ସାୟାହ୍ନ

ମୂଳ ଲେଖା : ପିଟର ବିକସେଲ୍ || ଅନୁବାଦ : ଜ୍ୟୋତି ନନ୍ଦ

ନିଜର ଶେଷକୃତ୍ୟକୁ ନେଇ ତାହାର ଅନେକ ସ୍ୱପ୍ନ ଥିଲା। କେଉଁଭଳି ତାହା ପାଳନ କରାହେବ, ସେଇସବୁ ନେଇ ସବୁବେଳେ ନିଜର ନାନା ଧରଣର ଇଚ୍ଛାର କଥା ସେ ପ୍ରାୟତଃ କହିଥା’ନ୍ତି।

“ଏହାକୁ ନେଇ ସେମିତି ଖାସ୍ କିଛି ଜାକଜମକ କରିବା ଦରକାର ନାହିଁ।” ସେ ଘୋଷଣା କରିଥିଲେ। କିମ୍ବା ସେ ତାଙ୍କର ପତ୍ନୀକୁ କହନ୍ତି, “ତମେ ତ ଜାଣ ଯେ କାରନେସନ୍ ଫୁଲକୁ ମୁଁ ଏକଦମ୍ ସହ୍ୟ କରିପାରେନା, ଆଉ ସମସ୍ତଙ୍କର ଏଇଟା ମନେ ରଖିବା ଭଲ ହେବ ଯେ ଏଇ ସବୁ ପ୍ରଥାର ପରିବର୍ତ୍ତନ ଖୁବ୍ ଆବଶ୍ୟକ।”

ଦୁଇ କି ପାଞ୍ଚ ବର୍ଷ ଆଗରୁ ତାଙ୍କର ଯେ ମୃତ୍ୟୁ ହୋଇନି ସେଇକଥାକୁ ଭାବି ସେ ସ୍ୱସ୍ତିର ନିଃଶ୍ୱାସ ମାରନ୍ତି। ଦୁଇ ବର୍ଷ ଆଗରୁ ଯଦି ସେ ଇହଧାମ ତ୍ୟାଗ କରିଥାନ୍ତେ ତାହାହେଲେ ତାଙ୍କର ଶବ ଦେହକୁ କାରନେସନ୍ ଫୁଲରେ ସୁସଜ୍ଜିତ କରାଯାଇଥା’ନ୍ତା, କାରଣ ସେତେବେଳେ ସେ କାରନେସନ୍ ଫୁଲକୁ ବେଶ୍ ପସନ୍ଦ କରୁଥିଲେ। ପାଞ୍ଚ ବର୍ଷ ଆଗକାର କଥାକୁ ଯଦି ହିସାବକୁ ନିଆଯିବ ତାହାହେଲେ ସେତେବେଳେ ସେ ବ୍ୟାଣ୍ଡ ପାର୍ଟିକୁ ପସନ୍ଦ କରୁଥିଲେ, ଆଉ ଯଦି ଦଶ ବର୍ଷ ଆଗରୁ ସେ ତ ନିଜେ ପାର୍ଟିର ସଦସ୍ୟ ରହିଥିଲେ।

ଖବର କାଗଜରୁ ଶୋକ-ସନ୍ଦେଶମାନ ପଢିବାକୁ ଆରମ୍ଭ କରିବା ଆଗରୁ ତାଙ୍କର ଧାରଣା ଥିଲା, “ଯାହା କୁହ, ଏଇଲେ ବି ପୃଥିବୀରେ କିଛି ଭଲ, ଅକପଟ ଲୋକ ବାସ କରୁଛନ୍ତି।” ଆଜିକାଲି ସେଇ ଶୋକ-ସନ୍ଦେଶମାନ ତାଙ୍କର ଆଖିରେ ପଡିଲେ ଖୁବ୍ ଏକଘଷା ଲାଗେ, ଆଉ ତାହା ସାଥିରେ ଯଦି କାହାର ଛବି ରହିଛି ତାହାକୁ ଦେଖିଲେ ଦେହ ଶିରିଶିରି କରେ। ସ୍ତ୍ରୀକୁ ସେ କହନ୍ତି,” କାରନେସନ୍ ଫୁଲ ଦେଖିଲେ ମୋ ମନକୁ ଘୃଣା ଆସୁଛି।”

ସଂଜରେ ଅଫିସ୍ରୁ ଘରକୁ ଫେରିବା ବେଳେ ସେ କ୍ଳାନ୍ତ ଦେଖାଯାନ୍ତି, ଘରର ଭିତରେ ଭାରି ଗରମ, ଦେହ ଝାଳ ସରସର।

“ତମର ଆଜିକାଲି ସିଗାରେଟ୍ ର ମାତ୍ରା ଅନେକ ବଢିଯାଇଛି ଦେଖୁଛି” ସ୍ତ୍ରୀ କହନ୍ତି। ଶରୀରର ଯତ୍ନ ନେବାର କଥାକୁ ମନେ ପକାଇ ଦିଅନ୍ତି। ସ୍ୱାମୀଙ୍କର ଆଖି ଦୁଇଟି ଅବଶ୍ୟ ସେତେବେଳେ ନିବଦ୍ଧ ରହିଥାଏ ଖବରକାଗଜର ପୃଷ୍ଠା ଉପରେ। ଅଚାନକ ସ୍ୱାମୀଙ୍କର କୌଣସି ଆଚରଣରେ ସ୍ତ୍ରୀ ଚମକି ପଡନ୍ତି । ଦୁମ୍ କରି ଖବରକାଗଜକୁ ମୋଡିମାଡି ହୁଏତ ସେ କହି ଉଠିବେ, “ମୋର ପରିଷ୍କାର ମନେପଡେ କେଉଁ ଭଳି ସେମାନେ ରେଳର ବିଦ୍ୟୁତକରଣ କରିଥିଲେ, ଉଦବୋଧନ ଦିନ ମୁଁ ଯାଇଥିଲି, ଜଣେ କାଉନସିଲର୍ ଭାଷଣ ଦେଇଥିଲେ।”

ତାଙ୍କର ବାପା ଦେଇଯାଇଥିବା ହେଡ୍-ଫୋନ୍ ଯୁକ୍ତ ରେଡିଓ ସେଟ୍ ଟାକୁ ଦେଖାଇ କହନ୍ତି, “ଏଇ ଜଗତର ଏଇଟି ହିଁ ହେଉଛି ପ୍ରଥମ ଆବିଷ୍କାର।” ଏଇ ଭଳି କଥା ଯିଏ କହିବ ତାହାର କେଉଁପରି ବା ଜବାବ ଦିଆଯିବ, ସ୍ତ୍ରୀ ତେଣୁ ଚୁପ୍ ରହନ୍ତି। ଜବାବ ନପାଇଁ ସ୍ୱାମୀ ବିରକ୍ତ ହୋଇ କହିଥାନ୍ତି,

” ମୁଁ ଚାହୁଁଛି ଘରର ଖର୍ଚ୍ଚବାର୍ଚ୍ଚ ଲେଖିବା ପାଇଁ ତମେ ଖଣ୍ଡିଏ ଖାତା ଧର, ହଁ ଆଜିଠୁ !”

ନିଜର ବସ୍ ଯାହାର ନାଆଁ ବାହଲମ୍ୟାନ୍ ତାହାକୁ ଏଇ ବ୍ୟକ୍ତିଜଣକ ଖୁବ୍ ଅପସନ୍ଦ କରନ୍ତି, ନିଜେ ସେ ସେଇକଥା ସ୍ତ୍ରୀଙ୍କୁ କହିଛନ୍ତି, ତେଣୁ ସ୍ତ୍ରୀଙ୍କର ଏଇ ବ୍ୟାପାରଟି ଜଣା। ସେଇଥିପାଇଁ ତ ରାସ୍ତାରେ ବାହଲମ୍ୟାନ୍ ଙ୍କ ସହିତ ଦେଖାହୋଇଗଲେ ହସ ହସ ମୁହଁରେ ବିନୟ ଭାବରେ ଶୁଭେଚ୍ଛା ଜଣାଇବା ପାଇଁ ଏଇ ଭଦ୍ରମହିଳା ବେଶ୍ ଅଶ୍ୱସ୍ତି ବୋଧ କରିଥାନ୍ତି। ବାହଲମ୍ୟାନ ପରରେ ତିଆରି ଟୋପି ପିନ୍ଧନ୍ତି, ସେଥିରେ ଲାଗିଥାଏ ସବୁଜ ରଂଗର ଫିତା।

ସ୍ୱାମୀକୁ କହନ୍ତି, “ତମେ ଭାରି କ୍ଳାନ୍ତ ଦେଖାଯାଉଛ।” ସ୍ୱାମୀଙ୍କୁ ନିରୁତ୍ତର ରହିବାର ଦେଖି ପୁଣି କହନ୍ତି, “ତମର ଏଥର ଜଣେ ଭଲ ଡାକ୍ତରଙ୍କୁ ଦେଖା କରିବା ଉଚିତ।” କେବେ କେବେ କହନ୍ତି, “ଆଜି ତମ ପାଇଁ କ’ଣ ରାନ୍ଧିବି, କହିବ ?” କିମ୍ବା, “କେବେଠୁ ଛୁଟି ନେଉଛ ?”

ଗୁରୁବାର ଦିନ ଏଇ ଭଦ୍ରମହିଳା ସିନେମା ଦେଖିବାକୁ ଯାଆନ୍ତି। ଦୁଇଜଣ ଏକାଠି କେଉଁ ଗୁରୁବାରରେ ଯଦି ସିନେମା ଦେଖିବାକୁ ଯାଇପାରନ୍ତେ ତାହାହେଲେ ପତିଦେବଙ୍କ ପାଖରେ ବସି ସିନେମାଟିକୁ ସେ ଅଧିକ ଉପଭୋଗ କରି ପାରନ୍ତେ, ଭଦ୍ରମହିଳାଙ୍କ କଥାରୁ ଏମିତି ମନେହୁଏ। ଗୋଟିଏ ବୁକ୍-କ୍ଲବର ସଦସ୍ୟା ଥିଲେ ସେ, ପ୍ରତିମାସ ସେଇଠୁ ବହି ଆଣିଥାନ୍ତି। ଆଉ ସେଇ ବହି ସଂପର୍କରେ ଯଦି ତାହାର ସ୍ୱାମୀଙ୍କୁ କେହି କିଛି ପଚାରିବସିଲେ ତାହାହେଲେ ଜବାବ ଆସେ,” ଏଇ ଗେଟେ କି ସେଇଭଳି କିଛି ବହି ହେବ !”

ବାହଲମ୍ୟାନ୍ ଙ୍କ ବିରୁଦ୍ଧରେ ଏଇ ଭଦ୍ରବ୍ୟକ୍ତି ଜଣକ କ’ଣ ବା ଆଉ କରି ପାରିବେ? ଏଥିରୁ କ’ଣ କିଛି ରକ୍ଷା ଅଛି ! ବାହଲମ୍ୟାନ ଯେ ତାହାର ବସ୍। ଶେଷ ଆଡକୁ ବାହଲମ୍ୟାନ୍ ର ସେଇ ନାଡିନଥିବା ଚଷମାଟା ଭଦ୍ରବ୍ୟକ୍ତିଙ୍କ ଚକ୍ଷୁଶୂଳ ହୋଇ ଉଠେ।

“ଜାଣିଛ, ତମର ଏଇ ବାହଲମ୍ୟାନ୍ ସିନେମା ଦେଖିବାକୁ ଯାଏ।” ସିନେମାରୁ ଫେରି ଆସି ଭଦ୍ରମହିଳା କହନ୍ତି। ଏପରିକି ତାହା ପରଦିନ ସକାଳେ ଅଫିସରେ ବାହାଲମ୍ୟାନ ଭଦ୍ରଲୋକକୁ ପଚାରେ, “କାଲି ସଂଧ୍ୟାବେଳେ ସିନେମାଟି ତମର ସ୍ତ୍ରୀଙ୍କୁ କେମିତି ଲାଗିଲା ? ଆଶା କରୁଛି ଭଲ ଲାଗିଥିବ ।”

ଭଦ୍ରଲୋକଙ୍କ ସଂଜବେଳଟି ଏଇଭାବରେ ହିଁ  କାଟେ। ରେଡିଓ ସେଟ୍ ଟା ଯେ ସାରାଦିନ କାହିଁକି ଖୋଲା ରହିଥାଏ ସେକଥା ସେ ବୁଝି ପାରନ୍ତି ନାହିଁ। ପୁଣି ଖିଆଲ୍ କଲେ ବିରକ୍ତ ଲାଗେ,ରେଡିଓ ସେଟ୍ ଟାକୁ ବନ୍ଦ କରି ଦିଅନ୍ତି। ରେଡିଓଟା  ନୀରବ ରହିଲେ ସେଥିରେ ବି ସେ ଅଖୁସି ।

କହି ଉଠନ୍ତି, “ଆଃ, କି ଯେ ଗରମ ପଡିଛି ଏଇଠି !” ଏହାକୁ ନେଇ ବେଳେ ବେଳେ ସେ ବେଶ୍ ଚିତ୍କାର କରି ଉଠନ୍ତି। ରେଡିଓ ସେଟ୍ ର ନବ୍ କୁ ଘୁରାଉ ଘୁରାଉ ସ୍ତ୍ରୀଙ୍କ ଆଡକୁ ଭର୍ତ୍ସନାର ଦୃଷ୍ଟିରେ ଚାହିଁ ରହିଥା’ନ୍ତି।

ସେଇ ଏକଘଷା ଜୀବନ, ଏକଘଷା କାମ।

ଭଦ୍ରଲୋକଙ୍କ ଆଖି ଖବରକାଗଜ ଉପରେ, ସ୍ତ୍ରୀ ଭାବନ୍ତି ସେ ବୋଧେ ଖୁବ୍ ମନୋଯୋଗ ଦେଇ ତାହାକୁ ପଢୁଛନ୍ତି।

ସ୍ୱାମୀଙ୍କୁ କହନ୍ତି, “ତମେ ତ ବାହାଲମ୍ୟାନକୁ ଭଲ ଆଉ କିଛି କା ର କଥା କେବେ ବି କହିନ !”

ଭଦ୍ରଲୋକ କହନ୍ତି,” ବାହଲମ୍ୟାନ ଇଂରେଜୀ ଭଲ ଭାବରେ କହିପାରେ।”

ଏହାପରେ ଉପର ଘରେ ଶୋଇବାକୁ ଯିବା ଆଗରୁ ବାରଂବାର ସେ କହି ଚାଲୁଥାନ୍ତି, “ମୁଁ ଶୋଇବାକୁ ଯାଉଛି।”

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →