ଆଉ ଦିନେ ଦି ଭାଇ ବସି କଥା ହେଉଥାନ୍ତି କୁଟୁକୁଟା ପଚାରିଲା ତୁ ମତେ ଦେଖି ପାରୁଚୁ ? ଛେଚାକୁଟା କହିଲା- ନା । କୁଟୁକୁଟା ରାଗିଯାଇ ପଚାରିଲା ତୁ ମତେ ଦେଖିପାରୁନୁ ? ଛେଚାକୁଟା କହିଲା- ନାରେ ଭାଈ । ମତେ ଖାଲି ଆଲୁଅ ଦିଶୁଚି , ତୁ ଯମାରୁ ଦିଶୁନୁ । କୁଟୁକୁଟା ମନେମନେ କିଛି ଗୁଣୁଗୁଣେଇଲା । ତା ପରେ କହିଲା- ହେଇଥିବ । ହଉ । କିଛି ସମୟ ଦି ଭାଇ ଚୁପ ହେଇ ବସି ରହିଲେ । ତାପରେ ଛେଚାକୁଟା ପଚାରିଲା- ଭାଇ, ତୁ ସେଦିନ କହିଲୁ ସବୁ ଜିନିଷ ଥାଇ ବି ନାହିଁ । ନଥାଇ ବି ଅଛି । ଏଇଟା କି ପାଠ କିରେ ?
କୁଟୁକୁଟା କହିଲା- ଜ୍ୟାମିତି । ଛେଚାକୁଟା ପଚାରିଲା- କେମିତି ? ସେଇଠୁ କୁଟୁକୁଟା କହିଲା- ଜ୍ୟାମିତି କହୁଛି ସବୁ କିଛି ଆଟମରୁ ତିଆରି । କୋଉଥିରୁ – ଆଡମ୍ରୁ ? ପ୍ରଶ୍ନିଳ ଆଖିରେ ପଚାରିଲା ଛେଚାକୁଟା । କୁଟୁକୁଟା କହିଲା ନା ବେ ଆଡମ୍ ନୁହେଁ , ଆଟମ୍ । ସେଇଟା କଣକିରେ ଭାଇ ? ପ୍ରଶ୍ନ କଲା ଛେଚାକୁଟା । କୁଟୁକୁଟା ଗୁଣୁଗୁଣୁ ହେଇ କହିଲା- ଗୁଲୁଗୁଲା … ନା ସେଟା ଅତି ବଡ ହେଇଯିବ । କୋଳି… ମିଞ୍ଜିମିଞ୍ଜି ମେଞ୍ଚଡ କୋଳି ଦେଖିଚୁ , ସେମିତି । ହେଲେ ଶୁଣୁ ବାପଧନ , ସେ କୋଳି କେବେ ଦେଖାଯିବନି । ସେଇମିତି ଅଦେଖା କୋଳି ହେଉଚି ଆଟମ୍ । ବୁଝିଲୁ ? ଛେଚାକୁଟା ଏଥର ପ୍ରଶ୍ନ କଲା- ଆରେ ଭାଇ, ସେ ଅଦେଖା କୋଳି କଣ ତତେ ଦିଶୁଚିକିରେ ? ସାନ ଭାଇର ପ୍ରଶ୍ନ ଶୁଣି ବଡ ଭାଇ କହିଲା- ତୁ ଯଦି ଆଉ କିଛି ନପଚାରୁ ତେବେ ମୁଁ ତତେ ସତ କଥା କହିଦେବି । ତାପରେ ଟିକେ ରହି କହିଲା – ସତ କହୁଚିରେ ଛେଚାକୁଟା , ସେ ଅଦୃଶ୍ୟ କୋଳି ଆଟମ୍ ମତେ ନ ଦୁଶି ବି ଦିଶୁଚି । ସେଇ ଆଟମ ହେଉଚି ବୋପା । ତା ପେଟ ଭିତରେ ପୁଣି ରହିଛି- ଇଲେକଟ୍ରୋନ୍ , ପ୍ରୋଟନ ଆଉ ନ୍ୟୁଟ୍ରନ୍ । ସେଗୁଡାକ ବି ଛୋଟ ଛୋଟ କୋଳି । ଆଟମ୍ର ପେଟ ଭିରେ ସେଗୁଡା ଘୁରୁଛନ୍ତିରେ ବାପଧନ । ବୁଝି ନପାରିଲେ ବି ତୁ ବୁଝିପକା । ବୁଝିଲୁ ।
ଦିନେ ରାତିରେ ଦୁଇ ଭାଈ ଶୋଇଛନ୍ତି । ବଡ ଭାଈ କୁଟୁକୁଟାର ସ୍ୱପ୍ନ ଦେଖାଚାଲିଥାଏ । ତା ଭାଗର ସ୍ୱପ୍ନ ସରି ନଥାଏ । ଏତିକି ବେଳେ ସେ କହି ଉଠିଲା- ଆରେ ହେ ଛେଚାକୁଟା । ଆଜି ମୋର କିଆଁ ସ୍ୱପ୍ନ ଦେଖିବାକୁ ମନ ହେଉନିରେ । ନେଲୁ ନେଲୁ, ମୁଁ ଚଉଠେ ସ୍ୱପ୍ନ ଦେଖିସାରିଲିଣି । ବାକି ତିନି ଭାଗ ସ୍ୱପ୍ନ ତୁ ଦେଖିନେ । ଛେଚାକୁଟା କୁନ୍ଥେଇ କାନ୍ଥେଇ କହିଲା- ହଉ ଦେ ।
ବଡ ଭାଇଠୁ ସ୍ୱପ୍ନ ନେଇ ସାନ ଭାଇ ଛେଚାକୁଟା ସ୍ୱପ୍ନ ଦେଖିବା ଆରମ୍ଭ କରିଦେଲା । ଛେଚାକୁଟାର ସ୍ୱପ୍ନ ଜାରି ରହିଥାଏ । ସେ ସ୍ୱପ୍ନ ଦେଖିଚାଲିଥାଏ । ସ୍ୱପ୍ନରେ ସେ ନିଜକୁ ଦେଖୁଥାଏ । ସେ ପାହାଡରୁ ଓହ୍ଲେଇ ଗୋଟେ ପଡିଆରେ ଘୁରିବୁଲୁଛି । ତା ଆଗରେ ଗୋଟେ ବିରାଟ ଗଛ । ଗଛର ଉଚ୍ଚତା ୫୦୩ ଫୁଟ । ସିଧା ହେଇ ଉପରକୁ ଉଠି ଯାଇଛି । ଛେଚାକୁଟାର ଭାରି ଇଚ୍ଛା ହେଲା ଗଛ ଉପରକୁ ଚଢିଯିବା ପାଇଁ । ସେ ଶୋଇ ରହି ଦି ଥର କଡ ମୋଡି ହେଲା । ହେଲେ ସେ ସ୍ୱପ୍ନରେ ଗଛ ଉପରକୁ ଚଢି ପାରୁନଥାଏ । ସେଇଠୁ ସେ ସେମିତି ଶୋଇରହି ପାଟି କରିଉଠିଲା । ରହ ରହ । ତାର ଏମିତି ପାଟି କରିବା ଫଳରେ ସେଇଠି ସ୍ୱପ୍ନଟା ଅଟକି ରହିଗଲା । ସେ ସ୍ୱପ୍ନ ବେକରେ ଦଉଡି ବାନ୍ଧି ତାକୁ ଗଛର ଗଣ୍ଡି ଦେହରେ ବାନ୍ଧି ଦେଲା । ତା ପରେ ସେ ଆରମରେ ଗଛ ଉପରକୁ ଚଢିଗଲା । ସେ ପୁରା ଗଛର ଅଗରେ ପହଞ୍ଚିଗଲା । ସେଇଠି ରହି ଚାରି ଆଡକୁ ଚାହିଁଲା । ତାକୁ ଭାରି ଭଲ ଲାଗୁଥାଏ । ତାର ବହୁତ ତଳେ ବାଦଲ ଯାଉଥିବାର ସେ ଦେଖିଲା । ଏପରିକି ଜହ୍ନ ମଧ୍ୟ ତା ତଳେ ଥିବାର ସେ ଦେଖିଲା । ତାକୁ ଏସବୁ ଦେଖି ଖୁବ ଭଲ ଲାଗୁଥାଏ । ତାକୁ ଏସବୁ ଏତେ ଭଲ ଲାଗୁଥାଏ ଯେ ସେ ଗଛରୁ ଓହ୍ଲାବାକୁ ମନକଲାନାହିଁ । ଇତିମଧ୍ୟରେ ୭ ଦିନ ବିତି ଗଲାଣି । ଏଥର ସେ ଓହ୍ଲାଇବାକୁ ମନ କଲା । ସେଇଠୁ ରହି ଡାକ ଛାଡିଲା ହେ ମୋ ବାକିଆ ସ୍ୱପ୍ନ , ଧାଇଁ ଆରେ ଧାଇଁ ଆ । ସେ ଅନେକ ସମୟ ଧରି ସେମିତି ସ୍ୱପ୍ନକୁ ଡାକିବାରେ ଲାଗିଲା । ହେଲେ ତା ସ୍ୱପ୍ନ ଯମା ଆସିଲା ନାହିଁ । ସ୍ୱପ୍ନ ନ ଆସିବାରୁ ସେ ଗଛରୁ ବି ଓହ୍ଲେଇ ପାରିଲା ନାହିଁ ।
ସେପଟେ ୭ ଦିନ ପରେ ଦିନେ ରାତିରେ ବୁଢା ଲୋଚାକୋଚା ଶୋଇ ରହି ନିଦରେ କହି ଉଠିଲା- ଆରେ ପୁଅ କୁଟୁକୁଟା । ଆରେ ସେ ଛେଚାକୁଟାଟା କୁଆଡେ ଯାଇଚିକିରେ ? ୭ ଦିନ ହେଲା କାଇଁ ରାତିରେ ସେ ତ ଆଉ ସପନ ଦେଖୁନି ? ବୁଢା ଏଇମିତି ଦିଚାରି ଥର ପଚାରିଲା । ହେଲେ କୁଟୁକୁଟା କିଛି କହିଲାନି । ବୁଢା ବୁଝିଗଲା କିଛି ଗୋଟାଏ ଝାମେଲା ଅଛି । ସେପଟେ ଛେଚାକୁଟା ଗଛରେ ରହି ରହି ବିରକ୍ତ ହେଇଗଲା । ତାକୁ ଭୟ ଲାଗିଲା । ଭୟରେ ସେ ଚିଲ୍ଲେଇଲା । ବାପା ଲୋ…ବାପା… ରକ୍ଷା କରଲୋ ବାପା – କହି ସେ ଚିତ୍କାର କଲା । ବୁଢା ଲୋଚାକୋଚାର କାନରେ ଛେଚାକୁଟାର ଡାକ ଯାଇ ଛେଚି ହେଲା । ଆକାଶର ଛାତି ଫଟେଇ କିଏ ଗୋଟେ ତାକୁ ଡାକ ଛାଡୁଚି ବୋଲି ସେ ଜାଣିଲା । କିଏ ତାକୁ ଡାକୁଚି ବୋଲି ବୁଢା ଲୋଚାକୋଚା ନିଦରେ ଦେଖିବାକୁ ଚେଷ୍ଟା କଲା । ତାକୁ କିଛି ଦିଶିଲାନି । ତା ପରେ ସେ ନିଦରେ ନିଜର ଚଷମା ପିନ୍ଧିପକେଇଲା । ତାକୁ ଏଥର ଜାଲୁ ଜାଲୁ ହେଇ କିଛି ଦିଶିଲା । ହେଲେ ସେ କଣ ଦେଖୁଛି କିଛି ବୁଝି ପାରିଲାନି । ତାପରେ ସେ ସାକୁଳେଇ ହେଇ ବଡ ପୁଅ କୁଟୁକୁଟାକୁ ପଚାରିଲା – ଆରେ ପୁଅ , ତୁ ବୈଜ୍ଞାନିକ ହେବୁ ବୋଲି ତୋର ଅଧା ଆୟୁଷ , ୧୧ ଟଙ୍କା ଆଠେଣା, କିଲେ ଦହି, ଦିଟା କୁକୁଡା ଅଣ୍ଡା , ତୋର ୨ଟା ଚିରା କାମିଜି ଓ ଗୋଟେ ଝାଡୁ ଦେଇ ଯୋଉ ଦୁରବିନ୍ ଆଣି ନଥିଲୁ , ମୋତେ ଟିକେ ଦିଅନ୍ତୁନି । ବାପା କଥା ଶୁଣି କୁଟୁକୁଟା ଚିହିଁକି ଉଠିଲା । ଖେଁ ଖେଁ ଖିଙ୍କାରୀ ହେଇ କହିଲା – ବାପା, ସେଟା ଦୁରବିନ୍ ନୁହେଁରେ ବାପା । ସେମିତି କହିଲେ ତାର ପ୍ରେସଟିଜ ହାମ୍ପର ହେଇଯିବ । ଟିକେ ଅଧିକ ସମ୍ମାନ ଲୋଡା ପଡୁଚି । ତା ହେଲେ ଯାଇ ତାର ଗମ୍ଭୀରତା ବଜାୟ ରହିବ ଓ ସେ ଠିକ୍ରେ କାମ କରିବ । ଦୁରବିନ୍ ବଦଳରେ ଦୂରବୀକ୍ଷଣ ଯନ୍ତ୍ର କହ ବାପା । ପୁଅ କୁଟୁକୁଟା କଥା ଶୁଣି ବୁଢା ଲୋଚାକୋଚା ଖୁଁ ଖୁଁ କାଶି ପ୍ରଶ୍ନକଲା- କଣ କହିଲୁ- ଦୂର ବିଚକ୍ଷଣ ମନ୍ତ୍ର । ବୁଢା କଥାରେ କୁଟୁକୁଟା କହିଲା- ତନ୍ତ୍ର, ମନ୍ତ୍ର ନୁହେଁରେ ବାପା…ଯନ୍ତ୍ର । ତା କଥା ଶୁଣି ବୁଢା କହିଲା- ହଉ ହଉ , ତୋର ସେଇଟା ଦେଲୁ । ମୁଁ ଟିକେ ଦେଖେ କିଏ ଡାକ ଛାଡୁଛି । ବାପା କଥାରେ କୁଟୁକୁଟା କହିଲା- ବାପା ସେଇଟା ପରା ତମ ତକିଆ ତଳେ ଅଛି । ପୁଅ କଥା ଶୁଣି ବୁଢା ସେମିତି ନିଦରେ ଦରାଣ୍ଡି ଦରାଣ୍ଡି ତକିଆ ତଳୁ ୧୧ ମିଟର ଲମ୍ୱ ଦୂରବୀକ୍ଷଣ ଯନ୍ତ୍ରକୁ କାଢି ଆଣି ଆଖି ଆଗରେ ଧରି ରଖିଲା । ହେଲେ ସେ ନିଜର ଆଖି ଖୋଲିଲାନି । ଏଥର ତାକୁ ସବୁ କିଛି ପରିଷ୍କାର ଦେଖା ଗଲା । ବୁଢା ଦେଖିଲା- ୫୦୩ ଫୁଟ ଗଛ ଉପରେ ଛେଚାକୁଟା ଓହଳି ରହି ବାପା ବାପା ବୋଲି ଡାକ ଛାଡିବାରେ ଲାଗିଛି । ଯେମିତି ଛୋଚାକୁଟାକୁ ଦେଖି ଦେଇଛି ବୁଢା ରଡି ଛାଡିବା ଆରମ୍ଭ କରିଦେଲା । ରହରେ ପୁଅ । ରହ । ମୁଁ କଣ ଗୋଟେ ବ୍ୟବସ୍ଥା କରୁଚି । ଯମା ଡରିବୁନିରେ ପୁଅ । ତାପରେ ବୁଢା କେଇ ଘଡି ଚୁପ ରହି କଣ ସବୁ ଭାବି ହେଲା । କିଛି ସମୟ ପରେ ବୁଢା ପଚାରିଲା- ହଇରେ ସାନ । ତୋ ବାଟ ଦେଇ କଣ କିଛି ଯାନବାହନ ଯିବା ଆସିବା କରୁନିକିରେ ? ଟିକେ ଲିଫ୍ଟ ମାଗିକି ପଳେଇ ଆଉନୁ ?ବାପା କଥା ଶୁଣି ଛେଚାକୁଟା କହିଲା- ସାତ ଦିନରେ ଯମାରୁ ଦେଢଟା ଯାନ ଯାଇଛିରେ ବାପା । ଚେନ ଖସି ଯାଇଥିବା ସାଇକେଲ ଧରି ହାତୀଟେ ଦିନେ ଯାଇଥିଲା । ତାକୁ କଣ ଲିଫ୍ଟ ମାଗିଥାନ୍ତି କହିଲୁ । ନିଜକୁ ନାଜ ମାଡିଲା । ଗୋଟେ କାରରେ ଧଳା ଘୋଡିଟେ ଯାଉଥିଲା ଯେ …ଛାଡ ସେ କଥା । ନାଜ ମାଡିବ କହିଲେ ।
କିରେ ତତେ ଜହ୍ନ ଦେଖା ଯାଉଚି ନା ନାହିଁ । ପଚାରିଲା ବୁଢା ଲୋଚାକୋଚା ।
ଦିଶୁଚି ଯେ । ସେଟା ପରା ଅନେକ ତଳେ ଅଛି । ଉତ୍ତର ଦେଲା ଛେଚାକୁଟା ।
ତୁ ଆଗ ତା ଦେହକୁ ଡେଇଁ ପଡୁନୁ । କହିଲା ବୁଢା ଲୋଚାକୋଚା ।
ଡେଇଁ ପଡନ୍ତି ଯେ ଯଦି ତାର ବାଲାନସ୍ ବିଗିଡି ଯାଏ ?ମୁଁ ଦୁଲ୍ କିନା ଡେଇଁଲେ ତାର ମାଧ୍ୟାକର୍ଷଣ ଶକ୍ତି ଯଦି ଟିକେ ଏପଟ ସେପଟ ହେଇଯାଏନା ତାହେଲେ କଥା ସରିଲା । ତା ହେଲେ କଣ ହେବ କହୁନ ? ଯଦି ମୁଁ ଡେଇଁବା ଫଳରେ ସେଟା ଭୁଇଁରେ ଛେଚି ହେଇ ଦି ଫାଳ ହେଇଯାଏ ତାହେଲେ କଣ ହେବ ଜାଣିଚଟି? ପ୍ରଶ୍ନ କଲା ଛେଚାକୁଟା ।
କଣ ହେବ କହୁନୁ । କହିଲା ବୁଢା ଲୋଚାକୋଚା ।
ଏଥର ଛେଚାକୁଟା କହିଲା- ରାତିରେ ମଶା ଖାଇ ଯିବେ ବାପା ।
ମାନେ ? ଆଶ୍ଚର୍ଯ୍ୟ ହେଇ ପଚାରିଲା ବୁଢା ଲୋଚାକୋଚା ।
ସେଇଠୁ ଛେଚାକୁଟା କହିଲା- ଧରିନିଅ ମୁଁ ଦୁଲ୍ କିନା ଡେଇଁଲି । ଆଉ ସେଟା ଭୂଇଁରେ ଛେଚି ହେଇ ଫାଟିଗଲା । ତେବେ ରାତିରେ ଯୋଉ ଆଲୁଅ ମିଳୁଚି ଆଉ ମିଳିବଟି ? ଚାରି ଆଡ ଅନ୍ଧାର ହେଇ ଯିବନି । ଅନ୍ଧାରରେ ମଶା ଗୁଡା ଆଉ ରଖେଇ ଦେବେ । ଟେକି ନେଇଯିବେନି ? ସେପଟେ ତାରାଗୁଡାଙ୍କର କଣ ହେବ କହିଲ ? ସେମାନେ ଅନ୍ଧାରରେ ପରସ୍ପର ଦେହରେ ଛେଚିକୁଟି ହେଇଯିବେନି ? ୟା ସାଙ୍ଗକୁ ଆହୁରି ଗୋଟେ ଭୟ ଅଛି । ଯଦି ମୁଁ ଡେଇଁ ପଡିଲା ପରେ ଜହ୍ନ ଟିକେ ବାଁକୁ କିମ୍ୱା ଡାହାଣକୁ ହଟି ଯାଏ ମୋର କି ଅବସ୍ଥା ହେବ କହିଲ ? ମୁଁ ଭୂଇଁରେ ପଡି ପୁରା ଫାଟି ଯିବିନି !
ଛେଚାକୁଟା କଥା ଶୁଣି ବୁଢା ଲୋଚାକୋଚା କହିଲା – ଥାଉରେ ପୁଅ ଥାଉ । ଆମର ସେ ଡେଇଁବା ଦରକାର ନାହିଁ । ଆଉ କଣ ଗୋଟାଏ ବାଟ କରିବା ।
ବୁଢା ଲୋଚାକୋଚା ଶୋଇ ଶୋଇ ଉପାୟ ଚିନ୍ତା କରୁଚି ଦେଖିଲା କଙ୍କିଟିଏ ପୁଅ ପାଖା ଦେଇ ଉଡିଯାଉଚି । ସେଇଠୁ ବୁଢା ଡାକ ଛାଡିଲା । ହଇରେ ହେ କଙ୍କି ପୁଅ । ଦେଖେ ଦେଖେ । ଗଛ ଅଗରେ ମୋ ପୁଅଟା ଅଟକି ରହିଚି । ତାକୁ ଟିକେ ତଳକୁ ନେଇ ଆସନ୍ତୁନି । ବୁଢା ଡାକ ଶୁଣି କଙ୍କି ଚାରିଆଡେ ଆଖି ବୁଲେଇ ଅନେଇଲା । ଗଛରେ ଲଟକି ରହିଥିବା ଛେଚାକୁଟାକୁ ଦେଖି ଦେଇ ବୁଢା ଆଡକୁ ଚାହିଁ କହିଲା- ହଉ, ତମେ ବୁଢା ଲୋକ , ନେହୁରା ହେଇ କହୁଚ ଯଦି ମୁଁ ତମ ପୁଅକୁ ତଳକୁ ନେଇ ଆସୁଚି । ଏତିକି କହି ସେ ଛେଚାକୁଟାକୁ କହିଲା- ଆରେ ଛେଚାକୁଟା , ଆ ମୋ ପିଠିରେ ଚଢି ବସିଯା । ମୁଁ ତତେ ତଳେ ନେଇ ଛାଡିଦେଇଆସେ । ସେଇଠୁ ଛେଚାକୁଟା ତୁରନ୍ତ କଙ୍କି ପିଠିରେ ଚଢି ବସିଗଲା । ଆଉ ସାଏଁ କରି କଙ୍କି ଛେଟାକୁଟାକୁ ତଳେ ଆଣି ଛାଡି ଦେଲା । ଛେଚାକୁଟା ଘରେ ପହଞ୍ଚି ଆଗ ଭଳି ନିଜ ଖଟ ଉପରେ ନିଘୋଡ ନିଦରେ ଶୋଇ ପଡି ସପନ ଦେଖିବା ଆରମ୍ଭ କରିଦେଲା । ଆଜିର ସ୍ୱପ୍ନରେ ଛେଟାକୁଟା ସେଦିନ ସ୍ୱପ୍ନ ବେକରେ ବାନ୍ଧିଥିବା ପଘାକୁ ଫିଟେଇ ଦେଇ ଘୁଙ୍ଗୁଡି ମାରିବାକୁ ଲାଗିଲା ।
ରାତି ପାହି ସକାଳ ହେଲା । ସବୁ ଥର ଭଳି ଦୁଇ ଭାଈ ସକାଳେ ବସି ଗପ କରୁଥାନ୍ତି । ଏଇ ସମୟରେ ବୁଢା ଲୋଚାକୋଚା ଆସି କହିଲା- ଆସରେ ପିଲେ ନ୍ୟାୟ କରିବା । ଏହା କହି ସେ ପୁଅଙ୍କ ପାଖରେ ବସିପଡିଲା । ବୁଢା କୁଟୁକୁଟା ଆଡେ ଚାହିଁ କହିଲା- ଦେଖେ, ତୁ ସେଦିନ ତୋ ଭାଗର ସ୍ୱପ୍ନକୁ ପୁରା ଦେଖିଲୁନି । ଫଳରେ ଛେଚାକୁଟାଟା ସାତ ଦିନ ଧରି ଗଛରେ ଝୁଲି ରହିଲା । ତେଣୁ ମୁଁ ତତେ ଦଣ୍ଡ ଦେଉଚି । ଆଜିଠୁ ତତେ ମୁଁ ସାନ କରି ଦେଉଚି ଆଉ ତାକୁ ବଡ । ତୋ ବୟସରୁ ମୁଁ ୧୨ ବର୍ଷ ୪ ଗଉଣି ସମୟ କାଢି ନେଉଚି । ଆଉ ସେତକ ଛେଚାକୁଟାକୁ ଦେଉଚି । ଫଳରେ ଆଜିଠୁ ତୁ ହେବୁ ସାନ ଭାଈ । ଆଉ ଛେଚାକୁଟା ହେବ ବଡ ଭାଈ । କୁଟୁକୁଟା କିଛି କହିବାକୁ ଯାଉଥିଲା ବୁଢା ଲୋଚାକୋଚା କହି ଉଠିଲା- ହେଲେ ତୋର ସେଇ ବିଚକ୍ଷଣ ଯନ୍ତ୍ରଟା ତୋର ହେଇ ରହିବ । ଫଳରେ ତୁ ଯାହା ଏଯାଏଁ ଚଉଠେ ବୈଜ୍ଞାନିକ ହେଇ ସାରିଚୁ ସେଟାକୁ ତୁ ପୁରା କରିପାରିବୁ । ମୁଁ ଚାହେଁ ତୁ ପୁରା ବୈଜ୍ଞାନିକଟେ ନହେଲେ ନାଇଁ ଅତି କମରେ ଫାଳେ ବୈଜ୍ଞାନିକଟେ ହେବା ଚାହି । ଆଉ ହଁ, ଛେଚାକୁଟା ଶୁଣୁ, ତତେ ତ ଏତେଗୁଡେ ବୟସ ଦେଲି । ତେଣୁ ତୋର ବି ପେଟଟା ଜଲଦି ବଢିଯିବା ଦରକାର । କଣ ବୁଝିଲୁ ।
ଆଜି ବି ଦୁଇ ଭାଈ ଫାଳେ ଫାଳେ ସ୍ୱପ୍ନ ଦେଖୁଛନ୍ତି । ଦିହିଙ୍କ ସ୍ୱପ୍ନ ଉପରେ ବୁଢା ଲୋଚାକୋଚା ନଜର ରଖିଛି ।
ୟା ଭିତରେ ବହୁତ କିଛି ବଦଳିଛି । ହେଲେ ବଦଳିନି ଦୁଇଟା କଥା । କୁଟୁକୁଟା ଏ ଯାଏଁ ଚଉଠେ ବୈଜ୍ଞାନିକ ହେଇ ରହିଛି । ଆଗକୁ ବଢି ପାରିନି । ସେପଟେ ଛେଚାକୁଟାର ପେଟଟା ଆଦୌ ବଢିନି । ଦୁଇ ପୁଅଙ୍କୁ ଦେଖି ଦେଖି ନିଦରେ ଦିନେ ଦିନେ ବୁଢା କହିଉଠେ – ହେବରେ ହବ । ଦିନେ ନା ଦିନେ ସବୁ କଥା ହେଇଯିବ । ଆଉଟିକେ ଧୈର୍ଯ୍ୟ ଧର । ତାପରେ ସେ ଶୋଇଯାଏ ଓ ଦୁଇ ପୁଅଙ୍କ ସ୍ୱପ୍ନ ଉପରେ ନଜର ରଖିବା ଜାରି ରଖେ ।