ର ବି କ ଥା : ୧୭
ରବୀନ୍ଦ୍ରନାଥଙ୍କ ପିତାମହ ଦ୍ୱାରିକାନାଥ ଠାକୁର ଥିଲେ କଲିକତାର ସୁପ୍ରସିଦ୍ଧ ଯୋଡାଶଙ୍ଖ ଘରର ପ୍ରତିଷ୍ଠାତା। ବଙ୍ଗଳାର ପ୍ରଥମ ଶିଳ୍ପପତି ଭାବରେ ସେ ଦେଶ ବିଦେଶରେ ବେଶ୍ ଖ୍ୟାତି ଅର୍ଜନ କରିବା ସହ ରାଜକୀୟ ଏବଂ ବିଳାସପୂର୍ଣ୍ଣ ଜୀବନଯାପନ କରୁଥିଲେ। ବ୍ରିଟେନରେ ରହଣି କାଳରେ ତାଙ୍କ ସମସାମୟିକମାନେ ତାଙ୍କୁ ପ୍ରିନ୍ସ୍ ବୋଲି ଡାକୁଥିଲେ ଏବଂ କଲିକତାରେ ମଧ୍ୟ ସେ ପ୍ରିନ୍ସ୍ ଭାବରେ ପରିଚିତ ଥିଲେ।
ଦେବେନ୍ଦ୍ରନାଥ ଠାକୁରଙ୍କ ପିତା ଦ୍ୱାରିକାନାଥ ସମସାମୟିକ ବଣିଆ ଏବଂ ମୁତସୁଦ୍ଦିଦ (ୟୁରୋପୀୟ ବ୍ୟବସାୟୀଙ୍କ ପ୍ରତିନିଧି ଏବଂ ଅଧିକାରୀ) ମାନଙ୍କ ମଧ୍ୟରୁ ଜଣେ ଥିଲେ ଯିଏ ପ୍ରଥମ ପିଢ଼ିର ବଙ୍ଗାଳୀ ଶିଳ୍ପପତି ଓ ଉଦ୍ୟୋଗପତି ଭାବରେ ପ୍ରସିଦ୍ଧ ଥିଲେ। ଏହାବ୍ୟତୀତ ସେ ପରବର୍ତ୍ତୀ ପିଢ଼ିର ଉଦ୍ୟୋଗୀମାନଙ୍କୁ ବି ପରାମର୍ଶ ଦେଉଥିଲେ।
ଦ୍ବାରିକାନାଥ ଠାକୁର ୧୮୨୦ ମସିହା ବେଳକୁ ବ୍ୟବସାୟ ଆରମ୍ଭ କରିଥିଲେ। ମୁଖ୍ୟତଃ ନୀଳ, ଅଫିମ ଏବଂ ଅନ୍ୟାନ୍ୟ ପଣ୍ୟ ବ୍ୟବସାୟ କରି ସେ ଖୁବ୍ କମ୍ ଦିନ ମଧ୍ୟରେ ଜଣେ ପ୍ରଭାବଶାଳୀ ବ୍ୟବସାୟୀ ଭାବରେ ପ୍ରତିଷ୍ଠା ପାଇଥିଲେ। ୧୮୨୨ ମସିହାରେ ସେ ଓରିଏଣ୍ଟାଲ ଲାଇଫ୍ ଆସ୍ୟୁରାନ୍ସ୍ ସୋସାଇଟି ପ୍ରତିଷ୍ଠା କରିଥିଲେ। ଏହା ଥିଲା ତାଙ୍କର ବ୍ୟାଙ୍କିଙ୍ଗ୍ ଓ ବୀମା ଖାତା ପ୍ରତି ଥିବା ଆଗ୍ରହର ପରିପ୍ରକାଶ। ଏହି ସମୟରେ ସେ ବ୍ରିଟିଶ୍ ଇଷ୍ଟ୍ ଇଣ୍ଡିଆ କମ୍ପାନୀ ପାଇଁ କାମ କରୁଥିଲେ, ଯାହା ପରେ ତାଙ୍କର ବାଣିଜ୍ୟିକ କାରବାରକୁ ଆହୁରି ପ୍ରସାରିତ କରିବାରେ ସହାୟକ ହୋଇଥିଲା। ସେ କେବଳ ଜଣେ ସଫଳ ବ୍ୟବସାୟୀ ନଥିଲେ, ବରଂ ସେ ଥିଲେ ଜଣେ ଦୂରଦ୍ରଷ୍ଟା ଉଦ୍ୟୋକ୍ତା, ଯିଏ ଭାରତରେ ଆଧୁନିକ ଶିଳ୍ପର ଭିତ୍ତି ପ୍ରତିଷ୍ଠା କରିବାରେ ସହାୟକ ହୋଇଥିଲେ। ସେତେବେଳେ ସେ ଜାମସେଦଜୀ ଟାଟାଙ୍କ ଠାରୁ ବି ବଡ଼ ଉଦ୍ୟୋଗପତି ଥିଲେ।
୧୮୨୯ ମସିହାରେ ସେ କଲିକତାରେ ୟୁନିଅନ୍ ବ୍ୟାଙ୍କ ପ୍ରତିଷ୍ଠା କରି ତାର ଡାଇରେକ୍ଟର ଥିଲେ। ଏହା ମାଧ୍ୟମରେ ସେ ଭାରତୀୟ ଆର୍ଥନୀତିକ ସେବାକୁ ପ୍ରୋତ୍ସାହନ ଦେଇଥିଲେ। ୧୮୩୪ ମସିହାରେ ସେ ଏବଂ ତାଙ୍କର ଅଂଶୀଦାରମାନେ Carr, Tagore and Company ନାମରେ ଗୋଟିଏ Anglo Indian Trading Agency ଆରମ୍ଭ କରିଥିଲେ, ଯାହା ଥିଲା ତାଙ୍କର ଏକ ଉଲ୍ଲେଖନୀୟ ଉଦ୍ୟୋଗ।
ଦ୍ବାରିକାନାଥ ରାଣୀଗଞ୍ଜ କୋଇଲାଖଣିରୁ ବିଦେଶକୁ କୋଇଲା ରପ୍ତାନୀ ପୂର୍ବକ ଭାରତୀୟ କୋଇଲାଶିଳ୍ପର ବିକାଶରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏଥିପାଇଁ ସେ ରାଣୀଗଞ୍ଜରୁ କଲିକତା ପର୍ଯ୍ୟନ୍ତ ରେଳପଥ କରିବା ପାଇଁ ଯୋଜନା କରିଥିଲେ, କିନ୍ତୁ ଏହାକୁ ବ୍ରିଟିଶ ସରକାର ଅନୁମତି ଦେଇନଥିଲେ।
ଭାରତୀୟ ନବଜାଗରଣ ଓ ସସ୍କାରଧର୍ମୀ ଆନ୍ଦୋଳନରେ ବି ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ରାଜା ରାମମୋହନ ରାୟଙ୍କ ସହିତ ମିଶି ବ୍ରାହ୍ମସମାଜ ପ୍ରତିଷ୍ଠା କରିଥିଲେ। ଉଚ୍ଚ ଜାତିର ବ୍ରାହ୍ମଣମାନଙ୍କ ସହିତ ତାଙ୍କ ପୂର୍ବ ପିଢ଼ିର ଖରାପ ସମ୍ପର୍କ ଏବଂ ପାରିବାରିକ କଳହ ଯୋଗୁଁ ମାନସିକ ଭାବରେ ଆଘାତପ୍ରାପ୍ତ ଦ୍ୱାରକାନାଥ ସ୍ୱାଧୀନ ଭାବରେ ନିଜକୁ ବାଣିଜ୍ୟ କ୍ଷେତ୍ରରେ ନିୟୋଜିତ କରିଥିଲେ। ଜାତିଗତ ଭେଦଭାବ ଯୋଗୁଁ, ଟାଗୋର ପରିବାରର କୌଣସି ସଦସ୍ୟ, ଏପରିକି ରବିନ୍ଦ୍ରନାଥ ଟାଗୋର ମଧ୍ୟ, ଏକ ସମ୍ଭ୍ରାନ୍ତ ବ୍ରାହ୍ମଣ ପରିବାରରେ ବିବାହ କରିପାରି ନଥିଲେ।
ଦ୍ୱାରକାନାଥ ୧୮ ମାର୍ଚ୍ଚ ୧୮୪୬ ମସିହାରେ ଲଣ୍ଡନ ଯାଇଥିଲେ। ୩୦ ଜୁନରେ, ଡଚେସ୍ ଅଫ୍ ଇନଭରନେସ୍ଙ୍କ ପ୍ରାସାଦରେ ଏକ ରାତ୍ରୀଭୋଜନରେ, ତାଙ୍କୁ ପ୍ରବଳ ଜ୍ୱର ହୋଇଥିଲା। ତା’ପରେ ତାଙ୍କର ଶାରୀରିକ ଅବସ୍ଥା ଧୀରେ ଧୀରେ ଖରାପ ହୋଇଗଲା। ୧ ଅଗଷ୍ଟ ୧୮୪୬ରେ, ମାତ୍ର ୫୧ ବର୍ଷ ବୟସରେ, ଦ୍ୱାରକାନାଥଙ୍କ ମୃତ୍ୟୁ ଘଟିଲା। ତାଙ୍କ ଶରୀରକୁ ଲଣ୍ଡନର ‘କେନସାଲ୍ ଗ୍ରୀନ୍’ କବରସ୍ଥାନରେ ରାଜକୀୟ ସମ୍ମାନ ସହିତ କବର ଦିଆଯାଇଥିଲା। ତାଙ୍କ ମୃତ୍ୟୁର ଖବର ପ୍ରାୟ ଦେଢ଼ ମାସ ପରେ କୋଲକାତାରେ ପହଞ୍ଚିଲା।
(ସୁନୀଲ୍ ଗଙ୍ଗୋପାଧ୍ୟାୟ ତାଙ୍କର “ପ୍ରଥମ ଆଲୋ” ଉପନ୍ୟାସରେ ଠାକୁରବାଡିର ଅନେକ ତଥ୍ୟ ସୁନ୍ଦର ଭାବେ ଲେଖିଛନ୍ତି। ୧୫୦୦ ପୃଷ୍ଠା ବିଶିଷ୍ଟ ଏହି ଉପନ୍ୟାସର ଦ୍ଵିତୀୟ ଭାଗକୁ ସୁଶ୍ରୀ ଅମିୟବାଳା ପଟ୍ଟନାୟକ ଓଡିଆରେ ଅନୁବାଦ କରିଛନ୍ତି।)

