ପଞ୍ଜୁରୀ

ମୂଳ ଲେଖା: ଅବଦୁଲରାଜାକ ଗୁର୍ନାହ || ଅନୁବାଦ: ଜ୍ୟୋତି ନନ୍ଦ

କେବେ କେବେ ହମିଦର ମନକୁ ଆସେ ପୂରା ସମୟ ସେ ଯେମିତି ଏଇ ଦୋକାନଟିରେ ବନ୍ଦୀ ହୋଇ ରହିଯାଇଛି ଆଉ ଏଇଭଳି ସେଇଠି ହିଁ ତାହାର ଶେଷ ଜୀବନଟି ବି ବିତିଯିବ। ଆଜିକାଲି ଏତେ ଅସୁବିଧା ହୁଏନା,ଆଉ ଅଧରାତିରେ ଗୋପନ ଫୁସଫୁସ କଥାଗୁଡିକ କାନରେ ପଡୁନି,ସେଇ ଆତଙ୍କ ପାଇଁ ତ ଗୋଟିଏ ସମୟରେ ତାହାର ଛାତି ଖାଲି ଖାଲି ଲାଗୁଥିଲା। ଏଇଲେ ସେ ବୁଝିପାରୁଛି ବର୍ଷାଜଳ ରେ ଯେଉଁ ନାଳ ତିଆରି ହୋଇ ସହରକୁ ସହରତଳୀ ଠାରୁ ଅଲଗା କରିଦିଏ ,ଇଏ ହେଉଛି ତାହାର ଆବାଜ। ପ୍ରାଣଚାଞ୍ଚଲ୍ୟରେ ଭରପୂର। ଦୋକାନଟା ବେଶ୍ ଭଲ ଜାଗାରେ,ସହରତଳୀରୁ ଆସିଥିବା  ରାସ୍ତାଗୁଡିକ ସହରର ମଝିରେ ଯେଉଁଠି ଆସି ମିଶିଛନ୍ତି ,ଠିକ୍ ସେଇଠି। ଭୋର୍ ର ଆଲୁଅ ଫୁଟିବା ଫୁଟିବା ହେଉଥିବ ସେ ଦୋକାନ ଖୋଲିଦିଏ,ସେଇ ସମୟରେ ଭୋର ଥାଉଥାଉ ମଣିଷମାନେ କାମକୁ ବାହାରି ଆସିଥାନ୍ତି,ଆଉ ରାତି ର ଦଳଛଡା ଶେଷ ମଣିଷଟି ଘରକୁ ନଫେରିବା ଯାଏଁ ସେ ଦୋକାନକୁ ବନ୍ଦ କରିନଥାଏ। ଦୋକାନରେ ବସି ବସି ହିଁ ଜୀବନର ସମସ୍ତ ପ୍ରକାରର ରୂପ ତାହାର ଦେଖା ହୋଇଯାଇଛି,ସେଇ କଥା ସବୁ କହିବାରେ ତାହାର ଭାରି ଆନନ୍ଦ। ଦୋକାନର ସବୁଠୁ ବ୍ୟସ୍ତ ସମୟତକ ତାହାକୁ ଛିଡା ହୋଇ ଗରାଖମାନଙ୍କର ଆପ୍ୟାୟନ କରି କଥା କହିବା ଆଉ ହସ ମସ୍କରା କରିବାର ଦେଖାଯାଏ । ସେ ନିପୁଣତାର ସହ ଗରାଖ ଏବଂ ବ୍ୟବସାୟକୁ ସମ୍ଭାଳିଥାଏ , ସେଇଥିପାଇଁ ସେ ମନେ ମନେ ସବୁବେଳେ ବେଜାୟ ଖୁସି। କାମ ସରିଲେ କ୍ୟାଶ୍ ବାକ୍ସର ପାଖକୁ ଲାଗି ପଡିଥିବା ଆସନ ଉପରେ ସେ କ୍ଳାନ୍ତ ହୋଇ ବସିପଡିଥାଏ ।

ଦିନେ ସଂଜବେଳାରେ କିଶୋରୀଟି ଦୋକାନକୁ ଆସିଥିଲା,ଟିକିଏ ଅଧିକ ଡେରି କରି ଆସିଥିଲା,ଯେତେବେଳେ କି ହାମିଦ ଭାବୁଥିଲା ଏଥର ଦୋକାନକୁ ଆଜି ପାଇଁ ବନ୍ଦ କରିଦେଲେ ଚଳିବ। ଦୁଇ ଦୁଇଥର ସେ ସେଦିନ ଢୋଳେଇ ପଡିଥିଲା ଯାହାକୁ ଦୋକାନ ପାଇଁ ଅସମୟ  ବୁଝାଇବାର କୌଣସି ଧୂର୍ତ୍ତ ଚାଲ ବୋଲି ଅନେକେ ମନେ କରିପାରନ୍ତି । ଦ୍ୱିତୀୟଥର ଢୋଳକୁ କାଟି ଯେତେବେଳେ ସେ ଚମକି ପଡିଲା,ମନେ ହେଲା ଯେମିତି ପ୍ରକାଣ୍ଡ ଗୋଟିଏ ହାତ ଗଳାକୁ ଚିପି ଧରି ତାହାକୁ ମାଟିରୁ ଉଠାଇ ନେଇଛି । ମୁହଁରେ ଦଳାଟିଏ ବିରକ୍ତି ସହ ଠିକ୍ ତାହାର ସାମ୍ନାରେ ଛିଡାହୋଇ ରହିଛି ସେଇ କିଶୋରୀଟି।

ଦୀର୍ଘ ଗୋଟିଏ ମିନିଟ୍ ଉଦ୍ଧତ ଭଂଗୀରେ ଛିଡାହୋଇ କିଶୋରୀଟି କହିଲା,ଘିଅ,ଏକ ସିଲିଙ୍ଗ୍ ର । କଥାଟା କହୁକହୁ କିଶୋରୀଟି ତାହାର ମୁହଁକୁ ଘୁରାଇନେଲା ,ଯେମିତି ତାହା ଆଡକୁ ଚାହିଁବା ବଡ ବିରକ୍ତିକର। ଖଣ୍ଡିଏ କପଡା ଶରୀର ର ଉପରଭାଗରେ ଜଡିରହିଛି  ,ବାହା ପାଖରେ ତାହା ଗୁଞ୍ଜା ଯାଇଛି । ନରମ ସୂତାର କପଡା ଭେଦକରି ଫୁଟି ଉଠିଛି ନମନୀୟ ଦେହର ସମସ୍ତ ସୌଷ୍ଠବ। କାନ୍ଧ ଅନାବୃତ,ମ୍ଳାନ ଆଲୁଅରେ ଚକମକ । ତାହାର ହାତରୁ ଗିନାଟି ନେଇ ହାମିଦ ଘିଅର ଟିଣ ଉପରକୁ ଝୁଙ୍କି ପଡିଲା। ସହସା ତାହାର ମନରେ  ଗୋଟିଏ ଦୂରାଶା ଆଉ ବ୍ୟଥା।ଗିନାଟି  ଫେରସ୍ତ ଦେଲାବେଳକୁ, କିଶୋରୀଟି ତାହା ଆଡକୁ ଘଡିଏ ସେମିତି ଚାହିଁଛି କି ନାହିଁ, ହାମିଦର ମନେ ହେଲା କିଶୋରୀଟିର ଆଖି ଦୁଇଟି ଯେମିତି କେଉଁ କାଳର କ୍ଳାନ୍ତିରେ ଭରପୂର । କିଶୋରୀର ବୟସ ବହୁତ କମ୍,ମୁହଁଟି ଗୋଲ,ଆଉ ବେକଟି ସରୁ। ପଦଟିଏ କିଛି ନକହି କିଶୋରୀଟି ପଛପଟକୁ ବୁଲି ପଡି  କଂକ୍ରିଟ୍ ରେ ତିଆରି ହୋଇଥିବା ନଳାକୁ ,ସେଇ ନଳା ଯାହା ଦ୍ୱାରା ରାସ୍ତା ଆଉ ଫୁଟପାଥକୁ ଅଲଗା କରାଯାଇଛି, ତାହାକୁ ଗୋଟିଏ ଡିଆଁରେ ଅତିକ୍ରମ ଅଂଧାର ଭିତରକୁ ମିଳାଇଗଲା। ତାହାର ଅଂଧାରରେ ଧୀରେ ଧୀରେ ମିଳାଇଯାଉଥିବା ଅବୟବକୁ ଦେଖି ଚିତ୍କାର କରି ସେଇ କିଶୋରୀକୁ ସାବଧାନ କରିଦେବା ପାଇଁ ଚାହୁଁଥିଲା। ଅଂଧାରରେ କେଉଁ ବିପଦ ଲୁଚି ରହିନାହିଁ ବୋଲି ସେକଥା ଏଇ କିଶୋରୀଟି ଜାଣିଲା ନ କେମିତି ? ତାହାକୁ ଡାକି ସତର୍କ କରିଦେବା ଭଳି ଆବେଗ କୌଣସି ମତେ ଅଟକାଇ ଦେବାକୁ ଯାଇ ହମିଦର ଗଳାରୁ କେବଳ ଘଡଘଡ ପରିକା ଗୋଟିଏ ଶବ୍ଦ ବାହାରିଥିଲା। ଅଳ୍ପ କିଛି ଅପେକ୍ଷା, ମନରେ କ୍ଷୀଣ ଆଶା, କିଶୋରୀର ହଠାତ୍ ଗୋଟିଏ ଚିତ୍କାର ଭଳି ଡାକ ହେଲେ ସେ ଯେତିକି ଯେତିକି ରାତି ଭିତରକୁ ପ୍ରବେଶ କରୁଥିଲା ହମିଦ କେବଳ ଶୁଣିପାରୁଥିଲା ଏଇ ସବୁକୁ ପ୍ରତ୍ୟଖ୍ୟାନ କରିବା ଭଳି ତାହାର ଚପଲର  ମିଳାଇଯାଉଥିବା ଫଟଫଟ ଶବ୍ଦ।

Drawing by Ramakanta Samantaray

ସେ ଦେଖିବାକୁ ବେଶ୍ ସୁନ୍ଦର, ଆଉ ଏଇଠି ଛିଡା ହୋଇ  ତାହାର କଥାକୁ ଭାବୁ ଭାବୁ, କିଏ ଜାଣେ କେଉଁ କାରଣ ପାଇଁ, ଯେଉଁ ବାଟ ଦେଇ କିଶୋରୀଟି ଅଦୃଶ୍ୟ ହୋଇ ଯାଇଛି, ଅନ୍ଧାରରେ, ଠିକ୍ ସେଇଠି ଗୋଟିଏ ବଡ ଗାତ ଦେଖିବାକୁ ପାଇଲା ହମିଦ ଆଉ ନିଜ ପ୍ରତି ବିତୃଷ୍ଣାରେ ତାହାର ମନ ଭରି ଉଠିଲା। ଠିକ୍ ହିଁ କରିଛି, କିଶୋରୀଟି ତାହାକୁ ତାତ୍ସଲ୍ୟ କରେ। ଶରୀର ଆଉ ମନ ଆହୁରି ବିସ୍ୱାଦ ହୋଇ ଉଠିଲା। ଦିନେ ଛାଡି ଦିନେ ଆଉ ଦିନକୁ ଥରକରୁ ଅଧିକ ଗାଧୋଇବାର ଦରକାର ଅଛି ବୋଲି କେବେ ସେକଥା ତାହାର ମନକୁ ଆସିନି। ବିଛଣାରୁ ଦୋକାନକୁ ପହଞ୍ଚିଯିବାକୁ ତା’କୁ ପ୍ରାୟ ଗୋଟିଏ ମିନିଟରୁ ଅଧିକ  ଲାଗେନାହିଁ,ଆଉ ସେ ଦୋକାନକୁ ଛାଡି ଆଉ କୁଆଡେ କେବେ ବାହାରକୁ ଯାଇନାହିଁ । ତାହାହେଲେ ଆଉ ଏତେ ଗାଧୋଇବାର ଆଉ ଦରକାର କ’ଣ ଅଛି ? ଉପଯୁକ୍ତ ବ୍ୟାୟାମ ନକରିବା କାରଣରୁ ତାହାର ପାଦଦୁଇଟି କଦାକାର ଆକୃତି ଧାରଣ କରିଛି। ଦାସତ୍ୱବନ୍ଧନର ଦିନମାନ ଆଉ ନାହିଁ। ଦିନ ପରେ ଦିନ,ମାସ ପରେ ମାସ ,ଏଇ ଭଳି ଚାଲି ଆସିଛି ,କୌଣସି ବିଚରା ଭଳି ପଞ୍ଜୁରୀରେ ବନ୍ଦୀ ଅବସ୍ଥାରେ ଜୀବନ ବିତାଇ ଦେବାକୁ ହେଉଛି। କ୍ଳାନ୍ତ ମନରେ ସେ ଦୋକାନ ବନ୍ଦ କଲା,ମନେ ମନେ ସେ ଜାଣେ ଯେ ନିଜର ଯେଉଁ ଚରିତ୍ରଗୁଡିକ ଆତଯାତ ହେଉଛନ୍ତି ତାହାର ଦୀନତାକୁ ସାରାରାତି ପ୍ରଶ୍ରୟ ଦେବାକୁ ପଡିବ।

ପରଦିନ ସଂଧ୍ୟାରେ କିଶୋରୀଟି ପୁଣି ଦୋକାନକୁ ଆସିଥିଲା। ହମିଦ ସେତେବେଳେ ତାହାର ଜଣେ ସବୁଦିନିଆ ଗରାଖ ସହ କଥା ହେଉଥିଲା, ତାଙ୍କର ନାଆଁ ମନସୁର, ବୟସରେ ଅନେକ ବଡ, ଘର ପାଖାପାଖି । ବେଳେ ବେଳେ ସଂଜରେ ଆଡ୍ଡାମାରିବା ପାଇଁ ତା’ ଦୋକାନକୁ ଆସେ। ପରଳ କାରଣରୁ ଲୋକଟା ଆଖିରେ ପ୍ରାୟ ଦେଖି ପାରେନି, ଆଉ ଏଇଥିପାଇଁ ପିଲାଏ ତା’କୁ ଢେର୍ ବିରକ୍ତ କରିଥାନ୍ତି, ଅତ୍ୟନ୍ତ କଦର୍ଯ୍ୟ ଧରଣର ରସିକତା ବି ତା’ ସହିତ ବେଳେବେଳେ କରିଥାନ୍ତି। କେହି କେହି କହିଥାନ୍ତି ଆଖି ଭର୍ତ୍ତି ଲେଞ୍ଜରା କାରଣରୁ କୁଆଡେ ମନସୁର ଅନ୍ଧ ପାଲଟି ଯାଇଛି।ମନସୁର ସେଇ ପିଲାମାନଙ୍କର ପିଛା ଛଡାଇ ପାରେନି। ମଝିରେ ମଝିରେ ହମିଦର ମନେହୁଏ ଦୋକାନକୁ ଆସିବା ବା ତାହାର ନିକଟରେ ଘୁରଘୁର କରିବା ପଛରେ ତାହାର କୌଣସି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ଅଛି। କିମ୍ବା ହୁଏତ କେବଳ ନିଜର ଦେହର ଜ୍ୱାଳାର ଉପଶମ କରିବା ବା ନିଚ୍ଛକ ଗୁଜବ ରଟନା କରିବା ଛଡା ଆଉ ଏଗୁଡିକ ଅଧିକ କିଛି ନୁହେଁ । କିଶୋରୀଟି ଆସିବାର ଦେଖି ମନସୁର କଥା କହିବା ବନ୍ଦ କରି କ୍ଷୀଣ ଆଲୁଅରେ ଆଖିକୁ କୁଞ୍ଚାଇ କିଶୋରୀର ଚେହେରାଟି କେଉଁଭଳି ସେହିପରି ଗୋଟିଏ ଅଂଦାଜ କରିବାକୁ ଚେଷ୍ଟା କରୁଥିଲା ।

“ଜୋତା ପାଲିସ୍ ଅଛି ? କଳା?” କିଶୋରୀ ଟି ଜାଣିବାକୁ ଚାହିଁଲା।

“ଅଛି” ହମିଦ କହିଲା। ଗଳାରେ କିନ୍ତୁ କ’ଣ ଗୋଟାଏ ଅଟକି ଯାଇଛି ବୋଲି ତାହାର ମନେ ହେଲା। ତେଣୁ ଗଳାକୁ ପରିଷ୍କାର କରି ଆଉ ଥରେ କହିଥିଲା,” ଅଛି ।” କିଶୋରୀଟି ଏଥିରେ ହସିଲା।

“ଆସ ଆସ ସୁନାମଣି। ଆଉ ଆଜି ଅଛ କେମିତି ?”ମନସୁର ପଚାରିଲା।ତାହାର ଗଳାର ସ୍ୱର ଏତେ ଗମ୍ଭୀର ଆଉ ଗଡାଣି ଭଳି ଏତେ ମସୃଣ ଯେ ହମିଦର ମନେହେଲା କଥାଟି ଯେମିତି ରସିକତା କରି କୁହାଯାଇଛି । ମନସୁର ତଥାପି କହି ଚାଲିଥାଏ,” ତମର ଦେହରୁ କି ଯେ ସୁନ୍ଦ ଗନ୍ଧ ଆସୁଛି,ପରଫ୍ୟୁମ୍ ଟା ନିହାତି ଭଲ।କଣ୍ଠସ୍ୱର ଠିକ୍ ଜୁଆର୍ ଭଳି ଆଉ ଶରୀର ଯେମିତି ଗାଜେଲ୍ ହରିଣୀ । ଏବେ କହିବ କି ମୋତେ , ମୋସିଚାନା (ମୋସିଚାନା ହେଉଛି ସ୍ୱାହିଲି ଭାଷାରେ କୁମାରୀ କନ୍ୟା) ତମେ ଆଜି ରାତିରେ ଖାଲି ଅଛ ? ମୋର ପିଠିରେ ତେଲ ମାଲିସ୍ କରିବା ପାଇଁ ଜଣେ ନିହାତି ପ୍ରୟୋଜନ ।”

କିଶୋରୀଟି ତା’ ଆଡକୁ କର୍ଣ୍ଣପାତ କଲା ନାହିଁ । ପଛକୁ ଘୁରି ଛିଡା ହୋଇ ହମିଦ ଉଭୟ ମନସୁର ଆଉ ସେଇ କିଶୋରୀର ଅସଂପର୍କର କଥା ଗୁଡିକ ଶୁଣିଥିଲା। କିଶୋରୀର ବେଲଗାମ ତାରିଫ କରିବା ଆଳରେ ଦେଖା ହେବାର ସମୟକୁ ଠିକ୍ କରିଦେବାର ଇଏ ଆପ୍ରାଣ ଚେଷ୍ଟା। ହାମିଦ କିନ୍ତୁ ଏଥିରେ ଚମକି ଯାଇ ଜୋତା ପାଲିସ୍ ର ଡବାକୁ ପାଇଲା ନାହିଁ। ଶେଷରେ ଯେତେବେଳେ ପାଇଲା ,ତାହାର ମନେହେଲା ଏତେ ସମୟ ଧରି କିଶୋରୀଟି ତାହାକୁ ଲକ୍ଷ୍ୟ କରୁଛି,ଆଉ ସେ ଏମିତି ଅପ୍ରସ୍ତୁତ ହୋଇଯିବାର ଦେଖି ମନକୁ ମନ ହସୁଛି। ସେ ବି ହସିଲା,କିନ୍ତୁ ଭ୍ରୁକୁଂଚିତ କରି କିଶୋରୀଟି ପାଲିସ୍ ର ଦାମ ମିଟାଇ ଦେଲା।ମନସୁର କିଶୋରୀଟିର ପାଖରେ ଛିଡାହୋଇ ବକବକ କରି ଚାଲିଥିଲା ଆଉ ନିଜର ପକେଟକୁ ଟିକିଏ ଝୁଂକାଇ ପଇସାର ଝଣଝଣ ଶବ୍ଦ ତିଆରି କରୁଥିଲା। କିନ୍ତୁ କିଶୋରୀଟି ପଦେ କିଛି ନକହି ବୁଲି ପଡି ସେଇଠୁ ଚାଲି ଯିବାକୁ ଲାଗିଲା।

“ଦେଖିଲ ଏ ଟୋକୀଟାକୁ ? ଦେଖିଲେ ଲାଗିବ ଯେମିତି ଏହାର ମୁହଁ ଉପରେ କିରଣ ଢାଳିବା ପାଇଁ ଖୋଦ୍ ସୂର୍ଯ୍ୟଦେବଙ୍କର  ସାହସ ନାହିଁ। ଏତେ ଦିମାକ୍ ! କିନ୍ତୁ ସତ କହିଲେ ଇଏ ଏକ ଚାଲୁ ମାଲ୍”, ମନସୁର କହିଲା। ତାହାର ଦେହ ସେତେବେଳେ ହସର ଫୁଆରାରେ ଦୋହଲୁଥାଏ।”ଦେଖିବ,ବେଶି ଡେରି ହବନି, ମୁଁ ତାହାକୁ ମୋ ବିଛଣାକୁ ଆଣି ପାରିବି ମ ! ଭାବୁଛ,ଏମିତିରେ ତାହାର କେତେ ଦର ହବ ?ସେମାନେ ସବୁବେଳେ ଏମିତି ନଖରା କରନ୍ତି, ଏଇ ଯେତେକ ଚାଲୁ ମାଲ୍,ସବୁବେଳେ ଭାରି ଦିମାକ ଆଉ ଗନ୍ଧିଆ ଚାହାଁଣୀ ! ହେଲେ ତମେ ଥରେ ସେମାନଙ୍କୁ ବିଛଣାକୁ ଆଣିଛ ମାନେ, ତମେ ସେମାନଙ୍କର ଭିତରକୁ ପ୍ରବେଶ କରିଗଲ, ତାହାର ମାନେ ସେମାନେ ଜାଣିଯିବେ ଯେ କିଏ ହେଉଛି ମାଲିକ ?”

ଲୋକବାକଙ୍କ ସହିତ ତାଳ ଦେଇ ହମିଦକୁ ହସ ଲାଗୁଥିଲା। ହେଲେ ତାହାର ମନ କହୁନଥିଲା, ଏଇ କିଶୋରୀଟିକୁ କେବେ ବି କିଣାଯାଇ ପାରିବ ! କିଶୋରୀଟି ଏତେ ପରିମାଣରେ ସ୍ଥିର ଆଉ ତାହାର ପ୍ରତିଟି କାମରେ ଏତେ ସହଜ ଯେ ସେ ମନସୁରର ଫାନ୍ଦରେ ଧରାପଡିଯିବ,ସେମିତି କଥା ତାହାର ମନକୁ ଆସୁନଥିଲା । ଥରକୁ ଥର  ତାହାର ମନ ଭିତରକୁ ସେଇ କିଶୋରୀଟି ଫେରିଆସୁଥିଲା ଆଉ ଯେତେବେଳେ ସେ ଏକେଲା ସେ ତାହା ସହିତ ଶାରିରୀକ ଭାବରେ ଘନିଷ୍ଠ ହେବା ଭଳି କଳ୍ପନା କରୁଥିଲା। ରାତିରେ ଦୋକାନ ବନ୍ଦ କରିବା ପରେ ସେ କିଛି ସମୟ ଜଣେ ବୁଢାଲୋକ, ଫଜିର, ଯିଏ ଦୋକାନର ମାଲିକ ଆଉ ପଛରେ ରହେ, ତାଙ୍କ ସହିତ କଟାଇଥିଲା। ସେ ଆଉ ନିଜକୁ ସେମିତି ଦେଖାଶୁଣା କରିପାନଥିଲା ,ତେଣୁ ଶେଜକୁ ଛାଡି ସେ କୁଆଡକୁ ଯିବାର ଦେଖାଯାଉ ନଥିଲା। ପାଖରେ ରହୁଥିବା ଜଣେ ସ୍ତ୍ରୀଲୋକ ଦିନବେଳେ ତାଙ୍କର ଦେଖାଶୁଣା କରେ, ସେଇଥିପାଇଁ ସେ ତେଜରାତି ଜିନିଷ ଆଦି ମାଗଣାରେ ନେଉଥିଲା ଆଉ ରାତି ହେଲେ ଏଇ ରୋଗିଣା ବୁଢା ଲୋକ ଜଣକ ଚାହାଁନ୍ତି ହମିଦ ଆସି କିଛି ସମୟ ଯେମିତି ତାଙ୍କର ପାଖରେ ବସୁ। ସେମାନେ କଥା ହେଲାବେଳେ ଘରସାରା ସେହି ମରଣମୁଖୀ ଲୋକଟିର ବାସ୍ନା ଘରସାରା ବିଛାଡି ପଡୁଥିଲା।ସାଧାରଣତଃ  ସେମାନେ ଦିଜଣଙ୍କ କଥାରେ ସେମିତି ବେଶି କିଛି ନଥାଏ, ବେପାରପତ୍ର ମାନ୍ଦା ଚାଲିବା ବିଷୟରେ କିଛି ଅଭିଯୋଗ ଆଉ ଉତ୍ତମ ସ୍ୱାସ୍ଥ୍ୟଲାଭ ପାଇଁ ଈଶ୍ୱରଙ୍କୁ ନିୟମିତ ପ୍ରାର୍ଥନା। ବେଳେ ବେଳେ ଯେବେ ଫଜିର୍ ଙ୍କର ନିଜ ଉପରେ ସେମିତି ବିଶ୍ୱାସ ନଥାଏ ସେ ମରଣ ଆଉ ପରବର୍ତି  ଜୀବନରେ ତାଙ୍କର ଯାହା ଯାହା ଘଟିବାକୁ ଯାଉଛି ସେଇ କଥା କହିଥାନ୍ତି ଆଉ ସେମିତି କଥା କହିବାବେଳେ ତାଙ୍କର ଆଖି ଲୁହରେ ଢଳଢଳ । ତାହାପରେ ହମିଦ ସେଇ ବୁଢାଲୋକଙ୍କୁ ପାଇଖାନାକୁ ନେଇଥାଏ,ନିଶ୍ଟିତ କରିଥାଏ ଯେ ସେଠିକାର ମଇଳା ଜାଗାଟି ସଫା ଆଉ ଫାଙ୍କା ରହିଛି ,ଆଉ ତାଙ୍କୁ ସେଇଠି ଛାଡି ଦେଇ ଆସିଥାଏ ସେ। ଢେର୍ ରାତିରେ , ଫଜିର୍ ନିଜ ସହିତ କଥା ହେଉଥାନ୍ତି ବେଳେବେଳେ ନିଜର ଗଳାକୁ ଟିକିଏ ଉଚ୍ଚା କରି ସେ ମଧୁର  ଭାବରେ ଡାକଦେଇଥାନ୍ତି ହମିଦକୁ।

Drawing by Ramakanta Samantaray

ହମିଦ ଭିତରପଟର ଅଗଣାର ବାହାରେ ଶୁଏ। ସେ ରାତିଟା ସାରା ଏକେଲା ଆଉ ସେଇଠୁ ଆଉ କୁଆଡକୁ ଯାଏନା । ବର୍ଷେ ହୋଇଗଲା ସେ ଦୋକାନ ଛାଡି ଆଉ କୁଆଡେ ବାହାରକୁ ଯାଇନାହିଁ,ଆଉ ତାହା ଆଗରୁ ସେ ଫଜିର୍ ଙ୍କ ସହିତ ବାହାରକୁ ଯାଉଥିଲା,ଫଜିରଙ୍କର  ଶଯ୍ୟାଶାୟୀ ହେବାର  ଆଗର କଥା ଇଏ। ଫଜିର ତା’କୁ ସାଥିରେ ଧରି ପ୍ରତ୍ୟେକ ଶୁକ୍ରବାର ଦିନ ମସଜିଦକୁ ଯାଉଥିଲେ ଆଉ ହମିଦର ସେଇ ଲୋକବାକଙ୍କ ଭୀଡ ଏବଂ ଭଂଗା ପେଭମେଣ୍ଟ  ସେମାନଙ୍କ ଗହଳିରେ ବାମ୍ଫେଇ ଉଠିବା ଭଳି କଥା  ମନରେ ଅଛି। ଘରକୁ ଫେରିବା ବେଳେ ସେମାନେ ହାଟକୁ ଯାଉଥିଲେ ଆଉ ଏଇ ବୁଢାଲୋକଟି  ସବୁଠୁ ମିଠା ଆଉ ରସାଳ ଫଳ ଆଉ ଉଜ୍ଜଳ ରଂଗର ପରିବାମାନଙ୍କର ନାଆଁ ତାହାକୁ କହୁଥିଲା ଏବଂ ସେଥିରୁ କିଛି କିଣି ତାହାକୁ ସେଗୁଡିକୁ ଛୁଇଁବାକୁ ଆଉ ତାହାର ଘ୍ରାଣ ନେବାକୁ କହୂଥିଲା। ତାହାର ବୟସ ଯେତେବେଳେ ବହୁତ କମ୍ ସେ ଏଇ ସହରକୁ ଆସିଥିଲା ,ସେବେଠୁ ସେ ଏଇ ବୁଢା ଫଜିରଙ୍କ ନିକଟରେ କାମ କରିଆସୁଛି। ଫଜିର ତାହାର ରହିବାର ବ୍ୟବସ୍ଥା କରିଦେଇଛନ୍ତି ଆଉ ସେ ତାଙ୍କର ଦୋକାନରେ କାମ କରିଆସୁଛି। ପ୍ରତ୍ୟେକ ଦିନର ଶେଷରେ ,ସେ ରାତିଟିକୁ ଏକେଲା ବିତାଏ,ବେଳେବେଳେ ତାହାର ନିଜର ଜନ୍ମକଲା ବାପାମାଆ ଙ୍କ କଥା ,ସେ ଜନାମ ହୋଇଥିବା ସହରର କଥା ତାହାର ଭାରି ମନେ ପଡେ। ଯଦିଓ ସେ ଆଉ କିଶୋର ନୁହଁ ,ସେଇ ସବୁ ସ୍ମୃତି ତାହାର ଆଖିରେ ଲୁହ ଆଣେ ଆଉ ସେହି ଅନୁଭବ ତାହାକୁ ଛାଡିଦିଏ ନାହିଁ,ସେ ସେଥିରେ ତଳିତଳାନ୍ତ  ହୋଇଯାଏ ।

ଯେତେବେଳେ ସେଇ କିଶୋରୀଟି ଦୋକାନକୁ ପୁଣିଥରେ ଆସିଥିଲା,କିଛି ବିନ୍ ଆଉ କିଛି ଚିନି କିଣିବାକୁ,ହମିଦ ଏଥର ଜିନିଷ ଦେଲାବେଳକୁ ମାପରେ ଟିକିଏ ଅଧିକ ଉଦାର ହୋଇଯାଇଥିଲା।ସେ ଏହାକୁ ଠିକ୍ ଦେଖିପାରିଥିଲା ଆଉ ହମିଦକୁ ଚାହିଁ ହସିଥିଲା। ହମିଦ ଏଥିରେ ଆନନ୍ଦରେ ଛଳଛଳ ହୋଇଗଲା,ଯଦିଓ ସେ ଜାଣିଛିଯେ ସେଇ କିଶୋରୀର ହସରେ ସେଦିନ ଥିଲା ନିଖୁଣ ପରିହାସ। ତାହାପରଥର ସେ ଦୋକାନକୁ ଆସିବା ବେଳେ ଅସଲରେ କିଛି କଥା ହମିଦକୁ କହିଥିଲା,ଗୋଟିଏ ଅଭିବାଦନ,ମାତ୍ର ତାହା ଯେମିତି ସୁନ୍ଦର ହୋଇପାରିବ ସେହି ଭଳି କଥାରେ କୁହାଯାଇଥିଲା।ପରେ କିଶୋରୀଟି ତା’କୁ କହିଥିଲା ,ତାହାର ନାଆଁ ରୁକିୟା ଆଉ ସେ ଏଇ ଇଲାକାକୁ ନିଜର ଆତ୍ମୀୟସ୍ୱଜନମାନଙ୍କ ସହ ରହିବା ପାଇଁ ଏବେ ଏବେ ଆସିଛି ।

“ତମର ଘର କେଉଁଠି ?” ସେ ପଚାରିଲା।

“ମେଉମ୍ବେମାରିଙ୍ଗୋ”ସେ କହିଲା,ଏକଥା କହିଲାବେଳେ ସେ ନିଜର ହାତକୁ ଏମିତି ଦିଗରେ ଦେଖାଇଥିଲା ଯେମିତି ଲାଗିବ ସେଇ ଜାଗାଟି ଏଇଠୁ ବହୁତ ବହୁତ ଦୂର।”ସେଇଠି ଯିବାକୁ ହେଲେ ତମକୁ ସେହି ପାହାଡକୁ ପାର ହେବାକୁ ପଡିବ ।”

ସେ ଦିନରେ  ଯେଉଁ ନୀଳରଂଗର ସୂତାର ପୋଷାକ ପିନ୍ଧିଥିଲା ସେଥିରୁ ହମିଦ ଜାଣିପାରୁଥିଲା ଯେ ସେଇ କିଶୋରୀଟି କେଉଁଠି ଗୋଟିଏ ଗୃହସହାୟିକା ଭାବରେ କାମ କରୁଛି। ଯେତେବେଳେ ସେ ତାହାକୁ ଏ ବିଷୟରେ ଯେ ସେ କେଉଁଠି କାମ କରୁଛି ସେଇ କଥା ପଚାରିଥିଲା  କିଶୋରୀଟି ସେଇ ପ୍ରଶ୍ନକୁ ଏଇଭଳି ଏଡାଇଦେଇଥିଲା ଯେମିତି ସେହି ଭଳି ପ୍ରଶ୍ନର ତାହାରିପାଇଁ ସେମିତି କିଛି ଅର୍ଥବ୍ୟଞ୍ଜକ ଗୁରୁତ୍ୱ ନାହିଁ । ପରେ କିନ୍ତୁ ସେ ତାହାକୁ କହିଥିଲା ଯେ, ଯେଉଁ ପର୍ଯ୍ୟନ୍ତ ସେ ଆଉ ଗୋଟିଏ ଅଧିକ ଭଲ କାମ ଜୁଟାଇନେଇ ପାରିନି ସେ ସହରର ଏଇ ନୂଆକରି ଗଢିଉଠିଥିବା ହୋଟେଲଗୁଡିକରୁ ଗୋଟିଏରେ ପରିଚାରିକା ଭାବରେ କାମ କରୁଥିବ। “ସବୁଠୁ ଭଲ, ଇକ୍ୟୁଏଟର” ସେ କହିଥିଲା।” ସେଇଠି ସ୍ୱିମିଙ୍ଗପୁଲ୍ ରହିଛି,ସବୁଆଡେ କାର୍ପେଟ୍ । ସେଇଠି ଯେଉଁମାନେ ରହିଥାନ୍ତି, ସେମାନେ ସବୁ “ମଜୁଙ୍ଗୁ” (ଆଫ୍ରିକାରେ ଶ୍ୱେତାଙ୍ଗ ମାନଙ୍କୁ ଏଇ ନାଆଁରେ ଡକାଯାଇଥାଏ ) ,ଜଣେ ଜଣେ ଇଉରୋପୀୟ । ଆମର ସେଇଠେ ଅବଶ୍ୟ କିଛି ଇଣ୍ଡିଆନ ରହିଛନ୍ତି,ମାତ୍ର  ଜଙ୍ଗଲରୁ ଆସିଥିବା କେହି ଜଣେ ନାହାଁନ୍ତି,ସେମାନଙ୍କ ଶେଜ ଭାରି ଗନ୍ଧାଏ ।”

ରାତିରେ ଦୋକାନ ବନ୍ଦ କରିବା ପରେ ପଛପଟ ଅଗଣାରେ ନିଜ ଶୋଇବା ଘରର ବାରଣ୍ଡାରେ ହମିଦ ସବୁଦିନ କିଛି ସମୟ ଠିଆ ହୋଇ ରହିବାକୁ ଆରମ୍ଭ କଲା। ସେତିକିବେଳେ ରାସ୍ତାଘାଟ ଜନଶୂନ୍ୟ ,ନିସ୍ତବ୍ଧ,ଦିନବେଳା ଭଳି କୋଳାହଳରେ ଭରପୂର ସାଙ୍ଘାତିକ ପରିବେଶ ନୁହଁ । ରୁକିୟା ତାହାର ଭାବନାରେ ଆତଯାତ କରୁଥାଏ ବେଳେ ବେଳେ ହମିଦ ର ପାଟିରେ କହିବା ଭଳି କଥାରେ ସେଇ ନାଆଁଟି ଆସିଯାଏ।କିନ୍ତୁ ତାହାର ନାଆଁଟି ମନେ ପଡିଲେ ହମିଦକୁ ଭାରି ନିଃସଙ୍ଗ ଆଉ ହତଭାଗ୍ୟ ମନେ ହେଉଥିଲା।ପ୍ରଥମଦିନ କେଉଁଭଳି ସେ ତାହାର ଆଡକୁ ଚାହିଁଥିଲା ,ମନେ ପଡିଯାଏ,ଆଉ ମନେ ପଡିଯାଏ ସେ ଯେମିତି ଚପଲ ଫଟଫଟ କରି ଅଂଧାରରେ ମିଳାଇଯାଇଥିଲା,ସେଦିନ ରାତିର ସେଇ କଥା। ତାହାକୁ ଛୁଇଁବାକୁ ଇଚ୍ଛା ହୁଏ। ମନେ ହୁଏ,ଅନ୍ଧକାରାଚ୍ଛନ୍ନ  ଗୋଟିଏ ପରିବେଶରେ ଦୀର୍ଘ ବର୍ଷ ପରେ ବର୍ଷ ଏମିତି ରହିବା ଫଳରେ ତାହାର ଏଇଭଳି ଆଜିକାଲି ମନେ ହେଉଛି। ତେଣୁ ଅପରିଚିତ ଏଇ ସହରର ରାସ୍ତା ଆଡକୁ ଚାହିଁ ସେ କଳ୍ପନା କରୁଥାଏ, ଅପରିଚିତ ଗୋଟିଏ କିଶୋରୀକୁ ସ୍ପର୍ଶ କରିବା ହିଁ ତାହାର ମୁକ୍ତିର ଏକମାତ୍ର ପଥ।

ଦିନେ ରାତିରେ,ଦରଜାରେ ତାଲା ଲଗାଇ ସେ ରାସ୍ତାକୁ ଓହ୍ଲାଇ ଆସିଲା। ଆସ୍ତେ ଆସ୍ତେ ପାଦ ପକାଇ ସବୁଠାରୁ ନିକଟରେ ଥିବା ଷ୍ଟ୍ରୀଟ୍ ଲାମ୍ପପୋଷ୍ଟ ତଳକୁ ସେ ଗଲା,ତାହାପରେ ତାହା ପରର  ଲାମ୍ପପୋଷ୍ଟ ନିକଟକୁ। ଏକଦମ୍ ଭୟ ଲାଗୁନାହିଁ,ସେ ଟିକିଏ ଅବାକ ହେଲା। କେଉଁଠି କେହି ଚାଲିବାର ଶବ୍ଦ,ସେ ବୁଲିପଡି ଦେଖିଲା ନାହିଁ। ସେ ଯେତେବେଳେ ଜାଣେନାହିଁ ସେ କୁଆଡେ ଯାଉଛି ,ସେତେବେଳେ ଭୟ ପାଇବାର ଆଉ ଅଛି କ’ଣ ଯେ,ତାହା କ’ଣ କିଛି ବି ହୋଇପାରେ । ଏଇ ଭଳି ଭାବିବା ପଛରେ ହିଁ ସ୍ୱସ୍ତି ରହିଛି ।

ଗୋଟିଏ ବୁଲାଣି ପାର ହୋଇ ଦୁଇ ପଟେ ଧାଡିଧାଡି ଦୋକାନ ଥିବା ଗୋଟିଏ ରାସ୍ତାରେ ଆସି ସେ ଛିଡା ହେଲା ,ଗୋଟିଏ ଦୁଇଟି ଦୋକାନରେ ତଥାପି ଆଲୁଅ ଜଳୁଛି। ଆଲୁଅମାନଙ୍କୁ ଏଡାଇଯିବାପାଇଁ ସେ ଆଉ ଗୋଟିଏ ବୁଲାଣି ନେଲା। କାହାର ଦେଖା ମିଳିଲା ନାହିଁ,ନା କୌଣସି ପୁଲିସ୍,ନା କୌଣସି ପହରାଦାର । ଚଉରାସ୍ତାର ଗୋଟିଏ ମୋଡରେ ଆସି କାଠର ଗୋଟିଏ ବେଞ୍ଚ ଉପରେ ବସିଲା ସେ,କେତେ ମିନିଟ୍। ସବୁ କିଛି ବେଶ୍ ଚିହ୍ନା ଚିହ୍ନା ଲାଗୁଛି ,ତାହାର ମନେ ହେଲା। ଗୋଟିଏ କୋଣରେ ରହିଛି ଗୋଟିଏ ଘଡିଘର,ରାତିର ନୈଶବ୍ଦରେ ଆପେ ଆପେ ଟିକଟିକ୍ କରି ଚାଲିଛି । ଚଉରାସ୍ତାରେ ଚାରିପଟେ ଲୁହାର ସ୍ତମ୍ଭ ,ନିର୍ବିକାର ଚିତ୍ତରେ ଦଣ୍ଡାୟମାନ। ଗୋଟିଏ ପଟେ ଦଳଦଳ ବସ ,ଆଉ ଦୂରରୁ ଭାସି ଆସୁଛି ସମୁଦ୍ରର କଳରୋଳ।

ଆବାଜକୁ ଅନୁସରଣ କରି ସେ ଟେର୍ ପାଇଲା ଯେ ସମୁଦ୍ରଟି ବେଶି ଦୂରରେ ନାହିଁ । ସହସା ଜଳର ଗନ୍ଧ  ନାକକୁ ଛୁଇଁବାରୁ ଅତୀତର ବାପାଙ୍କ ବସାର କଥା ତାହାର ମନେପଡିଗଲା।ସେମାନଙ୍କର ସହରଟା ଥିଲା ସମୁଦ୍ରର ଖୁବ୍  ନିକଟରେ। ଏକଦା ସେ ସମୁଦ୍ରକୂଳର ବାଲିରେ ଖେଳାବୁଲା କରୁଥିଲା ,ଯେମିତି ଆଉ ସବୁ ପିଲାଏ କରିଥାନ୍ତି । ଆଜିକାଲି ତାହାର ଆଉ ମନେ ହୁଏନି ଯେ ସେମିତି ଜାଗାଟି କେବେ ତାଙ୍କର ନିଜର ଥିଲା,ଘରଟା କେବେ ସେମାନଙ୍କର ନିଜ ଘର ଥିଲା। ଦେଖିଲା,ଜଳର ତରଙ୍ଗ ଧିରେ ଧିରେ କଂକ୍ରିଟର ବାଡକୁ ଅତିକ୍ରମ କରିବାକୁ ଯାଇ ଧଳାରଂଗର ଫେଣ ତିଆରି କରୁଛି। କୌଣସି ଗୋଟିଏ ଜେଟିରୁ ଉଜ୍ଜଳ ଆଲୋକ ଦେଖାଯାଉଛି। ଯନ୍ତ୍ରପାତି ଦ୍ୱାରା କାମ ଚାଲୁଥିବାର ମନ୍ଥର ଶବ୍ଦ। ଏତେ ରାତିରେ ଏହିପରି କିଏ କାମରେ ବ୍ୟସ୍ତ ,ବିଶ୍ୱାସ କରି ହେବନି।

ସମୁଦ୍ର ଏପଟରେ ଆଲୁଅ ,ଅଂଧାରର ବୁକୁ ଚିରି ବିନ୍ଦୁ ବିନ୍ଦୁ ଗୁନ୍ଥା ଆଲୁଅର ମାଳା।କେଉଁମାନେ ଥାଆନ୍ତି ଏଇଠି ? ଆଶ୍ଚର୍ଯ୍ୟ ହୋଇ ଭାବେ ହମିଦ।ଭୟରେ ଛାତି ଭିତର କଂପି ଉଠେ। ସହରର ଅନ୍ଧକାରମୟ ପ୍ରାନ୍ତରରେ ଯେଉଁ ସବୁ ମଣିଷ ରହିଥାଆନ୍ତି ,ସେମାନଙ୍କର ଛବିକୁ ସେ କଳ୍ପନା କରିବାକୁ ଚେଷ୍ଟା କରେ। କ୍ରୁର ଦୃଷ୍ଟି ଥିବା ଭୀଷଣକାୟ  ସବୁ ମଣିଷଙ୍କର ଛବି ତାହାର ମନ ଭିତରେ ଭାସି ଉଠେ। ତାହାର ଆଡକୁ ଚାହିଁ ଲୋକଗୁଡିକ ଯେମିତି ଅଟ୍ଟହାସ୍ୟ କରି ଉଠନ୍ତି। ଆଲୁଅଅଂଧାର ମଖା ଫାଙ୍କା କୌଣସି ଗୋଟିଏ ଜାଗାରେ ଶିକାର ଉପରକୁ ଝାମ୍ପି ପଡିବା ପାଇଁ ସତର୍କତାର ସହ ଲୁଚି ବସିଥିବା ଛାୟାମୟ ମୂର୍ତ୍ତୀ ସମୂହ। ପରକ୍ଷଣରେ ସେ ଦେଖେ,ଦଳେ ନାରୀପୁରୁଷ ଗୋଟିଏ ଦେହକୁ ଘେରି ଭୀଡକରି ଛିଡା ହୋଇଛନ୍ତି। ପ୍ରାଚୀନ କୌଣସି ମନ୍ତ୍ରୋଚାରଣ ର ତାଳ ସହିତ ତାଳ ମିଳାଇ ସେମାନଙ୍କର ପାଦଗୁଡିକ ଦୋଳ ଖାଉଛନ୍ତି । ଶତ୍ରୁର ରକ୍ତ ପିଚକି ପାଦତଳର ମାଟିକୁ ଯେମିତି ଭିଜାଇ ଦେଇଛି ସେମିତି ସେମାନଙ୍କ କଣ୍ଠ ଜୟର ଉଲ୍ଲାସରେ ଫାଟି ପଡୁଛି । କେବଳ ଶାରିରୀକ ନିର୍ଯ୍ୟାତନାର ଆଶଙ୍କାରେ ଯେଉଁ ସମୁଦ୍ର ଆରପଟର ଅନ୍ଧକାରରେ ଛିଡା ହୋଇଥିବା ମଣିଷମାନଙ୍କୁ ସେ ଭୟ ପାଉଛି,ତାହା ନୁହଁ। ତାହାର ଭୟ ହେଉଛି ଏଇ କଥାକୁ ଭାବି,ଲୋକମାନେ ଠିକ୍ ଜାଣନ୍ତି ଯେ ସେମାନେ କେଉଁଠି ଅଛନ୍ତି,ଅଥଚ ସେମାନେ ନିଜେ କେଉଁଠି ଆସି ପହଞ୍ଚିଯାଇଛନ୍ତି ସେଇକଥାକୁ ଠିକ୍ ଠଉରେଇ ପାରୁ ନାହାଁନ୍ତି ।

ଦୋକାନକୁ ଫେରିଆସିବା ପାଇଁ ଏଥର ସେ ବୁଲିପଡିଲା। ଏତେ କିଛିର ପରେ ବି ତାହାର ମନେ ହେଲା,କିଛି ଗୋଟିଏ କରିପାରିବା ଭଳି ହିମ୍ମତ ତ ସେ ଦେଖାଇ ପାରିଛି। ରାତିରେ ଦୋକାନ ବନ୍ଦ କରିବା ପରେ, ଫଜୀର ର ରୋଗଶଯ୍ୟା ପାଖରେ ନିୟମିତ ହାଜିରା ଦେବା ପରେ ,ସମୁଦ୍ରକୂଳକୁ ବୁଲି ଯିବାଟା ତାହାର ନିତିଦିନର ଅଭ୍ୟାସ ହୋଇ ଯାଇଛି। ଏଇ କଥାଟା ଫଜିରର ପସନ୍ଦ ନୁହଁ। ଅଭିଯୋଗ କରେ,ତାହାକୁ ଏକେଲା ରହିବାକୁ ପଡୁଛି । କିନ୍ତୁ ସେଇ ଅଭିଯୋଗକୁ ହମିଦ କାନକୁ ନିଏନି। କେବେ କେବେ ଜଣେ ଦିଜଣ ଲୋକଙ୍କ ମୁହଁରେ ପଡିଯାଏ ସେ,କିନ୍ତୁ ସେମାନେ ତାହାର ଆଡକୁ ନଚାହିଁ ଦ୍ରୁତପାଦରେ ଚାଲିଯାଇଥାନ୍ତି । ଦିନବେଳାରେ ସେ ସେହି କିଶୋରୀର ପ୍ରତୀକ୍ଷାରେ ଉନ୍ମୁଖ ହୋଇ ରହିଥାଏ । ଦିନରାତି ସେଇ କିଶୋରୀଟି ତାହାର ମନରେ ବସା ବାନ୍ଧିଛି। ରାତିରେ କଳ୍ପନା କରେ ,ସେଇ କିଶୋରୀଟି ରହିଛି ତାହାର ସାଥିରେ। ଯେତେବେଳେ ରାତିରେ ଜନଶୂନ୍ୟ ରାସ୍ତାରେ ସେ ଚାଲୁଥାଏ  କଳ୍ପନାକରେ ସେଇ କିଶୋରୀଟି ତାହାର ପାଖାପାଖି ଚାଲିଛି ,ଗଳ୍ପ କରୁଛି,ହସୁଛି,ମଝିରେ ମଝିରେ ତାହାର କାନ୍ଧରେ ନିଜର ହାତକୁ ରଖୁଛି । କିଶୋରୀଟି ଦୋକାନକୁ କ’ଣ କିଛି ନେବାକୁ ଆସିଲେ ଓଜନରେ ସେ ଅଧିକ ଜିନିଷ ଦେବାକୁ ଚେଷ୍ଟା କରିଥାଏ। ଆଉ ତାହାପରେ କିଶୋରୀର ସେହି ହସହସ ମୁହଁକୁ ଦେଖିବାକୁ ଅପେକ୍ଷା କରିଥାଏ ସେ। କଥା ହୁଏ  କେବେ କେବେ, ଅଭିବାଦନର ବିନିମୟ, ବନ୍ଧୁତାପୂର୍ଣ୍ଣ କିଛି କଥା। କୌଣସି କିଛିର ଜଞ୍ଜାଳ ନଥିଲେ, ବିଶେଷ ଗରାଖ ପାଇଁ ଯେଉଁ ଗୋପନ ଭଣ୍ଡାର ଅଛି, ସେଇଠୁ କିଛି ଆଣି ତାହାକୁ ଦେଇଥାଏ। ଯଥେଷ୍ଟ ସାହସ ସଂଚୟ କରିପାରିଲେ ସେ ବେଳେବେଳେ କିଶୋରୀର ରୂପର ପ୍ରଶଂସା କରି ପକାଏ ଆଉ ତାହାପରେ ଆଶା ଆଉ ଆକାଂକ୍ଷାରେ ଦୋଳିଖାଉଥାଏ। ବିନିମୟରେ କିଶୋରୀଟି ତାହାକୁ ହସ ଉପହାର ଦିଏ । କିଶୋରୀ ଟିର ସଂପର୍କରେ ମନସୁର୍ ର ଫୁଟାଣି ମରା କଥାଗୁଡିକ ମନେ ପଡିଲେ ସେ ଖୁବ୍ ହସେ। ସାମାନ୍ୟ କେତୋଟି ମୁଦ୍ରାର ବଦଳରେ ବିକ୍ରିହେବା ଭଳି ସେ କଦାପି ନୁହଁ। ବରଂ ତାହାର ରୂପର ପ୍ରଶଂସା କରି,ସତ୍ ସାହସ ଦେଖାଇ , ଭଲପାଇ, ତେବେ ହିଁ ଯାଇ ଏହାର ମନକୁ ଜୟ କରିହେବ। ଏହି ଅସମ୍ଭବକୁ ସମ୍ଭବ କରିବା ଭଳି ବୋଲଚାଲ କିମ୍ବା କ୍ଷମତା ନା ଅଛି ଏଇ ପ୍ରାୟତଃ ଦୃଷ୍ଟିହୀନ କଦର୍ଯ୍ୟ ଚରିତ୍ର ମନସୁର୍ ର ଅଥବା ତାହାର ନିଜର।

ଦିନେ ବେଶ୍ ରାତିରେ ରୁକିୟା ଦୋକାନକୁ ଚିନି କିଣିବ ବୋଲି ଆସିଥିଲା।  ତାହାର ଦେହରେ ସେତେବେଳେ ବି କାମକରିବା ବେଳର ପିନ୍ଧା ନୀଳରଂଗର ସୂତାପୋଷାକଟି ଥିଲା। ହାତର ପାପୁଲି ଝାଳରେ ଭିଜା। ଦୋକାନରେ କୌଣସି ଗରାଖ ନଥିଲେ। ରୁକିୟା  ବ୍ୟସ୍ତ ଅଛି ବୋଲି ମନେ ହେଉ ନଥିଲା। ହମିଦକୁ କେତେ ପରିଶ୍ରମ କରିବାକୁ ପଡୁଛି ବୋଲି କହି ସେ ତାହାର ପଛରେ ଲାଗିବାକୁ ଚେଷ୍ଟା କରୁଥିଲା।

“ଏତେ ସମୟ ଦୋକାନରେ ରହୁଚ,ତମର ନିଶ୍ଚୟ ଅନେକ ଟଂକା ? ଏହାକୁ କ’ଣ ଗାତ କରି ଭୂଇଁରେ ପୋତି ରଖିଛ ? ଦୋକାନଦାର ମାନଙ୍କର ଯେ ଗୋପନ ସମ୍ପଦ ଥାଏ , ସେକଥା ସମସ୍ତଙ୍କୁ ଜଣା।ନିଜର ସହରକୁ ଫେରିଯିବା ପାଇଁ ତମେ ବୋଧହୁଏ ଟଙ୍କା ଜମାକରି ରଖୁଛ ?”

“ମୋର ଗୋଟିଏ ବୋଲି ପଇସା ନାହିଁ” ହମିଦ ପ୍ରତିବାଦ କରେ ।”ଏଇଟି ଯେତେ ଯାହା ଅଛି ସେଥିରୁ ଗୋଟିଏ ବୋଲି କିଛି ମୋର ନୁହଁ।”

କିଶୋରୀଟିର ଆଖିରେ ମୁହଁରେ ଅବିଶ୍ୱାସର ହସ।”ସେ ଯାହା ହେଉ ,ତମେ ଖୁବ୍ ପରିଶ୍ରମ କରିପାର” କହିଲା ସେ।”ମଜା କରିବା ବେଳେ ତମଠୁ ବେଶି ଆଉ କିଏ ନାହିଁ।” ହମିଦ ଅଧିକ ଗୋଟିଏ ହତା ଚିନି ଦେବାରୁ ସେ ହସିଥିଲା।

“ଧନ୍ୟବାଦ” କହି କିଶୋରୀଟି ପ୍ୟାକେଟ୍ ନେବାପାଇଁ ତାହା ଆଡକୁ ଟିକିଏ ଝୁଙ୍କି ପଡିଲା।ପ୍ରୟୋଜନର ତୁଳନାରେ କିଛି ବେଶି ସମୟ ଧରି ଏଇ ଭାବରେ ରହିଥିଲା ସେ। ତାହାପରେ ଆସ୍ତେ ଆସ୍ତେ  ପଛକୁ ଘୁଞ୍ଚି ଆସିଥିଲା। “ତମେ ସବୁ ସମୟ ମୋତେ କିଛି ନା କିଛି ଦିଅ। ମୁଁ ଜାଣେ ବିନିମୟରେ ତମେ କିଛି ଚାହିଁ ପାର। ଯେତେବେଳେ ସେଇଟି ଚାହିଁବ,ସେତେବେଳେ କିନ୍ତୁ ଏଇ ସବୁ ଛୋଟମୋଟ ଉପହାରର ତୁଳନାରେ ଅଧିକ ବେଶି କିଛି ଦେବାକୁ ହେବ ।”

ହମିଦ ଲଜ୍ଜାରେ ଏକେବାରେ ମାଟିରେ ମିଶିଗଲା,କୌଣସି ଜବାବ ଦେଇ ପାରିଲା ନାହିଁ।କିଶୋରୀଟି ମୃଦୁ ହସି ଫେରି ଯିବାକୁ ଲାଗିଲା।ଥରଟିଏ ପଛକୁ ବୁଲି ଚାହିଁଥିଲା,ଅନ୍ଧାରରେ ମିଳାଇ ଯିବାର ଆଗରୁ ହମିଦ ଆଡକୁ ଚାହିଁ ତେରେଛା ଆଖିରେ ସେ ହସିଥିଲା ।

°°°°°

Tanzanian-born British novelist and academic Abdulrazak Gurnah FRSL (born 20 December 1948)

ଏଇ କାହାଣୀର ମୂଳ ଇଂରେଜୀରେ ଲିଖିତ  ଶୀର୍ଷକ ହେଉଛି “କେଜେସ୍”। ସାହିତ୍ୟରେ ୨୦୨୧ ମସିହାରେ ନୋବେଲ ପୁରସ୍କାରର ପ୍ରାପକ ତଥା ୧୯୪୮ ମସିହାରେ ତାଞ୍ଜାନିଆରେ ଜନ୍ମିତ ବ୍ରିଟିଶ ଲେଖକ  ଅବଦୁଲରାଜାକ ଗୁର୍ନାହ ଙ୍କ ସାହିତ୍ୟର ପ୍ରମୁଖ ଆଧାର ବିନ୍ଦୁ ହେଉଛି ଉପନିବେଶ କାଳ ଏବଂ ଉପନିବେଶୋତ୍ତର ଆଫ୍ରିକା ଏବଂ ବୃହତ୍ତର ଏସିଆ। ତାଙ୍କର ଚରିତ୍ରମାନଙ୍କର ସ୍ୱଚ୍ଛନ୍ଦ ବିଚରଣର କ୍ଷେତ୍ର ହେଉଛି ଏଇ ଭଳି ଗୋଟିଏ ବ୍ୟାପକ ଭୂମୀଦେଶ। ଗୁର୍ନାହ  କଥାଜଗତରେ ସେଦୃଷ୍ଟିରୁ  ରହିଥାଏ ବ୍ରିଟିଶ ଉପନିବେଶରୁ ମୁକ୍ତି ଲାଭ କରିଥିବା ଆଫ୍ରିକାର ଆଧୁନିକ ହେବାର ପ୍ରକ୍ରିୟା।

ଆଫ୍ରିକା ଯେତେବେଳେ ଆଧୁନିକ ହେବାକୁ ଯାଉଛି ସେଇଠି ସେଇ ଆଧୁନିକତାର ପର୍ଯ୍ୟାୟକ୍ରମରେ ଦଳଦଳ ଆଫ୍ରିକୀୟ ନିଜର ଭାଗ୍ୟ ର ସଂଧାନରେ ଇଉରୋପ ଆଉ ଆମେରିକାକୁ ଯାତ୍ରା କରୁଛନ୍ତି । ଏହି ଯାତ୍ରା ଅବଶ୍ୟମ୍ଭାବୀ। ଆଫ୍ରିକୀୟତା ସହ ଅନ୍ୟତ୍ର ଏହି ଯାତ୍ରାଫଳରେ ସେମାନେ କ୍ରମଶଃ ସେମାନଙ୍କର ଅଭିଳଷିତ ନୂତନ ଜଗତରେ ଉଦବାସ୍ତୁ ପାଲଟି ଯାଉଛନ୍ତି। ଉପନିବେଶୋତ୍ତର ମାନସିକତା ଏବଂ ଉଦବାସ୍ତୁପଣ ଏଇ ଦୁଇଟି କଥା ଅବଦୁଲରାଜାକ ଗୁର୍ନାହ ଅନ୍ତରଙ୍ଗ କାହାଣୀ ପୃଥ୍ୱୀ।

ସଂପୃକ୍ତ କାହାଣୀର ନାୟକ ହମିଦ ସେଇଭଳି ଗୋଟିଏ ଆଫ୍ରିକୀୟତା ସହ ଉଦବାସ୍ତୁ ଜୀବନ ବଂଚିଥିବା ଗୋଟିଏ ଚରିତ୍ର। ନିଜର ଘର ଛାଡି ସେ ଅନ୍ୟତ୍ର ଗୋଟିଏ ଦୋକାନରେ କାମ କରେ ଏବଂ ତାହାର ଜୀବନଧାରଣର କ୍ରମାଗତ ଏକରୂପତା ତଥା ଅବସାଦରୁ ମୁକ୍ତି ଦେବାପାଇଁ ଆଉ ଯେଉଁ ଚରିତ୍ରଟି ଉପସ୍ଥିତ ହୁଏ, ରୁକିୟା, ସେ ଗୋଟିଏ ହୋଟେଲର ପରିଚାରିକା। ହମିଦ ତାହାର ଯେଉଁ ଜୀବନବୋଧରୁ ମୁକ୍ତି ଚାହୁଁଥିଲା,ପ୍ରତୀକାତ୍ମକ ଭାବରେ ସେ କହିବାକୁଗଲେ ବନ୍ଧା ହୋଇ ରହିଛି ଗୋଟିଏ ଦୋକାନ ସହ ଆଉ ରୋଗଶଯ୍ୟାରେ ପଡିଥିବା ଚଳତଶକ୍ତିହୀନ ଦୋକାନର ମାଲିକ ଫଳିର୍ ସହ।ଏଥିରୁ ତାହାପାଇଁ ମୁକ୍ତି କିଶୋରୀ ରୁକିୟାର ଦୈହିକତାରେ ସେ ଖୋଜିଛି,ହେଲେ ତାହାର ଉପନିବେଶିତ ସରଳତା ତଥା ନୂତନତାର ଭୟ ଏଥିରେ ବାଧକ।

ନୂତନତାର ଭୟକୁ ଅତିକ୍ରମ କରିବା ପାଇଁ  ହମିଦ ଗଭୀର ରାତିରେ ଘୁରିବୁଲିଛି। ସମୁଦ୍ର ଏବଂ ଗୋଟିଏ ହତ୍ୟାକାଣ୍ଡର ଦୃଶ୍ୟ ତାହାକୁ ଅଭିଜ୍ଞ କରିଦେଇଛି। ସେ ଅନୁଭବ କରିଛି ଯେ ସବୁବେଳେ ସୁରକ୍ଷାର ପଂଜୁରୀରେ ରହୁଥିବା ତାହା ପାଇଁ ଏଇ ଅନିଶ୍ଚୟତା ଆଉ ଭୟ ପ୍ରତ୍ୟାଶିତ।

ହମିଦ ଆଉ ରୁକିୟାଙ୍କ କାହାଣୀରେ ପ୍ରେମ ଏକ ସଂକ୍ଷିପ୍ତ ହାଇଫେନ୍। ରୁକିୟା ଯେତେବେଳେ ତାହାକୁ ସ୍ପଷ୍ଟ କହିଛି ଯେ ତାହାକୁ ପାଇବା ପାଇଁ ଦୋକାନରୁ ଓଜନରେ ଅଧିକ ଦେବା ଭଳି କ୍ଷୁଦ୍ର ଉପହାର ନୁହଁ ଅଧିକ କିଛି ଦେବାର ପ୍ରୟୋଜନ ଅଛି ସେଇଠି ଆମେ ଦୁଇଟି କଥା ଦେଖିପାରିବା।ଗୋଟିଏ ହେଉଛି, ଉଦବାସ୍ତୁ ର ପ୍ରେମରେ ଯେଉଁ ନୂତନତାର ଅନୁଭବ ତଥା ଆବେଗକୁ ଖୋଜାଯାଉଥିଲା ତାହା ଆଉ ନାହିଁ।ପ୍ରେମ ଉପଭୋକ୍ତାବାଦ ଏବଂ ବିନିମୟବାଦରେ ପରିଣତ ହୋଇଯାଇଛି। ଦ୍ୱିତୀୟ କଥାଟି ହେଉଛି ଉଦବାସ୍ତୁ ହେଲେ ବି ପ୍ରାକ୍ ଉପନିବେଶ କାଳର ସରଳତାଟି କେଉଁଠି ନା କେଉଁଠି ଅବଶିଷ୍ଟ ରହିଛି। ରୁକିୟା ଯେତେବେଳେ  ସ୍ପଷ୍ଟ ଶରୀରର ବିନିମୟ ମୂଲ୍ୟକଥା ଏକ ପ୍ରେମର ପରିପ୍ରେକ୍ଷ୍ୟରେ କହୁଛି ସେତେବେଳେ ଏହାର ପ୍ରତିକ୍ରୀୟାରେ ହମିଦ କୁ ଲାଜରେ ଯେମିତି ମାଟିରେ ମିଶିଯିବା ଭଳି ଲାଗିଛି।

ପ୍ରତିକ୍ରୀୟାରେ ଲାଜ, ଏହା ଉପନିବେଶୋତ୍ତର ଉଦବାସ୍ତୁର ଏକମାତ୍ର ଗୋପନଗଣ୍ଠି, ସେଇଠି  କର୍ପୁ

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →