ଏକ
ମଙ୍ଗଳାଚରଣ:
ରାମଂ,ଲକ୍ଷ୍ମଣପୂର୍ବଜଂ,ରଘୁବରଃ,
ସୀତାପତି,ସୁନ୍ଦରଂ
କାକୁସ୍ଥଂ କରୁଣାକରଂ,ଗୁଣନିଧି,
ବିପ୍ରପ୍ରିୟଂ,ଧାର୍ମିକଂ
ରାଜେନ୍ଦ୍ରଂ,ସତ୍ୟସନ୍ଧଂ,ଦଶରଥତନୟଂ,
ଶ୍ୟାମଳଂ ଶାନ୍ତମୂର୍ତ୍ତୀ,
ବନ୍ଦେ ରାମଂ ରଘୁକୂଳତିଳକଂ,
ରାଘବଂ ରାବଣାରୀ।
ମଙ୍ଗଳାଚରଣରେ ସାଧାରଣତଃ ଦେବତାଙ୍କୁ ତାଙ୍କର ସମସ୍ତ ବିଶେଷ ଅଣଦୈବୀକ ଅର୍ଥାତ୍ ସେ କାହାର ପୁତ୍ର କାହାର ସ୍ୱାମୀ କାହାର ଭାଇ ଏବଂ ସେ ପୃଥିବୀରେ କେଉଁ କେଉଁ କାର୍ଯ୍ୟର ନିଷ୍ପାଦନ କରିଛନ୍ତି ସେଇ ସବୁର ଏକ ପ୍ରକାର ଯାହାକୁ ଆଧୁନିକ ଭାଷାରେ ଆମେ କହିପାରିବା “ଡୋସିଏର୍” ର ପରିଚିତି ସହିତ ତାଙ୍କର ବନ୍ଦନା କରିଥାଉ।
ଏଇଠି ଯେଉଁ ଶ୍ଳୋକଟି ମଙ୍ଗଳାଚରଣରେ ଉଲ୍ଲେଖ କରାଯାଇଛି ତାହା ପ୍ରଭୂ ଶ୍ରୀରାମଚନ୍ଦ୍ରଙ୍କ ବୈଶିଷ୍ଟ୍ୟକୁ ବୁଝାଇବା ପାଇଁ ଏକ ମାନକ ଶ୍ଳୋକ।ମାନକ ଶ୍ଳୋକ ଏଇଥିପାଇଁ ଯେ ଏଥିରେ ପ୍ରତ୍ୟେକ ଶବ୍ଦ ଅତ୍ୟନ୍ତ ସଂଜତ,କୌଣସି ପୁରାଣଚାରୀର ଟିକିଏ ବୋଲି ଅତିକଥକତା ନାହିଁ ଆଉ ଏହାର ସମନ୍ୱିତ ରେ ପ୍ରଭାମଣ୍ଡିତ ହୋଇପାରିଛି ଶ୍ରୀରାମରୂପର ସମସ୍ତ ସଂପଦ।
ବିଶେଷ ଭାବରେ ଶ୍ରୀରାମଚନ୍ଦ୍ରଙ୍କ ସଂପର୍କରେ ଯେତେବେଳେ ଉଚ୍ଚାରିତ ହୋଇଛି ଯେ,ସେ ଶ୍ୟାମଳ ଆଉ ଶାନ୍ତମୂର୍ତ୍ତି। ଏଇ ଦୁଇଟି ଶବ୍ଦ ପ୍ରତି ଲକ୍ଷ୍ୟ କରାଯାଉ। ଆମର ଦେବତତ୍ତ୍ୱରେ ଦୁଇଜଣ ପ୍ରମୁଖ ଦେବ ଦୁଇଟି ପାର୍ଥୀବ କାଳରେ ବିଚରଣ କରିଯାଇଛନ୍ତି,ତ୍ରେତୟାରେ ରାମ ଆଉ ଦ୍ୱାପରରେ କୃଷ୍ଣ। ଉଭୟଙ୍କର ବର୍ଣ୍ଣ ଶ୍ୟାମଳ,ପୃଥିବୀର ସମସ୍ତ ସବୁଜିମାକୁ ସେମାନେ ଧାରଣ କରିଛନ୍ତି। ଆଉ ଯାହା ହେଉନା କାହିଁକି ପାର୍ଥୀବ ଜଗତରେ ସବୁଜିମା ରେ କଦାପି ଉଗ୍ରତାର ଆରୋପଣ କରାଯାଇପାରିବ ନାହିଁ,ସେଇଥିପାଇଁ ଜଣେ ଶ୍ୟାମଳ ଶାନ୍ତମୂର୍ତ୍ତି ତ ଜଣେ ଶାନ୍ତାକାର ଗଗନସଦୃଶ।

କହିବା କଥା ହେଉଛି ପ୍ରଭୂ ଶ୍ରୀରାମଚନ୍ଦ୍ର ଚିରକାଳ ଶ୍ୟାମଳ ଆଉ ଶାନ୍ତମୂର୍ତ୍ତୀ। ଯୁଦ୍ଧଧ୍ୱନୀର ନିଘୋଷକୁ ଆଉ ଟିକିଏ ବଜ୍ରସମ କରିବା ପାଇଁ ଯଦି କାହାର କଣ୍ଠରୁ କେବେ ଜୟ ଶ୍ରୀରାମ ଉଚ୍ଚାରିତ ହୁଏ ତେବେ ସେଇଠି ଆମର ମନେରଖିବାକୁ ହେବ ଯେ ଆମେ ସେତେବେଳେ ଆମର ଅଜାଣତରେ ସେଇ ସୁନ୍ଦର ଶ୍ୟାମଳ ଶାନ୍ତମୂର୍ତ୍ତୀର ମାନସବିଗ୍ରହକୁ ଖଣ୍ଡଖଣ୍ଡ କରିଦେଉଛୁ।
ସେଇ ଶ୍ୟାମଳ ଶାନ୍ତମୂର୍ତ୍ତି ଆଉ ସୁନ୍ଦରର ଆର୍ଯ୍ୟଦେବଙ୍କୁ ତାଙ୍କର ଜନ୍ମଦିନରେ ପ୍ରଣିପାତ କରୁଅଛି।
ଦୁଇ
ରାମରୂପ:
“ମହର୍ଷି ବାଲ୍ମିକୀ ତପୋନିରତ ସ୍ୱାଧ୍ୟାୟସଂପନ୍ନ ବେଦବିଦିଗରେ ଅଗ୍ରଗଣ୍ୟ ମୁନିବର ନାରଦଙ୍କୁ ସଂବୋଧନପୂର୍ବକ ନିବେଦନ କଲେ,ହେ ଦେବର୍ଷି ! ଏକ୍ଷଣ ଏହି ପୃଥିବୀରେ କେଉଁ ବ୍ୟକ୍ତି ଗୁଣବାନ,ବିଦ୍ୱାନ, ମହାବଳ ପରାକ୍ରାନ୍ତ,
ମହାତ୍ମା,ଧର୍ମପରାୟଣ,ସତ୍ୟବାଦୀ,କୃତଜ୍ଞ,
ଦୃଢବ୍ରତ ଓ ସଚ୍ଚରିତ୍ର ରୂପରେ ଅବସ୍ଥାନ କରୁଛନ୍ତି ? କେଉଁ ବ୍ୟକ୍ତି ସକଳ ପ୍ରାଣୀକୂଳର ହିତ ସାଧନ ସଂପାଦନ କରୁଛନ୍ତି ? କେଉଁ ବ୍ୟକ୍ତି ଲୋକବ୍ୟବହାରକୁଶଳ,ଅଦ୍ୱିତୀୟ,ସୁଚତୁର ଏବଂ ପ୍ରିୟଦର୍ଶନ ? କେଉଁ ବ୍ୟକ୍ତି ରୋଷ ଅଥବା ଅସୂୟାର ବଶବର୍ତ୍ତୀ ନୁହଁ ? ରଣସ୍ଥଳରେ ଜାତକ୍ରୋଧ ହୋଇଲେ କାହାକୁ ଦେଖିବାମାତ୍ରକେ ଦେବଗଣ ଭୀତ ହୁଅନ୍ତି ? ହେ ତପୋଧନ ! ଏତାଦୃଶ ରୂପ ଗୁଣ ସଂପନ୍ନ ମନୁଷ୍ୟ କିଏ ଉପସ୍ଥିତ ରହିଅଛି,ସେ ସମସ୍ତ ବିବରଣୀ ବିଲକ୍ଷଣ ଆପଣଙ୍କୁ ହିଁ ଗୋଚର । ଏକ୍ଷଣ କହିବା ହୁଅନ୍ତୁ ହେ ମୁନିବର,ଯାହାର ଶ୍ରବଣ ନିମନ୍ତେ ଅଧୀନର ଏକାନ୍ତ ଅପରିସୀମ କୌତୁହଳ ଉପସ୍ଥିତ ହେଉଅଛି ।
ତ୍ରିଲୋକଦର୍ଶୀ ମହର୍ଷି ନାରଦ ବାଲ୍ମିକୀଙ୍କ ଏସମସ୍ତ ବାକ୍ୟ ଶ୍ରବଣ କରନ୍ତେ ତାହାଙ୍କୁ ସମ୍ଭାଷଣପୂର୍ବକ ପୁଲକିତ ମାନସରେ ବ୍ୟାଖ୍ୟାନ କରି କହିଥିଲେ,ହେ ତାପସ,ତୁମ୍ଭେ ଯେଉଁ ସମସ୍ତ ଗୁଣର କଥା ଉଲ୍ଲେଖ କରିଅଛ ତତ୍ସମୁଦୟ ସାମାନ୍ୟ ମନୁଷ୍ୟ କ୍ଷେତ୍ରରେ ନିତାନ୍ତ ସୁଲଭ ନୁହଁଇ । ସେ ଯାହାହେଉ ,ଏହିରୂପ ଗୁଣବାନ ମନୁଷ୍ୟ ଏହି ପୃଥିବୀରେ କିଏ ଅଛି ,ଏକ୍ଷଣ ତାହାକୁ ସ୍ମରଣ କରି ମୁଁ ତମକୁ କହୁଅଛି,ଏହାକୁ ଶ୍ରବଣ କରିବା ହୁଅ ।
ରାମ ନାମରେ ଇକ୍ଷ୍ୱାକୁବଂଶଜ ସୁବିଖ୍ୟାତ ଜଣେ ନରପତି ଅଛନ୍ତି । ତାଙ୍କର ବାହୁଯୁଗଳ ଆଜାନୁଲମ୍ବିତ,ସ୍କନ୍ଧ ଅତି ଉନ୍ନତ,ଗ୍ରୀବାଦେଶ ରେଖାତ୍ରୟରେ ଅଂକିତ,ବକ୍ଷସ୍ଥଳ ବିଶାଳ,ମସ୍ତକ ସୁଗଠିତ, ଲଲାଟ ଅତି ସୁନ୍ଦର,ନେତ୍ର ଆକର୍ଣ୍ଣବିସ୍ତୃତ ଓ ବର୍ଣ୍ଣ ଶ୍ୟାମଳ । ସେ ନାତିଦୀର୍ଘ ଓ ନାତିହ୍ରସ୍ୱ ; ତାଙ୍କର ଅଂଗପ୍ରତ୍ୟଙ୍ଗ ପ୍ରମାଣାନୁରୂପ ଓ ବିରଳ । ସେହି ସର୍ବସୁଲକ୍ଷଣସମ୍ପନ୍ନ ସର୍ବାଙ୍ଗସୁନ୍ଦର,ମହାବୀର ରାମ ଅତିଶୟ ବୁଦ୍ଧିମାନ ଏବଂ ସଦବକ୍ତା । ସେ ଧର୍ମଜ୍ଞ, ସତ୍ୟପ୍ରତିଜ୍ଞ,ବିନୀତ ଓ ନୀତିପରାୟଣ ; ତାଙ୍କର ଚରିତ୍ର ଅତି ପବିତ୍ର; ସେ ଯଶସ୍ୱୀ ,
ଜ୍ଞାନବାନ,ସମାଧୀସମ୍ପନ୍ନ ଓ ଜୀବଲୋକର ପରିପାଳକ ଏବଂ ବର୍ଣ୍ଣାଶ୍ରମ ଧର୍ମ ଏବଂ ସ୍ୱଧର୍ମର ରକ୍ଷକ । ସେ ଆତ୍ମୀୟସ୍ୱଜନ ସକଳର ରକ୍ଷାବିଧାନ କରିଥାନ୍ତି । ସେ ପ୍ରଜାପତିସଦୃଶ ଏବଂ ଶତ୍ରୁନାଶକ । ସେ ଅନୁରକ୍ତ ଭକ୍ତକୁ ଆଶ୍ରୟ ପ୍ରଦାନ କରିଥାଆନ୍ତି । ସେ ବେଦ ବେଦାଙ୍ଗରେ ପାରଦର୍ଶୀ,ଧନୁର୍ବିଦ୍ୟାବିଶାରଦ,ମହାବୀର୍ଯ୍ୟ, ଧୈର୍ଯ୍ୟଶୀଳ ଏବଂ ଜୀତେନ୍ଦ୍ରୀୟ । ସେ ସର୍ବଶାସ୍ତ୍ରଜ୍ଞ,ପ୍ରତିଭାସଂପନ୍ନ ଓ ସ୍ମୃତିଶକ୍ତି-ଯୁକ୍ତ।
ଲୋକ ସକଳ ତାହାଙ୍କ ପ୍ରତି ପ୍ରୀତି ପ୍ରଦର୍ଶନ କରିଥାଏ।ସେ ଶତ୍ରୁ-ମିତ୍ର ଉଭୟଙ୍କୁ ପ୍ରତି ସମଦର୍ଶୀ ଏବଂ ଅତିଶୟ ପ୍ରିୟଦର୍ଶନ । ସେଇ କୌଶଲ୍ୟାଗର୍ଭସମ୍ଭୂତ ଲୋକପୂଜିତ ରାମ ଗାମ୍ଭୀର୍ଯ୍ୟରେ ସମୁଦ୍ରର ନ୍ୟାୟ,ଧୈର୍ଯ୍ୟରେ ହିମାଳୟର ନ୍ୟାୟ,ବଳବୀର୍ଯ୍ୟରେ ବିଷ୍ଣୁର ନ୍ୟାୟ,ସୌନ୍ଦର୍ଯ୍ୟରେ ଚନ୍ଦ୍ରର ନ୍ୟାୟ,କ୍ଷମାରେ ପୃଥିବୀର ନ୍ୟାୟ,କ୍ରୋଧରେ କାଳାନଳର ନ୍ୟାୟ,ବଦାନ୍ୟତାରେ କୁବେରର ନ୍ୟାୟ ଓ ସତ୍ୟନିଷ୍ଠାରେ ଦ୍ୱିତୀୟ ଧର୍ମର ନ୍ୟାୟ ପ୍ରକୀର୍ତ୍ତିତ ହୋଇ ଅଛନ୍ତି । ସେ ରାଜା ଦଶରଥଙ୍କ ସର୍ବଶ୍ରେଷ୍ଠ ଓ ଗୁଣ-ଶ୍ରେଷ୍ଠ ପୁତ୍ର ।ମହୀପାଳ ଦଶରଥ ଏହିରୂପ ସର୍ବ ଗୁଣ ସଂପନ୍ନ ପ୍ରଜାଗଣର ହିତାର୍ଥୀ ରାମଚନ୍ଦ୍ରଙ୍କୁ ପ୍ରଜାଗଣର ପ୍ରିୟକାର୍ଯ୍ୟ ସାଧନାର୍ଥେ ପ୍ରୀତମନରେ ଯୌବରାଜ୍ୟରେ ଅଭିଷେକ କରିବାପାଇଁ ଅଭିଳାଷୀ ହୋଇଥିଲେ ।” -ପ୍ରଥମ ସର୍ଗ,ବାଳକାଣ୍ଡ, ମହର୍ଷି ବାଲ୍ମୀକିକୃତ ରାମାୟଣ।
” ଭାରତବର୍ଷ ଏବଂ ଭାରତବର୍ଷର ବାହାରେ ରାମକାହାଣୀର ର ଶତ ଶତ ଧାରା ବର୍ତ୍ତମାନ। ସ୍ୱଦେଶରେ ପୁଣି ବିଭିନ୍ନ ପ୍ରାଦେଶିକ କବିଙ୍କ ହାତରେ ଏହା ଏମିତି ଆଶ୍ଚର୍ଯ୍ୟରୂପ ନେଇଛି ଯେ ,ରାମାୟଣ କୁ ବାଲ୍ମିକୀ କେବେ ରଚନା କରିଥିଲେ ,ଏଇ କଥା ଅନେକ ଜାଣନ୍ତି ନାହିଁ।ପ୍ରାଦେଶିକ କବିମାନଙ୍କର ମୂଳଧନ ଯେହେତୁ ଅନେକକ୍ଷେତ୍ରରେ ଭକ୍ତିରସ,ତେଣୁ ରାମଚରିତ୍ରର ଅତିମାନବିକତା ଏବଂ ଅଲୌକିକତା ସବୁସମୟରେ ସେମାନଙ୍କୁ ସାହାଯ୍ୟ କରିଅଛି । ଜନଗଣ ମଧ୍ୟ ନିଜର ମୁହଁରେ ନିଜ କହିବା ଭାଷାରେ ଏଇଭଳି ଆକୁଳବେଦନାର କାହାଣୀ ପାଇଯିବା କାରଣରୁ ଖୁବ୍ ବ୍ୟାକୁଳ ହୋଇଯାଆନ୍ତି । ରାମାୟଣର ମୁଖ୍ୟ ଚରିତ୍ରଗୁଡିକର ଯେଉଁ ଚେହେରା ,ଯେଉଁ ଭଳି ତାହା ବାଲ୍ମିକୀଙ୍କ କଳ୍ପନାରେ ଥିଲା,ତାହା ଉପରେ ପ୍ରାଦେଶିକ ତୂଳୀର ରଙ୍ଗ-ବେରଙ୍ଗର ପ୍ରଲେପ ପଡିବା କାରଣରୁ ସେହି ଚରିତ୍ରଗୁଡିକ ଅନେକ ସମୟରେ ଏହିଭଳି ପାଲଟି ଯାଇଛନ୍ତି ଯେ,ମୂଳତଃ ସେଇ ଚରିତ୍ର ଗୁଡିକ କେଉଁ ଭଳି ଥିଲା ତାହା ବସ୍ତୁତଃ ହଜିଯାଇଅଛି । ଏଥିରେ ଲାଭ କିମ୍ବା କ୍ଷତି କ’ଣ ହୋଇଛି ସେ ବିଚାର ଆମର ନୁହଁ । ସାହିତ୍ୟରେ ମୌଳ ଉପାଦାନର ଶୁଦ୍ଧତା କୁ ନେଇ ଯେଉଁମାନେ ଆସ୍ପର୍ଦ୍ଧା କରିଥାନ୍ତି ସେମାନେ ଅନେକ ପରିମାଣରେ ସେହି ପର୍ଯ୍ୟାୟଭୂକ୍ତ ଯେଉଁମାନେ ରକ୍ତର ଶୁଦ୍ଧତାକୁ ନେଇ ଜନ୍ମ ସଂସ୍କାରରେ ବିଶ୍ୱାସୀ। ମୁଁ ସେ ଭିତରକୁ ଯିବାକୁ ଚାହିଁବି ନାହିଁ । ମୋର ବକ୍ତବ୍ୟ କେବଳ ଏତିକି,ବାଲ୍ମିକୀ ରାମାୟଣରେ ଏଇଟି ଥିଲା,ଅନ୍ୟତ୍ର ଏଇଟି ହୋଇଛି ।” -କଥାମୁଖ, ବାଲ୍ମିକୀଙ୍କ ରାମ ଓ ରାମାୟଣ, ପ୍ରଫେସର ନୃସିଂହ ପ୍ରସାଦ ଭାଦୁଡି।

ତିନି
ରାମପାଠ :
ଗୋଟିଏ ବିଶେଷ ମୁଦ୍ରାର ଆଢୁଆଳରେ ଯେଉଁ ପାରିପାର୍ଶ୍ୱିକତା ରହିଅଛି ସେଥିରୁ ଭାରତୀୟତାର ସ୍ୱରୂପ କୁ ବୁଝିବାର ଚେଷ୍ଟା କରିବାବେଳେ ଏଠାରେ ଏଇ ରାମପାଠରେ ପ୍ରଭୂ ଶ୍ରୀରାମଙ୍କର ଉପସ୍ଥିତି ଏବଂ ପରିବ୍ୟାପ୍ତତାର ପ୍ରତୀକାତ୍ମକତାକୁ ମାନକ ହିସାବରେ ଗ୍ରହଣ କରାଯାଇଛି।
ଏକଦା ଗୋଟିଏ ମୁଦ୍ରା ପ୍ରଚଳନରେ ଥିଲା ଏବଂ ଏହି ମୁଦ୍ରା ଟି ଭାରତୀୟତା ତଥା ଏହାର ଐତିହାସିକ ପରଂପରା ର ବାହକ ହିସାବରେ ଏକ ବିଶେଷ ଗୁରୁତ୍ୱପୂର୍ଣ୍ଣ ମୁଦ୍ରା ହିସାବରେ ସବୁବେଳେ ବିବେଚିତ ହୋଇ ଆଲୋଚନାର ଆଧାର ଆକାରରେ ରହିଥିବ। ଏହି ମୁଦ୍ରାଟିର ଉଲ୍ଲେଖ କରାଯିବା ବସ୍ତୁତଃ ଭାରତୀୟତାର ପରମୋଜ୍ଜଳ ବିବିଧତା କୁ ଅସ୍ୱୀକାର କରିବା ସହିତ ଯେଉଁମାନେ ପ୍ରମୁଖତଃ ବିଦ୍ୱେଷ ର ରାଜନୀତି କରିବାରେ ସବୁବେଳେ ଆଗ୍ରହୀ ସେହିଭଳି କ୍ଷମତା-ମତ୍ତ ଲୋକଙ୍କୁ ଅସହଜ କରିପାରେ।
ଏହି ବିଶେଷ ମୁଦ୍ରା ର ଗୋଟିଏ ପଟେ ଦେବନାଗରୀ ରେ ଲେଖାହୋଇଛି “ରାମ ସିୟା” ଅର୍ଥାତ୍ “ରାମ ସୀତା” । ଏଥିରେ ମର୍ଯ୍ୟଦା ପୁରୁଷୋତ୍ତମ ପ୍ରଭୂ ଶ୍ରୀରାମଙ୍କ ହାତରେ ଧନୁ ରହିଛି ଆଉ ମାଆ ସୀତାଙ୍କ ହାତରେ ରହିଛି ଗୋଟିଏ ସଂପୂର୍ଣ୍ଣ ପ୍ରସ୍ଫୁଟିତ ପଦ୍ମଫୁଲ। ସମସ୍ତ ପ୍ରତିକୂଳତା ସହ ସଂଘର୍ଷର ସାମର୍ଥ୍ୟ ଏବଂ ଜୀବନର ଅବବୋଧର ସୁନ୍ଦର ପଣ ବା ଅନ୍ୟଭାବରେ ସଂକ୍ଷେପରେ କହିଲେ ସଂଘର୍ଷ ଏବଂ ସୁନ୍ଦରତା,ଏହି ଧନୁଶର ଆଉ ପଦ୍ମଫୁଲ ଭଳି ଦୁଇଟି ପ୍ରତୀକରେ ଧାରଣ କରି ଆମର ଶ୍ରଦ୍ଧାର ଦୁଇ ଦେବ-ନରନାରୀ ଏକ ନିର୍ଦ୍ଦିଷ୍ଟ ଦାଂପତ୍ୟ-ଚିତ୍ର ଆମ ସାମ୍ନାରେ ଆମର କଳ୍ପନା ନିମନ୍ତେ ଉପସ୍ଥାପନ କରିଯାଇଛନ୍ତି ।
ସାଂସ୍କୃତିକ ଦୃଷ୍ଟିରେ ଦେଖିଲେ ରାମ ଆଉ ସୀତା ଯୋଡି ଆମର ସାମାଜିକ ଜୀବନକୁ ଅନେକ ଭାବରେ ପ୍ରଭାବିତ କରିଛନ୍ତି ।
ଅବଶ୍ୟ ଆମେମାନେ ଅନ୍ୟ ଦେବ ଯୁଗଳଙ୍କ ଭଳି ରାମ-ସୀତାଙ୍କୁ ଏକତ୍ର ଦେଖିବାରେ ସେହିଭଳି ଅଭ୍ୟସ୍ତ ନୋହୁଁ। ଆମେ ସବୁବେଳେ ରାମ-ସୀତାଙ୍କ ସହ ଲକ୍ଷ୍ମଣଲାଲ୍ ଅଥବା ରାମ-ଲକ୍ଷ୍ଣଣ-ସୀତାଙ୍କ ସହ ବଜରଙ୍ଗବାଲୀଙ୍କୁ ଏକତ୍ର ଗୋଟିଏ ଫ୍ରେମ୍ ରେ ଦେଖିବାରେ ଅଭ୍ୟସ୍ତ। ବେଳେବେଳେ ବଜରଙ୍ଗବାଲି ନିଜର ଛାତି ଚିରି ଆମକୁ ରାମଲକ୍ଷ୍ମଣ ଦୁଇଭାଇଙ୍କୁ ଦେଖାଇଥାନ୍ତି।ଏମିତିରେ କେଉଁଠି ନା କେଉଁଠି ରାମଲକ୍ଷ୍ମଣ ଦୁଇଭାଇଙ୍କୁ ବି ଆମକୁ ସ୍ୱତନ୍ତ୍ର ଭାବେ ତାଙ୍କର ପିତୃସତ୍ୟ ତଥା ବନବାସକାଳୀନ ଅବସ୍ଥାରେ ଦେଖିବାକୁ ମିଳିଥାଏ । ପ୍ରଭୂ ଶ୍ରୀରାମଚନ୍ଦ୍ରଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ଏବଂ ରାଜ୍ୟାଭିଷେକ ପରେ ବି ଯେଉଁ ଛବି ମାନଙ୍କ ସାମ୍ନାରେ ଆମେ ପ୍ରାୟତଃ ପୂଜାର୍ଚ୍ଚନା କରୁ ସେଥିରେ ପ୍ରଭୂ ଶ୍ରୀ ରାମଚନ୍ଦ୍ର, ମାତା ସୀତା, ଲକ୍ଷ୍ମଣଲାଲ,ବଜରଙ୍ଗବାଲି,କହିବାକୁ ଗଲେ ରାମାୟଣ କାହାଣୀର ସମସ୍ତ ପ୍ରମୁଖ ସତ୍ୟଧରମାନେ ଉପସ୍ଥିତ ରହିଥାନ୍ତି।
ଏଇ ସବୁର ଉଲ୍ଲେଖ କରିବାର କାରଣ ହେଉଛି ଆମେ ରାମ-ସୀତାଙ୍କୁ ନିରୋଳାରେ ନୁହଁ ଅନ୍ୟମାନଙ୍କ ସାନ୍ନିଧ୍ୟରେ ଦେଖିବାକୁ ସୁଖକର ମଣିଥାଉ ବୋଲି ଆମର ମଂଦିର ଗାତ୍ର ତଥା ଆମର ଛବିମାନଙ୍କରେ ସେହି ପ୍ରକାର ରେ ହିଁ ଅନ୍ୟମାନଙ୍କର ସହାବସ୍ଥାନରେ ରାମ-ସୀତା ଦୃଶ୍ୟମାନ ହୋଇଥାନ୍ତି।
ଆମେ ଆମର ସାଧାରଣଜୀବନରେ ପ୍ରଭୂ ଶ୍ରୀରାମଙ୍କ ଭଳି ପୁଅ ର କାମନା କରିଥାଉ ଏବଂ ଆମକୁ ସବୁବେଳେ ଯେଉଁ ଶାସକ ଶାସନ କରିବ ସେ ଯେମିତି ପ୍ରଭୂ ଶ୍ରୀରାମଙ୍କ ଭଳି ଜଣେ ରାଜା ହୋଇଥାଉ, ଠିକ୍ ସେହିଭଳି ଅଭିଳାଷ ସବୁସମୟରେ ପୋଷଣ କରିଥାଉ । କିନ୍ତୁ ଆମ ଭିତରେ ତଥାପି କିଛି କିଛି ବିରୋଧାଭାଷ ରହିଥାଏ । ତାହା ହେଉଛି ପ୍ରଭୂ ଶ୍ରୀରାମଙ୍କର ନିଜର ବ୍ୟବହାରିକ ସାଂସାରିକ ଜୀବନରେ ସ୍ୱାମୀ ରୂପରେ ତାଙ୍କର ଯେଉଁ ପୌରାଣିକ ଭୂମିକାଟି ରହିଥିଲା ତାହା ଯଥୋଚିତ ଦେବସୁଲଭ ହୋଇନାହିଁ ବୋଲି ଆମର ସଂଶୟର ପ୍ରଶ୍ନଚିହ୍ନ ରହିଛି। ତଥାପି ଆମେ ଆମର ପୁରୋହିତ କଂଠରେ ଆମର ମାନବବିବାହ କାଳରେ ଉତ୍ତମ ବିବାହ ମାନଙ୍କର ଯେଉଁ ତାଲିକା ଉପସ୍ଥାପନ କରି ଏଇ ବିବାହଟି ସେହିଭଳି ହେଉ ବୋଲି କାମନା କରିଥାଉ । ସେହି ବିଶେଷ ସମୟରେ “ଯଥା ରାବଣସ୍ୟ ମନ୍ଦୋଦରୀ” କହିବା ଭଳି ବି କହିଥାଉ,”ଯଥା ରାମସ୍ୟ ସୀତା”। ତେଣୁ ଆମର ଧାରଣାରେ ରହିଅଛି ଯେ ରାମ-ସୀତା ହେଉଛି ନିଶ୍ଚିତ ଏକ ଆଦର୍ଶ ବିବାହ। ସେ ଯାହାହେଉ ଶ୍ରୀରାମ ଏକା ଶିବଧନୁ ଭାଂଗିବା ଭଳି ଲକ୍ଷ୍ୟ ପୂରଣ କରି ମାତା ସୀତାଙ୍କୁ ବିବାହ କରିଥିଲେ । ଅନ୍ୟ ପକ୍ଷରେ ଆମେ ସବୁବେଳେ ସୀତା ଭଳି ବୋହୁଟିର କାମନା କରୁଥିଲେ ହେଁ ଆମେ ପ୍ରକୃତରେ ତାହାଭିତରେ ଯେଉଁଭଳି ସୀତା ଚରିତ୍ରର କଳ୍ପନା କରିଥାଉ ସେଥିରେ ଆମ ଅଜାଣତରେ ବି ବିରୋଧାଭାସଟିଏ ରହିଥାଏ।ସୀତାମାତାଙ୍କ ଚରିତ୍ରଟି ସେମିତି ବୋଲେ ହୁଁ ଟି ଭଳି ସୁଧାର ବଶମ୍ବଦ ଚରିତ୍ର ଆଦୌ ନୁହଁ।ପାରଂପାରିକ ବୃହତ୍ ପରିବାର ର ଅବଧାରଣା କୁ ଭାଂଗି ସ୍ୱାମୀସହ ବନଗମନର ନିର୍ଣ୍ଣୟକୁ କାର୍ଯ୍ୟକ୍ଷମ କରିପାରିବା ଭଳି ଦୃଢମନା ପୌରାଣିକ ନାରୀ ସେ। କିନ୍ତୁ ଶ୍ରୀରାମ ସାମାଜିକ ଭାବରେ ମଣିଷ ହିସାବରେ ଯେଉଁ ସଂପର୍କ ଗୁଡିକରେ ବଂଧାରହିଥିଲେ ସେଥିମଧ୍ୟରୁ ସ୍ୱାମୀ-ପରିଚୟ କୁ ବାଦ ଦେଲେ ସେ ଅନ୍ୟ ସବୁଥିରେ ଅଧିକ ଉଜ୍ଜଳ। ତେଣୁ ଆମେ ମାନେ “ଯଥା ରାମସ୍ୟ ସୀତା” ବୋଲି କହୁଥିଲେ ହେଁ ଶ୍ରୀରାମଙ୍କୁ ଅନ୍ୟ ସଂପର୍କରେ ଦେଖିବାକୁ ଭଲପାଇଥାଉ ବୋଲି ଏକେଲା ରାମ-ସୀତା ଆମ ଆଗରେ ଶ୍ରୀକୃଷ୍ଣଙ୍କ ଭଳି ଉପସ୍ଥିତ ନଥାନ୍ତି । ଅନ୍ୟ ସଂପର୍କ ଅର୍ଥାତ୍ ରାମ ଲକ୍ଷ୍ମଣଙ୍କୁ ଏକତ୍ର ଦେଖିଲେ ପିତୃସତ୍ୟ କଥା ଆମର ମନେ ପଡେ,ରାମଲକ୍ଷ୍ମଣସୀତାଙ୍କୁ ଏକାଠି ଦେଖିଲେ ରାବଣକୃତ ଅପରାଧକାହାଣୀର ଦୁଷ୍ଟନିବାରଣର କଥା ଆମର ମନକୁ ଆସିବ ଆଉ ରାମଲକ୍ଷ୍ମଣସୀତାହନୁମାନଙ୍କୁ ଏକାଠି ଦେଖି ଆମେ ରାମରାଜ୍ୟର ରୂପଟି ଅବା ଭକ୍ତ ର ଭଗବାନଙ୍କ ସହ ନିବିଡତାକୁ ଦେଖିପାରୁ ।ଆଉ ଏହି ସମସ୍ତ ଦୃଶ୍ୟର ଆଢୁଆଳରେ ଥିବା ପ୍ରତୀକକଥାଗୁଡିକ ଆମର ପ୍ରିୟତମ ବୋଲି ଆମେ ସେହି ଚିତ୍ରାତ୍ମକତାକୁ ପୂଜାକରିଥାଉ।ରାମ-ସୀତାଙ୍କ କାହାଣୀଟି ବେଶ୍ କରୁଣ ଆଉ ଅଶ୍ରୁଳ ଓ ଦ୍ୱନ୍ଦାତ୍ମକ ଥିବା କାରଣରୁ ଆମେ ସେ ଦୁହିଁକୁ ଏକତ୍ର ପୂଜା କରିବାରେ ଆଗ୍ରହ ପ୍ରକାଶ କରି ନଥାଉ।
ପ୍ରଭୂ ଶ୍ରୀରାମ ହେଉଛନ୍ତି ଏକ ସନ୍ନିବିଷ୍ଟତା ବା “ଅଲ୍-ଇନକ୍ଲୁସିଭିଟି” ର ପ୍ରତୀକ ।
ଏଇଠି ଆଉ ଗୋଟିଏ କଥା ଉଲ୍ଲେଖ କରିବା ଆବଶ୍ୟକ, ଯାହା ଫଳରେ ଆମକୁ ଅନ୍ତତଃ ଗୋଟିଏ ବିଶେଷ କାହାଣୀର ଚରିତ୍ର ହିସାବରେ ଶ୍ରୀରାମଙ୍କ ଚରିତ୍ର ଭିତରର ସନ୍ନିବିଷ୍ଟତାକୁ ବୁଝିବା ସହଜ ହେବ । ସାଧାରଣତଃ ପୁରାଣ ରେ ଯେତେବେଳେ ଦେବତା ମାନେ ଚରିତ୍ର ଆକାରରେ ଉପସ୍ଥିତ ହୋଇଥାନ୍ତି ସେତେବେଳେ ଆମ ପକ୍ଷରେ ସେମାନଙ୍କୁ କୌଣସି ଏକ କାହାଣୀ ର ଏକ ସାଧାରଣ ମାନବସମ ନାୟକ ଚରିତ୍ର ଆକାରରେ ଦେଖିବା ସେତେ ସହଜ ହୋଇ ନଥାଏ । ଆମେ ପୁରାଣ ରେ ଦେବତାକୁ,କେବଳ ଦେବତା କୁ ମଣିଷ ଆକାରରେ ଦେଖିବାକୁ ପସନ୍ଦ କରୁ । ଦେବତା ଯେ ଆମ ଭଳି ଭାଗ୍ୟ ହାତରେ ନିର୍ଯ୍ୟାତିତ ହୋଇପାରେ ବାସ୍ ସେତିକି ଦେଖିବାରେ ଆମର ତୃପ୍ତି । ମଣିଷର ଅତି ନିକୁଚ୍ଛପଣ, ବ୍ୟବହାର ତଥା ସର୍ବନିମ୍ନ ଅମାନବିକତା ଠାରୁ ଆମେ ଆମର ସମସ୍ତ ମଣିଷବେଶୀ ଦେବଚରିତ୍ରମାନଙ୍କୁ ଦୂରରେ ରଖିବା ପାଇଁ ଚାହୁଁ । ସେ ଯାହାହେଉ ଯଦି ଆମେ ରାମୟଣକୁ ଏକ ବିଶୁଦ୍ଧ ସାହିତ୍ୟଗ୍ରନ୍ଥ ହିସାବରେ ମନେକରୁ ଆଉ ସେଥିରେ ନାୟକ ଚରିତ୍ର ହିସାବରେ ଶ୍ରୀରାମଙ୍କୁ ଦେଖୁ ତାହାହେଲେ ଆମକୁ ଏମିତି କିଛି କଥା ପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ରାମାୟଣରେ ପ୍ରମୁଖ ଭାବରେ ଚାରୋଟି ରାଜ୍ୟ ଉପସ୍ଥିତ । ସେହି ଚାରୋଟି ରାଜ୍ୟର ଚଳଣୀ ଆଉ ଅଧ୍ୟାତ୍ମ ଭିନ୍ନ ଭିନ୍ନ । ରାମାୟଣ କାହାଣୀ ଏହି ଚାରୋଟି ଆଞ୍ଚଳିକତାକୁ ଆଧାର କରି ସଂରଚିତ । ସେ ଚାରୋଟି ରାଜ୍ୟ ହେଉଛି,ଅଯୋଧ୍ୟା,କିସ୍କିନ୍ଧ୍ୟା, ଲଙ୍କା ଏବଂ ବନସ୍ତ । ଏହି ଚାରୋଟିଯାକ ରାଜ୍ୟରେ ଯଥାକ୍ରମେ ନର ବାଦ, ବାନର ବାଦ, ରାକ୍ଷସ ବାଦ ଏବଂ ପରିବେଶ ବାଦ ପ୍ରଚଳିତ । ବନସ୍ତକୁ ବାଦ ଦେଇ ଏହି ତିନୋଟି ଯାକ ରାଜ୍ୟରେ କ୍ଷମତାର ହସ୍ତାନ୍ତରଣର ହିଁ କଥାରମ୍ଭ ଆଉ କଥାଶେଷ । ଅଯୋଧ୍ୟା ରାଜ୍ୟରେ ଉତ୍ତରାଧିକାର ନିୟମର ପାରଂପରିକତା ଏବଂ କିସ୍କିନ୍ଧ୍ୟା ତଥା ଲଙ୍କାରେ ବଡ ଭାଇ ଠାରୁ କ୍ଷମତା ସାନ ଭାଇ ହାତକୁ ଯିବା ଭଳି ଘଟଣା ଘଟିଛି । ମଣିଷ ହିସାବରେ ଆମେ ଅଯୋଧ୍ୟା ର ନରବାଦ କୁ ବେଶ୍ ଭଲଭାବରେ ବୁଝିପାରୁ । ଅନ୍ୟ ପକ୍ଷରେ କିସ୍କିନ୍ଧ୍ୟାରେ ପ୍ରଚଳିତ ବାନରବାଦ ହେଉଛି ଯାହାକୁ କହନ୍ତି “ହେଡୋନିଷ୍ଟିକ” ବା ସୁଖବୋଧ ଅବଧାରଣା । ଏଇଠି ପ୍ଲିଜର୍ ବା ସୁଖ ହେଉଛି ରାଜ୍ୟ ସଂଚାଳନର ଏକମାତ୍ର ଉଦ୍ଦେଶ୍ୟ । ତେଣୁ ଏଠାରେ ନାରୀ-ବାନର ମାନେ ସାଥି ପରିବର୍ତ୍ତନ କଲା ବେଳେ ନୀତିଗତ ପ୍ରଶ୍ନରେ ଆକ୍ରାନ୍ତ ନଥାନ୍ତି । ଲଙ୍କାର ରାକ୍ଷସବାଦ ହେଉଛି ନରବାଦର ପ୍ରତିପକ୍ଷ ଦୁର୍ଦ୍ଧଷପଣ । ରାମାୟଣରେ ଏକ ଚରିତ୍ର ହିସାବରେ ଶ୍ରୀରାମ ଏହି ତିନୋଟି ରାଜ୍ୟ ଯଥା ନରବାଦ,ବାନରବାଦ ଏବଂ ରାକ୍ଷସବାଦରେ ନିୟନ୍ତ୍ରଣର କାରକ ହିସାବରେ ଉପସ୍ଥିତ ହୋଇଅଛନ୍ତି ଏବଂ ରାମାୟଣକାରଙ୍କ ଅନୁସାରେ ଶ୍ରୀରାମଙ୍କୁ ଉଭୟ ଜଣେ ମଣିଷ ଆଉ ଜଣେ ଦେବତା ହିସାବରେ ହିଁ ରାମାୟଣର କାହାଣୀ-କ୍ଷେତ୍ରରେ ନରବାଦକୁ ପ୍ରତିଷ୍ଠା କରିବାକୁ ହୋଇଛି । ନରବାଦ କହିଲେ ଆମେ ଏଇଠି ଅତି ସରଳରେ ନର ର ସୁଖ ଦୁଃଖ ଆଉ ନୀତିବୋଧ କୁ ବୁଝିବା ।
ଏବଂ ସେଇଥିପାଇଁ ନିଜ ସହିତ ଏକ ବ୍ୟାପକ ସଂଚାଳନର ଉପସ୍ଥିତି ତଥା ବ୍ୟାପକ ସଂପର୍କର ଉପସ୍ଥିତିକୁ ସାବ୍ୟସ୍ତ କରୁଥିବା କାରଣ ରୁ ପ୍ରଭୂ ଶ୍ରୀରାମ ଆମର ଧାରଣାରେ ଏକେଲା ଉପସ୍ଥିତ ହୁଅନ୍ତି ନାହିଁ । ଅନ୍ୟମାନଙ୍କ ସହ ଆମେ ତାଙ୍କୁ ଆରାଧନା କରିବାକୁ ଆଗ୍ରହୀ ଥାଉ । ଏହା ପଛରେ ଆଉ ଗୋଟିଏ କଥା ବି ରହିଛି । ପ୍ରଭୂ ଶ୍ରୀରାମ ଆମ ଦେବତତ୍ତ୍ୱରେ ଏକ “ଶାନ୍ତମୂର୍ତ୍ତି” ଦେବତା ହିସାବରେ ପରିଗଣିତ । ଆମର ଦେବତାମାନଙ୍କୁ ଆମେ ସାଧାରଣତଃ ଶାନ୍ତମୂର୍ତ୍ତୀ ଏବଂ ଆକ୍ରମକମୂର୍ତ୍ତୀ ହିସାବରେ ଆବାହନ କରିଥାଉ । ଆମର ବିଶେଷ ପରିସ୍ଥିତିରେ ଯେତେବେଳେ ଆମର ଅଘଟଣକୁ ସଂହାର କରିବାପାଇଁ ଦେବତାକୁ ଆମେ ଲୋଡିଲାବେଳେ ଦେବତାର ଆକ୍ରମକତା ଆମର କାମ୍ୟ ମାତ୍ର ସବୁ ସମୟରେ ଶାନ୍ତାକାର ଦେବତାମାନେ ଆମର ଅତ୍ୟନ୍ତ ପ୍ରିୟଜନ ଭାବରେ ଆମର ଚେତନାରେ ଉପସ୍ଥିତ ହୋଇ ରହିଥାନ୍ତି । କହିବା କଥା ହେଉଛି ମର୍ଯ୍ୟଦାପୁରୁଷୋତ୍ତମ ପ୍ରଭୂ ଶ୍ରୀରାମ ସବୁବେଳେ ଶାନ୍ତମୂର୍ତ୍ତୀ ଆଉ ତାହା ହିଁ ତାଙ୍କର ସ୍ୱାଭାବିକ ଦେବପଣ ।

ଏବେ ସେଇ ବିଶେଷ “ରାମ-ସିୟା” ମୁଦ୍ରା ନିକଟକୁ ଫେରିବା । ଏହି ମୁଦ୍ରା ରେ ରାମ-ସୀତା ଏକତ୍ର ପ୍ରତୀକାତ୍ମକ ଭାବରେ ରହିବା ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି ଏହି ମୁଦ୍ରା ର ପ୍ରଚଳନକାରୀ ଭଲଭାବରେ ବୁଝିଥିଲେ । ଆପଣମାନେ ଜାଣନ୍ତି ଯେ ପ୍ରତ୍ୟେକ ସ୍ୱାଧୀନ ଏବଂ ସାର୍ବଭୌମ ସମ୍ରାଟର ପ୍ରମୁଖ ଅଧିକାର ହେଉଛି ତାହାର ରାଜ୍ୟରେ ଏକ ଏକକ ମୁଦ୍ରା ପ୍ରଚଳନ । କେବଳ ଜଣେ ସ୍ୱାଧୀନ ଆଉ ସାର୍ବଭୌମ ସମ୍ରାଟ ନିଜ ରାଜତ୍ୱକୁ ଚିହ୍ନିତ କରି ଏକ ମୁଦ୍ରା ପ୍ରଚଳନ କରିପାରେ ମାତ୍ର ତାହାର ଶାସନାଧୀନ ରାଜ୍ୟର ପରିସରରେ ତାହାକୁ କର ଦେଉଥିବା ବା ତାହାର ଅଧୀନସ୍ଥ ଅନ୍ୟ କୌଣସି କରଦ ରାଜା ଏହିଭଳି ନିଜ ନାମରେ କୌଣସି ମୁଦ୍ରା ପ୍ରଚଳନ କରି ପାରିବ ନାହିଁ । ବସ୍ତୁତଃ ମୁଦ୍ରାପ୍ରଚଳନ ସର୍ବୋଚ୍ଚ ସମ୍ରାଟର ସାର୍ବଭୌମତା ର ପ୍ରତୀକ ହୋଇଥିବା କାରଣରୁ ଏହା ର ପ୍ରଚଳନ ଫଳରେ ସେହି ନିରଙ୍କୁଶ ସାର୍ବଭୌମତା ଯେମିତି ସାମାନ୍ୟ ସଂକୁଚିତ ହେବାଭଳି ଦୃଶ୍ୟମାନ ନହୁଏ ତାହା ପ୍ରତି ଯଥେଷ୍ଟ ଦୃଷ୍ଟି ଦିଆଯାଉଥିଲା । କହିବା କଥା ହେଉଛି ପ୍ରଚଳିତ ମୁଦ୍ରାମାନ ରାଜ୍ୟ ସାରା ନିୟମିତ ଏବଂ ବହୁଳ ଭାବରେ ବ୍ୟବହୃତ ହେଉଥିବା କାରଣରୁ ମୁଦ୍ରା ଉପରେ ଯାହା ଲେଖା ହେଉ ଥିଲା ବା ଯେଉଁ ଛବି ଅଂକିତ ହୋଇ ଥିଲା ତାହା ପ୍ରଜାସକଳଙ୍କର ମାନସପଟଳରେ ରହୁଥିଲା । ତେଣୁ ମୁଦ୍ରା ରେ ଥିବା ଛବି ପ୍ରଜାର ଧାରଣାରେ ସ୍ୱାଧୀନ ସାର୍ବଭୌମ ସମ୍ରାଟର ପ୍ରତିପକ୍ଷ ପାଲଟି ଯିବା ଖୁବ୍ ସହଜ । ତେଣୁ ସ୍ୱାଧୀନ ସମ୍ରାଟମାନେ ଏହ ପରି ଛବିମାନଙ୍କୁ ନିଜ ର ମୁଦ୍ରାପାଇଁ ମନୋନୀତ କରୁଥିଲେ ଯାହା ସେମାନଙ୍କର ସାର୍ବଭୌମତାର ପରିପୂରକ ହିସାବରେ କାର୍ଯ୍ୟକରିବ । ତାହାର ବାଧକ ହେବନାହିଁ ।
ଭିନ୍ନ ଧର୍ମର ହେଲେ ବି ସେହି ସ୍ୱାଧୀନ ସାର୍ବଭୌମ ସମ୍ରାଟ ଏହି “ସିୟା-ରାମ” ମୁଦ୍ରା ପ୍ରଚଳନ କରିଥିଲେ । ରାମାୟଣର କାହାଣୀ ସହ ସେ ବିଶେଷ ପରିଚିତ । ଏମିତିରେ ରାମାୟଣକୁ ସେ ମଧ୍ୟପ୍ରାଚ୍ୟ ଅଂଚଳରେ ପରିଚିତି ପାଇଁ ପାର୍ଶି ଭାଷାରେ ଅନୁବାଦ କରାଇଥିଲେ। ତେଣୁ ହିନ୍ଦୁ ଦେବତାମାନଙ୍କର ଦାଂପତ୍ୟ-ଆଧାରକୁ ନିଜର ମୁଦ୍ରା ରେ ପ୍ରଚଳନ କରିବା ଆଳରେ ତାହାକୁ ଲୋକପ୍ରିୟ କରିବା ପଛରେ ସେହି ମୁସଲମାନ ଶାସକଙ୍କର ସମ୍ଭବତଃ ଏକମାତ୍ର ଉଦ୍ଦେଶ୍ୟ ରହିଥାଇ ପାରେ । ଆଉ ତାହା ହେଉଛି ରାମଙ୍କର ରାଜା ଭୂମିକା ଅପେକ୍ଷା ସ୍ୱାମୀର ଭୂମିକା ଅଧିକ ଯୋଗ୍ୟତର, ସେଇ କଥାକୁ ଜନତା ସାମ୍ନାରେ କହି ନିଜର ରାଜପଣକୁ ଅଧିକ ମର୍ଯ୍ୟଦା ପ୍ରଦାନ କରିବା। ସଂଖ୍ୟାବହୁଳ ଉପରେ ସଂଖ୍ୟାଲଘୁ ନିଜର ରାଜପଣକୁ ଏଇଭଳି ଚତୁର ଭାବରେ ଉପସ୍ଥାପନ କରିପାରେ,ଯେଉଁଠି ଦେବତାକୁ ସମସ୍ତ ମାନବୀୟ ସଂପ୍ରୀତୀର ପ୍ରତିଭୂ ହିସାବରେ ପୂଜ୍ୟ କରି ରଖାଯାଇପାରେ, ଜଣେ ରାଜା ହିସାବରେ ସେମିତି ସେତେ ନୁହଁ ।
ଏଇ ମୁଦ୍ରା ର ଗୋଟିଏ ପଟେ ଦେବନାଗରୀରେ “ସିୟାରାମ”ଲେଖା ହୋଇଥିବା କଥା ଆଗରୁ କୁହାଯାଇଛି । ମୁଦ୍ରାଟିର ଆରପଟେ ପାର୍ଶୀରେ ଲେଖାଯାଇଛି ” ଅମରଦାଦ୍ ଇଲାହୀ ୫୦” ଅର୍ଥାତ୍ ଆକବର୍ ଙ୍କ ରାଜତ୍ୱର ପଚାଶ ବର୍ଷ।
ଏହି ମୁଦ୍ରା ଟି ତେଣୁ ମୁଗଲ ସମ୍ରାଟ୍ ଆକବର ଙ୍କ ରାଜତ୍ୱର ପଚାଶ ବର୍ଷ ଅର୍ଥାତ୍ ୧୬୦୪-୫ ଖ୍ରୀ ଅ ରେ ପ୍ରଚଳିତ ଏବଂ ଏହା ଏକ ସ୍ମାରକୀ ମୁଦ୍ରା। ଏହି ମୁଦ୍ରା ଟି ଆକବରଙ୍କ ତରଫରୁ ତାଙ୍କର ହିନ୍ଦୁ ସେନାଧ୍ୟକ୍ଷ ରାଜା ମାନସିଂ ପ୍ରଚଳନ କରିଥିଲେ ବୋଲି ଐତିହାସିକ ମାନେ ମତ ଦିଅନ୍ତି। ଆଗରୁ କୁହାଯାଇଛି ଯେ ଜଣେ ସ୍ୱାଧୀନ ଓ ସାର୍ବଭୌମ ରାଜା ହିଁ କେବଳ ନିଜ ନାଆଁରେ ମୁଦ୍ରା ପ୍ରଚଳନ କରିପାରେ । ତେଣୁ ମୁଦ୍ରା-ପାଠରୁ ଜଣେ ରାଜାର ରାଜ୍ୟ ବିସ୍ତୃତି କଥା ଅର୍ଥାତ୍ ମୁଦ୍ରା ଟି ଯେତିକି ଅଂଚଳଯାଏଁ ଗ୍ରହଣୀୟ ଥିଲା ସେତିକି ଅଂଚଳ ତାହାର ରାଜ୍ୟର ବିସ୍ତାର ଥିଲା ବୋଲି ଜଣାପଡିଥାଏ।ଆଉ ମୁଦ୍ରାରୁ ସଠିକ ଭାବରେ ଜଣାପଡେ ଜଣେ ସ୍ୱାଧୀନ ସାର୍ବଭୌମ ରାଜାର କାଳ।ଆକବର୍ ଙ୍କ ଭଳି ଜଣେ ସ୍ୱାଧୀନ ସାର୍ବଭୌମ ରାଜା ଯାହାଙ୍କୁ ଭାରତର ଇତିହାସରେ ଖୁବ୍ କମ୍ ଜାତୀୟ ରାଜା ବା ନେସନାଲ୍ କିଙ୍ଗ୍ ଙ୍କ ସହ ଏକାଠି ରଖାଯାଇଥାଏ ସେ ଏକ ହିନ୍ଦୁ ଦେବତାଙ୍କୁ ନିଜର ସ୍ମାରକୀ ମୁଦ୍ରା ରେ ସ୍ଥାନ ଦେବା ଭାରତ ଇତିହାସର ସହିଷ୍ଣୁପକ୍ଷକୁ ନିଶ୍ଚିତ ପ୍ରଜ୍ଜଳିତ କରି ରଖିଛି । ଆଉ ଆକବର ଙ୍କ ଭଳି ଜଣେ ସୁଦକ୍ଷ ରାଜାଙ୍କ ତରଫରୁ ଜଣେ ସାମାନ୍ୟ ସେନାଧ୍ୟକ୍ଷ ରାଜା ମାନସିଂହ ଜଣେ ସାର୍ବଭୌମ ରାଜାର ମୁଦ୍ରା ପ୍ରଚଳନ କରିପାରିବାର ଅଧିକାରକୁ ପରିଚାଳନା କରିପାରିବା ଭଳି ଅଧିକାର ପ୍ରାପ୍ତ ହେବା ଭଳି କଥା ମଧ୍ୟ ନିଶ୍ଚୟ ଉଲ୍ଲେଖଯୋଗ୍ୟ। ମଧ୍ୟଯୁଗରେ ରାଜା ନିକଟରେ ସମସ୍ତ କ୍ଷମତା କେନ୍ଦ୍ରୀଭୂତ ହୋଇ ରହିବା ଗୋଟିଏ ସୁଦୃଢ ରାଷ୍ଟ୍ରଗଠନ ପାଇଁ ଆବଶ୍ୟକ ଥିଲା କାରଣ ଟିକିଏ ସୁଯୋଗ ପାଇଲେ ଅଧୀନସ୍ଥ କରଦ ରାଜାମାନେ ନିଜକୁ ସ୍ୱାଧୀନ ଘୋଷଣା କରିବା ସହ ରାଷ୍ଟ୍ରକୁ ଦୁର୍ବଳ କରି ଦେଉଥିଲେ।ସେଇଥିପାଇଁ ସେତେବେଳର ସମସ୍ତ ରାଜାମାନେ ସ୍ୱୈରାଚାରୀ ଓ ଶାସନ କ୍ଷମତାକୁ ଅନ୍ୟ ସହ ସହଭାଗ କରୁନଥିଲେ।ସେହି ପରିପ୍ରେକ୍ଷୀରେ ଆକବର୍ ଙ୍କ ତରଫରୁ ତାଙ୍କର ମୁଦ୍ରା ପ୍ରଚଳନ ଅଧିକାରକୁ ରାଜା ମାନସିଂହ ପରିଚାଳନା କରିବା ନିହାତି ତାତ୍ପର୍ଯ୍ୟପୂର୍ଣ୍ଣ।ଏଠାରେ କହିବା ପ୍ରାସଙ୍ଗିକ ହେବ ଯେ ବାରଶହ ଶତାବ୍ଦୀ ଠାରୁ ଷୋଳଶହ ଶତାବ୍ଦୀ ପର୍ଯ୍ୟନ୍ତ ପ୍ରାୟ ଚାରିଶହ ବର୍ଷର ମୁସଲମାନ ଶାସନରେ ଯାହାକି ରାଷ୍ଟ୍ରନୀତି ଦୃଷ୍ଟିରୁ ପ୍ରଧାନତଃ ଧର୍ମଭିତ୍ତିକ ରାଷ୍ଟ୍ର ଅର୍ଥାତ୍ ଥିଓକ୍ରାଟିକ୍ ଷ୍ଟେଟ୍ ହୋଇ ରହିଥିଲା ସେହି ସମୟ କାଳରେ ଭିନ୍ନ ଧର୍ମର ହୋଇ ମଧ୍ୟ ରାଷ୍ଟ୍ରର ରାଜସ୍ୱ ଓ ଅର୍ଥ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ପରିଚାଳନାରେ ମୁଖ୍ୟତଃ ହିନ୍ଦୁମାନେ ରହୁଥିଲେ।ବ୍ରିଟିଶ ମାନେ ମଧ୍ୟ ସୁଲତାନମାନଙ୍କର ଏହି ନୀତିକୁ ଅନୁସରଣ କରିଛନ୍ତି।ରାଷ୍ଟ୍ରରେ ବହୁମୁଖୀ ଧର୍ମ ପ୍ରଚଳିତ ଥିଲେ ସଂଖ୍ୟାଲଘୁ ଓ ସଂଖ୍ୟାଗୁରୁ କଥାଟି ଆସିବ।ଆଉ ଶାସନର ପ୍ରୟୋଜନ ପାଇଁ ସେତେବେଳର ଶାସକ ତଥା ଧର୍ମଦୃଷ୍ଟିରୁ ସଂଖ୍ୟାଲଘୁ ଦଳଟି ସଂଖ୍ୟାଗୁରୁଙ୍କ ଉପରେ ନିର୍ଭରଶୀଳ ହୋଇ ରହିଥିଲା।ସୁଲତାନୀ ଶାସନର ଏହି ଚାରିଶହ ବର୍ଷର ସହିଷ୍ଣୁତା ର ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ହେଉଛି ଯେ ଏହି ସମୟ କାଳ ମଧ୍ୟରେ ଗୋଟିଏ ମାତ୍ର ଦଂଗା ବା ଧର୍ମଗତ ବିଦ୍ୱେଷ ହୋଇନାହିଁ। ଅଥଚ ମୌର୍ଯ୍ୟ ମାନଙ୍କ ଶାସନ ଅନ୍ତ ହେବା ପରେ ବୌଦ୍ଧ ଓ ବ୍ରାହ୍ମଣ ମାନଙ୍କର ଭିତରେ ରକ୍ତପାତ ଓ ସଂଘର୍ଷ ଭାରତ ର ପ୍ରାଚୀନ ଇତିହାସର ଏକ କଳଙ୍କିତ ଅଧ୍ୟାୟ।ମାତ୍ର ଭାରତ ଭଳି ଏକ ବିରାଟ ଦେଶରେ ହିନ୍ଦୁ ମୁସଲମାନ ମାନେ ସଂପ୍ରୀତିରେ ସହ ଚାରିଶହ ବର୍ଷ ଅବସ୍ଥାନ କରିବା ପଛରେ ମୁସଲମାନ ଶାସକ ମାନଙ୍କର ଶାସନଦୃଷ୍ଟି ତଥା ସମସ୍ତଙ୍କୁ ନେଇ ଏକ ଜନମଙ୍ଗଳ ରାଷ୍ଟ୍ର ଓ ଏକ ଧର୍ମଭିତ୍ତିକ ରାଷ୍ଟ୍ରକୁ ସମନ୍ୱୟ କରାଯାଇ ପାରିବାର ଶାସଜୀୟ ସହିଷ୍ଣୁତାକୁ ପ୍ରଶଂସାର୍ହ। ଭାରତର ମଧ୍ୟଯୁଗସଂପର୍କୀତ ଇତିହାସ ବିଶାରଦ ମାନେ ବିଶେଷତଃ ଆଚାର୍ଯ୍ୟ ଯଦୁନାଥ ସରକାରଙ୍କ ଭଳି ବିଦ୍ୱାନ ମାନେ ମତ ପୋଷଣ କରିଛନ୍ତି ଯେ,ଇସଲାମ୍ ଯେତିକି ଯେତିକି ପୂର୍ବ ଅଭିମୁଖୀ ହୋଇଛି ତାହା ସେତିକି ସେତିକି ସହିଷ୍ଣୁ ଓ ଉଦାର ହୋଇଛି।ତାହାର ଧାର୍ମିକ ଉଗ୍ରତା ହ୍ରାସ ପାଇବାରେ ଲାଗିଛି।
ଆଉ ଗୋଟିଏ କଥା ସହିତ ଆଜିର ପ୍ରସଂଗକୁ ଶେଷ କରୁଛି।ସୁଲତାନୀଶାସନର ସହିଷ୍ଣୁ ପକ୍ଷର ଆଉ ଏକ ଉଜ୍ଜଳ ଦୃଷ୍ଟାନ୍ତ ହେଲା ଭାଷାଗତ ସହିଷ୍ଣୁତା ଓ ସମନ୍ୱୟ।ସେ ସମୟରେ ସଂଖ୍ୟାଲଘୁ ଶାସକ ର ଭାଷା ପାର୍ଶି ଆଉ ଆରବିକ୍ ଥିଲେ ବି ତାହା ଭାରତୀୟ ପ୍ରାକୃତ ଆଉ ସଂସ୍କୃତ ଉପରେ କୌଣସି ପ୍ରକାରେ ପ୍ରଭୂତ୍ୱ ବିସ୍ତାର କରିନାହିଁ।ଦେଖନ୍ତୁ ଏହି ମୁଦ୍ରା ର ଗୋଟିଏ ପଟେ ଦେବନାଗରୀ ଆଉ ଆରପଟେ ପାର୍ଶୀ। ଶାସନର ପ୍ରୟୋଜନ ପାଇଁ ହିନ୍ଦୁମାନେ ପାର୍ଶି ଆଉ ଆରବିକ୍ କୁ ଶିଖିଛନ୍ତି ଆଉ ଏହା ପ୍ରତି ତାଙ୍କ ମନରେ କୌଣସି ବିରୂପ ଧାରଣା ସୃଷ୍ଟି ହୋଇନାହିଁ।ସମାନ ଭାବରେ କହିବାକୁ ଗଲେ ଆମେ ଦେଖିବା ଯେ ଭିନ୍ନ ଭାଷାବଲମ୍ବୀ ହୋଇ ମଧ୍ୟ ମୁସଲମାନ ଶାସକ ମାନେ ଏଠିକାର ଭାଷାକୁ କୌଣସି ପକ୍ଷପାତପୂର୍ଣ୍ଣ ଦୃଷ୍ଟିରେ ଦେଖି ନାହାଁନ୍ତି।ତେଣୁ ଭାଷାଗତ ସୌହାର୍ଦ୍ଦ ହିଁ ଉଭୟଙ୍କୁ ପରସ୍ପର ପ୍ରତି ସହିଷ୍ଣୁ କରିରଖିପାରିବାରେ ଏକ ପ୍ରମୁଖ କାରଣ ସାଜିଛି।
ଏହି ମୁଦ୍ରା ଟି କହିବାକୁ ଗଲେ ଭାରତୀୟତାର ଏକ ପ୍ରତୀକ ମୁଦ୍ରା ଯାହା ଆମର ସହିଷ୍ଣୁତା ଓ ଉଦାରତାକୁ ପ୍ରତିପାଦନ କରୁଛି।
ବିବିଧତାର ଜୟ ହେଉ।
ଭାରତୀୟତାର ଜୟ ହେଉ।
ଏବଂ ରାମଙ୍କ ହାତରେ ଧନୁଶର ଭଳି ଆଉ ସୀତାଙ୍କ ହାତରେ ପଦ୍ମଫୁଲ ଭଳି ଆମ ସାମ୍ନାରେ ସମସ୍ତ ସଂଘର୍ଷ ପାଇଁ ଯଥୋଚିତ ସାମର୍ଥ୍ୟ ଏବଂ ସଂଭାବିତ ସୁନ୍ଦରପଣ ର ଅବବୋଧ ରହିଥାଉ ।

ଚାରି
ଆରାଧନା:
ଆଜି ତାଙ୍କର ଜନ୍ମଦିନ।
ଭାରତୀୟ ପୁରାଣକାରମାନେ ଭାରତୀୟ କାଳପୁଞ୍ଜିରେ ତିନିଜଣ ରାମଙ୍କର ସଂରଚନା କରିଛନ୍ତି,ସେମାନେ ହେଲେ ପର୍ଶୁରାମ,ଶ୍ରୀରାମ ଏବଂ ଶ୍ରୀବଳରାମ। ଏଇ ତିନି ପୌରାଣିକ ରାମଙ୍କୁ
ଆମେ ସହଜରେ ଚିହ୍ନିତ କରିପାରିବୁ ସେମାନଙ୍କର ଅସ୍ତ୍ରରେ : ଜଣେ କୁଠାରଧାରୀ,ଜଣେ ଧନୁର୍ବାଣଧାରୀ ଏବଂ ଜଣେ ହଳଧାରୀ। ମହର୍ଷି ବାଲ୍ମିକୀକୃତ ରାମାୟଣରେ ଧନୁର୍ବାଣଧାରୀ ଶ୍ରୀରାମ ହେଉଛନ୍ତି ପ୍ରମୁଖ ଚରିତ୍ର। ସେଥିରେ କୁଠାର ଧାରୀ ପର୍ଶୁରାମଙ୍କର ଉଲ୍ଲେଖ ରହିଛି ମାତ୍ର ହଳଧାରୀ ଶ୍ରୀବଳରାମ ଅନୁପସ୍ଥିତ ସେହି ମହାନ ଗ୍ରନ୍ଥରେ। ଆମର ଭାରତୀୟତାର ଦୁଇ ଆକର ଗ୍ରନ୍ଥ ରାମାୟଣ ଏବଂ ମହାଭାରତକୁ କାଳାନୁକ୍ରମିକ ଭାବରେ ଦୁଇଟି ପର ପରର କାହାଣୀ,ରାମାୟଣ କାହାଣୀ ଟି ତ୍ରେତୟା ଯୁଗର କାହାଣୀ ହୋଇଥିବା ବେଳେ ମହାଭାରତର କାହାଣୀର କାଳଖଣ୍ଡ ତ୍ରେତୟାର ପରବର୍ତ୍ତି ଦ୍ୱାପର ଯୁଗର ଶେଷ ଆଉ କଳିଯୁଗର ଆରମ୍ଭର ସଂନ୍ଧିକ୍ଷଣର କାହାଣୀ। କୁଠାରଧାରୀ ଶ୍ରୀପର୍ଶୁରାମଙ୍କୁ ପ୍ରାକ୍ -ଶ୍ରୀରାମକାଳୀନ ଯୁଗର ବୋଲି ବିବେଚନା କରାଯାଏ। “ଶ୍ରୀଜୟଦେବକବେରିଦ ମୁଦିତ ମୁଦାରମ୍” ବୋଲି ଉପସଂହାର ଟାଣି ଆମର ପ୍ରିୟ କବି ଶ୍ରୀଜୟଦେବ ତାଙ୍କର ପ୍ରସ୍ତୁତ ଅବତାରମାଳିକାରେ (ଯାହା ଅସଲରେ ମଣିଷର ବିବର୍ତ୍ତନ ପ୍ରକ୍ରିୟାର ଏକ ବସ୍ତୁପରକ ବୈଜ୍ଞାନିକତାର ସମୃଦ୍ଧ କାବ୍ୟିକ ସଂରଚନା) ଏହି ତିନିଜଣ ରାମଙ୍କର ଉପସ୍ଥିତି ର ମହିମାମଣ୍ଡନ କରାଯାଇଛି।
ଏଇ କଥା କହିବାର ଉଦ୍ଦେଶ୍ୟ ହେଉଛି କୁଠାର,ଧନୁର୍ବାଣ ଏବଂ ହଳ, ଏଇ ତିନୋଟିକୁ ଏକାଠି ଦେଖିଲେ ଆମେ ମଣିଷର ପ୍ରାକ୍-ଐତିହାସିକତା,ଐତିହାସିକତା ଏବଂ ସଭ୍ୟତାପରକ ଉପସ୍ଥିତିର କ୍ରମିକ ସହାବସ୍ଥାନକୁ ଲକ୍ଷ୍ୟ କରିପାରିବ। ଏଇଠି କହିଦେବା ଉଚିତ ହେବ ଯେ,ଇତିହାସର ବିବର୍ତ୍ତନରେ ସମୟର ତାତ୍କାଳିକତାର ପୃଷ୍ଟଭୂମୀରେ ସମସ୍ତ ମଣିଷ କୁ ସଭ୍ୟ-ଅସଭ୍ୟ ବୋଲି ଭାଗଭାଗ କରିହେବ ନାହିଁ। ନିଜର କାଳଖଣ୍ଡରେ ସଭିଏଁ ସେଇ କାଳାନୁଯାୟୀ ଆଚରଣ କରିଥାନ୍ତି ଆଉ କୌଣସି ପରବର୍ତ୍ତି କାଳରେ ଅତୀତକୁ ପର୍ଯ୍ୟାଲୋଚନ କରି ଆମେ ତାହାର ଉପରେ ସଭ୍ୟ-ଅସଭ୍ୟ ଭଳି ଆମର ବିଚାର-ଛାପ ଲଗାଇ ତାହାର ଉପରେ ଆପଣାର ସନ୍ତକ ଦେଇ ତାହାର ଦସ୍ତାବେଜୀକରଣ
କରିଥାଉ। ଏହାକୁ ଦୃଷ୍ଟି ଆଗରେ ରଖି ଅତ୍ୟନ୍ତ ସତର୍କତାର ସହିତ କହିବାକୁ ଚାହିଁବି ମଣିଷର ସଭ୍ୟତା ତାହାର ଖାଦ୍ୟ-ସଂଗ୍ରହର ଅବସ୍ଥାନରୁ ଖାଦ୍ୟ-ଉତ୍ପାଦନର ଅବସ୍ଥାନ ମଧ୍ୟ ଦେଇ ଏକ ସୁଦୃଢ ଆଞ୍ଚଳିକତା,କାଳକ୍ରମ,ଏକ ସଂଗଠିତ ଶାସକୀୟ ଏକକ ଭାବରେ ନିଜର ସାମାଜିକ,ସାଂସ୍କୃତିକ ସଂରଚନା ତଥା ନିଜର ସଭ୍ୟତାକୁ ବିକଶିତ ତଥା ସଭସାମୟିକତାରେ ପ୍ରଭାବବନ୍ତ କରି ପାରିଛି।
ମଣିଷ ସଭ୍ୟତାର ଖାଦ୍ୟ-ସଂଗ୍ରହର କାଳ ତଥା ଆଦିକାଳ ହେଉଛି ଏପରି ଅବସ୍ଥା ଯେଉଁଠି ମଣିଷର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ପାରିପାର୍ଶ୍ୱିକରୁ ଖାଦ୍ୟ-ସଂଗ୍ରହ,ଯଥା ଫଳମୂଳ ସଂଗ୍ରହ ଏବଂ ପଶୁ-ଶିକାର। ଖାଦ୍ୟଟି ମିଳିଯିବା ଆଉ ବଳକା ଖାଦ୍ୟକୁ କେଉଁଭଳି ସଂରକ୍ଷଣ କରାଯାଇପାରିବ ତାହା ଥିଲା ସେଇ ସମୟର ପ୍ରମୁଖ ଅଭିଳାଷ। ତେଣୁ ସେଇ ଭଳି ସମୟରେ କୁଠାର ହିଁ ହେବ ମଣିଷର ପ୍ରକୃଷ୍ଟ ଦ୍ୟୋତକ ଅସ୍ତ୍ର।ତାହାପରେ ମଣିଷ ନିଜର ଅସ୍ତ୍ରକୁ କ୍ଷେପଣକରି ଦୂରରେ ଥିବା ପଶୁକୁ ସହଜରେ ଶିକାର କରିପାରିଲା। ମଣିଷର ଏଇ ଅସ୍ତ୍ର-କ୍ଷେପଣ ପୂର୍ବକ ଦୂରକୁ ନିଜର ଆୟତ୍ତକୁ ଆଣିବା ଭଳି ସାମର୍ଥ୍ୟର ଚୂଡାନ୍ତ ପ୍ରତୀକ ଅସ୍ତ୍ର ହେଉଛି ଧନୁର୍ବାଣ। ତାହାପରେ ଯେତେବେଳେ ମଣିଷ ପାରିପାର୍ଶ୍ୱିକ ରୁ ଖାଦ୍ୟ ସଂଗ୍ରହ ତୁଳନାରେ କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ଖାଦ୍ୟ ଉତ୍ପାଦନ କରି ତଥା କୃଷି-ଭିତ୍ତିକ ଜୀବନ-ଚର୍ଯ୍ୟା ଅଧିକ ପ୍ରାସଙ୍ଗିକ ବୋଲି ମନେକଲା ସେଇଠି ଗୁରୁତ୍ୱପୂର୍ଣ୍ଣ ହେଲା ହଳଲଙ୍ଗଳ।
ଆୟୁଧ-ପ୍ରତୀକ ଆଉ ଦେବତାକୁ ଏପରି ବିବେଚନାର ପରିସରକୁ ଆଣିଲେ ଆମେ ଏପରି ଦେଖିପାରିବା ଯେ କୁଠାରଧାରୀ ଶ୍ରୀପର୍ଶୁରାମ ହେଉଛନ୍ତି ମାନବ ସଂପ୍ରଦାୟର ପ୍ରତୀକ ଆଉ ଏଇ ମାନବଗଣ କୃଷିକର୍ମରେ ଅନଭିଜ୍ଞ। କୁଠାର ସାହାଯ୍ୟରେ ଅଗମ୍ୟ ଜଙ୍ଗଲକୁ ପରିଷ୍କାର କରାଯାଏ,କାଠ କଟା ଯାଏ ଆଉ କାଠକୁ କାଠ ଘଷି ସେଥିରୁ ଅଗ୍ନି ଉତ୍ପାଦନ କରାଯାଏ,ଆକ୍ରାନ୍ତ ହେଲେ ବନ୍ୟପ୍ରାଣୀର କବଳରୁ ତାହା ନିଜକୁ ସୁରକ୍ଷା ପ୍ରଦାନ କରିଥାଏ। ମାନବ ସଭ୍ୟତାର ସେଇଟି ପ୍ରାଥମିକ ସ୍ତର।
ପ୍ରଭୂ ଶ୍ରୀରାମଚନ୍ଦ୍ରଙ୍କ ଦ୍ୟୋତକ ଅସ୍ତ୍ର ହେଉଛି ଧନୁର୍ବାଣ। ଏଥିରୁ ଗୋଟିଏ ଇଙ୍ଗିତ ମିଳିଥାଏ ଯେ ସେଇ ଯୁଗରେ ମଣିଷ ପ୍ରସ୍ତରଖଣ୍ଡ,ବୃକ୍ଷ,କାଠ ଆଉ କୁଠାର ଆଦିକୁ ପରିତ୍ୟାଗ କରି ନିଜର ଶକ୍ତିକୁ କ୍ଷେପଣ ମାଧ୍ୟମରେ ଅଧିକ ପ୍ରଭାବୀ ବୋଲି ବିଚାର କରୁଥିଲା ଆଉ ସେଇଥିପାଇଁ ପ୍ରମୁଖ ପ୍ରଭାବୀ ଆୟୁଧ ହେଲା ଧନୁର୍ବାଣ। ଅଧିକ ଦୂରତାକୁ ଯାଇ ତୀକ୍ଷ୍ଣ ଆଉ ଲକ୍ଷ୍ୟଭେଦୀ ସେ। ଏହା କେବଳ ଆତ୍ମରକ୍ଷାର ବସ୍ତୁ ନୁହଁ, ଏହା ଅନ୍ୟକୁ ଆକ୍ରମଣ କରିବାର ପ୍ରଭାବୀ ଅସ୍ତ୍ର ବି। ଅସ୍ତ୍ର ଶାସ୍ତ୍ରରେ ଦୂରତ୍ୱର ହିଁ କେବଳ ଗୁରୁତ୍ୱ ରହିଛି,ଅର୍ଥାତ୍ କେତେ ଦୂରତ୍ୱକୁ କେଉଁ ଅସ୍ତ୍ର କେତେ ଭେଦ କରିପାରିବ,ସେଇ ମୌଳିକ କଥା। ମଣିଷ ସଭ୍ୟତାର ସେଇ କାଳରେ ତେଣୁ ଧନୁର୍ବାଣ ପ୍ରଭାବୀ ଥିଲା। ତେଣୁ ପ୍ରଭୂ ଶ୍ରୀରାମଚନ୍ଦ୍ର ହେଉଛନ୍ତି ସେଇ ଯୁଗର ପ୍ରତିଭୂ ଆର୍ଯ୍ୟଦେବ,ଯେଉଁ ସମୟରେ ମାନବ ସଭ୍ୟତା ତୀରଧନୁକୁ ଆତ୍ମରକ୍ଷା ଏବଂ ଆକ୍ରମଣର ପ୍ରମୁଖ ଆୟୁଧ କରିଥିଲା। ତେବେ ଏହାର ଏପରି କଦାପି ଅର୍ଥ ନୁହଁ ଯେ ପଥର,କାଠ,କୁଠାର ଆଦି ର ପରଂପରା ସେତେବେଳେ ସଂପୂର୍ଣ୍ଣ ଲୁପ୍ତ ହୋଇଯାଇଥିଲା। ସମସ୍ତେ ଥିଲେ ଏକାଠି ଥିଲେ।ସଭ୍ୟତାର ଏକ ବୈଶିଷ୍ଟ୍ୟ ହେଉଛି ଯେ ସଭ୍ୟତା ସମସ୍ତ ବିବର୍ତ୍ତନର ଧାରା ଗୋଟିଏ ବିନ୍ଦୁରେ ଏକତ୍ର ସହାବସ୍ଥାନ କରୁଥାନ୍ତି। ଆଜିବି ପୃଥିବୀରେ କେଉଁଠି ନା କେଉଁଠି ପ୍ରାଚୀନ କାଳ ଭଳି ମଣିଷ ଉଲଗ୍ନ ରହିଛି ଆଉ ପଥରଖଣ୍ଡରେ ପଶୁ ଶିକାର କରି ଜୀବନଧାରଣ କରୁଛି। ତେଣୁ ସମାବେଶୀ-ଅପରିବର୍ତ୍ତନୀୟତା ର ଅନ୍ୟତମ ପରିଭାଷା ହେଉଛି ମଣିଷର ସଭ୍ୟତା।
ସଭ୍ୟତାର ପରବର୍ତ୍ତି ପର୍ଯ୍ୟାୟରେ ଶ୍ରୀହଳଧାରୀଙ୍କ ଆୟୁଧ ହଳ ର ପ୍ରମୁଖ ଉପସ୍ଥିତିରେ କୃଷିଭିତ୍ତିକ ସଭ୍ୟତାର ବିକାଶ ଭିତରକୁ ଯିବା ପୂର୍ବରୁ ଆମର ମନେ ରଖିବାକୁ ହେବ ଯେ ପ୍ରଭୂ ଶ୍ରୀରାମଚନ୍ଦ୍ର ହେଉଛନ୍ତି ଏପରି ଏକ ଆର୍ଯ୍ୟଦେବ ଯିଏ ଏପରି ଏକ କାଳଖଣ୍ଡର ପ୍ରତିଭୂ ଯିଏ ପ୍ରାଚୀନତା ବା ପ୍ରିମିଟିଭିଟି ଏବଂ ନବୀନତା ତଥା ମଡର୍ଣ୍ଣିଟି ର ଉଜ୍ଜଳ ସଂଯୋଜକ।
ସେ ମୃଗୟା ବିଶାରଦ।
ସେ ହଳ ହେଉନଥିବା ଭୂମୀର (ଅହଲ୍ୟାର) ଉଦ୍ଧାର କର୍ତ୍ତା।
ଉପସଂହାରରେ ଏତିକି ।
ଶିବ-ବିଦ୍ୱେଷୀ ଆର୍ଯ୍ୟମାନଙ୍କ ସହିତ ଶିବଭକ୍ତ ଅନାର୍ଯ୍ୟମାନଙ୍କର ସଂଘର୍ଷ ଯେତେବେଳେ ଏକ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି,ଯେତେବେଳେ ମୃଗୟାଜୀବୀ ଗୋଧନ ପରାୟଣ ଆର୍ଯ୍ୟ ସଭ୍ୟତା ସହିତ କୃଷିବିଦ୍ୟାର ସଂସ୍କୃତିପରସ୍ତ ମେଳକ ରୂପାନ୍ୱିତ ହେବାକୁ ଯାଉଛି,ସେଇ ଭଳି ଗୋଟିଏ ମୂହୂର୍ତ୍ତର ସନ୍ଧିକ୍ଷଣରେ ରହିଛି ପ୍ରଭୂ ଶ୍ରୀରାମଚନ୍ଦ୍ରଙ୍କ ଚରିତ ମାନସ।
ପ୍ରଭୂ ଶ୍ରୀରାମଚନ୍ଦ୍ରଙ୍କ ଦେବତାତ୍ମା ସହିତ ତାଙ୍କର ପ୍ରତୀକାତ୍ମାକୁ ସ୍ମରଣ କରିବାର ଏକ ଉଜ୍ଜଳ ଅବସର ହେଉଛି ଆର୍ଯ୍ୟଦେବଙ୍କର ଏଇ ଜନ୍ମଦିନ।
ମହାରାଜା ଦଶରଥଙ୍କ ଭଳି ଆମର ଯୌବରାଜ୍ୟରେ ଲୋକବ୍ୟବହାରକୁଶଳ, ପ୍ରିୟଦର୍ଶନ ଏବଂ କ୍ଷମା ରେ ପୃଥିବୀର ନ୍ୟାୟ, ଏହି ମର୍ଯ୍ୟାଦା ପୁରୁଷୋତ୍ତମଙ୍କୁ ଅଭିଷିକ୍ତ କରିବା ନିମନ୍ତେ ଆଉ ଅଧିକ ବିଳମ୍ବ କରିବା ନାହିଁ।
ସେ ଶ୍ୟାମଳ ଆଉ ଶାନ୍ତମୂର୍ତ୍ତି ,ଏଇକଥାକୁ ଆମର ସର୍ବଦା ମନେ ରଖିବା ଉଚିତ।

ଲେଖାର ବିରତିରେ
ଅମୀର କଲଜବାସ ଙ୍କ କବିତା :
ରାବଣ ରାତ ଜଗାତା ହୈ
କୋଇ ରାମ-କହାନୀ ଦେ
ମୁଝକୋ ମୁଝ ସେ ଦୂର ନା ରଖ
ମିଲନେ କି ଆସାନି ଦେ।
ଅର୍ଥାତ୍
ରାବଣ ରାତିସାରା ଅନିଦ୍ରା ରଖୁଛି
ଦେ ଦେରେ ମୋତେ କିଛି ରାମକଥା,
ନିଜଠୁ ନିଜକୁ ଆଉ ଦୂର କରନା
ମିଳିବା ଭଳି ସହଜତା ଟିକିଏ ଦେ।
°°°°°