ଜଣେ ରାଜାଙ୍କର ଯାଦୁ ଗଛଟିଏ ଥିଲା । ସେ ଗଛକୁ ରାଜା ଯାହା ମାଗୁଥିଲେ, ଗଛ ତାଙ୍କୁ ଦଉଥିଲା।
ରାଜା ଦିନେ କହିଲେ, ଗଛ ମୁଁ ପକ୍ଷୀ ହୋଇ ଟିକେ ଉଡନ୍ତି ।
ଗଛ କହିଲା ହଉ ।
ରାଜା ଖୁସି ହୋଇଗଲେ | ତାଙ୍କ ଇଛାରେ ଦିନେ ବଣି ଚଢ଼େଇ ହୋଇ, ଦିନେ ଘରଚଟିଆ ହୋଇ, ଦିନେ ଇଗଲ ହୋଇ ସେ ଆକାଶରେ ଘୁରି ବୁଲିଲେ । ବିଭିନ୍ନ ରାଜ୍ୟ ବୁଲି ଆସିଲେ । ବହୁତ ମଜା ଲାଗିଲା ତାଙ୍କୁ ।
କିଛିଦିନ ପରେ ରାଜା ଗଛକୁ କହିଲେ, ଗଛ, ମୁଁ ପଶୁ ହେଇ ବୁଲନ୍ତି ।
ଗଛ କହିଲା, ହଉ ।
ରାଜା ଦିନେ ହାତୀ ହୋଇ ବୁଲିଲେ, ଦିନେ ବାଘ ହୋଇ ଗର୍ଜନ କଲେ, ଦିନେ ଠେକୁଆ ହୋଇ ଡେଇଁଲେ, ଦିନେ ହରିଣ ହୋଇ ଦୌଡ଼ିଲେ ।
ଆଉ ଦିନେ ରାଜା କହିଲେ, ଗଛ ମୋତେ ପୃଥିବୀର ସବୁଠାରୁ ଅଧିକ ଧନଶାଳୀ କରିଦେ ।
ଗଛ କହିଲା, ହଉ ।
ରାଜାଙ୍କ ଘରେ ସୁନାରୂପା, ମୋତିମାଣିକ, ହୀରା-ଜହରତ ଭର୍ତ୍ତି ହୋଇଗଲା । ପୃଥିବୀର ସବୁଠାରୁ ଧନୀଲୋକ ହୋଇଗଲେ ସେ ।
ଆଉ ଦିନେ ରାଜା କହିଲେ, ଗଛ ମୋତେ ପୃଥିବୀର ସବୁଠାରୁ ଶକ୍ତିଶାଳୀ କରିଦେ ।
ଗଛ କହିଲା ହଉ ।
ରାଜାଙ୍କର ସୈନ୍ୟସାମନ୍ତମାନେ ସାରା ପୃଥିବୀକୁ ଜୟ କରିଗଲେ । ସାରା ପୃଥିବୀ ତାଙ୍କୁ ଡରିଲା ।
ତାପରେ ଦିନେ…
ଶେଷ ବସନ୍ତର ମାୟାବୀ ଅପରାହ୍ନର ମନ୍ଦ ମଳୟରେ ଗଛର କଅଁଳିଆ ପତ୍ରଗୁଡ଼ିକ ଦୋଳି ଖେଳୁଥିଲେ | ଆମ୍ରକୁଞ୍ଜରୁ ବଉଳର ମତୁଆଲା ସୁଗନ୍ଧ ଆଉ କୋକିଳର କୂଜନ ଭାସି ଆସୁଥିଲା | ପୃଥିବୀର ସବୁଠାରୁ ଧନଵାନ ଏବଂ ଶକ୍ତିଶାଳୀ ରାଜା ଗଛ ପାଖକୁ ଆସି କହିଲେ, ଗଛ ମୋତେ ଭଗବାନ କରିଦେ ।
ଗଛ ରାଜାଙ୍କ ଆଡକୁ କିଛି ସମୟ ଚାହିଁ ରହିଲା | ପତ୍ରମାନେ ଦୋଳି ଖେଳିବା ବନ୍ଦ କରିଦେଲେ | କୋଇଲିର ଗୀତ ଆଉ ଶୁଭିଲା ନାହିଁ |
କିଛି ସମୟ ପରେ ମୋତେ ଗଛ କହିଲା, ମୋତେ କିଛିଦିନ ସମୟ ଦିଅ ।
ରାଜା କହିଲେ ଠିକ୍ ଅଛି । ସାତଦିନ ସମୟ ଦେଲି ।
ତା ପରଦିନଠୁ ଦେଖାଗଲା ଯେ ଗଛଟି ଧିରେ ଧିରେ ଶୁଖିବାପାଇଁ ଲାଗିଛି ।
ସପ୍ତମ ଦିନ ଅପରାହ୍ନ | ସଞ୍ଜ ନଇଁ ଆସୁଛି | ରାଜା ଗଛପାଖକୁ ଗଲେ । କହିଲେ, ଗଛ ତୋତେ ସାତଦିନ ସମୟ ଦେଇଥିଲି ମୋତେ ଭଗବାନ କରିଦେବାପାଇଁ । ଆଜି ସପ୍ତମ ଦିନ | ମୋତେ ଭଗବାନ କରିଦେ |

ଗଛ ସେତେବେଳକୁ ଆହୁରି ଶୁଖି ଗଲାଣି | ତା ଦେହରେ ଦୋଳି ଖେଳୁଥିବା କଅଁଳିଆ ପତ୍ରଗୁଡ଼ାକ ଶୁଖି ଝଡ଼ିଗଲେଣି | ଗଛ ଯେମିତି ଜୀବନର ଅଚାନକ ଶେଷ ପାହାଚରେ ପହଞ୍ଚି ଯାଇଛି ।
କ୍ଷୀଣ ସ୍ୱରରେ ଗଛ କହିଲା, ରାଜା, ଏ ବର ମୁଁ ତମକୁ ଦେଇ ପାରିବି ନାହିଁ | ମଣିଷ ଭଗବାନ ହେବା ଉଚିତ୍ ନୁହଁ । ମଣିଷ ଭଗବାନ ହେଲେ ମଣିଷକୁ କଷ୍ଟ, ସମାଜକୁ କଷ୍ଟ, ଭଗବାନଙ୍କୁ ବି କଷ୍ଟ ।
ଏତିକି କହି ଗଛ ମରିଗଲା ।
ରାଜା ଆଉ ଭଗବାନ ହୋଇ ପାରିଲେ ନାହିଁ |
++
ଅମୃତD-24, ସମଲେଶ୍ୱରୀ ବାଟିକା
ରେମେଡ ଛକ, ସମ୍ବଲପୁର 768006
9437026194