ମୂଳ ଲେଖା : ଇନ୍ତିଜାର ହୁସେନ୍ || ଅନୁବାଦ : ଜ୍ୟୋତି ନନ୍ଦ
ଏକ ହଜାରରୁ ଅଳ୍ପ କିଛି ଅଧିକ ଗପ କହିଥିଲା ଶେହେରଜାଦ ଏକ ହଜାର ଏକ ରାତିରେ । ଆଉ ଏଇ ସମୟ ଭିତରେ ତାହାର ତିନୋଟି ପୁଅ ଜନ୍ମଗ୍ରହଣ କରିଥିଲେ । ଶ୍ରୋତାମାନେ ଗପ ଶୁଣିବା ପାଇଁ ଖୁବ୍ ଜିଦ୍ କରନ୍ତି । ଆଉ ସେ ଗପ କହିଚାଲେ ତାହାପରେ।ଗପ କହିବାର ଛଳରେ କଥକ ଆକାରରେ କହିବାକୁଗଲେ ବଂଚିରହିବାର ସୁଯୋଗ ପାଇଥିଲା ଏଇ ଶେହରଜାଦ । ଆଉ ତାହା ସହିତ ଅଗଣିତ କୁମାରୀକନ୍ୟାର ଜୀବନଗୁଡିକ ରକ୍ଷା ପାଇଯିବା ସମ୍ଭବପର ହୋଇଥିଲା । ଏଇ ସବୁ କୁମାରୀମାନଙ୍କୁ ଗୋଟିଏ ରାତି ପାଇଁ ରାଣୀ ହେବାକୁ ପଡିଥାନ୍ତା । ଆଉ ପରଦିନ ସେମାନଙ୍କର ବେକ ଉପରର ମଥାଟିମା କଟା ହୋଇ କେଉଁ ଅପନ୍ତରାରେ ଗଡୁଥାଆନ୍ତା। ଏଇ ସବୁ ଗପକୁ ଶୁଣି ଶୁଣି ଶ୍ରୋତା ଦୁନିୟାଜାଦ୍ ଆଉ ବାଦଶା ଶାହାରିଅର୍ ସେମାନଙ୍କର ଜୀବନକୁ ସଂପୂର୍ଣ୍ଣ ଭାବରେ ବଦଳାଇଇ ନେଇ ପାରିଥିଲେ । ସବୁ କିଶୋରୀ କନ୍ୟା ପ୍ରତି ଶାହାରିଅର୍ ର ଖୁବ୍ ଖରାପ ମନୋଭାବ ଥିଲା। ଶେହେରଜାଦର କହୁଥିବା ଗପ ଗୁଡିକ ମାଧ୍ୟମରେ ସେଇ ଖରାପ ମନୋଭାବ ଗୁଡିକ ଧୋଇ ପୋଛି ବେଶ୍ ସଫା ହୋଇଯାଇଥିଲା । ବାଦଶା ନିୟମ କରି ଗୋଟିଏ ରାତି ପାଇଁ ଗୋଟିଏ କିଶୋରୀକୁ ବିବାହ କରୁଥିଲେ । ପରଦିନ ସକାଳୁ ତାହାର ମୁଣ୍ଡକାଟ ହେଉଥିଲା। ଶେହରଜାଦର ଗପ ଶୁଣିବା ଫଳରେ ଏଇ ଭଳି ଗୋଟିଏ ଅଭ୍ୟାସକୁ ସେ ଛାଡି ପାରିଥିଲେ ।
ତାହାପରେ ଏଇ ରାଜ୍ୟରେ ବେଶ୍ ବଡ ଆନନ୍ଦ ଉତ୍ସବ ହୋଇଥିଲା। ଉତ୍ସବର ସାଜରେ ସଜ୍ଜିତ ହୋଇଥିଲା ସମଗ୍ର ରାଜଧାନୀ। ଗୋଟିଏ ମହାଭୋଜର ଆୟୋଜନ ହୋଇଥିଲା। କିନ୍ତୁ ସେତେବେଳକୁ ଶେହେରଜାଦ ଗୋଟିଏ ବିଭ୍ରାନ୍ତି ର ଭିତରେ ରହିଥାଏ । ତାହାର ମନ୍ଦ ଭାଗ୍ୟର ଅସଲରେ କୌଣସି ପରିବର୍ତ୍ତନ ହୋଇଛି କି ନାହିଁ ସେଇ କଥାକୁ ନେଇ ତାହାର ଯେତେକ ବିଭ୍ରାନ୍ତି । ଏକ ହଜାର ଏକ ରାତି ଧରି ନିରବଚ୍ଛିନ୍ନ ଭାବରେ ଗପ କହିବାର ଦିନଗୁଡିକ ଯେ ତାହାର ବିତୁଥିଲା ମରଣର ଗାଢ କଳା ବାଦଲର ତଳେ – ସେଇ ସବୁ କଥା କେମିତି ତାହାର ବିସ୍ମରଣ ହେବ ? ଆଉ ତାହାପରେ ଯେତେବେଳେ ଏଇ ରାତିଗୁଡିକୁ ସେ ସତସତିକା ଅତୀତର ଘଟଣା ହିସାବରେ ମାନି ନେବାକୁ ଆରମ୍ଭ କରିଥିଲା ସେତେବେଳେ ତାହାର ଦେହ ଶିହରି ଊଠୁଥାଏ । ସେଇ ସବୁ ରାତିରେ ଦୀର୍ଘ ସମୟ ଧରି ଉଜାଗର ରହିବାର ଚେଷ୍ଟା ତାହାକୁ କରିବାକୁ ହେଉଥିଲା,ଆଉ ନିଦହରା ରାତି କାଟିବାକୁ ହେଉଥିଲା । ବାଦଶାଙ୍କର କୌତୁହଳକୁ ଜାଗ୍ରତ କରି ରଖିବା ଭଳି କରି ଗପର ସୂତାକୁ ଟିକିଏ ଝୁଲାଇ ଢିଲା ରଖିବାକୁ ହେଉଥିଲା । ଏଇ ବିଷୟଗୁଡିକୁ ଏଇଲେ ତାହାର ବିଶ୍ୱାସ କରିବାକୁ କଷ୍ଟ ହୁଏ । କେଉଁଭଳି ସେ ଏତେ ଗପ ବୁଣିପାରିଥିଲା ? ଏଗୁଡିକ ନିଶ୍ଚୟ ହିଁ ଖୁଦାଙ୍କ ମର୍ଜିରେ ଉପରୁ ଆସିଛି ।
ଶେଷରେ ,ସେ ଗପକୁ ଆଉ ଚଳାଇଯିବା କଥାକୁ ପାରୁ ନଥାଏ ।ଦିନେ ରାତିରେ ସେ ଦୁନିଆଜାଦକୁ ଡାକି ନିଜ ଶେଜରେ ବସାଇଥିଲା । କହିଥିଲା,” ଆରେ ଛୋଟ,ଏସବୁକୁ ନେଇ ଏବେ ଯେତେବେଳେ ଭାବୁଛି ସେତେବେଳେ ମୋ ମନରେ ଗାଢ ବାଦଲ ଜମାଟ ବାନ୍ଧି ବସୁଛି । ଏକ ହଜାର ଏକ ରାତି ଧରି ମୁଁ ଗପଗୁଡିକ କହିଛି । ଭଉଣୀ ମୋର ,ଏବେ କହିଲୁ ,ଏହା କେମିତି ସମ୍ଭବ ହୋଇଥିଲା ?”
ଦୁନିଆଜାଦ କହିଲା,” ଦିଦି ,ତୋ ମନ ଭିତରେ ଯେ ଗପର ଏତିକିବଡ ଖଣି ରହିଛି,ତାହାକୁ ଦେଖି ମୁଁ ଅବାକ୍ ହୋଇ ଯାଇଛି । ସେହି ରାତିଗୁଡିକ ଆତଙ୍କର ରାତି ଥିଲା। ନୂତନ ସକାଳ କ’ଣ ଆଣିବ ସେଇକଥାକୁ ଭାବି ମୋର ହୃତପିଣ୍ଡ ଆତଙ୍କରେ ଧପଧପ କରୁଥାଏ। ମରଣ ଆଗେଇ ଆସୁଛି- ସବୁ ସମୟରେ ମୃତ୍ୟୁକୁ ଅତି ପାଖରେ ଦେଖିବାକୁ ପାଉଥିଲି । କିନ୍ତୁ ସେହି କଳା ଆଉ ଭୀତିକର ରାତିଗୁଡିକ ପ୍ରଦୀପ ଭଳି ଆଲୋକିତ ହୋଇ ଉଠୁଥିଲା ତୋ ଗଳାର ଫୁଟିଉଠୁଥିବା ଗପଗୁଡିକ ଭିତରେ । ଯେତେବେଳେ ତୁ କୌଣସି ଗପ କହିବାକୁ ଆରମ୍ଭ କରୁ ସେତେବେଳେ କେହି ଜାଣି ପାରନ୍ତି ନାହିଁ ଯେ ଅସଲରେ କେତେ ସମୟ ବିତି ଗଲାଣି – କେତେବେଳେ ରାତି ପାହି ଭୋର୍ ହୋଇଯାଇଛି । ଆଉ ବାଦଶା …ନିର୍ବାକ ହୋଇ ବସି ରହିଛନ୍ତି । ଶୁଣି ଚାଲିଛନ୍ତି ତୋ’ର ଗପ ।”
ଶେହେରଜାଦ କହିଲା,”ଝିଅ ଲୋ,ମୁଁ ପୃଥିବୀରେ ହଜି ଯାଉଥିଲି । ମୋ ମଥାରେ ସେତେବେଳେ କେବଳ ଗୋଟିଏ ଚିନ୍ତା ଯେ ମୋତେ ଏଇଲେ ଗପଟିଏ କହିବାକୁ ହେବ। ଆଉ ପ୍ରତି ରାତି ରେ ହିଁ ମୋର ଜୀବନକୁ ବଞ୍ଚାଇବାକୁ ହେବ। କିନ୍ତୁ ଯେତେବେଳେ ମୁଁ ଆରମ୍ଭ କରୁଥିଲି ସେତେବେଳେ ଗପର ଭିତରେ ଏଇଭଳି ବୁଡିଯାଉଥିଲି ଯେ ବଞ୍ଚିରହିବାର ଯେତେକ ଚିନ୍ତା ସେସବୁ କୁଆଡେ ମିଳାଇ ଯାଉଥିଲା । ସେତେବେଳେ ମୋ ମନ ଭିତରେ କେବଳ ଗୋଟିଏ ଭାବନା କାର୍ଯ୍ୟ କରୁଥାଏ ଏଇ ଗପଟିକୁ ଯେମିତି ଶେଷ ପରିଣତିକୁ ଟାଣି ନେଇ ଯାଇ ପାରେ ।”
“ତୋ’ର ଗପ ସବୁ ତାହାର ଶେଷ ପରିଣତିରେ ପହଞ୍ଚିସାରିଛନ୍ତି । କେତେ ଅଦ୍ଭୁତ ସତରେ ସେଇ ସବୁ ପରିଣତି ! ଗପ ଯେମିତି ଶେଷ ହେବାକୁ ବସିଛି ବାଦଶା ଜଣେ ମଣିଷ ରେ ରୂପାନ୍ତରିତ ହୋଇଯାଉଛନ୍ତି । ଜଣେ ସ୍ତ୍ରୀ-ବିଦ୍ୱେଷୀ ସ୍ୱାମୀ ଯିଏ କି ତାହାର ସ୍ତ୍ରୀର ମୁଣ୍ଡକୁ କାଟି ପକାଉଥିଲା -ସେଇ ଲୋକଟା ତୋ’ର ଅନୁଗତ ହୋଇଯାଉଛି- ପାଲଟିଯାଉଛି ପୁରାପୁରି ନୂଆ ଆଉ ଗୋଟିଏ ମଣିଷରେ ।”
ଆଉ ଏଇ ଦୁଇଜଣ ଯାକ ଭଉଣୀ ଆତଙ୍କ,ଅନିଶ୍ଚିତତା ଏବଂ ଆଖିର ଲୁହରେ ଭିଜା ରାତିଗୁଡିକର ହାତରୁ ମୁକ୍ତି ପାଇଛନ୍ତି । ତାହାପରେ ସେମାନେ ନିଜନିଜର ଆଖିର ଲୁହକୁ ପୋଛିନେଇଛନ୍ତି । ସେମାନଙ୍କର ଦୁର୍ଭାଗ୍ୟର କାଳ ଏତେକେ ଶେଷ ହେଲା ବୋଲି ଈଶ୍ୱରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ଈଶ୍ୱର ସ୍ୱୟଂ ଶେହେରଜାଦ କୁ ଗପ କୁ ଏଇମିତି କହିବା ଭଳି ଶକ୍ତି ଆଉ ଜ୍ଞାନ ଦେଇଛନ୍ତି । ଏଇ ଗପ ଗୁଡିକ ହିଁ କହିବାକୁ ଗଲେ ସେମାନଙ୍କର ଜୀବନରକ୍ଷା କରିଛି ।
ସାନ ଭଉଣୀକୁ ନିଜର ଦୁଃଖ ଆଉ ଭୟର କଥା ଗୁଡିକୁ ଏମିତି କହିସାରିବା ପରେ ଶେହେରଜାଦ କୁ ଭାରି ଭଲ ଲାଗିଥିଲା।
ସେ ଯାହା ହେଉ ତାହାପରେ ଯଥାଶିଘ୍ର ରାଜ୍ୟରେ ଆୟୋଜିତ ହୋଇଥିବା ଉତ୍ସବ ଶେଷ ହୋଇ ଆସିଲା। ଆଗ ଭଳି ସବୁକିଛି ଚାଲିବାକୁ ଆରମ୍ଭ କଲା। ଆଗର ଏକ ହଜାର ଏକ ରାତି ଅତୀତ ର କଥା ହୋଇଗଲା । ଶେହେରଜାଦ ବାଦଶାଙ୍କର ଏବେ ପ୍ରିୟତମା ରାଣୀ । ଏହା ସହିତ ତିନୋଟି ରାଜକୁମରଙ୍କର ମାଆ ହୋଇ ଉଆସର ଅନ୍ଦରମହଲର ସବୁକଥାକୁ ସେ ପରିଚାଳନା କରୁଥାଏ । ଦୁନିଆଜାଦ ସିଦ୍ଧାନ୍ତ ନେଇଥିଲା,ସେ ବିବାହ କରିବ ନାହିଁ । ବଡ ଭଉଣୀରେ ଛାଇରେ ସେ ନିଜର ସମୟ ବିତାଉଥାଏ ।
ଶେହେରଜାଦର ତିନୋଟିଯାକ କୁମର କାଳକ୍ରମେ ବଡ ହେଲେ। ବିପୁଳ ଆଡମ୍ବର ସହକାରରେ ସେମାନଙ୍କର ମଙ୍ଗଳକୃତ୍ୟ ର ଉତ୍ସବ ସମାପନ ହେଲା। ଏଇ ରାଜବଧୂଗୁଡିକ ଦେଖିବାକୁ ଅନିନ୍ଦ୍ୟ ରୂଫସୀ। ଦେଖିଲେ ମନେହେବ ଉଆସରେ ଏଇଲେ ଯେମିତି ତିନିତିନୋଟି ଚାନ୍ଦ । ସେମାନେ ଅତ୍ୟନ୍ତ ସୌଭାଗ୍ୟବତୀ। ଉଆସକୁ ହାଲୋଳ କରି ଯଥାସମୟରେ ସେମାନଙ୍କର କୋଳକୁ ଗୋଟିଏ ଗୋଟିଏ ଫୁଲ ଭଳି ରାଜକନ୍ୟା ଆସିଥିଲା। ସେଇ ରାଜକନ୍ୟାମାନେ ଯେତେବେଳେ ବଡ ହେବାକୁ ଲାଗନ୍ତି ଦୁନିଆଜାଦ ଦେଖିଲା ସେଇ ତିନି ରାଜକନ୍ୟାଙ୍କର ରହିଛି ଗପ ଶୁଣିବାରେ ଅସମ୍ଭବ ମତି । ସେ ସେମାନଙ୍କୁ ଡାକି କହିଥିଲା,” ତମେ ଯଦି ସତରେ ଗପ ଶୁଣିବାକୁ ଭାରି ଭଲ ପାଅ ତାହାହେଲେ ତମେ ଏଇଲେ ତମର ଜେଜେମା ପାଖକୁ ଯାଇ ଖୁମାଣ କର । ତମର ଜେଜେମା ଠୁ ବଳି ଗଳ୍ପକଥକ ଏଇ ସମଗ୍ର ପୃଥିବୀରେ ଆଉ ଦ୍ୱିତୀୟ ନାହିଁ ।”
ଏଇ କଥା ଶୁଣି ସେଇ ତିନିଜଣ ଯାକ ରାଜକନ୍ୟା ଶେହେରଜାଦ ପାଖରେ ପହଞ୍ଚିଗଲେ । ଗପ ଶୁଣିବା ପାଇଁ ଅଳି କଲେ । ପିଲାଙ୍କର ଏଇମିତି ଜିଦ୍ ଦେଖି ଶେହେରଜାଦ ଅବାକ ହୋଇଗଲା । ଏକଦା ସେ ଜଣେ ଉତ୍କୃଷ୍ଟ ଗଳ୍ପ-କଥକ ଥିଲା ,ଏଇ କଥାକୁ ସେ ଏହା ଭିତରେ ପୁରାପୁରି ଭୁଲିଯାଇଛି । ନାତୁଣୀ ମାନଙ୍କୁ ସେ ଯଥାସାଧ୍ୟ ନିରସ୍ତ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ସେମାନେ ବାଦଶାଙ୍କ ନାତୁଣୀ,ନଛୋଡବନ୍ଧା । ସେତିକିବେଳେ ଦୁନିଆଜାଦ ତାହାକୁ ଅନୁନୟ ହୋଇ କହିଥିଲା,” ନାନୀ ଲୋ,ଜେଜେମା ଆଉ ନାତୁଣୀମାନଙ୍କ ମଝିରେ ମୋର କିଛି କହିବା ଠିକ୍ ହେବ ନାହିଁ । କିନ୍ତୁ ନ୍ୟାୟବୋଧ ମୋତେ କିଛି କହିବାକୁ ବାଧ୍ୟ କରୁଛି । ଏଇମାନେ ତ ଅସଲରେ ତୋ’ର ନାତୁଣୀ । ଆଉ ଉଆସରେ ଜଣେ ଦକ୍ଷ ଗଳ୍ପ-କଥକ ଜେଜେମା ଆକାରରେ ସେମାନଙ୍କର ଅତି ନିକଟରେ ରହିଛି । ତେଣୁ କାହିଁକି ତୁ ତୋହର ଶ୍ରେଷ୍ଠ ଉପହାରଗୁଡିକରୁ ସେମାନଙ୍କୁ ବଞ୍ଚିତ କରିବୁ ? ସେମାନେ କାହିଁକି ଆଉ କାହାର ନିକଟରେ ଗପ ଶୁଣିବା ପାଇଁ ନିଜନିଜର କାନ ପାତିବେ ?
ସାନ ଭଉଣୀର କଥା ଶୁଣି ଶେହେରଜାଦର ହୃଦୟ ତରଳିଗଲା। ନାତୁଣୀମାନଙ୍କୁ ସେ କହିଲା,” ତମେ ସବୁ ମୋର ପ୍ରାଣ,ମୁଁ ନିଶ୍ଚୟ ତମମାନଙ୍କୁ ଗପ ଶୁଣେଇବି । ଏଇ ସବୁ ଗପକୁ ଶୁଣିବା ପାଇଁ ତମମାନଙ୍କ ଛଡା ମୋର ଆଉ କିଏ ଅଛି ? କିନ୍ତୁ ଏଇଲେ ତ ଦିନବେଳ,ଦିନବେଳା ଗପ କହିଲେ ପଥିକ ପଥ ହରାଇ ବସିବ । ରାତି ହେବାକୁ ଅପେକ୍ଷା କର ,ସେତେବେଳେ ତମମାନଙ୍କୁ ନିଶ୍ଚୟ ଗପ ଶୁଣେଇବି ।”
କେଉଁ ଭଳି ସେମାନେ ରାତି ହେବା ଯାଏଁ ଅପେକ୍ଷା କରିଛନ୍ତି ସେକଥା ସେମାନେ ଜାଣନ୍ତି। ରାତି ହେବାମାତ୍ରକେ ତିନୋଟିଯାକ ନାତୁଣୀ ଜେଜେମାକୁ ଘେରି ବସିଗଲେ । ଦୁନିଆଜାଦ ବି ଆସି ସେଇଠି ଉପସ୍ଥିତ । ଦୀର୍ଘଦିନ ପରେ ସେ ବି ଶେହେରଜାଦର ଗପ ଶୁଣିବ ।
କିନ୍ତୁ ଗୋଟିଏ ଅଦ୍ଭୁତ ଘଟଣା ଘଟିଥିଲା। କହିବାକୁ ଗପଟିଏ ପାଇଁ ଶେହେରଜାଦ ଖୁବ୍ ଚିନ୍ତା କରିବାକୁ ଲାଗିଲା,ଯଥେଷ୍ଟ ମଥା ଖଟାଇବାକୁ ଲାଗିଲା। ହେଲେ ତାହାର ମନକୁ କୌଣସି ଗୋଟିଏ ଗପ ଆସିଲା ନାହିଁ । ତାହାର ମନେହେଲା ଯେମିତି କୌଣସି ଗୋଟିଏ ବୋଲି ବି ଗପ ଏଇଲେ ତାହାର ସ୍ମରଣରେ ନାହିଁ । ଉଦ୍ବିଗ୍ନ ହୋଇ ସେ ଦୁନିଆଜାଦକୁ କହିଲା,” ମୋତେ ସ୍ମୃତିଲୋପ ଧରିଛି। ଗୋଟିଏ ମାତ୍ର ଗପ ମନେ
କରିପାରୁନି ।”
“କ’ଣ କହୁଛୁ ? ଦୁନିଆଜାଦ ଚମକି ଉଠିଲା।”ତୁ ତୋ’ର ସ୍ୱାମୀକୁ କେତେ ନାହିଁ କେତେ ଗପ ଶୁଣାଇଛୁ । ସେଥିରୁ ଅନ୍ତତଃ ଗୋଟିଏ ଗପ ତୁ ତୋ’ର ନାତୁଣୀ ମାନଙ୍କୁ କହି ପାରିବୁନି ?”
“କିନ୍ତୁ କେଉଁଟି ? ଗୋଟିଏ ତ ମନେ ପଡୁନି !”
“ପ୍ରଥମ ରାତିର ଯେଉଁ ଗପଟି କହିଥିଲୁ ? ମନେ ପଡୁନି ? ସେଇ ଯେଉଁ ସୌଦାଗର ଆଉ ଜିନ୍ ର ଗପଟି !”
“ସୌଦାଗର ଆଉ ଜିନ୍ ” ଏମିତି କିଛି ଶବ୍ଦକୁ ନେଇ ଭୁଟୁଭୁଟୁ କରୁଥାଏ ଶେହେରଜାଦ।
ସେ ମନେପକାଇବା ପାଇଁ ଅନେକ ଚେଷ୍ଟା କରୁଥାଏ । ଯେତେବେଳେ ଆଦୌ କିଛି ତାହାର ମନକୁ ଆସିଲା ନାହିଁ ସେ ଟିକିଏ ଭୟରେ ଦୁନିଆଜାଦକୁ କହିଲା,” ସୌଦାଗର ଆଉ ଜିନ୍ ର ଗପର ପରିଣତି ଟି କ’ଣ ଥିଲା ମନେପକାଇ ପାରୁନି ।”
“ତାହାରମାନେ ତୁ ତୋ’ର ନିଜର ଗପ ଗୁଡିକୁ ଭୁଲି ଯାଇଛୁ ? ମନେ ପକାଇ ପାରୁନୁ ,ସେଇ ଯେଉଁ ସୌଦାଗର ଯିଏ ଖଜୁରୀ ଖାଇ ଛେପ ପକାଇଥିଲା ପଥର ଉପରେ । ଯେତେବେଳେ ସେ ସେହି ପଥରର ଉପରେ ଛେପ ପକାଇଥିଲା ସେତେବେଳେ ସେଇଠୁ ମେଘ ପରିକା ଧୂଆଁ ବାହାରିଥିଲା। ଆଉ ସେଥିରୁ ଗୋଟିଏ ଜିନ୍ ଆସି ହାଜିର୍ ହୋଇଗଲା। ଜିନ୍ ତାହାର ଖନଖନିଆ ଗଳାରେ କହିଲା ଏଇ ପଥରଟି ତାହାର ପୁଅର ଛାତିରେ ଆଘାତ କରିଛି ଆଉ ତାହା ଫଳରେ ତାହାର ପୁଅ ଆଉ ନାହିଁ । ତେଣୁ ଜିନ୍ ଗର୍ଜି ଉଠି କହିଥିଲା,” ତମକୁ ଏହାର ମୂଲ୍ୟ ଦେବାକୁ ହେବ। ଏଥର ତମେ ମୃତ୍ୟୁ ନିମନ୍ତେ ପ୍ରସ୍ତୁତ ହୁଅ ।”
ଶେହେରଜାଦ ଅତ୍ୟନ୍ତ ମନଯୋଗ ଦେଇ ଏହାକୁ ଶୁଣିଥିଲା। ଏହା ପରେ କ’ଣ ଘଟିଥିଲା ସେକଥାକୁ ମନେପକାଇବା ପାଇଁ ଖୁବ୍ ଚେଷ୍ଟା କରିଥିଲା । କିନ୍ତୁ ମନର କୁହୁଡିରୁ ଯେତେବେଳେ ପରିଷ୍କାର ହୋଇ କିଛି ଦିଶୁ ନଥାଏ ସେତେବେଳେ ସେ ଦୁନିଆଜାଦକୁ କହିଥିଲା,ଝିଅ ଲୋ, ମନେ ହେଉଛି ଏଇ ଗପଟି ମୋ ମନରୁ ପୁରାପୁରି ପୋଛି ହୋଇଯାଇଛି । କିନ୍ତୁ ଗପଟି ତୋର ମନେ ଅଛି।ଏଇ ଗପଟି ତୁ ଆମ ନାତୁଣୀ ମାନଙ୍କୁ ଏଥର କହିବୁନି କାହିଁକି !”
ଦୁନିଆଜାଦ ଘଡିଏ କିଛି ଭାବିଲା । ତାହାପରେ କହିଥିଲା,” ତୁ ହେଉଛୁ ଏକ ହଜାର ଏକ ରାତିର ଗପର ଗାୟକପକ୍ଷୀ । ତୋ ଭଳି ଗପରେ ଯାଦୁ ଆଣିବା ମୋ ଦ୍ୱାରା ହେବନାହିଁ । ତୁ ଯଦି କହୁଛୁ ତେବେ ନିହାତି ସାଦାସିଧା ଭାବରେ ଗପର କାହାଣୀକୁ ଏଇଲେ କହିପାରିବି । କିନ୍ତୁ ଗୋଟିଏ ଶର୍ତ ରହିଛି । ସେଇଟି ହେଉଛି ଆଜି ମୁଁ କାହାଣୀକୁ କହିଦେବି ସିନା ହେଲେ କାଲି ତୁ ତୋହର ଅନନୁକରଣୀୟ ଶୈଳୀରେ ପରର ଗପଟି କହିବୁ । ହେଲା ।”
ସାନଭଉଣୀର ଶର୍ତରେ ରାଜି ହୋଇଗଲା ଶେହେରଜାଦ । ଆଉ ଦୁନିଆଜାଦ ତାହାପରେ ଖୁବ୍ ବସାଇ ବସାଇ ସୌଦାଗର ଆଉ ଜିନ୍ ର ଗପକୁ ସେଇ ତିନୋଟି କ୍ଷୁଦ୍ର ରାଜକନ୍ୟାଙ୍କୁ କହିଥିଲା । ଗପଟି ସରିବା ପରେ ସେ ସେମାନଙ୍କୁ କହିଥିଲା,ଆଲୋ ମୋ କଣ୍ଢେଇମାନେ,କାଲି ଦେଖିବ ,ତମର ଜେଜେମା ଯେତେବେଳେ ତମମାନଙ୍କୁ ଏହାପରର ଗପଟି ଶୁଣେଇବ,ତମକୁ ଏହାଠୁ ଶହେଗୁଣ ଆହୁରି ଅଧିକ ଭଲ ଲାଗିବ ।”
ଦୁନିଆଜାଦ ନିକଟରୁ ଗପଟି ଶୁଣିବାପରେ ଶେହେରଜାଦର ମନରେ ଝଡ ଉଠିଥିଲା। ତାହାର ମନ ଭିତରେ ଆଗରୁ କହିଥିବା ଗପଗୁଡିକରୁ କିଛି ଅଙ୍କବଙ୍କା ଗଳି ଗୁଡିକ ଉକୁଟି ଉଠୁଥାଏ । ହେଲେ କୌଣସି ଗୋଟିଏ ଗପ ସଂପୂର୍ଣ୍ଣ ରୂପରେ ନୁହଁ । ଗପ ଗୁଡିକ ଗୋଟିକ ସହିତ ଆଉଗୋଟିଏ ଛନ୍ଦାଛନ୍ଦି ହୋଇଯାଇଥାନ୍ତି । କେହି କାହାଠୁ ଅଲଗା ନୁହଁନ୍ତି କି କେହି ଗୋଟିଏ ସ୍ୱୟଂସଂପୂର୍ଣ୍ଣ ନୁହଁନ୍ତି। ସେଗୁଡିକ ଏବେ ମନ ଭିତରେ ଏମିତି ବଦଳିଯାଇଛନ୍ତି ଯେ ତାହାକୁ କହିଲେ କେହି ତାହାର ବିନ୍ଦୁବିସର୍ଗ ବୁଝିପାରିବ ନାହିଁ । ବେଶ୍,ଆଉ କିଛି ଭାବ୍ ନା,ଏମିତି ନିଜକୁ ନିଜେ ପ୍ରବୋଧନା ଦେଉଥାଏ ଶେହେରଜାଦ୍। ସେ ଯାହାହେଉ ସ୍ମୃତିରେ ଗପରୁ ଏମିତି କିଛି ତ ଅବଶେଷରେ ଧରାଦେଇଛି । କାଲି ଯେତେବେଳେ ସେ ନାତୁଣୀମାନଙ୍କୁ ଗପ କହିବସିବ ସେତେବେଳେ ଖୁଦାର ମର୍ଜିରେ ସବୁ ଠିକ୍ ହୋଇଯିବ । ପୂରା ଗପଟି ମନେପଡିଯିବ ନିଶ୍ଚୟ ।
ପରଦିନ ପୂର୍ଣ୍ଣ ଆତ୍ମବିଶ୍ୱାସର ସହ ନାତୁଣୀମାନଙ୍କ ସହ ବସିଥାଏ ଶେହେରଜାଦ। ଦୁନିଆଜାଦ ଆସି ତା’ପାଖରେ ବସିଲା। କିନ୍ତୁ ଆଗଦିନ ଦୁନିଆଜାଦ କହିଥିବା ସୌଦାଗର ଆଉ ଜିନ୍ ଗପର ପରବର୍ତ୍ତି ଅଂଶ ଟିକୁ ମନେକରିବାକୁ ଚେଷ୍ଟା କରୁଥାଏ ଶେହେରଜାଦ। ସେ କିନ୍ତୁ କିଛି ଟିକିଏ ହେଲେ ବି ମନେ କରିପାରୁନଥାଏ । ଦୁନିଆଜାଦ ତାହାକୁ ଉତ୍ସାହ ଦେବା ପାଇଁ ଚେଷ୍ଟା କରୁଥାଏ । ଦୁନିଆଜାଦ ତାହାକୁ ମନେପକାଇଦେବା ପାଇଁ କହିଲା,” ଏହାପରେ ଥରେ,ଗୋଟିଏ କେଉଟ ମାଛ ଧରିବା ପାଇଁ ନଈରେ ଜାଲ ପକାଇଥିଲା। ଯେତେବେଳେ ସେ ଜାଲ କୁ ଟାଣିବାକୁ ଲାଗେ,ଦେଖିଲାବେଳକୁ ତାହା ବେଶ୍ ଭାରି ,ସେ ଭାବିଲା ଯାହାହେଉ ଏଇଲେ ଗୋଟିଏ ବେଶ୍ ବଡ ମାଛ ଜାଲରେ ପଡିଛି ।ମାତ୍ର ଜାଲକୁ ଟାଣି ଦେଖିବାବେଳକୁ ସେଇଠି ଲାଗିଛି ଗୋଟିଏ ବୋତଲ ,ବୋତଲରେ ଅଛି ଗୋଟିଏ ଠିପି । ଠିପିରେ ଲେଖା ହୋଇଛି ବାଦଶା ଙ୍କ ନାଆଁ,ବାଦଶା ସୁଲେମାନ । ଯେତେବେଳେ ସେ ଠିପି ଟିକୁ ଭାଙ୍ଗି ବୋତଲଟିକୁ ଖୋଲିଦିଏ ,ସେତେବେଳେ ତାହାରିଭିତରୁ ଧୂଆଁଟିଏ ବାହାରି ଦିନର ଆଲୁଅକୁ ଗାଢ କଳା କରିଦେଲା। ରାତି ହୋଇଗଲା । ସେଇ କଳାଧୂଆଁରୁ ବାହାରି ଆସିଲା ଗୋଟିଏ ବିଶାଳକାୟ ଜିନ୍।”
ଶେହେରଜାଦ ମୁଗ୍ଧ ହୋଇ କହିଲା,”ମୋର ମନେହେଉଛି ତୁ ଗପଟିକୁ ଖୁବ୍ ଭଲଭାବରେ ମନେପକାଇ ପାରୁଛୁ । ଭାରି ସୁନ୍ଦର ଭାବରେ ବି କହୁଛୁ। ଏହାର ପରବର୍ତ୍ତି ଗପଟି ମୋର ମନେ ନପଡିବା ଯାଏଁ ତୁ ବାକି ଅଂଶଗୁଡିକୁ ଏମିତି କହିଚାଲୁଥା ।”
ଖୁଦାଙ୍କ ଦୟାରୁ ଦୁନିଆଜାଦ ଥିଲା ବେଶ୍ ସ୍ୱତଃସ୍ଫୃର୍ତ୍ତ । କେଉଟ ଆଉ ଜିନ୍ ର ଗପକୁ ସେ ଶେହେରଜାଦ ଭଳି ପୂରା ଦୃଢତାର ସହ କହିବାକୁ ଆରମ୍ଭ କରିଥିଲା । ଭୋର୍ ହେବା ଆଗରୁ ସେ ସେହି ଗପଟିକୁ କହିବା ଶେଷ କରିଥିଲା। ଶେହେରଜାଦ ଶୁଣି ବୁଝିଗଲା ସେହି ଗପଟି ତାହାର ନୁହଁ-ତାହାର ଏଇ ସାନ ଭଉଣୀ ଦୁନିଆଜାଦ ଏଇ ଗପଟିକୁ ଆପେ ଗଢିଛି। ତେଣୁ ସେ ଏଇଲେ ଏଇଠି ଜଣେ ଶ୍ରୋତା । କ୍ଷୁଦ୍ର ରାଜକନ୍ୟାମାନେ ଗଳ୍ପର ନୂତନ ଜଗତରେ ଏଇଲେ ପ୍ରବେଶ କରିପାରିଛନ୍ତି ।
ତାହାର ପର ରାତି ରେ ଶୃଙ୍ଖଳାର ତିନିନମ୍ବର ଗପଟିକୁ ମନେପକାଇପାରିବ ବୋଲି ଶେହେରଜାଦର ଆତ୍ମବିଶ୍ୱାସ ଥିଲା। ଯେତେବେଳେ ସେଇ ଗପଟିକୁ ସେ ମନେ କରିପାରିଲା ନାହିଁ ,ସେତେବେଳେ ସେ ଆଉ ଗୋଟିଏ ଅଲଗା ଗପକୁ ମନେ ପକାଇବା ପାଇଁ ସେ ଚେଷ୍ଟା କରିଥିଲା। ଆଲାଦିନ ଆଉ ଆଶ୍ଚର୍ଯ୍ୟ ପ୍ରଦୀପ ଗପଟିକୁ ମନରୁ ଉଦ୍ଧାର କରିବାକୁ ଚେଷ୍ଟା କଲା। କିନ୍ତୁ ପରେ ପରେ କ’ଣ କ’ଣ ଘଟୁଛି ତାହାର ପୂରାଟିର କୌଣସି ସନ୍ଧାନ ସେ ପାଉନଥାଏ । ପୁଣି ତେଣୁ ଦୁନିଆଜାଦକୁ ସେଇ ଗପକୁ କହିବାକୁ ହୁଏ ସେଦିନ ।
ଗଭୀର ବିସ୍ମୟର ସହ ଗପଗୁଡିକୁ ଶୁଣୁଛି ଶେହେରଜାଦ। ମୁଁ କ’ଣ ଏଇ ଗପଗୁଡିକ କେବେ କହିଥିଲି ,କହିପାରିଥିଲି ? ଆଶ୍ଚର୍ଯ୍ୟ ହୋଇ ଭାବୁଥାଏ ସେ।
ଧିରେ ଧିରେ ଏଇ ଭଳି ବିସ୍ମୟ ବିଷାଦରେ ପରିଣତ ହୋଇଗଲା। ଆଗରୁ ସେ ଦୀର୍ଘ ଏକ ହଜାର ଏକ ରାତି ଧରି ନିରବଚ୍ଛିନ୍ନ ଭାବରେ ଗପଗୁଡିକ କହିଥିଲା। ଏଇ ଏକ ହଜାର ଏକ ରାତିର ପ୍ରତ୍ୟେକଟି ରାତିରେ ତାହାର ମନେ ହୋଇଥିଲା ଏଇଟି ହୁଏତ ପାଲଟିଯିବ ତାହାର ଜୀବନର ଶେଷ ରାତି। କିନ୍ତୁ ଏଇଲେ,ଏତେଗୁଡିଏ ବର୍ଷ ପରେ, ପ୍ରଥମ ଥର ତାହାର ମନେ ହେଲା ସେଇ ରାତିଗୁଡିକ ଯେମିତି ତାହାର ପରିପୂର୍ଣ୍ଣ ଜୀବନ ହିଁ ଥିଲା।କୌଣସି ଏକ ଜାଦୁ ଭଳି ତାହା ତାହାର ଜୀବନସାରା ବିଛାଡି ପଡିଛି। ସେହି ରାତିଗୁଡିକରେ ହିଁ ଏକମାତ୍ର ମୁଁ ସଂପୂର୍ଣ୍ଣ ଭାବରେ ବଞ୍ଚିରହିଥିଲି। ଏଇ କଥାଟି ତା’ର ମନକୁ ବାରଂବାର ଆସୁଥାଏ ଆଉ ତାହାର ମନ ସେତିକି ସେତିକି ଉଦାସ
ହୋଇଯାଉଥାଏ । ଆଉ ଥରେ, ସେଇ ଘୁମନ୍ତ ରାତି ମାନେ ନିଦରୁ ଧଡପଡ ହୋଇ ଊଠନ୍ତି ଆଉ ଚାରିପଟକୁ ଦେଖୁଥାନ୍ତି,ସବୁ କିଛି ତ ଅଚିହ୍ନା ! ରାତି ଯେତିକି ଯେତିକି ବଢୁଥାଏ ସେ ସେତିକି ସେତିକି ସୁଦୂର ଦିଗନ୍ତ ଆଡକୁ ଝପଟି ଯାଏଥାଏ,ପାର ହୋଇଯାଉଥାଏ ଅନେକ ନାଆଁ ନଜଣା ଦ୍ୱୀପ,ସମୁଦ୍ର ଆଉ ମରୁଭୂମୀ,ପାର ହୋଇ ଯାଉଥାଏ ସେହି ସବୁ ଅଦ୍ଭୁତ ଲୋକଙ୍କର ସାହଚର୍ଯ୍ୟ ଯେଉଁମାନେ ଏକଦା ତାହାର ଗପର ଚରିତ୍ର ହେବାକୁ ଆପେ ଆପେ ମନବଳାଇଥିଲେ । ଏଇ ଭଳି ଏକ ନିଆରା ପର୍ଯ୍ୟଟନରେ ସେ ଏଇଭଳି ବୁଡି ରହିଥିଲା ଯେ ସେ ଏହାଭିତରେ ଚାଲିଯାଇଥିଲା ତାହାର ଜୀବନ ଆଉ ମୃତ୍ୟୁର ଭୟ ଏବଂ ଶଙ୍କା ଠାରୁ ବହୁତ ବହୁତ ଦୂରକୁ । ରାତି ଶେଷ ହୋଇ ଆସିଲା। କୁକୁଡା ମାନେ ସେମାନଙ୍କର ଶବ୍ଦରେ ସକାଳର ଆଗମନୀ ଘୋଷଣା କଲେ । ଯେତେବେଳେ ଗଲା ରାତିର ସେଇ ଗପକୁ କହିବାରୁ ବିରତ ରହିବାକୁ ହୁଏ – ପରରାତିରେ ପୁଣି ସେଇଠୁ କହିବ ବୋଲି ତାହାର ଦୃଢ ବିଶ୍ୱାସ ହେଉଥିଲା , ସେଇ ଗପର ଏଇଲେ ମୃତ୍ୟୁ ହୋଇଯାଇଛି । ତାହାର ଆତ୍ମବିଶ୍ୱାସ ଆଉ ତାହାର ନିକଟରେ ନାହିଁ ।
ଶେହେରଜାଦ ସେଇ ଗପଭରା ରାତିଗୁଡିକ ଭିତରେ ସମ୍ମୋହିତ ହୋଇ ବୁଡି ଯାଇଥାଏ । ଆଉ ଯେତେବେଳେ ସେ ସେହି ସମ୍ମୋହନରୁ ଜାଗ୍ରତ ହୋଇ ବର୍ତ୍ତମାନର ଅଂଧକାର ଆଉ ଫାଙ୍କା ରାତିଗୁଡିକ ଭିତରକୁ ପ୍ରବେଶ କରୁଥାଏ ,ସେତେବେଳେ ତାହାର ମନକୁ ଆସେ,”ଏଇଲେ ମୋର ରାତିଗୁଡିକ ଶୂନ୍ୟ। ସେମାନେ ଦୀର୍ଘ ଆଉ ଗାଢ ଅଂଧାରରେ ଭରପୁର । ତାହା ଭିତରୁ ଅପସୃତ ହୋଇଯାଇଛି ସମସ୍ତ ଅଲୌକିକ ଜାଦୁ । ସେମାନଙ୍କର ଆଉ କିଛି ସୃଜନ କରିବାର
ନାହିଁ । ସେମାନେ ବନ୍ଧ୍ୟା। ଶେହେରଜାଦ ଏହାରେ ଭୟରେ ଥରଥର ହୋଇଉଠେ ,ବିଷାଦରେ ପୁରାପୁରି ବୂଡିଯାଏ ।
ଯେତେବେଳେ ବାଦଶା ହାରେମ୍ କୁ ଆସିଥିଲେ,ଦେଖିଥିଲେ ଶେହେରଜାଦ୍ ଅସ୍ୱାଭାବିକ ଭାବରେ ଚୁପ୍ । ତାହାର ମୁଖମଣ୍ଡଳ ସାରା ଉକୁଟି ଉଠିଛି ନୈରାଶ୍ୟର କାରୁକାର୍ଯ୍ୟ। ବାଦଶା ସେଦିନ ଚୁପ୍ ଥିଲେ । କିନ୍ତୁ ସେ ଯେତେବେଳେ ଦେଖିବାକୁ ପାଇଲେ ପରିସ୍ଥିତିର କୌଣସି ଉନ୍ନତି ହେଉନାହିଁ,ଶେହେରଜାଦ କେଉଁ ଗଭୀର ବିଷାଦର ଖାଇରେ ଅଟକି ରହିଛି,ସେ ଉଦ୍ବିଗ୍ନ ହୋଇଥିଲେ । ଶେଷରେ ସେ ଆଉ ଚୁପ୍ ରହି ପାରିଲେ ନାହିଁ । ଆଦର ଗଳାରେ କହିଲେ,
” ବେଶ୍ କିଛିଦିନ ହେଲା ଦେଖୁଛି ତମର ମୁହଁରେ କୌଣସି ସୁଖର ଝଲକ ଦିଶୁନାହିଁ। ତମେ ହସୁନ । କଥା କହୁନ । ତମର ମୁହଁ ମଳିନ ଦିଶୁଛି,ଶେତା ପଡିଯାଇଛି ଆଉ ବିଷାଦରେ ଭରପୁର। ତମର କ’ଣ ହୋଇଛି ? କିଏ କ’ଣ ତମକୁ କିଛି ବିରକ୍ତ କରିଛି ?”
ଏତିକି ଶୁଣିବା ପରେ ଶେହେରଜାଦର ଧୈର୍ଯ୍ୟର ବନ୍ଧ ଯେମିତି ଭାଙ୍ଗିଯାଇଥିଲା। ସେ ହାଉଁ ହାଉଁ କରି ଜୋର୍ ରେ କାନ୍ଦି ଉଠିଲା। କହିଥିଲା,” ପ୍ରିୟତମ ମୋର,କାହାକୁ ଆପଣ ଏଇକଥା ପଚାରୁଛନ୍ତି ? ସେଇ ଉତଫୁଲ୍ଲ ,ସବୁବେଳେ ବକବକ କରୁଥିବା ସେଇ ଗପୁଡି ଯେଉଁ ଶେହେରଜାଦ ଆପଣଙ୍କର ଉଆସକୁ ଆସିଥିଲା ସେ ବହୁଦିନ ଆଗରୁ ମରିସାରିଛି ।”
ଏମିତି କଥା ବାଦଶାଙ୍କୁ ସ୍ତମ୍ଭିତ କରିଦେଲା। ସେ କିଂକର୍ତ୍ତବ୍ୟବିମୂଢ । କହିଥିଲେ,”ଇଏ କ’ଣ ମୁଁ ଶୁଣୁଛି ? ଯଦି କେହି ତମର ହୃଦୟରେ ଆଘାତ କରିଥାଏ ,ତେବେ ତାହାର ନିଶ୍ଚୟ କିଛି କାରଣ ଥିବ ।”
” ତମେ ଦିନଦୁନିଆର ମାଲିକ,ମୋର ପ୍ରିୟତମ” କାନ୍ଦି କାନ୍ଦି ଶେହେରଜାଦ କହୁଥାଏ,” ଆପଣ ମୋତେ ଜୀବନ ଦାନ କରିଛନ୍ତି । କିନ୍ତୁ ତାହାର ବଦଳରେ ମୋ ଠାରୁ ଛଡେଇ ନେଇଛନ୍ତି ମୋର ଏକାନ୍ତ ସମସ୍ତ ଗପ। କେବଳ ଏକା ମୁଁ ହିଁ ବଞ୍ଚିରହିଥିଲି ମୋ ଗପଗୁଡିକର ଭିତରେ । ଯେତେବେଳେ ମୋର ଗପ କହିବା ଶେଷ ହୋଇଗଲା,ମୋର ନିଜର ଏକାନ୍ତ ଗପ ଗୁଡିକ ସେଗୁଡିକର ଭିତରେ ହିଁ ଶେଷ ହୋଇଯାଇଛି ।”
°°°°°
“ଶେହେରଜାଦ ର ମୃତ୍ୟୁ” କାହାଣୀଟି ହେଉଛି ବସ୍ତୁତଃ ଗୋଟିଏ ପାରଂପାରିକ ଜନପ୍ରିୟ କାହାଣୀକୁ ସମକାଳରେ ପୁନଃସ୍ଥାପନ ତଥା ପୁନର୍ଭାଷିତ କରିବା ଭଳି ବିବେଚନର ଏକ କାହାଣୀ। ଆମେ ଯଦି ଆମ ଭିତରେ ଏଇଭଳି ଗୋଟିଏ ବିବେଚନ କୁ ସୃଷ୍ଟି କରିପାରିବା ତାହାହେଲେ ଆମେ ଯେ କୌଣସି କାହାଣୀକୁ ଏକ ପ୍ରଭାବୀ ନୂତନ ରୂପ ଦେବା ସମ୍ଭବପର।
ଆପଣମାନେ ଘଡିଏ ସେହି ଆରବ୍ୟ ଏକ ହଜାର ଏକ ରାତିର କାହାଣୀକୁ ଭୁଲି ଯାଆନ୍ତୁ ତାହାହେଲେ ଦେଖିବେ ଯେ,ଏଇ କାହାଣୀ ହେଉଛି ଏମିତି ଗୋଟିଏ ପ୍ରବୀଣ ଗଳ୍ପକାରର କାହାଣୀ ଯିଏ ଏବେ କୌଣସି ନୂତନ ଗଳ୍ପ ଲେଖିବାକୁ ଅସମର୍ଥ । writer’s block ବୋଲି ଯାହାକୁ କହନ୍ତି ସେଇ ଭଳି ଏକ ସମସ୍ୟା। ଲେଖକ ଏଇ ସମସ୍ୟାର କେନ୍ଦ୍ରକୁ ପ୍ରବେଶ କରିବାର ସାହସ କରିଛି।
ଲେଖକର ମୃତ୍ୟୁ ହିଁ ଆଉ ଏକ ଭିନ୍ନ ଲେଖକକୁ ଜନ୍ମ ଦେଇଥାଏ। ଏଇ କାହାଣୀ ସେମିତି ଏକ ଭିନ୍ନବୋଧକୁ ପ୍ରଚ୍ଛନ୍ନ ଇଙ୍ଗିତ କରୁଛି।
ଏଇ କାହାଣୀର ଲେଖକ ଇନ୍ତିଜାର ହୁସେନ(୧୯୨୩-୨୦୧୬)ଭାରତର ବୁଲନ୍ଦ ସହରରେ ଜନ୍ମିତ ପ୍ରଖ୍ୟାତ ପାକିସ୍ଥାନୀ କଥାକାର । ସେ ମୂଳତଃ ଉର୍ଦ୍ଦୁଭାଷାର ଲେଖକ। ସେ ଉଭୟ ଭାରତ ଏବଂ ପାକିସ୍ଥାନରେ ସମାନ ଭାବରେ ଜନପ୍ରିୟ।