ରବୀନ୍ଦ୍ରନାଥଙ୍କ ଦୁଃଖ

ଦୁଃଖ କାହାକୁ କୁହାଯାଏ ଓ ତାର ଯନ୍ତ୍ରଣା କେତେ ତାକୁ ମର୍ମେ ମର୍ମେ ଅନୁଭବ କରିଥିଲେ ରବୀନ୍ଦ୍ରନାଥ ନିଜ ଜୀବନରେ। କବିଙ୍କୁ ମାତ୍ର ୪୧ବର୍ଷ ହୋଇଥିଲା ବେଳେ ପତ୍ନୀ ମୃଣାଳିନୀ ଦେବୀ ଚାଲିଗଲେ। ସେତେବେଳକୁ କବିଙ୍କର ତିନୋଟି ଝିଅ ଓ ଦୁଇଟି ପୁଅ। ଦୁଇ ପୁଅ ହେଲେ ରଥୀନ୍ଦ୍ରନାଥ, ଶମୀନ୍ଦ୍ରନାଥ ଓ ତିନି ଝିଅ ହେଲେ ବେଳା, ରାଣୀ ଓ ଅତସୀ।

ପତ୍ନୀଙ୍କ ଯିବା ପରେ ପରେ ଅସୁସ୍ଥ ହୋଇ ମରିଗଲେ ରାଣୀ। ତାପରେ ହଇଜାରେ ମରିଗଲେ ଛୋଟପୁଅ ଶମୀ।
ପୁତ୍ର ଶୋକରେ କବି ଲେଖିଥିଲେ –

“ଆଜ୍ ଜ୍ୟୋତ୍ସ୍ନା ରାତେ ସବାଇ ଗେଛେ ବନେ”

କବିଙ୍କର ମନେହେଲା ଏଇ ଜ୍ୟୋତ୍ସ୍ନାର କବି ବନକୁ ଗଲେ ହେବ ନାହିଁ। ବର ତାଙ୍କୁ ଜାଗ୍ରତ ରହିବାକୁ ହେବ। ଯଦି ବାବାର କଥା ମନେ ପଡ଼ିଯିବ ଶମୀର ! ସେତେବେଳେ ଯଦି ସେ କବିଙ୍କୁ ନ ପାଏ, ତେବେ କଣ ହେବ? ସେଥିପାଇଁ କବି ଲେଖିଥିଲେ,

“ଆମାରେ ଯେ ଜାଗତେ ହବେ
କି ଜାନି ସେ ଆସବେ କବେ
ଯଦି ଆମାୟ ପଡେ ତାହାର ମନେ!“

ରବିନ୍ଦ୍ରନାଥ ଝିଅ ରାଣୀର ବରକୁ ବିଲାତ ପଠେଇଥିଲେ ଡାକ୍ତରୀ ପଢ଼ିବା ପାଇଁ । ହେଲେ ପାଠ ନ ପଢ଼ି ସେ ଫେରି ଆସିଲେ।
ବଡ଼ ଝିଅ ବେଳାର ସ୍ବାମୀଙ୍କୁ ବିଲାତ ପଠେଇଥିଲେ ବାରିଷ୍ଟରୀ ପଢ଼ିବା ପାଇଁ । ସେ ଵି ପାଠ ନପଢ଼ି ଫେରି ଆସିଲେ। ଛୋଟଝିଅ ଅତସୀର ସ୍ବାମୀକୁ ଵି ରବୀନ୍ଦ୍ରନାଥ ଆମେରିକା ପଠେଇଥିଲେ କୃଷିବିଦ୍ୟା ଉପରେ ଗବେଷଣା କରିବା ପାଇଁ। ସେ ଲୋଭୀ ଜ୍ବାଇଁ କବିଙ୍କୁ ବାରମ୍ବାର ଚିଠି ଲେଖୁଥିଲେ ଟଙ୍କା ପଠେଇବା ପାଇଁ। କବି ଲେଖିଛନ୍ତି, “ଜମିଦାରୀ ଥେକେ ଯେ ଟାକା ପାଇ, ସବଟାଇ ତୋମାକେ ପାଠାଇ।”
ଦେଶକୁ ଫେରିବାର କିଛିଦିନ ପରେ ଛୋଟଝିଅ ଅତସୀ ବି ମରିଗଲା।

ସବୁଠାରୁ କଷ୍ଟ ମୃତ୍ୟୁ ହେଲା ବଡ଼ଝିଅର। ବଡ଼ ଜ୍ବାଇଁ ବିଲାତରୁ ଫେରିବା ପରେ ଛୋଟ ଜ୍ବାଇଁ ସହ ଝଗଡା ଲାଗି ସେ ଦୁହେଁ ଘର ଛାଡ଼ି ଚାଲି ଯାଆନ୍ତି। ତାପରେ ଝିଅ ବେଳା ଅସୁସ୍ଥ ହୋଇ ପଡ଼ନ୍ତି। ଅସୁସ୍ଥ ଝିଅକୁ ଦେଖିବାକୁ କବି ପ୍ରତିଦିନ ଗାଡ଼ି କରି ଝିଅର ଘରକୁ ଯାଆନ୍ତି। ସେତେବେଳେ ବଡ଼ ଜ୍ବାଇଁ କବିଙ୍କୁ ଯେତେ ପ୍ରକାର ଅପମାନ କରନ୍ତି। କବିଙ୍କ ଆଗରେ ଟେବୁଲ୍ ଉପରକୁ ଗୋଡ଼ ଟେକି ରଖି ସିଗାରେଟ୍ ଟାଣନ୍ତି। ତଥାପି କବି ପ୍ରତିଦିନ ଯାଆନ୍ତି ଝିଅକୁ ଦେଖିବାକୁ। ଦିନେ କବି ଝିଅ ଘରକୁ ଯାଉଥିବା ବଜଳେ ବାଟରେ ଶୁଣିଲେ, ବେଳା ମରିଗଲା। କବି ଶେଷଦେଖା କରିବାକୁ ଝିଅ ଘରକୁ ଆଉ ଗଲେ ନାହିଁ। ମଝି ରାସ୍ତାରୁ ହିଁ ଫେରି ଆସିଲେ। ତାଙ୍କର ଲିଖିତ ହୈମନ୍ତୀର ଗଳ୍ପ ସତେ ଯେମିତି କବିଙ୍କ ଝିଅ ପାଇଁ ଲେଖା।

ଶୋକ କେତେ ଗଭୀର ହେଲେ କବିର କଲମ ଦେଇ ବାହାରିଯାଏ-

“ଆରେ ଦୁଃଖ ଆରେ ମୃତ୍ୟୁ ବିରହ ଦହନ ଲାଗେ,
ତବୁ ଓ ଶାନ୍ତି, ତବୁ ଆନନ୍ଦ, ତବୁ ଅନ୍ତ ଜାଗେ।”

କବିଙ୍କ ମୃତ୍ୟୁ ହେଲା, ଅତି କଷ୍ଟରେ, ପରିଶ୍ରା ପ୍ରଦାହରେ। ସେତେବେଳେ ରବୀନ୍ଦ୍ରନାଥଙ୍କ ବଡ଼ପୁଅ ରଥୀନ୍ଦ୍ରନାଥ ତାଙ୍କ ପାଖରେ ନଥିଲେ। କବିଙ୍କ ଶେଷ ବିଦାୟ ବେଳେ ପାଖରେ ଥିଲେ କେବଳ ଜଣେ ସମ୍ପର୍କୀୟ ନାତୁଣୀ।

କବି ଜମିଦାର ଥିଲେ, ଏକଥା ସମସ୍ତେ ଜାଣନ୍ତି। କବିଙ୍କ ଦୁଃଖଦ ଏଇ ଜୀବନର କଥା କେତେଜଣ ବା ଜାଣନ୍ତି ? ପ୍ରଥମ ଯୌବନରେ ଯେଉଁ ଗୀତ ଲେଖିଥିଲେ, ତାହା ହିଁ ଯେମିତି କବିଙ୍କ ଜୀବନରେ ସତ ହୋଇଗଲା। ଗୀତଟି ହେଲା-

“ଆମିଇ ଶୁଧୁ ରଇନୁ ବାକି
ଯା ଛିଲ ତା ଗେଲ ଚଲେ, ରଇଲ ଯା ତା କେବଳ ଫାଙ୍କି।”

ହୁଏତ ସେଇ ଫାଙ୍କି ବା ଶୂନ୍ୟତା ହିଁ ଜୀବନ।

About Dr. Sarat Kumar Jena

Dr. Sarat Kumar Jena is a writer, researcher and from Odisha. Currently he is working as a professor at Biswabharati University, Kolkata.

View all posts by Dr. Sarat Kumar Jena →