ୍ଗୀଙ୍କ ପ୍ରଦତ୍ତ ତଥ୍ୟ ଅନୁସାରେ ଜୁନ ୨୬,୨୦୦୬ ମସିହାରେ ଚାଷି ମୂଲିଆ ସଂଘ ପ୍ରଥମଥର ପାଇଁ ଜମି ଦଖଲ ଅଭିଯାନ ଆରମ୍ଭ କରେ। ନାରାୟଣପାଟଣା ଅଂଚଳର ପୋଡାପଦର ଆଦି କିଛି ମୌଜାରେ ଜମିକୁ ଦଖଲ କରାଯାଏ ଆଉ ଏହି କାର୍ଯ୍ୟକ୍ରମରେ ପ୍ରାୟ ଦୁଇହଜାରରୁ ଅଧିକ ଲୋକ ଭାଗନେଇଥାଆନ୍ତି। ସରକାର ଏହାଫଳରେ ଚାଷୀମୁଲିଆ ସଂଘର ନେତା ନାଚିକା ଲିଙ୍ଗା ଓ ଅନ୍ୟମାନଙ୍କୁ ଗିରଫ କରନ୍ତି। ୨୦୦୬ ପରଠାରୁ ସେଦିନର ସେଇ ଜମି ଉପରେ ଲାଲଝଣ୍ଡା ପୋତି ନିଜର ଅଧିକାରକୁ ସାବ୍ୟସ୍ତ କରିବା ପରଠାରୁ ଚାଷୀ ମୁଲିଆ ସଂଘ ଓ ନାଚିକା ଲିଙ୍ଗା ମୁଖ୍ୟ ସଂବାଦର ପରିସରକୁ ଆସନ୍ତି ଏବଂ ଚାଷୀ ମୁଲିଆ ସଂଘ ନିଜର ଆନ୍ଦୋଳନରେ ବ୍ୟାପକ ହେବାରେ ଲାଗିଥାଏ। ଚାଷୀ ମୁଲିଆ ସଂଘ ମାଓବାଦର ଏକ “ଆଉଟଫିଟ୍” ବୋଲି ସରକାରୀ ସ୍ତରରେ ବିଚାର କରାଯାଏ ଆଉ ଏହା ଅନେକ ଦମନଲୀଳାର ଶୀକାର ହୁଏ। କ୍ରମଶଃ ଚାଷୀ ମୁଲିଆ ସଂଘ ଜଙ୍ଗଲ ଜମି ର ଅଧିକାର ଆନ୍ଦୋଳନକୁ ତୀବ୍ରତର କରିବା ସହିତ ଅନ୍ୟାନ୍ୟ ଜନଜାତି ସମସ୍ୟା ସହିତ ବିଶେଷ ଭାବରେ ସ୍ଥାନୀୟ ଇଲାକାରେ ଖଣିଜ ପଦାର୍ଥର ଉତ୍ତୋଳନ ତଥା ବିସ୍ଥାପନର ସମସ୍ୟା କଥାକୁ ବ୍ୟାପକ କରେ। ସେତିକିବେଳେ ନିଜର ପୂର୍ବ ଆଭିମୂଖ୍ୟରେ ପରିବର୍ତ୍ତନ କରି ଚାଷୀ ମୁଲିଆ ସଂଘ ପ୍ରତ୍ୟକ୍ଷ ରାଜନୀତିରେ ଭାଗନେବାକୁ ସ୍ଥିର କରେ। ସ୍ଥାନୀୟ ଭାବରେ କିଛି ପରିମାଣରେ ସଫଳ ହୁଏ । ଚାଷୀ ମୁଲିଆ ସଂଘ ବନାମ ରାଜ୍ୟ ଏଇ ଭଳି ସଂଘର୍ଷଟି କେତେବେଳେ ତୀବ୍ର ତ କେତେବେଳେ ସଂଗୁପ୍ତ ଏଇ ଭଳି ଉଠାଣି-ଗଡାଣୀରେ ଜାରି ରହିଥାଏ। ଆନ୍ଦୋଳନକାରୀମାନେ ପୁଲିସ ଗୁଳିରେ ମରୁଥାନ୍ତି,ଜମି ଉପରେ ଲାଲଝଣ୍ଡା ପୋତି ଅଧିକାର ସାବ୍ୟସ୍ତ କରିବାର କାର୍ଯ୍ୟକ୍ରମ ଜାରି ରହିଥାଏ।

ନାରାୟଣ ପାଟଣା-ବନ୍ଧୁଗାଁ ଅଞ୍ଚଳର ଏଇ ଜମି ଅଧିକାର ଆନ୍ଦୋଳନ ସଂପର୍କରେ ଗୋଟିଏ କଥା କୁହାଯାଇ ପାରେ ଯେ କୌଣସି ଆଦିବାସୀର ଜଙ୍ଗଲ-ଜମିର ମାଲିକାନା ଯେତେବେଳେ କୌଣସି ଅଣ-ଆଦିବାସୀର ହାତକୁ ଯାଇ ରହିଛି ସେତେବେଳେ ଏହା କୌଣସି ନା କୌଣସି ଆଇନର ଜଳାବାଟ ଦେଇ ଘଟିଛି ବୋଲି ଆମକୁ ମନେ ରଖିବାକୁ ହେବ। ଏହା କୌଣସି ବଳ ପ୍ରୟୋଗ ଦ୍ୱାରା ସିଧାସଳଖ ଅଧିକୃତ ହୋଇଛି ବୋଲି କେହି ବିଚାର କଲେ ତାହା ଆଇନ ଦୃଷ୍ଟିରେ ସଠିକ ହେବନାହିଁ। ଜମିର ମାଲିକାନାର ଆଧାର ଥିବା ଆଇନଗତ ପୃଷ୍ଟଭୂମୀକୁ ଆମକୁ ସବୁବେଳେ ବିଚାରକୁ ନେବାକୁ ପଡିବ । ଶ୍ରୀଷଡଙ୍ଗୀଙ୍କ କହିବା ଅନୁସାରେ ୨୦୧୪ ରେ ନାରାୟଣ ପାଟଣା -ବନ୍ଧୁଗାଆଁ ଅଂଚଳରେ ଜାରି ରହିଥିବା ଜମି -ଅଧିକାର ଆନ୍ଦୋଳନ ର ଶେଷ ହୁଏ । ଏପରି ଗୋଟିଏ ଆନ୍ଦୋଳନର ସମାପ୍ତିହେବା କୁ ଅଧ୍ୟୟନର ପରିସରକୁ ଆଣିଲେ ଆମକୁ ଦୁଇଟି କଥା ଦିଶୁଛି,ଏକ, ଆମେ ବିଶ୍ୱାସ କରୁଥିଲେ ବି ସବୁ ଆଦିବାସୀ-ଜମି ଜବରଦଖଲ ହୋଇଛି ବୋଲି ଧରାଯିବାର ନୁହଁ,ଦୁଇ, ଆଦିବାସୀ ଜମିର ମାଲିକାନାକୁ ଯଦି କୌଣସି ଉପାୟରେ ଅଧିଗ୍ରହଣ କରିବାର ପ୍ରଚେଷ୍ଟା କରାଯାଏ ତେବେ ପ୍ରଭାବିତ ଜନତା ନିଶ୍ଚୟ ସଂଗଠିତ ହେବ ଆଉ ସଶକ୍ତ ପ୍ରତିବାଦ କରିବ ନିଶ୍ଚୟ।

ଏଇ ଲେଖାର ଉପସଂହାରରେ ଗୋଟିଏ ଛୋଟ ରୂପକଥା। ବିଷମତାକୁ ନେଇ ଏଇ ରୂପକ କଥାଟି। ଫରାସୀ ସମାଜ ଚିନ୍ତକ ଜାଁ-ଜାକସ୍ ଋଷୋଙ୍କର “ଡିସକୋର୍ସ ଅନ୍ ଇନଇକ୍ୱାଲିଟି”ରୁ ଏହା ଗୃହିତ।

ପ୍ରଥମ ଲୋକ ଯିଏ ଅରାଏ ଇଲାକାକୁ ଘେରାଇ ନେଲା ଆଉ ମନକୁ ମନ କହିଥିଲା,ଏତକ ମୋର,ଆଉ ତାହାପରେ ସେ ଦେଖିଲା ଯେ ତାହାର ଏଇ କଥାକୁ ଲୋକେ ବିଶ୍ୱାସ କରୁଛନ୍ତି,ସେଇ ଲୋକଟି ହେଉଛି ନାଗରିକ ସମାଜର ଅସଲ ପ୍ରତିଷ୍ଠାତା। ଯେତେ ଅପରାଧ, ଯୁଦ୍ଧ, ହତ୍ୟାକାଣ୍ଡ, ଯେତେ ଦୁର୍ଦ୍ଦିନ ଆଉ ସଂତ୍ରାସ ମାନବ ଜାତି ଭୋଗିଥାଉ ପଛକେ,କେହି ଜଣେ ନିଜର ଘର ଛାଡି ବାହାରକୁ ଆସିଛି , ଖାଲ ଖମା ସବୁକୁ ପୋତି ସମତୁଲ କରିଛି ଆଉ ତାହାର ଅନୁଗାମୀଙ୍କୁ କହିଛି : “ସେଇ ଛଦ୍ମବେଶୀକୁ ବିଶ୍ୱାସ କରନି । ପୃଥିବୀ ସମସ୍ତଙ୍କର ଆଉ ଭୂମୀ କାହାର ନୁହଁ ,ଏଇ କଥାକୁ ତମେ ଯଦି ଭୁଲିଯାଅ ତାହେଲେ ତମର ଶେଷ ହେଲା ବୋଲି ଜାଣ।”

“ଉଜାଣି ଝଞ୍ଜାବତୀ”ରେ ଆମେ ସେଇ ଲୋକଟିକୁ ନିଶ୍ଚୟ ଭେଟିବା,ଯିଏ ତାହାର ଘରଛାଡି ବାହାରକୁ ଆସିଛି,ସମତୁଲ କରିବାର ପ୍ରଚେଷ୍ଟା କରିଛି ସେଠିକାର ଯେତେକ ଖାଲଖମାକୁ। ପୃଥିବୀ ସମସ୍ତଙ୍କର ବୋଲି ସେ କହିଚାଲିଛି।

ସେଇ ଚରିତ୍ରଟି ନାଚିକା ଲିଙ୍ଗା। “ଉଜାଣି ଝଞ୍ଜାବତୀ”ର ନାୟକ ସେ,ଅତ୍ୟନ୍ତ ନିଷ୍ଠାର ସହ ଏପରି ଗୋଟିଏ ନାୟକର ତତ୍ତ୍ୱରୂପ ନିର୍ମାଣ କରିଛନ୍ତି ଆମର ପ୍ରିୟ ଲେଖକ ଗବେଷକ ଶ୍ରୀଯୁକ୍ତ ନିଗମାନନ୍ଦ ଷଡଙ୍ଗୀ।

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →