ମୂଳ ଲେଖା : ଫାରିଆ ବାଶାର || ଅନୁବାଦ : ଜ୍ୟୋତି ନନ୍ଦ
ଯେବେ ମୋର ଆଖିଟିଏ ମୋ ଆଖିଡୋଳାରୁ ଖସି ପଡିଲା,ମୁଁ ହଠାତ୍ ଡାକ ପକେଇଥିଲି ମୋ ମାଆକୁ।
“ମାଆ !ମାଆ ! ଦେଖିଲୁ ମୋର ଇଏ କ’ଣ ହୋଇଯାଇଛି ?
ମାଆ ଦୌଡିକି ରୋଷେଇଘରୁ ଏଇ ରୁମ୍ କୁ ଆସେ ,ଉଦବେଗର ଚିହ୍ନ ମୁହଁ ସାରା,ହାତରେ ତା’ର ତଥାପି ରହିଛି ସେଇ ପିଆଜକଟା ଛୁରିଟି। ” କ’ଣ ହେଇଛି ?” ଲାଗିଲା ମୁଁ ଯେମିତି ଏଇଲେ ତାହାର କାମରେ ବାଧା ଦେଇଥିବା କାରଣରୁ ସେ ଟିକିଏ କ୍ଷୁବ୍ଧ। ଘଡିକ ପରେ ତାହାର ଦୃଷ୍ଟି ଚଟାଣ ଉପରେ ପଡିଗଲା,ସେଇଠି ଖସି ପଡିଥିଲା ମୋ ଆଖିଟି , ଏହାକୁ ଦେଖି ସେ ଚିତ୍କାର କହେ,” ହେ ଭଗବାନ,ଇଏ କ’ଣ ହୋଇଗଲା ? “
ସେଇଟିକୁ ହାତରେ ଛୁଇଁବା ପାଇଁ ମାଆ ସେଠିକୁ ଯାଇନଥିଲା,ଦୁଇଟି ଚାମୁଚ ର ସାହାଯ୍ୟରେ ସେ ସେଇ ଆଖିଟିକୁ ତଳୁ ହଠାତ୍ ଉଠାଇନେଇଥିଲା।ଆମେ ସେଇ ଆଖିପୁଅକୁ ନେଇ ଏବେ କରିବୁ କ’ଣ ସେ ବିଷୟରେ କିଛି ଭାବି ପାରିନଥିଲୁ । ଅଗତ୍ୟା ପଲାଉ ରେ ବ୍ୟବହୃତ ହେବା ପାଇଁ ରହିଥିବା ହିମାୟିତ ମଟରମଞ୍ଜିର ପ୍ୟାକେଟ୍ ଭିତରେ ଆମେ ସେଇଟିକୁ ପୁରାଇ ଦେଇଥିଲୁ। ଠିକ୍ ସେତିକି ବେଳେ ମୁଁ ମୋର ଗୋଟିଏ ହାତରେ ଢାଙ୍କି ରଖିଥିଲି ମୋର ଆଖି ର ସେଇ ସଦ୍ୟ ଫାଙ୍କା ଗର୍ତ୍ତଟିକୁ।
ବାବାଙ୍କୁ ଫୋନ୍ କଲି। ସେ ସକାଳୁ ସକାଳୁ ଅଫିସ୍ କୁ ବାହାରି ଯାଇଛନ୍ତି । ମାଆ ସ୍ପିକରଫୋନ୍ ଟିକୁ ଅନ୍ କରି ରଖିଥିଲା ,ଯାହା ଦ୍ୱାରା କି ମୁଁ ପୂରା କଥାଟିକୁ ତାଙ୍କୁ ଠିକ୍ ବୁଝାଇ କହି ପାରିବି।
“ମୋର ଆଖିଟେ ଖସି ପଡିଛି,ବାବା” ମୁଁ କହିଲି।
ବାବା ତତକ୍ଷଣାତ୍ ଘରକୁ ଫେରି ଆସିଥିଲେ। ମାଆ ପାଗଳ ଭଳି ଘର ଭିତରେ ଏପଟ ସେପଟ ହେଉଥାଏ। ଜଣକ ପରେ ଜଣେ ଏମିତି ପରିବାର,ବନ୍ଧୁବାନ୍ଧବ,ପରିଚିତ ମଣିଷ ସମସ୍ତଙ୍କୁ ଗୋଟିକ ପରେ ଆଉ ଗୋଟିଏ ସେ ଫୋନ୍ କରି ଚାଲୁଥାଏ ।
ଦିନଟି ଅନ୍ୟ ଯେକୌଣସି ଏକ ଦିନ ଭଳି ଆରମ୍ଭ ହୋଇଥିଲା । ବାବା ସମସ୍ତଙ୍କ ଆଗରୁ ନିଦରୁ ଉଠିଥିଲେ। ଯଥାରୀତି ସେ ବାଥରୁମ୍ ର ସିଙ୍କ ର ଉପରେ ଜୋରରେ ଜୋରରେ ଗଳାକୁ ଖଙ୍କାରି ଖଙ୍କାରି ନିଜେ ଫ୍ରେଶ୍ ହେବା ବେଳେ ତାହାରି ମାଧ୍ୟମରେ ଘରର ଅନ୍ୟ ସମସ୍ତଙ୍କୁ ନିଦରୁ ଉଠାଇଥାନ୍ତି। ମାଆ କିଛି ସମୟ ପରେ ନିଦରୁ ଉଠିଥିଲା,ରୋଷେଇଘରକୁ ଯାଇ ବାସି ଡାଲିକୁ ଗରମ କରିଥିଲା ଆଉ ଆମର ଜଳଖିଆ ପାଇଁ ରୁଟି ତିଆରି କରିଥିଲା। ବେଳେ ବେଳେ,ଯଦି ମୋତେ ଭାରି ଭୋକ ହେଉଥାଏ ,ତେବେ ମୁଁ ତାହାକୁ ଗୋଟିଏ ଅଣ୍ଡାକୁ ଭାଜିଦେବା ପାଇଁ କହିଥାଏ। ମୁଁ ସେଦିନ ତାହା କହି ନଥିଲି।
ମୋର ପରିଷ୍କାର ମନେ ଅଛି ସେଦିନ ମୁଁ ଦେଖିଥିଲି, ବାପା ସକାଳୁ ସକାଳୁ ଗୋଟିଏ ରିକସାକୁ ଅଟକାଇ ଥିଲେ ଆଉ ସେଥିରେ ଚଢି ଅଫିସକୁ ଯାଇଥିଲେ। ତାଙ୍କର ଅଫିସ୍ କୁ ତ ସେ ସେମିତି ସବୁଦିନ ଯାଇଥାନ୍ତି । ସେ ଯିବା ପରେ,ମୁଁ ହାରମୋନିଅମକୁ ଧରି କିଛି ଗୀତକୁ ସୁରକରି ଗାଇଥିଲି । ମାଆର ମୁଡ୍ ସେଦିନ ସକାଳୁ ସକାଳୁ ଖୁବ୍ ଭଲ ଥିଲା ଆଉ ସେ ମୋ ପାଖକୁ ଆସି କିଛି ସମୟ ସେଇଠି ଠିଆ ହୋଇ ମୋତେ ଦେଖିଥିଲା। ସେ ସବୁବେଳେ କହିଥାଏ, ମୋ ଗୀତ ତାହାର ମନକୁ ସବୁବେଳେ ପ୍ରଫୁଲ୍ଲ କରିଦେଇଥାଏ ,ଯଦିଓ ମୁଁ ମୋ ଜୀବନରୁ ଏମିତି କିଛି ଉଦାହାରଣ ଦେଇ ପାରିବି ଯେତେବେଳେ କି ମୋର ଗଳାର ସୁର ତାହାକୁ ପ୍ରଚଣ୍ଡ ରାଗରେ ପାଗଳ ଭଳି ଉତ୍ତେଜିତ କରି ଦେଇଛି।
ଏହାର କିଛି ଘଣ୍ଟା ପରେ ,ଯେତେବେଳେ ମୁଁ ଜଣେ ଛାତ୍ରୀର ସହିତ ସାକ୍ଷାତ କରିବା ପାଇଁ ପ୍ରସ୍ତୁତ ହେଉଥିଲି,ସେତିକି ବେଳେ ହିଁ ଘଟଣାଟି ଘଟିଥିଲା, ମୋର ଆଖି ପଟେ ଗଳି ପଡିଥିଲା ତଳକୁ।
ବାପା ଆମକୁ ଆମର ପାରିବାରିକ ଡାକ୍ତରଙ୍କ ପାଖକୁ ନେଇ ଯାଇଥିଲେ,ସେ ଦେଖିବାକୁ ବପୁବନ୍ତ ଆଉ ଭାରି ଗପୁଡି ପ୍ରକୃତିର। ମୋର ବୟସ ଯେବେଠୁ ବାର ସେବେଠାରୁ ତାଙ୍କ ପାଖକୁ ଆମେ ନିୟମିତ ଯାଉଛୁ। ମୋର ମନେ ହୁଏ ଯେ ସେଇ ଡାକ୍ତର ଜଣକ ଆମ ବାପାଙ୍କର ଦୂର ସଂପର୍କିୟ ହେବେ,ଦୂର କାକାପୁଅ କି ଦାଦାପୁଅ ଅବା ସେଇ ଭଳି କିଛି ଭାଇଆଳିଆ ଭାଇ,ମୁଁ ନିଶ୍ଚିତ ହୋଇ ପାରିନି। ମୁଁ ଦେଖୁଥିଲି ସେ ଦିଜଣ ମୋ ଅବସ୍ଥାକୁ ନେଇ କଥା ହେଉଛନ୍ତି,ତାହାରି ମଝିରେ ଥରେ ଅଧେ ଆସୁଛି ସେମାନଙ୍କର ଚିହ୍ନା ପରିବର୍ଦ୍ଧିତ ପୃଥିବୀର ଟୁକୁରାଏ ଟୁକୁରାଏ ବ୍ୟକ୍ତିଗତ ସ୍ମୃତି କଥା,ଏହାକୁ ବାଦ ଦେଲେ ବାକିତକ ସମୟ ଅବଶ୍ୟ ସେମାନେ ମୋ ବିଷୟରେ ଖାଲି ଚର୍ଚ୍ଚା କରୁଥାନ୍ତି। ମାଆ ମଟରମଞ୍ଜିର ସେଇ ପ୍ୟାକେଟଟିକୁ ଯେଉଁଥିରେ ମୋ ଆଖି ପଟକ ରହିଥିଲା ତାହାକୁ ସାଥିରେ ଧରି ଏଠିକୁ ଆସିଥିଲା,ସେଥିରୁ ଏଇଲେ ପାଣି ନିଗିଡିବାରେ ଲାଗିଛି ।

“ମୁଁ ଠିକ୍ ଜାଣିପାରୁନି କାହିଁକି ଏମିତି ହୋଇଛି!” ଡାକ୍ତର ପ୍ରାୟ ଚିତ୍କାର କରିବା ଭଳି କହିଥିଲେ,”ତମକୁ ଅବଶ୍ୟ ଏଥର ତାହାକୁ ବାହା ବଜାରରେ ବସାଇବାକୁ ପଡିବ ।”
ଏଇ କଥା କହିବା ମାତ୍ରକେ ସମସ୍ତଙ୍କର ମନୋଯୋଗ ମୋ ଆଡକୁ ଆବଦ୍ଧ ହୋଇଗଲା।
“ବଜାର ?” ମାଆ ବିସ୍ମିତ ହୋଇ ପଚାରିଲା । ତାହାର ଗଳାର ସ୍ୱର ତାହାପରେ ଅସ୍ଫୁଷ୍ଟ ହୋଇ ଆସିଲା,” ହେଲେ..”
“ତମେ ଏହାଭିତରେ ଜଣେ ମିଆଦକୁ ଉତ୍ତୀର୍ଣ୍ଣ କରିସାରିଥିବା ମହିଳା ହୋଇଗଲଣି” ଡାକ୍ତର ମୋ ଆଡକୁ ଚାହିଁ କହିଥିଲେ। ” ଏଇଟା ଗୋଟିଏ ନିର୍ଦ୍ଦିଷ୍ଟ ବୟସର ମହିଳାମାନଙ୍କ କ୍ଷେତ୍ରରେ ହିଁ ଘଟିଥାଏ। ତମେ ଭଲ କରି ଜାଣିଛ ଯେଉଁମାନେ ବିଭିନ୍ନ କାମ ବା ସ୍କୁଲ ବା ଆଉ ଯେକୌଣସି କାରଣରୁ ନିଜର ବିବାହକୁ ସ୍ଥଗିତ କରିଥାନ୍ତି।” ତାହାପରେ ସେ ବାପାଙ୍କ ଆଡକୁ ମୁହଁ ବୁଲାଇ କହିବାକୁ ଲାଗିଲେ,
“ସେ ଏଇଲେ ବାସି ହୋଇଗଲାଣି । ଆଉ ଅଧିକ ଡେରି ହେବା ଆଗରୁ ତମର ତାହାକୁ ବାହା ବଜାରରେ ଉଠାଇଦେବା ନିହାତି ଆବଶ୍ୟକ ।”
“ଆମ ପାଖରେ ଆଉ କେତେ ସମୟ ରହିଛି ?” ତାଙ୍କ କଥାର ଉତ୍ତରରେ ବାପା କହିଥିଲେ।
“ତମର କେତିକି ସମୟ ଦରକାର ?” ଡାକ୍ତର କହିଲେ ।” ଚଉତ୍ରିଶ ବର୍ଷ ବୟସ ! କୌଣସି କମ୍ ବୟସ ନୁହଁ ? ମୁଁ ଭାବୁନି ଯେ ତମ ପାଖରେ ସମୟ ବୋଲି ଆଉ ଅଧିକ କିଛି ରହିଛି !”
“ଆଉ ଏଇ ଆଖିଟା ? ଆପଣ କ’ଣ ଏହାକୁ ତାହାର ପୁରୁଣା ଜାଗାରେ ଯୋଡିଦେଇ ପାରିବେ ?”
“ମୁଁ ଦୁଃଖିତ “ଡାକ୍ତର କହିଥିଲେ। ” ହେଲେ ନା,ମୁଁ ତାହା କରିବି ନାହିଁ !”
ଡାକ୍ତର ମୋତେ ପିନ୍ଧିବା ପାଇଁ ଗୋଟିଏ ଆଖିପଟି ଦେଇଥିଲେ ଆଉ ଆଖିର ସେଇ ଫାଙ୍କା ଥିବା ଜାଗାର ପାଖାପାଖି ଅଂଚଳକୁ କେଉଁଭଳି ପରିଷ୍କାର ରଖାଯାଇପାରିବ ତାହା ବିଷୟରେ ଭଲକରି ବୁଝାଇ ଦେଇଥିଲେ। ଟାକ୍ସିରେ ଘରକୁ ଫେରିବାବେଳେ ବାପା ପୂରାପୁରି ଚୁପ୍ ଥିଲେ । ମୁଁ ମାଆ କୁ କହିଥିଲି ସେ ଯେମିତି ମୋତେ କାର୍ ର ବାଆଁ ପାଖ ସିଟରେ ବସିବାକୁ ଦିଏ,ତାହାହେଲେ ମୁଁ ଝରକାଦେଇ ମୋର ଆର ଭଲ ଆଖିଟିରେ ଚାରିପଟକୁ ଭଲଭାବରେ ଦେଖିପାରିବି।
“ଏବେ ତ କିଛି କୁହ ! ” ମାଆ କହିଥିଲା। “ତମର ଝିଅର ସାହସ ଭାଜିଯିବାକୁ ବସିଛି ଯେ !”
ବାପା ଟିକିଏ ଚିଡି ଉଠିଥିଲେ।” ତମେ ତ ନିଜ କାନରେ ଶୁଣିଛ,ଡାକ୍ତର କହିଲେ କ’ଣ। ସେ ଏବେ ଆଉ ତରୁଣୀ ହୋଇ ରହିନାହିଁ । ଆମେମାନେ ଅନେକ ଡେରି କରି ଦେଇଛୁ। ଆମକୁ ଯଥେଷ୍ଟ ଆଗରୁ ଏକଥା ଭାବିବାର ଥିଲା।”
“ଏବେ ଆମେ ଖୋଜିବାକୁ ଆରମ୍ଭ କରିବା ।”
“ନା, କେହିଜଣେ ଗୋଟିଏ ଆଖିଥିବା କାଣୀକୁ ବିବାହ କରିବାକୁ ଚାହିଁବ ନାହିଁ । ଆମକୁ ମ୍ୟାରେଜ୍ ମାର୍କେଟ୍ କୁ ଯିବାକୁ ହେବ,ଡାକ୍ତର ଯେମିତି କହିଛନ୍ତି।”
ସେଦିନ ରାତିରେ ମାଆ ମୋ ପାଖରେ ଶୋଇଥିଲା।କାହିଁକି କେଜାଣି ଥରକୁ ଥର ମୋ ଦେହ କମ୍ପି ଉଠୁଥାଏ ଆଉ ଗମଗମ ଝାଳ ବାହାରୁଥାଏ ସେଥିରୁ। ଶୀତଦିନିଆ କମ୍ବଳ ଗୋଟିଏ ଘୋଡେଇହୋଇ ରହିଥିଲେ ବି ମୋ ହାଡସବୁରେ ଯେମିତି ପ୍ରଚଣ୍ଡ ଶୀତର କମ୍ପନ। ଲାଗୁଥିଲା ମାଆ ବି ଠିକ୍ ଶୋଇପାରୁନାହିଁ ।

“ମାଆ ଲୋ , ଏବେ ମୋର ହେବ କ’ଣ ?”
ସେ ମୋ ହାତକୁ ଧରିଥାଏ।”ଏତେ ବ୍ୟସ୍ତ ହଅନା । ତୋ ବାବା ଆସନ୍ତା କାଲି ଅଫିସ୍ ରୁ ଛୁଟି ନେଇଛନ୍ତି। ସକାଳେ ଆମେ ଠିକ୍ କରିବା,ଅସଲରେ ଆମକୁ କରିବାକୁ ହେବ କ’ଣ ।”
“ତମେମାନେ କ’ଣ ମୋତେ ମାର୍କେଟ୍ କୁ ନେଇକି ଯିବ ?”
“ମୁଁ ଜାଣେନି ।”
“ମୁଁ କ’ଣ ମୋ ହାରମୋନିଅମକୁ ବଜାଇପାରିବି?”
ମାଆ ଗୋଟିଏ ଦୀର୍ଗଶ୍ୱାସ ଛାଡିଥିଲା, ଆଉ କହିଥିଲା,” ମୁଁ ଜାଣିନି।”
ଯେତେବେଳେ ମୁଁ ସକାଳୁ ସକାଳୁ ଉଠେ, ଘୋଡାଇହୋଇଥିବା କମ୍ବଳଟିକୁ ଦେହରୁ ବାହାର କରିଦେଲା ମାତ୍ରକେ ଦେଖେ ମୋର ଗୋଟିଏ ଗୋଡ ଛୋଟ, ଶୁଖିଲା ଆଉ କଳା ପଡିଯାଇଛି,ମୋର ଅବଶିଷ୍ଟ ଦେହର ଆଣ୍ଠୁ ତଳରୁ ପାଦଟି ଯେମିତି ଅଲଗା ହୋଇଯାଇଛି। ତାହାକୁ ଦେଖିବାମାତ୍ରକେ ଘୃଣା,ଭୟ ଆଉ ବିସ୍ମୟର ଏକ ମିଶ୍ରିତ ଅନୁଭବ ସୃଷ୍ଟି ହୁଏ ମୋ ଭିତରେ। ପ୍ରଥମ କାରଣ, ସାମଗ୍ରିକ ଭାବରେ ବିଷୟଟି ଥିଲା ନିହାତି ଭୟଙ୍କର। ଦ୍ୱିତୀୟ କାରଣଟି ହେଉଛି ଏହା ଭିତରେ ମୋ ଶରୀରରେ ଆତ୍ମ-ବିଧ୍ୱଂସୀ କାର୍ଯ୍ୟକଳାପର ଆରମ୍ଭ ହୋଇଯାଇଛି ।ଆମର ଫ୍ଲାଟରେ ଝିଟିପିଟି ମାନଙ୍କର କଥା ମନକୁ ଆସିଲା।ଥରେ,ପ୍ରାୟ କୋଡିଏ ବର୍ଷ ଆଗେକାର କଥା, ମାଆ ଆମର ବୈଠକଖାନାର କାନ୍ଥ ଉପରକୁ ଗୋଟିଏ ବହିକୁ ଫୋପାଡି ତାହାର ଲାଞ୍ଜକୁ ଛିଣ୍ଡାଇ ଦେଇଥିଲା। ଏପରି କାମଟିଏ କରିପାରିଛି ବୋଲି ସେଦିନ ସେ ବିଜୟର ଆନନ୍ଦରେ ମାତି ଉଠିଥିଲା। ଏହାର ତିନିସପ୍ତାହ ପରେ ମୁଁ ପୁଣି ଆମର ସମତଳ କାନ୍ଥରେ ସେଇ ଝିଟିପିଟି କୁ ଘୁରିବୁଲିବାର ଦେଖିଥିଲି,ତାହାର ଛୋଟ ଶରୀରଟିର ଭିତରୁ ଲାଞ୍ଜ ଗଜୁରିବାକୁ ବସିଛି। ମୋର ମନକୁ ଆସେ, ମୋର ପାଦଟି ସମାନ ଭାବରେ ଏପରି ଫେରି ଆସନ୍ତା ହେଲେ !
ଯେତେବେଳେ ମୋର ବାପା ଆଉ ମାଆ ମୋର ମୃତ ଗାଂଗ୍ରିନଯୁକ୍ତ ଗୋଡଟିକୁ ଦେଖିଥିଲେ,
ସେତେବେଳେ ଯାଇ ମୋର ବାସ୍ତବିକ ପରିସ୍ଥିତିଟି ଯେ କେତେ ପରିମାଣରେ ଭୟାବହ ତାହାକୁ ସେମାନେ ଠିକ୍ ବୁଝି ପାରିଥିଲେ। ମୋର ବାପା ତାହାପରେ ନିଜର ଖାଇବା ପିଇବାକୁ ଛାଡିଦେଇଥିଲେ ଯଦିଓ ସେ ଥିଲେ ଜଣେ ବେଶ୍ ଭୋଜନରସିକ। ସବୁବେଳେ ଥିଲା ତାଙ୍କର ଖାଇବା ଖାଇବା ଭାବ। ସେ ଡାକ୍ତରଙ୍କୁ ତାହାପରେ ଅନୁରୋଧ କରିଥିଲେ ସେ ଯେମିତି ଅବିଳମ୍ବେ ଘରକୁ ଆସି ଏହାର ଉପଯୁକ୍ତ ପରୀକ୍ଷା କରନ୍ତି !
ମାଆ ଆଈକୁ ଫୋନ୍ କରିଥିଲା। ସେ ପ୍ରାୟ ଘଣ୍ଟାଏ ପରେ ଗରମ ଗରମ ସିଂଗାଡା ଧରି ଆମର ବସାରେ ଆସି ପହଞ୍ଚିଯାଇଥିଲା।
“ଆରେ, ତୋ’ର ଅବସ୍ଥା କେମିତି ?” ଶେଜରେ ମୋ ପାଖରେ ବସି ସେ କହିଥିଲା।
“ହାଇ, ଆଈ, କେମିତି ଅଛୁ ?”
“ଏମିତି ଅବସ୍ଥାରେ ତୋତେ କିଏ ବାହା ହେବ ଲୋ ?” ସେ କାନ୍ଦି ଉଠିଥିଲା। ସେ ତାହାପରେ ମୋ ମାଆର ଆଡକୁ ଭସ୍ମଦୃଷ୍ଟିରେ ଚାହିଁ କହିଥିଲା,
” ତୋହରି ଯୋଗୁ ଖାସ୍ ଏସବୁ ହୋଇଛି !”
ମାଆ ମୋର ପାଦକୁ ଚାହିଁଲା, ମୁଁ ଆଈମା ଆଣିଥିବା କାଗଜର ଠୁଙ୍ଗାରୁ ସିଙ୍ଗାଡା ବାହାର କରି ନେଲି। ସିଙ୍ଗାଡା ମୋର ଖୁବ୍ ପ୍ରିୟ। ଭିତରେ ମାଂସର ପୁର ରହିଛି ଆଉ ଭାରି ମୁସ୍ ମୁସ୍।
“ଆମ୍ମା ,ମୁଁ କିଛି ଜାଣେ ନି !”
” ଖବରଦାର୍, ଆମ୍ମା ବୋଲି ମୋତେ ଆଉ ଡାକ୍ ନା ! ମୁଁ ତୋତେ ଆଗରୁ ମୋ ଦିଅରଙ୍କ ଝିଅର ସହ କ’ଣ ସବୁ ଘଟିଥିଲା ସେକଥା କହିଚି। ସେ ବି ଅନେକ ସମୟ ଧରି ଅପେକ୍ଷାରେ ଥିଲା,ବିବାହ ଆଉ ଘରକରଣା ବଦଳରେ ତାହାକୁ ପାଠ ପଢିବାକୁ ଆଉ କାମ କରିବାକୁ କେତେ ଯେ ସେ ଉତ୍ସାହିତ କରିଚି,ହେଲେ .. “
“ଆମ୍ମା ,ମୁଁ କେମିତି ଯେ.. “
” ଆଉ ଏହାର ଭିତରେ ସେ ବାସି ହୋଇଗଲା ! ମରିଗଲା,ଯେମିତି ହେବାକୁ ଯାଉଛି ତୋର ଏଇ ଗୁଣବତୀ ଝିଅ ! ତମେ ସବୁ ହେଲ ମଡର୍ଣ୍ଣ ନାରୀ,ତମର ଭାବନା ସବୁ ଖାଲି ମଡର୍ଣ୍ଣ । ଦେଖ୍,ଆଖି ଖୋଲି ଦେଖ, ଏ ସବୁ ତମକୁ ନେଇ କେଉଁଠାରେ ପହଞ୍ଚାଇ ଦେଇଛି । ଗୋଟିଏ ଆଖିବାଲୀ ଆଉ ଗୋଟିଏ ପାଦବାଲୀ ମହିଳାକୁ, କହ,କିଏ ବାହା ହେବାକୁ ଆଗଭର ହେବ !”
ମୁଁ ବୁଝିପାରିଲି ନାହିଁ ପାଠ ପଢିବା ଆଉ କାମ କରିବା ଭିତରେ ମଡର୍ଣ୍ଣ କଥାଟି କେଉଁଠି ଲୁଚିଛି ! ମୋର ଜୀବନସଂପର୍କରେ ରହିଥିବା ସବୁ ପୁରୁଷମାନେ ବର୍ଷ ବର୍ଷ ଧରି ଏହା କରି ଆସୁଛନ୍ତି ଆଉ ସେମାନଙ୍କ ଭିତରୁ ଦେଖିଲେ ଅନେକେ ବେଶ୍ ପୁରୁଣାକାଳିଆ । ମୁଁ ଚୁପ୍ ରହିଥିଲି ଆଉ ସିଙ୍ଗାଡାକୁ ଚୋବାଇ ଚାଲିଥିଲି। ମୋତେ ଭାରି ଦୁର୍ବଳ ଲାଗୁଥିଲା । ଏହା ସହିତ, ମୁଁ ଏଇଠି ରହିଥିବା ସତ୍ତ୍ୱେ,ସେଇ ମାଆ ଆଉ ଝିଅ ଦିଜଣଙ୍କର କଥାବାର୍ତ୍ତା ଏପରି ଜାରି ରହିଥିଲା ଯେମିତି କି ମୁଁ ସେଇଠି ଆଖପାଖରେ କେଉଁଠି ନାହିଁ। ମୋର ମନେ ହେଲା ମୋର ନିଜର ଭୂମୀକା ଏଥିରେ ଯଥେଷ୍ଟ କମ୍।
“ତାହାର ନିଜର ସ୍ୱପ୍ନ ରହିଛି !” ମାଆ ଟିକିଏ ପାଟି କରି କହେ। “ସେ ଜଣେ ଉଚ୍ଚମାନର ହାରମୋନିଅମ୍ ପ୍ଲେୟାର୍ ଥିଲା। ଏବେ ବି ଅଛି !” ଆବେଗରେ ତାହାର କଣ୍ଠ ରୁଦ୍ଧ। ” ସେ ଖୁବ୍ ଭଲ, ସେ ଟିଭିରେ ଆସୁଛି,ରେଡିଓରେ ଅଛି,
ହାରମୋନିଅମର କ୍ଲାସ୍ ରୁ ତାହାର ଆୟ ଖୁବ୍ ଭଲ। ଲୋକମାନେ ବ୍ୟସ୍ତ ହେଉଛନ୍ତି, ଚାହୁଁଛନ୍ତି ସେ ଯେମିତି ସେମାନଙ୍କର ପିଲାମାନଙ୍କୁ ହାରମୋନିଅମ ଶିଖାଏ, ତୁ କ’ଣ ସେକଥା ଜାଣୁ ? ଏସବୁ ହୋଇଛି କାରଣ ମୁଁ ତା’କୁ ପୂରା ସ୍ୱାଧୀନତା ଦେଇଛି,ହାରମୋନିଅମ କ୍ଲାସ୍ ନେବାକୁ କହିଚି,ମୁଁ ପ୍ରତିଟି ୱିକଏଣ୍ଡ୍ ରେ ତାହାକୁ ସାଥିରେ ଧରି ସେଠିକି ଯାଇଛି ! ତାହାର ବାବା ମୋତେ ଏଥିରେ ଟିକିଏ ବୋଲି ସାହାଯ୍ୟ କରି ନାହାଁନ୍ତି..”
ସେଇ ସମୟରେ ବାବା ଭିତରକୁ ଆସନ୍ତି। ” ଆମ୍ମା ଆପଣଙ୍କୁ ଧନ୍ୟବାଦ,ଖବର ପାଇବାମାତ୍ରକେ ଆପଣ ଏଠିକୁ ଆସିଛନ୍ତି !” ସେ କହନ୍ତି। ” ଯଦି ତମର ମହିଳାମହଲର ଯୁକ୍ତିତର୍କର ଶେଷ ହୋଇଛି,ତେବେ କହିବାକୁ ଚାହିଁବି ଯେ, ଆମର ପାରିବାରିକ ଡାକ୍ତର ଏଇଲେ ବାଟରେ ଅଛନ୍ତି। ଆଉ ଟିକକ ପରେ ସେ ଆସି ଏଇଠି ପହଞ୍ଚିଯିବେ । ସେ ସାଧାରଣ ଭାବରେ ମୋ ଉପରେ ନିଜର ଦୃଷ୍ଟିକୁ ପହଁରାଇ ନେଇଥାନ୍ତି। ମୁଁ ଲକ୍ଷ୍ୟ କଲି ଯେ ସେ ମୋତେ ସିଧା ସଳଖ ଚାହିଁପାରୁନାହାଁନ୍ତି।
“ଆସନ୍ତା କାଲି ଆମେ ତା’କୁ ସାଥିରେ ଧରି “ମାର୍କେଟ୍”କୁ ଯାଉଛେ।”
ଆମର ସେଇ ପାରିବାରିକ ଡାକ୍ତର ଜଣକ ପ୍ରାୟ ଘଣ୍ଟାଏ ଡେରି କରି ଆସିଥିଲେ। ଆମେମାନେ ଯେତେବେଳେ ଦେଖାଇବା ପାଇଁ ତାଙ୍କର ଚାମ୍ବରକୁ ଯାଇଥାଉ ସେତେବେଳେ ସେ ଆମକୁ ବାହାରେ ଭାରି ଅପେକ୍ଷା କରାଇଥାନ୍ତି। ତେଣୁ ମୁଁ ଏଥିରେ ଜମାରୁ ଅବାକ ହୋଇନି। ସେ ମୋ ଆଡକୁ ଏପରି ଏକ କରୁଣାର ଦୃଷ୍ଟିରେ ଚାହିଁଥିଲେ ଯାହା ଏକାସାଙ୍ଗରେ ଆତ୍ମତୃପ୍ତିରେ ଭରପୂର ଥିଲା। ସେ ଯେମିତି ଅତ୍ୟନ୍ତ ବ୍ୟଗ୍ର ଭାବରେ କହିବାକୁ ଚାହୁଁଥିଲେ ଯେ,ମୁଁ ତ ଆଗରୁ ସବୁକଥା ଖୋଲିକି କହିଛି ଆଉ ତମେମାନେ ତାହାକୁ ଶୁଣିଲ ନାହିଁ,ଏବେ ପରିସ୍ଥିତିକୁ ନିଜେ ସମ୍ଭାଳ। ତାଙ୍କର ଏପରି କରିବା ଆଦୌ ସଙ୍ଗତ ହେବା ଭଳି କଥା ନଥିଲା। ଡାକ୍ତର ମୋ ସେଇ ଗୋଡର ଆଣ୍ଠୁ ତଳେ ଗୋଟିଏ କୃତ୍ରୀମ ଗୋଡ ଲଗାଇଦେଲେ,କିଛି ଔଷଧ ନିୟମିତ ସେବନ କରିବା ପାଇଁ ପ୍ରେସକ୍ରିପସନ୍ ଲେଖିଥିଲେ ଆଉ ଶେଷରେ ମୋ ବାବା ମାଆଙ୍କୁ କହିଥିଲେ ଯେ , ଦେଖ, ଆଉ ଅଧିକ ଡେରି ଯେମିତି ନହୁଏ।ସେମାନଙ୍କୁ ମୋତେ ଆଉ କୌଣସି ବିଳମ୍ବ ନକରି ଯଥାଶିଘ୍ର ବିବାହ ମାର୍କେଟ୍ କୁ ନେଇ ଯିବାକୁ ପଡିବ, ନହେଲେ ମୋର ଦ୍ରୁତ ଅବକ୍ଷୟ ମୋ ପାଇଁ ପ୍ରାଣଘାତକ ହୋଇଯିବ,ଏସବୁ କଥାକୁ ଯେମିତି ଆଗାମୀ ଦୁଇଦିନ ଭିତରେ ଶେଷ କରିବାକୁ ହୁଏ। ମାଆ ଆଉ ଆଈ ଚିତ୍କାର କରି କାନ୍ଦିବାକୁ ଲାଗନ୍ତି। ଆଉ ବାବା ନୀରବରେ ନିଜର ମଥାକୁ ଟିକିଏ ତଳକୁ କରି ଏଥିରେ ନିଜର ସମ୍ମତି ଜାହିର୍ କରୁଥାନ୍ତି।
ମୁଁ ଆସ୍ତେ ଆସ୍ତେ ପାଦ ପରେ ପାଦ ପକାଇ ଚାଲି ପାରୁଛି ବୋଲି ଭାରି ଖୁସି ହେଉଛି ଯଦିଓ ଏଇଠି ସେଇଠି ମୋତେ ଝୁଣ୍ଟିପଡିବାକୁ ହେଉଛି ଅନେକ ଥର। ପରଦିନ ସକାଳରେ ମାଆ-ବାବା ମୋତେ ବିବାହ ମାର୍କେଟ୍ କୁ ନେଇଯିବାର କଥା କହିଥିଲେ।ଆଗରୁ କିଛିଟା ପ୍ରସ୍ତୁତିର ପ୍ରୟୋଜନ ଥିଲା। କୃତ୍ରୀମ ପାଦର ସାହାଯ୍ୟରେ ମୁଁ ଗାଧୋଇବା ପାଇଁ ବାଥରୁମ୍ ଭିତରକୁ ଯାଇ ପାରିଥିଲି।ମୁଁ ଆଖିପଟିଟିକୁ ଖୋଲି ପକାଇଥିଲି ଆଉ ମୁହଁ ଉପରେରେ ଇଷତ୍ ଗରମ ପାଣି ଢାଳିଦେଇଥିଲି। ଗତ ଦିଦିନର ମଇଳାକୁ ଧୋଇ ପକାଇଥିଲି ଏମିତି। ପରିଚ୍ଛନ୍ନ ହୋଇ ବାହାରି ଆସିବା ପରେ ମାଆ ମୋ ଚୂଳକୁ ଶୁଖାଇ ବେଶ୍ ଭଲ କରି ଖୋସାଟିଏ ବାନ୍ଧି ଦେଇଥିଲା। ମୁହଁରେ ଲଗାଇ ଦେଇଥିଲା ଖୁବ୍ ଚଢା ମାପର ମେକ୍-ଅପ୍। ଆଉ ସବୁଠାରୁ ସୁନ୍ଦର ଶାଢୀଟିକୁ ମୋତେ ପିନ୍ଧାଇ ଦେଇଥିଲା। ଏହା ଭିତରେ ବାବା ଫାର୍ମାସୀରୁ ଗୋଟିଏ ନୂଆ ଆଖିପଟି ମୋ ପାଇଁ କିଣି କି ଆଣିଥିଲେ।

ନାଆଁର ଅର୍ଥ ଅନୁଯାୟୀ ବିବାହ ମାର୍କେଟ୍ ଥିଲା ଏପରି ଗୋଟିଏ ସମାବେଶ ଯେଉଁଠି ସହରର ଅବିବାହିତା ମହିଳାମାନେ ଯୋଗ୍ୟ ଅବିବାହିତ ମାନଙ୍କ ନିମନ୍ତେ ଆପଣାକୁ ପ୍ରଦର୍ଶନ କରିଥାନ୍ତି। ଗୋଟିଏ କନଭେନସନ ସେଣ୍ଟର ରେ ଏହା ଅବସ୍ଥିତ। ମହିଳାମାନଙ୍କର ଦାମ ନିର୍ଦ୍ଧାରଣ କରାଯାଇ ବିସ୍ତୃତ ଇଲାକା ଧରି ସେମାନଙ୍କୁ ଗୋଟିଏ ଗୋଟିଏ ବୁଥ୍ ଆବଣ୍ଟନ କରାଯାଇଥାଏ ଯେଉଁଠି ପୁରୁଷମାନେ ଅବାଧରେ ବୁଲିବୁଲି ମହିଳାମାନଙ୍କୁ ଦେଖି ସେମାନଙ୍କ ସହିତ କଥାବାର୍ତ୍ତା ହୋଇ ନିଜର ଜୀବନସଂଗିନୀକୁ ବାଛି ନେଇ ପାରନ୍ତି। ବିଷୟଟି ତତକ୍ଷଣାତ ଭାବରେ ଘଟିଥାଏ। ଯେଉଁମାନେ ଏକା ଏକା ଭିତରକୁ ଆସିଥିଲେ ,ଦେଖା ଯାଉଛି,ସେମାନଙ୍କ ଭିତରୁ ବେଶି ଭାଗ ହିଁ ନିଜର ପସନ୍ଦର ସ୍ତ୍ରୀ ନେଇ ବାହାରି ଯାଉଛନ୍ତି। ସେଇ ମାର୍କେଟ୍ କୁ ପୁରୁଷମାନଙ୍କ ସହିତ ସେମାନଙ୍କର ପରିବାରର ଅନ୍ୟ ସଦସ୍ୟମାନେ ବି ଆସିଥାନ୍ତି। ସନ୍ତାନକୁ ଉପଯୁକ୍ତ ସଂଗୀ ବାଛିବାରେ,ପରୀକ୍ଷା ନୀରିକ୍ଷା କରିବାରେ ସହାୟକ ସାଜିଥାନ୍ତି। ବନ୍ଧୁବାନ୍ଧବ ଆଉ ପରିବାର ନିକଟରୁ ମୁଁ ବିବାହ ମାର୍କେଟର ଗଳ୍ପ ଆଗରୁ ଶୁଣିଛି ବିଚ୍ଛିନ୍ନ ଭାବରେ। ମୁଁ କେବେହେଲେ କଳ୍ପନା କରିନଥିଲି ଯେ ମୁଁ ଦିନେ ଏମିତି ଗୋଟିଏ ମାର୍କେଟ୍ ର ପଣ୍ୟ ହୋଇ ଯିବି।ମୋର ମନକୁ ଆସେ ଯେ ଗୋଟିଏ ଅର୍ଥରେ ମୁଁ କିଛିଟା ବୋକୀ ଥିଲି। ଭାବୁଥିଲି ଆଗକୁ ଆହୁରି ଅନେକ ସମୟ ପଡିଛି।
ଆମେମାନେ ସେଇଠି ଯାଇ ପହଞ୍ଚିଯିବା ପରେ,ବାବା-ମାଆ ଆଉ ମୁଁ ଗୋଟିଏ ବୁଥ୍ ର ଆବଣ୍ଟନ ପାଇଁ ଲାଗିଥିବା ଧାଡିରେ ଯାଇ ଛିଡା ହୋଇଗଲୁ। ଗୋଟିଏ ଆଖିରେ ଯେତିକି ଦେଖାଯାଇପାରିବ ସେତିକିରେ ମୁଁ ଚାରିପଟକୁ ଟିକି ନିଖି କରି ଦେଖିବାକୁ ଲାଗିଥିଲି। ବିଭିନ୍ନ ଧରଣର ମହିଳାମାନେ ଉପସ୍ଥିତ ଥିଲେ। ସତେଜ ମୁଖମଣ୍ଡଳ, ସଦ୍ୟ ଯୁବତୀ, ମଧ୍ୟବୟସୀ,ବୟସ୍କା, ଏପରିକି ବାର୍ଦ୍ଧକ୍ୟଜନୀତ ଅସୁସ୍ଥ ମହିଳାମାନେ ବି। ମୁଁ ଆହୁରି ଲକ୍ଷ୍ୟ କଲି ଯେ,ମୋ ଭଳି କେତେଜଣ ମିଆଦ ଶେଷ ହୋଇଯାଇଥିବା ଝିଅ ଆସିଛନ୍ତି। କେହି କେହି ମଥାରେ ଚୂଳର ଅସ୍ୱଚ୍ଛଳତାକୁ ଲୁଚାଇବା ପାଇଁ ପରଚୂଳା ବା ୱିଗ୍ ର ବ୍ୟବହାର କରିଛନ୍ତି। କେହି କେହି ଆଶାବାଡି ବା କ୍ରଚ୍ ର ବ୍ୟବହାର କରିଛନ୍ତି। ଲାଇନ୍ ରେ ଛିଡା ହୋଇ ସାମ୍ନାକୁ ଆସିଯିବା ପରେ ଟିକେଟ କାଟୁଥିବା ଲୋକ ଜଣକ ମୋ ଆଡକୁ ଟିକିଏ ଚାହିଁଥିଲା ଆଉ କହିଥିଲା,”ମିଆଦ କ’ଣ ଶେଷ ?”
“ହଁ” ବାବା କହିଥିଲେ । “ତେବେ ଏଇଟା ଖୁବ୍ ଆର୍ଲି ଷ୍ଟେଜ୍ ରେ ରହିଛି। ସେ ଭଲ ହାରମୋନିଅମ୍ ବଜାଏ। ତାହାକୁ ହୁଏତ ମଝିରେ ମଝିରେ ଆପଣମାନେ ଟିଭିରେ ଦେଖିଥିବେ।”
“ଆଉ ବୟସ କେତେ ?”
“ଚଉତ୍ରିଶ। କିନ୍ତୁ ଦେଖିବାକୁ ସେ ସେତେ ମନେହେବ ନାହିଁ। ନୁହଁ ?”
ଜଣେ ଆଟେଣ୍ଡାଣ୍ଟ ଯାହାର ବୟସ କମ୍ ବୋଲି ମନେହେଉଥିଲା,କହିଥିଲା,” ତାଙ୍କର ଗୋଟିଏ ଡିସକାଉଣ୍ଟ ଷ୍ଟିକର ଲାଗିବ।”
ସେ ତାହାର ଡେସ୍କର ଉପରୁ ଗୋଟିଏ ଉଜ୍ଜଳ କମଳାରଂଗର ଷ୍ଟିକର ଉଠାଇନେଲା ଏବଂ ତାହାର ପଛପଟରୁ ଅଠା ଉପରେ ଲାଗିଥିବା ଜରିକାଗଜକୁ ଟାଣି ବାହାରକରିଦେଲା । ତାହାପରେ ଉଠି ଛିଡା ହୋଇ ସେଇ ଷ୍ଟିକର୍ ଟିକୁ ମୋ କପାଳରେ ଲଗାଇଦେଇଥିଲା।
“ଏହାର ମାନେ କ’ଣ ?” ମୁଁ ବାବାଙ୍କୁ ପଚାରିଲି।
“ଡିସକାଉଣ୍ଟେଡ୍”
ଆମେମାନେ ତାହାପରେ ଭିତରକୁ ଗଲୁ।ମୁଁ ନିଶ୍ଚିତ ଥିଲି ମୋ ବାବାମାଆ ମୋ ପାଇଁ ଉପଯୁକ୍ତ ଦାମ୍ ନିର୍ଦ୍ଧାରଣ କରିଛନ୍ତି । କିନ୍ତୁ ତାହାର ପରିମାଣ କେତେ ତାହାକୁ ଜାଣିବା ପାଇଁ ମୁଁ ଆଗ୍ରହୀ ନଥିଲି।
ଯାହା ହେଉ ଏଇଟା ତ ଡିସକାଉଣ୍ଟ ଷ୍ଟିକର।ମୋର ଆଖି ଆଉ ପାଦ ହଜିଯାଇଥିବାରୁ ମୋର ମୂଲ୍ୟ ହ୍ରାସ ପାଇଛି ବୋଲି ମୁଁ ମନେ କରୁଥିଲି। ଏପରି ନୁହଁ ଯେ ସେଗୁଡିକୁ ମୁଁ ପୂରାପୁରି ହଜାଇ ଦେଇଛି।ମୁଁ ଜାଣିଛି ସେଗୁଡିକ ଏଇଲେ କେଉଁଠି ଅଛି। ଆଖିଟା ସେତେବେଳେ ହିମାୟିତ ମଟରମଞ୍ଜିର ପ୍ୟାକେଟ୍ ର ଭିତରେ ଥିଲା,ଏଇଲେ ସେଇଟା ଫ୍ରିଜ୍ ର ଭିତରେ ଅଛି। ଆଉ ଗୋଡଟି ? ଆଚ୍ଛା,ବାବା ସେଇଟାକୁ ଆବର୍ଜନାର ବାକ୍ସରେ ପକାଇ ଦେଇଛନ୍ତି।
ବର୍ଷ ପରେ ବର୍ଷ ଧରି ତୋଳାଯାଇଥିବା ଛବିମାନଙ୍କ ଦ୍ୱାରା ମାଆ ବୁଥ୍ ଟିକୁ ସଜାଇ ଥିଲା। ବିଜନେସ୍ କାର୍ଡ ବାହାର କରାଗଲା। ମୋର ପଢାଶୁଣା,ଅଭିଜ୍ଞତା,ଏବଂ ସଂଗୀତ ସଂପର୍କିତ ତଥ୍ୟକୁ ଏକାଠି କରି ଗୋଟିଏ ଲିଫଲେଟ ପ୍ରସ୍ତୁତ କରିଛନ୍ତି ବାବା। ମୋର ମନେପଡୁନି ମୁଁ କେବେ ଏପରିକା ବାଇଓଡାଟା ଭଳି କିଛି ତିଆରି କରିଛି !
ମାଆ ମୋତେ ବୁଥ୍ ର ସାମନାରେ ନେଇ ବସାଇଥିଲା। ମୋର ହାତଗୋଡ ଉପରେ ନିଜର ହାତକୁ ଟିକିଏ ବୁଲାଇଆଣି ସେ ମୋର ଶାଢୀଟିକୁ ଠିକ୍ କରି ଦେଇଥିଲା,ଠିକ୍ ଯେମିତି ଭାବରେ ଗୋଟିଏ ଦୋକାନଦାର ଗୋଟିଏ ମାନିକ୍ୟୁଇନ୍ କୁ ନିଜ ହାତରେ ସଜାଇଥାଏ। ଆଉ ଏପରି କରିବା ର ପଛରେ ଉଦ୍ଦେଶ୍ୟ ତ ଗୋଟିଏ, ସଂଭାବ୍ୟ କ୍ରେତାମାନଙ୍କ ଆଗରେ ମୋତେ ସର୍ବାଧିକ ଆକର୍ଷଣୀୟ ଭାବରେ ଉପସ୍ଥାପନ କରିବା।
ମୁଁ ଯେତେବେଳେ ଛିଡା ହୋଇଥିଲି ସେତେବେଳେ ଜଣକ ପରେ ଜଣେ ଲୋକ ମୋ ବୁଥ ପାଖଦେଇ ଚାଲି ଚାଲି ଯାଉଥିବାର ଦେଖିଥିଲି।ମୋର ଆଖିପତା ପ୍ରତି ଥରଟିଏ ଦୃଷ୍ଟିପାତ କରି ସେମାନେ ଦ୍ରୁତ ଭାବରେ ଛୁଟି ଯାଉଥିଲେ ଅନ୍ୟତ୍ର। ଏହାପରେ ମୋର ଜୀବନ କେମିତି ହେବ ସେଇ ବିଷୟରେ ଭାବୁଥିଲି। ମୋର କ’ଣ ଆଉ ତାହାପରେ ଗୀତ ଗାଇବାର କି ହାରମୋନିଅମ ବଜାଇବାର ସ୍ୱାଧୀନତା ରହିବ ? ଯେମିତିକା ସ୍ୱାଧୀନତା ମୁଁ ମୋ ବାବାମାଆଙ୍କ ପାଖରୁ ପାଇଛି ? ଭାବୁଥିଲି,ମୋ ଜୀବନ ଯେମିତି ଶେଷ ହୋଇଯିବ। କାରଣ ମୋତେ ଏହାପରେ ମୋର ସବୁ କାମକୁ ଛାଡିଛୁଡି ଦେଇ ଚାଲିଯିବାକୁ ହେବ। ମୁଁ ଏହାପରେ କହିବାକୁ ଗଲେ ସଂପୂର୍ଣ୍ଣ ଭାବରେ ଅର୍ଦ୍ଧେକ ହୋଇଯିବି। ଜଣେ ସ୍ୱାମୀର ସ୍ତ୍ରୀ ସାଜିବି।ଗୋଟିଏ ସନ୍ତାନର ମାଆ ହେବି ଯାହା ମୋର ଭଂଗା ଦେହଟି ଭିତରେ ନିଜର ଚେରମୂଳକୁ ପ୍ରୋଥିତ କରି ରଖିଦେବାକୁ ଯାଉଥିବ। ହଠାତ୍ ମୁଁ ଆବେଗରେ ଆଚ୍ଛନ୍ନ ହୋଇ ପଡିଥିଲି। ଏପରି ଏକ ଗଭୀର ଦୁଃଖରେ ଆକ୍ରାନ୍ତ ହୋଇଗଲି ଯାହା ଇତିପୂର୍ବରୁ କେବେହେଲେ ମୋତେ ସ୍ପର୍ଶ କରିନଥିଲା।ମୋର ପାଦ,ମାନେ ମୋର କୃତ୍ରୀମ ଗୋଡରେ ଏତେ ସମୟ ଧରି ଠିଆ ହୋଇଥିବାରୁ ମୋତେ ଭାରି କଷ୍ଟ ହେଉଥାଏ। ଏପଟେ ପରିବେଶଟି ଥିଲା ଖୁବ୍ ଗରମ ଆଉ ଗୁଳୁଗୁଳି ଥିଲା ବେଶ୍।ମୋର ଭିତରୁ ଗୋଟିଏ ଝଡ ଭଳି କାନ୍ଦଣା ବାହାରି ଆସୁଥିଲା।
“କାନ୍ଦ ନା,କାନ୍ଦ ନା”,ବାବା ମୋତେ ସତର୍କ କଲେ।”ଏମିତି ହେଲେ ତୋର ସଂଭାବ୍ୟ ପ୍ରାର୍ଥୀମାନେ ଭୟ ପାଇବସିବେ।”
ମାଆ ଅତି ଆସ୍ତେ ନୀରବରେ ମୋ ଆଖିରୁ ଲୁହକୁ ପୋଛି ଦେଇଥିଲା। ମୋର ବାବା ଆଉ ମାଆଙ୍କ ସହିତ ଯେଉଁ ପ୍ରଥମ ପୁରୁଷ ଜଣକ କଥା ହୋଇଥିଲେ ସେ ଥିଲେ ଜଣେ ଇଣ୍ଟର୍ଣ୍ଣ କରୁଥିବା ଡାକ୍ତର।ବୟସ ତିରିଶରୁ ଅଧିକ ଏଇ ଭଦ୍ରବ୍ୟକ୍ତି ଜଣକ ଆଗରୁ ବିବାହିତ ଥିଲେ। ସେ କହିଥିଲେ ଯେ,ତାଙ୍କର ପ୍ରଥମ ପତ୍ନୀ ସ୍ୱାଭାବିକ କାରଣରେ ମୃତ୍ୟୁ ବରଣ କରିଛନ୍ତି। ଯଦିଓ ତାଙ୍କର ମୃତ୍ୟୁର ସଠିକ କାରଣଗୁଡିକ ଏଇଲେ ତାଙ୍କର ଠିକ୍ ମନେ ପଡୁନାହିଁ।

“ଆହା,ବିଚାରୀର ଆତ୍ମା ଶାନ୍ତିରେ ରହିଥାଉ। ସେ କେବେ ଦେହତ୍ୟାଗ କରିଛି ?” ମାଆ ପଚାରିଥିଲା।
“ଗତ ସପ୍ତାହରେ “ସେ ସ୍ଥିର ଉତ୍ତର ଦେଲେ।
ଦ୍ୱିତୀୟ ବ୍ୟକ୍ତି ଯିଏ ଆମର ବୁଥ୍ ର ସାମ୍ନାକୁ ଆସିଥିଲେ ତାଙ୍କର ବୟସ ମୋ ବାବାଙ୍କ ଠାରୁ ଅଧିକ ହେବ। ବାବାଙ୍କ ତୁଳନାରେ ତାଙ୍କର ମଥାର ଚୂଳ ବେଶି ପାଚିଯାଇଛି।ମୋ ଆଡକୁ ଘଡିଏ ଚାହିଁ ସେ ମୋର ବାୟୋଡାଟାକୁ ଅତ୍ୟନ୍ତ ମନୋଯୋଗ ସହକାରେ ପଢିବାକୁ ଲାଗିଲେ।ମୋର କିଶୋରୀକାଳର ଛବିଗୁଡିକ ଆଡକୁ ଅନେକ ସମୟ ଧରି କେମିତି ଅଦ୍ଭୁତ ଭାବରେ ଚାହିଁ ରହିଥିଲେ ସେ। ସେ ଜଣେ ବ୍ୟବସାୟୀ। ଆଉ ତାଙ୍କର ଅଧିକାଂଶ ସମୟ ପୃଥିବୀର ଭିନ୍ନ ଭିନ୍ନ ଦେଶରେ ଅତିବାହିତ ହୋଇଥାଏ।
“କେଉଁ ପ୍ରକାରର ବ୍ୟବସାୟ?” ବାବା ପଚାରିଲେ।
“ଓହ,ଆପଣ ଜାଣନ୍ତି ନି ? ଶିପିଙ୍ଗ୍ ଆଣ୍ଡ ଟ୍ରେଡିଙ୍ଗ୍।”
ମୋ ବାବା ଅସଲରେ ଜାଣନ୍ତି ନାହିଁ।
ତୃତୀୟ ବ୍ୟକ୍ତି ଜଣକ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯିଏ କି ମୋ ସହିତ ସିଧାସଳଖ କଥା ହୋଇଥିଲେ।ମୋର ମନେ ହେଉଛି ଟେଲିଭିଜନ ର ପ୍ରୋଗ୍ରାମରୁ ସେ ମୋତେ ଚିହ୍ନି ପାରିଛନ୍ତି। କେତେଗୁଡିଏ ଚାନେଲ୍ ରେ ଏକା ସମୟରେ ସେଇଟି ସଂପ୍ରଚାରିତ ହୋଇଥିବା ଫଳରେ ହୁଏତ ବା ଏପରି ହୋଇଥାଇ ପାରେ ।
ମୁଁ ପ୍ରୋଗ୍ରାମରୁ ବେଶ୍ ସମ୍ମାନି ପାଇଥାଏ ଆଉ ସେଥିରେ ବାବାମାଆଙ୍କ ପାଇଁ ଉପହାର କିଣିଥାଏ।ବନ୍ଧୁବାନ୍ଧବଙ୍କୁ ଏକାଠି କରି ସେଇ ଅର୍ଥରେ ବୁଲାବୁଲି କରିବା ପାଇଁ ଦୂର ଜାଗାକୁ ଯାଇଥାଏ। ସେମାନଙ୍କୁ ଭଲ ଭଲ ହୋଟେଲ୍ ରେ ଟ୍ରିଟ୍ ଦେଇଥାଏ।
“ଡିସକାଉଣ୍ଟେଡ୍ ?” ତୃତୀୟ ବ୍ୟକ୍ତି ଜିଜ୍ଞାଷା କଲେ।ତାହାପରେ କହିଥିଲେ,”ସେମାନେ କିନ୍ତୁ ଜାଣନ୍ତି ନାହିଁ ଯେ ଏଇଠି ଏଇଲେ କେଉଁ ଭଳି ଏକ ତାରକାର ଉପସ୍ଥିତ ଘଟିଅଛି !”
ବାବା ତାଙ୍କର ଏପରି ମନ୍ତବ୍ୟରେ ଭାରି ଖୁସି ହୋଇଗଲେ।
“ମୁଁ ଏଇକଥା ହିଁ ସେମାନଙ୍କୁ କହିଥିଲି।ସେ ଏକ ସଂଗୀତ ପ୍ରତିଭା ” ବାବା କହିଲେ।”ଅଲରେଡି ଏ ଷ୍ଟାର୍ !”
ତୃତୀୟ ବ୍ୟକ୍ତି ଜଣକ ମୋ ଆଡକୁ ଚାହିଁଲେ। ତାଙ୍କର ଦୃଷ୍ଟି ତୀବ୍ର କୌତୁହଳରେ ଭରା।
“ସମୟ ତ ତମର ! ନୁହଁ ?”
ମୁଁ କାନ୍ଧ ତଳକୁ କଲି।
ମୋତେ ଭଲ ଲାଗୁଥିଲା ଏଇଥିପାଇଁ ଯେ ସେ ଆନ୍ତରିକ ଥିଲେ ଯଦିଓ ବିଷୟଟି ସାମଗ୍ରିକ ଭାବରେ ହତାଶାର ଥିଲା।
ମୁଁ ତୃତୀୟ ବ୍ୟକ୍ତିଙ୍କ ଆଡକୁ ନିବିଡ ଭାବରେ ଚାହିଁଥିଲି। ତାଙ୍କର ମୁହଁଟି ସୁନ୍ଦର।ହସଟି କିଛି ପରିମାଣରେ ଅଦ୍ଭୁତ ହୋଇଥିବା ସତ୍ତ୍ୱେ ଭାରି ସ୍ନେହମୟ ଥିଲା। ଆଉ ତାଙ୍କର ଅଭିବ୍ୟକ୍ତିଟି ଏପରି
ଥିଲା ଯେମିତି ସେ ଏପରି କିଛି ଜାଣିଛନ୍ତି ଯାହା ଅନ୍ୟମାନେ ଜାଣନ୍ତି ନାହିଁ।
ତୃତୀୟ ବ୍ୟକ୍ତି ସେଇ ସଂଧ୍ୟାରେ ମୋତେ ସାଥିରେ ନେଇ ଯାଇଥିଲେ। ଆନୁଷ୍ଠାନିକତା ଖୁବ୍ ସହଜଭାବରେ ଯଥାଶିଘ୍ର ସଂପନ୍ନ ହୋଇଥିଲା। କିଛି କଥାବାର୍ତ୍ତା (ଯେପରି କି ବିବାହର ଅଙ୍ଗୀକାର ବଚନ),କାଗଜପତ୍ରରେ ସନ୍ତକ ଏବଂ ମୃତ୍ୟୁର ଆଗ ପର୍ଯ୍ୟନ୍ତ ଜଣେ ଅନ୍ୟଜଣକ ସହିତ ରହିବାର ପ୍ରତିଶ୍ରୁତିର ଆନୁଷ୍ଠାନିକତା ଥିଲା । ମୁଁ ଯେତେବେଳେ ମୋର ନୂତନ ଗୃହକୁ ଯିବାପାଇଁ ପ୍ରସ୍ତୁତ ହେଲି ମୋର ବାବା-ମାଆ ମୋତେ ଜଡାଇଧରି ବିଦାୟ ସଂଭାଷଣ ଜଣାଇଥିଲେ। ରାତିର ଶେଷଭାଗକୁ ମୋର ମନେ ହୋଇଥିଲା ଏଇ ଲୋକଟିର ସହିତ ମୋ ଜୀବନ ସୁଖର ହେବ। ଯେହେତୁ ସେ ମୋର ସ୍ୱାମୀ।
ଆରମ୍ଭ ଦିନଗୁଡିକରେ ଭଲପାଇବାର ମଧୁରତା ଥିଲା । ମୁଁ ତାହାକୁ ଏଇଭଳି ମନେ ରଖିବାକୁ ଚାହିଁବି।
କିନ୍ତୁ ବୈବାହିକ ଜୀବନରେ କିଛି ସମନ୍ୱୟର ବ୍ୟାପାର ରହିଥାଏ। ମୋର ମନେହେବାକୁ ଲାଗିଲା ଯେ ମୋର ବର୍ଷ ପରେ ବର୍ଷର ସ୍ୱାଧୀନତାକୁ କେବଳ ଯେମିତି ଧରିନେଇଥିବା ସାଧାରଣ ଘରକଥା ଭଳି ବିଚାର କରାଯାଉଛି ,ଦିଇଟି ଯାକ ଅକ୍ଷୁର୍ଣ୍ଣ ଆଖି ,ଅକ୍ଷୁର୍ଣ୍ଣ ପାଦ ଆଉ ଅଭିଆଡି ଏବଂ ସନ୍ତାନହୀନ ହୋଇ ରହିଥିବା ଯୋଗୁ ହିଁ ମୋର ସେଇ ଭଳି ସ୍ୱାଧୀନତା ଥିଲା। ସତ କଥା କହିବାକୁଗଲେ ମୁଁ ମୋ ବାବାମାଆଙ୍କ ସହିତ ଘରେ ଭାରି ସ୍ୱଚ୍ଛନ୍ଦରେ ଥିଲି; ମୋ ମନକୁ ସେତେବେଳେ କେବେ ଏପରି କଥା ଆସିନାହିଁ ଯେ ମୋତେ ଏପରିକା ସୁଖ-ସୁବିଧା ମିଳିବା ପଛରେ ରହିଥିଲା ମୋ ମାଆର ନିରନ୍ତର ପରିଶ୍ରମ। ସବୁଠାରୁ ବଡ କଥା ହେଲା,ମୁଁ ଥିଲି ଅତ୍ୟନ୍ତ ସ୍ୱାଧୀନଚେତା। ଯଦି,ଉଦାହାରଣ ସ୍ୱରୂପ,ଦିପହରରେ ମୁଁ କେବେ ଦିନର ମଧ୍ୟକାଳରେ ଚା’ ଆଉ ପୁରୀ ସହ କୌଣସି ବନ୍ଧୁକୁ ଭେଟିବାକୁ ଚାହୁଁଥିଲି,ତାହା ମୁଁ ବିନା ବାଧାରେ କରିପାରୁଥିଲି। ଅଧରାତିରେ ସହରଠାରୁ ବହୁଦୂର ରେ ହେଉଥିବା କୌଣସି କଳାକାରର ବିଳମ୍ବିତ ରାତିର ସୋ କୁ ଦେଖିବାପାଇଁ ଯଦି ମୋର ଇଚ୍ଛା ହେଉଥିଲା ତେବେ, ବାବା ବିରକ୍ତ ହେଉଥିଲେ ବି ମୋ ସହିତ ସେଠିକୁ ପ୍ରାୟତଃ ଯାଉଥିଲେ। ମୁଁ ଭୋର୍ ହେବାଯାଏଁ ଟେଲିଭିଜନରେ ନାଟକ ଦେଖୁଥିଲି ଅଥବା ହାରମୋନିଅମ ବଜାଇ ଗୀତ ଗାଇ ଚାଲୁଥିଲି,ମୋତେ ଏଇଥିପାଇଁ କେହି ପଦଟିଏ କିଛି କହୁ ନଥିଲେ। ମୋର ଗୋଟିଏ ଅନ୍ତରଂଗ ବନ୍ଧୁ ମହଲ ରହିଥିଲା ଯେଉଁମାନଙ୍କ ସହିତ ମୁଁ ମୋର ଆନନ୍ଦସବୁକୁ ସହଜରେ ଭାଗ କରି ନେଇ ପାରୁଥିଲି। ତେଣୁ କହିବାକୁ ଗଲେ ମୋ ଜୀବନ ଏକାନ୍ତ ଭାବରେ ମୋର ହୋଇ ରହିଥିଲା; ମୁଁ ଥିଲି ଏପରି ଏକ ପଞ୍ଜୁରୀର ପକ୍ଷୀ ଯାହାର ସମସ୍ତ ଦ୍ୱାର ଥିଲା ମୁକୁଳା ।

ମୋ ସ୍ୱାମୀ ଥିଲେ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର।ଆମ ଦିଜଣଙ୍କର କେଉଁ ସବୁ ପସନ୍ଦ ଏକା ପ୍ରକାରର ଥିଲା ସେଇ କଥାକୁ ମନେପକାଇବାକୁ ଭାରି ଇଚ୍ଛା ହୁଏ,ଆମେ ଦିଜଣ ଶିକ୍ଷାଦାନକୁ ଜୀବନର ବୃତ୍ତି ଭାବରେ ଗ୍ରହଣ କରିଥିଲୁ। ସେଯାହାହେଉ,ମୋ ସ୍ୱାମୀ ଗଣିତର ଶିକ୍ଷକ ଥିଲେ ,ଆଉ ସେଇଥିପାଇଁ (ଅଥବା ଯେହେତୁ ସେ ସେଇ କାରଣରୁ ସ୍ୱାଭାବିକ ଭାବରେ ଗଣିତଜ୍ଞମାନଙ୍କ ପ୍ରତି ଆକୃଷ୍ଟ ଥିଲେ),ତାଙ୍କର ଭାବନା ଚିନ୍ତା ସବୁବେଳେ ଫର୍ମୁଲାମାଫିକ ଥିଲା।ପୂରାପୁରି ଫର୍ମୁଲା ଯେମିତି। ସେ ଚାହୁଁଥିଲେ ଆମେ ଦୁହେଁ ଯେମିତି ଶେଜରୁ ଏକା ସମୟରେ ଏକାଠି ଉଠୁ,ଆମକୁ ପରଷିଦିଆଯାଉଥିବା ଖାଦ୍ୟର ସମୟ ଯେମିତି ସବୁବେଳେ ସ୍ଥିରୀକୃତ ଆଉ ନିର୍ଦ୍ଦିଷ୍ଟ ହୋଇ ରହିଥାଏ। ସେ ଚାହୁଁଥିଲେ ସାରା ଘରଟାରେ ଯେମିତି କେତେବେଳେ କେଉଁଠି ଟୋପାଏ ଭଳି ମଇଳା ଦେଖିବାକୁ ନମିଳେ,ଖାତାର ମୂଲ୍ୟାୟନ କରିବାବେଳେ ଆଉ ପୂରାଦିନର ଶିକ୍ଷାଦାନର ପରିଶ୍ରମ ପରେ ଘରେ ବିଶ୍ରାମ ନେଉଥିବା ବେଳେ ତାଙ୍କର ଏକାନ୍ତ ନିର୍ଜନତା ଆବଶ୍ୟକ। ମୁଁ ବୁଝିପାରେନାହିଁ ଏମିତି କଠୋର ନିୟମର ସହିତ କେମିତି ସେ ସହଜ ହୋଇ ଚଳି ଆସିଛନ୍ତି,ମାତ୍ର ଯଥାଶିଘ୍ର ମୁଁ ଶିଖିଗଲି ଯେ ମୋର ଏସବୁକୁ ବୁଝିବାର ନାହିଁ।
କହିଛି ତ ତାହା ଉଦାରତାରେ ଭରପୂର ଥିଲା କାରଣ ମୋ ପ୍ରତି ମୋର ସ୍ୱାମୀ ଅତ୍ୟନ୍ତ ସୌମ୍ୟ ଆଉ ଭଦ୍ର ଥିଲେ,ଏପରିକି ମୋର ଆରମ୍ଭ ମାସଗୁଡିକରେ ଯେତେବେଳେ କି ମୁଁ ତାଙ୍କର ପତ୍ନୀ ହିସାବରେ ନିଜର ଜୀବନ ସହିତ ପରିଚିତ ହୋଇ ଆସୁଥିଲି। ସେ ମୋତେ କେତେଗୁଡିଏ କଥା ଶିଖାଇଥିଲେ, ଯେପରିକି ତାଙ୍କର ପ୍ରିୟତମ ଡିଶ୍ ଗୁଡିକ କେଉଁଭଳି ରନ୍ଧାଯାଏ, ତାଙ୍କର ପିନ୍ଧା ପୋଷାକକୁ କେଉଁ ଭଳି ସଫା କରାଯାଏ, ଆଉ ରାତିରେ ସେ ମୋର ଶରୀର ଉପରେ ସିଧା ଆରୋହଣ କରିବା ସମୟରେ ମୋର କ’ଣ କ’ଣ କରିବା ଉଚିତ। ସେ ମୋତେ ଯେତେବେଳେ ଇଚ୍ଛା ହେବ ସେତେବେଳେ ହାରମୋନିଅମ ବଜାଇବାକୁ ଦେଉଥିଲେ -ମୋ ବାବା-ମାଆ ମୋତେ ଏଠାରେ ଛାଡିଯିବାବେଳେ ମୋର ଅନ୍ୟାନ୍ୟ ବ୍ୟବହୃତ ପଦାର୍ଥ ସହିତ ଏଇ ହାରମୋନିଅମ୍ ଟିକୁ ସାଥିରେ ଆଣି ଏଠାରେ ଛାଡିଯାଇଛନ୍ତି । ଅସଲରେ ସେ ମୋର ହାରମୋନିଅମ ବାଦନକୁ ବେଶ୍ ଉପଭୋଗ କରୁଥାନ୍ତି। ଏଇଟା ତ ହେଉଛି ଅନ୍ୟତମ କାରଣ ଯେଉଁଥିପାଇଁ ସେ ମୋତେ ବିବାହ କରିଥିଲେ। ମୁଁ ଯେତେବେଳେ ଗାଉଥିଲି ମୋ ସ୍ୱାମୀ ମୋତେ ପ୍ରଶଂସାରେ ପୋତି ପକାଉଥିଲେ ,କହୁଥିଲେ , ମୋର ଗଳାର ସୁର ଅସଲରେ ଯେମିତି କେଉଁ ଗୋଟିଏ ପରୀର ସୁର। ସେଇ ସବୁ ଆରମ୍ଭର ଦିନଗୁଡିକ ଭାରି ଭଲ ଥିଲା,ଏମିତି ଅର୍ଥରେ, ହେଲେ ତାହା ଆମ ଦୁଇଜଣକଙ୍କ ମଧ୍ୟରେ ପ୍ରେମର ଉପଜାତ କରିଥିଲା ବୋଲି ମୁଁ କହିବି ନାହିଁ। ସେଇଭଳି ତ କିଛି ଥିଲା,ନିଶ୍ଚିତ ଭାବରେ।
ଆମର ବିବାହର ସମୟ ବର୍ଷକର ଅଧା ହେବାକୁ ବସିଥିବା ବେଳେ, ମୋର କିଛି ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ମୋ ପାଖରେ ଆସି ପହଞ୍ଚିଯାଆନ୍ତି,ସ୍ଥଗିତ ଥିବା ହାରମୋନିଅମ ଲେସନ୍ କୁ ପୁଣି ଆରମ୍ଭ କରିବାକୁ ଅନୁରୋଧ କରନ୍ତି। ଏଇ ଭଳି ପରିକଳ୍ପନାର କଥାଟିକୁ ମୁଁ ମୋ ସ୍ୱାମୀଙ୍କ ଆଗରେ ଉଠାଇଥିଲି ।
“ବିଶ୍ୱବିଦ୍ୟାଳୟରେ ମୋର ଢେର୍ ବଡ ବଡ ପିଲାଙ୍କ ସହିତ ଆତଯାତ “ସେ କହିଥିଲେ।”ଏଥିରୁ ଆଉ ଅଧିକଙ୍କୁ ମୁଁ ମୋ ଘରର ଭିତରେ ଆଉ ଚାହିଁବି ନାହିଁ,ମାତ୍ର ତମର ନିଜର ଯଦି ପିଲା ହୁଏ ତେବେ ହଁ।”
ମୁଁ ତାଙ୍କର ପରାମର୍ଶକୁ ଏଡାଇ ଗଲି। ” ଶିଖାଇବା ପାଇଁ ମୁଁ ସେମାନଙ୍କ ପାଖକୁ ଯିବି,” ତାଙ୍କର କଥାର ଉତ୍ତରରେ ମୁଁ ଏପରି କହିଥିଲି। “ସେଇଭଳି ତ ସେମାନଙ୍କୁ ମୁଁ ଆଗରୁ ହାରମୋନିଅମ ଶିଖାଇ ଆସୁଥିଲି।”
” ତମର ଏମିତି ଗୋଟିଏ ପାଦ ଥିବା ଅବସ୍ଥାରେ ?” ସେ ପ୍ରତ୍ୟୁତ୍ତରରେ କହିଲେ।
ମୁଁ ତାହାପରେ ଆଉ ସେଇ କଥାକୁ ଉଠାଇନାହିଁ।ମୁଁ ଏପରି ଚିନ୍ତାକୁ କେବେହେଲେ ସହିନେଇ ପାରିବିନି ଯେ ମୋର ଆଖପାଖରେ ଥାଇ ମୋର ଛାତ୍ରଛାତ୍ରୀଙ୍କର ଉପସ୍ଥିତିକୁ ଜଣେ କିଏ ଜମ୍ମା ପସନ୍ଦ କରୁନାହିଁ। ସେ ଯାହା କହିଥିଲେ ତାହା ସତ। ମୁଁ ଥିଲି ଗୋଟିଏ ଅର୍ଦ୍ଧେକ ମହିଳା,ମୋର ଗୋଟିଏ ପାଦ ଆଉ ଗୋଟିଏ ଆଖି ହଜିଯାଇଛି ଯେହେତୁ। ହେଲେ ମୋର ସ୍ୱାମୀ ମୋର ଏଇ ହଜିଯାଇଥିବା ଦେହାଙ୍ଗର କଥା ମୋତେ ବିବାହ-ମାର୍କେଟ୍ ରୁ କିଣିଆଣିବା ବେଳରୁ ଜାଣିଛନ୍ତି । ସେଇକଥାକୁ ନେଇ ଏଇଲେ ମୋତେ ଉଲୁଗୁଣା ଦେଲେ ଆଉ କେଉଁ ଅଧିକ ଭଲ ହେବ ଯେ ? ମୁଁ ଏପରି ଏକ ଭାବନାରେ ତାହାପରେ ଘୁରିବୁଲୁଥିଲି ଯେ ମୋ ସ୍ୱାମୀ ମୋ ଭଳି ଗୋଟିଏ ରିହାତି କୂପନ ଲାଗିଥିବା ମହିଳାକୁ ସବା ଆଗ କାହିଁକି କିଣିନେବାକୁ ଯାଇଥିଲେ । ଅପେକ୍ଷାକୃତ ଭାବରେ ସେ ତରୁଣ ( ପଇଁତିରିଶ ବର୍ଷ ବୟସର ଜଣେ ପୁରୁଷ ଜଣେ ପଇଁତିରିଶ ବର୍ଷ ବୟସର ମହିଳାଠାରୁ ନିଶ୍ଚିତ ଭାବରେ ଭିନ୍ନ), ସୁଦର୍ଶନ, ଆଉ ତାଙ୍କର ଗୋଟିଏ ନିଶ୍ଚିତ ବୃତ୍ତି ରହିଅଛି। ତାଙ୍କର ପରିବାରକୁ ଯେତେବେଳେ ମୁଁ ଭେଟିଥିଲି , ସେମାନେ ଯଥେଷ୍ଟ ଆନ୍ତରିକତା ଆଉ ଭଦ୍ରତାର ସହିତ ମୋତେ ସ୍ୱାଗତ କରିଥିଲେ। ତାହାହେଲେ ସେ ମୋ ଭଳି ଗୋଟିଏ ଅର୍ଦ୍ଧେକ ମହିଳାକୁ ଆଉ କେହି ଜଣେ ଅର୍ଦ୍ଧେକ ପୁରୁଷ ପାଇଁ ଛାଡି ଦେଇ ସେଇଠୁ ଚାଲି ଆସିନଥିଲେ କାହିଁକି ? ଅବଶ୍ୟ ଏମିତିରେ ଅର୍ଦ୍ଧେକ ପୁରୁଷ ବୋଲି କିଛି ନାହିଁ,ସମସ୍ତେ ହିଁ କେବଳ ପୁରୁଷ। ବେଳେବେଳେ ମୋତେ ଲାଗେ ସେ ଯେମିତି ମୋତେ ଆହତ କରିବାକୁ ଭାରି ଭଲ ପାଆନ୍ତି, ସେଥିରେ ସେ ମୋର ଖୁଣକୁ ଦେଖାଇଦେବା କାରଣରୁ ନିଜକୁ ନେଇ ତେଣୁ ବେଶ୍ ଆଶ୍ୱସ୍ତ ହୋଇଥାନ୍ତି।
ଏପରି ସଂପର୍କକୁ ଯେତେବେଳେ ଆଠମାସ ପୂରିବ ସେତେବେଳେ ମୁଁ ପୁଣି ସଂପୂର୍ଣ୍ଣ ମହିଳାଟିଏ ହୋଇଯାଇଥିଲି। ଦିନେ ସକାଳୁ ଉଠିଲାବେଳକୁ ଦେଖିଲି ମୋର ଡାହାଣ ପଟଆଖି ପଟକ ମୋ ପାଖକୁ ଫେରିଆସିଛି, ଆଗ ଭଳି ନୂଆ ପରିଷ୍କାର ଚକଚକ। ମୋର ମନେ ହେଲା ଏଇ ନୂଆ ଆଖିଟା ଯେମିତି ଆଗର ପୁରୁଣାଟିର ଅପେକ୍ଷା ସବୁ କଥାକୁ ଅଧିକ ପରିଷ୍କାର ଭାବରେ ଦେଖି ପାରୁଛି। ମୋର ଗୋଡଟି, ସେଇଟି ବି, ଦ୍ରୁତଗତିରେ ବଢି ଚାଲିଥାଏ,ଠିକ୍ ଆମ ବସାଘରର ମୋର ପିଲାଦିନର ସେଇ ପୁରୁଣା କଟାଲାଞ୍ଜ ଝିଟିପିଟିର ଲାଞ୍ଜଟି ଭଳି। ଏହା ସତରେ ଏକ ବିଚିତ୍ର ଅନୁଭବ, ଢେର୍ ଦିନ ହେଲା ଅକାମି ଆଖି ପଟେ ଆଉ ଗୋଡ ପଟେ କୁ ନେଇ ସହଜ ହୋଇ ଆସୁଥିବା ଲୋକଟି ହଠାତ୍ ଯେତେବେଳେ ଦେଖେ ଯେ ତାହାର ସେଇ ପୁରୁଣା ଆଖି ଗୋଟିକ ଆଉ ଗୋଡ ଗୋଟିକ କାର୍ଯ୍ୟକ୍ଷମ ତେବେ ଚମକ ତ ନିଶ୍ଚୟ ଲାଗିବ। ମନେହେଲା ଇଏ ଯେମିତି ମୋର ଏକ ପୁନର୍ଜନ୍ମ । ଆଉ ଏକପ୍ରକାର ମୃତ୍ୟୁ ବି।
ମୋର ବାବା-ମାଆଙ୍କର ଆନନ୍ଦର ସୀମା ରହିଲା ନାହିଁ; ସେମାନେ ମିଠା ଧରି ଆସିଥିଲେ,ରସଗୋଲ୍ଲା ଆଉ ସନ୍ଦେଶ ,ମୋର ଅତି ପ୍ରିୟ ମିଠା ସେ ଦୁଇଟି, ଏହାକୁ ଏକ ଉତ୍ସବ ଆକାରରେ ପାଳନ କରିବା ପାଇଁ ସେମାନେ ଆସନ୍ତି। ” ମୁଁ ଏକଥା ଜାଣିଥିଲି,” କହିଲାବେଳକୁ ବାବାଙ୍କ ଛାତି କୁଣ୍ଢେମୋଟ। “ମୁଁ ଜାଣିଥିଲି,ଯେବେ ପ୍ରଥମେ ତାହାକୁ ମ୍ୟାରେଜ ମାର୍କେଟ୍ ରେ ଦେଖିଥିଲି ମୋତେ ହଠାତ୍ ଲାଗିଥିଲା, ଏଇ ତୋ ବର ଆଉ ଇଏ ତୋ ସହିତ ପୂରା ଖାପ ଖାଇବ! ଏବେ ମୋ ଝିଅକୁ ଦେଖ,ଟିକିଏ ବୋଲି ଖୁଣ ଆଉ କେଉଁଠି ଅଛି !”
ମୋ ସ୍ୱାମୀ ଉଦାର ପ୍ରକୃତିର ଥିଲେ,ପରେ ସେ ଆଉ ସେମିତି ହୋଇ ରହିଲେ ନାହିଁ। ପୁରୁଷ ମାନଙ୍କ ସହିତ,ଏହା ହେଉଛି ସବୁବେଳେ ସମାନ ଗୋଟିଏ ପ୍ରକାରର କାହାଣୀ।
ମୋର ହାରମୋନିଅମ ,ଯାହାକୁ ବଜାଇବା ପାଇଁ ସେ ମୋତେ ଉତ୍ସାହିତ କରି ଆସିଛନ୍ତି ,ସେଇଟି କେବଳ ସ୍ଥଗିତ ରହେ ସେଇ ଗୋଟିକ ସମୟ ପାଇଁ,ଯେତେବେଳେ କି ତାଙ୍କର ବିଶ୍ରାମର ପ୍ରୟୋଜନ ଥାଏ,ବାକିତକ ସମୟ ଏହା ତାଙ୍କପାଇଁ ଅତ୍ୟନ୍ତ ବିରକ୍ତିକର। “ଏହାକୁ ନିଜର ପାଖରୁ ଟିକିଏ ଅଲଗାକରି ରଖିଲେ ହୁଅନ୍ତାନି, ମୁଁ ଏଇଲେ ଖାତା ଦେଖୁଛି !” ସେ କହନ୍ତି ,ଅଥବା ସରଳ ଭାବରେ କହିଥାନ୍ତି ,”ଟିକିଏ ଚୁପ୍ ରହିବ !” ଯଦି ସେ ପ୍ରଥମରୁ ଆଦର କରୁଥିଲେ ବୋଲି କୁହାଯିବ ,ସେଇ ପ୍ରକାର ର ଆଦର ବା ସେଇ ଭଳି ଆଉ କିଛି ସବୁ କୁଆଡେ ଉଭାନ ହୋଇଗଲା, ସେତେବେଳକୁ ଆମର ବିବାହର ଆୟୁଷ ଦେଢବର୍ଷ ହେବ। ଏଇଭଳି ପରିବର୍ତ୍ତନଟି କ୍ରମଶଃ ଘଟୁଥିଲା ଆଉ ଏହା କାହାର ଦୃଷ୍ଟିର ଉହାଡକୁ ଯାଇପାରୁନଥିଲା।ମୋର ସ୍ୱାମୀ କ୍ରମଶଃ କ୍ଷଣକୋପୀ ହେବାକୁ ଲାଗିଲେ। ତାଙ୍କର ସମୟ ବିଶ୍ୱବିଦ୍ୟାଳୟରେ ଅଧିକରୁ ଅଧିକ ହେବାକୁ ଯାଉଥିଲା,ଢେର୍ ରାତି ଯାଏଁ ସେ ବନ୍ଧୁ ଆଉ ସହକର୍ମୀମାନଙ୍କ ସହିତ ବିତାଇବାକୁ ଲାଗିଲେ। ମୋର ସନ୍ଦେହର ମାତ୍ରା ବଢିବାକୁ ଲାଗେ,ମାତ୍ର ମୁଁ କେବେହେଲେ କାହାକୁ ଈର୍ଷା କରିନାହିଁ। ଏମିତିରେ କହିବାକୁଗଲେ,ଏଇ ଲୋକଟା ଭଳି ମୁଁ ଭାବିବାକୁ ଲାଗିଲି,ଏଇ ଅଜଣା ଲୋକଟାକୁ ଯାହାକୁ ମୁଁ ମୋର ଝରିପଡୁଥିବା ଶରୀରୀ ଅବକ୍ଷୟକୁ ରୋକିବା ପାଇଁ ବିବାହ କରିଛି,କେବଳ ସବୁବେଳେ ସେମିତିକା ଅଜଣା ହୋଇ ରହିଯାଉଛି। ସେ କେବେହେଲେ ମୋର ହୋଇ ନଥିଲା,ମୁଁ ବି ସେମିତି ତା’ର ହୋଇ ନଥିଲି। ମୁଁ ଜାଣିପାରିଥିଲି ଯେ ସେ ନିଜର ଗୋଟିଏ ଅଂଶ କୌଣସି ଏକ ଗୋପନ ସ୍ଥାନରେ ଲୁଚାଇ ରଖିଛି,ଏମିତି ଗୋପନ ସେ ସ୍ଥାନ ଯାହାର ନିକଟକୁ ମୋର ପହଞ୍ଚ ନାହିଁ।
ଦିନେ ଅନ୍ଧାରରେ ମୁଁ ମୋର ପତିଦେବକୁ ପଚାରିଥିଲି ଆଉ କିଏ କେଉଁଠି ରହିଛି କି ? କହିଥିଲି,ମୁଁ ସେଥିରେ ରାଗ କରିବି ନାହିଁ ,ମୋର ସେଥିପ୍ରତି କେବଳ କିଛିଟା କୌତୁହଳ ରହିଛି।
“ନା” ସେ କହିଥିଲେ। ତାଙ୍କର ଗଳାର ସ୍ୱରରେ ଯଥେଷ୍ଟ ଅସହଜପଣ ରହିଥିଲା ଯାହା ମୋତେ ପରିଷ୍କାର ଜଣାଇଦେଉଥିଲା ଯେ,ମୋ କୌଣସି ମାନସିକ ବିଚଳନ ନାହିଁ।
“ତମର ମାନସିକ ସ୍ଥିତି ବିକଳ”
“ସତରେ ?”
“ହଁ,ତମେ ମହିଳାମାନେ ସବୁବେଳେ ଅଧିକା କଥା ଭାବିବସ । ଯାଅ,ଶୋଇପଡ।”

ମୁଁ କଳ୍ପନା କରୁଥିଲି ଆମର ବିବାହଟି ହେଉଛି ଯେମିତି ଗୋଟିଏ ଅଣ୍ଡା : ପହିଲେ ନିଖୁଣ ଆଉ ମସୃଣ,ତାହାପରେ ଆସ୍ତେ ଆସ୍ତେ ସେଥିରେ ଫାଟମାନ ଦେଖାଯିବାକୁ ଲାଗେ। ଏହାକୁ ଘଟାଉଛି କିଏ,ମୁଁ ଜାଣିପାରୁ ନଥିଲି। ମୁଁ କେବଳ ଏହାର କେଶର ଅଂଶକୁ କଳ୍ପନା କରୁଥିଲି -ମୋର ସ୍ୱାମୀଙ୍କ ଗୋପନତା, ତାଙ୍କପ୍ରତି ମୋର ଗଢିଉଠୁଥିବା ଯେତେକ ବିତୃଷ୍ଣା ,ସାଧାରଣ ଭାବରେ ଆମର ଅସନ୍ତୋଷ – ଅଣ୍ଡାର ଖୋଳପାର ଫାଟ ଭିତରୁ ଫୁଟି ଉଠୁଥିଲା। ଗୋଟିଏ ପଚା ଅଣ୍ଡା,ଆମେ ସେମିତି ରହିଥିଲୁ।
ମାଆ ନିୟମିତ ଆସୁଥିଲା,ବିଶେଷ ରେ ଶେଷ ଆଡକୁ ତାହାର ଆସିବା ର ମାତ୍ରା ବେଶ୍ ବଢିଯାଇଥିଲା।ମୁଁ ଭାବୁଛି ସେ ହୁଏତ ଏଇଠୁ ଯେ ମୁଁ ବିଦାୟ ନେବାକୁ ଯାଉଛି ସେଇ କଥାକୁ ସେ ଅନୁମାନ କରି ପାରିଥିଲା। ଦିନେ ସେଥର ସେ ଆସିଥିଲା ଆଉ ମୁଁ ତାହାର କୋଳରେ ନିଜର ମୁଣ୍ଡକୁ ଥାପି ଶୋଇପଡିଥିଲି । ସେ ମୋହର ମଥାକୁ ଆଉଁଷି ଦେଉ ଦେଉ ଗୁଣୁଗୁଣୁ କରି ଗୀତଟିଏ ଗାଇଥିଲା। ମୋର ସ୍ୱାମୀ ସେତେବେଳେ ଥିଲେ ତାଙ୍କର କାର୍ଯ୍ୟକ୍ଷେତ୍ରରେ।
“ମାଆ ଲୋ,ମୁଁ ତା’ଙ୍କୁ ଛାଡି ଦେବାକୁ ଯାଉଛି।”
ମାଆର ହାତ ହଠାତ୍ ବରଫ,”ଛାଡିଦେବୁ ?”
“ହଁ”
“ତାହେଲେ ଯିବୁ କେଉଁଠିକୁ ?”
“ତୋ ପାଖକୁ ,ବାବାଙ୍କ ପାଖକୁ”ମୁଁ କହିଥିଲି। “ତମେମାନେ କ’ଣ ମୋର ତମପାଖକୁ ଯିବାର କଥାକୁ ପସନ୍ଦ କରିବନି ?”
“ତୋର ମରଣ ହେବ”,ସେ କହିଥିଲା,ତାହାର ଗଳାର ସ୍ୱରରେ ମାତ୍ରାଧିକ କମ୍ପନ। “ପୁଣି ଫେରିଆସିବ ସେ ପଚିବାର ଅବସ୍ଥା।”
“ମୁଁ ତାକୁ ସହିନେଇ ପାରିବି,ମାଆଲୋ,”
ମୋ ମୁହଁଟିରେ ଅନେକ ଉତ୍ତାପ ଆଉ ସେଥିରୁ ଝରିପଡୁଥିଲା ଲୁହ।
“ଆରେ,ଲୋକବାକ କହିବେ କ’ଣ?” ମୋ ମାଆର କାନ୍ଦଣାର ଗଳା। “ତୋ ଭଳି ବୟସର ଜଣେ ମହିଳା ,ତୁ ଯଦି ତାଙ୍କଠାରୁ ଅଲଗା ହେଉ ..ନା,ନା”
ତାହାର ଗଳାର ସ୍ୱର କ୍ରମଶଃ କଠିନ,ଠିକ୍ ସେଇ ଭଳି ଗଳା ଯାହା ସହିତ ବେଳେ ବେଳେ ମୋ ପିଲାଦିନରେ ମୁଁ ପରିଚିତ ଥିଲି,ଯେତେବେଳେ ମୁଁ ପଢିବସିବାକୁ ରାଜି ହେଉନଥିଲି। “ବିବାହ କହିଲେ ତାହାର ଅର୍ଥ ସେପରି ” ସେ କହିଚାଲିଥାଏ । “ଏକଥା ତୋ ପାଇଁ ନୂଆ ,ସେଇଥିପାଇଁ ତୁ ଜାଣିପାରୁନାହୁଁ ଏହାର ରୂପ କେମିତିକା …”
“ଏହା ଅସଲରେ କେଉଁପରି ତାହାର ବିଷୟରେ ଆଉ ଅଧିକ କିଛି ଜାଣିବାକୁ ମୁଁ ଚାହୁଁନାହିଁ ।”
“ତୁ ତୋର ଉଡନ୍ତା -ଚଢେଇ ଭଳି ଜୀବନରେ ବେଶ୍ ଛନ୍ଦି ହୋଇ ପଡିଛୁ,ତୋର ଦୁଃସାହସିକ ଋଚି ଯେତେକ.., ସହରସାରା ଘୁରିବୁଲିବା,ଈଶ୍ୱର ଜାଣନ୍ତି କାହାର ସହ ସମୟ କାଟିବା ! ତୋର ବାବା ଆଉ ମୁଁ ସେଥିରୁ କିଛିକୁ ପ୍ରଶ୍ରୟ ଦେଇଥିଲୁ,ସ୍ୱୀକାର କରୁଛି, ତୋତେ ସେସବୁ କନସର୍ଟକୁ ଯିବାକୁ ଦେଇଛୁ ଆଉ ଟେଲିଭିଜନରେ ପ୍ରୋଗ୍ରାମ,ରେଡିଓରେ..”
“ସେସବୁ ମୋତେ ଆନନ୍ଦ ଦେଇଥିଲା”,ମୁଁ କହିଥିଲି,”ମୁଁ ସେତେବେଳେ ଭାରି ଖୁସିରେ ଥିଲି ,ମାଆ।”
“ଯେତେବେଳେ ମୁଁ ଆଉ ତୋ ବାବା ବିବାହ କରିଥିଲୁ ,ମାସେ ଯାଏଁ ପ୍ରତ୍ୟେକଟି ରାତି ମୁଁ କାନ୍ଦିଛି।ହେଲେ କ୍ରମଶଃ ମୁଁ ମୋର ପରିସ୍ଥିତିକୁ ଗ୍ରହଣ କରିନେବାକୁ ଲାଗିଲି। ନିକଟରେ,ସମୟ ଗଡିବା ସହିତ,ତୁ ବି ସେଇ ସମାନ କଥା କରିବୁ।”
ମୁଁ ସବୁବେଳେ ମନେକରିଆସିଛି ଯେ ମୋର ବାବାମାଆ ହେଉଛନ୍ତି ଗୋଟିଏ ସୁଖୀ ଯୋଡି।ହଠାତ୍ ମୋର ମନେହେଲା ସେଇଠି ଆହୁରି ଏମିତି କିଛି ରହିଛି ଯାହାକୁ ମାଆ ମୋତେ କେବେହେଲେ କହିନାହିଁ। “ମୁଁ ସେଇଭଳି କେବେ କରିବି ନାହିଁ !” ମୁଁ ପାଟିକରି କହିଲି। ” ତାଙ୍କର ଆଗରେ ମୋର ନିଜର ଏକ ସୁନ୍ଦର ଜୀବନ ପଡିରହିଛି । ସେଥିରେ ସେମିତି କିଛି ପରିବର୍ତ୍ତନ କୁ ମୁଁ ଅନ୍ତତଃ ଏବେ ଦେଖିପାରୁନାହିଁ।”
“ତୁ ଫିକା ପଡିବାକୁ ଯାଉଛୁ ! ତୁ ଅର୍ଦ୍ଧେକ-ମହିଳା ହେବାକୁ ବସିଲୁଣି !”
ମୋର ଲୁହ ମାଆର ଶାଢୀରେ ଆସି ପଡିବାକୁ ଲାଗିଲା। “ଏଭଳି ଜୀବନ ଅପେକ୍ଷା ମୋର ମରଣ ବରଂ ଶ୍ରେୟସ୍କର।”
ମାଆ ଚୁପ୍ ହୋଇ ରହିଥିଲା। ସେ ଆଉ ଗୁଣୁଗୁଣୁ କରି ଗୀତ ଗାଉନଥିଲା।ସେ ମୋ ମଥା ଉପରେ ନିଜର ହାତକୁ ପୁଣି ଆଉଁଷି ଆଣୁଥାଏ,ହେଲେ ସେଥିରେ ଦ୍ୱିଧା ରହିଛି,ମୁଁ ଅନୁଭବ କରିପାରୁଥିଲି।ତାହାର ଆଙ୍ଗୁଳିମାନ କିନ୍ତୁ ବେଳେବେଳେ ବାଟବଣା ହେଉନଥାନ୍ତି। ପରିସ୍ଥିତି ଏପରି ହୋଇଥିଲା ଯେ ମୋତେ ମୋର ସ୍ୱାମୀକୁ ଛାଡି ଯିବାକୁ ଆଦୌ ପଡିନାହିଁ। ଦିନେ ସଂଧ୍ୟାରେ ମୁଁ ରାତ୍ରୀଭୋଜନ ପ୍ରସ୍ତୁତ କରୁଥାଏ ,ମାଆ ଆମ ପାଖକୁ ଆସିବାର ପ୍ରାୟ ମାସେ ପରର କଥା,ସେ ଘର ଭିତରକୁ ଆସିଲା ବେଳକୁ ତାଙ୍କର ପଛେ ପଛେ ଯେମିତି ଟଣା ହୋଇ ଆସିବା ଭଳି ଆସିଥିଲା ଜଣେ ମହିଳା।ବୟସ ତାହାର ଅନେକ କମ୍। ମୋର ଧାରଣା ହୁଏତ ତାହାର ବୟସ ଅତିବେଶିରେ ପଚିଶ କି ଛବିଶ ହେବ।
“ସେ କିଏ ” ମୁଁ ତାଙ୍କୁ ପଚାରିଲି । ତାହାକୁ କହିଥିଲି,”ହାଲୋ”।
“ମୁଁ ଆଉ ଥରେ ବିବାହ କରିଛି”ମୋର ସ୍ୱାମୀ କହିଥିଲେ।”ମୁଁ ମ୍ୟାରେଜ ମାର୍କେଟ୍ କୁ ଯାଇଥିଲି ଆଉ ସେଇଠୁ ମୁଁ ଏହାକୁ ଆଜି ଧରିକି ଆସିଛି।”
“ମାନେ ?”
ମୋର ଗୋଟିଏ ଅଦ୍ଭୁତ ଅନୁଭବ ହୋଇଥିଲା ସେତେବେଳେ । ଯେତେବେଳେ ମୁଁ ମୋ ସ୍ୱାମୀଙ୍କ ଆଡକୁ ଚାହିଁଥିଲି,ତାଙ୍କର ନବୀନା ପତ୍ନୀର ଆଡକୁ ଚାହିଁଥିଲି ଆଉ ତାହାପରେ ପୁଣି ମୋ ସ୍ୱାମୀଙ୍କ ମୁହଁକୁ ଚାହିଁଥିଲି ,ମୁଁ ମୋହର ଦେହକୁ ତ୍ୟାଗକରି ପ୍ରବେଶ କରିଯାଇଥିଲି ସେଇ ଉପସ୍ଥିତ ନାରୀଟିର ଶରୀରର ବେଶ୍ ଗଭୀରକୁ।ଏଇ ସମସ୍ତ ହାସ୍ୟକର ଆଉ ନିର୍ବୋଧ କର୍ମକାଣ୍ଡକୁ ମୁଁ ଦେଖିବାକୁ ଲାଗିଗଲି ତାହାର ଆଖିଦୁଇଟିରେ। ସେ ନାରୀଜଣକ ମୋ ବିଷୟରେ କ’ଣ ଭାବୁଛି ,ସେତିକି ବେଳେ, ମୋର ଛିଣ୍ଡା ଆଉ ରଂଗ ଛାଡି ଯାଇଥିବା ରାତ୍ରୀବାସକୁ ପିନ୍ଧି ,ମୁଁ ଯେମିତି ଘାଣ୍ଟୁଥିଲି ସେମିତି ସେଇ କାଠର ଚାମୁଚକୁ ହାତରେ ଛୁରୀପରିକା ଧରି ଡାଲିକୁ ଷ୍ଟୋଭ୍ ର ଉପରେ ଘାଣ୍ଟୁଥିବା ସମୟରେ ? ଆଉ ସବୁଠୁ ବଡ କଥା ହେଲା,ସେ ସେଇ ଲୋକଟାର ଭିତରେ ଏମିତି କ’ଣ ଦେଖିପାରୁଛି ଯିଏ ନାନା ପ୍ରକାରରେ ମୋତେ ହତାଶ କରିଛି ,ଆଉ (ଯଦିଓ ସେ ସେଇସବୁ କଥା ଜାଣି ନଥିଲା) କିଛି ସମୟ ପରେ ସେ ମୋ ପ୍ରତି ଯେପରି ବ୍ୟବହାର କରିଛି ତା’ପ୍ରତି ବି ଠିକ୍ ସେଇଭଳି ଆଚରଣ କ’ଣ କରିବସିବ ? ମୁଁ ଠିକ୍ ଦେଖିପାରୁଥିଲି ସେ ଓ ତାହାର ରଂଗିନ ଦାମ୍ପତ୍ୟଜୀବନର ଛବିଗୁଡିକ ଭିତରେ ରହିଥିବା ବାଧକଗୁଡିକୁ।ଏକ କ୍ରୋଧିତ,ହିଂସା ଜର୍ଜରିତ ପ୍ରଥମ ପତ୍ନୀ।
ଏହା ଥିଲା ଏକ ଦୁଃଖାନ୍ତକ ପରିସ୍ଥିତି,ହେଲେ ଏହା ଥିଲା କିଛି ପରିମାଣର ହାସ୍ୟକର ବି ?
“ଏଥର ତମର ଏଇଠୁ ବିଦାୟ ନେବାର ସମୟ ଉପସ୍ଥିତ”,ମୋର ସ୍ୱାମୀ କହିଚାଲିଥିଲେ। ” ମୁଁ ମୋ ସାଥିରେ ଡିଭୋର୍ସ ପେପର୍ ସବୁ ନେଇ ଆସିଛି।”
“ଠିକ୍ ଅଛି “ମୁଁ କହିଥିଲି।

ମୋର ସ୍ୱାମୀ ଏଇଠି ମୋ ପକ୍ଷରୁ କିଛି ପ୍ରତିବାଦର ଆଶଙ୍କା କରୁଥିଲେ,ହୁଏତ ମୋତେ ଗୋଟିଏ ନିରାଶ ପତ୍ନୀର ଭୂମିକା ଦିଆଯାଇଥିଲା ଆଉ ସେଇ ଭଳି ଭୂମୀକାଟିଏ କେଉଁଭଳି ପାଳନ କରାଯାଏ ସେ ବିଷୟରେ ମୋର କୌଣସି ଧାରଣା ନଥିଲା। ସତ କହିବାକୁ ଗଲେ ଏଇ ଭଳି ଗୋଟିଏ ଘରେ ଏପରି ଗୋଟିଏ ମଣିଷ ଯିଏ ନିଜ ଜୀବନର ନିଃସଙ୍ଗତାକୁ ଆଂଶିକ ଭାବରେ କି ପୂରାପୂରି ଦୂର କରିବା ପାଇଁ ମୋତେ କେବଳ ବ୍ୟବହାର କରିଚାଲିଥିଲା ତାହାରି ସହିତ ଏକାଠି ରହିବା ପାଇଁ ମୋର କୌଣସି ଆଗ୍ରହ ନଥିଲା। ଅଧା ହେଉ କି ପୂରା ହେଉ ,ମୁଁ ସେତେବେଳେ ସ୍ଥିର କରିନେଇଥିଲି ଯେ ଆଗରେ ମୋର ଯାହା ଭାଗ୍ୟ ଯେଉଁଭଳି ହେଉ ତାହା ସହିତ ମୋତେ ଲଢିଯିବାକୁ ହେବ,ତାହା ଗୋଟିଏ ପରେ ଗୋଟିଏ ଅଂଗହାନୀ ହେବା ପରର ମନ୍ଥର-ମରଣ ହେଉ ଅଥବା ଏକ ଦ୍ରୁତ ଯନ୍ତ୍ରଣାହୀନ ମରଣ ହେଉ ଯେତେବେଳେ କି ମୁଁ ଗୋଟିଏ ମରଣମୁଖୀ ମହିଳା ଆକାରରେ ପାଲଟିଯିବାକୁ ବସିଛି ଆଉ ଥରେ।
ସେଇଠି ମୋ ସ୍ୱାମୀଙ୍କର ଡାଇନିଂ ଟେବୁଲର ଉପରେ ସେଇ କାଗଜପତ୍ର ଗୁଡିକରେ ଯଥାବିଧି ସନ୍ତକ କରିଦେଇଥିଲି,ଭଗବାନଙ୍କୁ ଧନ୍ୟବାଦ ଯେ ମୋର ଦୁଇଟିଯାକ ବାହୁ ସକ୍ଷମ ରହିଥିଲା ସେତେବେଳେ। ସାମାନ୍ୟ କିଛି ଆଶ୍ୱସ୍ତି ବ୍ୟତୀତ ମୁଁ ସେତେବେଳେ ଆଉ ଅଧିକ କ’ଣ ଅନୁଭବ କରୁଥିଲି ସେକଥା ମୁଁ ସଠିକ କହିପାରିବି ନାହିଁ – ଏପରି ଏକ ହାଲୁକା ହୋଇଯିବାର ଭାବ ଯାହା ଅନେକ ଅନେକ ମାସ ହେଲା ମୋତେ ଲାଗିନଥିଲା। ମୁଁ ଯେତେବେଳେ ମୋର , ଏବେ ତ ପୂର୍ବତନ, ପତିଙ୍କୁ ତାଙ୍କର ନବବିବାହିତା ସତେଜ ପତ୍ନୀକୁ ଆଲିଙ୍ଗନ କରିବାକୁ ଦେଖିଥିଲି,ମୋ ଭିତରେ ବିନ୍ଦୁଏ ମାତ୍ର କ୍ରୋଧ କି ପ୍ରତିହିଂସା ସୃଷ୍ଟି ହୋଇ ନଥିଲା।
“ତମର ମରଣ ହେବ”ମୁଁ ଏଇଠୁ ଗଲାବେଳକୁ କହିଥିଲେ ମୋର ପୂର୍ବତନ ପତି। ” ତମର ମରଣ ହେବ ଆଉ ସେତେବେଳେ ମୁଁ ତମ ସହିତ ନଥିବି।”
ସେଦିନ ରାତିରେ ,ବାବା-ମାଆଙ୍କ ଫ୍ଲାଟକୁ ଫେରି ଆସିବା ପରେ ଚାରିପଟର ପରିବେଶ ଥିଲା ଅତ୍ୟନ୍ତ ଆନନ୍ଦମୁଖର ଏବଂ ଏକ ବିରାଟ ବିଷାଦରେ ଭରା।ଆମେ ଜାଣିପାରିନଥିଲୁ କେତିକି ସମୟ ଏଇଠୁ ମୁଁ ଦୂରରେ ରହିଥିଲି ଅବା ଏହାପରେ ମୋର ହରାଇବସିବା ଭଳି ଭବିଷ୍ୟତଟି କ’ଣ ? ଫିକା ପଡିଯିବା ଟି କେଉଁ ଭଳି କାମ କରିଥିଲା ତାହାର ସେମିତି କୌଣସି ବୈଜ୍ଞାନିକ କାରଣ ନଥିଲା,ଅଧିକାଂଶ ମହିଳା ମାନେ ଏହିଭଳି ଅସୁଖରୁ ବିବାହ କରିବା ଦ୍ୱାରା ଭଲ ହୋଇ ଯାଉଥିଲେ। ଠିକ୍ ଅଛି,ଆମେ ସେକଥାକୁ ଉପଯୋଗ କରିଥିଲୁ। ମୁଁ ରାତି ଗାଢ ହେବା ଯାଏଁ ହାରମୋନିଅମ ବଜାଇଥିଲି , ଯେତିକି ସମୟ ଇଚ୍ଛା ହୋଇଥିଲା ସେତିକି ସମୟ ବଜାଇଥିଲି ,ଆମର ଫ୍ଲାଟ୍ ସାରା ଗୁଞ୍ଜରି ଉଠୁଥିଲା ମୋର ସା-ରେ-ଗା-ମା।
ମାଆ ଶୋଇଥିଲା ମୋ ପାଖରେ,ଅନେକ ଦିନ ତଳେ ଯେଉଁଦିନ ମୁଁ ଆଖି ପଟେ ହଜାଇଥିଲି ସେଦିନ ରାତିରେ ବି ଠିକ୍ ମାଆ ଏମିତି ମୋ ପାଖରେ ଶୋଇଥିଲା। ପିଲାଦିନେ ମୋ ମାଆ ମୋ ପାଖରେ ମୋ ଦିହକୁ ଲାଗି ଏମିତି ଶୋଇଥାଏ।
“ମୁଁ ଭାରି ଦୁଃଖିତ ” ମାଆ ମୋ କାନରେ ଗୁଣୁଗୁଣୁ କରି କହିଥିଲା,ମୋର ସ୍ୱପ୍ନର ଜଗତର ଭିତରକୁ ପ୍ରବେଶ କରିବାର ଠିକ୍ ପୂର୍ବରୁ। “ତୋତେ ସୁରକ୍ଷିତ କରି ରଖିବା ପାଇଁ ଆମକୁ ଅନ୍ୟ ସବୁ ଭିନ୍ନ ଉପାୟମାନ ଦେଖିବାକୁ ହେବ।”
” ମାଆ ଲୋ,ସବୁ ଠିକ୍ ଅଛି “, ମୁଁ ଅତି ଆସ୍ତେ କହିଥିଲି। “ତମେମାନେ ଯେତିକି ପାରିବ ତାହା କରିଛ। ସେତିକି ତ ତମେ ଜାଣିଛ ।”
ପରଦିନ ସକାଳରେ,ଏବଂ ମୋର ପରବର୍ତ୍ତି ଅବଶିଷ୍ଟ ଜୀବନ ପାଇଁ ,ମୁଁ ମୋର ଦୁଇଟି ଯାକ ଗୋଡରେ ଠିଆ ହୋଇ ପାରିଥିଲି,ଆଉ ପୃଥିବୀକୁ ଦେଖିପାରିଥିଲି ବେଶ୍ ସତେଜ ଆଖି ହଳକରେ।
°°°°°

ଫରିଆ ବାଶାର ବାଂଲା ଦେଶରେ ଜନ୍ମିତ ଜଣେ କଥାକାର ଯିଏ ବସ୍ତୁତଃ ଫିଲିପାଇନ୍ସ, ୟୁନାଇଟେଡ୍ କିଙ୍ଗଡମ, ଏବଂ ଯୁକ୍ତରାଜ୍ୟ ଆମେରିକାରେ ପଢାଶୁଣା କରିଛନ୍ତି।
ଏହି କାହାଣୀଟି ସଂପ୍ରତି “କମନୱେଲଥ୍ ସର୍ଟ ଷ୍ଟୋରି କମ୍ପିଟେସନ୍”ରେ ପୁରସ୍କୃତ ହୋଇଛି । ଏଇ ପୁରସ୍କାର ନିମନ୍ତେ ପୃଥିବୀର ପାଞ୍ଚୋଟି ଅଂଚଳର ଶ୍ରେଷ୍ଠ ଅପ୍ରକାଶିତ ଲେଖାକୁ ମନୋନୀତ କରାଯାଇଥାଏ। ଫାରିଆ ବାଶାର ଏସିଆରୁ ଶ୍ରେଷ୍ଠ ବିବେଚିତ ଲେଖିକା।
ନାରୀ ପକ୍ଷରେ ବିବାହକୁ ପୂର୍ଣ୍ଣତାର ଏକମାତ୍ର ଧାରକ ବୋଲି ବିବେଚନା କରାଯାଉଥିବା ଏକ ସମାଜରେ ନିଜକୁ ନିଜର ସହଜାତ ସୃଜନଶକ୍ତିକୁ ନେଇ ଏକ ଆତ୍ମସଂପୂର୍ଣ୍ଣ ହୋଇପାରିବା ଭଳି ଦୃଢ ଦୃଷ୍ଟିଭଂଗୀଟିକୁ ଏଇ କାହାଣୀରେ ଉପସ୍ଥାପନ କରାଯାଇଛି।
କାହାଣୀର କଥ୍ୟବସ୍ତୁଟିରେ ସେମିତି କିଛି ନୂତନତ୍ୱ ରହିନଥିଲେ ବି ଏହାର ବଖାଣ କଳା ଏବଂ ଅତିବାସ୍ତବବାଦୀ ଦୃଷ୍ଟିକୁ ଆମର ଲକ୍ଷ୍ୟ କରିବା ଆବଶ୍ୟକ। ଯଦି ଆମେ ଅତିବାସ୍ତବବାଦକୁ ବୁଝିଥାଉ ଆଉ ଆମର ଦୃଷ୍ଟିରେ ଯଦି ଅତିବାସ୍ତବବାଦୀ ବା ସରରିଆଲିଷ୍ଟିକ ଭାବ କିଛି ପରିମାଣରେ ଝଲସି ଉଠୁଥାଏ ତେବେ ଆମର ରଚିତ କାହାଣୀର ସାଧାରଣ ଘଟଣା,ସାଧାରଣ ଚରିତ୍ର ଆଉ ସାଧାରଣ ପରିଣତି ହୁଏତ ଅନେକ ପରିମାଣରେ କୁହୁକ ସୃଜନ କରିପାରିବ ।
ସଂପୃକ୍ତ ଗଳ୍ପ ଟି “ୱାନ୍ ଆଇ ଆଣ୍ଡ ୱାନ୍ ଲେଗ୍”ଶୀର୍ଷକରେ ବିଶିଷ୍ଟ ସାହିତ୍ୟ ପତ୍ରିକା “ଗ୍ରାଣ୍ଟା”ର ଚଳିତ ମଇ ଗ୍ରୀଷ୍ମ ସଂଖ୍ୟା ରେ ପ୍ରକାଶିତ। ଆଗ୍ରହୀ ବନ୍ଧୁମାନେ କମନୱେଲଥ ଷ୍ଟୋରୀ ପୁରସ୍କାରରେ ସମ୍ମାନୀତ ଅନ୍ୟ ଗଳ୍ପଗୁଡିକୁ ଏଇ ସଂଖ୍ୟାରେ ସେଥିରୁ ପାଠ କରିପାରନ୍ତି।

