ର ବି କ ଥା – ୧୪
ରବୀନ୍ଦ୍ରନାଥ ଚଳଚିତ୍ର ସମ୍ପର୍କରେ ବେଶୀ କିଛି କହିନାହାନ୍ତି। କାରଣ ତାଙ୍କ ସମକାଳରେ ଏପରିକି ତିରୋଧାନ (୧୯୪୧) ପର୍ଯ୍ୟନ୍ତ ଭାରତୀୟ ଚଳଚ୍ଚିତ୍ର ଶିଳ୍ପ ପ୍ରାଥମିକ ପର୍ଯ୍ୟାୟରେ ଥିଲା। ଆଦୌ ପ୍ରଚାର ପ୍ରସାର ଲାଭ କରିନଥିଲା। ତଥାପି ତାଙ୍କର ଅନେକ ବକ୍ତବ୍ୟ ଓ ମନୋଭାବରୁ ଜଣାଯାଏ, ଚଳଚ୍ଚିତ୍ର ସମ୍ପର୍କରେ ତାଙ୍କର ଗୋଟିଏ ସୁସ୍ପଷ୍ଟ ଓ ଭାବନାପ୍ରସୂତ ଦୃଷ୍ଟିଭଙ୍ଗୀ ଥିଲା। ନିମ୍ନରେ ତାଙ୍କର ଚଳଚ୍ଚିତ୍ର ଭାବନାକୁ ନେଇ ସଂକ୍ଷେପରେ ଆଲୋଚନା କରାଗଲା-
ଚଳଚ୍ଚିତ୍ରକୁ ଶିକ୍ଷାର ମାଧ୍ୟମ ଭାବେ ଦେଖିବା :
ରବୀନ୍ଦ୍ରନାଥ ଚଳଚ୍ଚିତ୍ରକୁ କେବେ ମନୋରଞ୍ଜନ କିମ୍ବା ବିନୋଦନର ମାଧ୍ୟମ ଭାବେ ଗ୍ରହଣ କରିନଥିଲେ, ବରଂ ଶିକ୍ଷାର ଏକ ଶକ୍ତିଶାଳୀ ମାଧ୍ୟମ ଭାବରେ ଦେଖିଥିଲେ। ସେ ବିଶ୍ବାସ କରୁଥିଲେ ଯେ, ଏଇ ମାଧ୍ୟମଟି ବ୍ୟବହାର କରି ମନୁଷ୍ୟର ଚିନ୍ତାଧାରା ଗଠନରେ ସହାୟତା କରାଯାଇପାରେ।
ଚିତ୍ର ଓ କଳ୍ପନାର ସମ୍ପର୍କ:
ସେ ମନେ କରୁଥିଲେ, ଚଳଚ୍ଚିତ୍ରର ଦୃଶ୍ୟ ଓ କଳ୍ପନା ମଧ୍ୟରେ ଗୋଟିଏ ଗଭୀର ସମ୍ପର୍କ ରହିଛି। ଗୋଟିଏ ଭଲ ଚଳଚ୍ଚିତ୍ର ଗୋଟିଏ ମନୁଷ୍ୟର ମନରେ କଳ୍ପନାର ଉଦ୍ରେକ କରିଥାଏ, ତାହା ସାହିତ୍ୟ ଭଳି ଗଭୀର ହୋଇପାରେ।
ଚଳଚ୍ଚିତ୍ର ଓ ନାଟକ:
ରବୀନ୍ଦ୍ରନାଥ ନାଟକର ଜଣେ ଗଭୀର ଅନୁରାଗୀ ଥିଲେ। ସେ ନାଟକ ଓ ଗୀତିନାଟ୍ୟ ଲେଖୁଥିଲେ, ନିର୍ଦ୍ଦେଶନା ଓ ସଙ୍ଗୀତ ନିର୍ଦ୍ଦେଶନା ଦେଉଥିଲେ, ଅଭିନୟ ମଧ୍ୟ କରୁଥିଲେ। ବାଲ୍ମିକୀ ପ୍ରତିଭା ନାଟକର ବାଲ୍ମିକୀ ଭୂମିକାରେ ବଳିଷ୍ଠ ଅଭିନୟ କରି ସମସ୍ତଙ୍କୁ ଚମତ୍କୃତ କରିଥିଲେ। ଶାନ୍ତି ନିକେତନରେ ସାହିତ୍ୟ, ସଂସ୍କୃତି, ଚିତ୍ର ଓ ସଂଗୀତ ଭଳି ନାଟକ ବିଭାଗ ପ୍ରତିଷ୍ଠା କରିଥିଲେ, ଯାହା ଭାରତର ଅନ୍ୟତମ ଉତ୍କର୍ଷପୀଠ। ସେ ବୁଝିଥିଲେ ଯେ ଚଳଚ୍ଚିତ୍ର ମଧ୍ୟ ହେଉଛି ଗୋଟିଏ ଧରଣର ଦୃଶ୍ୟନିର୍ଭର ନାଟ୍ୟଶିଳ୍ପ, ଯାହା ବୃହତ୍ତର ଦର୍ଶକ ଗୋଷ୍ଠୀ ପାଖରେ ପହଞ୍ଚିପାରେ।
ନିର୍ବାକ ଚଳଚ୍ଚିତ୍ର ସମ୍ପର୍କରେ ମତ:
ରବୀନ୍ଦ୍ରନାଥ କିଛି ସମୟ ପାଇଁ ନିର୍ବାକ ଚଳଚ୍ଚିତ୍ର ଦେଖିଥିଲେ ଏବଂ ମନ୍ତବ୍ୟ କରିଥିଲେ ଯେ, ଏଥିରେ ଭାଷାର ଅଭାବ ରହିଲେ ମଧ୍ୟ ଚିତ୍ର ସାହାଯ୍ୟରେ ଆବେଗ ଓ ଭାବ ପ୍ରକାଶ ସମ୍ଭବ।
ତାଙ୍କର ସାହିତ୍ୟକର୍ମ ଓ ଚଳଚ୍ଚିତ୍ର:
ତାଙ୍କର ମୃତ୍ୟୁ ପରେ ତାଙ୍କର ଅନେକ ସାହିତ୍ୟକୃତି ଚଳଚ୍ଚିତ୍ରରେ ରୂପାନ୍ତରିତ ହୋଇଛି। ଯେମିତି, ଚୋଖେରବାଲି, ନୌକାଡୁବି, ସ୍ତ୍ରୀର ପତ୍ର ଓ ଚାରୁଲତା ଇତ୍ୟାଦି। ଯଦିଓ ରବୀନ୍ଦ୍ରନାଥ ନିଜେ ଏସବୁ ଚଳଚ୍ଚିତ୍ର ନିର୍ମାଣ ସମୟରେ ଜୀବିତ ନଥିଲେ, ତେବେ ତାଙ୍କର ରଚନାଗୁଡ଼ିକ ଚଳଚ୍ଚିତ୍ର ବ୍ୟବହାରର ଯୋଗ୍ୟତା ରଖେ- ଏହା ତାଙ୍କ ସାହିତ୍ୟର ଭାଷା, ଭାବ ଓ କାହାଣୀର ଶକ୍ତିମତାର ପ୍ରମାଣ।

