ମୂଳ ରଚନା -ମାଇକେଲ ମୋର୍ପୁର୍ଗୋ || ଅନୁବାଦ-ସୁମନ ଦାଶ
‘ଆପଣ ଲେଖାଲେଖି କେମିତି ଆରମ୍ଭ କଲେ?’ ଏଇ ପ୍ରଶ୍ନଟି ମତେ ଅନେକଥର ପଚରାଯାଇଛି ଓ ଏହାର ଉତ୍ତର ଦେବା ମୋ ପାଇଁ କେବେ କଷ୍ଟକର ହେଇନାହିଁ । ମୋର ଉତ୍ତର; ମଜା କଥା ହେଲା, ଜଣଙ୍କୁ ଏଇ ସମାନ ପ୍ରଶ୍ନ ପଚାରିବାର ଏକ ସୁଯୋଗରୁ ମୋର ଲେଖାଲେଖିର ଆରମ୍ଭ । କଥାଟି ଟିକେ ବିସ୍ତାରରେ କୁହେ । ଏଇ ଯୋଉ ମୋ ସୁଯୋଗ କଥା କହିଲି ଅଧିକାଂଶ ସମୟରେ ତା’ ଆଉ ଜଣଙ୍କ ଦୁର୍ଯୋଗର ପରିଣତି ବୋଲି ମତେ ମନେ ହେଇଚି । ସେଦିନ ଥାଏ ରବିବାର । ସଞ୍ଜ ବେଳକୁ ଅନାକାଂକ୍ଷିତ ଭାବେ ଫୋନ୍ ବାଜି ଉଠିଲା । ସେତେବେଳକୁ ମୁଁ ଗୋଟେ ଖବରକାଗଜରେ ରିପୋର୍ଟର ଭାବେ ତିନି ହପ୍ତା ହେବ କାମ ଆରମ୍ଭ କରିଥାଏ । ମୋର ନୂଆ ନୂଆ ଚାକିରି ବେଳ କଥା । ସେଇଟା ଜାଣ ମୋର ପ୍ରଥମ ଦରମା ପାଇବା ବାଲା ଚାକିରି ।
‘ଲେସଲି…?’ ସେପଟୁ ମୋ ଉପରିସ୍ଥଙ୍କ କଣ୍ଠ ସ୍ୱର । ମେରିଲ ମୋଙ୍କଟନ୍, ଯିଏ କଳାସମ୍ବାଦ ବିଭାଗର ମୁଖ୍ୟ ଭାବେ କାମ କରୁଥା’ନ୍ତି । ଭାରି କଡ଼ା ମିଜାଜର ମହିଳା । ତାଙ୍କ ଠାରୁ ତ ହାତେ ମାପି ଚାଖଣ୍ଡେ ଚାଲିବା କଥା । ଭଲମନ୍ଦ ପଚାରି ସମୟ ନଷ୍ଟ ନକରି ସିଧା କହିଲେ ‘ଶୁଣ ଲେସଲି… ମୋର ଗୋଟେ ଅସୁବିଧା ହେଇ ଯାଇଛି… କାଲି ମୋର ଭେନିସ ଯିବାର ଥିଲା, ପାଓଲୋ ଲେଭିଙ୍କ ସାକ୍ଷାତକାର ନେବା ପାଇଁ ।’
‘ପାଓଲୋ ଲେଭି?…ସେଇ ଯେଉଁ ବିଖ୍ୟାତ ଭାଓଲିନ୍ ବାଦକ ?’
‘ଆଉ କିଏ ପାଓଲୋ ଲେଭି ଅଛି କି ?’ ନିଜ ବିରକ୍ତିକୁ ପ୍ରକାଶ କରିବାରେ କୌଣସି କାର୍ପଣ୍ୟ ନକରି ସେ କହୁଥା’ନ୍ତି ‘ଶୁଣ ଲେସଲି, କାଲି ଗୋଟେ ଅଚାନକ ଦୁର୍ଘଟଣା ହେଲା ଯାହା ଫଳରେ କାଲିଠୁ ମୁଁ ସୁଇଜରଲ୍ୟାଣ୍ଡର ଗୋଟେ ହାସ୍ପାତାଳରେ ଭର୍ତ୍ତି ହେଇଛି। ତେଣୁ ମୋ ଜାଗାରେ ତମକୁ ଭେନିସ୍ ଯିବାକୁ ପଡ଼ିବ ।‘
‘ଆହାଃ… ହେ ଭଗବାନ୍…’ ମୋ ନିଜର ଖୁସି ଉତ୍ସାହକୁ ଯେତେ ପାରେ ସେତେ ଗୋପନ ରଖି ମୁଁ କହିଲି … ଏଣେ ପଛେ ମନ କୁରୁଳୁଥାଏ । ଚାକିରି କରିବାର ମୋଟେ ତିନି ସପ୍ତାହ ହେଇଛି ଅଥଚ ଦେଖ, ମତେ ପାଓଲୋ ଲେଭିଙ୍କ ପରି ମହାନ ବ୍ୟକ୍ତିଙ୍କୁ ସାକ୍ଷାତକାର ପାଇଁ ସୁଯୋଗ ମିଲୁଛି !
କିନ୍ତୁ ମୁଁ ଟିକେ ବିବ୍ରତ ହେବା ପରି …ନାଇଁ ନାଇଁ ଅତ୍ୟଧିକ ବିବ୍ରତ ହେବାପରି ହେଇ ତାଙ୍କୁ ଦୁର୍ଘଟଣା କଥା ପଚାରିଲି ।
‘କେମିତି ହେଲା ଏ ଦୁର୍ଘଟଣା … କ’ଣ କେମିତି ହେଲା ଏମିତି ଅଚାନକ୍ …’
‘ଦେଖ ଲେସଲି … ଗୋଟିଏ ଜିନିଷ ମୋ ଦ୍ୱାରା ହଜମ ହୁଏନି ତା’ ହେଲା ଲୋକଙ୍କର ସବୁ କଥାରେ ଦୁଃଖିତ ହେଇଯିବା’
‘ମୁଁ ଦୁଃଖିତ …’ ମୁଁ କହିଲି ।
‘ମୁଁ ଚାହିଁଥିଲେ ଏହାକୁ ସ୍ଥଗିତ କରିପାରିଥାନ୍ତି, କିନ୍ତୁ ଜାଣ, ମୋର ସାହାସ କୁଳେଇଲା ନାହିଁ । ପାଓଲୋଙ୍କୁ ରାଜି କରେଇବାରେ ମତେ ବର୍ଷେ ଉପରେ ଲାଗିଗଲା । ଏମିତିକି ମୁଁ ’ମୋର୍ଜାଟଙ୍କ ପ୍ରଶ୍ଣ‘ ବିଷୟରେ କିଛି ନପଚାରିବାକୁ ମଧ୍ୟ ରାଜି ହେବାକୁ ବାଧ୍ୟ ହେଲି । ତେଣୁ ତମେ ବି ଭୁଲ୍ରେ ତାଙ୍କୁ ମୋର୍ଜାଟଙ୍କ ବିଷୟରେ କିଛି ପ୍ରଶ୍ନ ପଚାରିବନି । ବୁଝିଲ? ଆଉ ଯଦି ପଚାର ତାହେଲେ ଜାଣିଥାଅ, ପୂର୍ବଥର ପରି ଏଥର ବି ଏ ସାକ୍ଷାତକାର ବାତିଲ୍ ହେଇଯିବ । ଆମେ ବଡ଼ ଭାଗ୍ୟବାନ ଯେ ଆମକୁ ଏମିତି ସୁଯୋଗ ମିଳିଛି । ମୋର ତ ଭାରି ଇଛା ଥିଲା ସାକ୍ଷାତକାରଟି ମୁଁ ନେଇଥା’ନ୍ତି … କିନ୍ତୁ ଛାଡ଼… ତମକୁ ନେବାକୁ ପଡ଼ିବ ।
‘ମୋର୍ଜାଟଙ୍କ ବିଷୟରେ…?’ ମୁଁ ସହସା ପଚାରିଲି ।
‘ମାନେ ତମେ କହୁଛ ତମେ ପାଓଲୋ ଲେଭିଙ୍କ ବିଷୟରେ … ମୋଜାର୍ଟଙ୍କ ପ୍ରଶ୍ନ ବାବଦରେ କିଛି ଜାଣିନ ? ଆଲୋ ଝିଅ… କୋଉ ଦୁନିଆରେ ତମେ ରହୁଛ? ତମେ ସତରେ ପାଓଲୋ ଲେଭିଙ୍କ ବିଷୟରେ କିଛି ଜାଣିଛ ନା ନାହିଁ ?
ମତେ ସଙ୍ଗେ ସଙ୍ଗେ ଲାଗିଲା ଯେ ଯଦି ମୁଁ ଏବେ କେତେ ଜାଣିଛି ବା କେତେ ଭଲକି ଜାଣିଛି ନ କୁହେ ତେବେ ଏ ସୁଯୋଗ ହାତଛଡ଼ା ହେବାଟା ପକ୍କା ।
‘ମୋ ଜାଣିବାରେ ପଚାଶ ଦଶକର ମଝାମଝି ରେ ତାଙ୍କର ଜନ୍ମ । ଏବେ ତାଙ୍କୁ ପଚାଶ ପାଖାପାଖି ହେଇଯିବଣି ..’ ମୁଁ ଆରମ୍ଭ କଲି ।
‘ଆଉ ଠିକ୍ ଦି ସପ୍ତାହ ପରେ ତାଙ୍କୁ ବାଉନ ପୁରିବ’ ବଡ଼ ଅବଶ ହେଇ ମେରିଲ ମୋଙ୍କଟନ କହିଲେ । ‘ସେଥିପାଇଁ ତ ଏ ସାକ୍ଷାତକାରର ଏତେ ଗୁରୁତ୍ୱ… ହଉ ହଉ କୁହ’
ମୁଁ ଘୋଷା ଶୁଆ ପରି କହିବାରେ ଲାଗିଲି ‘ପିଲାଦିନୁ ସେ ଜଣେ ବିସ୍ମୟ ପ୍ରତିଭା । ଜିନିୟସ । ପ୍ରଥମ ବଡ଼ ସଂଗୀତ ସମାରୋହରେ ଗାଇବା ବେଳକୁ ତାଙ୍କ ବୟସ ମାତ୍ର ତେର ବର୍ଷ । ବ୍ୟାଚ୍ ଓ ଭିଭାଲ୍ଲଡିଙ୍କୁ ବଜେଇବାରେ ତାଙ୍କର ଅସମ୍ଭବ ପ୍ରସିଦ୍ଧି ଅଛି । ମେନୁହିନଙ୍କ ପରି ଗ୍ରାପେଲି, ଜ୍ୟାଜ ସଂଗୀତ, ତା ଛଡା ସ୍କଟିଶ ସଙ୍ଗୀତ କୁହନ୍ତୁ କିମ୍ବା ବିଥୋଭେନ, ସମସ୍ତଙ୍କୁ ତାରବାଦ୍ୟରେ ବଜେଇବାରେ ତାଙ୍କର ଅଦ୍ଭୁତ ଦକ୍ଷତା ଅଛି । ସାରା ପୃଥିବୀରେ ପ୍ରାୟ ସବୁ ବଡ ବଡ ହଲ ଓ ସଙ୍ଗୀତ ସମାରୋହ ମାନଙ୍କରେ, ରାଜା, ମାଣ୍ୟଗନ୍ୟ ବ୍ୟକ୍ତି ମାନଙ୍କ ଆଗରେ ସେ ସଙ୍ଗୀତ ପରିବେଷଣ କରିସାରିଛନ୍ତି | ପାଞ୍ଚ ବର୍ଷ ତଳେ ‘ଲଣ୍ଡନ ରୟାଲ୍ ଫେଷ୍ଟିଭାଲ ହଲ ରେ ତାଙ୍କୁ ଥରେ ଶୁଣିବାର ସୌଭଗ୍ୟ ମୋର ହେଇଥିଲା । ସେତେବେଳେ ସେ ବିଥୋଭେନଙ୍କ ଭାଓଲିନ କନସେର୍ଟୋ ବଜାଉଥାନ୍ତି ।ସେ କି ଚମତ୍କାର ବଜାଉଥିଲେ ! କରତାଳି ପାଇବାରେ ତାଙ୍କର ଆଗ୍ରହ ନଥାଏ । କେବେବି କରତାଳି ର ଅପେକ୍ଷା ସେ ରଖନ୍ତି ନାହିଁ । ମୁଁ ତାଙ୍କୁ ଯେଉଁଦିନ ଦେଖିଲି , ସେଦିନ ସେ ମଂଚ ଛାଡିଦେବା ପରେ ଅଭିବାଦନ ମଧ୍ୟ ଗ୍ରହଣ କରିବାକୁ ଆଉ ମଞ୍ଚ ଉପରକୁ ଆସିଲେ ନାହିଁ । ତାଙ୍କ ହିସାବରେ କୌଣସି ସଙ୍ଗୀତର ପ୍ରଶଂସା କେବଳ ସେ ସଙ୍ଗୀତ କୁ ପ୍ରାପ୍ୟ କିମ୍ବା ତାକୁ ବନେଇଥିବା ସଙ୍ଗୀତକାରକୁ ପ୍ରାପ୍ୟ … ବଜାଉଥିବା ଲୋକକୁ ତ ବିଲ୍ କୁଲ୍ ନୁହେଁ । ସେ କୁହନ୍ତି କୌଣସି ସଙ୍ଗୀତ ପରିବେଷଣ ପରବର୍ତୀ ନିରବତା ସେ ସଙ୍ଗୀତର ଅବିଛେଦ୍ୟ ଅଙ୍ଗ। ସେ ନୀରବତାକୁ ଆଦୌ ନଷ୍ଟ କରାଯିବା କଥା ନୁହେଁ । ଏମିତି କି ସେ ରେକର୍ଡିଂ ମଧ୍ୟ କରନ୍ତି ନାହିଁ । ତାଙ୍କ ହିସାବ ରେ ପ୍ରତି ସଙ୍ଗୀତର… ପ୍ରତି ମୂର୍ଛନା ର ନିଜସ୍ୱ ଜୀବନ ଅଛି । ତାକୁ ମୃତବତ୍ ରଖି ହେବନାହିଁ । ସେ ଅତି ବିଶେଷଭାବେ ଭାବେ ନିଜ ବ୍ୟକ୍ତିଗତ ଜୀବନକୁ ଗୋପନ ରଖନ୍ତି । ଏକୁଟିଆ, ଆଡବାଗିଆ ..ମଣିଷ । ଏବେ ବି ତାଙ୍କ ଜନ୍ମ ସ୍ଥାନ ଭେନିସ ସହରରେ ଏକୁଟିଆ ରୁହନ୍ତି । ବୋଧେ ସେ ଆମ ଗ୍ରହର ସବୁଠାରୁ ପ୍ରସିଦ୍ଧ ସଂଗୀତଜ୍ଞ ହେବାକୁ ଯାଉଛନ୍ତି , ଏବଂ ……’
‘ଲେସଲି ସେ ହିଁ ଆମ ସମୟର ସବୁଠାରୁ ପ୍ରସିଦ୍ଧ ସଂଗୀତଜ୍ଞ…ବୁଝିଲ ? କିନ୍ତୁ ଗୋଟେ କଥା ମନେରଖ କୌଣସି ପ୍ରକାର ଜଟିଳ ଛନ୍ଦୁରା ମନ୍ଦୁରା କଥା କୁ ସେ ପ୍ରବଳ ଘୃଣା କରନ୍ତି ।ତାଙ୍କର ସିଧା କଥା ପସନ୍ଦ । ଅତି ବିନୀତ କିମ୍ବା ଅତି ଠୋ ଫଟାସ ନୁହେଁ ..କିମ୍ବା ଚମକେଇ ଦେବାର ଚେଷ୍ଟା କଲା ଭଳିଆ କଥା ବି ନୁହେଁ | ଡରି ମରି ତ ଜମା ବି ନୁହେଁ । ତମେ ପାରିବ ତ?’
‘ନିଶ୍ଚୟ ମେରିଲ’ ମୁଁ ଏଣେ କହୁଥାଏ ସିନା,ତେଣେ କିନ୍ତୁ ମତେ ଭଲକି ଜଣା ଥାଏ ଯେ ଏମିତିକା ମହାନ ଲୋକ ଆଗରେ ମୋ ତଣ୍ଟିରୁ ବଚନ ଫିଟିବା କେତେ କଷ୍ଟ ।
“ଆଉ ଯାହା କରୁଚ କର ପଛେ, କେବଳ ସଙ୍ଗୀତ ଉପରେ କଥାବାର୍ତା ସୀମିତ ରଖିବ । ଗୋଠ ରୁ ଗାଇ ଫେରିବା ଯାଏ ସେ ସଙ୍ଗୀତ ଓ ସଂଗୀତକାର ମାନଙ୍କ ବିଷୟରେ କଥା ହେଇ ପାରିବେ । କିନ୍ତୁ ଭୁଲ୍ ରେ କୌଣସି ବ୍ୟକ୍ତିଗତ କଥା ପକେଇବନି । ଆଉ ସବୁଠୁ ମୁଖ୍ୟ କଥାଟି ହେଲା ମୋଜାର୍ଟଙ୍କ କଥା ବିଲକୁଲ ଆଣିବନି । ଆରେ ହଁ , ଆଉ ଗୋଟେ କଥା , ଟେପ ରେକର୍ଡର ନେଇ କି ଯିବନି । ସେ ପ୍ରକାର ଜିନିଷ ପ୍ରତି ତାଙ୍କର ବିଶେଷ ବିରକ୍ତି ଅଛି ।କେବଳ ଲେଖିକି ଯାହା ଆଣିବାକୁ ପଡିବ ଆଣିବ । ତମେ ଲେଖିପାରିବ ନା? ତିନିହଜାର ଶବ୍ଦ ଭିତରେ ଲେଖିବାକୁପଡିବ । ଏଇଟା ତମ ପାଇଁ ଗୋଟେ ବଡ଼ ସୁଯୋଗ । କିଛି ଓଲଟପାଲଟ କରିବନି ଲେସଲି ।“
ଠିକ ଅଛି ତାହେଲେ । ମୁଁ ମନେ ମନେ ଭାବିଲି ।
***
ତା ପରଦିନ ମୁଁ ଭେନିସ ର ଡୋର୍ସଡୋରୋ ସହରରେ ପାଓଲୋ ଲେଭିଙ୍କ ଘର ବାହାରେ ପହଞ୍ଚିଲି । ପହଞ୍ଚିଲା ବେଳକୁ ଠିକ୍ ଛଅଟା ବାଜି ଥାଏ । ମୋ ତଣ୍ଟି ଶୁଖି ଖଡ଼ ଖଡ଼, ଛାତି ଧଡ ଧଡ । କଣ କେମିତି ନିଜକୁ ସମ୍ଭାଳିବି ସେଇ କଥା ଭାବୁଥାଏ । ସେଦିନ ତା’ ପୁର୍ବରୁ ଊଡାଜାହାଜ ରେ ବସିବା ବେଳେ ସେମିତି ଆଉ ଥରେ ମୋର ହେଇ ଥାଏ ଯେତେବେଳେ ମୁଁ ଭାବୁଥିଲି ଯେ କଣ ଏମିତି ସେଇ ମୋଜାର୍ଟଙ୍କ ବିଷୟରେ କଥା ଯାହା ମୋତେ ପଚାରିବାକୁ ବାରେ ବାରେ ବାରଣ କରାଯାଇଥାଏ । ଗୋଟେ ପ୍ରକାର ଥଣ୍ଡା, ଅତିଶୟ ହେମାଳ ,ତୀକ୍ଷ୍ଣ ଦାରୁଣ ଅନୁଭବ ଯାହା ଅସ୍ଥି ପଟେ ପଶି ,କଲିଜା ଭେଦି ,କାନ ମୂଳ ରୁଗ ରୁଗ କରିଦେଲା ପରି ମତେ ଲାଗୁଥାଏ । ମୋ ପଛ ପଟେ ଗୋଟେ ପଥପ୍ରାନ୍ତ ନାଟକ ବୋଧେ ଚାଲିଥାଏ,ଦଳେ ଲୋକ ବିଚିତ୍ର ପ୍ରକାର ମୁଖା ପିଂଧି ଏପାଖ ସେପାଖ ହେଉଥାନ୍ତି , ଆଉ ଗୋଟେ ଲୋକ ଯିଏ କି ପୁରା ରୁପା ରଂଗ ବାର୍ଣ୍ଣିସ ବୋଳି ହେଇ ମୂର୍ତି ପରି ଛିଡା ହେଇଥାଏ ଓ ତାକୁ ଦଳ ଦଳ ପର୍ଯଟକ ଦେଖୁଥାନ୍ତି , ସେସବୁ ଭଲକି ନିଘା କରିବାକୁ ମୋର ଚିମୁଟାଏ ମନ ଡାକୁ ନଥାଏ । ହଠାତ୍ କବାଟ ଖୋଲିଗଲା ଏବଂ ପାଓଲୋ ଲେଭି ମୋ ସାମ୍ନାରେ ଛିଡା ହେଇଥାନ୍ତି ।ସଫା, ଚିକଣ, ସୁସଂଜତ । ତାଙ୍କର ସେଇ ଲମ୍ବା , ଗାଢ କଳା ବାଳ କେରାକ କାନ୍ଧ ଉପରେ ଲହଡା ଖାଉଥାଏ ।
‘ମୁଁ ଲେସଲି ମ୍ୟାକେନଲି ‘ ମୁଁ ପରିଚୟ ଦେଲି ‘ଲଣ୍ଡନରୁ ଆସିଛି ‘
‘ଖବରକାଗଜରୁ ନା ?’ ସେ ପଚାରିଲେ । ମୁହଁରେ କୌଣସି ସ୍ୱାଗତ ସମ୍ଭାଷଣ ର ହସ ନାହିଁ ।
‘ଆସ … ଆସ । ଘର ଭିତର କୁ ଆସ, ସେ କବାଟଟା ବନ୍ଦ କରିଦିଅ, ମତେ ଥଣ୍ଡା ବିରକ୍ତ ଲାଗେ’ | ସେ ଚମତ୍କାର ଇଂରାଜୀ କହୁଥା’ନ୍ତି । କୌଣସି ପ୍ରକାର ଉଚ୍ଚାରଣଗତ ତ୍ରୁଟି ମତେ ଶୁଭୁନଥାଏ। ମୋ ମନ କଥା ଆଉ ସେ ଜାଣିପାରିଲେ କି କଣ , କହିଲେ ‘ମୁଁ ଭଲ ଇଂରାଜୀ କହିପାରେ’ । ସିଡି ଚଢିବା ସମୟରେ ସେ କହୁଥାନ୍ତି, ‘ପ୍ରତି ଭାଷା , ସଙ୍ଗୀତ ପରି , ତମେ ଯେତେବେଶୀ ଶୁଣିବ , ସେତେ ଭଲରେ ଶିଖି ପାରିବ ।’
ମତେ ସେ ଗୋଟେ ବଡ଼ ପ୍ରଶସ୍ତ କୋଠରୀକୁ ବାଟ କଢେଇ ନେଲେ , ମୁଁ ସେଠି ପହଞ୍ଚିବା ପରେ ଦେଖିଲି ସେ ବିରାଟ ହଲର ଝରକା ପାଖକୁ ଲାଗି ଗୋଟେ ସୋଫା ପଡି ଥାଏ ଯାହାର ଗୋଟେ ପାଖ ତକିଆ ପଡି ଉଚ୍ଚା ହେଇଥାଏ । ମଝି ରେ ଗୋଟେ ବିରାଟ ପିଆନୋ ଥାଏ ଓ ଗୀତ ଖାତା ରଖିବା ପାଇଁ ଗୋଟେ ଷ୍ଟାଣ୍ଡ ଥୁଆ ହେଇଥାଏ । ଆଉ ଗୋଟେ ଯାଗାରେ ଗୋଟେ ଟେବୁଲ ଓ ତା ପାଖକୁ ଲାଗି ଯୋଡିଏ ହାତ ରଖା ଚଉକି ଥୁଆ ହେଇଥାଏ ।ଆଉ କୋଉଠି କିଛି ନଥାଏ । ‘ମୁଁ ଜାଣି ଜାଣି ଏ ଘରଟା ଫାଙ୍କା ରଖିଛି ‘ ସେ କହିଲେ ।
ମତେ ବଡ ବିଚିତ୍ର ଲାଗୁଥାଏ । ଲାଗୁଥାଏ ସେ ମୋ ମନ କଥା ପଢି ପାରୁଛନ୍ତି । ଏ କଥା ଭାବିବାରୁ ମତେ ଆଉରି ଛାନିଆ ଲାଗୁଥାଏ ।
‘ଠିକ ତମ ଆମ ପରି ଶବ୍ଦ ମାନଙ୍କୁ ବି ନିଶ୍ୱାସ ନେବା ପାଇଁ ଜାଗା ଦରକାର’
ସେ ମତେ ଗୋଟେ ଚଉକି ରେ ବସିବାକୁ ଠାରିଦେଇ ନିଜେ ବସିଲେ । ‘ଟିକେ ପୋଦିନା ଚା ପିଅ ‘ କହିକି ମୋ ପାଇଁ ଗୋଟେ କପ ରେ ଚାହା ଢାଳିଲେ । ଗାଢ ନୀଳ ପାଇଜାମା ଓ ଢୋଲା ପ୍ୟାଣ୍ଟ ଏକାସଙ୍ଗେ ବେଖାପ ଅଥଚ ରୁଚିପୂର୍ଣ ଦିଶୁଥାଏ ।ପାଦ ରେ ଥିବା ଶୋଇବାଘର ପିନ୍ଧା ଚଟି ବିଚିତ୍ର ଅଥଚ ଆରାମଦାୟକ ଦିଶୁଥାଏ । ‘ମୋ ବାକିଦେହ ଅପେକ୍ଷା ପାଦ ଯୋଡିକ ଥଣ୍ଡାକୁ ସବୁଠୁ ବେଶୀ ଘୃଣା କରନ୍ତି । ଏବେ ସେ ମୋତେ ନିରୀକ୍ଷଣ କରୁଥାନ୍ତି । ତାଙ୍କ ଆଖି ଯୋଡିକ ତୀକ୍ଷ୍ଣ ଓ ଉଜ୍ଜଳ ।
‘ତମେ ବେଶ କମ ବୟସର ଲାଗୁଚ , ମୁଁ ଭାବୁଥିଲି ତମକୁ ଅଧିକ ବୟସ ହେଇଥିବ ।‘ ସେ କହୁଥାନ୍ତି ।‘କେତେ ତେଇଶ ନା ?’ ତାଙ୍କ ଅନୁମାନ ନିର୍ଭୁଲ କି ତା ଆଉ ପରଖିବା କୁ ଅପକ୍ଷା ନକରି (ଏବଂ ସେ ଠିକ ଅନୁମାନ କରିଥାନ୍ତି ) ସେ ପଚାରିଲେ ‘ତମେ ମୋତେ ଶୁଣିଚ ?’
‘ହଁ , , କିଛି ବର୍ଷ ତଳେ ଲଣ୍ଡନ ର ରୟାଲ ଫେଷ୍ଟିଭାଲ ହଲ ରେ ହେଇଥିବା ବିଥୋଭେନଙ୍କ ଭାଓଲିନ କନସେର୍ଟୋ ଶୁଣିଛି ।ମୁଁ ସେତେବେଳେ ଛାତ୍ରୀ ଥିଲି । ମୁଁ କହିବା ବେଳେ ସୋଫା ଉପରେ ତାଙ୍କ ଭାଓଲିନ ଦେଖିଲି , ତା ଛଡି ଝରକା କଡରେ ଡେରା ହେଇ ଥୁଆ ହେଇଥାଏ । ‘ମତେ ଝରକା ପାଖରେ ବସିକି ଅଭ୍ୟାସ କରିବାକୁ ଭଲ ଲାଗେ’ ସେ କହୁଥାନ୍ତି । କାରଣ ଝରକା ଦେଇ କେନାଲ କୂଳର ସଜୀବ , ଚଳଚଞ୍ଚଳ ପୃଥିବୀ କୁ ଦେଖି ହୁଏ । ସମୟ ବିତିଯାଏ । ପିଲା ଦିନେ ଯଦିଓ ମୁଁ ବହୁତ ବେଶୀ ଅଭ୍ୟାସ କରିପାରୁ ନଥିଲି ହେଲେ ସେବେଠୁ ମୋର ଏମିତି ଝର୍କା ପଟେ ବସି ପାଣିକୁ ଦେଖିବା ଅଭ୍ୟାସ ରହିଯାଇଛି । ସେଥିପାଇଁ ମୁଁ ଯେବେ ବି ଲଣ୍ଡନ ଯାଏ ସେବେ ଥେମସ ନଦୀ କୁ ମୁହଁ କରିଥିବା ହୋଟେଲ ବଖରା ନିଶ୍ଚୟ ନିଏ । ସେମିତି ପ୍ୟାରିସ ଗଲେ ସିନେ ନଦୀ କୁଳରେ ମତେ ରହିବାକୁ ଭଲ ଲାଗେ । ଆଲୁଅ ଆଉ ପାଣିର ବର୍ଣାଳି ମତେ ବହୁତ ଭଲଲାଗେ ।‘ ମୋ ଆଖିରୁ ନିଜ ନଜର ନହଟେଇ ସେ ତାଙ୍କ ପୋଦିନା ଚା ପିଉଥାନ୍ତି ଓ କହୁଥାନ୍ତି ।‘ଆରେ ତମେ ପରା ମତେ ପ୍ରଶ୍ଣ ପଚାରିବାକୁ ଆସିଚ ? ଅସଲ ରେ ଏଇ ସାମ୍ବାଦିକ ମାନଂକୁ ଦେଖିଲେ ମୋତେ ଛାନିଆ ଲାଗେ । ମତେ ଛାନିଆ ଲାଗିଲେ ମୁଁ ତାକୁ ଘୋଡେଇବା ପାଇଁ ବହୁତ ଗପିବା ଆରମ୍ଭ କରେ । ସେମିତି ଦାନ୍ତ ଡାକ୍ତର ପାଖକୁ ଗଲେ ବି ସେମିତି ଗପେ । କୌଣସି କନସର୍ଟ ପୁର୍ବରୁ ବି ସେମିତି ଗପେ । ଛାଡ ସେ ସବୁ କଥା ଏଇଠି ଥାଉ , ନା କଣ ? ତମେ ମତେ ବହୁତ ବେଶୀ ପଚାରନି । ଆମେ ପୁରା କାମଟିକୁ ଟିକେ ସରଳ କରିଦେଲେ କେମିତି ହୁଅନ୍ତା । ବରଂ ତମେ ମତେ ଗୋଟେ ପ୍ରଶ୍ଣ ପଚାର ଆଉ ମୁଁ କହିଚାଲେ । କଣ କହୁଚ?’ ମତେ ଲାଗୁଥାଏ ଯେ ସେ ବାଆଁରୋଉଛନ୍ତି କିମ୍ବା ମତେ ଫୁସୁଲେଇବାକୁ ଚେଷ୍ଟାକରୁଚନ୍ତି । ସେମିତି କଲେ ବି ମୋ ପାଇଁ ତାହାବି କୋଉ ସହଜ ହେଇଥାନ୍ତା ।
ମୁଁ ପୁରା ଗବେଷଣା କରିକି ଯାଇଥାଏ । ଡଜନେ ସରିକି ପ୍ରଶ୍ଣ ମୁଁ ପଚାରିବା ପାଇଁ ରଖିଥାଏ । କଣ ପଚାରିବି ଟିପି କି ନେଇଥାଏ । କିନ୍ତୁ ତାଙ୍କ ଏପ୍ରକାର ଅନ୍ତର୍ଭେଦୀ ଚାହାଣି ଆଗରେ ମୋ ଭାବନା ସବୁକୁ ମୁଁ ଠୁଲେଇ ପାରୁନଥାଏ।
“ଆଛା ଲେଭି ମହୋଦୟ,ମୁଁ ଜାଣେ ମୁଁ ଆପଣଙ୍କୁ ମୋଜାର୍ଟଙ୍କ କଥା ପଚାରିପାରିବି ନାହିଁ “ ମୁଁ ଆରମ୍ଭ କଲି “କାରଣ ମତେ ନପଚାରିବାକୁ କୁହା ଯାଇଛି, ଯଦିଓ ମୁଁ ଏବେ ବି ଜାଣିନି ମୋଜାର୍ଟଙ୍କ ବିଷୟ ରେ ସେଇ ପ୍ରଶ୍ଣଟି କଣ , ତେଣୁ ଏମିତି ରେ ବି ମୁଁ ଚାହିଁଥିଲେ ବି ପଚାରି ପାରିନଥାନ୍ତି’
ଏମିତି ପ୍ରତିଟି ବେଇମାନ ଶବ୍ଦର ଉଚାରଣ ରେ ମୁଁ ମୋ ନିଜ ପାଇଁ ଗାତ ଖୋଳିଲି । ଏମିତି ଗୋଟେ ପ୍ରକାର ହତାଶାରେ ମୋର ପ୍ରଥମ ପ୍ରଶ୍ଣ ଏମିତି ଆରମ୍ଭ କଲି । ‘ମହାଶୟ ଲେଭି ’ମୁଁ ଆରମ୍ଭ କଲି ‘ଆପଣ ଯଦି କିଛି ମନେ ନ କରନ୍ତି ତେବେ ଆପଣଙ୍କ ଆରମ୍ଭ ବିଷୟ ରେ ଜାଣିବାକୁ ଚାହିଁବି, ମାନେ ମୁଁ ଜାଣିବାକୁ ଚାହେଁ ଯେ କଣ ସେଇ ଘଟଣା ଯାହା ଆପଣଙ୍କୁ ପ୍ରଥମଥର ପାଇଁ ଭାଓଲିନ ବଜେଇବାକୁ ପ୍ରେରିତ କରିଥିଲା l ’
ଏକରେ ତ ଏହା ଅତ୍ୟନ୍ତ ସାଧାରଣ ପ୍ରଶ୍ନ , ଦୁଇରେ ପ୍ରଶ୍ନ ଟି ବ୍ୟକ୍ତିଗତ ଥିଲା ଯାହା ମୋତେ ପଚାରିବା ପାଇଁ ଆଗରୁ ବାରଣ କରାଯାଇଥିଲା l ତାଙ୍କ ପ୍ରତିକ୍ରିୟା /ମୁହଁ ର ଆବଭାବ ରୁ ମୁଁ ନିଶ୍ଚିତ ହେଇଗଲି l ସେ ଆଖି ବନ୍ଦ କରି ଚେୟାର ରେ ଆଉଜି ବସିଲେ l ବେଶ କେଇମିନିଟ ନୀରବତା ରେ କଟିଗଲା l ମୁଁ ତା ଭିତରେ ନିଶ୍ଚିତ ହେଇଯାଇଥାଏ ଯେ ବୋଧେ କିଛି ସମୟ ଭିତରେ ତାଙ୍କ ଧର୍ଯ୍ୟର ବନ୍ଧ ଭାଙ୍ଗିବ ଓ ସେ ବିରକ୍ତିରେ ମତେ ତୁରନ୍ତ ବାହାରିଯିବାକୁ କହିବେ l କିଛି ସମୟ ପରେ ସେ ଆଖି ଖୋଲି ପ୍ରଥମେ ଛାତ ଉପରକୁ ଚାହିଁଲେ l ତାଙ୍କର ଏ ପ୍ରକାର ଆଚରଣ ରୁ ମୁଁ ଯୋଉକଥା ଭୟ କରୁଥିଲି ହେବାକୁ ଯାଉଛି ବୋଲି ବାରିପାରୁଥାଏ l କିନ୍ତୁ ମତେ ବାହାରି ଯିବାକୁ ନକହି ବରଂ ସେ ତାଙ୍କ ସୋଫା ପାଖ ଝରକା ପାଖକୁ ଚାଲିକି ଗଲେ l ସେଠୁ ତାଙ୍କ ଭାଓଲିନ ଟିକୁ ଆଣିକି କୋଳରେ ଥୋଇ ବସିଲେ, ତାରରେ , ଟିକେ ଆଙ୍ଗୁଠି ମାରି ଟୁଁ ଟାଁ କଲେ l ‘ତମକୁ ଗୋଟିଏ ଗପ କୁହେ ’ ସେ ଆରମ୍ଭ କଲେ, ‘ ଏ ଗପ ସରିବା ପରେ ମତେ ଲାଗୁନି ତମକୁ ପଚାରିବା ପାଇଁ ଆଉ କିଛି ଥିବ, ମତେ କିଏ ଜଣେ କହିଥିଲା ଯେ ସବୁ ରହସ୍ୟ ମିଛ , ସମୟ ଆସିଯାଇଛି ଆଉ କୌଣସି ମିଛ କଥା ଆଗକୁ ନବଢେଇବା ପାଇଁ ’
କହି ସାରି ଟିକେ ସେ ଟିକେ ଦମ ନେଲେ l ମତେ ଲାଗିଲା ସେ ଠିକ ଠିକ କରି କହିବା ପାଇଁ ସତେକି ଶକ୍ତି ସଂଚୟ କରୁଛନ୍ତି l
‘ମୋ ବାପାଙ୍କ ଠାରୁ ହିଁ ଆରମ୍ଭ କରୁଛି l ମୋ ବାପାଙ୍କର ଗୋଟେ ସେଲୁନ ଥିଲା । ସେଠି ମୋ ବାପା ଚୁଟି କାଟୁଥିଲେ । ଏକାଦେମୀ ପଛପଟ , ବ୍ରିଜ ପାଖରେ-ଯୋଉଠିକୁ ଚାଲି କି ଗଲେ ଏଠୁ ଦୁଇ ମିନିଟ ଲାଗିବ ସେଠି ସେ ସେଲୁନଟା ଥିଲା । ଆମେ ଦୋକାନର ଉପର ମହଲାରେ ରହୁଥିଲୁ । ଆମେ ମାନେ -ମା, ବାପା ଆଉ ମୁଁ । ହେଲେ ମୋର ଅଧିକାଂଶ ସମୟ ସେଇ ସେଲୁନ ରେ ହିଁ କଟୁଥିଲା । ମୁଁ ସେଲୁନରେ ଚୌକି ଉପରେ ବସି ଗୋଡ ହଲାଉ ଥାଏ , ଗରାଖଙ୍କୁ ଦର୍ପଣରେ ଦେଖିକି ଟିକେ ଟିକେ ହସୁଥାଏ , ମୁଣ୍ଡ ହଲାଉ ଥାଏ । କେଡେ ସୁନ୍ଦର ଦିନ ଥିଲା ସେସବୁ l ମୋ ବାପାଙ୍କୁ ମୁଁ ବହୁତ ଭଲ ପାଉଥିଲି l ଆଜି ସେ କଥା ମନେ ପଡିଲା ବେଳକୁ ଭାବୁଛି ମତେ ସେତେବେଳେ ବୋଧେ ନଅ ବର୍ଷ ହେଇଥିବ l କମ ବୟସ l ସାନପିଲା ଥିଲି l ଅଛି, ଏବେ ବି “
ଏ ସବୁ କଥା ସେ ମତେ ଧୀରେ ଧୀରେ ନିଠେଇ ନିଠେଇ କହୁଥାନ୍ତି ସତେକି ସେ ଆଉଥରେ ସେଇ ସମୟ କୁ ଅନୁଭବ କରୁଛନ୍ତି, ସତେକି ସେ ସମୟ ତାଙ୍କ ଆଗରେ ସେସବୁ ଛବି ପରି ଦୃଶ୍ୟମାନ ହେଉଛି l ଯେହେତୁ ମୋ ସର୍ଟହ୍ୟାଣ୍ଡ ରେ ଲେଖିବାରେ ମୁଁ ବେଶ ସହଜ ଓ କ୍ଷିପ୍ର ତେଣୁ ଲେଖିବା ବେଳେ ମୁଁ ମଝି ମଝିରେ ତାଙ୍କୁ ଦେଖୁଥାଏ l ସେ କହୁଥିଲା ବେଳେ ମୁଁ ଜାଣିସାରିଥାଏ ଯେ ଏ କାହାଣୀ ସେ ପ୍ରଥମେ ମତେ ହିଁ ଶୁଣାଉଛନ୍ତି । ଏମିତି କି ସେ ଯେତେବେଳେ ତାଙ୍କ ଅତୀତର ଦିନ ସବୁ କଥା କହୁଥାନ୍ତି ମୁଁ ବୁଝିବାରେ କିଛି ଅସୁବିଧା ହେଉ ନଥାଏ । l
‘ବାପାଙ୍କ ଆଙ୍ଗୁଠିରେ ରେ ସତରେ ଯାଦୁ ଥିଲା । ତାଙ୍କ କଈଁଚି ଚାଳନାରେ ଗୋଟେ ଅବିରତ ସାଂଗୀତିକତା ଥିଲା । ମତେ ତ ଲାଗୁଥିଲା ବାପା ତାଙ୍କର ପ୍ରତିଟି ଗରାଖ ପାଇଁ ଅଲଗା ଅଲଗା ଧୁନ ରେ କଇଁଚି ଚଳାଉ ଥିଲେ । , ଆଉ ଏମିତି ସ୍ୱତସ୍ପୃତ ଭାବେ ତାହା ସେ କରୁଥିଲେ ଯେ ମୁଁ ମୁଗ୍ଧ ହେଇଯାଉଥିଲି । ସେ ତାଙ୍କ କାମ ପୁରା ନିରବତାରେ କରୁଥିଲେ । ବାଳ କାଟିବା ବେଳେ ବିଲକୁଲ କଥାବାର୍ତା କରୁନଥିଲେ । ପାନିଆ ଆଉ କଇଁଚି ର ମୁର୍ଛନା ରେ ବୁଡି ରହୁଥିଲେ । ତାଙ୍କୁ ତାଙ୍କ ଧୁନ ରେ ଛାଡିଦେବା ଓ ଅନ୍ୟମନସ୍କ ନକରିବା କଥା ମୋ ପରି ତାଙ୍କ ଗ୍ରାହକ ମାନେ ବି ଜାଣିଥିଲେ । ବାପାଙ୍କ ପରି ମୁଁ ବି ତାଙ୍କ ସବୁ ଗରାଖ ମାନଂକୁ ଜାଣିଥିଲି । ମୁଁ ସେମାନଙ୍କ ଆଗରେ ବଡ ହେଇଥିଲି । ପ୍ରାୟ ସେମାନେ ସମସ୍ତେ ନାଗୁଆ ଥିଲେ , ବରାବର ଆସୁଥିଲେ । ସେମାନଙ୍କ ଭିତରୁ କିଏ କିଏ ଚଉକି ରେ ବସିବା ମାତ୍ରେ ଆଖି ବୁଜି ବାପାଙ୍କ ମ୍ୟାଜିକ ଉପଭୋଗ କରୁଥିଲେ ,ଆଉ କିଏ କିଏ ଆଇନା ରେ ମତେ ଚାହିଁ ଆଖି ମାରୁଥିଲେ ।
“ଖିଅର କରିବା କାମ ମତେ ଭାରି ଆକର୍ଷଣୀୟ ଲାଗେ , ସଂଗୀତ ପରି : ଖସ ଖସ କରି ବ୍ରସ ଗାଲରେ ଘଷା ହେବା ..ଚର ଚର କରି ବାପା ଖୁର କୁ ଧାର କରିବା..ଏବଂ ପ୍ରତିଥର ଫେଣ ବୋଳା ଗାଲରୁ ଖୁର ମାରିକି ଏକ ଅପରିଚିତ ସୁନ୍ଦର ମୁହଁ ଅଦ୍ଭୁତ ଭାବେ ଉକୁଟେଇଆଣିବା ..ଏ ସମ୍ପୂର୍ଣ୍ଣ ବ୍ୟାପାର ମତେ ଦେଖିବାକୁ ଭାରି ଭଲ ଲାଗେ “
‘ଏ ସବୁ କାମ ସରିଗଲା ପରେ ବାପାଙ୍କ ର ସେ ଗ୍ରାହକଙ୍କ ସାଙ୍ଗେ ଗପ ଜମିଉଠେ । କଥାରେ ଥାଏ ଫୁଟବଲ , ଅଧିକାଂଶ ସମୟ ଇଣ୍ଟରମିଲାନ ଦଳ କଥା, କିମ୍ବା କେବେକେବେ ସତ୍ତାଗ୍ରାସୀ ରାଜନିତୀଜ୍ଞଙ୍କ କଥା କିମ୍ବା ସ୍ତ୍ରୀ ଲୋକଙ୍କ କଥା । ସେମାନେ କଣ ସବୁ କଥା ହେଉଥିଲେ ମୋର ମନେପଡୁନି , ମୁଁ ବି ସେତେବେଳେ ତାଙ୍କ କଥାର ଅଧିକାଂଶ କଥା ବୁଝିପାରୁନଥିଲି, ଖାଲି ଏତିକି ମୋର ମନେ ଅଛି ଯେ ସେମାନେ କଥା ହେଲାବେଳେ ବହୁତ ହସୁଥିଲେ …ତା ଭିତରେ ଅଗାମୀ ଗ୍ରାହକ ଆସି ନିରବ ରେ ବସୁଥିଲା ..ସେଇ ଯାଏ ଯେ ପର୍ଯ୍ୟନ୍ତ ମୋ ବାପାଙ୍କ କଇଁଚି ଗୀତ ଗାଇବା ଆରମ୍ଭ କରୁନଥିଲା । ମୋର ଏଇ ସଂଗୀତର ତାଳ ,ଲୟ ର ଜ୍ଞାନ,ନିବିଷ୍ଟ ଚିତ୍ତରେ ହଜିଯିବା, ଓ କୌଣସି ଜିନିଷ କୁ ଏକାଗ୍ରତାରେ ଶୁଣିବା ଗୁଣସବୁ ସେଇ ସେଲୁନରୁ ଆରମ୍ଭ ହେଇଥିଲା ବୋଲି ମୁଁ ହଲପ କରି କହିପାରେ ।
‘ମୋ ବାପା ଖାଲି ପୁରା ଭେନିସର ସବୁଠୁ ପ୍ରସିଦ୍ଧ ବାରିକ ନଥିଲେ, ସେ ଜଣେ ସଙ୍ଗୀତଜ୍ଞ ମଧ୍ୟ ଥିଲେ ବୋଲି ସମସ୍ତେ କହୁଥିଲେ – ସେ କୁଆଡେ ବହୁତ ଭଲ ଭାଓଲିନ ବାଦକ ଥିଲେ । କିନ୍ତୁ ଆଶ୍ଚର୍ଯ୍ଯ କଥା ସେ କେବେ ଭାଓଲିନ ବଜେଇବା ମୁଁ ଶୁଣି ନଥାଏ, ଥରୁଟେ ବି ନୁହେଁ । ଖାଲି ଯାହା ମାଆ ଠୁ ମୁଁ ଶୁଣିଥାଏ ଯେ ସେ ଭାଓଲିନ ବାଦକ ଥିଲେ ।ଯେତେବେଳେ ମାଆ ଏକଥା ମତେ କହିଲା , ତା ଆଖି କୋଣରେ ଲୁହ ଝଲସୁ ଥିଲା ।ଯେହେତୁ ମୋ ମା ଏତେ କାନ୍ଦୁରୀ ନଥିଲା ତେଣୁ ଏହା ଦେଖି ମତେ ସେତେବେଳେ ଭାରି ଆଶ୍ଚର୍ଯ୍ୟ ଲାଗିଥିଲା ।ମାଆ କହୁଥିଲା ଯେ ଯେ ମୋ ବାପା କୁଆଡେ ଜଣେ ମହାନ କଳାକାର ଥିଲେ । ପୁରା ଅର୍କେଷ୍ଟ୍ରାରେ କୁଆଡେ ସେ ସବୁଠୁ ଭଲ ଭାଓଲିନ ବଜାଉ ଥିଲେ । ମୁଁ ଯେବେ ତାକୁ ପଚାରିଲି କି କଣ ପାଇଁ ବାପା ଆଉ ଭାଓଲିନ ବଜାଉ ନାହାନ୍ତି ,ସେତେବେଳେ ସେ ପୁରା ଚୁପ ହେଇଗଲା , ମୁହଁ ବୁଲେଇ ଦେଇ କହିଲା , ବରଂ ତୁ ବାପାଙ୍କୁ ପଚାରି ବୁଝିନେବୁ । ତାପରେ ମୁଁ ବାପାଙ୍କୁ ପଚାରିବା ଆରମ୍ଭ କଲି । ଆଉ ଯେତେଥର ସେ କଥା ପଚାରିଲି ସେ କାନ୍ଧ ଟେକି , କଥା ବାଁଆରେଇ କଣ ଏଣୁ ତେଣୁ କହିଲା ଭଳିଆ କହୁଥିଲେ ‘ କିଛି ନାହିଁ , ସବୁକିଛି ବଦଳି ଯାଏ , ସମୟ ବଦଳି ଯାଏ , ଲୋକେ ବଦଳିଯାଆନ୍ତି ।”
‘ଏମିତିରେ ବି ବାପା ଘରେ , ସହଜରେ ବେଶୀ କଥାବାର୍ତା ହୁଅନ୍ତି ନାହିଁ , କିନ୍ତୁ ଏଇ ନିର୍ଦ୍ଧିଷ୍ଟ କଥା ପଚାରିଲେ ମତେ ଲାଗେ ସେ କିଛି ଲୁଚାଉଛନ୍ତି .. ମତେ ଲାଗେ ଏ କଥା ତାଙ୍କୁ ବିରକ୍ତ କରୁଚି,ମତେ ଲାଗିଲା ଏ କଥା ପଚାରି ସତେକି ମୁଁ ତାଙ୍କ ବ୍ୟକ୍ତିଗତ ଜୀବନ ରେ ନାକ ଗଳାଉଛି,କିନ୍ତୁ ମୁଁ ସେଥିରେ ଦବିଗଲି ନାହିଁ । ମୁଁ ପଚାରିବା ଜାରି ରଖିଲି । ସେ ଯେତେ ମନାକଲେ ମୋ ସନ୍ଦେହ ସେତେ ବଢିଲା । ସେ ଯେ ମତେ କିଛି ଲୁଚାଉଛନ୍ତି ତାହା ବୁଝିବା ଆଉ ମୋର ବାକି ରହିଲା ନାହିଁ ।ମତେ ଲାଗେ ପିଲା ନାକକୁ ଅନେକ କଥା ବାସେ । କେଜାଣି କେମିତି ମତେ ଲାଗିଲା ଯେ ଏଇଟା ଗୋଟେ ବିରାଟ ଗୋପନ ରହସ୍ୟ କଥା ଆଉ କିଛି ଦିନ ପରେ ମୁଁ ଏକଥା ବି ଜାଣି ଗଲି ଯେ ବାପା ମତେ କେବେବି ସତକଥା କହିବେ ନାହିଁ l କିନ୍ତୁ ମୁଁ ଜାଣିଥିଲି ଯଦି କିଏ ଏ ଗୁପ୍ତ କଥା ରହସ୍ୟ ଉନ୍ମୋଚନ କରିପାରିବ ସିଏ ହେଲା ମୋ ମା ।‘
“ଯଦିଓ ମୁଁ ଯେମିତି ଭାବିଥିଲି ସେମିତି ହେଲା ନାହିଁ , ତଥାପି ଗୋଟେ ପ୍ରକାର ମୋ ଅଭିଯାନ ରେ ମୁଁ ସଫଳ ହେଲି ବୋଲି କହିହେବ , ମା- ପାଖରୁ ମୁଁ କିଛିଟା କଥା ଆଦାୟ କଲି । ଦିନେ ସକାଳୁ ମୁଁ ମା ପଛରେ ଏମିତି ଟିଙ୍କ ଭଳିଆ ଲାଖିଲି ଯେ ମା ବାଧ୍ୟ ହେଇ କହିଲା ,’ ଠିକ ଅଛି ପାଓଲୋ ,ଆଜି ମୁଁ ତୋତେ ତୋ ବାପାଙ୍କ ଭାଓଲିନଟା ଦେଖେଇବି , ହେଲେ ତତେ ଗୋଟେ ଶପଥ କରିବାକୁ ପଡିବ,’ମୁଁ ଯଦି ବାପାଙ୍କ ଭାଓଲିନ ତତେ ଦେଖାଏ ତୁ ଆଉ ମତେ କେବେ କିଛି ଏ ବିଷୟ ରେ ପଚାରିବୁନି,ଠିକ ଅଛି ?’ ମା କହିଲା ।, ‘ ତୁ କେବେ ବି ମୁଁ ତୋତେ ସେ ଭାଓଲିନ ଦେଖେଇଛି ବୋଲି ବାପାଙ୍କୁ କହିବୁନି l ସେ ଜାଣିଲେ ଭୀଷଣ ରାଗିବେ , ଏ କଥା ତତେ ରାଣ ଖାଇ କହିବାକୁ ପଡିବ ”
“ମୁଁ ରାଣ ଖାଇଲି , ସତରେ ନିୟମ କଲି କେବେ ବି ଏକଥା କାହାକୁ କହିବିନି ” ତାପରେ ଆମେ ଶୋଇବା ଘରକୁ ଗଲୁ। ମୁଁ ତଳେ ଛିଡା ହେଇଥାଏ। ମା ଗୋଟେ ଚଉକି ପକେଇ , ତାଙ୍କ ଲୁଗା ଆଲମାରୀ ର ସବା ଉପର ଥାକ ରୁ ସେଟା ଆଣିଲା । ମୁଁ ଶେଯ ରେ ଆଣ୍ଠେଇ କୌତୁହଳ ରେ ଚାହିଁଥାଏ l ଗୋଟେ ଧୁସର କମ୍ବଳରେ ଭାଓଲିନଟି ଘୋଡା ହେଇକିଥାଏ । ମୋର ମନେ ପଡୁଛି ସେତେବେଲେ ସେଟା କେମିତି ଗୋଟେ ଧୁଳିଆ ଧୁଳିଆ ବାସୁଥିଲା ।ତା ଉପର ମେରୁନ ଧଡି ଫିକା ପଡି ଯାଇଥାଏ , ଛଉ ଛଉଆ ଦିଶୁଥାଏ । ମା ଅତିଶୟ ଯତ୍ନ ରେ ସେଟା ହାତରେ ତୋଳି ଧରି ମୋ କୋଳ ରେ ତାକୁ ଥୋଇଲା ।ମୁଁ ତା ପାଲିସ ଦେହ ରେ ତିକେ ଟିପା ମାରିଦେଲି । ତାର ରେ ଟିକେ ଟୁଂ କି ବଜେଇ ଦେଲି । ଉପର ଟା କଫି ରଙ୍ଗର ଓ ପେଟ ପାଖରେ ହାଲୁଲା ସୁନେଲି-ବାଦାମୀ ରଙ୍ଗ ବୋଳା ହେଇଥାଏ ।ତା ତାର ବୁଲାଣି ଜାଗାରେ ଟିକେ ଟିପ ଚଲେଇ ଆଣିଲି । ମୁଁ ତାର ସୁକ୍ଷ୍ମ ଭଙ୍ଗୁର ସୌନ୍ଦର୍ଯ୍ୟ ଦେଖି ଅବିଭୁତ ହେଇ ଯାଇଥାଏ ।ସେଥିରେ ଚିବୁକ ଲଗାଇ , ଟିକେ ଦଣ୍ଡା କୁ ତା ଉପରେ ଥୋଇ ଦେଇ ମୁଁ ସହସା ଜାଣିଗଲି ଯେ ଏଇ ସେଇ ଜିନିଷ ଯାହା ଭିତରେ ସାରା ଦୁନିଆର ସଙ୍ଗୀତ ଲୁକାୟିତ ହେଇକି ଅଛି ଏବଂ ମୁଁ ହିଁ ସିଏ ଯିଏ ଏ କାମ କରିପାରିବ । ଲାଗିଲା ଏହାକୁ ଜୀବନ୍ୟାସ ଦେବା ପାଇଁ ମୋର ଜନ୍ମ। ମୋ ପାଇଁ ଏହା ଗାଇବା କଥା । ଆମେ ମିଶିକି ସେଇ ସବୁ ଗୀତ ତିଆରି କରିବୁ ଯାହାକୁ ସାରା ଦୁନିଆ ଶୁଣିବ । କିନ୍ତୁ ମୁଁ ଯେତେବେଳେ ମା କୁ ଏହା ବଜେଇବା କଥା ପଚାରିଲି ସେ ହାଉଳି ଖାଇଲା ଓ କହିଲା ତଳୁ ଯଦି ବାପା ଏକଥା ଶୁଣିବେ ତେବେ ବଡ ଅସୁବିଧା ହେଇଯିବ , ମୁଁ କାହିଁକି ୟାକୁ ଦେଖେଇଲି ବୋଲି ସେ ଭୟଙ୍କର ରାଗିବେ , କାରଣ ସେ କେବେବି ଚାହାନ୍ତି ନାହିଁ କି ଏହା ଆଉ କେବେ ବି ବଜାଯାଉ । ସେଥିପାଇଁ ତ ସେ କେତେବର୍ଷ ହେବ ଏହାର ମୁହଁ ଚାହିଁ ନାହାନ୍ତି ।
ମୁଁ ପୁଣି ଯେତେବେଳେ କାରଣ ପଚାରିଲି ସେତେବେଳେ ମା ଆଉ କିଛି ପ୍ରଶ୍ଣ ନପଚାରିବାକୁ ତାଗିଦା କରି ମୋତେ ଅଳ୍ପ ସମୟ ଆଗରୁ କରିଥିବା ଶପଥ କଥା ମନେପକେଇ ଦେଲା । ତାପରେ ସେ ମୋଠୁ ଜାଣ ଛଡେଇ କି ନେଇ କି ସେ ଭାଓଲିନ କୁ ଖୋଳ ରେ ପୁରେଇ ସହସା ତାକୁ କମ୍ବଳ ରେ ଗୁଡେଇ ଯୋଉଠୁ ଆଣିଥିଲା ସେଠି ରଖିଦେଲା ।
“ଏମିତି କିଛି ଅଛି , ବା ତୁ ଦେଖିଛୁ ବୋଲି ଭୁଲି ଯା ପାଓଲୋ , ବୁଝିହେଲା ?” ଆଜିଠୁ ଏ ବିଷ୍ ୟ ରେ ଗୋଟେ ବି ଶବ୍ଦ ବି ମୁଁ ଶୁଣିବାକୁ ଚାହେଁନି । ତୁ ରାଣ ଖାଇଛୁ , ଯେମିତି ଭୁଲି ନଯାଉ । ” ମାଆ କହିଲା l
“ଥରଟେ ବାପାଙ୍କ ପୁରୁଣା ଭାଓଲିନ ମୁଁ କେବେ ଧରିଥିଲି , ମୋ ଇଛାମତେ ମତେ ତାହା କିଛି ସମୟ ପାଇଁ ଧରିବାର ସୁଯୋଗ ମିଳିଥିଲା..ରାଣ ନିୟମକୁ ମାନି ଏତିକିରେ ସ୍ମୃତିରେ ମୁଁ ସନ୍ତୁଷ୍ଟ ହେଇଥାଏ । କିନ୍ତୁ ତାପରେ ଦିନେ ଖରାବେଳିଆ ଅପରାହ୍ନରେ ମୁଁ ଖଟ ଉପରେ ଗଡୁଥାଏ l ଛାଇଛାଇଆ ନିଦ ଘାରିଆସୁଥାଏ l , କୋଉଠୁ ଭାଓଲିନ ର ସ୍ୱର ଭାସିଆସି ମୋ କାନ ରେ ବାଜିଲା । ମତେ ଲାଗିଲା ବୋଧେ ଶେଷରେ ବାପାଙ୍କ ମନ ବଦଳିଗଲା , ସେ ହିଁ ବୋଧେ ବଜାଉଛନ୍ତି । କିନ୍ତୁ ରୋଷେଇ ଘରେ ମା ଓ ବାପାଙ୍କ କଥାବାର୍ତା ମୁଁ ଶୁଣିଲି ଓ ପରେ ଭଲକି କାନେଇବାରୁ ଜାଣିପାରିଲି ଯେ ଭାଓଲିନ ର ସ୍ୱର ଟା କିଛି ଦୁର ରୁ ଆସୁଛି । ମୁଁ ଝର୍କା ପାଖେ କାନେଇଲି । ଲୋକଙ୍କ କଥାବାର୍ତା , ,ବୋଟ ର ଯାତ୍ରୀଙ୍କ କୋଳାହଳ ମଝିମଝି ରୁ ସେ ସ୍ୱର ରହି ରହି ଭାସି ଆସୁଥାଏ । କିଛି ସମୟ ପରେ ମୁଁ ଜାଣିଗଲି ଯେ ସ୍ୱର ଟା ନିଶ୍ଚୟ ପୋଲ ସେପାଖୁ ଆସୁଛି । ମତେ ଜାଣିବାକୁ ହେବ । ମୁଁ ସେଇ ଘରପିନ୍ଧା ପାଇଜାମାରେ , ରୋଷେଇ ଘର ଟପି , ସିଡି ଦେଇ ରାସ୍ତା ଉପରକୁ ଆସିଲି । ସନ୍ଧ୍ୟା ହେଇ ଆସିଥାଏ ।ବାହାରେ ଉଷୁମ ଲଗୁଥାଏ । ମୁଁ ସେ ସ୍ୱର କୁ କାନେଇ କାନେଇ ପୋଲ ପାରିହେଲି । କିଛି ବାଟ ଗଲା ପରେ ଦେଖିଲି ଜଣେ ବୟସ୍କ ଲୋକ ଏକୁଟିଆ ଗୋଟେ କାନ୍ଥ କୁ ଆଉଜି ଛିଡା ହେଇ କି ଭାଓଲିନ ବଜାଉଥାନ୍ତି ।ପାଦ ପାଖେ ଭାଓଲିନର ଖୋଳଟି ପଡିଥାଏ ।
‘ସେଠି କେହି ନଥାନ୍ତି କିମ୍ବା କେହି ଶୁଣିବାକୁ ବି କେହି ଦଣ୍ଡେ ଛିଡା ହେଉ ନଥାନ୍ତି । ମୁଁ ବହୁତ ସାହାସ ବାନ୍ଧି ଯେତେ ପାଖକୁ ଲାଗି ବସିକି ଶୁଣି ହେବ , ବସିଲି । ସେ ଏତେ ନିମଗ୍ନ ଥାନ୍ତି ଯେ କିଛି ଜାଣିପାରୁନଥାନ୍ତି । ଏବେ ମୁଁ ଦେଖିପାରୁଥାଏ ଯେ ସେ ମୋ ବାପାଙ୍କ ଠାରୁ ବି ବୟସରେ ସେ ବେଶ ବଡ ହେବେ । କିଛି ସମୟ ପରେ ମୋ ଉପରେ ତାଙ୍କର ନଜର ପଡିଲା । ସେ ବଜେଇବା ବନ୍ଦ କରିକି ମତେ କହିଲେ ‘ହାଲୋ … ଏତେ ଡେରିରେ ବାହାରେ ବୁଲୁଛ ..? ତୁମ ନାଁ କଣ ?’ ମୁଁ ଦେଖିପାରୁଥାଏ ତାଙ୍କ ଆଖିରେ କରୁଣା ଭରି ରହିଥାଏ ।
‘ପାଓଲୋ ..ପାଓଲୋ ଲେଭି’ ମୁଁ କହିଲି । ‘ଆଗରୁ ମୋ ବାପା ଗୋଟେ ଅର୍କେଷ୍ଟ୍ରା ରେ ଭାଓଲିନ ବଜାଉଥିଲେ ।’
‘ମୁଁ ବି ଆଗରୁ ବଜାଉଥିଲି, ସାରାଜୀବନ ” ବୟସ୍କ ଜଣଙ୍କ କହିଲେ ।ଏବେ କିନ୍ତୁ ମୁଁ ମୋ ଇଛା ଅନୁସାରେ ନିଜ ପାଇଁ ବଜାଉଛି ଯାହା କି ମୁଁ ବହୁଦିନରୁ ଚାହୁଁଥିଲି । ମୁଁ ତୁମକୁ ଟିକେ ମୋଜାର୍ଟ ବଜେଇକି ଶୁଣେଇବି କି ?ତମକୁ ମୋଜାର୍ଟଂକ ସଙ୍ଗୀତ କେମିତି ଲାଗେ ?
‘ମୁଁ ତାଙ୍କୁ କେବେ ଶୁଣିନି” ମୁଁ ଉତ୍ତର ଦେଲି । ଯଦିଓ ମୁଁ ମୋଜାର୍ଟଙ୍କ ନାଁ ଆଗରୁ ଶୁଣିଥିଲି କିନ୍ତୁ ତାଙ୍କ ସଙ୍ଗୀତ କେବେ ଶୁଣିନଥାଏ
‘ଜାଣିଚ ସେ ଏଇଟି ର ସ୍ୱର ସଂଯୋଜନା କଲାବେଳକୁ ତମଠୁ ବି ଛୋଟ ଥିଲେ ।, ତମକୁ କେତେ ସାତ ବର୍ଷ ?’
‘ନାଇଁ ନଅ ବର୍ଷ ’ମୁଁ କହିଲି ।
‘ଆଛା , ସେ କିନ୍ତୁ ଏଇଟା ମାତ୍ର ଛଅ ବର୍ଷ ହେଇଥିବା ବେଳକୁ ଲେଖିଥିଲେ । ସେ ଏଇଟା ପିଆନୋ ରେ ବଜେଇବା ପାଇଁ ସଂଯୋଜନା କରିଥିଲେ । ମୁଁ କିନ୍ତୁ ତମକୁ ଭାଓଲିନ ରେ ବଜେଇ କି ଶୁଣେଇବି ।‘
’ତାପରେ ସେ ମୋଜାର୍ଟ ବଜେଇବା ଆରମ୍ଭ କଲେ ଓ ମୁଁ ଶୁଣି ଚାଲିଲି । କିଛି ସମୟ ପରେ ଲୋକେ ଜମା ହେଲେ । ଗୋଲ ହେଇ ସମସ୍ତେ ତାଙ୍କୁ ଶୁଣୁଥାନ୍ତି । କିଏ କିଏ ତାଙ୍କ ପାଖରେ ଥିବା ଭାଓଲିନ ଖୋଳ ରେ ଟଙ୍କା ପଇସା ପକାଉଥାନ୍ତି ।କିଛି ସମୟ ପରେ ପରେ ଜଣେ ଜଣେ ଚାଲିଗଲେ । ମୁଁ କିନ୍ତୁ ଗଲିନାହିଁ । ସେ ସେମିତି ବଜେଇ ଚାଲିଥାନ୍ତି l ମୁଁ ଶେଷ ପର୍ଯ୍ୟନ୍ତ ରହିଲି । ସେ ଦିନ ସେ ସଂଗୀତ ମୋ ଆତ୍ମା କୁ ଛୁଇଁ ଗଲା । ସେଦିନ ରାତିରେ ସବୁଦିନ ପାଇଁ ମୋ ଜୀବନ ବଦଳିଗଲା ।‘
’ତାପରେ ମୁଁ ଯେତେବେଳେ ବି ସେ ଏକାଦେମୀ ପୋଲ ବାଟେ ଗଲି ମୋ ଆଖି ଖାଲି ତାଙ୍କୁ ହିଁ ଖୋଜିଲା । ଯେତେବେଳେ ମୁଁ ତାଙ୍କୁ ବଜାଇବା ଶୁଣିଲି ମୁଁ ଦୌଡିଲି । ମୁଁ ଏକଥା ମା କିମ୍ବା ବାପାଙ୍କୁ କହିନଥାଏ । ବୋଧହୁଏ ମୋ ଜୀବନ ର ସେଇଟା ପ୍ରଥମ ଗୋପନ କଥା ଯାହା ମୁଁ ସେମାନଙ୍କ ଠାରୁ ଳୁଚେଇ ରଖିଥିଲି।ସେଥିପାଇଁ ମତେ ବି କେବେ ଦୋଷୀ ଦୋଷୀ ଲାଗୁନଥାଏ ।ଚିମୁଟାଏ ବି ନୁହେଁ । ସେମିତି ତ ସେମାନେ ବି ତ ମୋ ଠୁ ଗୋଟେ କଥା ଲୁଚେଇ ରଖିଚନ୍ତି । ତାପରେ ଦିନେ ସଂଜ ବେଳେ – ସେତେବେଲକୁ ମୁଁ ସେ ବୟସ୍କବ୍ୟକ୍ତି ଂ ନାଁ ବେଞାମିନ ହୋରୋୱିଜ ବୋଲି ଜାଣିସାରିଥାଏ । ଓ ଜାଣି ସାରିଥାଏ ଯେ ତା6କୁ ବାଷଠି ବର୍ଷ ବୋଲି । – ସିଏ ମତେ ତାଙ୍କ
ଭାଓଲିନ ଧରିବାକୁ ଦେଲେ। ମତେ ଶିଖେଇଲେ କେମିତି ଭାଓଲିନ ଧରିବାକୁ ହୁଏ ।ତାର ଉପରେ କେମିତି ଛଡି ଚଲେଇବାକୁ ହୁଏ ।କେମିତି ଭାଓଲିନ ଗୀତ ଗାଏ । ଯୋଉ ମୂହୁର୍ତ୍ତ ରେ ମୁଁ ସେମିତି କଲି , ମୁଁ ଜାଣିଗଲି ଯେ ମୁଁ ଜୀବନ ରେ କେବଳ ଭାଓଲିନ ବାଦକଟିଏ ହିଁ ହେବି । ତା ପରଠାରୁ ମୋର ଆଉ କେବେ କିଛି ହେବାକୁ ଇଛା ହେଇନାହିଁ । ‘
’ତେଣୁ ଏମିତି ହେଇ ବେଞାମିନ-ସେତେବେଳକୁ ମୁଁ ତାଙ୍କୁ ହୋରୋୱିଜ ସାର ବୋଲି ଡାକୁଥାଏ ମୋ ଜୀବନର ପ୍ରଥମ ସଂଗୀତ ଗୁରୁ ହେଇଥିଲେ । ହରେକ ଦିନ ମୁଁ ତାଙ୍କ ପାଖକୁ ଯାଉଥାଏ। ପ୍ରତିଥର ସେ ମତେ କିଛି ନା କିଛି ଶିଖାଉଥାନ୍ତି । କେମିତି ବୋ କୁ ଧରିବାକୁ ହୁଏ , କେମିତି ଚିବୁକ ତଳେ ଠିକ ରେ ଭାଓଲିନ କୁ ଚାପି କି ଧରିବାକୁ ହୁଏ , କେମିତି ଦଣ୍ଡା ଉପରେ ବାଡି ଚଲେଇ ସ୍ୱର ବାହାର କରିବାକୁଇ ହୁଏ । ପ୍ରତି ତାର ର ନାଁ କଣ ଓ ସେମାନେ କିପରି ସ୍ୱର ବାହାର କରନ୍ତି ଇତ୍ୟାଦି ଇତ୍ୟାଦି । ଏମିତି ଏମିତି ଚାଲିଥିବା ବେଳେ ମୁଁ ଥରେ ତାଙ୍କୁ ମୋ ବାପାଙ୍କ ଭାଓଲିନ କଥା କହିଲି ଓ ସେ କେମିତି ତାକୁ ନ ବଜାଉଥିବା କଥା କହିଲି । ‘ଆଉ ବି କୋଉ ତାକୁ ବଜେଇହେବ…ତା ର ପରା ଦି ଟା ତାର ‘ସା’ ଓ ‘ନି’ ନାହିଁ , ଛିଣ୍ଡି ଯାଇଛି ଓ ବଜେଇବାକୁ ଥିବା ଛଡିରେ ଆଉ ତାର ନାହିଁ ଇତ୍ୟାଦି … ଆଛା ଯଦି ତାକୁ ସଜାଡି ହୁଅନ୍ତା ତାହେଲେ ମୁଁ ସେଥିରେ ତ ଅଭ୍ୟାସ କରିପାରନ୍ତି , ନୁହେଁ କି ?
‘କୋଉଦିନ ଗୋଟେ ସେ ଭାଓଲିନକୁ ନେଇ ଏଠିକି ନେଇକି ଆସ ,ବାକି କଥା ମୋ ଉପରେ ଛାଡି ଦିଅ । ଦେଖ ମୁଁ କଣ କରୁଚି ” ବେଞାମିନ କହିଲେ ।
କାହା ଆଖି ରେ ନପଡିବା ମୋ ପାଇଁ ଏତେ କଷ୍ଟ ନଥିଲା | ମୋ ସ୍କୁଲ ସରିବା ପର୍ଯ୍ୟନ୍ତ ଖାଲି ଯାହା ଅପେକ୍ଷା କରିବା କଥା । ମୋ ଫେରିବା ବେଳ କୁ ବି ମାଆ ଘରକୁ ଫେରିନଥାଏ । ସେ ସେତେବେଳେ ଗୋଟେ ଲଂଡ୍ରି ରେ କାମ କରୁଥାଏ । ବାପା ଗ୍ରାହକଙ୍କ ସାଙ୍ଗେ ତଳେ ସେଲୁନ ରେ ବ୍ୟସ୍ତ ଥାନ୍ତି ।ମୁଁ ଥାକରୁ ଭାଓଲିନ କାଢିବା ପାଇଁ ଗୋଟେ ସୁଟକେଶ ଥୋଇ କି ତା ଉପରେ ଚଢିକି ଭାଓଲିନ ଆଣିଲି । ତାକୁ କୁଣ୍ଢେଇକି ଧରିକି ମାରିଲି ଚିରା । ତମେ ତ ଜାଣ ଆର୍ସନେଲ ରୁ ଡୁର୍ସୋଡୋରେ କେତେ ବା ବାଟ , ଏମିତି କି ଭେନିସଠୁ ବି କୌ ଦୁର । ମତେ ବି ସେତେବେଳ୍କୁ ରାସ୍ତା ପୁରା ମାଲୁମ କାରଣ ମୋ ଖୁଡି – ତାଙ୍କ ନାଁ ସୋଫିଆ , ସେତେବେଳେ ସେ ସେଠି ରହୁଥାନ୍ତି , ଆମେ ତାଙ୍କ ପାଖକୁ ବରାବର ଯାଉଥାଉ । ମତେ ଖାଲି ତାଙ୍କ ଗଳି ଟା ପାଇବା କଥା , ମୁଁ ପଚାରି ପଚାରି କି ସେଠି ଯାଇ ପହଞ୍ଚିଲି l
ଗୋଟେ ବଖୁରିକିଆ ଘରେ ଯାହାର ଗୋଟେ କୋଣ ରେ ଗୋଟେ ଖଟ ପଡିଥାଏ ଆଉ ଗୋଟେ କୋଣ ରେ ହାତଧୁଆ ବେସିନ ଥୁଆ ହେଇଥାଏ , ସେଠି ବେଞାମିନ ରହୁଥାନ୍ତି ।କାନ୍ଥ ସାରା ବିଭିନ୍ନ ସଂଗୀତ ସମାରୋହର ପୋଷ୍ଟର ଲାଗିଥାଏ । ‘କାନ୍ଥ ରେ ଲାଗିଥିବା ପୋଷ୍ଟରସବୁ ଅନେକ ସଂଗୀତ ସମାରୋହର ଯେଉଁଥିରେ ଅତୀତରେ ମୁଁ ଭାଗ ନେଇ ବଜେଇଛି ,ଲଂଡନ, ନ୍ୟୁୟର୍କ, ମିଲାନ..କି .ଚମତ୍କାର ଶ୍ରୋତା. କି ଚମତ୍କାର ସଂଗୀତ…. ଏତେ ଚମତ୍କାର ସମୟଥିଲା ଯେ କେହି ସହଜରେ ବିଶ୍ୱାସ କରିବ ନାହିଁ ‘ ବେଞାମିନ କହିଲେ । ‘ କିନ୍ତୁ ମୁଁ ବିଶ୍ୱାସ କରେ ପାଓଲୋ , କାରଣ ସଂଗୀତ ର ଏପ୍ରକାର ସାମର୍ଥ୍ୟ ଅଛି । ଆଛା ପାଓଲୋ ତମ ଭାଓଲିନ ଟିକେ ଦେଖେଇବ ।’
‘ସେ ଭାଓଲିନକୁ ତନ୍ନ ତନ୍ନ କରି ନିରିକ୍ଷଣ କରୁଥାନ୍ତି , ଆଲୁଅ ଆଡକୁ ଦେଖାଉଥାନ୍ତି , ଟିପା ମାରୁଥାନ୍ତି । ‘ବହୁତ ବଢିଆ ..ତମେ ପରା କହୁଥିଲ ଏଟା ତମ ବାପାଙ୍କର ବୋଲି ?’ ସେ ମତେ ପଚାରିଲେ ।
‘ହଁ କିନ୍ତୁ ଏବେ ମୁଁ ଏହାକୁ ବଜେଇବାକୁ ଚାହୁଁଚି ‘।ମୁଁ ଉତ୍ତର ଫେରେଇଲି ।
‘ତୁମ ପରି ସାନପିଲା ପାଇଁ ଏଟା ଟିକେ ବଡ ହେଇଯାଉଛି ‘ ମୋ ଚିବୁକ ତଳେ ଭାଓଲିନ ରଖି ମୋ ହାତ କୁ ପୁରା ଛଡି ଧରି ମେଲେଇ ରଖି କେତେବାଟ ଯାଉଛି ପରୀକ୍ଷା କରୁ କରୁ ସେ କହିଲେ । ‘କିନ୍ତୁ ନାହିଁ ମାମୁଁ ଠାରୁ କଣା ମାମୁଁ ଭଲ , କିଛିଦିନ ପରେ ତମ କୁ ବି ଏଟା ଆରେଇ ଯିବ ଯେ… ତମେ ବି ତା ସଂଗେ ବଢିବ ‘ ସେ କହୁଥାନ୍ତି ।
‘ଆଛା ୟାକୁ ସଜାଡିଦେଲା ପରେ ଆପଣ ମତେ କେମିତି ବଜାହେବ ଶିଖେଇବେ ତ ” ମୁଁ ଆତୁର ହେଇ ପଚାରିଲି । ‘ଜାଣିଚନ୍ତି ମତେ ଯିଏ ଯାହା ଦିଏ ମୁଁ ସାଇତି କି ରଖେ , ତେଣୁ ମୋ ପାଖରେ ବେଶ କିଛି ପଇସା ପତ୍ର ମୁଁ ରଖିଛି , ମୋ ଶୋଇବା ଘର ଖଟର ଗଦି ତଳେ ମୋ ତକିଆ ତଳେ ବେଶ କିଛି ନୋଟ ମୁଁ ବେଶ ସଜେଇ କରି ରଖିଛି ‘
‘ସେ ବେଶ ଜୋର ରେ ହସିଲେ ଓ କହିଲେ ଯେ ମତେ ଶିଖେଇବା ପାଇଁ ତାଙ୍କର କିଛି ଦରକାର ନାହିଁ , ବରଂ ମୁଁ କୁଆଡେ ତାଙ୍କ ପାଇଁ କପାଳିଆ , ତାଙ୍କର ସବୁଠୁ ଭଲ ଶ୍ରୋତା ସେ କହୁଥାନ୍ତି,’ ତମେ ଆସିବା ଆଗରୁ ମୁଁ ମୋର ଭାଓଲିନ ବଜାଉଥାଏ ହେଲେ କେହି ମୋ ପାଖରେ ଶୁଣିବାପାଇଁ ରୁହନ୍ତିନି ଆଉ ମୋ ଭାଓଲିନ ରଖାହେବା ଯାଗା ଶୁନ୍ୟଥାଏ । ହେଲେ ତମେ ଯେବେ ଆସିଲ ଓ ବସିଲ ସେତେବେଳେ ଜଣେ ପରେ ଜଣେ ଆସି ଛିଡା ହେଇ ଶୁଣିବାରେ ଲାଗିଲେ ଓ କେବେ କେବେ କିଛି କିଛି ଟଙ୍କା ପଇସା ପତ୍ର ବି ଦେଲେ । ତେଣୁ ବରଂ ମୁଁ ତମକୁ ଗୋଟେ ଦିଟା ବିଷୟ ଏମିତିରେ ଖୁସିରେ ଶିଖେଇବା କଥା । ପାଓଲୋ ମୁଁ ଖୁବ ଶିଘ୍ର ତମ ଭାଓଲିନ ସଜାଡି ଦେଉଛି ଆମେ ଆରମ୍ଭ କରିବା ।‘
‘ଗୋଟେ କିମ୍ବା ଦୁଇ ସପ୍ତାହ ଭିତରେ ଭାଓଲିନ ସଜଡା ହେଇଗଲା । ମତେ ବେଳେ ବେଳେ ଡର ଲାଗୁଥିଲା ଯେ କାଳେ କେବେ ଭାଓଲିନର ଅନୁପସ୍ଥିତି ବାପା କିମ୍ବା ମାଆ ଦେଖିଦେବେ । ମୋ ସୌଭାଗ୍ୟକୁ ସେମିତି କିଛି ହେଲାନି ଓ ମୋ ଭାଓଲିନ ଶିକ୍ଷା ଜାରିରହିଲା । ଯେତେବେଳେ ମୁଁ ବେଞାମିନଙ୍କ ଠାରୁ ନ ଶିଖୁଥାଏ , ସେତେବେଳେ ଭାଓଲିନ ସେମିତି ସେଇ ଧୁସର କପଡାରେ ଘୋଡା ହେଇ ବାପା ମାଙ୍କ ଘର ଆଲ୍ମାରୀ ରେ ମୁଁ ରଖିଦେଉଥାଏ । ଏମିତି ଏମିତି ନିରାପଦ ରେ ମୋ ଗୋପନ ଅଭିଯାନ ଚାଲିଥିଲା । କିନ୍ତୁ ଅସଲରେ କୌଣସି କଥା ବେଶୀ ଦିନ ଗୋପନ ହେଇ ରୁହେନି । ଦିନେ ନା ଦିନେ ତ ସତ୍ୟ ବାହାରିଆସିବା ବିଧି ନିର୍ଦ୍ଧିଷ୍ଟ ଓ ମୋର ସେମିତି ଗୋପନ ଅଭିଯାନ ବେଶୀଦିନ ଗୋପନୀୟ ହେଇ ରହିଲାନି ।
“ବିକଲାଙ୍ଗ ର ହଜି ଯାଇଥିବା ଅଙ୍ଗ ଫେରିପାଇବା ପରି ଭାଓଲିନ ମୋ ଜୀବନ କୁ ପରିପୁର୍ଣ କରିଦେଲା । ବେଂଜାମିନ ଯାହା ଯାହା ଶିଖାନ୍ତି ମୁଁ ନିଷ୍ଠାରେ , ଅତ୍ୟନ୍ତ ସହଜରେ ସେସବୁ ଶିଖିବାରେ ଲାଗିଲି । ମୋ ଶିକ୍ଷଣ ପ୍ରକ୍ରିୟା ବେଶ ସୁରୁଖୁରୁ ରେ ଆଗେଇ ଚାଲିଲା । ବେଞାମିନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୋର ଆତ୍ମ୍ ବିଶ୍ୱାସ ବି ବଢିବାରେ ଲାଗିଲା ।ଯଦିଓ ମୋ ବାପାଙ୍କ ଭାଓଲିନ ଚମତ୍କାର ବାଜୁଥାଏ, ହେଲେ ମୁଁ ଭାବୁଥାଏ ମୋର ବି ନିଜର ଗୋଟେ ଭାଓଲିନ ହୁଅନ୍ତା କି ଯାହାକୁ ମୁଁ ବଜାନ୍ତି । ମୋର ଏମିତି ଦ୍ରୁତ ଅଗ୍ରଗତି ଦେଖି ବେଞାମିନ ବି ଭାରି ଖୁସି ହେଉଥାନ୍ତି । ସେ ମତେ କହୁଥାନ୍ତି ‘ମତେ କେବେ କେବେ ଲାଗୁଛି ଏଇ ଭାଓଲିନ ତମ ପାଇଁ ତିଆରି ହେଇଚି ପାଓଲୋ , କିମ୍ବା ଏମିତି ବି ହେଇପାରେ ଯେ ତମେ ତା ପାଇଁ ତିଆରି ହେଇଛ । ସେ ଯାହା ବି ହେଉ ତମେ ଦିହେଁ ଦିହିଙ୍କ ପାଇଁ ଯେ ଆସିଛ ସେଥିରେ କିଛି ଅବିଶ୍ୱାସ କରିବାର ନାହିଁ । ‘ ତାଂକ ସାଂଗେ କଟେଇଥିବା ସବୁ ମୂହୁର୍ତ୍ତ ମୋ ପାଇଁ ସ୍ମରଣୀୟ ହେଇ ରହିବ । ଆମେ ହରେକ ଦିନ ଶିଖି ସାରିବା ପରେ ପୋଦିନା ଚା ପିଉ । ସେବେଠୁ ଏଟା ମୋର ଗୋଟେ ଅଭ୍ୟାସ ରେ ପଡି ଯାଇଛି । ମୋର ରିୟାଜ ପରେ ମୁଁ ପୋଦିନା ଚାହା ହିଁ ଖୋଜେ ।
ଦିନେ ଏମିତି ଆମ ଅଭ୍ୟାସ ସରିବା ପରେ ଆମେ ବସି କି ଚାହା ପିଉଥାଉ ସେ ମତେ କେମିତି ଗୋଟେ ଭାରି ସିରିୟସ ହେଇ ଅନେଇ କହିଲେ ‘ ଗୋଟେ କଥା ଜାଣ ପାଓଲୋ , ଏଇ କିଛି ସମୟ ଆଗରୁ ତମେ ଯେମିତି ବଜାଉଥିଲ , ମୋତେ ଲାଗିଲା ସତେକି ମୁଁ ବର୍ଷ ବର୍ଷ ଧରି ତୁମକୁ ଜାଣିଛି । ତମ ସାଂଗିଆ ଲେଭି ରୁ ମୋର ମନେ ପଡିଲା ଜଣେ ଥିଲା ସେ ବି ଠିକ ତମ ପରି ବଜାଉ ଥିଲା ଓ ତାର ବି ସାଂଗିଆ ଲେଭି ଥିଲା , ତମକୁ ଦେଖି ମୋର ତା କଥା ଆଜି ଏତେ ଦିନ ପରେ ମନେ ପଡିଗଲା। ମୋର ଠିକ ମନେ ପଡୁଛି , ସେ ଆମ ଅର୍କେଷ୍ତ୍ରାରେ ସବୁଠୁ ସାନ ପିଲା ଥିଲା , ବଡ ଚମତ୍କାର ସେ ବଜାଉଥିଲା । ହଁ ମନେ ପଡିଲା , ତାକୁ ସମସ୍ତେ ଜିନୋ ଡାକୁଥିଲେ ।‘
’ହଁ ମୋ ବାପାଂକୁ ବି ସମସ୍ତେ ଜିନୋ ଡାକନ୍ତି। ଆପଣ ବୋଧେ ତାଂକ କଥା କହୁଛନ୍ତି , ଆପଣ ବୋଧେ ତାଂକ ସଂଗେ ବଜାଉଥିଲେ । ‘
’ଏମିତି ହେଇପାରିବନି ‘ ବେଞ୍ଜାମୀନ ଦୀର୍ଘଶ୍ଵାସ ପକେଇଲେ l ତାପରେ ଏମିତି ମତେ ଚାହିଁଲେ ସତେକି ମୁଁ ପ୍ରେତ ଟିଏ l ’ଏମିତି କେବେ ବି ସମ୍ଭବ ନୁହେଁ. … ମୁଁ ଯେଉଁ ଜିନୋ ଲେଭି କୁ ଜାଣିଥିଲି ସେ ତ ଏଯାଏ ବଞ୍ଚିରହିବା ଅସମ୍ଭବ, ମୁଁ ଭଲକି ଜାଣିଛି l ଅନେକ ଦିନ ହେଲା ତାର କିଛି ଖୋଜ ଖବର ନାହିଁ. ..ଅନେକ ଅନେକ ଦିନ ହେବ l କିନ୍ତୁ ତମେ ଯେ ସବୁ କଥା ଜାଣି ପାରିବ ସେକଥା ବି ନୁହେଁ l ତମ ବାପାଙ୍କୁ ଭେଟିଲେ କେମିତି ହୁଅନ୍ତା? ଆଉ ତମ ମାଆଙ୍କୁ ବି l ଯେତେବେଳେ କହିବ ଚଳିବ l ସେମାନେ ବି ଜାଣିବା ଦରକାର ଯେ ମାତ୍ର ଛ ମାସ ହେବ ଭାଓଲୀନ ଶିଖୁଥିବା ତାଙ୍କ ପୁଅ ଯେ କେତେ ଚମତ୍କାର ବଜାଉଛି l ‘
‘ନା ଆପଣ ସେମିତି କରିପାରିବେ ନାହିଁ! ‘ମୁଁ ଚିତ୍କାର କରିଉଠିଲି l ‘ ସେମାନେ ସବୁ ଜାଣି ଦେବେ ‘ “ଆପଣ ତାଙ୍କୁ ଜମା ବି ସେକଥା କହିବେନି ” କହିବା ବେଳେ ମୋ ଆଖିରୁ ଧାର ଧାର ହେଇ ଲୁହ ବହି ଯାଉଥାଏ l ତାପରେ ମୁଁ ତାଙ୍କୁ ମୋ ମାଆ ପାଖେ କରିଥିବା ଶପଥ କଥା, ମାଆ କେମିତି ବାପାଙ୍କ ଭାଓଲିନ ମତେ ଦେଖେଇଥିଲା ଓ ଏ ବିଷୟ ରେ ତାଙ୍କୁ କେବେ କିଛି ନପଚାରିବା କଥା କହି ରାଣ ନିୟମ ପକେଇଥାଏ ସେକଥା କହିଲି l ଓ କେମିତି ଏମିତି ଆଜି ଯାଏ ବାପାଙ୍କ ଭାଓଲିନ ଆଣିବା, ତାକୁ ସଜାଡ଼ିବା ଓ ମୋର ଭାଓଲିନ ଶିଖିବା ସବୁକିଛିକୁ ମୁଁ ଗୋପନ କରିରଖିଛି ସେକଥା ବି କହିଲି l
‘ତମେ ଜାଣ ସବୁ ରହସ୍ୟ ହେଉଛି ମିଛ ର ଆଉ ଗୋଟିଏ ନାଁ ’ ବେଞ୍ଜାମିନ କହିଲେ l ‘କିନ୍ତୁ ଆଉ ଗୋଟିଏ କଥା ହେଉଛି ଯେ ତୁମେ ଭଲ ପାଉଥିବା ଲୋକଙ୍କୁ ତ ମିଛ ବିଲକୁଲ କହିବା କଥା ନୁହେଁ l କୌଣସି ପୁଅ ତା ମାଆ ବାପାଙ୍କୁ କିଛି ଲୁଚେଇବା କଥା ନୁହେଁ l ଯଦି ତୁମେ ସତରେ ଆଗକୁ ଭାଓଲିନ ବଜାଇବାକୁ ଚାହୁଁଚ ତାହେଲେ ଏ ଗୁପ୍ତ କଥା କୁ ତମେ ସଭିଙ୍କୁ କହିବା ଦରକାର l ଯଦି ତମେ ମୋଠୁ ଶିଖିବାକୁ ଚାହୁଁଛ ତେବେ ତ ତମକୁ ନିଶ୍ଚିତ କହିବାକୁ ପଡିବ l ଆଉ ଏସବୁ କଥା ସେତିକିବେଳେ କହିବା ସବୁଠୁ ଉପଯୁକ୍ତ ଯେତେବେଳେ ତମେ ନିଜେ କହିବାକୁ ଚାହଁନି l ‘
’ଆପଣ ମୋ ସଂଗେ ଯିବେ କି ,କେବଳ ଆପଣ ଗଲେ ମୁଁ ସେମିତି କରିପାରିବି l ‘ ମୁଁ କାକୁତିମିନତୀ ହେଲି l
’ହଉ ଠିକ ଅଛି ‘ ସେ କହିକି ଟିକେ ହସିଲେ l
ଗୋଟିଏ ହାତ ରେ ବାପାଙ୍କ ଭାଓଲିନ ଆର ହାତରେ ମୋ ଆଙ୍ଗୁଠି ଧରି ସେଠୁ ପୁରା ଡେରସୋଡେରୋ ଯାଏଁ ବେଞ୍ଜାମୀନ ମତେ ଧରିକି ଆଣିଲେ l କଣ କହିବି. କେମିତି କହିବି ଭାବି ମତେ ଭୟ ଲାଗୁଥାଏ l ରାସ୍ତା ସାରା କଣ କଣ କହିବି ସେକଥା ମୁଁ ଅଭ୍ୟାସ କରି କରି ଆସୁଥାଏ l ଆମେ ପହଁଚିଲା ବେଳକୁ ବାପା ଆଉ ମାଆ ଉପର ରୋଷେଇ ଘରେ ଥାଆନ୍ତି l ମୁଁ ସେମାନଙ୍କ ପାଖେ ବେଞ୍ଜାମୀନଙ୍କୁ ନେଇ ଚିହ୍ନା କରେଇଲି l ମୁଁ ସେମାନଙ୍କୁ କଛି କହିବା ପୂର୍ବରୁ ଯେ ମୁଁ ଖାଲି ଯାହା ବାପାଙ୍କ ଭାଓଲିନ ଟା ସଜାଡି ବାକୁ ଆଣିଥିଲି, ତାପରେ କେତେବେଳେ କେମିତି ଇଛା ହେଲେ ବଜେଇଥାନ୍ତି ଇତ୍ୟାଦି କହିବା କଥା ଭାବୁଥାଏ । କିନ୍ତୁ ସେମାନେ ବିଲକୁଲ ନ ରାଗିବା ଦେଖି ମୁଁ କାବା ହେଇ ଚାହିଁ ଥାଏ । ସତ କହିବାକୁ ଗଲେ ସେମାନେ ମତେ ବିଲକୁଲ ଦେଖୁ ନଥାନ୍ତି । ସେମାନେ ନିର୍ବାକ ହେଇ ବେଂଜାମିନ କୁ ଚାହିଁଥାଂତି । ସେମାନେ କିଛି କହିବା ପୁର୍ବରୁ ବେଞ୍ଜମିନ ଆଗ କହିଲେ ‘ତୁମ ବାପା , ମା ଓ ମୁଁ …ମତେ ଲାଗୁଚି ଆମେ ପରସ୍ପର କୁ ଜାଣିଛେ’ , ‘ଆମେ ବୋଧେ ସାଂଗ ହେଇ ବଜାଉଥିଲେ..ନୁହେଁ , ମୋ କଥା ମନେଅଛି ଜିନୋ ?’
‘ବେଂଜାମିନ୍…?’ ବାପାଂକ ଦୃଷ୍ଟି ତାଂକର ପାଦରୁ ମୁଣ୍ଡ ଯାଏଁ ପହଁରିଆସିଲା ।
‘ଆଉ ଯଦି ମୁଁ ଭୁଲ ନକରୁଥାଏ , ତମେ ସେଇ ଆମ କୁନି ଝିଅ ଲରା ଆଲ୍ଡର ନା ?’ ବେଂଜାମିନ ମା କୁ ଅନେଇ କହିଲେ । ‘ ଆମେ ସମସ୍ତେ କେବେ ଏକାଠି ଭାଓଲିନ ବଜାଉଥିଲେ , ଆଜି ସେଇ ଭାଓଲିନ ଆମକୁ ଏକାଠି କରିଛି …. କି ଆଶ୍ଚର୍ଯ୍ୟ … କି ଆଶ୍ଚର୍ଯ୍ୟ !’
‘ ତାପରେ ଯାହା ହେଲା ମୋର କାଲି ଭଳିଆ ମନେ ଅଛି..ସେମାନେ ସମସ୍ତେ ଆଉ କେହି କିଛି ନକହି ..ନିଜ ନିଜ ବାହୁ ରେ ପରସ୍ପର କୁ ବେଢେଇଧରି ..,ହସୁ ହସୁ କାନ୍ଦୁ ଥାନ୍ତି ଓ କାନ୍ଦୁ କାନ୍ଦୁ ହସୁଥାନ୍ତି ‘ ମୁଁ କାବା ହେଇ ଅନେଇଥାଏ । ସେମାନଙ୍କ କଥାରୁ ମୁଁ ଯାହା ଠଉରେଇଲି ସେଥିରୁ ଏତିକି ଜାଣିଲି ମୋ ମାଆ ବି ଭାଓଲିନ ବଜେଇ ଜାଣିଛି ! ସେ ମତେ କେବେ ତାହା କହିନଥାଏ !
‘ପାଓଲୋ …ତମର ମନେଅଛି ..’ ବେଂଜାମିନ କହୁଥାଂନ୍ତି ‘ତମର ମନେଅଛି ମୁଁ ତମକୁ ଥରେ କୋଉଗୋଟେ କଥାରେ କହୁଥିଲି ଏ ସଂସାରଟା ବଡ ଚମତ୍କାର ବୋଲି…ଭାବ ଆଜିକୁ କୋଡିଏ ବର୍ଷ ତଳେ ତମ ମା ଓ ବାପାଙ୍କୁ ମୁଁ ଭେଟିଥିଲି । ମୁଁ ବିଲକୁଲ ଭାବି ନଥିଲି ସେମାନେ ବଞ୍ଚିରହିଥିବେ ।ଯଦିଓ କୌଠି ନା କୋଉଠି ମୋର ମନ …ନା ଏମିତି ଭିତରେ ଆଶା ରହୁଥିଲା ପ୍ରେମପକ୍ଷୀ ହଳକ ବଂଚିଥାଂତୁ ଭଲା , ଏକାଠି ଥା ନ୍ତୁ ଭଲା…ମୁଁ ଆଜି ସତରେ ବିଶ୍ୱାସ କରିପାରୁନି ..ସତରେ ।’
‘ମା ତା ଆପ୍ରନ ରେ ଆଖି ପୋଛୁଥାଏ ..ବାପା ଏତେ ଭାବପ୍ରବଣ ହେଇଯାଇଥାନ୍ତି ଯେ ସେ କିଛି କହିପାରୁନଥାନ୍ତି । ସେମାନେ ଟେବୁଲ ଚାରିପାଖେ ବସିଲେ । ପରସ୍ପର ର ହାତ ଏମିତି ମୁଠେଇଧରି ଥାନ୍ତି ଯେ ଲାଗୁଥାଏ ସେମାନେ ତାଂକର ଏପରି ଭେଟ ହେବା ଏକ ବାସ୍ତବ ଘଟଣା , ତାକୁ ତୁଚ୍ଛା ସ୍ବପ୍ନରେ ପରିଣତ ହେବାକୁ ଦେବେନି ବୋଲି ସ୍ଥିର କରିଥାନ୍ତି ।’
ବେଂଜାମିନ ପ୍ରଥମେ ନିଜକୁ ପ୍ରକୃତିସ୍ଥ କରି ଆରମ୍ଭ କଲେ ‘ ପାଓଲୋ ତମ ମାନଙ୍କୁ କିଛି କହିବାକୁ ଚାହୁଁଛି , ନୁହେଁ ପାଓଲୋ ?’ ତାପରେ ମୁଁ ସେମାନଙ୍କୁ ସବୁକିଛି କହିବାରେ ଲାଗିଲି l କେମିତି ଆମର ଭେଟ ହେଲା । କେମିତି ମୁଁ ବେଞ୍ଜାମିନଙ୍କ ପାଖେ ଗୋପନ ରେ ଭାଓଲିନ ଶିଖିବା ଆରମ୍ଭ କରିଛି , ଓ ବେଂଜାମିନଂକ ଭଳିଆ ଗୁରୁ ଦୁନିଆରେ ବିରଳ ..ଇତ୍ୟାଦି ଇତ୍ୟାଦି …’ମୋର ଯେତବେଳେ ସରିଲା ମୁଁ ତ୍ରସ୍ତ ହେଇ ମୋ ବାପା ମାଆଙ୍କୁ ଅନେଇଲି । କୌଣସି କ୍ରୋଧ କିମ୍ବା ଘୃଣା ପରିବର୍ତେ ସେମାନଙ୍କ ଆଖି ଖୁସି ଓ ସନ୍ତୋଷ ରେ ଚିକଚିକ କରୁଥାଏ ।
‘ମୁଁ ତମକୁ କହୁନଥିଲି …ଦିନ ଆସିବ ପାଓଲୋ ଆମକୁ ଆସିକି ନିଜେ କହିବ , କହୁନଥିଲି ସେ ପର୍ଯ୍ୟନ୍ତ ଆମକୁ ତା ଉପରେ ଭରଷା ରଖିବାକୁ ପଡିବ । ବୁଝିଲୁ ପାଓଲୋ , ତୁ ଜାଣିନଥିବୁ , ମୁଁ ସବୁଦିନ ଭାଓଲିନ କୁ ତଳକୁ ଆଣି ଟିକେ ଦେଖେ , ଛୁଏଁ । ଯଦିଓ ତୋ ବାପା ଏହା ପସନ୍ଦ କରଂତିନାହିଁ କିଂତୁ ସେ କିଛି ଖରାପ ବି ଭାବନ୍ତି ନାହିଁ କାରଣ ଏଇ ଭାଓଲିନ ହେଉଛି ମୋର ସବୁଠୁ ପୁରୁଣା ସାଂଗ , ମୁଁ ବହୁତ ଭଲ ପାଏ , ଏହା ମୋର ଅସ୍ତିତ୍ୱ ର ଗୋଟେ ଅଂଶ । ତୋର ମନେ ଅଛି ମୁଁ ଯେବେ ତତେ ଏଟା ଦେଖେଇଥିଲି । ତାର ଅଲ୍ପ କେଇଦିନ ପରେ ମୁଁ ଦେଖିଲି ସେଟା ସେଠି ନାହିଁ , ନୁହେଁ ? ମୁଁ ଜାଣିଥିଲି ତାହା ତୋ ପାଖରେ ହିଁ ଥିବ । କିଛି ଦିନ ପରେ ଦେଖିଲି ଅଦ୍ଭୁତ ଭାବେ ତାହା ମରାମତି ହେଇ ଥୁଆ ହେଇଚି । ତାପରେ ଦେଖିଲି ସ୍କୁଲ ସରିଲା ପରେ ତୁ ଘରେ ରହୁନାହୁଁ । ତୁ ନଥିଲା ବେଳେ ସେ ଭାଓଲିନ ବି ନଥାଏ । ମୁଁ ତୋ ବାପାଙ୍କୁ ସେତେବେଳେ କହିଥିଲି …ନୁହେଁ ..? କହିଥିଲି ଯେ ଦିନ ଆସିବ ତୁ ଯେତେବେଳେ ପୁରା ପ୍ରସ୍ତୁତ ହେଇଯିବୁ ଆମକୁ କହିବୁ । ଆମକୁ ଲାଗୁଥିଲା ତୁ ବୋଧେ କୋଉଠି ଯାଇ ନିଜେ ନିଜେ ଅଭ୍ୟାସ କରୁଛୁ । କିନ୍ତୁ ଆମକୁ ଜଣା ନଥିଲା ଯେ ତୁ ୟା ଭିତତେ ବିଧିବଦ୍ଧ ଭାବେ ଶିକ୍ଷା ନେବା ଆରମ୍ଭ କଲୁଣି ବୋଲି …ତା ପୁଣି ତାଙ୍କ ପାଖେ ଯିଏ କେବେ ଆମକୁ କେବେ ଶିଖେଇଥିଲେ ଓ ଏକଦା ବାପ ପରି ଆମକୁ ପାଳିଥିଲେ’ ମା କହୁ କହୁ ବାପାଙ୍କ କାନ୍ଧରେ ମୁଣ୍ଡ ରଖି ଆଉଥରେ କାନ୍ଦି ପକେଇଲା ।
‘କିନ୍ତୁ ତମେ ତ କହିଥିଲ ଯେ ଏହା ବାପାଙ୍କ ଭାଓଲିନ ବୋଲି ଯାହାକୁ ସେ ପରିତ୍ୟାଗ କରିଦେଇଚନ୍ତି ଓ ସେ କେବେବି ଆଉ ବଜେଇବାକୁ ଚାହନ୍ତିନାହିଁ ?’ ମୁଁ ପଚାରିଲି ।
‘ଏଇ କଥା ପଦକରେ ସେମାନେ ସମସ୍ତେ ପରସ୍ପରକୁ ଚାହିଁଲେ ସତେକି ସେଇ ରହସ୍ୟଟି ତିନିଜଣଂକୁ ଜଣା । ଓ ପଦୁଟିଏ କଥା ନକହି ସେମାନେ ଆଖିଠାର ରେ ପରସ୍ପରକୁ ସଂକେତରେ ପଚାରୁଥାନ୍ତି ଯେ ସେଇକଥାଟି ପ୍ରଘଟ କରା ହେବ କି ନାହିଁ ଉଚିତ ସମୟ କି ନୁହେଁ । ମୁଁ ପରେ ସବୁବେଳେ ଭାବିଛି ଯେ ଯଦି ସେଦିନ ବେଂଜାମିନ ନଆସି ଥାନ୍ତେ ତାହେଲେ ସେମାନେ କଣ ମତେ ସେ ରହସ୍ୟ କହିଥାନ୍ତେ ? ସେମାନେ ବାପାଙ୍କୁ ଚାହିଁଲେ ସତେକି ଶେଷ ନିଷ୍ପତି ସେ ହିଁ ନିଅନ୍ତୁ ବୋଲି,ତେଣୁ ବାପା ମତେ ଡାକି ଟେବୁଲ ପାଖେ ବସେଇଲେ। ଓ ସେଇ ମୁହୂର୍ତ ରେ , ବାପା ଆରମ୍ଭ କରିବା ଆଗରୁ ଜାଣିଗଲି ଯେ ଏବେ ସେଇ ରହସ୍ୟ ଜାଣିବାରେ ମୁଁ ସେମାନଂକ ସାଂଗେ ଯୋଡିହେଇ ଗଲି ।
ବାପା ଆରମ୍ଭ କଲେ -‘ତୋ ମା ଓ ମୁଁ, ଆମେ ନିଷ୍ପତି ନେଇଥିଲୁ ଯେ ଆମେ ବଞ୍ଚିଥିବା ଯାଏଁ ଏକଥା କେବେ ବି ଆଉ ମନେପକେଇବୁ ନାହିଁ । କାରଣ ଏଇ ସ୍ମ୍ରୁତି ଆମ ପାଇଁ ଦୁଃସ୍ୱପ୍ନ ଛଡା ଆଉ କିଛି ନୁହେଁ , ଯାହାକୁ ଆମେ ଭୁଲିଯିବାକୁ ଚାହିଁଥିଲୁ । ହେଲେ ଯେହେତୁ ଆଜି ତୁ ତୋର ରହସ୍ୟ କଥା ଆମ ଆଗେ କହି ସାରିଲୁଣି ତେଣୁ ଭାବୁଛି , ଏଇଟା ହିଁ ପ୍ରକୃଷ୍ଟ ସମୟ ସତ କଥା କହିଦେବା ପାଇଁ । ସତ କଥା .. ଖାସ ଆଉ ଗୋଟେ ସତ କଥା ଦାୟ ରେ ‘
‘ ତାପରେ ମୁଁ ମୋ ଜୀବନ ରେ ଶୁଣିଥିବା ସବୁଠୁ କରୁଣ ଅଥଚ ସୁଖଦ କାହାଣୀ ଶୁଣିଲି । ଯେତେବେଳେ ଏଇ କାହାଣି ସେମାନେ କହୁଥିଲେ …ତାର ଦୁଃଖଦ ବର୍ଣନା ସେମାନେ ଜଣେ ପରେ ଜଣେ କହୁଥିଲେ । ମୁଁ ତ୍ରସ୍ତ ହେଇ ଶୁଣୁଥାଏ । ଓ ସେ ସମୟରେ ସେମାନେ ମତେ ଏମିତି କଥା ଜଣେଇବା ପାଇଁ ଯୋଗ୍ୟ ବିବେଚନା କରିଥିବା ପାଇଁ ମୁଁ ମଧ୍ୟ ଗର୍ବ ଅନୁଭବ କରୁଥାଏ । ସେଇ କାହାଣୀ ସେମାନଙ୍କ ଜୀବନ କାହାଣୀ । ସମସ୍ତେ ନିଜ ନିଜ ଅଂଶ ବଡ ଯତ୍ନ ସହକାରେ କହୁଥାନ୍ତି , କେମିତି କଣ ସବୁ ଘଟିଲା …କଣ କଣ ହେଇଥିଲା … ଯେମିତି ମୋ ଭଳିଆ ଗୋଟେ ନଅ ବର୍ଷର ବାଳକ କୁ ବୁଝିବାରେ ବେଶି ଅସୁବିଧା ହେବ ନାହିଁ । ନଅ ବର୍ଷର ବାଳକ କେତେ ବା ଜାଣେ ସଂସାରର କ୍ରୁରତା ବାବଦ ରେ ?ସେମାନେ କହିଥିବା ଶବ୍ଦସବୁ ,ବାକ୍ୟ ସବୁ ମୋର ମନେଥାନ୍ତା କି । ମୋର ଆଜି ମନେ ନାହିଁ । ମୁଁ ସେମିତି ବାଗରେ ମନେ ରଖିବାକୁ ଚେଷ୍ଟା ବି କରିନାହିଁ । ତେଣୁ ମୁଁ ତୁମକୁ ସେମାନଙ୍କ କାହାଣୀ ମୋ ବାଗ ରେ କହିବି , କେମିତି ସେମାନେ ସାଂଗ ହେଇ ବଞ୍ଚିଥିଲେ…କେମିତି ଏକଦା ତା ମରୁ ମରୁ ସଂଗୀତ ସେମାନଂକୁ ବଂଚେଇ ଦେଇଥିଲା ।
‘ତିନି ଜଣ ଯାକ ଇଉରୋପ ର ଅଲଗା ଅଲଗା ଯାଗାରୁ ଟ୍ରେନ ରେ ବୁହା ହେଇ ନାଜି ମରଣ ଖାଉଡ (କନସେନଟେସନ କ୍ୟାମ୍ପ୍) କୁ ଆସିଥାଂତି , ବେଂଜାମିନ ପ୍ୟାରିସ ରୁ , ମା ୱାର୍ସ୍ୱ ରୁ ଆଉ ବାପା ଭେନିସ ରୁ ଯାଇଥାନ୍ତି ।ସମସ୍ତେ ସଂଗୀତକାର । ସମସ୍ତେ ଇହୁଦୀ । ଆଉ ଅନ୍ୟ ଲକ୍ଷ ଲକ୍ଷ ଇହୁଦୀଂକ ପରି ସମସ୍ତଙ୍କୁ ନିଆ ହେଇଥାଏ ମରଣ ଖାଉଡ ରେ ପୁରେଇ ମାରିବା ପାଇଁ । କ୍ୟାମ୍ପ ରେ ପହଞ୍ଚୁ ପହଞ୍ଚୁ ସେମାନଙ୍କୁ ଗୋଟେ ନାଜି ଅଫିସର ଯେବେ ପଚାରିଥାଏ କିଏ ଅଛ ଯିଏ କୌଣସି ବାଦ୍ୟ ଯନ୍ତ୍ର କୁଶଳରେ ବଜେଇଜାଣ ବୋଲି , ଏମାନଂକର ପ୍ରତ୍ୟୁତ୍ତର ‘ହଁ’ ଏମାନଙ୍କୁ ବଞ୍ଚେଇରଖିଥାଏ | ‘ତମ ମାନଙ୍କ ଭିତରୁ ଏମିତି କିଏ ଅଛି କି ଯିଏ ଅର୍କେଷ୍ଟ୍ରା ରେ କୌଣସି ବାଦ୍ୟ ଯନ୍ତ୍ର ବଜେଇପାରିବ ?’ କିଏ ଜାଣିଥିଲା ପିଲା ପରିବାର ଠାରୁ ଅଲଗା ହେଇ ମରଣଜନ୍ତା କୁ ଠେଲି ହେବାକୁ ଯାଉଥିବା ବେଳେ ସେମାନେ କି ଜାଣିଥିଲେ ଏ ପ୍ରଶ୍ଣର ଉତ୍ତର ରେ ସହମତି ଜଣାଇ ଆଗକୁ ପାଦ ବଢେଇ ଆସିବା ପରେ ଜୀବନ କୋଉ ମୋଡ ନେବ ବୋଲି ?
‘ ତାପରେ ସେମାନଂକୁ ସଂଗୀତ ଜାଣିଥିବାର ସାକ୍ଷାତକାର ଦେବାକୁ ତ ପଡିଲା , ଓ ଏବେଳକୁ ସେମାନେ ଜାଣି ଗଲେ ଯେ ଏବେ ସେମାନେ ଖାସ ନିଜ ଜୀବନ ଦାୟରେ ବାଦ୍ୟ ଯନ୍ତ୍ର ବଜେଇବେ । ତାପରେ ଯେତେବେଳେ ଅଭ୍ୟାସ ଶିବିର ହେଲା ସେତେବେଲେ ସେଇ ତିନିଜଣ ପରସ୍ପର କୁ ପ୍ରଥମ ଥର ପାଇଁ ଭେଟିଲେ । ବେଂଜାମିନ ମୋ ବାପା ମାଆଙ୍କ ଠୁ ସେତେବେଳକୁ ତିରିଶ ବର୍ଷ ବଡ ।ମୋ ବାପା , ମାଆ କହିବାକୁଗଲେ ଅର୍କେଷ୍ଟ୍ରା ଦୁନିଆରେ ବାଳୁତ ପିଲା । ଦିହିଁଂକ ବୟସ କୋଡିଏ ପାଖାପାଖି । ନା ସେମାନେ ଜାଣିଥାନ୍ତି ଯେ କାହିଁକି ଏ ଅର୍କେଷ୍ଟ୍ରା ନା ଜାଣିଥାନ୍ତି ଯେ କାହା ପାଇଁ ସେମାନଙ୍କର ଏତେ ଅଭ୍ୟାସ । ପଚାରି କି ବୁଝିବା କି ବିପଦଜନକ । ସେତେବେଳକୁ ସେମାନେ ବୁଝିଯାଇଥାନ୍ତି ଯେ କ୍ୟାମ୍ପ ରେ ବଞ୍ଚି ରହିବା ହି ସବୁଠୁ ଗୁରୁତ୍ୱପୁର୍ଣ । ସେତେବେଳେ ସେମାନଂକୁ ମୋଜାର୍ଟ ବଜେଇବାକୁ ଆଦେଶ ଦିଆଯାଉ ଥାଏ। ସେମାନେ ମୋଜାର୍ଟ ଂକ ଅନେକ କମ୍ପୋଜିସନ ବଜାଉଥାନ୍ତି । ଖୁବ ବଜଉଥାନ୍ତି । ସବୁ କିଛି ସୁଖଦ ଓ ଲଘୁ ସଂଗୀତ ପର୍ଯ୍ୟାୟର ବଜେଇବାକୁ ପଡୁଥାଏ । ସେଥିରେ ପୁଣି ନାଚ , ଗୀତ ଆଉ କେତେ କଣ ହେଉଥାଏ । କେବେ କେବେ ଖାଦ୍ୟାଭାବ ରୁ , ଅସୁସ୍ଥତା ରୁ କିମ୍ବା ପ୍ରଚଣ୍ଡ ଥଣ୍ଡା ରୁ ଭାଓଲିନ ବଜେଇବା ଏମିତି କଷ୍ଟକର ହେଇପଡେ ଯେ ଆଂଗୁଠି ବଧିରା ହେଇଯାଏ , ଅଛି କି ନାହିଁ ଜଣାପଡେ ନାହିଁ । କିନ୍ତୁ ସେ ସମୟରେ ନିଜ ଅସୁସ୍ଥତା କୁ ଲୁଚେଇରଖିବାକୁ ପଡେ । କାରଣ ତମେ ରୋଗୀଣା ଅଛ ଜଣା ପଡିଲା ମାତ୍ରେ ଜାଣ ମୃତ୍ୟୁ ସୁନିଶ୍ଚିତ । ପ୍ରହରୀ ମାନେ ସବୁଦେବେ କୁକୁର ପରି ନିଘା ରଖୁଥାନ୍ତି । ଆଉ ସମସ୍ତେ ଜାଣି ଥାନ୍ତି ଯେ ସେମାନେ ଖାଲି ଓର ଉଣ୍ଡୁଥାନ୍ତି କିଏ ତା ଭିତରୁ ଭଲ ନବଜେଇବ ତା କଥା ବୁଝିବେ ବୋଲି ।’
‘ବାପା କହୁଥାନ୍ତି ଯେ ପ୍ରଥମେ ପ୍ରଥମେ ତାଙ୍କୁ ନାଜି ମିଲିଟାରୀ ଅଫିସରଙ୍କ ପାଇଁ ବଜେଇବାକୁ ପଡୁଥିଲା । ବାସ ସେମାନଙ୍କ ଆଗରେ ବଜେଇବାର ଏକମାତ୍ର ଉପାୟ ହେଲା , ସଂଗୀତ ଭିତରେ ନିମଗ୍ନ ରହି ନିଜ ଅସ୍ତିତ୍ୱ କୁ ଭୁଲିଯିବା । ଏମିତିକି ସେମାନେ ତମେ ବଜେଇ ସାରିବା ପରେ ଯେତେବଳେ ତାଳି ମାରିବେ ସେମାନଂକୁ ମୁଣ୍ଡ ଉଠେଇ ନଚାହିଁବା ଦରକାର । ‘ଆମେ ପୁରା ମନପ୍ରାଣ ଦେଇ ବଜାଉଥାଉ । ପ୍ରତିଟି ବଜେଇବା ସେଇ ଥରକ ପାଇଁ ଆମର ସବୁଠୁ ଶ୍ରେଷ୍ଠ ବଜେଇବା ହେଉଥାଏ । ଆମେ ସେମାନଙ୍କୁ ବିଲକୁଲ ଖୁସି କରିବା ପାଇଁ ବଜାଉ ନଥନ୍ତି । ଓଲଟି ଆମେ ଦେଖେଇ ଦେବାକୁ ଚାହୁଁଥାଉ ଯେ ଯେତେ ବି ଆମ ଦେହ , ଆତ୍ମା ଉପରେ ଅତ୍ୟାଚାର କଲେ ବି ଆମେଏତେ ଶୀଘ୍ର ମୁଣ୍ଡ ନୋଇଁବୁ ନାହିଁ । ସେମାନଙ୍କ ସଂଗେ ଲଢିବା ପାଇଁ ସଂଗୀତକୁ ହିଁ ଆମେ ଏକମାତ୍ର ଅସ୍ତ୍ର ବାଛିଥାଉ । ‘ ବାପା. କହୁଥାନ୍ତି l
‘ବାପାଂକୁ ପୋଲିଶ ଭାଷା ମାଲୁମ ନଥାଏ କି ମାଆ କୁ ଈଟାଲୀୟ ଭାଷା । କିନ୍ତୁ ବଜେଇବା ବେଳେ ସେମାନେ ଯେତେ ପାରେ ସେତେ ପରସ୍ପରର ଆଖିରେ ଆଖି ମିଳେଇ ବଜାନ୍ତି ।ମାଆ କହିଲା , ସେତେବେଳେ ପ୍ରଥମେ ଆମେ ସେମିତି କରୁଥିଲୁ ଯାହା ଫଳରେ ଆମେ ସଂଗୀତ କଣ ବଜେଇବୁ ବୁଝିପାରିବୁ , କିନ୍ତୁ କିଛି ଦିନ ଗଲା ପରେ ଆମେ ଆବିଷ୍କାର କଲୁ ଆମେ ଦୁହେଁ ପ୍ରେମ ରେ ପଡିସାରିଛୁ । ପୁରା ଅର୍କେଷ୍ଟାରେ ସମସ୍ତେ ଏକଥା ଜାଣି ସାରିଥିଲେ । ସଭିଏଁ ଆମକୁ ‘ପ୍ରେମପକ୍ଷୀ‘ ଡାକୁଥାନ୍ତି । ବେଂଜାମିନ କହୁଥାନ୍ତି ପୁରା ଅର୍କେଷ୍ଟାରେ ସଭିଏଁ ଏ ଦି ଜଣଙ୍କ ଭବିଷ୍ୟତ ପାଇଁ ଆଶା ରଖିଥାନ୍ତି l ଚାରିପାଖ ର ଏ ପ୍ରକାର ବିଭିଷୀକାମୟ ସମୟରେ ପ୍ରେମ ହିଁ ଏକମାତ୍ର ଉପଶମ ଥିଲା ସେମାନଙ୍କୁ ସବୁକିଛି ଭୁଲି କି ବଞ୍ଚିଯିବା ପାଇଁ । ସେମାନଙ୍କ ର ପ୍ରେମ ଏତେ ତୀବ୍ର ଥିଲା , ଏତେ ଗଭୀର ଥିଲା ଯେ ପୁରା ଖାଉଡ ରେ (କ୍ୟାମ୍ପ୍ ରେ ) ସେ ଦିହିଁକୁ ସମସ୍ତେ ରକ୍ଷା କରିବାରେ କେବେ ହେଳା କରୁନଥିଲେ ସେଥିପାଇଁ ଆଉଗୋଟେ ପ୍ରକାର ଅଡୁଆ , ଲଜ୍ଜାକର ପରିସ୍ଥିତି ଉପୁଜୁଥିଲା , ଯେତେବେଳେ ଅନ୍ୟ ମାନେ ଭୋକିଲାଥିଲା ବେଳେ ବି , ସମସ୍ତେ ଚାହୁଁ ଥିଲେ ଏ ଦି ଜଣଙ୍କ ପେଟ କେମିତି ପୁରିଯାଉ , ଆଉ କିଏ ପଛେ ଗ୍ୟାସ ଚାମ୍ବର କୁ ଯାଉ କିନ୍ତୁ ଏ ଦିହେଁ କିମିତି ଯିବେନି ସେଥିପ୍ରତି ସମସ୍ତେ ଯତ୍ନବାନ ଥିଲେ ।ସେଥିପାଇଁ ମୋ ବାପା,. ମାଆ ସବୁ ନିଜକୁ ଦୋଷୀ ଭାବୁଥିଲେ । ଆଉ ଯୋଉଦିନ ସେମାନେ ଅର୍କେଷ୍ଟ୍ରା ରେ ଅଭ୍ୟାସ କରିବାର ପ୍ରକୃତ କାରଣ ଜାଣିଲେ ସେଦିନ ସେମାନଙ୍କର ଦୋଷୀ ଭାବ କାହିଁ କେତେ ହଜାର ଗୁଣରେ ବଢି ଗଲା। ଯେତେବେଳେ ସେମାନେ ଜାଣିଲେ ଯେ ସେମାନେ ଗୋଟେ ବିରାଟ ଭୟଙ୍କର ଘଟଣା ର ଅଂଶ ଭାବେ ନାଜି ଅଫିସର ମାନଙ୍କ ଆଗରେ ସଂଗୀତ ପରିବେଷଣ କରୁଥିଲେ “
‘ଗୋଟେଦିନ ସକାଳୁ ସକାଳୁ -ସେଦିନ ପ୍ରବଳବରଫ ପଡିଥାଏ, ଅର୍କେଷ୍ଟ୍ରା ଦଳର ସମସ୍ତଙ୍କୁ କୁହାଗଲା ବାଦ୍ୟ ଯନ୍ତ୍ର ସହ ବାହାରକୁ ଆସି ଏକାଠି ହେବା ପାଇଁ ।ସମସ୍ତଙ୍କୁ କ୍ୟାମ୍ପ ଗେଟର ପାଖରେ ବସେଇଦିଆ ଗଲା ଓ ଆଦେଶ ଦିଆ ଗଲା ପାଖାପାଖି ହେଇ ବସି ବଜେଇବା ଆରମ୍ଭ କରିବା ପାଇଁ । କିଛି ସମୟ ପରେ ଗୋଟେ ଟ୍ରେନ ଆସି ରହିଲା । ବଗିରେ ଇହୁଦି ବନ୍ଦୀ ଭର୍ତି ହେଇ ଆସିଥାନ୍ତି । ସମସ୍ତେ ଓଲ୍ହେଇ ଗଲାପରେ , କୁହଗଲା ଧାଡିରେ ଛିଡା ହେବା ପାଇଁ । ଓ ତାପରେ ସେମାନଙ୍କ ଭିତରୁ ଯେଉଁ ମାନେ ବୃଦ୍ଧ କିମ୍ବା ରୁଗଣ ସେମାନଙ୍କୁ ଅଲଗା କରାଗଲା ଓ , ସୁସ୍ଥ ସବଳ ଥିବା ମାନଙ୍କୁ ଆଉ ଗୋଟିଏ ଧାଡିରେ ଅଲଗା କରାଗଲା । ଏମାନଙ୍କର ବଜେଇବା ସମୟରେ , ତାଙ୍କ ସାମ୍ନା ଦେଇ ରୁଗଣ , ଦୁର୍ବଳ ଓ ବୟସ୍କ ମାନଙ୍କୁ କୁହାଗଲା ଗାଧୁଆଘର ବ୍ଲକ ଯିବା ପାଇଁ । ଆଉ ଯେଉଁମାନେ ସୁସ୍ଥ ସବଳ ଥିଲେ ସେମାନଙ୍କୁ ରହିବା କୁଡିଆ ଆଡକୁ ନିଆ ଗଲା । ଏ ସବୁ ଭିତରେ ମା , ବାପା, ବେଂଜାମିନ ଓ ଅନ୍ୟମାନେ ମୋଜାର୍ଟଙ୍କ ସଙ୍ଗୀତ ବଜେଇବା ଜାରି ରଖିଥାନ୍ତି । ଯେଉଁ ପ୍ରକାର ଥଣ୍ଡା ଆତଙ୍କର ବ୍ୟୁହ ରଚନା କରାଯାଇଥିଲା କିଛି ସମୟ ପରେ ତାହା ବୁଝିବାରେ ଅଛପା ରହିଲାନାହିଁ । ସେମାନେ ସେତେବେଳ କୁ ଜାଣିସାରିଥିଲେ ନୁଆ ଟ୍ରେନ ରେ ଯେ ଆସୁଥିବା ପ୍ରତିଟି ଇହୁଦୀ ମାନଙ୍କର ଅବସ୍ଥା କଣ ହେବାକୁ ଯାଉଛି । ଓ ସେମାନେ ସେଇ ପୁରା ଘୃଣ୍ୟ କାରବାର ର ଗୋଟେ ଅଂଶ ପାଲଟିଯାଇଛନ୍ତି । ଏବଂ ଆଉ ସେମାନଙ୍କ ବୁଝିବାରେ ବାକିରହିଲାନି ଯେ ବନ୍ଦୀ ମାନଙ୍କୁ ଯେଉଁ ଗାଧୁଆ ଘର ବ୍ଲକ ଯିବାକୁ କୁହା ଯାଉଛି ତାହା ଗ୍ୟାସ ଚାମ୍ବର ଛଡା ଆଉକିଛି ନୁହେଁ ବୋଲି । ‘
‘ଦିନ ପରେ ଦିନ , ମାସ ପରେ ମାସ ସେମାନେ ସେମିତି ବଜେଇ ଚାଲିଲେ । ଟେନ ଆସୁଥାଏ …ଟେନ ଯାଉଥାଏ..ସେମାନେ ନିରନ୍ତର ବଜେଇ ଚାଲିଥାନ୍ତି । ଏବଂ ସେଇ ଗ୍ୟାସ ଚାମ୍ବର ସଂଯୁକ୍ତ ଚିମନୀ ରୁ ଚବିଶ ଘଣ୍ଟା ଧୁଆଁ କୁହୁଳୁ ଥାଏ । ଚାରିପାଖ ର ବାୟୁ ରେ ଶବ ପୋଡା ଗନ୍ଧ ରେ ଭରି ଯାଇଥାଏ। ସେଇ ଦିନ ଯାଏ ସେମାନେ ବଜେଇଲେ ନାହିଁ ଯେବେ ଆଉ ଟ୍ରେନ ଆସିଲା ନାହିଁ ଓ ସେମାନଙ୍କୁ ମୁକ୍ତ କରିଦିଆ ଗଲା । ବେଂଜାମିନ ମୋ ବାପା ମାଆଙ୍କୁ ଦେଖିବା ସେଇ ଜାଣ ଶେଷଥର । ସେମାନେ ଏ ପ୍ରକାର ଆତଙ୍କ ଦେଖି ଏମିତି ଡରି ଯାଇଥିଲେ ଯେ ଭାବୁଥିଲେ ଯେ ସେମାନେ ଆଉ ବୋଧେ ବଞ୍ଚିବେନି । କିନ୍ତୁ ସେମାନେ ବଞ୍ଚି ରହିଲେ । ମା ଓ ବାପା କ୍ୟାମ୍ପରୁ ସାଂଗ ହେଇ କି ବାହାରି ଆସିଲେ । ପେଟ ଚାଖଣ୍ଡ କ ପାଇଁ ଗଣ୍ଡେ ଦାନା ଯୋଗାଡ କରିବାକୁ ସେମାନେ ବୁଲି ବୁଲି ଇଉରୋପ ସାରା ଡୁଏଟ ଗାଇଲେ ଓ ଭାଓଲିନ ବଜେଇଲେ। ଭେନିସ ରେ ପହଂଚିବାର ଶେଷ ଦିନ ଯାଏଁ ସେମାନେ ବଜେଇବା ଓ ଗାଇବା ଜାରି ରଖିଥିଲେ ।’
‘ଯୋଉଦିନ ଭେନିସ ରେ ଆସି ପହଞ୍ଚିଲେ ସେଦିନ ବାପା ତାଙ୍କ ଭାଓଲିନ କୁ ଭାଂଗି ନିଆଁ ଲଗେଇଦେଲେ ଓ ଶପଥ କଲେ ଯେ ଆଉ କେବେ ସଂଗୀତ ଭିତରେ ପଶିବେ ନାହିଁ । କିଂତୁ ମାଆ ତା ଭାଓଲିନ ଖଣ୍ଡକ ରଖିଲା କାରଣ ମା କୁ ଲାଗୁଥିଲା ତାହା ତାର ରକ୍ଷା କବଚ, ତାର ସଖା , ସହୋଦର ।ତେଣୁ ସେ ତାକୁ ବିକ୍ରି କଲାନାହିଁ କିମ୍ବା କାହକୁ ଦେଲା ନାହିଁ । ଯେହେତୁ ସେମାନେ ଏତେ ବିଭିଷିକା ଭିତରେ ସେଇ ଭାଓଲିନ ଖଣ୍ଡକ ବଜେଇ ବଜେଇ ଆପଣା ଜୀବନ ରକ୍ଷାକଲେ ତେଣୁ ସେ ସେଇଟିକୁ ଧରି ବାପାଙ୍କ ସାଙ୍ଗେ ଭେନିସ ଆସିଲା ।’
‘ବାପା ନିଜ ପ୍ରତିଜ୍ଞା ରେ ଅଟଳ ରହିଲେ । ସେବେଠୁ ସେ ଆଉ କେବେ ସଂଗୀତ ର ଧାର ଧାରିଲେ ନାହିଁ । ଏତେ ସବୁ ଘଟଣା ତାଙ୍କୁ ଏମିତି ଆକ୍ରାଂତ କରି ରଖିଲା ଯେ ସେ କେବେ ଆଉ ସଂଗୀତ ଶୁଣିବାକୁ ମଧ୍ୟ ପସନ୍ଦ କଲେ ନାହିଁ । ତେଣୁ ସେଥିପାଇଁ ମାଆ ଯଦିଓ ନିଜ ଭାଓଲିନ ରଖିଲା , ହେଲେ ତାହା ବଜେଇଲେ କାଳେ ବାପାଙ୍କ ମନ କଷ୍ଟ ହେବ ଭାବି , ବଜେଇଲା ନାହିଁ । ଓ ଆଲମିରା ର ଉପର ଥାକରେ ବଡ ଯତ୍ନର ସହ ସାଇତି ରଖିଲା , ଖାସ ଏଇ ଆଶାରେ କାଳେ କେବେ ଦିନେ ତାଙ୍କ ମନ ବଦଳିଯିବ , ଓ ବାପା ପୁଣିଥରେ କାଳେ ସଂଗୀତ ପ୍ରେମରେ ପଡି ଭାଓଲିନ ଧରିବେ । କିନ୍ତୁ ସେମିତି କିଛି ହେଲା ନାହିଁ । ସମୟ ଗଡି ଚାଲିଲା । ତାଙ୍କ କୋଳ କୁ ମୁଁ ଆସିଲି । ବେଂଜାମିନ କହିବା ଅନୁସାରେ – ‘ଏକ ପ୍ରକାର ସୁଖଦ ପରିଣତି’ । କାରଣ ମୁଁ ହିଁ ସିଏ ଯିଏ ଏତେ ବର୍ଷ ପରେ ତାଙ୍କୁ ଏକାଠି କରେଇ ପାରିଲା। ‘
‘ବେଂଜାମିନ କ୍ଷେତ୍ର ରେ କଣ ହେଲା ନା ସେ କେମିତି କଣ ଯାଇ ପ୍ୟାରିସ ରେ ପହଞ୍ଚିଲେ । ସେଠି ତାଙ୍କ ପୁରୁଣା ଅର୍କେଷ୍ଟ୍ରା ଦଳରେ ଯୋଗ ଦେଇ ବଜେଇଲେ । କିଛି ଦିନ ପରେ ଗୋଟେ ଫ୍ରେଞ୍ଚ ଝିଅ ଯାହାର ନାଁ ଫ୍ରାଂକୋଇସ , ତା ସହ ବେଂଜାମିନଙ୍କର ବିବାହ ହେଲା । ଏଇ ଅଳ୍ପ ଦିନ ତଳେ ତାଙ୍କର ନିଧନ ହେଇଯିବା ପରେ , ବେଂଜାମିନ ଭେନିସ ଆସିବାକୁ ଚାହିଁଲେ – କାରଣ ଅନେକ ଦିନ ଆଗରୁ ଏଠିକା ର ପରିବେଶ୍, ପାଣି , କେନାଲ ,ଓ ଯେହେତୁ ଭଲିଡିଂକ ଜନ୍ମ ସ୍ଥାନ ତାଙ୍କୁ ବହୁ ଆଗରୁ ପ୍ରଲୁବ୍ଧ କରୁଥିଲା ତେଣୁ ସେ ଏଠିକୁ ଆସିବାକୁ ଚାହୁଁଥିଲେ । ତା ଛଡା ଯେହେତୁ ଏହା ଭାଲିଦିଙ୍କ ସ୍ଥାନ ଓ ସେ ମଧ୍ୟ ଭାଲିଡିଂକୁ ସେ ସର୍ବଶ୍ରେଷ୍ଠ ସଂଗୀତଜ୍ଞ ମାନୁଥିଲେ ତେଣୁ ସେ ଅବଶିଷ୍ଟ ସମୟ ଭେନିସ ରେ ରହିବକୁ ଚାହୁଁଥିଲେ. l ଯଦିଓ ରାସ୍ତା କଡ ରେ ଭାଓଲିନ ବଜେଇଲେ କିଛି ଉପାର୍ଜନ ହେଉଥିଲା , କିଂତୁ ଖାସ ସେଥିପାଇଁ ସେ ଭେନିସ ଆସି ଭାଓଲିନ ବଜାଉନଥିଲେ ,ଅସଲ ରେ ଭାଓଲିନ ନ ବଜେଇବା ବିନା ତାଙ୍କ ଜୀବନ ଅଧୁରା ଲଗୁଥିଲା । ତେଣୁ ଶେଷ ରେ ଏକଲା ଭାଓଲିନ ବଜେଇ ନିଜ ସମୟ କଟାଉଥିଲେ । ସେ ମୋ ମୋ ମାଆ ଭଳିଆ । ତାଙ୍କୁ ଲାଗୁଥିଲା ଏଇ ସଂଗୀତ ହି ମରଣ ଖୁଆଡ ରେ ତାଙ୍କ ଜୀବନ ରକ୍ଷା କରିଛି, ସେଇ ଦିନଠାରୁ ସେ କେବେ ସଂଗୀତ ଠାରୁ ନିଜକୁ ଅଲଗା କରିନାହାନ୍ତି ।ଯେହେତୁ ସଂଗୀତ ବିନା ଗୋଟିଏ ଦିନ ତାଂକ ପକ୍ଷେ ବଞ୍ଚିବା ଅସମ୍ଭବ ତେଣୁ ସେ ମତେ ସଂଗୀତ ଶିକ୍ଷା ଦେବା ପାଇଁ ଆଗ୍ରହୀ , ଯଦି ମୋ ମାଆ ଓ ବାପାଙ୍କ ଅନୁମତି ମିଳେ ତାହେଲେ ।
‘ବେଂଜାମିନ , ସେ କଣ ଠିକ ଠାକ ବଜାଇପାରୁଛି?’ ମୋ ମାଆ କହିଲା । ‘ବାପା , ତାକୁ ଆମେ ଟିକେ ଶୁଣିବା କି ? ପ୍ଲିଜ ?’
‘ ବାପାଙ୍କ ନିଷ୍ପତି ନେବାର ଦ୍ୱିଧା କୁ ମୁଁ ଦେଖିପାରୁଥାଏ’ ଶେଷରେ ସେ କହିଲେ ‘ମୋଜାର୍ଟ ଛଡା ଆଉ ଯଦି କିଛି ବଜାଉଛି ତାହେଲେ ଠିକ ଅଛି ‘ ତାପରେ ମୁଁ ଭାଲିଡିଂକ ରୁତୁ ସଂଯୋଜନା ରୁ ଶୀତରୁତୁ ପାଇଁ ତିଆରି ହେଇଥିବା ସଂଯୋଜନା ଟିକୁ ବଜେଇଲି । ପୁରା ସମୟ ବାପା ଆଖିବୁଜି ଶୁଣୁଥାନ୍ତି । ମୋର ଯେତେବେଳେ ସରିଲା ବେଂଜାମିନ କହିଲେ , କଣ ଭାବୁଛ ଜିନୋ? , ତମ ପୁଅ ଗୋଟେ ବିସ୍ମୟ ପ୍ରତିଭା , ତମ ଦିହିଁଙ୍କ ଠାରୁ ସେ ବରଦାନ ତାକୁ ମିଳିଛି । ‘
‘ତାହେଲେ ତାକୁ ଏତେ ସହଜରେ ଖରାପ ହେବାକୁ ଦିଆ ଯିବା କଥା ନୁହେଁ ‘ ବାପା କହିଲେ ।
‘ ତ ତା ପରଠାରୁ ହରେକ ଦିନ ମୁଁ ମୋ ଭାଓଲିନ ଖଣ୍ଡିକ ଧରି , ବେଂଜାମିନଂକ ଅର୍ସେନେଲର ବାସଭବନ କୁ ଶିଖିବା ପାଇଁ ଯାଉଥିଲି । ଯଦିଓ ମୁଁ କେମିତି ବଜାଉଛି ବାପା କେବେବି ଶୁଣିବାକୁ ଆସନ୍ତି ନାହିଁ , ହେଲେ କେବେ କେବେ ମାଆ ଆସେ । ବସେ ଓ ଚୁପ ଚାପ ଶୁଣେ । କେବେ କେବେ ସରିବା ପରେ ସେ ମତେ ଏତେ ଯୋର ରେ ଜାବୁଡିକି ଧରେ ଯେ ମତେ କାଟେ ହେଲେ ତା ସଂଗେ ଖୁସି ବି ଲାଗେ । ତାପରେ ମୁଁ ବେଂଜାମିନଂକ ସଙ୍ଗେ ରାସ୍ତା ରେ ବଜେଇବା ଆରମ୍ଭ କଲି । ଯୋଉଠି ମୁଁ ବଜେଇଲି ସେଠି ଗହଳି ବଢିଲା । ପ୍ରତିଥର ଗହଳି ବଢୁଥାଏ । ଥରେ ସେମିତି ଗହଳିରେ ବାପା ମତେ ଶୁଣିଲେ । ସରିବା ପରେ ଆମେ ସାଙ୍ଗ ହେଇ ଚାଲିଚାଲି ଆସୁଥାଉ । ମତେ କିଛି ସେ କହୁନଥାନ୍ତି । ଏକାଡେମୀ ପୋଲ ଉପରେ ସେ ମତେ ଅଟକେଇ ଦେଇ କହିଲେ ‘ ଆଛା ପାଓଲୋ , ଗୋଟେ କଥା ଥିଲା , ସେଲୁନ ଝଡା ପୋଛା କରିବା ଅପେକ୍ଷା ତତେ ଭାଓଲିନ ବଜେଇବାକୁ ଭଲ ଲାଗୁଛି ନା ?’
‘ହଁ , ମୁଁ ଭାବୁଛି ହଁ ‘ ମୁଁ ଟିକେ ଶଙ୍କି ଯାଇ କହିଲି ।
‘ତାହେଲେ କାଲି ଠାରୁ ସେଲୁନ ରେ ସଫାସଫି କାମ ମୁଁ ଦେଖିବି । ‘ ତାପରେ ସେ ମୋ କାନ୍ଧ ଉପରେ ହାତ ପକେଇ କହିଲେ ‘ ମୋର ତତେ କିଛି କହିବାର ଅଛି ପାଓଲୋ , ତାହା ତୁ ଯେମିତି ଭୁଲି ନଯାଉ, ତୁ ବଜେଇବା ପରେ ମୁଁ ଆଉ ଥରେ ସଂଗୀତ କୁ ଫେରିପାଇଲି । ଏଇ ଚମତ୍କାର ଉପହାର ଆଉଥରେ ତୁ ହିଁ ମତେ ଦେଲୁ । ମୁଁ ଚାହେଁ ତୁ ଏହା ଜାରି ରଖ …ତୁ ନିଶ୍ଚୟ ଜଣେ ମହାନ ଭାଓଲିନ ବାଦକ ହେବୁ । ମୋ ଦ୍ୱାରା ଯେତେ ସମ୍ଭବ ମୁଁ ତତେ ସାହାଯ୍ୟ କରିବି ।ମୁଁ ଜାଣେ ତୁ ଯାଦୁଗାରୀ ସଂଗୀତ ବଜାଇବୁ ଓ ଲୋକେ ତତେ ବହୁତ ବହୁତ ଭଲ ପାଇବେ । ମୁଁ ଓ ତୋ ମାଆ ତୁ ଯେତେ ସମାରୋହ ରେ ବଜେଇବୁ ସବୁଠି ଆସି ଶୁଣିବୁ । କିନ୍ତୁ ତତେ ଗୋଟେ କଥା ମୋ ପାଇଁ ରାଣଖାଇ ବାକୁ ପଡିବ : ମୁଁ ବଞ୍ଚିଥିବା ଯାଏ ତୁ କେବେ ବି ସର୍ବସାଧାରଣରେ ମୋଜାର୍ଟଙ୍କ ସଂଯୋଜନା ବଜେଇବୁ ନାହିଁ । ଆମେ ମରଣ ଖାଉଡ ରେ ଥିବା ବେଳେ ବହୁତ ବହୁତ ଥର କେବଳ ମୋଜାର୍ଟ ହି ବଜେଇଛୁ …ଆଉ ନୁହେଁ । ..ପ୍ଲିଜ ମୋ ଆଗରେ ଶପଥ କର । ‘
‘ତେଣୁ ମୁଁ ଶପଥ କଲି । ଓ ଏତେ ବର୍ଷ ଧରି , ବାପାଙ୍କ ଥିବା ଯାଏ ମୁଁ ମୋ ଶପଥ ରଖି ଆସିଛି । ଦୁଇ ସପ୍ତାହ ତଳେ ତାଙ୍କର ଦେହାନ୍ତ ଘଟିଲା । ସେ ତିନିଜଣଙ୍କ ଭିତରୁ ସେ ହି ଶେଷ ରେ ଗଲେ । ଆଉ ମୋର ପଚାଶ ତମ ଜନ୍ମ ଦିନ ଦିନ ଲଣ୍ଡନ ହେବାକୁ ଥିବା ସଂଗୀତ ସମାରୋହ ରେ ମୁଁ ମୋଜାର୍ଟ ବଜେଇବି ,ତାହା ପୁଣି ମୋ ମାଆ ର ଭାଓଲିନ ରେ ..ମୁଁ ଭାବୁଛି ମୁଁ ଏତେ ଭଲ ବଜେଇବି ଯେ ତାହା ତାଙ୍କୁ ଭଲ ଲାଗିବ , ସେମାନ ସମସ୍ତିଙ୍କୁ ..ଯୋଉଠି ବି ସେମାନେ ଥାନ୍ତୁ ନା କାହିଁକି”
****
ମୋ ସର୍ଟହ୍ୟାଣ୍ଡ ଲେଖା ତଥାପି ସରିନଥାଏ, ମୁଁ ମୁଣ୍ଡ ଉଠେଇ ଦେଖିଲି ସେ ମୋ ଆଡକୁ ଆସୁଥାନ୍ତି । ସେ ମତେ ତାଙ୍କ ଭାଓଲିନ ଧରିବା ପାଇଁ ବଢ଼େଇଲେ।
‘ଏଇ ନିଅ, ଏଇଟା ମୋ ମାଆ ର ଭାଓଲିନ, ଆମେ ପୋଦିନା ଚାହା ସାରିବା ଯାଏ ଯଦି ତମେ ଚାହଁ ତେବେ ଧରିପାର । ଆଉ କପେ ଚାହା କରିବି କି ? ମୁଁ ପୁରା ଭେନିସ ସହର ରେ ସବୁଠୁ ଭଲ ପୋଦିନା ଚାହା ତିଆରି କରିବାବାଲା !’
ତେଣୁ ଏମିତି ମୁଁ ପାଓଲୋ ଲେଭିଙ୍କ ଭାଓଲିନ କୁ ବହୁବେଳ ଯାଏ- ଆମ ଚାହା ସରିବା ଯାଏ ଧରିଲି। ମୁଁ ତାଙ୍କୁ ଆଉ କିଛି ପ୍ରଶ୍ଣ ପଚାରିନାହିଁ । ଅସଲ ରେ ପଚାରିବା ପାଇଁ ଆଉ କିଛି ନଥିଲା । ସେ ଟିକେ ଟିକେ ଯାହା ତାଙ୍କ ଭେନିସ ପ୍ରତି ଆକର୍ଷଣ , ପ୍ରେମ ,ପ୍ରତିବଦ୍ଧତା କଥା କହୁଥାନ୍ତି , କେମିତି ପୃଥିବୀ କୋଉ କୋଣ କୁ ଗଲେ ବି , ଭେନିସ ନ ଫେରିଲେ ତାଙ୍କୁ ନିଦ ହୁଏ ନାହିଁ କହୁଥାନ୍ତି । କେମିତି ଆଉ କୁଆଡେ ଗଲେ ବି ଏଠିକାର କୋଳାହଳ , ଚର୍ଚ ର ଘଣ୍ଟା ଧ୍ୱନି , ବୋଟ ମାନଙ୍କ ର ପାଣି ଉପରେ ଯିବା ବେଳର ଚବର ଚବର ଶବଦ , ରାସ୍ତା ଘାଟର ସଂଗୀତ ସବୁକୁ କେମିତି ଝୁରି ହୁଅନ୍ତି କହୁଥାନ୍ତି । ‘ଅସଲ ରେ ସଂଗୀତ ଏଇ ରାସ୍ତା ଘାଟରେ ଥାଏ ଯୋଉଠି ବେଂଜାମିନ ବଜାଉଥିଲେ , କୋଉ ପ୍ରେକ୍ଷାଳୟ ରେ ନଥାଏ’ ସେ କହିଲେ।
ମୁଁ ଆସିଲା ବେଳକୁ ସେ ମୋ ଆଖିରେ ଆଖି ମିଶେଇ, ମୋ ପାପୁଲି କୁ ଧରି କହିଲେ ‘ ମୁଁ ତୁମକୁ ଏକଥା କହିଥିବାରୁ ବହୁତ ଖୁସି ‘
‘କାହିଁକି?’ ମୁଁ ପଚାରିଲି । ‘କାହିଁକି ଆପଣ କେବଳ ମତେ କହିବା ପାଇଁ ଯୋଗ୍ୟ ଭାବିଲେ ?’
‘କାରଣ ସତ କହିବାର ସମୟ ଆସିଯାଇଥିଲା । କାରଣ ସବୁ ରହସ୍ୟ ଗୋଟେ ଗୋଟେ ମିଛ , କାରଣ ତୁମ ଆଖିରେ ଗୋଟେ ପ୍ରକାର କରୁଣା ଅଛି , ଯାହା ମୁଁ ବେଂଜାମିନଂକ ପାଖେ ଦେଖିଥିଲି … ଓ ସବୁଠୁ ବଡ଼ କାରଣ ହେଲା ତମେ ମତେ ସେଇ ‘ମୋଜାର୍ଟଙ୍କ ପ୍ରଶ୍ନ ପଚାରିଲନି ‘
****
Just found something truly intresting