ପାମ୍ପଡ଼ ଗପ

ପିଲଦିନେ ପାମ୍ପଡ଼ ସବୁଦିନ ଖାଇବା ଚିଜ ବୋଲି ଆମର ଧାରଣା ନଥିଲା । ଖରାବେଳ ଖିଆ ସହ ପାମ୍ପଡ଼କୁ ଖିଆଯିବା କଥାଟି ବହୁତ ପରେ ମୁଁ ଜାଣିଲି । ପାମ୍ପଡ଼ କଦବା କ୍ୱଚିତ୍ ଆମେ ଖାଉଥିଲୁ । ଗାଁରେ ଯାତ୍ରା, ଦୋଳ ମେଲଣ ଓ କିଛି ବିଶେଷ ମେଳା ମଉଛବରେ ପାମ୍ପଡ଼ ମିଳୁଥିଲା । ଅପେକ୍ଷାକୃତ ଟିକେ ଅନ୍ଧାରିଆ ଜାଗାରେ କିଏ ଜଣେ ବସି ପାମ୍ପଡ଼ ଛାଣୁଥିବ ଓ ତାକୁ ଘେରି ଛିଡ଼ା ହେଇଥିବେ କିଛି ପାମ୍ପଡ଼ପ୍ରେମୀ । କଡ଼େଇର ଗରମ ତେଲରେ ସାନ ପାମ୍ପଡ଼ଟି ପଡ଼ି କେମିତି ବଡ଼ ହେଇଯାଇଛି ସେ ଦୃଶ୍ୟ ହିଁ ଆମ ପରି ପିଲାମାନଙ୍କ ପାଇଁ କୌତୂହଳର ଅନ୍ୟତମ କାରଣ ଥିଲା । ଦୋକାନୀ ବଡ଼ ପାମ୍ପଡ଼କୁ ଛାଣି ସାରିଲା ପରେ ତାକୁ ଚାରି ଚେନା କରି ଭାଙ୍ଗି ଦେଉଥିଲା । ଚେନାକୁ ଦଶ ପଇସା । ପଚିଶ ପଇସାରେ ତିନି ଚେନା ମିଳୁଥିଲା । କୁଡୁମୁଡ଼ିଆ ରଡ଼ରଡ଼ିଆ ଲୁଣିଆ ଓ ହେଙ୍ଗୁ ବାସ୍ନାଯୁକ୍ତ ପାମ୍ପଡ଼ ସ୍ୱାଦିଷ୍ଟ ଲାଗୁଥିଲା ସିନା ସବୁବେଳେ କୋଉ ମିଳୁଥିଲା ଯେ?

ମହାନଦୀ ମୁହାଣର ଅଞ୍ଚଳରେ ଗାଁ ମୋର । ପ୍ରତିବର୍ଷ ବନ୍ୟା । ବନ୍ୟା ପାଇଁ ଧାନ ଫସଲ ଧୋଇ ହେଇଯାଉଥିଲା । ହେଲେ ବନ୍ୟା ପରେ ପରେ ବିଲବାଡ଼ିରେ ଯେଉଁ ପଟୁ ପଡୁଥିଲା ସେଥିରେ ଯେଉଁ ଫସଲଟି ଭଲରେ ଅମଳ ହେଉଥିଲା ତାହା ହେଲା ବିରି । ପ୍ରବଳ ପରିମାଣରେ ବିରି ଫଳୁଥିଲା । ଅମଳ ବେଳକୁ ଖାସ୍ ବିରି ପାଇଁ ଯାବତୀୟ ବେପାରୀ, ହରେକ ରକମର ଚିଜ ଧରି ଗାଁ ଦାଣ୍ଡରେ ଟହଲ ମାରନ୍ତି । ଆଇସକ୍ରିମ୍, ସୁନୁପାମ୍ପୁଡ଼ି, ବମ୍ବେଇ ଲଡୁ, ଶୁଖିଲା ବରା ସିଙ୍ଗଡ଼ା ଓ ଜଲିପି ସହ କେତେ ପ୍ରକାରର ଟକଳା ଖାଦ୍ୟ । ସାପୁଆ କେଳା, ମୁଣ୍ଡପୋତା କେଳା, ମ୍ୟାଜିକ୍ ବାଲା, ସିନେମା ବାଲା ଓ ରକମ ରକମ ଭିକାରୀ ମଧ୍ୟ ପହଞ୍ଚୁଥିଲେ । ଉପରମାଳରେ ଥିବା ମୋ ମାମୁଁଘରକୁ ବିରି ପଠାହେଉଥିଲା । କେନାଲ୍ ପାରିରେ ବିରି ହେଉନଥିଲା । ବିରିର ଏତେ ଡିମାଣ୍ଡର ପ୍ରଧାନ କାରଣ ହେଲା ଅନେକଗୁଡ଼େ ପିଠାର ପ୍ରଧାନ ଇନଗ୍ରେଡିଏଣ୍ଟ ଥିଲା ବିରି । ବିରିରେ ଡାଲି ଓ ପିଠା ହୁଏ ବୋଲି ସିନା ଜାଣିଥିଲି କିନ୍ତୁ ବିରିରେ ପାମ୍ପଡ଼ ମଧ୍ୟ ହୁଏ ଏକଥା ମୁଁ କାହିଁକି ମୋ ଗାଁର ଅନେକ ଜାଣିନଥିଲେ ହୁଏତ । ପରେ ଜାଣିଲି ଯେ ପିଲାଦିନେ ଜାତରା କି ମେଳାରେ ଆମେ ଯୋଉ ପାମ୍ପଡ଼ ଖାଉଥିଲୁ ସେଇଟା ବିରିରୁ ତିଆରି ହେଉଥିଲା । ପରେ ମୁଗରୁ ତିଆରି ପାମ୍ପଡ଼ ଖାଇଲା ପରେ ମୁଁ ଆଉ ବିରି ପାମ୍ପଡ଼ ଖାଇବାକୁ ପସନ୍ଦ କଲିନି । ତାପରେ ଏମିତି ଦେଖିଲେ, ପାମ୍ପଡ଼ ବି ମୋର ବେଶି ଗୋଟେ ପ୍ରିୟ ଖାଦ୍ୟ ନୁହେଁ । ମୁଗ ତିଆରି ଲିଜ୍ଜତ ପାମ୍ପଡ଼ ଖାଇଲା ପରେ ମୁଁ ପ୍ରାୟତଃ ଅଲଗା ପାମ୍ପଡ଼ ଖାଏନି । ତେବେ ତେଲରେ ଛଣା ପାମ୍ପଡ଼ ଅପେକ୍ଷା ସେକା ପାମ୍ପଡ଼ ମୋର ଅଧିକ ପ୍ରିୟ । ବେଶ୍ ପରେ ଚାଉଳ, ସାଗୁ ଓ ଖଈରେ ତିଆରି ପାମ୍ପଡ଼ ଖାଇଲି । ସହର ଆସିଲା ପରେ କେତେ ପ୍ରକାରର ପାମ୍ପଡ଼ମାନଙ୍କ ସାଙ୍ଗରେ ଭେଟ ହେଲା ।

ଆମ ଦକ୍ଷିଣ ଓଡ଼ିଶାର ଲୋକମାନେ ପାମ୍ପଡ଼ ଖାଇବାକୁ ଅଧିକ ପସନ୍ଦ କରନ୍ତି । ସେପଟେ ପାମ୍ପଡ଼କୁ ଆପେଡ଼ା କୁହନ୍ତି । କେହି କେହି ଅପଲମ୍ ମଧ୍ୟ କୁହନ୍ତି । ଏମିତି ଦେଖିଲେ ପୁରା ଦକ୍ଷିଣ ଭାରତରେ ଲୋକମାନେ ପାମ୍ପଡ଼ ଖାଇବାକୁ ପସନ୍ଦ କରନ୍ତି । ସାଉଥ୍ ଇଣ୍ଡିୟାନ୍ ହୋଟେଲର ଥାଳି ସାଙ୍ଗରେ ପାମ୍ପଡ଼ ନିଶ୍ଚୟ ଥାଏ । ପାମ୍ପଡ଼ଖିଆ ଅଞ୍ଚଳର ଘରର ସ୍ତ୍ରୀ ଲୋକମାନେ ସେମାନଙ୍କ ଅବସର ସମୟରେ ପାମ୍ପଡ଼ ପ୍ରସ୍ତୁତ କରନ୍ତି । ବଡ଼ି ଆଚାର ଓ ଅନ୍ୟାନ ମସଲା ମସଲି ପ୍ରସ୍ତୁତ ପରି ପାମ୍ପଡ଼ ପ୍ରସ୍ତୁତ କରାଯାଏ । ନିଜ ଘରର ଆବଶ୍ୟକତା ଠାରୁ ଅଧିକା କିଛି ତିଆରି କରି କେହି କେହି ବିକ୍ରୀବଟା ବି କରିଥା’ନ୍ତି ।

କୁହାଯାଏ ପାମ୍ପଡ଼ର ମୂଳ ଶବ୍ଦ ହେଲା ସଂସ୍କୃତ ଶବ୍ଦ ପର୍ପଟ । ପର୍ପଟ ମାନେ ଚେପଟା । ବୌଦ୍ଧ ଓ ଜୈନ ସାହିତ୍ୟରେ ପର୍ପଟର ଉଲ୍ଲେଖ ରହିଛି । ଭାରତ, ପାକିସ୍ଥାନ, ନେପାଳ, ବାଂଲାଦେଶ, ଶ୍ରୀଲଙ୍କାରେ ପାମ୍ପଡ଼ର ପ୍ରଚଳନ ରହିଛି । ଓଡ଼ିଆରେ ଆମେ ପାମ୍ପଡ଼ କହୁଥିବା ବେଳେ ଗୁଜରାଟି, ମରାଠି ଓ ପଞ୍ଜାବ ଆଦି ଅଞ୍ଚଳରେ ପାପଡ଼ କୁହାଯାଏ । ତାମିଲରେ ଆପାଲମ୍, କନ୍ନଡରେ ହାପ୍ପାଲା, ମାଲାୟାଲମରେ ପାପ୍ପଡ଼ମ୍ ଓ ତେଲୁଗୁରେ ଆପାଡ଼ମ୍ କୁହାଯାଏ । ସ୍ଥାନ ବିଶେଷରେ ଭିନ୍ନ ଭିନ୍ନ ସ୍ୱାଦର ଭିନ୍ନ ଭିନ୍ନ ଦ୍ରବ୍ୟରୁ ପାମ୍ପଡ଼ ତିଆରି ହୁଏ । ବିରି, ମୁଗ ଓ ଶୋଲାକୁ ଛାଡ଼ି ଚାଉଳ, ଆଳୁ, ଲିଆ ବା ଖଇ, ସାଗୁରୁ ବି ପାମ୍ପଡ଼ ପ୍ରସ୍ତୁତ କରାଯାଏ । ଉପକୂଳବର୍ତ୍ତୀ କର୍ଣ୍ଣାଟକରେ ପଣସରୁ ଏକ ପ୍ରକାର ସୁସ୍ୱାଦୁ ପାମ୍ପଡ଼ ତିଆରି ହୁଏ । ଏକଦା ଭାରତବର୍ଷରୁ ଜନ୍ମ ନେଇଥିବା ପାମ୍ପଡ଼ ଆଜି ବିଶ୍ୱର ଅନେକ ଦେଶର ଖାଇବା ଥାଳି ସାଙ୍ଗରେ ସଂଯୁକ୍ତ ହେଇସାରିଛି ।

ପାମ୍ପଡ଼ କହିଲେ ଅନେକ ଲିଜ୍ଲତ କମ୍ପାନୀର ପାମ୍ପଡ଼କୁ ବୁଝନ୍ତି । ଭାରତୀୟ ପାମ୍ପଡ଼ ବ୍ୟବସାୟରେ ଲିଜ୍ଜତ ଏକ ଜଣାଶୁଣା ବ୍ରାଣ୍ଡ୍ । ଲିଜ୍ଜତ ରାତାରାତି ବ୍ରାଣ୍ଡରେ ପରିଣତ ହେଇନି । ସେଥିପାଇଁ କିଛି ଉତ୍ସାହୀ ମଣିଷଙ୍କ ନିରବିଚ୍ଛିନ୍ନ ଉଦ୍ୟମ ଓ ଅଧ୍ୟବସାୟ ରହିଛି । ଲିଜ୍ଜତର କାହାଣୀ ଯେ କୌଣସି ୱେବ୍ ସିରିଜର କାହାଣୀ ଠାରୁ କମ୍ ରୋମାଞ୍ଚକର ନୁହେଁ । ଆସନ୍ତୁ ଏବେ ସେ ଲିଜ୍ଜତର କାହାଣୀ ଶୁଣିବା ।

୧୯୫୯ ମସିହାର ବମ୍ବେ ସହର । ଖରାଦିନ । କଲୋନୀର ଗୋଟେ ଛାତ ଉପରେ ସେଦିନ ଏକାଠି ହେଇଥା’ନ୍ତି ଆଡ଼ିଶା-ପଡ଼ିଶାର ସାତ ଜଣ ସ୍ତ୍ରୀଲୋକ । ସେମାନେ ଏକ ସମସ୍ୟାର ସରଳ ସମାଧାନ ପାଇଁ ବାଟ ଖୋଜୁଥା’ନ୍ତି । ସମସ୍ତିଙ୍କ ମୁଣ୍ଡରେ ଗୋଟିଏ ଚିନ୍ତା, କ’ଣ କେମିତି କରି ସୁରୁଖୁରୁରେ ଘର ଚଳାଇବା ପାଇଁ କିଛି ଅଧିକା ରୋଜଗାର କରିବେ ଓ ପରିବାରକୁ ସାହାଯ୍ୟ କରିବେ । ଚାକିରି ବାକିରି କରିବା ପାଇଁ ପାଠ ଦରକାର । ତାହା ସେମାନଙ୍କ ପାଖରେ ନଥିଲା । ବହୁତ ଚିନ୍ତାକଲା ପରେ ଗୋଟେ ଉପାୟ ମିଳିଲା । ସେମାନେ ସମସ୍ତେ ଆପଣା ଆପଣା ଘରୋଇ ବ୍ୟବହାର ପାଇଁ ପାମ୍ପଡ଼ ତିଆରି ଜାଣିଥିଲେ । ତେଣୁ କଥା ଛିଡ଼ିଲା ଆଉ କିଛି କିଛି ଅଧିକା ପାମ୍ପଡ଼ ତିଆରି କରିବେ ଓ ଆଖପାଖରେ ବିକ୍ରୀ କରିବାକୁ ଚେଷ୍ଟା କରିବେ । ସେମାନେ ସମସ୍ତେ କାମଚଳା ସାମାନ୍ୟ ପାଠ ଶାଠ ପଢିଥିଲେ ଓ କାହାର ବି ବ୍ୟବସାୟ କରିବାର ଅଭିଜ୍ଞତା ନଥିଲା । ତେବେ ବେପାର ବଣିଜ କରିବା ଓ ଅଳ୍ପରୁ ବହୁତ ହେବାର ଏବଂ କରିପାରିବାର ଗୁଜୁରାଟି ରକ୍ତ ସେମାନଙ୍କ ଭିତରେ ଥିଲା । ସେଦିନ ଛାତ ଉପରେ ଏକାଠି ହେଇଥିବା ସାତ ଜଣ ହେଲେ ଜସବନ୍ତୀବେନ୍ ପୋପଟ୍, ଜୟାବେନ୍ ଭିଥାଲାନି, ପ୍ରଭାବତୀବେନ୍ ଥୋଦାନୀ, ଉଜମବେନ୍ କୁଣ୍ଡଲିଆ, ବନୁବେନ୍ ତାନ୍ନା, ଚୁତଡବେନ୍ ଗୱାଡ଼େ ଓ ଲାଗୁବେନ୍ ଗୋକାନି ।

ଫଟାଫଟ୍ ସମସ୍ତେ ଏଥର କାମରେ ଲାଗିଗଲେ ଓ ପ୍ରଥମଦିନ ଚାରି ପ୍ୟାକେଟ୍ ପାମ୍ପଡ଼ ତିଆରିକଲେ । ପାଖ ବଜାରରେ ସେମାନଙ୍କ ହାତ ତିଆରି ପାମ୍ପଡ଼ ବିକ୍ରୀପାଇଁ ପହଞ୍ଚାଇଲେ । ଦୋକାନ ଦୋକାନ ବୁଲି ପାମ୍ପଡ଼ ଦେବା ଓ ପଇସା ଆଦାୟ କରିବା ଏତେ ସହଜ ନଥିଲା । ଦୋକାନୀମାନେ କାହିଁକି ବା ହଠାତ୍ ସେମାନଙ୍କ ପାଖରୁ ପାମ୍ପଡ଼ ନେଇଥା’ନ୍ତେ? ସେଦିଗରେ ସାହାଯ୍ୟ କରିବାକୁ ପହଞ୍ଚିଲେ ପୁରୁଷୋତ୍ତମ ଦାମୋଦର ଦତ୍ତାନି । ପୁରୁଷୋତ୍ତମ ବାବୁ ଦୋକାନ ଦୋକାନ ବୁଲି ଶେଷରେ ପାମ୍ପଡ଼ତକ ଗୋରେଗାଓଁ’ର ଆନନ୍ଦଜୀ ପ୍ରେମଜୀ ଆଣ୍ଡ କମ୍ପାନୀରେ ବିକ୍ରୀ କରି ଫେରିଲେ । ସେଦିନ କିଲେ ପାମ୍ପଡ଼ ବିକ୍ରୀ ହେଇଥିଲା ଓ ରୋଜଗାର ହେଇଥିଲା ଆଠ ଅଣା । ପରଦିନ ଦୁଇ କିଲୋ ବିକ୍ରୀ ହେଇଗଲା ଓ ରୋଜଗାର ହେଲା ଟଙ୍କାଟେ । ଏ କଥା ଧିରେ ଧିରେ ଅନ୍ୟ ପାଖ ପଡ଼ୋଶୀର ସ୍ତ୍ରୀଲୋକମାନେ ଜାଣିଲେ ଓ ସେମାନେ ବି ସହଭାଗୀ ହେବାକୁ ପହଞ୍ଚିଲେ । ସମବାୟ ସମିତି ଗଢା ହେଲା । ମାତ୍ର ତିନି ଚାରି ମାସ ଭିତରେ ସମବାୟ ସମିତିରେ ଦୁଇଶହ ସ୍ତ୍ରୀଲୋକ ସଦଶ୍ୟ ହେଇସାରିଥିଲେ । ୱାଡ଼ାଲାରେ ରହୁଥିବା କିଛି ସ୍ତ୍ରୀଲୋକ ଆଗ୍ରହୀ ହେବାରୁ ସେମାନଙ୍କ ପାଇଁ ଆଉ ଏକ ଶାଖା ସେଠି ଖୋଲାଗଲା । ସେଇ ୧୯୫୯ରେ ଛଅ ହଜାର ଟଙ୍କାର ବିକ୍ରୀବଟା ହେଇଥିଲା । ସେ ସମୟ ଅନୁସାରେ ଛଅ ହଜାର ଟଙ୍କା ବହୁତ କିଛି ଥିଲା ।

ସମାଜସେବୀ ଛଗନଲାଲ୍ ପରେଖ ଯାହାଙ୍କୁ ଲୋକେ ଛଗନବାପା ବୋଲି ଡାକୁଥିଲେ ତାଙ୍କ ପାଖରେ ଏଇ ସାତ ଭଉଣୀ ସାହାଯ୍ୟ ପାଇଁ ପହଞ୍ଚିଲେ । ସାହାଯ୍ୟ ମାନେ ବେପାର ବଢେଇବାକୁ କିଛି ଅର୍ଥର ଆବଶ୍ୟକତା ଥିଲା ଓ ସେଇ ଅର୍ଥ ସାହାଯ୍ୟ ପାଇଁ ସେମାନେ ଛଗନ ବାପାଙ୍କ ପାଖରେ ପ୍ରକୃତରେ ପହଞ୍ଚିଥିଲେ । ଛଗନବାପା ସେମାନଙ୍କୁ ଅଶି ଟଙ୍କା ଧାର୍ ଦେଇଥିଲେ । ସେଦିନ ଅଶି ଟଙ୍କାର ମୂଳଧନରେ ଆରମ୍ଭ ହେଇଥିବା ବ୍ୟବସାୟ ଆଜି ଷୋଳହଜାର କୋଟି ଟଙ୍କାରେ ପହଞ୍ଚି ସାରିଛି । ଛଗନବାପା କେବଳ ଆର୍ଥିକ ସାହାଯ୍ୟ କରିନଥିଲେ, ସେ ସ୍ତ୍ରୀଲୋକମାନଙ୍କୁ ବ୍ୟବସାୟ ସୁରୁଖୁରୁରେ ଚଳେଇବା ପାଇଁ ବିଭିନ୍ନ ମାର୍ଗଦର୍ଶନ ମଧ୍ୟ କରୁଥିଲେ । ଛଗନବାପାଙ୍କ ଉପଦେଶ କ୍ରମେ ସେମାନେ ଏକା ଆକାରର ଏକା ସ୍ୱାଦର ପାମ୍ପଡ଼ ତିଆରି କରିଥିଲେ ଓ ପାମ୍ପଡ଼ର ଗୁଣବତ୍ତାରେ କୌଣସି ପ୍ରକାରର ବୁଝାବଣା କରିନଥିଲେ । ଛଗନବାପାଙ୍କ ପ୍ରାରମ୍ଭିକ ସାହାଯ୍ୟ ଓ ସହଯୋଗକୁ ମନେରଖିବାକୁ ଲିଜ୍ଜତ ୧୯୮୦ରୁ ତାଙ୍କ ନାମରେ ଏକ ସ୍କଲାରସିପ୍ ର ପ୍ରଚଳନ ଆରମ୍ଭ କରିଛି ।

ବେପାର ବଢିଲା ଓ ଅନେକ ସ୍ତ୍ରୀ ଲୋକ ଧିରେ ଧିରେ ସାମିଲ ହେଲେ । ସାତ ଭଉଣୀ ୧୯୬୬ ମସିହା ବେଳକୁ ଠିକ କଲେ ଏଥର ସଂସ୍ଥା ପାଇଁ ବିଧିବଦ୍ଧ ସରକାରୀ ମୋହର ଦରକାର । ସମବାୟରେ ଯେତେ ମହିଳା କାମ କରୁଥିଲେ ସମସ୍ତଙ୍କୁ ବେନ୍ ବା ଭଉଣୀ ବୋଲି ଡକାଯାଉଥିଲା । ସୋସାଇଟି ରେଜିଷ୍ଟ୍ରେସନ୍ ଆକ୍ଟ ଅଧୀନରେ ରେଜିଷ୍ଟ୍ରେସନ୍ ହେଲା । ପାମ୍ପଡ଼ର ନାଁ ଦିଆଗଲା ଶ୍ରୀ ମହିଳା ଗୃହ ଉଦ୍ୟୋଗ ଲିଜ୍ଜତ୍ ପାମ୍ପଡ଼ (ଏସ୍.ଏମ୍.ଜି.ୟୁ.ଏଲ୍.ପି) । ଲିଜ୍ଜତ ଏକ ଗୁଜରାଟି ଶବ୍ଦ । ଯାହାର ଅର୍ଥ ହେଲା ଖୁସି ଆନନ୍ଦ ମଜା । ସେଇ ବର୍ଷ ଖଦି ଓ ଗ୍ରାମଦ୍ୟୋଗ ଇଣ୍ଡଷ୍ଟ୍ରିଜ୍ କମିଶନ୍ ଏହାକୁ ଗ୍ରାମଦ୍ୟୋଗ ଭାବରେ ଚିହ୍ନଟ କଲା । ୧୯୬୮ରେ ଲିଜ୍ଜତ ଗୁଜରାଟରେ ଶାଖା ଖୋଲିଲା । ଆଜି ସାରା ଭାରତରେ ଲିଜ୍ଜତର ୮୨ଟି ଶାଖା ଖୋଲିଛି । ଭାରତ ଛଡ଼ା ଅନ୍ୟ ପନ୍ଦର ଦେଶରେ ସିଧାସଳଖ ବ୍ୟବସାୟ କରୁଛି । ହଜାର ହଜାର ଗୃହିଣୀ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ମୁହଁରେ ହସ ଫୁଟାଇଛି ଲିଜ୍ଜତ ।

ଲିଜ୍ଜତ ପାମ୍ପଡ଼ ତା’ର ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟାରେ ତିଆରି ହୁଏ । ପାମ୍ପଡ଼ ତିଆରି ପାଇଁ ଦରକାରୀ କଞ୍ଚାମାଲ ସଂଗ୍ରହ ପରେ ଆବଶ୍ୟକୀୟ ପ୍ରକ୍ରିୟାକରଣ ପରେ ଶାଖାମାନଙ୍କୁ ପଠାଇ ଦିଆଯାଏ । ସେଥିପାଇଁ ଅଲଗା ଅଲଗା ଜାଗାରେ ତିଆରି ହେଲେ ବି ପାମ୍ପଡ଼ର ସ୍ୱାଦ ସମାନ ରୁହେ । କମ୍ପାନୀ କଞ୍ଚାମାଲ ଭାବରେ ମିଆଁମାର୍ ରୁ ଆଣେ ଡାଲି, ଆଫଗାନସ୍ଥାନରୁ ଆଣେ ହେଙ୍ଗୁ, ଗୋଲମରିଚ ଆସେ କେରଳରୁ । ଏକ ବିଶେଷ ଉପାୟରେ ଗୋଲମରିଚକୁ ଗୁଣ୍ଡ କରାଯାଏ ଓ ହେଙ୍ଗୁ ଗୁଣ୍ଡ ସହ ମିଶାଯାଏ । ଏ କାମ ବମ୍ବେର ୱାସି ଓ ନାସିକ୍ ରେ ହୁଏ । ଲୁଣ ପାଣିରେ ଭିଜାଯାଏ ଡାଲିଗୁଣ୍ଡକୁ । ସବୁ ମସଲା ମସଲିକୁ ମିଶାଇ ଗୋଳାଗୋଳି କଲାପରେ ଯାଇଁ ବିଭିନ୍ନ ଶାଖାକୁ ପଠାଯାଏ । ଶାଖାରେ କର୍ମଚାରୀମାନେ ନିର୍ଦ୍ଦିଷ୍ଟ ଆକାରରେ ପାମ୍ପଡ଼ ବେଲନ୍ତି । ମୁଖ୍ୟତଃ ସ୍ତ୍ରୀଲୋକମାନେ ପାଗ ହେଇସାରିଥିବା ଚକଟାକୁ ଓଜନ କରି ଘରକୁ ନେଇ ପାମ୍ପଡ଼ ବେଲି ସାରି ଶାଖାରେ ଦେଇଦିଅନ୍ତି ଓ ସେଇ ଅନୁସାରେ ପଇସା ପାଆନ୍ତି । ପାମ୍ପଡ଼ ସବୁ ମୁମ୍ବାଇ ଫେରନ୍ତି ଓ ସ୍ୱାଦ ଆଦିର ଯାଞ୍ଚ ପରେ ପ୍ୟାକେଟରେ ପଶି ବଜାରକୁ ଯାଆନ୍ତି । ଘରର କାମ ଧନ୍ଦା ସାରିଲା ପରେ ବଳକା ସମୟରେ ସ୍ତ୍ରୀ ଲୋକମାନେ ହାତଖର୍ଚ୍ଚ ଉଠେଇବାକୁ ପାମ୍ପଡ଼ ବେଲାରୁ ବେଶ୍ ଦୁଇ ପଇସା ରୋଜଗାର କରନ୍ତି । କେହି କେହି ପରିବାର ମଧ୍ୟ ଚଳାନ୍ତି । ଆପଣା ଘରେ ପାମ୍ପଡ଼କୁ ଠିକ୍ ଠାକ୍ ଭାବରେ ପରିଷ୍କାର ପରିବେଶରେ ରଖା ଶୁଖା କରାଯାଉଛି କି ନାହିଁ ଜାଣିବାକୁ କମ୍ପାନୀର କର୍ମଚାରୀ ହଠାତ୍ ପହଞ୍ଚି ପରିସ୍ଥିତିର ଯାଞ୍ଚ ଅନୁଧ୍ୟାନ ବି କରିଥା’ନ୍ତି । ସବୁ ସମୟରେ ଲକ୍ଷ୍ଯ ରଖାଯାଏ ପାମ୍ପଡ଼ର ଗୁଣବତ୍ତା ଯେମିତି ଠିକ୍ ରୁହେ । ଘରୁ ଗୋଡ଼ ନକାଢି ସ୍ତ୍ରୀଲୋକମାନେ ରୋଜଗାର କରି ପରିବାରକୁ ସହଯୋଗ କରିପାରିବେର ମୂଳ ଧାରଣା ସଫଳ ହେଇଛି । ବଡ଼ ବଡ଼ କମ୍ପାନୀମାନେ ଆଜି ମଣିଷକୁ ବାହାର କରିଦେଇ ଯନ୍ତ୍ରପାତି ଉପରେ ଅଧିକ ନିର୍ଭରଶୀଳ ହେଲାବେଳକୁ ଲିଜ୍ଜତ ଏବେ ବି ତା’ର ପୁରୁଣା ପ୍ରକ୍ରିୟା ଉପରେ ବିଶ୍ୱାସ ରଖିଛି ।

୧୯୫୯ ମସିହାରେ ମାତ୍ର ସାତଜଣ ସାଧାରଣ ସ୍ତ୍ରୀ ଲୋକଙ୍କ ଦ୍ୱାରା ଆରମ୍ଭ ହେଇଥିବା ଉଦ୍ୟୋଗ ଆଜି ସ୍ତ୍ରୀଲୋକମାନଙ୍କ ଦ୍ୱାରା ପରିଚାଳିତ ସବୁଠାରୁ ପୁରୁଣା ଓ ବୃହତ୍ ସମବାୟ ଉଦ୍ୟୋଗ । ଆଜି ସଂସ୍ଥା ସହ ପ୍ରାୟ ପଇଁଚାଳିଶ ହଜାର ସ୍ତ୍ରୀଲୋକ ଯୋଡ଼ି ହୋଇ ରହିଛନ୍ତି । ବଡ଼ କଥା ହେଲା ଲିଜ୍ଜତ ଏତେ ବର୍ଷ ଧରି ତା’ର ସ୍ୱାଦ ଓ ମାନକୁ ବଜାୟ ରଖିଛି । ହଜାର ପ୍ରତିକୂଳତା ଭିତରେ ଲିଜ୍ଜତ ତା’ର ଇଜ୍ଜତ କିନ୍ତୁ ବଞ୍ଚେଇ ରଖିଛି । ଆଜିକାଲି ପାମ୍ପଡ଼ ସହ ଲିଜ୍ଜତ ତା’ ବ୍ରାଣ୍ଡରେ ବିଭିନ୍ନ ପ୍ରକାର ମସଲା, ଅଟା, ଲୁଗାଧୁଆ ପାଉଡର୍ ଓ ସାବୁନ, ଖକରା, ବଡ଼ି, ଧୂପକାଠି ଆଦି ଅନେକ ଜିନିଷ ତିଆରି କରୁଛି ।

କଳାଧଳା ଟି.ଭି ଅମଳରେ ପିଲାଦିନେ ଦେଖିଥିବା ଲିଜ୍ଜତ ପାମ୍ପଡ଼ର ବିଜ୍ଞାପନ ନିଶ୍ଚୟ ମନେଥିବ । କୁଡୁମୁଡିଆ ପାମ୍ପଡ଼ ଧରି ଖାଉଥିବା ବଡ଼ ଠେକୁଆ ଓ ସେ ବିଜ୍ଞାପନର ଖୁରମ ଖୁରମ ଜିଙ୍ଗଲସ୍ ଏତେ ଶୀଘ୍ର ଭୁଲିହେବନି । ଆଜି ବି ସେ ଠେକୁଆର ଛବି ଲିଜ୍ଜତ ପାମ୍ପଡ଼ର ପ୍ୟାକେଟ୍ ଉପରେ ବସି ପାମ୍ପଡ଼ ଖାଉଛି । ଏବେ ବଜାରରେ ଅନେକ ପ୍ରକାରର ଭଳିକି ଭଳି ପାମ୍ପଡ଼ । ତଥାପି କିନ୍ତୁ ମାସିକିଆ ସଉଦା ତାଲିକାରେ ଲିଜ୍ଜତର ନାଁ ନିଶ୍ଚୟ ରହୁଛି । ବିବାହ ବ୍ରତ ଆଦି ଭୋଜିରେ ଭାତ ଥାଳି ସାଙ୍ଗରେ ପାମ୍ପଡ଼ ଆଜିକାଲି ଅବିଛେଦ୍ୟ ହେଇସାରିଲାଣି । ପାମ୍ପଡ଼ ଘରେ ଘରେ ପରିଚିତ ହେଇସାରିଲାଣି । ଅନେକ ତ ଯେକୌଣସି ପାମ୍ପଡ଼ ହେଉ ପଛେ ତାକୁ ଲିଜ୍ଜତ ବୋଲି କୁହନ୍ତି ।

About Dr. Ramakanta Samantaray

Ramakanta Samantaray is a contemporary Indian Artist and well known Odia fiction writer. He also regularly writing features and critical texts on art and culture. Presently he is living and working in Bhubaneswar. He has published more than fifteen books.

View all posts by Dr. Ramakanta Samantaray →