ମୂଳ ଲେଖା – ରେମଣ୍ଡ କାର୍ଭର || ଅନୁବାଦ – ଜ୍ୟୋତି ନନ୍ଦ
ଦିନର ପ୍ରଥମ ବିନ୍ଦୁ ଆଲୋକ ଉକୁଟି ଉଠିବା ଯାଏଁ ଓଲଗା ଚେକଭ୍ ଙ୍କ ସହିତ ରହିଥିଲେ, ତଳେ ବଗିଚାରେ ସେତେବେଳେ ଥ୍ରୁସ୍ ପକ୍ଷୀର କଳତାନ। ଥ୍ରୁସ୍ ର ଦେହସାରା ଛବିଛବିକା ,ସେ ଗୋଟିଏ କ୍ଷୁଦ୍ର ଗାୟକ ପକ୍ଷୀ। ତାହାପରେ ତଳେ ଟେବୁଲ-ଚେୟାର୍ ଘୁଞ୍ଚାଇବାର ଆବାଜ।ଟିକିଏ ପରେ କାହାର ଗଳାର ସ୍ୱର ତଳୁ ଉପରକୁ ଆସିବାକୁ ଲାଗିଲା।ତାହାପରେ କବାଟରେ ଆସ୍ତେ ଆଘାତ। ତାଙ୍କର ମନେହେଲା ଅବଶ୍ୟ ଅଧିକାରୀ ପର୍ଯ୍ୟାୟର କେହି -ଚିକିତ୍ସକ ବା ପୁଲିସ୍ ର କେହି ଯେଉଁମାନେ ତାଙ୍କୁ କିଛି ପ୍ରଶ୍ନ କରିବେ ବା କୌଣସି ଫର୍ମ ଆଦିକୁ ପୂରଣ କରିବାକୁ କହିବେ ହୁଏତ,ହୁଏତ ବା ଡାଃ ଶୋୟେଗାର୍ ହୋଇପାରନ୍ତି ,ଜଣେ ଅନ୍ତ୍ୟେଷ୍ଟିକାରକ କୁ ସାଥିରେ ଧରି ଆସିଛନ୍ତି ଯିଏ ଚେକଭ୍ ଙ୍କ ଶବଦେହକୁ ପ୍ରଥାଗତ ସୁଗନ୍ଧୀ ଦେଇ ସୁବାସିତ କରି ତାହାକୁ ଋଷିଆକୁ ଫେରସ୍ତ ପଠାଇବା କାର୍ଯ୍ୟରେ ସାହାଯ୍ୟ କରିବ। କିନ୍ତୁ ନା,ତାହା ପରିବର୍ତ୍ତେ ଆସିଥିଲା ସେଇ ଯୁବକ ଯାହାର ମଥାର ଚୂଳ ଇଷତ ସୁନେଲି ,ସେ,ଯିଏ କେତେ ଘଣ୍ଟା ଆଗରୁ ଏଇଠି ଶାମ୍ପେନ ଦେଇ ଯାଇଥିଲା। ଏଥର,ଯାହା ହେଉ,ତାହାର ଟ୍ରାଉଜର ଆଉ ଇଉନିଫର୍ମ ରେ ଇସ୍ତ୍ରୀଭାଙ୍ଗ ନିଖୁଣ,ସବୁଜ ରଂଗର ଜ୍ୟାକେଟ୍ ଟି ତାହାର ଦେହ ସହିତ ଯେମିତି ମିଶିଯାଇଛି। ଦେଖିଲେ ମନେ ହେଉଛି,କେତେ ଘଣ୍ଟା ଆଗରୁ ଏଠିକୁ ଯିଏ ଶାମ୍ପେନ ବୋତଲ ଆଉ କଟ୍ ଗ୍ଲାସ୍ ଧରି ଆସିଥିଲା ଇଏ ସେ ନୁହଁ। ସେ କେବଳ ଏଇଲେ ପୁରାପୁରି ସତର୍କ ନୁହଁ,ତାହାର ପୁରିଲା ପୁରିଲା ଗାଲଟି ଏଇଲେ ବେଶ୍ ପରିଷ୍କାର ,ଦାଢୀବିହୀନ,ଚୂଳ ସଂପୂର୍ଣ୍ଣ ବିନ୍ୟସ୍ତ,ସେ ଏଇଲେ ଅତିଥିମାନଙ୍କୁ ତୃପ୍ତ କରିବା ପାଇଁ ଉଦଗ୍ରୀବ ଯେମିତି । ହାତରେ ତା’ର ଗୋଟିଏ ଚୀନାମାଟିର ଫୁଲଦାନୀ ଯାହାର ମଧ୍ୟରେ ରହିଛି ଲମ୍ବା ଡେମ୍ଫ ସହ ତିନୋଟି ହଳଦିଆ ଗୋଲାପ। ଜୋତା ଖଟଖଟ କରି ଓଲଗାଙ୍କ ହାତକୁ ସେ ସେହି ଫୁଲଦାନୀଟିକୁ ବଢାଇ ଦେବାକୁ ଆଗେଇ ଯାଉଥିଲା। ଓଲଗା ଟିକିଏ ପଛେଇ ଯାଇ ତାହାକୁ ଘରର ଭିତରକୁ ଆସିବାରେ ସାହାଯ୍ୟ କରିଥିଲେ। ହଁ,ସେ ସେହି ମଦ୍ୟପାନ ର କଟ୍-ଗ୍ଲାସ୍ , ରୂପାର ଆଇସ୍-ବକେଟ୍ ଆଉ ଟ୍ରେ କୁ ନେବାପାଇଁ ଆସିଛି। ଆଉ ସେ ଏଇକଥା ବି କହିବାକୁ ଆସିଛି ଯେ ଭୀଷଣ ଗରମ ପଡିଥିବା କାରଣରୁ ସେଇ ସକାଳର ବ୍ରେକଫାଷ୍ଟ ବଗିଚାରେ ସର୍ଭ କରାଯିବ। ତା’ର ଆଶା ,ସେଇଠି ଆବହାୱା ଏତେଟା ବିରକ୍ତିକର ହେବନାହିଁ । ଆଉ ଏଇଭଳି ବ୍ୟବସ୍ଥାର କାରଣରୁ ସେ କ୍ଷମା ବି ଚାହିଁଥିଲା।
ମହିଳାଙ୍କୁ ବିକ୍ଷିପ୍ତ ମନେହେଉଥିଲା। ଯେତେବେଳେ ସେ କଥା କହୁଥିଲା ତାଙ୍କର ଦୃଷ୍ଟି ରହିଥିଲା ତଳେ କାର୍ପେଟ ଉପରେ ଥିବା କୌଣସି ବସ୍ତୁ ର ଉପରେ। ସେ ନିଜର ହାତଦୁଇଟିକୁ ଆଡିକରି କହୁଣି କୁ ଧରି ଛନ୍ଦି ଦେଇଥିଲେ । ଏହା ଭିତରେ ଫୁଲଦାନୀଟିକୁ ଧରିଥିବା ସେଇ ଯୁବକ ଜଣକ ସେଇ ଘରଟିକୁ ନିଖୁଣ ଭାବରେ ପର୍ଯ୍ୟବେକ୍ଷଣ କରୁଥିଲା। ଝରକା ଦେଇ ଖରା ପଡୁଥିବା କାରଣରୁ ଘରଟା ଝଲମଲ କରୁଛି। ପରିଷ୍କାର ଘର,ଦେଖିଲେ ମନେହେବ ଅବ୍ୟବହୃତ,କିଛି ଯେମିତି ଛୁଆଁ ଯାଇନାହିଁ । ଚେୟାର ର ମଥାରେ କୌଣସି ଜାମାକପଡା ନାହିଁ; ନାହିଁ କୌଣସି ଜୋତା-ମୋଜା,ଫିତା କି ସ୍ତ୍ରୀଲୋକର ଅନ୍ତର୍ବାସ ; କୌଣସି ଖୋଲା ସୁଟକେସ୍ ବି ନାହିଁ । ସଂକ୍ଷେପରେ ନାହିଁ କୌଣସି ବିଶୃଙ୍ଖଳା ,ସାଧାରଣ ଗୋଟିଏ ହୋଟେଲ୍ ର ରୁମ୍ ର ଭାରି କିଛି ଆସବାବ ଛଡା ଆଉ କିଛି ନାହିଁ । ତାହାପରେ ଉପସ୍ଥିତ ମହିଳା ଜଣକ ଯେହେତୁ ତଳକୁ ଦୃଷ୍ଟିପାତ କରିଛନ୍ତି ତେଣୁ ଏଇ ଯୁବକ ଜଣକ ତଳକୁ ଦେଖିବାକୁ ଚାହିଁଥିଲା,ଏବଂ ତତକ୍ଷଣାତ୍ ତାହାର ଜୋତାର ଅଗ ପାଖରେ ଗୋଟିଏ ଠିପି ଆବିଷ୍କାର କରିଥିଲା। ମହିଳା ସେଇଟି ଦେଖିନାହାଁନ୍ତି -ତାଙ୍କର ଦୃଷ୍ଟି ଅନ୍ୟତ୍ର। ଯୁବକ ସେଇ ଠିପିଟିକୁ ତଳକୁ ନଇଁ ସେଇଠୁ ଉଠେଇ ନେବାପାଇଁ ଚାହିଁଥିଲା କିନ୍ତୁ ତାହାର ହାତରେ ସେତେବେଳେ ରହିଛି ସେଇ ଫୁଲଦାନୀ ଆଉ ସେ ଅନଧିକାର ପ୍ରବେଶ କରି ନିଜକୁ ଆହୁରି ବେଶି ମନଯୋଗର କେନ୍ଦ୍ର କୁ ନେଇ ଯିବାରେ ଭୟ ପାଉଥିଲା। ଇଚ୍ଛା ନଥିଲେ ବି ଠିପିଟି ଯେମିତି ଅଛି ସେମିତି ରଖି ସେ ଆଖି ଖୋଲା କରି ସିଧା ଠିଆ ହୋଇ ରହିଲା। ସବୁ ଠିକଠାକ୍ ଥିଲା ,କେବଳ ଛୋଟ ଟେବୁଲ୍ ଉପରେ ଦୁଇଟି ସ୍ୱଚ୍ଛ କଟ୍-ଗ୍ଲାସ୍ ର ପାଖରେ ଠିପି ଖୋଲା ଅର୍ଦ୍ଧେକ ଖାଲି ଶାମ୍ପେନ ବୋତଲଟି ବ୍ୟତୀତ। ସେ ଆଉ ଥରେ ସେ ଆଡକୁ ଚାହିଁଥିଲା। ଗୋଟିଏ ଖୋଲା ଝରକା ଦେଇ ସେ ତୃତୀୟ ଗ୍ଲାସ୍ ଟିକୁ ଦେଖିବାକୁ ପାଇଥିଲା,ନାଇଟଷ୍ଟାଣ୍ଡର ଉପରେ। କିନ୍ତୁ ସେତେବେଳେ ବିଛଣା ଉପରେ କିଏ ଶୋଇଛି। ସେ ସେହି ମୁହଁଟିକୁ ଦେଖିପାରୁନାହିଁ ,କିନ୍ତୁ ଘୋଡେଇ ହୋଇ କେହି ଜଣେ ସିଧା ନିଶ୍ଚଳ ଭାବରେ ଶୋଇ ରହିଛି। ସେଇ ମାନବମୂର୍ତ୍ତିକୁ ନଜରକୁ ଆଣି ସେ ଅନ୍ୟତ୍ର ନିଜର ଦୃଷ୍ଟିକୁ ଫେରାଇନେଲା। ତାହାପରେ କାହିଁକି କେଜାଣି ତାହାର ଅଶ୍ୱସ୍ତିବୋଧ ହେବାକୁ ଲାଗିଲା। ସାମାନ୍ୟ ଗଳା ଖଂକାରି ସହ ସେ ଅନ୍ୟ ପାଦରେ ଭାର ଦେଇ ଠିଆହୋଇ ରହିଲା। ମହିଳା ସେ ପର୍ଯ୍ୟନ୍ତ ତାଙ୍କର ଦୃଷ୍ଟି ଉପରକୁ କରିନାହାଁନ୍ତି। ପଦଟିଏ କିଛି କହିନାହାଁନ୍ତି । ଯୁବକ ବୁଝି ପାରିଲା ତାହାର ଗାଲ ଲାଲ ହୋଇ ଆସୁଛି । ତାହାର ମନେ ହେଲା,ବଗିଚା ପରିବର୍ତ୍ତେ ଅନ୍ୟ କେଉଁଠି ବ୍ରେକଫାଷ୍ଟ କରିବା ଭଳି କିଛି ଗୋଟାଏ ପ୍ରସ୍ତାବ ଦେବା ତାହା ପକ୍ଷରେ ଉଚିତ ହୋଇଥାନ୍ତା। ମହିଳାଙ୍କ ମନୋଯୋଗ ନିମନ୍ତେ ସେ ପୁଣି ଟିକିଏ କାଶି ଉଠିଲା ମାତ୍ର ମହିଳା ଜଣକ ତା’ ଆଡକୁ ଫେରି ଚାହିଁଲେ ନାହିଁ । ସେ କହିଲା,ବିଶିଷ୍ଟ ବିଦେଶୀ ଅତିଥିମାନେ ଚାହିଁଲେ ସେମାନଙ୍କର ବ୍ରେକଫାଷ୍ଟ ନିଜର ରୁମ୍ ରେ ବସି ହିଁ ଖାଇ ପାରିବେ। ସେଇ ଯୁବକ (ତାହାର ନାଆଁ ତିଷ୍ଠି ରହିନାହିଁ ଏବଂ ସମ୍ଭବତଃ ବିଶ୍ୱଯୁଦ୍ଧରେ ସେ ନିହତ ହୋଇଛି) କହିଲା,ରୁମ୍ କୁ ଗୋଟିଏ ବ୍ରେକଫାଷ୍ଟର ଟ୍ରେ ଆଣିପାରିଲେ ସେ ଖୁସି ହେବ।ବେଡରୁମ୍ ଆଡକୁ ଅନିଶ୍ଚିତ ଭାବରେ ଆଉ ଥରେ ଚାହିଁ ସେ ଆହୁରି କହିଥିଲା,ଦୁଇଟି ଟ୍ରେ ।
କିଛି ସମୟ ଚୁପ୍ ରହିଥିଲା ସେ। ଜାମାର କଲର ଭିତରେ ଆଙ୍ଗୁଳି ଟିକିଏ ଚଳାଇ ନେଇଥିଲା। ସେ କିନ୍ତୁ କିଛି ବୁଝିପାରୁନଥାଏ । ନିଶ୍ଚିନ୍ତ ହୋଇପାରୁନଥାଏ,ମହିଳା ଜଣକ ତାହାର କଥାକୁ ଶୁଣୁଛନ୍ତି ନା ନାହିଁ । ଏହାପରେ କ’ଣ କରିବ,ସେକଥା ତାହାର ମନକୁ ଆସୁନଥାଏ । ସେତେବେଳେ ବି ଫୁଲଦାନୀଟା ତା’ ହାତରେ ଥିଲା। ନାସାରନ୍ଧ୍ରରେ ବାଜୁଛି ଗୋଲାପର ସୁଗନ୍ଧ ଏବଂ କେମିତି ଯେମିତି ଗୋଟିଏ ଆକ୍ଷେପର ଯନ୍ତ୍ରଣା ଅନୁଭବ କରୁଛି ସେ। ତାହାର ଅପେକ୍ଷାର ଏଇ ସମଗ୍ର ସମୟ ସେ ଦେଖିଛି ଏଇ ମହିଳା ଜଣକ କେଉଁ ଏକ ଭାବନାରେ ମଗ୍ନ ରହିଛନ୍ତି । ମନେ ହେଉଛି ଯେମିତି ଯେତେ ସମୟ ସେ ଠିଆହୋଇଛି,କଥା କହୁଛି,ଗୋଟିଏ ପାଦରୁ ଆରପାଦ ଏମିତି କରି ସେ ତାହାର ଶରୀରର ଭାରସାମ୍ୟ ରଖୁଛି,ହାତରେ ଫୁଲଦାନୀ ଧରିଛି,ମହିଳା ଜଣକ ସେତେଯାଏଁ ଅନ୍ୟତ୍ର,ଅନ୍ୟ କେଉଁଠି-ବ୍ୟାଡେନଉଇଲର୍ ଠୁ ବହୁତ ଦୂର । ଏହାପରେ ସେ ଟିକିଏ ଧାତସ୍ଥ ହେଲେ,ସେତେବେଳେ ତାଙ୍କର ମୁହଁରେ ଅଲଗା ଭାବ। ସେ ବୁଝିପାରୁନଥାନ୍ତି ,ଏଇ ଯୁବକ ଫୁଲଦାନୀରେ ତିନୋଟି ଗୋଲାପଫୁଲ୍ ଧରି ତାଙ୍କର ରୁମ୍ ରେ ଏଇଲେ କରୁଛି କ’ଣ ! ଫୁଲ ? ସେ ତ କାହାକୁ ଫୁଲ ର ଅର୍ଡର ଦେଇନାହାଁନ୍ତି ।
କିଛି ସମୟ ବିତିଗଲା । ହାତବ୍ୟାଗକୁ ଦରାଣ୍ଡି ସେ ସେଥିରୁ କିଛି କଏନ୍ ବାହାର କଲେ।କିଛି ଟଙ୍କା ବି ବାହାର କଲେ। ଯୁବକ ଓଠରେ ନିଜର ଜିଭକୁ ବୁଲାଇ ନେଇ ଓଦା କରିଦେଲା: ମନେ ହେଉଛି ଆଉ ଗୋଟିଏ ବଡ ବକଶିସ୍ । କିନ୍ତୁ କାହିଁକି ? ମହିଳା ତା’ ଦ୍ୱାରା ଏବେ କ’ଣ କରାଇନେବାକୁ ଚାହୁଁଛନ୍ତି ? ଏହାର ଆଗରୁ ଏଇଭଳି ଅତିଥି ମାନଙ୍କୁ ସେ କେବେବି ଖିଦମତ କରିନାହିଁ ସେ । ସେ ଆଉଥରେ ଟିକିଏ ଗଳା ଖଂକାରି ଦେଇଥିଲା।
ବ୍ରେକଫାଷ୍ଟ ର ଦରକାର ନାହିଁ,ମହିଳା ଜଣକ କହିଥିଲେ। କୌଣସି ମତେ ନୁହଁ।ଆଜିକାର ସକାଳ ରେ ବ୍ରେକଫାଷ୍ଟ ଗୁରୁତ୍ୱବହ ନୁହଁ । ତାଙ୍କର ଅନ୍ୟ କିଛି ଲୋଡା। ସେ ଚାହିଁଛନ୍ତି ଯୁବକ ଜଣକ ବାହାରକୁ ଯାଇ ଜଣେ ଅନ୍ତ୍ୟେଷ୍ଟିକାରକ କୁ ସାଥିରେ ନେଇ ଆସୁ। ସେ କ’ଣ ତାଙ୍କର କଥା ବୁଝି ପାରୁଛି ? ତାଙ୍କର ପ୍ରିୟତମ ଚେକଭ୍ ଆଉ ନାହାଁନ୍ତି,ବୁଝି ପାରୁଛ ?ଯୁବକ , ତମେ କ’ଣ ପାରିବ ? ଆଣିପାରିବ ସେମିତି ଜଣକୁ ? ଖୋଲାଖୋଲି କହ? ଆଣ୍ଟନ ଚେକଭ୍ ଆଉ ବଂଚିରହି ନାହାଁନ୍ତି । ଏଥର ମୋ କଥା ମନଦେଇ ଶୁଣ,ସେ କହିଲେ। ସେ ଚାହୁଁଛନ୍ତି ଯୁବକ ଜଣକ ଗ୍ରାଉଣ୍ଡଫ୍ଲୋରକୁ ଯାଇ ସେଇଠି ଫ୍ରଣ୍ଟଡେସ୍କରେ ଯିଏ ବସିଥିବ ତାହାଠାରୁ ଜାଣିନେଉ,ସହରର କେଉଁଠି ଜଣେ ମାନ୍ୟ ଅନ୍ତ୍ୟେଷ୍ଟିକାରକ ବା ମର୍ଟିସିଆନ୍ ର ଦେଖା ମିଳିବ । ବିଶ୍ୱାସ ଯୋଗ୍ୟ ଜଣେ ଯିଏ କଷ୍ଟକରି ତାହାର କାର୍ଯ୍ୟ ସଂପନ୍ନ କରିଥାଏ ଆଉ ଯାହାର ଆଚରଣ ହେବ ଯଥାଯଥ ଗାମ୍ଭୀର୍ଯ୍ୟପୂର୍ଣ୍ଣ । ପ୍ରମୁଖ କଥା, ଜଣେ ମହାନ ଶିଳ୍ପୀର ଉପଯୁକ୍ତ ଅନ୍ତ୍ୟେଷ୍ଟିକାରକ । ଏତିକି କହି ସେ ସେହି ଯୁବକର ହାତରେ ଟଙ୍କାକୁ ଗୁଞ୍ଜିଦେଇଥିଲେ । ଗ୍ରାଉଣ୍ଡଫ୍ଲୋର୍ କୁ ଯାଇ କୁହ,ମୁଁ ତମକୁ ଏଇ ନିର୍ଦ୍ଦିଷ୍ଟ କାମଟି କରିବା ପାଇଁ ଅନୁରୋଧ କରିଅଛି । ତୁମେ ଶୁଣୁଛ ତ? ଯାହା କହିଲି,ବୁଝି ପାରିଲ ତ ?
ଯୁବକ ଜଣକ ମହିଳାଙ୍କର କଥାକୁ ଜାବୁଡି ଧରିବା ଭଳି ଶୁଣୁଥିଲା। ଏଇ ବିଶେଷ ଘରଟିକୁ ଆଉ ଚାହିଁବା ପାଇଁ ତାହାର ଇଚ୍ଛା ହେଉନଥାଏ । ସେ ବୁଝି ପାରିଛି, କିଛି ଯେମିତି ଠିକ୍ ନୁହଁ,କେଉଁଠି ଗୋଳମାଳ ହୋଇଯାଇଛି। ଜ୍ୟାକେଟ ତଳୁ ତାହାର ହୃତ ସ୍ପନ୍ଦନ ଦ୍ରୁତତର ହେବାରେ ଲାଗିଛି । ତାହାର କପାଳରେ ବିନ୍ଦୁ ବିନ୍ଦୁ ଝାଳ । ଏଇଲେ ସେ କେଉଁ ଆଡକୁ ଚାହିଁବ ତାହା ସେ ଠିକ୍ କରି ପାରୁନଥାଏ । ଫୁଲଦାନୀଟିକୁ କେଉଁଠି ରଖିବ ସେ କଥା ସେ ଚାହିଁଥିଲା। ପ୍ଲିଜ୍,ମୋ ପାଇଁ ଏଇ ଗୋଟିକ କାମ କରିଦିଅ ,ମହିଳା କହିଲେ। କୃତଜ୍ଞତାର ସହ ମୁଁ ତମକୁ ସବୁଦିନ ମନେ ରଖିବି । ତଳକୁ ଯାଇ କୁହ,ମୁଁ ତମକୁ ଏଇଥିପାଇଁ ବାଧ୍ୟ କରୁଛି।ଯାଇ କି କୁହ । କିନ୍ତୁ ନିଜର ବା ଏଇ ଘଟଣା ପ୍ରତି କୌଣସି ଅପ୍ରୟୋଜନୀୟ ମନୋଯୋଗ ଯେମିତି ନ ପଡେ । କେବଳ ଏତିକି କୁହ,ଏଇଟି ଗୋଟିଏ ପ୍ରୟୋଜନୀୟ କାର୍ଯ୍ୟ ଆଉ ମୁଁ ତମକୁ ଅନୁରୋଧ କରିଛି -ବାସ୍ । କେବଳ ଏତିକି । ତମେ ଶୁଣିପାରୁଛ ତ ? ବୁଝିପାରିଥିଲେ ମଥା ହଲାଅ ।ମୋଟ ଉପରେ କୌଣସି ହୋହଲ୍ଲା କରନାହିଁ । ଏହାପରେ ଆଉ ଯାହା,ବାକି ସବୁ,କୋଳାହଳମାନ ଆସିବ ତାହା ପରେ ପରେ,ଡେରି ହେବନାହିଁ । ଖରାପ ଯାହା ହେବାର ,ହୋଇ ସାରିଛି। ଆମେ କ’ଣ ଏବେ ପରସ୍ପରକୁ ବୁଝି ପାରୁଛନ୍ତି ?
ଯୁବକର ମୁହଁ ରକ୍ତଶୂନ୍ୟ। ଫୁଲଦାନୀକୁ ଜାବୁଡି ଧରି ସେ ଠିଆ ହୋଇ ରହିଲା। କୌଣସିମତେ ମଥା ହଲାଇ ସେ କହିଥିଲା,ହଁ।
ବାହାରକୁ ଯିବା ପାଇଁ ତାହାକୁ ହୋଟେଲ୍ କର୍ତ୍ତୃପକ୍ଷଙ୍କର ଅନୁମତି ନେଇ ଅନ୍ତ୍ୟେଷ୍ଟିକାରକର ସନ୍ଧାନରେ ଯିବାକୁ ହେବ। ତାହାକୁ ଶାନ୍ତ ଆଉ ଧୀରସ୍ଥିର ପାଦରେ ଆଗେଇବାକୁ ହେବ,କୌଣସି ଅହେତୁକ ବ୍ୟସ୍ତତା ବ୍ୟତୀତ। ତାହାକୁ ଏମିତି ଭାବ ବାହାରେ ଦେଖାଇବାକୁ ପଡିବ ଯେମିତି କୌଣସି ବିଶେଷ ଗୁରୁତ୍ୱବହ କାର୍ଯ୍ୟରେ ତାହାକୁ ପଠାଯାଇଛି ,ଏହା ଛଡା ଅଧିକ ଆଉ କିଛି ନୁହଁ । ସେ ଯେମିତି ଏଇଲେ କୌଣସି ସଂକ୍ଷିପ୍ତ ଯାତ୍ରାରେ ବାହାରି ଆସିଥିବା ଏକ ମହତ୍ୱପୂର୍ଣ୍ଣ ସମ୍ବାଦବାହକ । ଆଉ ଅଧିକ କିଛି ନୁହଁ। ଜଣେ ମହତ୍ୱପୂର୍ଣ୍ଣ ସମ୍ବାଦବାହକ ହିସାବରେ ସେ ଏଇଲେ ନିୟୋଜିତ ହୋଇଛି,ମହିଳା ଜଣକ କହିଥିଲେ। ଆଉ ଏଇ ଉଦ୍ଦେଶ୍ୟ ରେ ତାହାର ଯାତ୍ରାକୁ ଯଦି ସେ ଲକ୍ଷ୍ୟାଭିମୁଖୀ ରଖିବାକୁ ଚାହେଁ ତେବେ ସେ ନିଜକୁ ଭିନ୍ନ ଆଉଜଣେ ବୋଲି ମନେକରିବା ଆବଶ୍ୟକ ଯିଏ ଗୋଟିଏ ବ୍ୟସ୍ତ ଜନଗହଳୀ ଭିତରେ ଆଗେଇ ଚାଲିଛି ଆଉ ଛାତିରେ ଜାବୁଡିଧରିଛି ସେଇ ଫୁଲଦାନୀ ଆଉ ସମସ୍ତଫୁଲକୁ ଯାହାକୁ ସେ କୌଣସି ଜଣେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିକୁ ହସ୍ତାନ୍ତରଣ କରିବା ର ଅଭିପ୍ରାୟ ରଖିଛି। (ମହିଳା ଶାନ୍ତ ଭାବରେ କହିଥିଲେ,ପ୍ରାୟ ଗୋପନୀୟ ଢଙ୍ଗରେ,ଯେମିତି ସେ କୌଣସି ଆତ୍ମୀୟ ଅଥବା ବନ୍ଧୁ ଙ୍କ କଥାବାର୍ତ୍ତା କରୁଛନ୍ତି )ଯୁବକ ଜଣକ ଏଇଭଳି ବି ମନକୁମନ ଏଇକଥା କହିପାରିବ ଯାହାକୁ ସେ ଦେଖା କରିବାକୁ ଯାଉଛି ସେ ତାହାର ଅପେକ୍ଷାରେ ବସି ରହିଛନ୍ତି ଆଉ ହୁଏତ ଫୁଲ ସହିତ ଡେରିରେ ପହଂଚିବା କାରଣରୁ ସେ ବେଶ୍ ଅଧୈର୍ଯ୍ୟ ହୋଇ ଉଠୁଛନ୍ତି । ତାହା ସତ୍ତ୍ୱେ ଯୁବକର ଉଚିତ ହେବନାହିଁ ଉତ୍ତେଜିତ ହୋଇ ଦୌଡିଯିବା ,ସେ ହୁଏତ ତାହାହେଲେ ପଡିଯାଇପାରେ । ତାହାର ହାତରେ ଗୋଟିଏ ଫୁଲଦାନୀ ରହିଛି ,ଏଇ କଥା ତାହାକୁ ମନେ ରଖିବାକୁ ହେବ। ଅନ୍ତ୍ୟେଷ୍ଟିକାରକର ଘର ପର୍ଯ୍ୟନ୍ତ ନପହଞ୍ଚିବା ଯାଏଁ ତାହାକୁ ବିରାମହୀନ ଭାବରେ ଚାଲି ଚାଲି ଯିବାକୁ ହେବ। ତାହାପରେ ସେ ଯାଇ କବାଟର କଡାକୁ ଥରେ,ଦୁଇଥର,ତିନିଥର ଠକଠକ କରିବ। ଅଳ୍ପ କେତୋଟି ମିନିଟ ପରେ ଅନ୍ତ୍ୟେଷ୍ଟିକାରକ ସ୍ୱୟଂ ନିଜେ ଉତ୍ତର ଦେବେ।
ଏଇ ଅନ୍ତ୍ୟେଷ୍ଟିକାରକଙ୍କ ବୟସ ଚାଳିଶ ର ମଝାମଝି ହୋଇପାରେ ,ସନ୍ଦେହ ନାହିଁ,କିମ୍ବା ପଚାଶର ଆରମ୍ଭ ,ମଥାଟି ଚନ୍ଦା ,ବେଶ୍ ଦମ୍ଭିଲା,ଆଖିରେ ଷ୍ଟିଲଫ୍ରେମ୍ ର ଚଷମା ଯାହା ନାକର ତଳଭାଗରେ ଅଟକିରହିଥାଏ । ସେ ହୁଏତ ବିନୟୀ,ଏତିକିଟିକିଏ ନିଜକୁ ଜାହିର କରେ ନାହିଁ ଆଉ ସିଧା କେବଳ ଦରକାରୀ ପ୍ରଶ୍ନ କରିଥାଏ। ଗୋଟିଏ ଆପ୍ରନ । ଦେହର ତାଙ୍କର ନିଶ୍ଚୟ ଗୋଟିଏ ଆପ୍ରନ ରହିଥିବ। ହୁଏତ ଆଗନ୍ତୁକର କଥା ଶୁଣୁଶୁଣୁ ଗୋଟିଏ କଳା ରଂଗର ଟାୱେଲ୍ ରେ ହାତକୁ ପୋଛୁଥିବେ ।ତାଙ୍କର ପୋଷାକରୁ ସାମାନ୍ୟ ହେଲେ ବି ଫର୍ମାଲଡିହାଇଡ୍ ର ଗନ୍ଧ ଆସୁଥିବ। ଏସବୁ ତ ଠିକ୍ ଅଛି ,ଏହାକୁ ନେଇ ଏଇ ଯୁବକର କୌଣସି ଉଦ୍ବେଗ ର କିଛି ନାହିଁ । ତା’ର ବୟସ ଯଥେଷ୍ଟ ହୋଇଛି ,ଏଥିରେ ଭୟ ପାଇବା କି ବିବ୍ରତ ହେବା ଭଳି କିଛି ନାହିଁ । ଅନ୍ତ୍ୟେଷ୍ଟିକାରକ ମନଦେଇ ସବୁ ଶୁଣିବେ । ସେ ଖୁବ୍ ସଂଯତ ଆଚରଣର ମଣିଷ ଯିଏ ଏଇ ପ୍ରକାରର ପରିସ୍ଥିତିରେ ମଣିଷର ଭୟର ଉପଶମ ଘଟାଇଥାନ୍ତି ,ତାହାର ବୃଦ୍ଧି ହେବାପାଇଁ ଦିଅନ୍ତି ନାହିଁ । ବହୁ ଆଗରୁ ମରଣର ଭୟାବହ ଚେହେରା ସେ ଦେଖିଛନ୍ତି;ମୃତ୍ୟୁ ତାଙ୍କର ସାମ୍ନାରେ ଆଉ ସେମିତି କିଛି ବିସ୍ମୟର କଥା ନୁହଁ ,ସେମିତି ଗୋପନୀୟ କିଛି ନୁହଁ। ଆଜି ସକାଳରେ ଏଇଭଳି ଗୋଟିଏ ମଣିଷ ବଡ ଦରକାର ।
ଅନ୍ତ୍ୟେଷ୍ଟିକାରକ ଯୁବକର ହାତରୁ ସେଇ ଫୁଲଦାନୀଟିକୁ ନିଅନ୍ତି । ଯୁବକଟି କଥା କହୁଥିବା ବେଳେ ମାତ୍ର ଥରଟିଏ ଟିକିଏ ମାତ୍ର ଆଗ୍ରହ ଦେଖାଇ ଇଂଗିତରେ ସେ କହିଥାନ୍ତି ଯେ ସେ ଅସାଧାରଣ କିଛି ତାଙ୍କର କାନରେ ପଡିଛି। କିନ୍ତୁ ଯୁବକ ଯେତେବେଳେ ମୃତକର ନାମଟିକୁ ଉଲ୍ଲେଖ କରେ ଅନ୍ତ୍ୟେଷ୍ଟିକାରଙ୍କ ଆଖି ଯେମିତି ଯାଇ କପାଳରେ ଲାଗିଯାଏ। ମୃତକର କ’ଣ ନାଆଁ କହୁଚ,ଚେକଭ୍ ? ମିନିଟିଏ ଅପେକ୍ଷା କର, ମୁଁ ତମ ସାଙ୍ଗରେ
ଯିବି ।
ଯାହା କହୁଛି,ବୁଝି ପାରୁଛ ତ? ଓଲଗା ଯୁବକକୁ କହିଥିଲେ। ଗ୍ଲାସ୍ ଗୁଡିକ ଏଇଠି ରଖ। ଏଗୁଡିକ କଥା ଆଉ ଭାବନାହିଁ । ସ୍ୱଚ୍ଛ କଟ୍-ଗ୍ଲାସ୍ ସବୁକୁ ଭୁଲିଯାଅ ଆଉ ଏଇ ଭଳି ଯାହା ଅଛି ସେସବୁକୁ। ଘର ଯେମିତି ଅଛି, ସେମିତି ଥାଉ। ସବୁ ପ୍ରସ୍ତୁତ । ଆମେମାନେ ପ୍ରସ୍ତୁତ । ତୁମେ କ’ଣ ଯିବ ?
କିନ୍ତୁ ସେଇ ମୁହୂର୍ତ୍ତରେ ଯୁବକଟି ତାହାର ଜୋତାର ଅଗରେ ପଡିଥିବା ଠିପି ଟିର କଥା ଭାବୁଥିଲା।ଏଇଟିକୁ ଉଠେଇନେବାପାଇଁ ତାହାକୁ ନଇଁ ପଡିବାକୁ ହେବ ଆଉ ତାହା ସହିତ ଫୁଲଦାନୀଟିକୁ ବି ଧରିରଖିବାକୁ ହେବ।ସେ ସେମିତି କରିବ।ସେ ନଇଁପଡିଲା। ସେମିତି ତଳକୁ ନଦେଖି ଠିପିଟାକୁ ନିଜର ଆୟତ୍ତରେ ପାଇ ତାହାକୁ ହାତର ମୁଠାରେ ବୁଜି ଧରିଥିଲା।
Raymond Carver (May 25, 1938 – August 2, 1988)