ରବୀନ୍ଦ୍ରନାଥ ଓ ଭ୍ରମଣ

ରବୀନ୍ଦ୍ରନାଥ ଭ୍ରମଣକୁ କେବଳ ସ୍ଥାନାନ୍ତରଣର ଏକ ମାଧ୍ୟମ ବୋଲି ଭାବିନଥିଲେ, ବରଂ ଏହା ଥିଲା ତାଙ୍କର ସୃଷ୍ଟିଶୀଳତାର ଏକ ବିଶାଳ କ୍ଷେତ୍ର। ଭ୍ରମଣ ତାଙ୍କୁ ନୂଆ ନୂଆଁ ଅଭିଜ୍ଞତା, ସଂସ୍କୃତି ଓ ମଣିଷର ସଂସ୍ପର୍ଶରେ ଆଣୁଥିଲା, ଯାହା ତାଙ୍କ ସାହିତ୍ୟ, ସଂଗୀତ, ଚିତ୍ର ଓ ଦର୍ଶନ ଉପରେ ଗଭୀର ପ୍ରଭାବ ପକାଇଥିଲା।

ରବୀନ୍ଦ୍ରନାଥଙ୍କ ଭ୍ରମଣ ଭାବନା:
ସେ ବିଶ୍ବାସ କରୁଥିଲେ ଯେ, ଭ୍ରମଣ ମନୁଷ୍ୟର ମନକୁ ପ୍ରଭାବିତ କରେ, ସଂକୀର୍ଣ୍ଣତାକୁ ଦୂର କରେ। ସେ କହିଥିଲେ, ଯଦି ଆମର ଚିତ୍ତ ଯଥେଷ୍ଟ ଉନ୍ମୁକ୍ତ ରହିବ, ତେବେ ପୃଥିବୀର ଯେ କୌଣସି କ୍ଷେତ୍ରରେ ରହିଲେ ମଧ୍ୟ ଆମେ ପୃଥିବୀର ସମଗ୍ରତାର ସ୍ବାଦ ପାଇପାରିବା।

ଭ୍ରମଣ ଓ ସୃଷ୍ଟି :
ତାଙ୍କର ବହୁ ସାହିତ୍ୟ କର୍ମ ଭ୍ରମଣକାଳରେ ସୃଷ୍ଟି। ଉଦାହରଣ ସ୍ୱରୂପ ଗୀତାଞ୍ଜଳିର ଅନେକ କବିତା ଇଉରୋପ ଭ୍ରମଣ ସମୟର ଲେଖା। ଶିଆଲଦାହ, ଶିଲଂ, ଦାର୍ଜିଲିଂ, ଓଡ଼ିଶା, ଜାଭା, ବାଲି ଆଦି ଭ୍ରମଣର ଅଭିଜ୍ଞତା ତାଙ୍କ ରଚନାରେ ଦେଖିବାକୁ ମିଳେ।

ଭ୍ରମଣର ଶିକ୍ଷାମୂଳକ ଦିଗ:
ସେ ମନେକରୁଥିଲେ, ଶିକ୍ଷା ପାଇଁ କେବଳ ବହି ପଢ଼ା ଯଥେଷ୍ଟ ନୁହେଁ, ବରଂ ପ୍ରକୃତିର ସଂସ୍ପର୍ଶ ଓ ବହିର୍ବିଶ୍ବର ଅଭିଜ୍ଞତା ମଧ୍ୟ ସମାନ ଗୁରୁତ୍ବପୂର୍ଣ୍ଣ।ତେଣୁ ଶାନ୍ତି ନିକେତନ ଶିକ୍ଷାର୍ଥୀମାନେ ପ୍ରକୃତି କୋଳରେ ପଢିବା ତଥା ପ୍ରାଚ୍ୟ-ପାଶ୍ଚାତ୍ୟ ସଂସ୍କୃତିର ସମନ୍ଵୟ ଉପରେ ଗୁରୁତ୍ବ ଦେଇଥାନ୍ତି।

ସୀମାନ୍ତର ଊର୍ଦ୍ଧ୍ୱରେ ମାନବତା:
ରବୀନ୍ଦ୍ରନାଥ ମନେ କରୁଥିଲେ, ଭ୍ରମଣ ମନୁଷ୍ୟକୁ ଜାତି, ଧର୍ମ, ଭାଷାର ସୀମା ବାହାରକୁ ନେଇ ବୃହତ୍ତର ମାନବତାର ଅଂଶ ଭାବରେ ଗଢ଼ି ତୋଳେ। ସେ ବିଶ୍ବପର୍ଯ୍ୟାୟର ଭାବନାକୁ ଗୁରୁତ୍ଵ ଦେଉଥିଲେ ବି ନୋବେଲ ପୁରସ୍କାର ପାଇବା ପରେ ଆନ୍ତର୍ଜାତିକ ଯାତ୍ରା କରି ଭ୍ରମଣ ମାଧ୍ୟମରେ ଏଇ ମାନବିକତା ଦୃଷ୍ଟିକୋଣକୁ ଆହୁରି ପ୍ରସାରିତ କରିଥିଲେ।

ଭ୍ରମଣରେ ଅନୁପ୍ରାଣିତ ଲେଖା:
“ପଥେର ସଞ୍ଚୟ” ଗ୍ରନ୍ଥରେ ଭ୍ରମଣର ବିଭିନ୍ନ ଅନୁଭୁତି ଲକ୍ଷ୍ୟ କରାଯାଏ। “ଯାଭାଯାତ୍ରୀର ପତ୍ର”ରେ ଦକ୍ଷିଣ ପୂର୍ବ ଏସିଆର ସଭ୍ୟତା ଓ ସଂସ୍କୃତି ପ୍ରତି ସେ ମୁଗ୍ଧଭାବ ପ୍ରକାଶ କରିଛନ୍ତି।”ରୁଷିଆର ଚିଠି” ବହିରେ ରୁଷିଆର ସମାଜ ବ୍ୟବସ୍ଥା ଓ ଶିକ୍ଷା ବ୍ୟବସ୍ଥା ପ୍ରତି ବିଶ୍ଳେଷଣଧର୍ମୀ ଦୃଷ୍ଟିଭଙ୍ଗୀ ଦେଖିବାକୁ ମିଳେ। ସେହିପରି “ନୌକାଡୁବି” ଓ “ମାଳିନୀ” ନାଟକ ଓଡ଼ିଶା ଭ୍ରମଣ କାଳରେ ରଚିତ। କୋଣାର୍କର ପ୍ରତୀକ୍ଷାରତା ରମଣୀ, ପୁରୀର ଅଶାନ୍ତ ସମୁଦ୍ର ଓ ଲିଙ୍ଗରାଜ ମନ୍ଦିର ଆଦି ତାଙ୍କର ସୃଷ୍ଟିକୁ ପ୍ରଭାବିତ କରିଛି।

ରବୀନ୍ଦ୍ରନାଥଙ୍କ ଭ୍ରମଣ କେବଳ ଶାରୀରିକ ନୁହେଁ ବରଂ ଏକପ୍ରକାର ମାନସିକ ଓ ଆତ୍ମିକ ଯାତ୍ରା ଥିଲା। ତାଙ୍କର ଦୃଷ୍ଟିଭଙ୍ଗୀ ଆମକୁ ଶିଖାଏ ଯେ, ଭ୍ରମଣ କେବଳ ଏକ ବିନୋଦନ ନୁହେ, ଏହା ଏକ ଚିନ୍ତା ଚେତନାର ପ୍ରୟାସ। ନୂତନ ଅଭିଜ୍ଞତା ସଞ୍ଚୟ ଓ ମାନବିକତାର ବୃହତ୍ତର ଉପଲବ୍ଧିର ଏକ ଅନନ୍ୟ ମାଧ୍ୟମ।

About Dr. Sarat Kumar Jena

Dr. Sarat Kumar Jena is a writer, researcher and from Odisha. Currently he is working as a professor at Biswabharati University, Kolkata.

View all posts by Dr. Sarat Kumar Jena →

Leave a Reply

Your email address will not be published. Required fields are marked *