ର ବି କ ଥା – ୧୨
ଶହେ ବର୍ଷ ତଳେ ଦୁହିଁଙ୍କ ସାକ୍ଷାତ ହୋଇଥିଲା।
ଦୁହେଁ ହେଲେ ବିଂଶ ଶତାବ୍ଦୀର ଦୁଇଜଣ ଜିନିଅସ୍ ପୁରୁଷ ବିଶ୍ବକବି ରବୀନ୍ଦ୍ରନାଥ ଓ ବିଶ୍ବବିଜ୍ଞାନୀ ଆଲବର୍ଟ ଆଇନଷ୍ଟାଇନ। ଏଇ ଦୁଇ ବିସ୍ମୟ ପ୍ରତିଭାର ପ୍ରଥମ ସାକ୍ଷାତ ହୋଇଥିଲା ୧୪ ସେପ୍ଟେମ୍ବର ୧୯୨୬ ମସିହାରେ। ଏହି ସାକ୍ଷାତ ଥିଲା ସମସ୍ତଙ୍କ ପାଇଁ କୌତୁହଳର ବିଷୟ। ପ୍ରାଚ୍ୟ ଓ ପାଶ୍ଚାତ୍ୟର ପ୍ରତିନିଧି ସ୍ବରୂପ ଦୁଇ ମନୀଷିଙ୍କର ମିଳନ ଓ ମତ ବିନିମୟ, ଆଜିକୁ ୧୦୦ ବର୍ଷ ବିତି ଯାଇଥିଲେ ବି ଆଲୋଚନାର ଅପେକ୍ଷା ରଖେ।
ଆଜି ବି ପ୍ରଶ୍ନବାଚୀ ସୃଷ୍ଟି କରେ।
କି ଧରଣର ପ୍ରଶ୍ନ:
କଣ କଥାବାର୍ତ୍ତା ହୋଇଥିଲେ ଦୁହେଁ?
କେଉଁ ପ୍ରସଙ୍ଗରେ ଆଲୋଚନା କରିଥିଲେ ଦୁହେଁ ?
ଲକ୍ଷ୍ୟକଲେ ମନେହୁଏ, ପ୍ରାଥମିକ ସ୍ତରରେ ଦୁଇଜଣ କବି ଓ ବିଜ୍ଞାନୀ ହେଲେ ବି, ମୂଳତଃ ଦୁହେଁ ଥିଲେ ଦାର୍ଶନିକ। ତାଙ୍କର ଚିନ୍ତା ଓ ଚେତନାର ସ୍ରୋତ ହୃଦୟର କେତେ ଗଭୀର ସ୍ତରରେ ପ୍ରବାହିତ। ବିଶେଷ କରି ଜର୍ମାନ ଯୁବ ଆନ୍ଦୋଳନର ଉତ୍ସ ସନ୍ଧାନ, ପ୍ରଯୁକ୍ତିର ଅଗ୍ରଗତି ମାନବ ଜୀବନରେ ଆଶିର୍ବାଦ ନା ଅଭିଶାପ, ପ୍ରାଚ୍ୟ ଓ ପାଶ୍ଚାତ୍ୟ ସଂଗୀତ ଓ ଚିତ୍ରକଳାରେ ଶବ୍ଦ, ସ୍ବର, ସଂଗତି, ରେଖା ଓ ରଙ୍ଗର ଭୂମିକା-ଆଦି ଅନେକ ବିଷୟରେ ଦୁହେଁ ଆଲୋଚନା କରିଥିଲେ। ତେବେ ଯେଉଁ ବିଷୟରେ ଦୁହିଁଙ୍କ ଅଧିକ ତର୍କ ବିତର୍କ ହୋଇଥିଲା, ଶହେ ବର୍ଷ ପରେ ଆଲୋଚକମାନେ ସେ ବିଷୟର ଅନ୍ବେଷଣ କରିଛନ୍ତି। ତାହା ହେଲା, ସତ୍ୟର ସ୍ବରୂପ କଣ ? ବିଶ୍ବ ବ୍ରହ୍ମାଣ୍ଡର ବାସ୍ତବ ଅବସ୍ଥା କଣ ମନୁଷ୍ୟର ଚେତନା ନିରପେକ୍ଷ ଭାବରେ ଅବସ୍ଥିତ? ନା ବିଶ୍ବର ବାସ୍ତବତା ମନୁଷ୍ୟ ଚେତନାର ନିର୍ମାଣ ମାତ୍ର ?
ଆଚ୍ଛା! ଦୁହେଁ କଥା ହେଲାବେଳେ ସମସ୍ୟା ହୋଇ ଠିଆ ହୋଇଥିଲା-ଭାଷା। My Memories of Ainstaine ପ୍ରବନ୍ଧରେ ରବୀନ୍ଦ୍ରନାଥ ଲେଖିଛନ୍ତି -“ଇଂରାଜୀ ଭାଷାରେ କଥାବାର୍ତ୍ତା କରି ଆଗକୁ ବଢ଼ିବା ତାଙ୍କ ପାଇଁ ସମ୍ଭବ ନଥିଲା, ଆଉ ମୁଁ ଜର୍ମାନ ଭାଷା ଜାଣି ନଥିଲି। ଦୋଭାଷୀ ମାଧ୍ୟମରେ କଥା ହୋଇ ଗୂଢ ବିଷୟ ଆଲୋଚନା କରିବା ମୋଟେ ସହଜ ନଥିଲା।” ଏଥିପାଇଁ କେହି କେହି ଆଲୋଚକ କହିଛନ୍ତି, “ଆଇନଷ୍ଟାଇନ ଓ ରବୀନ୍ଦ୍ରନାଥଙ୍କ ଆଳାପ ଯେମିତି ଦୁଇଟି ଗ୍ରହର କଥୋପକଥନ। କିଏ କାହାର ବକ୍ତବ୍ୟ ବୁଝୁନଥିଲେ।”
ତେବେ ଦୁଇଟି କାରଣରୁ ସେମାନଙ୍କ ବାକ୍ୟ ବିନିମୟ ଆକର୍ଷଣୀୟ। ପ୍ରଥମ କାରଣ- କଥାବାର୍ତ୍ତାରେ ସେମାନେ ଠିଆ ହୋଇଥିଲେ ନିଜ ନିଜ ମେରୁରେ। ଯେମିତି ଘୋଷଣା କରୁଛନ୍ତିି ନିଜ ନିଜର ଜାତି-ଧର୍ମ। କବିଙ୍କ ଦାବୀ- ସତ୍ୟଚେତନା ନିରପେକ୍ଷ ନୁହେଁ, ତାହା ମନୁଷ୍ୟର ନିର୍ମାଣ। ଆଉ କଣ କରିପାରିବେ କବି ? ସେ ଜଣେ ସ୍ରଷ୍ଟା। ଶବ୍ଦରେ ଶବ୍ଦରେ ନିର୍ମାଣ କରନ୍ତି ସତ୍ୟ। ଆଉ ବିଜ୍ଞାନୀ ? ବିଜ୍ଞାନୀ ଆଇନଷ୍ଟାଇନଙ୍କ ମତରେ ବିଶ୍ବବ୍ରହ୍ମାଣ୍ଡ ନିଜସ୍ବ ଗୁଣାବଳୀ ନେଇ ନିଜେ ବିରାଜମାନ। ଗବେଷକର କାମ ସେସବୁ ଗୁଣର ସନ୍ଧାନ କରିବା।
ହାୟ! ଆଇନଷ୍ଟାଇନଙ୍କ ଏଇ ବିଶ୍ୱାସ ଯେ ଭ୍ରାନ୍ତ ପ୍ରମାଣ ହୋଇଛି ବିଜ୍ଞାନର ନୂତନ ଶାଖା କୋୟାଣ୍ଟସ୍ ମେକାନିକ୍ସରେ। ତାହା ହେଲା, ଦୃଶ୍ୟଠାରୁ ଦର୍ଶକ ଅଲଗା ନୁହନ୍ତି। ଦର୍ଶକ ସନ୍ତୁଷ୍ଟି ନହେଲେ ଦୃଶ୍ୟ ଅବାନ୍ତର। ଏଭଳି ବକ୍ତବ୍ୟ ସେତେବେଳେ ଗ୍ରହଣୀୟ ହୋଇନଥିଲା ଆଇନଷ୍ଟାଇନଙ୍କର। ଏହା ହିଁ ଥିଲା କଥାବାର୍ତ୍ତାର ଦ୍ୱିତୀୟ ଆକର୍ଷଣ।
ଶହେ ବର୍ଷ ପରେ ବିଶ୍ବକବି କି ବିଶ୍ଵବିଜ୍ଞାନୀ ନାହାନ୍ତି। କିନ୍ତୁ ତାଙ୍କର କଥା ଅଛି। ବିଶ୍ବ ପାଇଁ ମହତ ଚିନ୍ତା କରିବାର ବାର୍ତ୍ତା ଅଛି।

