ରବୀନ୍ଦ୍ରନାଥଙ୍କ ମାନସୀ : ଇନ୍ଦିରା ଦେବୀ

ର ବି କ ଥା : ୨୦

ରବୀନ୍ଦ୍ରନାଥଙ୍କ ପ୍ରେମକାହାଣୀ ଆଲୋଚନା ବେଳେ ଇନ୍ଦିରା ଦେବୀଙ୍କ କଥା ଆସେ। ତେବେ ଇନ୍ଦିରା କିନ୍ତୁ ଥିଲେ ରବୀନ୍ଦ୍ରନାଥଙ୍କ ଝିଆରୀ, ବଡ଼ଭାଇ ସତ୍ୟେନ୍ଦ୍ରନାଥ ଠାକୁର ଓ ଭାଉଜ ଜ୍ଞାନନନ୍ଦିନୀ ଦେବୀଙ୍କ ଝିଅ। ୧୮୭୩ ମସିହାରେ ଜନ୍ମଗ୍ରହଣ କରିଥିବା ଇନ୍ଦିରା ପିଲାବେଳୁ ଥିଲେ ଜଣେ ପ୍ରଚଣ୍ଡ ମେଧାବୀନୀ ଓ ବିଦ୍ୟାନୁରାଗିଣୀ।

ବିଖ୍ୟାତ ଠାକୁର ପରିବାରର ପ୍ରଥମ ଝିଅ ଭାବେ ସେ  ୧୮୯୨ ମସିହାରେ ବିଏ ପାସ୍ କରିଥିଲେ। କେବଳ ପାସ୍ କରିନଥିଲେ, ବରଂ ଝିଅମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ତାଙ୍କ ଯୋଗ୍ୟତାର ସ୍ୱୀକୃତି ସ୍ୱରୂପ ସେ କଲିକତା ବିଶ୍ୱବିଦ୍ୟାଳୟରୁ ‘ପଦ୍ମାବତୀ’ ପଦକ ଲାଭ କରିଥିଲେ।ସେ ଏକାଧାରରେ ଥିଲେ ଜଣେ ସଂଗୀତଜ୍ଞ, ଲେଖିକା, ଅନୁବାଦକ ଓ  ସମାଜ ସଂସ୍କାରକ । ବାଲ୍ୟକାଳରୁ ସେ ନିଜର ସାହିତ୍ୟିକ ପ୍ରତିଭାର ପରିଚୟ ଦେଇଥିଲେ। ତା’ ନହେଲେ ରବୀନ୍ଦ୍ରନାଥ ତାଙ୍କୁ ଯେଉଁ ଭାଷାରେ ଚିଠି ଲେଖିଥିଲେ ତାହାର ରସ ଆସ୍ବାଦନ କରିପାରି ନଥାନ୍ତେ।

ଅନୁବାଦିକା ଇନ୍ଦିରା:

ଇନ୍ଦିରା ଦେବୀ ଯୁବାବସ୍ଥାରେ ଜଣେ ଅନୁବାଦିକା ଭାବରେ ପ୍ରସିଦ୍ଧି ଲାଭ କରିଥିଲେ। ସେତେବେଳେ ଜୋଡାଶଙ୍ଖର ଠାକୁରଘରୁ ବହୁ ପତ୍ରିକା ପ୍ରକାଶ ପାଉଥିଲା। ସେ ଭିତରୁ ‘ବାଳକ’ ପତ୍ରିକା ଥିଲା ଅନ୍ୟତମ, ଯାହା ରବୀନ୍ଦ୍ରନାଥଙ୍କ ଦ୍ୱାରା ପରିଚାଳିତ ଓ ମାତା ଜ୍ଞାନାନନ୍ଦିନୀଙ୍କ ଦ୍ୱାରା ସମ୍ପାଦିତ। ଇନ୍ଦିରା ଦେବୀ ପ୍ରଥମେ ସେ ପତ୍ରିକାରେ ତାଙ୍କର ଅନୁବାଦ ପ୍ରକାଶ କରିଥିଲେ। ତାପରେ ପାର୍ସୀ ଶିଖିବା ପରେ, ସେ ରେନେ ଗ୍ରସ୍‌ଙ୍କ “ଭାରତବର୍ଷ”, ପିୟର ଲୋଟିଙ୍କ ‘କମଲ କୁମାରିକାଶ୍ରମ’ ଏବଂ ମାଡାମ ଲେଭିଙ୍କ “ଭାରତଭ୍ରମଣ” ଗଳ୍ପକୁ ଅନୁବାଦ କରିଥିଲେ। ସେ ରବୀନ୍ଦ୍ରନାଥଙ୍କ ଦ୍ୱାରା ଲିଖିତ ଅନେକ କବିତା, ପ୍ରବନ୍ଧ ଓ ଗଳ୍ପ ସହିତ ‘ଡାଏରୀ ଅଫ୍ ଏ ଟ୍ରାଭେଲର୍ ଟୁ ଜାପାନ’ର ଇଂରାଜୀ ଅନୁବାଦ ମଧ୍ୟ ପ୍ରକାଶ କରିଥିଲେ।

ସଂଗୀତଜ୍ଞ ଇନ୍ଦିରା:

ଇନ୍ଦିରା ଦେବୀ ପିଆନୋ, ଭାୟୋଲିନ୍, ସୀତାର ଏବଂ ରବୀନ୍ଦ୍ର ସଙ୍ଗୀତର ବିଶେଷଜ୍ଞ ଥିବା ସହିତ ଜଣେ ଗୀତିକାର ବି ଥିଲେ। ତାଙ୍କର ଅମରକୃତି ମଧ୍ୟରୁ ଗୋଟିଏ ହେଉଛି ରବୀନ୍ଦ୍ରନାଙ୍କ ‘ସ୍ବରଲିପି’। ଏହା ବ୍ୟତୀତ, ସେ ‘କାଲମୃଗୟା’, ‘ଭାନୁସିଂହେର ପଦାବଳୀ’, ‘ମାୟାର ଖେଳା’ ଇତ୍ୟାଦି ସମେତ ଦୁଇଶହରୁ ଅଧିକ ରବୀନ୍ଦ୍ର ସଙ୍ଗୀତର ସ୍ବର କରିଥିଲେ। ଏହାବ୍ୟତୀତ ତାଙ୍କ ଦାଦାଙ୍କ “ସ୍ୱରଲିପି” ଗ୍ରନ୍ଥର ସମ୍ପାଦିକା ମଧ୍ୟ ଥିଲେ। ଇନ୍ଦିରା ଦେଇଥିବା ସ୍ୱରରେ ରବୀନ୍ଦ୍ରନାଥ ଅନେକ ଗୀତ ରଚନା କରିଥିଲେ। ନାରୀମାନଙ୍କ ସଂଗୀତ ସଂଘର ମୁଖପତ୍ର ‘ଆନନ୍ଦ ସଙ୍ଗୀତ’ ପତ୍ରିକାର ସେ ଥିଲେ ଅନ୍ୟତମ ଯୁଗ୍ମ ସମ୍ପାଦିକା। ରବୀନ୍ଦ୍ରନାଥଙ୍କ ମୃତ୍ୟୁ ପରେ ସେ ଶାନ୍ତିନିକେତନରେ ସ୍ଥାୟୀ ଭାବରେ ରହି ନିୟମିତ ଭାବରେ ରବୀନ୍ଦ୍ର ସଙ୍ଗୀତ ଶିକ୍ଷା ଦେଉଥିଲେ।

ଲେଖିକା ଇନ୍ଦିରା:

ବାଲ୍ୟାବସ୍ଥାରୁ ହିଁ ଇନ୍ଦିରାଙ୍କର ସାହିତ୍ୟ ପ୍ରତି ଗଭୀର ପ୍ରେମ ଥିଲା। ଅବଶ୍ୟ ଏହାର ମୂଳରେ ଥିଲେ ରବୀନ୍ଦ୍ରନାଥ । କାକା ରବୀନ୍ଦ୍ରନାଥଙ୍କ ସମ୍ପର୍କରେ ସେ କହିଛନ୍ତି, ‘ସାହିତ୍ୟ, ସଙ୍ଗୀତ ଏବଂ ଚିତ୍ରକଳା ଶିଖିବା ପାଇଁ କାକା ହିଁ ମୋତେ ଆଜୀବନ ଉତ୍ସାହିତ କରିଛନ୍ତି। ଜୀବନର ଶେଷ ଆଡ଼କୁ ସେ ନିଜ ଚିନ୍ତାଧାରା ସହିତ ଚିତ୍ରକଳାକୁ ବି ଗ୍ରହଣ କରିଥିଲେ। ଚିତ୍ରକଳାର କିଛି ମୂଳରୂପ ଆଙ୍କିବାରେ ସେ ମୋତେ ନିୟୋଜିତ କରିଥିଲେ।’

ଇନ୍ଦିରା ଦେବୀଙ୍କର କିଛି ମୌଳିକ କୃତି ହେଲା- ‘ଶ୍ରୁତି ସ୍ମୃତି’, ‘ରବୀନ୍ଦ୍ର ସଙ୍ଗୀତର ତ୍ରିବେଣୀ ସଙ୍ଗମ’, ‘ରବୀନ୍ଦ୍ର ସ୍ମୃତି’ ଇତ୍ୟାଦି। ତାଙ୍କ ଦ୍ୱାରା ସମ୍ପାଦିତ ପୁସ୍ତକଗୁଡ଼ିକ ହେଉଛି-‘ନାରୀ ମୁକ୍ତି’, ‘ବାଙ୍ଗଲାର ସ୍ତ୍ରୀ ଆଚାର’, ‘ସ୍ମୃତିକଥା’, ‘ପୁରାତନୀ’, ‘ଗୀତି ପଞ୍ଚଷଠି’ ଇତ୍ୟାଦି। ପରେ ତାଙ୍କର ସଂଗୀତ ଏବଂ ସାହିତ୍ୟ ଉପରେ ଅନେକ ମୌଳିକ କୃତି ‘ବାମ୍ବୋଧିନୀ’, ‘ବଙ୍ଗଲକ୍ଷ୍ମୀ’, ‘ସାଧନା’, ‘ପ୍ରକୃତି’, ‘ସବୁଜପତ୍ର’ ଇତ୍ୟାଦି ପତ୍ରିକାରେ ପ୍ରକାଶିତ ହୋଇଥିଲା। ବଙ୍ଗୀୟ ନାରୀଙ୍କ ଭଲ ଏବଂ ମନ୍ଦ ବିଷୟରେ ତାଙ୍କର ମତ ‘ନାରୀ ଉକ୍ତି’ ପ୍ରବନ୍ଧରେ ଦେଖିବାକୁ ମିଳେ।

ସମାଜ ସଂସ୍କାରକ ଇନ୍ଦିରା:

ଜଣେ ସମାଜ ସଂସ୍କାରକ ଭାବେ ଇନ୍ଦିରା ଦେବୀଙ୍କ ବହୁ ଅବଦାନ ରହିଛି। ପିତା ସତ୍ୟେନ୍ଦ୍ରନାଥ ଟାଗୋରଙ୍କ ପଥ ଅନୁସରଣ କରି, ସେ ‘ମହିଳା ଶିକ୍ଷା ଲିଗ୍, ସର୍ବ ଭାରତୀୟ ମହିଳା ସମ୍ମିଳନୀ, ସଙ୍ଗୀତ ସଂଘ, ସଙ୍ଗୀତ ସମ୍ମିଳନୀ ସମେତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଶାନ୍ତିନିକେତନକୁ ଯିବା ପରେ, ସେ ‘ଆଳାପନୀ ମହିଳା ସମିତି’ ପ୍ରତିଷ୍ଠା କରିଥିଲେ ଏବଂ ଏହାର ମୁଖପତ୍ର ‘ଘରୋୟା’ ପ୍ରକାଶ କରିଥିଲେ। ଏହି ମହିଳା ସମିତି ବର୍ତ୍ତମାନ ପର୍ଯ୍ୟନ୍ତ ଅଛି। ସେ ମହିଳାମାନଙ୍କ କଲ୍ୟାଣ ପାଇଁ ଗଠିତ ‘ବଙ୍ଗଳା ମହିଳା ଶିକ୍ଷା ସଂଘ’, ଅଖିଳ ଭାରତୀୟ ମହିଳା ସମ୍ମିଳନୀ, ‘ହିରଣ୍ମୟୀ ବିଧବା ଆଶ୍ରମ’ ଇତ୍ୟାଦିର ସଭାପତି ମଧ୍ୟ ଥିଲେ।

ପ୍ରମଥ ଚୌଧୁରୀଙ୍କ ସହ ସମ୍ପର୍କ:

ପ୍ରମଥ ଚୌଧୁରୀ ସେତେବେଳେ ବାରିଷ୍ଟରୀ ପାସ୍ କରି ପ୍ରାକ୍ଟିସ୍ ଆରମ୍ଭ କରିଥିଲେ। ତାଙ୍କର ପାଣ୍ଡିତ୍ୟ ଏବଂ ସାହିତ୍ୟ ପ୍ରେମ ବିଷୟରେ ଠାକୁର ପରିବାରର ଲୋକମାନେ ଜାଣିପାରିଲେ। ଅନ୍ୟପକ୍ଷରେ, ତାଙ୍କ ବଡ଼ଭାଇ ଆଶୁତୋଷ ଚୌଧୁରୀ ଥିଲେ ରବୀନ୍ଦ୍ରନାଥଙ୍କ ସାହିତ୍ୟସାଥୀ। ସେହି ନ୍ୟାୟରେ ପ୍ରମଥ ଚୌଧୁରୀଙ୍କ ସହିତ ରବୀନ୍ଦ୍ରନାଥଙ୍କ ବନ୍ଧୁତା ଗଢ଼ି ଉଠିଥିଲା। ତାପରେ ସେ ଓକିଲ ପ୍ରମଥ ଚୌଧୁରୀରୁ ଲେଖିକ ପ୍ରମଥ ଚୌଧୁରୀରେ ପରିଣତ ହୋଇଥିଲେ। ୧୮୯୯ ମସିହାରେ ଇନ୍ଦିରାଦେବୀ ତାଙ୍କୁ ପ୍ରେମବିବାହ କରିଥିଲେ। ଊନବିଂଶ ଶତାବ୍ଦୀର ରକ୍ଷଣଶୀଳ ସମାଜରେ ଇନ୍ଦିରା ଦେବୀ ନିଜ ପସନ୍ଦରେ ବିବାହ କରିଥିଲେ। ପ୍ରସିଦ୍ଧ ‘ସବୁଜପତ୍ର’ ସାହିତ୍ୟ ପତ୍ରିକାର ସମ୍ପାଦକ ପ୍ରମଥ ଚୌଧୁରୀ ତାଙ୍କର ସ୍ୱ-ନିର୍ବାଚିତ ବର ଥିଲେ, ଯାହାଙ୍କୁ ଆମେ ରବୀନ୍ଦ୍ରନାଥଙ୍କ ଜାମାତା ଭାବରେ ଜାଣୁ।

ରବୀନ୍ଦ୍ରନାଥ ଏବଂ ଇନ୍ଦିରା ଦେବୀ:

ବାଲ୍ୟକାଳରୁ ହିଁ ଇନ୍ଦିରା ରବୀନ୍ଦ୍ରନାଥଙ୍କ ସହ ଅତୁଟ ସମ୍ପର୍କ ରଖିଥିଲେ। ରବୀନ୍ଦ୍ରନାଥ ଇନ୍ଦିରାଙ୍କୁ କେତେ ଭଲ ପାଉଥିଲେ, ଏକଥା ଇନ୍ଦିରାକୁ  ଲେଖିଥିବା ଚିଠିଗୁଡ଼ିକରୁ ଲକ୍ଷ୍ୟ କରାଯାଏ।

ରବୀନ୍ଦ୍ରନାଥଙ୍କ ସାହିତ୍ୟ କୃତିର ଏକ ବିଶିଷ୍ଟ ଶାଖା ହେଉଛି ତାଙ୍କର ‘ପତ୍ର ସାହିତ୍ୟ’। ସେ ବିଭିନ୍ନ ସମୟରେ ପ୍ରାୟ ୨୨ଟି ସ୍ଥାନରୁ ଏହି ଚିଠିଗୁଡ଼ିକ ଲେଖିଥିଲେ। ସେ ଶିଆଲଦାହରୁ ସର୍ବାଧିକ ଚିଠି ଲେଖିଥିଲେ। ଏବଂ ସର୍ବାଧିକ ଚିଠି ତାଙ୍କ ଝିଆରୀ  ଇନ୍ଦିରାଙ୍କୁ ଲେଖିଥିଲେ। ନିମ୍ନରେ ପ୍ରଦତ୍ତ ଚିଠିରୁ ତାଙ୍କ ସମ୍ପର୍କର ଗଭୀରତା ବୁଝାପଡେ।

ରବୀନ୍ଦ୍ରନାଥ ଲେଖିଛନ୍ତି,-‘ଦୀର୍ଘଦିନ ଧରି ଡଙ୍ଗାରେ ରହି, ହଠାତ୍ ସଜାଦପୁର ଘରେ ପହଞ୍ଚିଲା ପରେ ବହୁତ ଭଲ ଲାଗୁଛି। ଏଠି ବଡ଼ ବଡ଼ ଝରକା ଏବଂ କବାଟ, ଚାରିପାଖରୁ ଆଲୋକ ଏବଂ ପବନ… ମୁଁ ଯେଉଁଠିକି ଦେଖୁଛି ସବୁଜ ଗଛର ଡାଳ ଦେଖୁଛି ଓ ପକ୍ଷୀଙ୍କ କୂଜନ ଶୁଣୁଛି।… ବିଶେଷକରି ଏଠାରେ ଅପରାହ୍ନର ଏକ ତୀବ୍ର ଆକର୍ଷଣ ଅଛି। ସୂର୍ଯ୍ୟର ଉତ୍ତାପ, ନୀରବତା, ନିର୍ଜନତା, ପକ୍ଷୀ – ବିଶେଷକରି କାଉଙ୍କ ଡାକ ଖୁବ୍ ସୁନ୍ଦର ଲାଗୁଛି।  ଜାଣିନାହିଁ, କାହିଁକି କେଜାଣି ମନେ ହେଉଛି ଯେ ଆରବୀୟ ଉପନ୍ୟାସଗୁଡ଼ିକ ଏପରି ସୁନା ସୂର୍ଯ୍ୟୋଦୟ ଅପରାହ୍ନରୁ ସୃଷ୍ଟି ହୋଇଥିଲା। ଏହା ମୋର କାହାଣୀର ଅପରାହ୍ନ, ସଜାଦପୁରର ଅପରାହ୍ନ। ମୋର ମନେ ଅଛି, ଏମିତି ଏକ ଅପରାହ୍ନରେ ଟେବୁଲରେ ବସି ତୁମ ମନରେ ଉଦିତ ହୋଇଥିବା ‘ପୋଷ୍ଟମାଷ୍ଟର’ ଗପଟି ଲେଖିଥିଲି।”

ଅନ୍ୟ ଗୋଟିଏ ଚିଠିରେ ରବୀନ୍ଦ୍ରନାଥ ଇନ୍ଦିରାଙ୍କୁ ଲେଖିଛନ୍ତି,‘ତୁମ ପାଖକୁ ଯେମିତି ଲେଖୁଛିୁ ଆଗରୁ ଏମିତି ମୁଁ କେବେ ଲେଖିନାହିଁ। ତମ ପାଖରେ ମୋ ମନର ବିବିଧ ଭାବନାକୁ ଅବିକଳ ଭାବେ ପରିପ୍ରକାଶ କରିପାରୁଛି। ମୋତେ କେବେ ବି ଲାଗୁନାହିଁ ଯେ ମୁଁ ଯାହା କହୁଛି ତମେ ତାହା ବୁଝିବ ନାହିଁ କିମ୍ବା ବିଶ୍ୱାସ କରିବ ନାହିଁ। ମୋ ପାଇଁ ଥିବା ଗଭୀରତମ ସତ୍ୟକୁ ତମେ ଭଲ ଭାବରେ ରଚିତ ଏକ କାବ୍ୟିକ କାହାଣୀ ବୋଲି ବିବେଚନା କରିବ।ସେଥିପାଇଁ ମୁଁ ମୋ ମନରେ ଯାହା ଭାବୁଛି ତମକୁ ତାହା ସହଜରେ କହିପାରୁଛି।”

ଚିନ୍ତା, ଚେତନା ଓ ଆଦର୍ଶ ଦୃଷ୍ଟିରୁ ସେ ରବୀନ୍ଦ୍ରନାଥଙ୍କ ସହ ଏତେ ସମାନ ଥିଲେ ଯେ ତାଙ୍କୁ ରବି ଠାକୁରଙ୍କ ଶିଷ୍ୟ ବୋଲି କୁହାଯାଉଥିଲା। ରବୀନ୍ଦ୍ରନାଥ ମଧ୍ୟ ତାଙ୍କୁ  ବହୁତ ଭଲ ପାଉଥିଲେ। ଇନ୍ଦିରାଙ୍କୁ ଲେଖିଥିବା ରବୀନ୍ଦ୍ରନାଥଙ୍କ ଚିଠିର ଉପରୋକ୍ତ ଅଂଶରେ, ଯେଉଁଥିରେ ସେ ତାଙ୍କ ପ୍ରିୟ ଝିଆରୀଙ୍କ ପ୍ରତି ତାଙ୍କର ଭାବନା ପ୍ରକାଶ କରିଛନ୍ତି, ସେଥିରୁ ବୁଝାଯାଇପାରେ ଯେ ଇନ୍ଦିରା ଦେବୀ କେବଳ ତାଙ୍କର ପ୍ରିୟ ଝିଆରୀ ନଥିଲେ ବରଂ ତାଙ୍କର ମନର ମାନସୀ ମଧ୍ୟ ଥିଲେ।

About Dr. Sarat Kumar Jena

Dr. Sarat Kumar Jena is a writer, researcher and from Odisha. Currently he is working as a professor at Biswabharati University, Kolkata.

View all posts by Dr. Sarat Kumar Jena →