ତଥାପି

ମୋ ମୁହଁରେ ବ୍ରଣ, 
ମୋ ଋତୁସ୍ରାରରେ କଷ୍ଟ,
ମୋ ଦେହରେ ତତଲା ଚେଙ୍କ, କିମ୍ବା –
ମୋ ଛାତିତଳେ ଭଙ୍ଗା ପ୍ରତିଶ୍ରୁତି;
ଏ ସବୁ କିଛି ନଥାଇ ବି
ମୁଁ ସୁନ୍ଦର ହୋଇପାରେ ଆଉ-
ନାରୀଟିଏ ବୋଲାଇପାରେ!
ମୁଁ କୌଣସି, ଦୁଃଖ କି ଲୁହ ଖର୍ଚ୍ଚ ନ କରି
ଖାଲି ମୋ "ହସ"କୁ ହିଁ ଭାଙ୍ଗିପାରେ,
ମୁଁ ହସିହସି ବି କବିତା ଲେଖିପାରେ,
ଆଉ- ତା' ସତ୍ତ୍ବେ ବି
ନାରୀଟିଏ ବୋଲାଇପାରେ!
ବିଅର କି ରମ୍ ନହେଲେ ବି,
କୌଣସି ଗୋଟିଏ ସନ୍ଧ୍ୟାରେ
ମୋ ଚାରି ବନ୍ଧୁଙ୍କ ସହ ବସି
ସିନେମା ଦେଖୁଦେଖୁ ଚା' ପି' ପାରେ;
ତାଙ୍କ ଜୋକ୍ ରେ ହସି ପାରେ,
ତାଙ୍କ ସ୍ବପ୍ନ ସବୁକୁ ଶୁଣିପାରେ,
ତାଙ୍କ ପାଇଁ ରାତିଅନିଦ୍ରା ହୋଇପାରେ,
ଆଉ - ତା' ପରେ ବି
ନାରୀ ହିଁ ବୋଲାଇପାରେ!
ଶ୍ରାବଣ କି ବସନ୍ତରେ ପ୍ରେମିକା ନସାଜି-
ନିର୍ଧୁମ ଗ୍ରୀଷ୍ମରେ ଛତା ତୋଳିପାରେ;
ତା' କାନ୍ଧରେ କାନ୍ଧ ମିଶାଇ ନଚାଲି –
ଗାଡ଼ିରେ ଲିଫ୍ଟ ଦେଇପାରେ;
ଫାଳିକିଆ ଜହ୍ନରେ ମୋ ହୃଦୟକୁ ନକାଟି-
ପୂର୍ଣ୍ଣିମା ରାତିରେ ଗୀତ ଗାଇପାରେ;
ବିନା ଲୁହ ଆଉ କୋହର ମେକଅପ୍ ରେ ବି
ମୁଁ ସୁନ୍ଦର ଲାଗିପାରେ-
ହସିକି ସୁନ୍ଦର ଦିଶିଲେ ବି,
ମୁଁ ନାରୀଟିଏ ବୋଲାଇପାରେ !

ଭୁବନେଶ୍ୱର, ୮୦୧୮୦୫୩୩୯୫

About Dr. Ipsita Pradhan

Dr. Ipsita Pradhan is a doctor by profession and writer by passion.

View all posts by Dr. Ipsita Pradhan →