ସ୍ବପ୍ନଯାନୀ

ସ୍ବପ୍ନ ଦେଖେନି ମୁଁ କେବେ
ଦେଖିଥିବି ବା ଥରେଅଧେ !
ସେ,କହଂତେ, ଦେବାଶିଷ ସାମନ୍ତରାୟ ଦେଖେ
ଦେଖିଲା ଭଳିଆ ସ୍ବପ୍ନ’ ଗଢ଼ିବାର ଜିଦ୍ ଧରି
ଯୋଜନା ବି ପକ୍କା, ଝକାସ୍
ପ୍ରକାଶକ ହବ ଏକ ନଂ ଓଡ଼ିଶାର, ସମସ୍ତଂକୁ ଟପି !

ଉଚ୍ଚତା ସମାନ ପ୍ରାୟ ମୋର ଓ ତାର
ଇଂଚେ ଦି’ ଇଂଚ ଇଧରଉଧର୍
ଓଜନ ଟିକେ ବେଶି,
ଚେହେରା ଗୋଲଗାଲ, ମାଂସଳ;
ମୁଁ ହାଡ଼ ଦି’ଚାରିପଟ
ଆଖି ପାଖେ ପାହାଡ଼ ଖୋଲ !

ଜିରୋ ନୁହଁ ପୂରା ମାଇନସ୍‍ରୁ ଆରଂଭ ତା ବେପାର
ମାତ୍ର ଚାରିବର୍ଷ ସତେଇଶ ଦିନ ଓଳିଏର;
ତଥାପି ସାଢ଼େ ଚାରିଶ’ ଟାଇଟଲ୍,ଥାକ ପୂର୍ଣ୍ଣ !
ଦ୍ରୁତତମ ବୁଲେଟ୍ ଟ୍ରେନ୍,
ମୁଁ ଅଳିଆମଳିଆ ହାଉଡ଼ା ପାସେଂଜର
ସାଧାରଣଠୁ ସାଧାରଣ !

ବାହାଦୂରୀ ନୁହଁ କମ, କିନ୍ତୁ ଭାଇ ବୋଲି ଡାକେ ମ !

କଥାରେ ସର, ଓଠରେ ଶର୍କରା ହସ
ମଗଜରେ ଚଉଷଠି ସ୍ବପ୍ନ !
ବହି ଖଂଡେଖଂଡେ ଧରିଥିବ ପୃଥିବୀର ସବୁ ହାତ,
ଫେରିବା ଖାଲି ହାତେ ଭୁଲିଯିବେ ଆସିଥିବା ପାଠକ,
ଯା’ ଓ ଯୋଉ ରକମର ଖୋଜିଲେ ମିଳିବ ଜରୁର୍,
ଆଦିତ୍ୟ ଭାରତର ଅଥବା ଯୋଉ ହଉ ପ୍ରକାଶନ:
ଯାହାକୁ ଖୋଜଇ ଯେମିତି ଇଛଇ ମନ, କର୍ମଯୋଗୀକୁ ତା ହୁଅଇ ପ୍ରାପତ ଜାଣ !

ଶିଖିବାର ଅଛି
କାମ ନଦିବା ବେଳେ, ଆଣିବା ଓ କଲାବେଳେ
ଶବ୍ଦରେ କେତେ ଓ କେମିତି ମାରିବ ମାଖନ
କୋଉଠି ଖଂଜିବ କ୍ୟାମେରା କୋଉଠି ମାଇନ୍;
ହିସାବ ଭୁଲ ହେଇନି କେବେ ତାର;
ଆକାଉଂଟସ୍ ବାଲା ତ !
ସେଇଲେ ବଢ଼େଇ ଦବ ମସଲାଚା’ ରେଡ୍ ଉଇଲ୍‍ସ ପାନ
ସେଇଲେ ଶୁଣେଇବ କାହାଣୀ ଟ୍ରଂପ୍ ଆଲାନ୍ ମସ୍କ ପୁତିନ
ସେଇଲେ ଦେଖେଇଦବ ତାରା ଜହ୍ନ !

ହାତ ମୁଠାରେ ତାର ସତେ ଭାରତ ଆଉ ଭଗବାନ !

ଅଥଚ, କାଲି ଭଳି ଲାଗୁଚି କରୋନାର ବିତ୍ପାତ
ଭାଂଗିଦେଲା କେତେ ଆଂଟ କେତେ ଅଂଟା !
ଦେବିଶିଷର ପାଣି ବୋତଲ ଯୋଗାଣ ଏପଟେ ଠପ୍,
ସେପଟେ ଔଷଧ ବେପାରରେ ତାଲା !
ବଜା ଗିନି !
ବଡ଼ ଯେଣୁ ଜିଇବା ଓ କରୋନାକୁ ଜିତିବା
ଦେବାଶିଷ ଶୁନଶାନ୍ ରାସ୍ତାରେ ଠିଆ ହେଲା ଏକା ପୁଣି !

ହାତ ମଳିମଳି ଝାଡ଼ିଦେଲା ମଳି ଓ ଗାଲ ଘଷିଘଷି କଲା ଚିକ୍କଣ
ମଂଦ ନୁହଁ ଦଂଭ ତା’,
ଅଂଧାରରେ ଚାଲିଚାଲି ପାଦରେ ବାଜିଲା ତା’ ସକାଳ ଚଟାଣ !

ଏମିତି ହିଁ କଣ ସତ ହଏ ସ୍ବପ୍ନ ?
ପଚାରିବା ପାଇଁ କେବଳ:
ମୁଁ ଖୋଜୁଚି ଦେବାଶିଷକୁ ଏ ଗାଁ’ରୁ ସେ ସହର।

ବୋଧହଏ,ଦେବାଶିଷ ବ୍ଯସ୍ତ ଲେଖିବାରେ ନୂଆ ଇସ୍ତାହାର !
**