ର ବି କ ଥା -୧୩
ରବୀନ୍ଦ୍ରନାଥଙ୍କୁ ସମସ୍ତେ ବିଶ୍ବକବି, କବିଗୁରୁ, ଗୁରୁଦେବ ଆଦି ଅବିଧାରେ ଭୂଷିତ କରିଥାନ୍ତି। ତେବେ ରବୀନ୍ଦ୍ରନାଥ ତାଙ୍କ ନିଜ ନାମ ବ୍ୟତୀତ ଅନ୍ୟ ଅନେକ ଛଦ୍ମନାମରେ ଲେଖୁଥିଲେ। ଲକ୍ଷ୍ୟକଲେ ଜଣାଯାଏ, ସେ ୯ଟି ଛଦ୍ମନାମ ବ୍ୟବହାର କରି ଲେଖିଥିଲେ। ଏହି ଛଦ୍ମନାମରେ ଲିଖିତ ଲେଖାଗୁଡ଼ିକ ପ୍ରକୃତ ନାମରେ ଲେଖାଠାରୁ ଟିକେ ଅଲଗା ଓ ସ୍ବତନ୍ତ୍ର। ସେ ବ୍ୟବହାର କରିଥିବା ଛଦ୍ମନାମଗୁଡ଼ିକ ହେଲା- ଭାନୁସିଂହ ଠାକୁର, ଅକପଟଚନ୍ଦ୍ର ଭାସ୍କର, ଆନ୍ନାକାଳୀ ପାକଡାଶୀ, ଦିକଶୂନ୍ୟ ଭଟ୍ଟାଚାର୍ଯ୍ୟ, ନବୀନ କିଶୋର ଶମିତା, ଷଷ୍ଠୀଚରଣ ଦେବବର୍ମା, ବାଣୀବିନୋଦ ବିଦ୍ୟାବିନୋଦ, ଶ୍ରୀମତୀ କନିଷ୍ଠା ଓ ଶ୍ରୀମତୀ ମଧ୍ୟମା।
ରବୀନ୍ଦ୍ରନାଥ ୫୨ଟି କାବ୍ୟ ଗ୍ରନ୍ଥ, ୧୩ଟି ଉପନ୍ୟାସ ୧୯୧୫ଟି ଗୀତ ରଚନା କରିଥିଲେ ଯାହା “ଗଳ୍ପଗୁଚ୍ଛ” ଓ “ଗୀତବିତାନ୍” ସଙ୍କଳନରେ ଅନ୍ତର୍ଭୁକ୍ତ। ତାଙ୍କର ଯାବତୀୟ ପ୍ରକାଶିତ ଓ ଅପ୍ରକାଶିତ ରଚନା ୩୨ଖଣ୍ଡରେ ରବୀନ୍ଦ୍ର ରଚନାବଳୀ ନାମରେ ପ୍ରକାଶିତ। ଏହାବ୍ୟତୀତ ସେ ଦୁଇହଜାର ଚିତ୍ର ବି ଆଙ୍କିଛନ୍ତି।
“ଗୀତାଞ୍ଜଳି” ହେଉଛି ରବୀନ୍ଦ୍ରନାଥଙ୍କ ଲିଖିତ କାବ୍ୟଗ୍ରନ୍ଥ, ଯେଉଁଥିରେ ୧୫୭ଟି ଗୀତିକବିତା ରହିଛି। କବିତାଗୁଡ଼ିକ ବ୍ରହ୍ମଭାବାପନ୍ନ ଭକ୍ତିମୂଳକ ରଚନା। ଏଥିରେ ଥିବା ଅଧିକାଂଶ କବିତାକୁ ରବୀନ୍ଦ୍ରନାଥ ନିଜେ ସ୍ବର ଦେଇଥିଲେ। ୧୯୦୮-୦୯ ମସିହାରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ଏଇ କବିତାଗୁଡ଼ିକ ୧୯୧୦ ମସିହାରେ “ଗୀତାଞ୍ଜଳି” କାବ୍ୟଗ୍ରନ୍ଥ ଭାବରେ ପ୍ରକାଶିତ। ୧୦୧୩ ମସିହାରେ ଏହାର ଇଂରାଜୀ ଅନୁବାଦ ପାଇଁ ନୋବେଲ ପୁରସ୍କାର ପାଇଥିଲା।
“ଭାନୁସିଂହେର ପଦାବଳୀ” ରବୀନ୍ଦ୍ରନାଥଙ୍କ ବ୍ରଜବୋଲି ଭାଷାରେ ରଚିତ ଗୋଟିଏ କାବ୍ୟଗ୍ରନ୍ଥ। କିଶୋର ଓ ଆଦ୍ୟ ଯୌବନରେ ରବୀନ୍ଦ୍ରନାଥ ‘ଭାନୁସିଂହ’ ଛଦ୍ମନାମରେ ବୈଷ୍ଣବ କବିତା ଅନୁସରଣରେ କିଛି ପଦ ରଚନା କରିଥିଲେ। ୧୮୮୪ ମସିହାରେ ସେ ସେଇ କବିତା ଗୁଡ଼ିକ “ଭାନୁସିଂହେର ପଦାବଳୀ” ନାମରେ ପ୍ରକାଶିତ। କବିତାଗୁଡ଼ିକ ଗ୍ରନ୍ଥାକାରରେ ପ୍ରକାଶ ପୂର୍ବରୁ ବିଭିନ୍ନ ସମୟରେ ‘ଭାରତୀ’ ପତ୍ରିକାରେ ପ୍ରକାଶିତ ହୋଇଥିଲା।
ସେହିପରି “ଚୋଖେରବାଲି” ରବୀନ୍ଦ୍ରନାଥଙ୍କ ଲିଖିତ ଗୋଟିଏ ସାମାଜିକ ଉପନ୍ୟାସ। ୧୯୦୧-୦୨ ମସିହାରେ ‘ବଙ୍ଗଦର୍ଶନ’ ପତ୍ରିକାରେ ଧାରାବାହିକ ଭାବେ ପ୍ରକାଶ ପାଇ ୧୯୦୩ ମସିହାରେ ବହି ଆକାରରେ ପ୍ରକାଶ ପାଇଥିଲା। ଉପନ୍ୟାସର ବିଷୟ ସମାଜ ଓ ଯୁଗ ଯୁଗାନ୍ତରଗତ ସଂସ୍କାର ସହିତ ବ୍ୟକ୍ତି ଜୀବନର ବିରୋଧ। ଜଣେ ଅନଭିଜ୍ଞା ବାଳିକାବଧୂ ଓ ବାଲ୍ୟବିଧବା ପ୍ରତି ଆକୃଷ୍ଟ ଦୁଇ ପୁରୁଷକୁ କେନ୍ଦ୍ରକରି ଏହାର ଆଖ୍ୟାନ ଭାଗ ଗତିଶୀଳ।
ରବୀନ୍ଦ୍ରନାଥ ନୋବେଲ ପୁରସ୍କାର ପାଇ ବିଶ୍ୱରେ ଯେତେବେଳେ ଗୋଟିଏ ବ୍ରାଣ୍ଡ୍ ପାଲଟିଗଲେ, ତା ପରଠୁଁ ସେ ସଚେତନ ହେଲେ ଓ କ୍ରମଶଃ ଛଦ୍ମନାମ ଛାଡ଼ି ପ୍ରକୃତ ନାମରେ ଲେଖିଲେ।

