ସିକ୍ରେଟ୍ ଡିଜାୟାର୍ସ

ସନ୍ଧ୍ୟାବେଳୁ ବର୍ଷାଟା ଲାଗି ରହିଛି। ମଝିରେ ମଝିରେ ଅଟକି ଯାଇ, ପୁଣି ବହେ ଗାଳି ପକାଉଛି। ଡିନର୍ ପରେ ଯେତେ ଚେଷ୍ଟା କଲେ ବି ଘଡ଼ଘଡି ଆଉ ଛାତ ଉପରୁ ବର୍ଷାର ଛପର ଛପର ଶବ୍ଦରେ ବିଲକୁଲ୍ ନିଦ ହେଉନି। ଚାଦର ମୁହଁ ଯାଏଁ ଟାଣି ଆଣି, ଜୋରରେ ଆଖିପତା ଚାପିଲେବି, ଆଜି ଯେମିତି ନିଦ ମୋ’ ଠିକଣା ଭୁଲି ଯାଇଛି। ଓ୍ବେବ୍ ସିରିଜ୍ ଦେଖୁ ଦେଖୁ ଶୋଇଯିବି ଭାବିଲି, ହେଲେ ଦୁଇ- ଚାରିଟାରୁ ଟିକେ-ଅଧେ ଦେଖିଲା ପରେ ବିରକ୍ତ ଲାଗିଲା। ଖାଲି ଅପହରଣ, ଅପରାଧ, ସେକ୍ସ, ସ୍କାଣ୍ଡାଲ୍, ମର୍ଡର- ମିଷ୍ଟ୍ରି ଆଉ କଥା କଥାକେ ଅଶ୍ରାବ୍ୟ ଶବ୍ଦ। ସତରେ କ’ଣ ଆମେ ଘରେ କି ବନ୍ଧୁ ଗହଣରେ ପ୍ରତି ବାକ୍ୟରେ ‘ଫକ୍’ ନକହିଲେ ଭାବ ବୁଝି ହୁଏନି ନା’ କଥା ଆଗକୁ ବଢେନି? ବିରକ୍ତ ହୋଇ ବନ୍ଦ କରିଦେଲି। କ’ଣ ଗୋଟେ ଡବି° ପିକ୍ଚର ଦେଖିବି ଭାବିଲି, ସିଏ ବି ଅଳ୍ପ ସମୟ ପରେ ବିରକ୍ତ ଲାଗିଲା। ଚାଦର ଫୋପାଡ଼ି ଦେଇ ଆସି ଝରକା ପାଖରେ ଠିଆ ହେଲି। ବର୍ଷା ପବନରେ ବାଲକୋନୀ ସାରା ଛିଣ୍ଡା ପତ୍ର ଆଉ ଝଡା ଫୁଲ। ସାମନା ରାସ୍ତା କଡରେ ଧାରେ ପାଣିର ସୁଅ – ଛୁଟି ଯାଇଛି ପାଖ ଡ୍ରେନ୍ ଭିତରକୁ। ରେନ୍-କୋଟ୍ ପିନ୍ଧା ବାଇକ୍ ଆରୋହୀ ଜଣେ ବର୍ଷା ଅନ୍ଧାରକୁ ହର୍ଣ୍ଣରେ ଚିରି, ଛୁଟି ଚାଲି ଗଲା। ଷ୍ଟ୍ରିଟ୍ ଲାଇଟ୍ ପଡି ରେନ୍-କୋଟ୍ ପଛରେ ସିଲଭର୍ କଲରରେ କମ୍ପାନୀ ନାଁଟା ଉଜ୍ଜ୍ୱଳ ଦେଖାଗଲେବି ପଢି ହେଲାନି। ଷ୍ଟ୍ରିଟ୍ ଲାଇଟ୍ ଆଲୁଅରେ ବର୍ଷା ବୁନ୍ଦା ଗୁଡା ଅଭ୍ର ଗୁଣ୍ଡ ପରି ଚିକ୍ ଚିକ୍ କରି ତଳକୁ ଖସି ପଡୁ ଥାଆନ୍ତି। ଅଭ୍ରଗୁଣ୍ଡିଆ ବର୍ଷା ସହ ନଜର ତଳକୁ ଗଡାଇ ଆଣିଲା ବେଳକୁ ଗୋଟିଏ ବିରାଟକାୟ ଧୂସୁରିଆ ଷଣ୍ଢ ଠିଆ ହୋଇ ପାକୁଳି କରୁଥାଏ। ପାକୁଳି କଲା ଭିତରେ ତା’ ନଜର ସ୍ଥିର ଥାଏ ସାମନା ଅନ୍ଧାର ଭିତରକୁ। ଖାଲି ମଝିରେ ମଝିରେ ତା’ ପିଠିର କୁଜଟା ଥରି ଉଠୁଥାଏ। ଗାଲୁଆଟେ ନା’ ଏବେ ଯାଏ ତାକୁ ଠିକଣା ମିଳିନି ନିଜକୁ ବର୍ଷାରୁ ରକ୍ଷା କରିବା ପାଇଁ? ମୋବାଇଲ ନୋଟିଫିକେସନ୍ ବାଜି ଉଠିଲା। ପକେଟରୁ ମୋବାଇଲ କାଢି ଦେଖିଲା ବେଳକୁ ସମୟ ୨:୦୩ ଏ ଏମ୍! ନୋଟିଫିକେସନ୍ ବାର୍ ସ୍କ୍ରଲ୍ ଡାଉନ୍ କଲି, ଲୀଳା ଦାସ୍ ର ନୂଆ ଫେସବୁକ୍ ପୋଷ୍ଟ ଅପଡେଟକୁ ନେଇ ନୋଟିଫିକେସନ୍। ରାତି ଦୁଇଟାରେ କିଏ ଫେସବୁକରେ କିଛି ପୋଷ୍ଟ କରେ? ଫେସବୁକ୍ ଆଇକନରେ ଟଚ୍ କରି ଓପନ୍ କଲି। ଲୀଳା ଦାସ୍ ପୋଷ୍ଟ କରିଛି ତା’ ସଦ୍ୟ ବର୍ଷାରେ ଭିଜି ଥିବାର ଗୋଟିଏ ସେଲ୍ଫି!

ମୋବାଇଲଟା ଏମିତି ଆଙ୍ଗେଲ୍ ରୁ ରଖି ସେଲ୍ଫିଟା ନିଆ ଯାଇଛି, ଯେମିତି ତା’ ବକ୍ଷ, ଅଣ୍ଟା ଆଉ ଫାଳେ ନିତମ୍ବ ନିଶ୍ଚୟ ଦିଶିବ! ଗୋଲାପୀ ରଙ୍ଗ ହାତକାଟି ବ୍ଲାଉଜ୍ ଆଉ ଓଦା ହୋଇ ଯାଇଥିବା ନୀଳ-ଗୋଲାପୀ ରଙ୍ଗର ଲହରିଆ ସିଫନ୍ ଶାଢ଼ୀଟା ତା’ ଦେହସାରା ଜଡେଇ ହୋଇ ପ୍ରତ୍ୟେକ ଖାଲ-ଢିପକୁ ନିର୍ଭୁଲ୍ ଭାବରେ ବ୍ୟକ୍ତ କରୁଛି। କାନ୍ଧ ପର୍ଯ୍ୟନ୍ତ ଲମ୍ବିଥିବା ତା’ ହାଲୁକା କୁଞ୍ଚୁ କୁଞ୍ଚିଆ ଚୁଟି ଓଦା ହୋଇ ବିଲାତି କଇଆଁର ଭ୍ରମ ସୃଷ୍ଟି କରୁ ଥା’ନ୍ତି। ଆଉ ମୁହଁରେ ତା’ର ସେଇ ଚିରପରିଚିତ ସମ୍ପୂର୍ଣ୍ଣ ଦୁଇଧାଡି ଦାନ୍ତ ଦିଶୁ ଥିବାର ହସ। ଏଇ ହସ ଦେଖି ଥରେ କାଳେ ତା’ର ଜଣେ ଫ୍ୟାନ୍ କହିଥିଲା, “ଆପଣ ଭାରି ଖୋଲା ହୃଦୟର”। ସେଇଦିନୁ ପ୍ରତ୍ୟେକ ସଭା-ସମିତି, ବନ୍ଧୁମିଳନ, ମେଳା-ମଉଛବ ଆଉ ସେଲ୍ଫିରେ ଲୀଳା ଦାସ୍ ହସେ ଏମିତି…….. ଓଠ ଦୁଇଟାକୁ ହନୁହାଡ଼ ଯାଏଁ ମେଲି, ଆଖି ଦୁଇଟାକୁ ଟିକେ ତରାଟି! ବର୍ଷା ଭିଜା ସେଲ୍ଫି ସହ ପୁଣି ଦୁଇଧାଡି ଲେଖା ଦେଇଛି – ‘ବର୍ଷା ପାଣି କ’ଣ ଲିଭାଇ ପାରେ ସବୁ ନିଆଁ? ତଥାପି ଏ ନିଆଁଲଗା ମନର ଉତ୍ତାପକୁ ଶାନ୍ତ କରିବାର ଚେଷ୍ଟାରେ ଭିଜିଗଲି ଅସରାଏ!’

ଭାକ୍! ଏୟା ହେଉଛି ଲୀଳା ଦାସ୍ ର କ୍ରିଏଟିଭିଟି? ଏଇଥି ପାଇଁ ନିଜ ସବୁ ପ୍ରୋଫାଇଲରେ ଲେଖେ “କଣ୍ଟେଣ୍ଟ ଡେଭେଲପର୍ ଆଣ୍ଡ୍ କମ୍ପୋଜର୍”? କେଜାଣି କେବେ କ’ଣ କମ୍ପୋଜ୍ କରିଥିଲା? ହେଲେ ଭୁବନେଶ୍ୱରର ସବୁ ସଭା-ସମିତି, ଅଡିଓ ରିଲିଜ୍, ପ୍ରିମିୟର, କବିତା ଆସର, ଆଓ୍ବାର୍ଡ ଫଙ୍କ୍ସନରେ ସେ ଉପସ୍ଥିତ ଥାଏ। ଟାଣିଟାଣି ସାଙ୍ଗରେ ଫଟୋ ଉଠେଇ, ସୋସିଆଲ୍ ମିଡିଆରେ ସେୟାର କରେ। କେତେବେଳେ ଦହି ଫେଣ୍ଟି ଫଟୋ ଅପଲୋଡ୍ କରେ ତ କେତେବେଳେ ଗାଧୋଇ ସାରି, କେତେବେଳେ ରାଞ୍ଚୁଡି ହେଲେ ଫଟୋ ଅପଡେଟ୍ କରେ ତ କେତେବେଳେ ଋତୁସ୍ରାବ ଯନ୍ତ୍ରଣାରେ ପେଟେଇ ଶୋଇଥିବାର। ମଝିରେ ମଝିରେ ନିଜେ ଗୀତ ଗାଇ ରେକର୍ଡ କରି ଅପଲୋଡ୍ କରିଦିଏ। ଆଉ ଦଳେ ଡାହାଳ କୁକୁର ଭଳିଆ ଦରବୁଢ଼ା “ବାଃ – ବାଃ- ଚମତ୍କାର” ଲେଖି ଗଦେଇ ପକାନ୍ତି କମେଣ୍ଟରେ! ଏଇ ଦେଖୁନ, ରାତି ଦି’ଟାରେ ଓଦା ଶାଢ଼ୀରେ ଫଟୋ ଅପଲୋଡ୍ କରୁକରୁ କେମିତି ଗୋଟିଏ ଧଳା ଫରଫର ବାଳ ଆଉ ଦାଢୀ ଥିବା ମଣିଷଟେ ପେଚା ଭଳିଆ ଜଗି ବସିଥିଲା! ଚାରିଧାଡି କବିତା ଲେଖି ସାରିଲାଣି “ଶ୍ରାବଣ ରାତିରେ, ମେଘ ବରଷାରେ; ଜଳୁଥାଏ ବେନି ମନ…..ଏ ମନର ତୃଷ୍ଣା ମେଣ୍ଟଇ କି ସଖୀ, ଖାଲି ବର୍ଷାରେ ଭିଜିଲେ ବଦନ”!

ଫଟୋରେ ଓଦା ହୋଇଥିବା ସିଫନ୍ ଶାଢ଼ୀଟା ଯାକି ହୋଇଯାଇଛି ଛାତି ପାଖରେ! ଅଣ୍ଟା ଆଉ ପେଟ ପାଖରୁ ପୁଣି ଖସି ଓହଳିଲା ଭଳିଆ ରହିଛି! କି ଖସେଇ ଦିଆଯାଇଛି? ଶାଢ଼ୀ ଖସି ଯାଇଥିବା ତା’ ଅଣ୍ଟା ଚାରିକଡେ ପିଚିକି ପଡିଥିବା ପୁଳାଏ ଚର୍ବି ଉପରର ଧୂସୁରିଆ ଚମଡା ଉପରେ ବର୍ଷା ପାଣି ଛିଟା ଦେଖିଲେ, ଲାଇଟ୍ ପୋଷ୍ଟ ତଳେ ଛିଡା ହୋଇଥିବା ଷଣ୍ଢର ଛବିଟା ହିିଁ ମନରେ ଫୁଟି ଉଠୁଛି!

Illustration by Ramakanta Samantaray

ଲୀଳା ଦାସ୍ ସହ ମୋର ଚିହ୍ନା ଗୋଟିଏ ଆଓ୍ବାର୍ଡ ଫଙ୍କ୍ସନରୁ, ଦୁଇ ବର୍ଷ ତଳେ। ସଭା ପରେ ବନ୍ଧୁ ମାନଙ୍କଠାରୁ ବିଦାୟ ନେବା ବେଳେ ଧୁମକେତୁ ପରି ଧସେଇ ପଶି ଆସିଥିଲା ସେ, କଥା ମଝିକୁ। କେହି ଜଣେ ଚିହ୍ନେଇ ଦେଇଥିଲେ,- “ସି ଇଜ୍ ଲିଲା ଦାସ୍, ମ୍ୟୁଜିକ୍ କମ୍ପୋଜର୍!”

ସେଇଠୁ ଫୋନ୍-ନମ୍ବର ମାଗି ନେଇଥିଲା ଲୀଳା ଦାସ୍। ତା’ ପରେ ଯାବତୀୟ ସୋସିଆଲ୍ ମିଡିଆରେ ଫଲୋ କରିବାଠୁ ଆରମ୍ଭ କରି ହ୍ବାଟ୍ସ୍ଆପରେ ପିଙ୍ଗ୍ କରିବା ଆରମ୍ଭ ତା’ର। ପ୍ରଥମେ ପ୍ରଥମେ ଝିଅଟିକୁ ଭାରି ମେଳାପୀ ଭାବିଥିଲି ମୁଁ …….ସୋସିଆଲ୍ ମିଡିଆରେ ତାର ଅଜସ୍ର ନାନୀ-ଭାଇ, ବାଟରେ-ଘାଟରେ କୁଲି-ମଜୁରିଆ, ଫଳ ବେପାରୀ ଆଉ ରାସ୍ତା କଡରେ ଖେଳୁଥିବା ପିଲାଙ୍କ ସହ ନିଆ ଯାଇଥିବା ସେଲ୍ଫିକୁ ଦେଖି। କିନ୍ତୁ ତା’ର ଅଯାଚିତ ଆପଣାପଣ ଯତାଇବା, ଅବେଳରେ କଲ୍ କରିବା, ସଭା-ସମିତି କି ହାଟ-ବଜାର ଯେଉଁଠି ଦେଖିଲେ ଆସି ଗପ ଯୋଡି କାନ୍ଧରେ ହାତ ପକାଇବା, ଭୀଷଣ ବିରକ୍ତିକର ଲାଗୁଥିଲା ଧିରେଧିରେ।

କେବେ ରାତି ଅଧରେ ତ କେବେ ସକାଳୁ ମୋବାଇଲ୍ ଅନ୍ କରୁକରୁ ହାରମୋନିୟମରେ କ’ଣ ଗୋଟେ ଧୂନ୍ ବଜାଇ, ରେକର୍ଡ କରି ପଠାଇଥିବ ଲୀଳା ଦାସ୍ – ‘କହିଲୁ କେମିତି ଲାଗୁଛି?’

ମୁଁ ନଶୁଣି ବି ଅନେକ ସମୟରେ ଉତ୍ତର ଦିଏ – ‘ବଢିଆ’ ।

ସାଙ୍ଗେ ସାଙ୍ଗେ କଲ୍ କରି ପକାଇବ – ‘ତୋ ନେକ୍ସଟ ପ୍ରୋଜେକ୍ଟରେ ମ୍ୟୁଜିକ୍ ଦାୟିତ୍ୱ ମୋତେ ଦେବୁ। ସାନ ଭଉଣୀ ପାଇଁ ଲୀଳା ଦାସ୍ ଏତିକି ତ କରି ପାରିବ।’

“ମ୍ୟାମ୍ ଆମ ଗ୍ରୁପର କମର୍ସିଆଲ୍ ପ୍ରୋଜେକ୍ଟ ନଥାଏ। ପ୍ରାୟ ସବୁ ସର୍ଟ ଫିଲ୍ମ ନହେଲେ ଡକ୍ବୁମେଣ୍ଟାରୀ। ମ୍ୟୁଜିକ୍ ପାଇଁ ବାହାରୁ ହାୟର କରିବାକୁ ପଡେନି।” କଥାକୁ ଏମିତି କାଟି ଦେଇ ମୁଁ ଫୋନ୍ ରଖେ।

୨୦୦୬ -୦୭ ବେଳକୁ କିନ୍ତୁ କାଳେ ଏମିତି ନଥିଲା ଲୀଳା ଦାସ୍। ସଙ୍ଗୀତ ମହାବିଦ୍ୟାଳୟରୁ ପାଠ ସରିଲା ପରେ ଚେନ୍ନାଇର ଗୋଟିଏ ମ୍ୟୁଜିକ୍ ସ୍କୁଲରେ ଟ୍ରେନର ଥିଲା। ସେଇଠି ଗୋଟିଏ ମ୍ୟୁଜିକ୍ ଶୋ’ରେ ଭେଟ ହୋଇଥିଲା ଦେବୀଦତ୍ତ ସହ। ସୁଦୂର ଚେନ୍ନାଇରେ ଜଣେ ଓଡ଼ିଆ ସହ ଭେଟଟା, ନମ୍ବର ଆଦାନ- ପ୍ରଦାନ, ଫୋନ୍ କଲ୍ସ ଆଉ ପୁଣି ଭେଟରେ ପରିଣତ ହୋଇ ଯାଇଥିଲା। ଦେବୀଦତ୍ତର ଏକା ଜିଦ୍, “ହେଃ…..ଲୀ ଡାର୍ଲି°! ତୁମ ପରି ଟ୍ୟାଲେଣ୍ଟେଡ୍ ମଣିଷର ଠିକଣା ଏଇଟା ନୁହେଁ! ଲକ୍ଷ୍ୟ କରିଛ, ତୁମ ଧୂନରେ ମୋ ଶବ୍ଦ ଗୁଡା କେମିତି ଜୀବନ୍ତ ହୋଇ ଯାଆନ୍ତି?”

ଦେବୀଦତ୍ତ ପରି ୟଙ୍ଗ୍, ଡ୍ୟାସି° ଆଉ ରାଇଜି° ଲିରିସିଷ୍ଟର ପ୍ରେମ ଦିନେ ଲୀଳା ଦାସ୍ କୁ ଫେରାଇ ଆଣେ ଭୁବନେଶ୍ୱରକୁ। ବାପା ମୁହଁ ଓହଳାନ୍ତି, ମା’ ଲୁଗା କାନୀରେ ଆଖି ପୋଛେ। ସାନ ଭଉଣୀ ପଚାରେ, – ‘ନାନୀ, ଆର ୟୁ ସିଓର୍?’

ତା’ପରେ ଦେବୀଦତ୍ତର ଓ୍ବାନ୍ ବି ଏଚ୍ କେ ଫ୍ଲାଟ୍, ଷ୍ଟୁଡିଓ, ଶବ୍ଦ, ସ୍ବର, ଗୀତ ରେକର୍ଡି°, ଆର୍ଟିଷ୍ଟଙ୍କ ନଖରା, ଦେବୀଦତ୍ତର ସିଗ୍ରେଟ୍ ଆଉ ପରଫ୍ୟୁମର ବାସ୍ନା……….ଏଇ ହୋଇଯାଏ ଲୀଳା ଦାସ୍ ର ଜୀବନ! ୟା ଭିତରେ ସାନ ଭଉଣୀ ଆଉ ଭାଇ ଗଢି ନିଅନ୍ତି ନିଜ ସ°ସାର। ନ’ ହଜାର ଟଙ୍କା ପେନସନରେ ରିଟାୟର୍ଡ କରନ୍ତି ବାପା। ଦିନକୁ ଦିନ ବେଶୀ ଗୁମସୁମ୍ ହୋଇଯାଏ ମା’! ଲୀଳା ଦାସ୍ କିନ୍ତୁ ଅପେକ୍ଷା କରେ, ଦେବୀଦତ୍ତର କ୍ୟାରିୟର ପ୍ରତିଷ୍ଠା ହେବାର!

ମ୍ୟୁଜିକ୍ ରିଲିଜ୍ ହୁଏ, ପାର୍ଟି ହୁଏ, ବ୍ୟାନର ଲାଗେ – ହେଲେ କେତେବେଳେ ଲୀଳା ଦାସ୍ ର ନାଁ ଆସିଷ୍ଟାଣ୍ଟ ମ୍ୟୁଜିକ୍ ଡାଇରେକ୍ଟର ଥାଏ ତ ଆଉ କେତେବେଳେ ବିଲକୁଲ୍ ନଥାଏ। ଦେବୀଦତ୍ତ ଲୀଳା ଦାସକୁ ଦୁଇ ବାହୁ ଭିତରେ ଚାପି, ତା’ ବେକ ପାଖରେ ଓଠ ରଖି କୁହେ, “ଲୀ ଡାର୍ଲି°……ନୂଆ ମ୍ୟୁଜିକ୍ ଡାଇରେକ୍ଟର ନାଁରେ କ’ଣ ମ୍ୟୁଜିକ୍ ବିକ୍ରି ହୁଏ? ଡାର୍ଲି° ୟୁ ସୁଡ୍ ଫୋକସ୍ ଅନ୍ ୟୋର କ୍ରିଏଟିଭିଟି।”

ଦେବୀଦତ୍ତର ସିଗ୍ରେଟ୍ ଆଉ ଫରଫ୍ୟୁମର ବାସ୍ନା ଭିତରେ ଲୀଳା ଦାସର ଅଭିମାନ ହୁଡି ଯା’ନ୍ତି ବାଟ! ଦେବୀଦତ୍ତ ସିଢି ଚଢେ କ୍ୟାରିୟରର, ଖ୍ୟାତିର। ଆଉ ତା’ ସହ ପାହାଚେ ପାହାଚେ କରି ତଳକୁ ଉତୁରୁ ଥାଏ ଲୀଳା ଦାସ୍ ଆଉ ତା’ ସମ୍ପର୍କ! ଲୀଳା ଦାସର କ୍ରିଏଟିଭିଟି, ମ୍ୟୁଜିକ୍, ରିଜ୍ୟୁମେ ଆଉ ବାହାଘରର ବୟସମାନେ ଭ୍ୟାଲିଡିଟି ହରାଉଥା’ନ୍ତି ବଜାରରେ ଧିରେଧିରେ! ଏଣିକି ଖାଲି ଭିଡ ମା’ର ହସ୍ପିଟାଲ ଭିଜିଟର, ସାନ ଭାଇ-ଭଉଣୀଙ୍କ ବିରକ୍ତିର, ବନ୍ଧୁବାନ୍ଧବଙ୍କ ଖୁଣ୍ଟା ଆଉ ମାସ ଶେଷକୁ ଖର୍ଚ୍ଚ ଅଣ୍ଟୁ ନଥିବା ତାଲିକାର!        

ଫାଙ୍କା ହୋଇଯାଏ ଲୀଳା ଦାସ୍ ର ଆଖି, ଭ୍ୟାନିଟି, ବନ୍ଧୁ ମାନଙ୍କ ଲିଷ୍ଟ ଆଉ ମା’ ହାତରେ ବାହାଘର ପ୍ରସ୍ତାବକୁ ନେଇ ଏକାଠି ହୋଇଥିବା ଫଟୋ ସବୁ! ଏଣିକି ବାପାଙ୍କ ପାଇଁ ପାନ ଆଣିଲା ବେଳେ ଯାହା ଭେଟ ହୁଏ ସିଗ୍ରେଟ୍ ବାସ୍ନା ସହ! ହାଟବଜାରରେ ପରିବା ବ୍ୟାଗ୍ ଧରି ଦୁଇ-ଚାରି ପାହୁଣ୍ଡ ଲୀଳା ଦାସ୍ ପିଛା କରେ, ସେଇ ପରିଚିତ ପରଫ୍ୟୁମର! ସେ ବାସ୍ନା ମାନେ କିନ୍ତୁ ଧିରେଧିରେ ଅସ୍ତିତ୍ବ ହରାନ୍ତି! ଶୂନ୍ ହୋଇଯାଏ ଲୀଳା ଦାସ୍ ର ମସ୍ତିଷ୍କ ଆଉ ସମୟ! ଚଉଡା ହୋଇ ଚାଲନ୍ତି ଲୀଳା ଦାସ୍ ର ଭାଇ-ଭଉଣୀଙ୍କ ଅସନ୍ତୋଷ, ତା’ ପୂରୁଣା ଏବଂ ନୂଆ ଗୀତ ରିଲିଜ୍ ଭିତରର ଦୂରତା, ତା’ ମଥାର ସିନ୍ଥି ଆଉ ଅଣ୍ଟାର ଜିନ୍ସର ମାପ!

ଏଣିକି ଲୀଳା ଦାସ୍ ତା’ ଠିକଣା ଖୋଜିବାକୁ ବ୍ୟାକୁଳ ହୋଇ ଘୁରିବୁଲେ ……. ସକାଳ-ସନ୍ଧ୍ୟା ପିଲାଙ୍କ ମ୍ୟୁଜିକ୍ କ୍ଲାସ୍, ରବିନ୍ଦ୍ର ମଣ୍ଡପ, ଜୟଦେବ ଭବନ, ଭଞ୍ଜକଳା ମଣ୍ଡପ ଆଉ ଭୁବନେଶ୍ୱରେ ଆୟୋଜିତ ଯେତେ ଯେତେ ସଭାରେ, ପ୍ରତ୍ୟେକ ଫ୍ରେଣ୍ଡ୍ ରିକ୍ବେଷ୍ଟରେ! ତା’ ସୋସିଆଲ୍ ମିଡ଼ିଆ ପୋଷ୍ଟ ସବୁ ମୁଖର ହୋଇପଡନ୍ତି ମନ ଆଉ ଦେହର ନିଭୃତ କୋଣରେ ଜଳୁଥିବା ଇଚ୍ଛାର ଚାରିଧାଡିଆ କବିତାରେ, ଗୋଟେ ଦୁଷ୍ପ୍ରାପ୍ୟ ପରଶର କାମନାରେ ବିଦାୟମୁଖୀ ଯୌବନର ସେଲ୍ଫିରେ, ୨୦୦୧୧-୧୨ରେ ପୋଷ୍ଟରରେ ଲେଖା ଥିବା ତା’ ନାଁର ଛବିରେ ଆଉ ଗୁଡାଏ ଆଜୁରୁ ବାଜୁରୁ ନୀତି ବାଣୀରେ!

ଲୀଳା ଦାସ୍ କୁ ଚିହ୍ନି ଥିବା ଲୋକ କୁହନ୍ତି, ସାନ ଭାଇ- ଭଉଣୀ ଦି’ଟା ନିଜ ଘର ସ°ସାର କରି ମସଗୁଲ ହୋଇଗଲା ପରେ, ବୃଦ୍ଧାବସ୍ଥାରେ ବାପା-ମା’ଙ୍କୁ ଏକା ଛାଡି ଯିବନି ବୋଲି ଲୀଳା ଦାସ୍ ବାହା ହୋଇ ନଥିଲା। ନିଜ ଜୀବନକୁ ଗୋଟିଏ ବ୍ରତ ଭାବରେ ଗ୍ରହଣ କରି ନେଇଥିଲା ସେ! ହେଲେ ବୃଦ୍ଧାବସ୍ଥାରେ ବାପା-ମା’ଙ୍କ ଏକ୍ଲାପଣକୁ ଉତ୍ସବ ମୁଖର କରିବା ପାଇଁ ଆଜୀବନ ଅବିବାହିତ ରହିବାର ନିଷ୍ପତ୍ତି ନେଇଥିବା ଝିଅଟେ, କ’ଣ ପାଇଁ ନିଜ ମୁଣ୍ଡରେ ଓଢଣୀଟଣା ଫଟୋରେ କ୍ୟାପସନ୍ ଦିଏ “ମୋ ମା’କୁ କେହି ବୁଝାଅ, ମୁଁ ଆଉ ଛୋଟ ଝିଅ ହୋଇ ନାହିଁ।”

ମା’ ପାଖରେ ରହିବ ବୋଲି ନିଷ୍ପତ୍ତି ନେଇ ଥିବା ଲୀଳା ଦାସ୍, ବାହା କରୁନି କହି ମା’ ଉପରେ କାହିଁକି ଅଭିମାନ କରେ-  ମୋ ପରି ଲୀଳା ଦାସ୍ କୁ ଚିହ୍ନି ନଥିବା ମଣିଷ ମାନେ ବୁଝି ପାରନ୍ତିନି! ଆହୁରି ଅବୁଝା ଲାଗେ ତା’ ମୁଡ୍, ଯେତେବେଳେ ଦିନ ଦି’ପହରରେ ଏ ସ°ସାରକୁ ତୁଚ୍ଛ ଭୌତିକ ଜଗତର ମୋହମାୟା କହି ତାଳି ସାଉଁଟିଥିବା ଲୀଳା ଦାସ୍…… ରାତି ଅଧରେ, ବଳାତ୍କାରୀର ସ୍ପର୍ଶକୁ  ବି ତୃଷାର୍ତ୍ତ ପରି ଚାହିଁରହି, ଚାରି ଧାଡିଆ କବିତା ଲେଖେ! ସୋସିଆଲ୍ ମିଡିଆରେ ଆସୁଥିବା ପ୍ରତ୍ୟେକ ପୁରୁଷର ଫ୍ରେଣ୍ଡ୍ ରିକକ୍ବେଷ୍ଟ ଲୀଳା ଦାସ୍ କୁ ପ୍ରେମନିବେଦନ ପରି ଦିଶେ ଆଉ ପ୍ରତ୍ୟେକ ବ୍ଲକ୍ ପ୍ରତାରଣା ପରି ଫିଲ୍ ହୁଏ! ପ୍ରତି ଚାରିଦିନରେ ଲୀଳା ଦାସ୍ ନୂଆ କେହି ଜଣେର ପ୍ରତୀକ୍ଷାରେ ଅଳତା ପିନ୍ଧି, ଦୀପ ଜାଳି, ରୁଟି ସେକି, ସେଲ୍ଫି ନିଏ ତ ପୁଣି ଆଉ ଚାରି ଦିନରେ ବିରହର ଗୀତ ରେକର୍ଡ କରେ!

ଗ୍ରୁପ୍ ଚାଟ୍, ସଭା, କବିତା ଆସର, ସଙ୍ଗୀତ ମହୋତ୍ସବ, ରେଡ଼ିଓ, ଟିଭି ଶୋ’ରେ “ନାରୀ ଖୁସି ରହିବା ପାଇଁ ପୁରୁଷର ଉପସ୍ଥିତି ଅନିବାର୍ଯ୍ୟ ନୁହେଁ”, ଘୋଷଣା କରୁଥିବା ଲୀଳା ଦାସ୍ କିନ୍ତୁ ସହର ଆଉ ସୋସିଆଲ୍ ମିଡିଆର ଗଳିକନ୍ଦି ଖୋଜି ବୁଲେ – ନିଜ ପାଇଁ ଜଣେ ପୁରୁଷର ସ୍ଥାୟୀ କ୍ୟାର୍-ଅଫ୍ ଖୋଜିବା ପାଇଁ! କାହିଁକି ଏମିତି କରେ ଲୀଳା ଦାସ୍? କ’ଣ ପାଇଁ ବଞ୍ଚେ ଏମିତି? କାହା ପାଇଁ ବାହାନା ବାପା-ମା’ଙ୍କ ବୃଦ୍ଧାବସ୍ଥାରେ ଏକ୍ଲାପଣର? ସତରେ କ’ଣ ମଣିଷ କେବେ ଆଉ କାହା ପାଇଁ ବଞ୍ଚେ? ସବୁ କେବଳ ଆତ୍ମସନ୍ତୋଷ ପାଇଁ! ନିଜର ପ୍ରତିଷ୍ଠିତ ଛବି ବା ଇମେଜ୍ କୁ ବଞ୍ଚେଇ ରଖିବା ପାଇଁ! ନହେଲେ ସତରେ କ’ଣ ନିଜ ଘରେ ବେମାର ପଡିଥିବା ପରିଜନର କଷ୍ଟ ବୁଝି ପାରୁନଥିବା ମଣିଷଟେ, ବାହାର ଲୋକର ଭୋକିଲା ପେଟରେ ବେଶୀ ବିକଳ ହୋଇପାରେ?

ସବୁ ଇମେଜ୍ ପାଇଁ! ସେ ବି ଗୋଟିଏ ପ୍ରକାର ଅବସେସନ୍! ମଣିଷର ଅଜାଣତରେ ତା’ ଅବଚେତନରେ ବିଚରଣ କରୁଥିବା ଗୋଟିଏ ସିକ୍ରେଟ୍ ଡିଜାୟାର୍! ତା’ ହେଲେ ଲୀଳା ଦାସ୍ ର ଅବଚେତନରେ କ’ଣ ବିଚରଣ କରେ? କ’ଣ ଲୀଳା ଦାସ୍ ର ସିକ୍ରେଟ୍ ଡିଜାୟାର୍? ଶବ୍ଦ ଆଉ ସ୍ବରର ଚାଦର ତଳେ କେଉଁ ସିକ୍ରେଟ୍ ଡିଜାୟାର୍ କୁ ଢାଙ୍କିବାକୁ ଚେଷ୍ଟା କରେ ଲୀଳା ଦାସ୍?

ଝକ୍ କିନା ଗୋଟିଏ ବିଜୁଳି ଆଲୁଅ ପୂରା ଆକାଶରୁ ପୃଥିବୀ ଯାଏଁ ବ୍ୟାପି ଯାଇ ପୁଣି ଲିଭି ଗଲା। ଟିକେ ସମୟ ପାଇଁ ଗୋଟେ ହାଲୁକା ବାଇଗଣୀ ରଙ୍ଗ ଆଲୁଅରେ ଚାରିଆଡ ଚମକି ଯାଇ ପୁଣି ଅନ୍ଧାରି ଗଲା। ଧାରେ ଥଣ୍ଡା ପବନ ସାଙ୍ଗରେ ଚୁନି ଚୁନି ବର୍ଷା ବୁନ୍ଦା ମୁହଁରେ ଆସି ବାଡେଇ ହେଲେ। ଲାଇଟ୍ ପୋଷ୍ଟ ତଳେ ଷଣ୍ଢଟି ତଥାପି ଛିଡା ହୋଇଛି। କେଜାଣି କେଉଁ ସିକ୍ରେଟ୍ ଡିଜାୟାର୍ ବିଚରଣ କରୁଛି ତା’ ଭିତରେ? ଝରକା ବନ୍ଦ କରି, ବେଡ୍ କୁ ଆସିଲି। ତଥାପି ଅନଲାଇନ୍ ଅଛି ଲୀଳା ଦାସ୍!

“ଆମ ଦିଦିର ମନର ନିଆଁକୁ କାବୁ କଲା ପରି ଅଗ୍ନି ନିର୍ବାପକ ଯନ୍ତ୍ରର ଶୀଘ୍ର ଆର୍ବିଭାବ ହେଉ।” ଲୀଳା ଦାସ୍ ର ସଦ୍ୟ ବର୍ଷାଭିଜା ସେଲ୍ଫି ତଳେ କମେଣ୍ଟ ଟାଇପ୍ କରି ଡିଲିଟ୍ କରି ଦେଲି। ଚାଦରଟାକୁ ମୁହଁ ଯାଏଁ ଟାଣି ଆଣି ଶୋଇବାକୁ ଚେଷ୍ଟା କଲି। ମୋ’ ମନରେ ବି ଗୋଟେ ସିକ୍ରେଟ୍ ଡିଜାୟାର୍ ବିଚରଣ କରିବା ଆରମ୍ଭ କରି ଦେଇ ଥିଲା। କେବେ ସମ୍ଭବ ହେଲେ ସର୍ଟ ଫିଲ୍ମଟେ ବନେଇବି ଆଉ ନାଁ ଦେବି – “ଲୀଳା ଦାସ୍”!

Illustration by Ramakanta Samantaray

About Dr. Ipsita Pradhan

Dr. Ipsita Pradhan is a doctor by profession and writer by passion.

View all posts by Dr. Ipsita Pradhan →