ନିକଟରେ ସମ୍ବଲପୁର ଜିଲା ରେଙ୍ଗାଲି ଥାନା ଅଧୀନ ଲାରିପାଲି ଜଙ୍ଗଲରେ ପରିତ୍ୟକ୍ତ ବୋର୍ୱେଲ୍ ଭିତରୁ ଏକ ଶିଶୁକନ୍ୟା ଉଦ୍ଧାର ହୋଇଥିଲା। ଅନେକ ସଂଘର୍ଷ ପରେ ସୌଭାଗ୍ୟବଶତଃ ଶିଶୁକନ୍ୟାକୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହା ରାଜ୍ୟ ବା ଦେଶରେ ପ୍ରଥମ ଘଟଣା ନୁହେଁ। ଏମିତି ଘଟଣା ଅାମ ଚାରି ପାଖରେ ଅନେକ ଘଟୁଛି। ଜନ୍ମ କରିବାର କିଛି ସମୟ ପରେ ବୋରୱେଲକୁ ଶିଶୁକନ୍ୟାଟି ଫିଙ୍ଗାଯାଇଥିବା ପୁଲିସ ସୂଚନାରୁ ଜଣାପଡ଼ିଛି । ଘଟଣାଟି ଆମ ସାମାଜିକ ଜୀବନକୁ ଯେତିକି ବ୍ୟତିବ୍ୟସ୍ତ କରିଛି, ସେଥିକି ଲଜ୍ଜିତ ମଧ୍ୟ କରିଛି। ସ୍ବାଧୀନତାର ସାତ ଦଶନ୍ଧି ପରେ ବି କନ୍ୟା ସନ୍ତାନକୁ ଆମେ ତାର ଉଚିତ୍ ମୂଲ୍ୟ ଦେଇପାରୁନାହାନ୍ତି। ଅଥଚ ଆମେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳି ବେଶ୍ ଖୁସି ମନାଉଛନ୍ତି।
ଆଜି ବି ଝିଅଟିଏ ଜନ୍ମ ହେଲେ କାହାରି ମନରେ ସରାଗ ନ ଥାଏ, ପୁଅଟିଏ ହେଲେ କେତେ ଖୁସିରେ ସାହି, ପଡ଼ିଶା, କାର୍ଯ୍ୟାଳୟରେ ମିଠା ବାଣ୍ଟିଥାନ୍ତି ପରିବାର ଲୋକେ। ମାଆ କେବେ ବି ପୁଅ ଝିଅର ପ୍ରାର୍ଥକ୍ୟ ଦେଖି ନ ଥାଏ। କାରଣ ପୁଅ ଆଉ ଝିଅ ପାଇଁ ସମାନ କଷ୍ଟ ସହି ସେ ଜନ୍ମ ଦିଏ। ଦଶମାସ ଦଶ ଦିନ ଗର୍ଭରେ ଧରି ସନ୍ତାନଟିଏ ଜନ୍ମ କରିଥାଏ ମାଆଟିଏ। କାହିଁରେ କେତେ ଗର୍ଭ ବେଦନା ସହିଥାଏ। ପୂର୍ଣ୍ଣତା ଟିକେ ପାଇବାକୁ କାହିଁରେ କେତେ ତ୍ୟାଗ ବି କରେ। ଅଥଚ ପାରିପାର୍ଶ୍ବିକ ପରିସ୍ଥିତି ଖୋଦ୍ ମାଆଟିକୁ ବାଧ୍ୟ କରିଥାଏ ଏମିତି ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବାକୁ। ସତରେ କଣ କେହି ମା ତା ପିଲାକୁ ଫିଙ୍ଗି ପାରିବ ! ଆଜି ବି ଆମ ସମାଜରେ ଅଧିକାଂଶ ଲୋକଙ୍କର ମନରେ ରହିଛି ପୁଅ ଝିଅର ପାର୍ଥକ୍ୟ। ସରକାର ଯେତେ ସଚେତନ କରାଇଲେ ମଧ୍ୟ ସେ ଧାରଣା ମନରୁ ଲିଭିପାରୁନି। ସରକାର କନ୍ୟା ସନ୍ତାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବହୁବିଧ ଯୋଜନାର ଶୁଭାରମ୍ଭ କରୁଛନ୍ତି। ତଥାପି ଆମ ବ୍ୟବସ୍ଥା ଆଉ ସାମାଜିକ ଚାଲି ଚଳଣୀରେ ଆମେ ଏତେ ଜଡ଼ିତ ଯେ ସମସ୍ତଙ୍କର ପ୍ରାୟ ପୁଅଟିଏ ଲୋଡ଼ା। ଏକବିଂଶ ଶତାଦ୍ଦୀରେ ପୁଅ ଆଉ ଝିଅ ମଧ୍ୟରେ କୌଣସି ଫରକ ନାହିଁ ବୋଲି ଆମ ମନକୁ ଯେତେ ବୁଝାଇଲେ ମଧ୍ୟ କେଉଁଠି ନା କେଉଁଠି ଏକଥାକୁ ଅନେକ ଲୋକ ଗ୍ରହଣ କରିପାରୁନାହାନ୍ତି। ଅନେକଙ୍କ ମନରେ ଆଜି ବି ଧାରଣା ରହିଛି- ଝିଅ ବାହାହୋଇ ପରଘର ଚାଲିଯିବ ଆଉ ପୁଅ ବାହା କରାଇ ବୋହୂ ଆଣିବେ, ଶେଷ ସମୟରେ ସାହାରା ପାଲଟିବ। କିନ୍ତୁ ପ୍ରକୃତରେ ବାପା ମାଆଙ୍କ ଦୁଃଖ ପୁଅ ଠାରୁ ଝିଅଟି ଅଧିକ ବୁଝିଥାଏ ଏବଂ ନିଜର ଯାବତୀୟ କାର୍ଯ୍ୟକୁ ପଛରେ କରି ଝିଅଟି ହିଁ ବାପାମାଆଙ୍କର ସେବା ଯତ୍ନ କରିଥାଏ। ଝିଅଟିଏ କିନ୍ତୁ ଅନ୍ୟ ଏକ ସଂସାରର ବୋଝ ବୋହି ବି ପ୍ରତି ମୂହୁର୍ତ୍ତରେ ବାପାମାଆଙ୍କ କଥା ଭାବୁଥାଏ। ଝିଅଟି ଗୋଟେ ଲକ୍ଷ୍ମଣରେଖା ମଧ୍ୟରେ ଥାଇ ଅନେକ କିଛି କରେ, ଯାହା ପୁଅଟି କରିପାରେନି।
ଗର୍ଭରୁ ଯୂଇ ଯାଏ କେବଳ ମାଆ ହିଁ ନିରୋଳା ସ୍ନେହ ହିଁ ଦେଇଚାଲେ। ସନ୍ତାନକୁ ସମାଜରେ ସଭ୍ୟ ଶିକ୍ଷିତ କରିବାକୁ ପିତାମାତାଙ୍କୁ ତମାମ ଜୀବନ ନୟାନ୍ତ ହେବାକୁ ପଡ଼ିଥାଏ। ତାକୁ ମଣିଷକୁ କରିବାକୁ ପଥରକୁ ପତର ଭାବି ବୋହିନିଅନ୍ତି, ସେଇ ଗୋଟିଏ ଲକ୍ଷ୍ୟ ପୁଅ ତାଙ୍କର ସମାଜରେ ୫ ଜଣରେ ଜଣେ ହେବ। କେଉଁ ଆଦିମ କାଳକୁ ପୁଅଟିଏ ପାଇଁ ଉଭୟ ପିତାମାତା କାହିଁରେ କେତେ ପୂଜା, ବ୍ରତ କରିଥାନ୍ତି। ସମୟ ଅନୁସାରେ ଯଦିଓ ଏବେ ଲିଙ୍ଗ ତାରତମ୍ୟରେ ପରିବର୍ତ୍ତନ ଅ।ସିଛି। ତଥାପି ଏବେ ବି ପୁଅଟିଏ ପାଇଁ ସମସ୍ତେ ବ୍ୟାକୁଳ। କାରଣ ହିନ୍ଦୁ ପ୍ରଥାନୁସାରେ ପୁଅ ହିଁ କୁଳରକ୍ଷା କରିବ, ଜୀବନର ଶେଷ ସମୟରେ ସାହାରା ହୋଇ ଛିଡ଼ା ହେବ ଆଉ ମରିବା ପରେ ନିଜ କାନ୍ଧରେ ବୋହି ମଣାଣିକୁ ନେବ। ସେମାନଙ୍କୁ ପିଣ୍ଡ ଦେବେ ସବୁ ନୀତି ନିୟମରେ।
ସମୟ କ୍ରମେ ଏସବୁରେ ଆସିଛି ପରିବର୍ତ୍ତନ। ବାପା/ମାଆଙ୍କ ପାଇଁ କିନ୍ତୁ ପରିବର୍ତ୍ତନ ନାହିଁ। ସେମାନେ ଏବେ କି ସେଇ ଲକ୍ଷ୍ୟରେ ପୁଅକୁ ମଣିଷ କରନ୍ତି ସେମାନଙ୍କୁ ଶେଷ ସମୟରେ ସାହାରା ହେଉ କି ନ ହେଉ। ପୁଅଟିଏ ବଡ଼ ହେଲାପରେ ପିତାମାତାଙ୍କ ପ୍ରତି ସବୁ ଦାୟିତ୍ୱ ଭୁଲିଯାଏ, ତାହା ପୁଣି ଆଉ ଗୋଟେ ପରଝିଅ କଥାରେ। ଯେଉଁ ପୁଅକୁ ଦୀର୍ଘ ୩୦ ବର୍ଷ ପାଳି ପୋଷି ମଣିଷ କଲେ, ସେ କିନ୍ତୁ ବିବାହ କରିବା ପରେ କାହିଁକି କେଜାଣି ପିତାମାତାଙ୍କୁ ଅବହେଳା କରେ ତାହାର କାରଣ ଅନେକ। ଦିନ କେଇଟାରେ ସେ ନିଜ ଜନ୍ମକରା ପିତାମାତାଙ୍କୁ ମଧ୍ୟ ଜରାଶ୍ରମରେ ଛାଡ଼ିବା ପାଇଁ ପଛାଇ ଯାଏ ନାହିଁ। କେତେକ ସ୍ଥଳରେ ପିତାମାତାଙ୍କୁ ଭାଗ ଭାଗ କରି ପୁଅମାନେ ପୋଷନ୍ତି। କିନ୍ତୁ ମାଆଟିଏ ନିଜ ପେଟରେ ପେଟେ ଭୋକ ରଖି ତା ପିଲାମାନଙ୍କୁ ସମାନ ଭାବେ ଖାଇବାକୁ ଦିଏ। ଅପରାଧୀ ହେଲେ ବି କାନି ପଣତରେ ସେଇ ସ୍ନେହ ଆଦର ଦେଇ ଜାବୁଡ଼ି ଥରେ। ମାଆ କିନ୍ତୁ କେବେ ଭାଗ କରେନି କୌଣସିଥିରେ।
ଆଜିକାଲି ପୁଅମାନେ ଯେଉଁପ୍ରକାର ବ୍ୟବହାର ବାପାମାଆଙ୍କ ପ୍ରତି କରୁଛନ୍ତି, ସେସବୁକୁ ଦେଖିଲେ ମନେହୁଏ ସମାଜ କେମିତି ଅ।ଉ କେଉଁସ୍ତରକୁ ଚାଲିଗଲାଣି! ମନରେ ପ୍ରଶ୍ନ ଆସେ, ସେମାନେ ପୁଅକୁ ନିଜ ଜୀବନକୁ ମାଟି କରି ଏତେ ଗୁରୁତ୍ୱ ଦେଇ ଠିକ୍ କରିଥିଲେ ନା ଭୁଲ୍। ପୁଅ ବାହାହେବା ପରେ ବାପାମାଅ। ପୁଅବୋହୂଙ୍କ ପାଇଁ ବୋଝ, ଅନାବଶ୍ୟକ ଅତିଥି କାହିଁକି ପାଲଟି ଯାଏ ? କିଏ ଦେବ ଏହାର ଉତ୍ତର ! କିଏ କରିବ ଏହାର ସରଳ ସମାଧାନ। ଏବେ ବି ଆମ ସମାଜରେ କିଛି ପୁଅବୋହୂ ଅଛନ୍ତି, ଯେଉଁମାନେ ସେମାନଙ୍କ ପିତାମାତାଙ୍କୁ ଦୁର୍ବ୍ୟବହାର କରୁଛନ୍ତି, କଟୁ ଆକ୍ଷେପ କରୁଛନ୍ତି, ମାଡ଼ ମାରି ଘରୁ ବାହାର କରିଦେବା ଭଳି ନଜିର ମଧ୍ୟ ରହିଛି।
ବୁଝିହେଉନି ପୁଅଟିଏ ପାଠଶାଠ ପଢ଼଼ି ମଣିଷ ହେଲା ପରେ କାହିଁକି ବଦଳି ଯାଏ ! କାହିଁକି ଭୁଲିଯାଏ ନିଜ କର୍ତ୍ତବ୍ୟକୁ। ଏବେକାର ସଭ୍ୟଶିକ୍ଷିତ ପୁଅମାନେ ବାପାମାଆଙ୍କ ଦାୟିତ୍ୱ ନେବାକୁ ଅରାଜି, ବୋହୂମାନେ ସେବା କରିବା ଇଚ୍ଛା ପ୍ରକାଶ କରୁଛନ୍ତି। ତେବେ ଏଥିପାଇଁ ସବୁ ପୁଅ/ବୋହୂଙ୍କୁ ମଧ୍ୟ ଦାୟୀ କରାଯାଇପାରିବ ନାହିଁ। ବାପାର ସମ୍ପତ୍ତି ପାଇବାକୁ ପୁଅଟି ସମ୍ପର୍କର ଲକ୍ଷ୍ମଣରେଖା ଡେଇଁ କୋର୍ଟ କଚେରୀକୁ ଧାଇଁଯାଏ। ଯେଉଁ ବାପାମାଆ ପିଲାମାନଙ୍କ ଜୀବନ ଲାଗି ସେମାନଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ସମୟକୁ ବିନିଯୋଗ କଲେ, ଖରା, ବର୍ଷା, ଶୀତ ଆଉ ବସନ୍ତ ସବୁ ସେମାନଙ୍କ ପାଇଁ ସମାନ। ଶେଷ ସମୟରେ ଆଶ୍ରା ଟିକେ ପାଇବାକୁ ସେମାନଙ୍କୁ ବି ହେବାକୁ ପଡ଼ିଥାଏ ନାନା ଦହଗଞ୍ଜର ସମ୍ମୁଖୀନ। ଏସବୁ ଦେଖିଲେ ଅ।ମ ସଭ୍ୟ ସମାଜ ଲଜ୍ଜ୍ୟାରେ ମୁଣ୍ଡ ନୁଆଁଇବା ଉଚିତ୍ ?? ଅଥଚ ସେମାନଙ୍କ ମନରେ ସାମାନ୍ୟତମ କ୍ଷୋଭ ବି ନାହିଁ। ବୁଢ଼ା ବାପା/ମାଆଙ୍କୁ ନେଇ କେଉଁଠି କେଉଁଠି ପତ୍ନୀ ମଧ୍ୟ ସ୍ୱାମୀକୁ ଛାଡ଼ିଦେଉଛି। ପୁଅଟି ବା ଆଉ କ’ଣ କରିପାରିବ, ସେ ବି ସ୍ୱାର୍ଥପର ହୋଇଯାଏ ଆଉ ପତ୍ନୀର କଥାକୁ ଅବାଧରେ ମାନିନିଏ। ସେଥିପାଇଁ ବୁଢ଼ା ବାପାମାଆଙ୍କୁ କେବେ ଜରାଶ୍ରମରେ ଛାଡ଼ିଦିଏ ତ ପୁଣି କେବେ ରାସ୍ତାକଡ଼ରେ ଛାଡ଼ି ପଳାଇଯାଏ। ଦେହ ମୁଣ୍ଡ ଖରାପହେଲ ହସପିଟାଲରେ ଛାଡ଼ିଦେଇ ପତ୍ନୀ ସହିତ ଖୁସିରେ ଦିନ କାଟେ। ମାଆଟି ତଥାପି ବିଶ୍ୱାସରେ ଚାହିଁଥାଏ ପୁଅ ସଂସାର ଜଞ୍ଜାଳ ସାରି ଡାକ୍ତରଖାନାକୁ ଆସିବ ଆଉ ତା’ର ଦେହ ପା’ କଥା ବୁଝିବ। ମାତ୍ର ସେମିତି ହୁଏନି। ପୁଅ କି ବୋହୂ ଆଉ ଆସନ୍ତିନି ବାପାମାଆଙ୍କୁ ଦେଖିବାକୁ। ଏମିତି ଘଟଣା ଅନେକ ଘଟୁଛି। ଏତେ ସବୁ ପରେ ବି ପ୍ରାୟ ଅଧିକାଂଶ ଦମ୍ପତ୍ତିଙ୍କର ପୁତ୍ର ସନ୍ତାନ ଲୋଡ଼ା। ଏଥିପାଇଁ ନାନା ବାର ବ୍ରତ, ଉପବାସ ମଧ୍ୟ କରୁଛନ୍ତି।
ତେବେ ଏବେ ବି ଆମ ସମାଜରେ ଅନେକ ଶ୍ରବଣ କୁମାର ଅଛନ୍ତି, ଏହାକୁ ଅସ୍ବୀକାର କରାଯାଇପାରିବ ନାହିଁ। ଏବେ ବି ଅନେକ ବୋହୂ ଅଛନ୍ତି ସକାଳେ ସଞ୍ଜରେ ଶାଶୁ/ଶ୍ୱଶୁରଙ୍କୁ ପ୍ରମାଣ ବାଢ଼ନ୍ତି। ଗୋଟିଏ କୃତଘ୍ନପୁଅର କାର୍ଯ୍ୟକୁ ସମାଲୋଚନା କରି ଫକିରମୋହନ ଲେଖିଥିଲେ ‘ଡାକମୁନ୍ସୀ ଗଳ୍ପ। ଆମ ଚାରିପାଖରେ ରହିଛନ୍ତି ଅସଂଖ୍ୟ ଡାକମୁନ୍ସୀ। ଶହଶହ ବାପାମାଆ ସେମାନଙ୍କ ଦ୍ୱାରା ପୀଡ଼ିତ ହୋଇ ଦୁଃଖ ଆଉ ଶୋକରେ ଦୀର୍ଘଶ୍ୱାସ ଛାଡୁଛନ୍ତି। ମନର କଥା କାହା ଆଗେ କହିପାରୁନାହାନ୍ତି। ଛାତିତଳର କୋହକୁ ଚାପି ରଖି ତଥାପି ସେମାନେ ପୁଅ/ବୋହୂଙ୍କର ମଙ୍ଗଳ କାମନା କରିଚାଳନ୍ତି ଜୀଇଁଥିବା ଯାଏ। ଶେଷରେ ଏତିକି କୁହାଯାଇପାରିବ ଯେ ପର୍ଯ୍ୟନ୍ତ ପୁଅ/ବୋହୂମାନଙ୍କର ମାନସିକତାରେ ପରିବର୍ତ୍ତନ ନ ଆସିଛି, ସେ ପର୍ଯ୍ୟନ୍ତ ଏହି ସମସ୍ୟା ଲାଗି ରହିବ। ପୁଅ ଝିଅ ସବୁ ସମାନ। ପୁଅ ଯାହା କରିପାରିବ, ଝିଅଟିଏ ମଧ୍ୟ ତାହା ପାରିବ, ଏ ମାନସିକତା ସମସ୍ତଙ୍କ ମନରେ ଆସିବା ଜରୁରୀ। ସେହିପରି ପ୍ରତିଟି ସନ୍ତାନ ମାନସିକ ଭାବେ ପ୍ରସ୍ତୁତ ରହି ପିତାମାତାଙ୍କୁ ଅବହେଳା ନ କରି ଶାନ୍ତିରେ ଜୀବନ ଜୀଇବାର ପ୍ରୟାସ କରିବା ସର୍ବ ପ୍ରଥମ କର୍ତ୍ତବ୍ୟ ବୋଲି ଭାବିବା ଉଚିତ୍।
-ଭୁବନେଶ୍ବର, ଫୋନ୍-୮୮୯୫୩୦୪୫୫୬