ଭାଉଜ

ବିଧବା ଭାଉଜଟିଏ ଘରେ ଅଛି ବୋଲି ପ୍ରସ୍ତାବରେ ବୋଉ ଟିକେ ମନ ଉଣା କରୁଥିଲା, କିନ୍ତୁ ସୁନନ୍ଦା ଯେଉଁଦିନ ଶୁଣିଲା ସେ ଘରେ ତା’ର ଶାଶୁ ନାହାନ୍ତି କି ନଣନ୍ଦ ନାହାନ୍ତି, ଯିଏ ତା’ର ବର ହେବ ତା’ର ବିଧବା ଭାଉଜଟିଏ କେବଳ ଅଛି ଯିଏ ତାକୁ କୋଳେଇ କାଖେଇ ମଣିଷ କରିଛି, ସେ ମନେ ମନେ ଆଶ୍ୱସ୍ତ ହୋଇଥିଲା । ଅନ୍ତତଃ ଶାଶୁ ନଣନ୍ଦଙ୍କ ଗଞ୍ଜଣା ଦୃଷ୍ଟିରୁ ସେ ସଂପୂର୍ଣ୍ଣ ନିରାପଦ। କେବଳ ସେତିକି ନୁହେଁ ତା’ ବ୍ୟକ୍ତିସତ୍ତାର କୋଉ ଅନ୍ଧାରି କୋଣରେ ଦୁଷ୍ଟ ବୁଦ୍ଧିଟିଏ ମୁଣ୍ଡଟେକି ତାକୁ ଉତ୍ସାହିତ କରିବାକୁ ବି ଛାଡି ନଥିଲା । ବିଧବା ମଣିଷଟି ଉପରେ ନିରଙ୍କୁଶ କ୍ଷମତା ବିସ୍ତାର କରି ନିଷ୍କଣ୍ଟକ ରାଜ୍ୟ ଭୋଗ କରିବାର କାମନାଟିଏ ତାକୁ କୁତୁକୁତୁ କରିଥିଲା । ଶାଶୁହୀନ ଶାଶୁଘରର ସାମ୍ରାଜ୍ୟରେ ସେ ଏକଛତ୍ର ସାମ୍ରାଜ୍ଞୀ । ସ୍ୱାମୀମାନଙ୍କୁ କରଗତ କରିବାର କଳା କାହାକୁ ଶିଖିବାକୁ ପଡେ଼ ନାହିଁ । ସାଙ୍ଗସାଥୀ ଓ ନିଜର ଦୁଇ ଦୁଇଟା ଭାଉଜଙ୍କ ପାଖରେ ଚଳି ସେ ଯାହା ଅଭିଜ୍ଞତା ହାସଲ କରିଛି, ନୂଆ ଜୀବନଟିଏ ଗଢ଼ିବାର ସ୍ୱପ୍ନରେ, କଳ୍ପନାର ସୋରିଷ ଫୁଲ ରଙ୍ଗରେ ହଳଦୀ ଗୁରୁଗୁରୁ ହୋଇ ପ୍ରଥମରୁ ହିଁ ସୋରିଷ କିଆରୀର ପାଳଭୂତ ତଡ଼ିବାର ମନସ୍କ ହେଇ ସେ ଶାଶୁଘରେ ପାଦ ଥୋଇଥିଲା ।

ସବାରୀରୁ ଓହ୍ଲାଇବା ପରେ ଶଙ୍ଖ, ହୁଳହୁଳି ଗହଳ ଚହଳ ଭିତରେ ଓଢ଼ଣା ତଳୁ ସେ ଖୋଜି ହେଉଥିଲା ସେଇ ମଣିଷକୁ ଯାହାକୁ ସେ ମୂଳରୁ ହିଁ ନିଜର ପ୍ରତିଦ୍ୱନ୍ଦ୍ୱୀ ବୋଲି ଗ୍ରହଣ କରିନେଇଥିଲା । ସେ ନିରାଶ ହୋଇଥିଲା । ବାହାଘରର କର୍ମଚଞ୍ଚଳତା ଭୋଜିଭାତ ବନ୍ଧୁବାନ୍ଧବଙ୍କ ଗହଳ ଚହଳ ଭିତରେ ଏ ଚରିତ୍ରଟି ସହ ପରିଚିତ ହେବାର ସୁଯୋଗ ପାଇ ନଥିଲା ସୁନନ୍ଦା। ତା’ର ସକଳ ଆବେଗିକ ଉତ୍କଣ୍ଠାକୁ ସେ ବହୁକଷ୍ଟରେ ଦମନ କରି ରଖିଥିଲା ।

ପ୍ରଭଞ୍ଜନର ପ୍ରଥମ ସମ୍ଭାଷଣ ଥିଲା ସୁନନ୍ଦା ପାଇଁ । ମୋ ଭାଉଜ ମୋ ପାଇଁ ଦେବୀ, ତାଙ୍କୁ ଅସୁଖି କରି ଆମେ କେବେ ବି ସୁଖି  ହୋଇ ପାରିବା ନାହିଁ । ତମେ କଥା ଦିଅ ସୁନନ୍ଦା, ତମେ ଏମିତି କିଛି କରିବ ନାହିଁ, ଯେଉଁଥିରେ ସେ କଷ୍ଟ ପାଇବେ ।

ସୁନନ୍ଦା ଦେହରେ ଯେମିତି କେହି ମେଞ୍ଚାଏ ଡହ ଡହ ରଡ଼ ଅଙ୍ଗାର ମାଡ଼ିଦେଲା । ଘୃଣା ଓ ଅବଜ୍ଞାର ଏକ ପତଳା ଆସ୍ତରଣ ତା’ ସର୍ବାଙ୍ଗରେ ଛାଇ ହୋଇଗଲା । ବାସର ରାତିର ପ୍ରେମ ନିବେଦନ ଭାଷା ପୁଣି ଏତେ କଠୋର ଶୁଷ୍କ ହତାଶା ବ୍ୟଞ୍ଜକ ହୋଇପାରେ? ଇୟେ କି ପ୍ରକାରର ପ୍ରେମ ଓ ପ୍ରତିଶ୍ରୁତି? ଅନ୍ୟମନସ୍କ ହୋଇ ପଡ଼ିଥିଲା ସୁନନ୍ଦା । ପ୍ରଭଞ୍ଜନ ସୁନନ୍ଦା ପିଠିରେ ହାତରଖି ଆଦର କରି କହିଥିଲା ।

“ପିଲାଦିନୁ ମାଆକୁ ହରେଇଥିଲି । ମାଆର ମୁହଁ ମୋର ଭଲକରି ମନେ ନାହିଁ । କିନ୍ତୁ ଭାଉଜଙ୍କ ପାଇଁ ମୁଁ  କେବେ ବି ମୋ ମା’ର ଅଭାବ ଅନୁଭବ କରିନାହିଁ ।”

ସୁନନ୍ଦା ମୁହଁ ପୋତି ବସିଥିଲା ।

ତା’ର କଅଁଳ ଛନଛନ୍ ଶାଗ କିଆରୀକୁ ଯେମିତି ଅରଣା ମଇଁଷିଟିଏ ଦଳିଚକଟି ନଷ୍ଟ କରିଦେଲା ଓ ତା’ର ସକଳ ସ୍ୱପ୍ନ କଳ୍ପନାର କୋଣାର୍କଟା ଏଇ ମୁହୂର୍ତ୍ତରେ ଭୁଲୁଣ୍ଠିତ ହୋଇ ପଡ଼ିଲା । ମଧୁଶଯ୍ୟା ଗୃହଟା ତାକୁ ଏକ ଯନ୍ତ୍ରଣାର ଜତୁଗୃହ ଭଳି ମନେହେଲା, ସେ ଆତଙ୍କିତ ହୋଇ ପଡ଼ିଲା, ତଥାପି ନିଜ ଆବେଗ ଉପରେ ନିୟନ୍ତ୍ରଣ ରଖି ସେ ଦୃଷ୍ଟି ତୋଳି ପ୍ରଭଞ୍ଜନର ମୁହଁକୁ ଚାହିଁଲା ।

ଅଶିଣ ଆକାଶର ଜହ୍ନଟିଏ ପରି ଦିଶୁଥିବା ସୁନନ୍ଦାର ସୁନ୍ଦର ମୁହଁଟି ଆଡେ଼ ଚାହିଁ ଅପରାଧୀ ଶିଶୁଟିଏ ଭଳି ପ୍ରଭଞ୍ଜନ ଦୃଷ୍ଟି ତଳକୁ କଲା ।

ସେଇ ମୁହୂର୍ତ୍ତକର ଚାହାଣୀ ଭିତରେ ବି ସୁନନ୍ଦା ଆକଳନ କରିନେଲା ଏ ଆଖିରେ ସ୍ୱାମୀପଣର ଅହଂତ୍ୱ ନାହିଁ, ନିଜର ବିଚାରକୁ ଅନ୍ୟ ଉପରେ ଲଦି ଦେବାର କ୍ରୁରତା ବି ସେ ସେଠାରେ ଖୋଜି ପାଇଲା ନାହିଁ । ବରଂ ଏକ ଶିଶୁ ସୁଲଭ ସମ୍ମୋହ ଶକ୍ତି ସେଇ ସୁନ୍ଦର ନିରୀହ ଆଖି ଦୁଇଟାରୁ ସଂଚରି ଆସି ସୁନନ୍ଦାର ବ୍ୟକ୍ତିସତ୍ତାକୁ ବଶୀଭୂତ କରିଦେଲା । ଏଇ କେଇ ମୁହୂର୍ତ୍ତ ଆଗରୁ ବେଦୀରେ ବସି ଯାହା ସହ ତା’ର ହସ୍ତଗଣ୍ଠି ପଡ଼ିଥିଲା, ଜନ୍ମ ଜନ୍ମାନ୍ତର ସାଥୀ ହେବା ପାଇଁ ଅଗ୍ନିକୁ ସାକ୍ଷୀ ରଖି ପୁରୋହିତଙ୍କ ନିର୍ଦେଶ  ଅନୁସାରେ ମନ୍ତ୍ରପାଠ କରିଥିଲା, ସାତଥର ଅଗ୍ନି ପ୍ରଦକ୍ଷିଣ କରି ଯିଏ ତାଙ୍କୁ ସୁରକ୍ଷା ଦେବାର ପ୍ରତିଶ୍ରୁତି ବହନ କରିଥିଲା, ସେ ପାଲଟି ଯାଇଛି ଦୁଗ୍ଧପୋଷ୍ୟ ଶିଶୁଟିଏ । କୁନି କୁନି ଓଠରେ, ଦରୋଟି ଭାଷାରେ ସିଏ ତାକୁ ମାଆ ବୋଲି ସମ୍ବୋଧନ କରି ତା’ ପାଖରେ ଅଳି କରୁଚି, ଅର୍ଦ୍ଦଳୀ କରୁଛି । ନିର୍ଭୟ ଆଶ୍ରୟଟିଏ ଖୋଜୁଛି, ପ୍ରତିଶ୍ରୁତିଟିଏ ମାଗି ନେଉଛି । ସେ ମହମବତୀ ଭଳି ବିଗଳିତ ହୋଇପଡ଼ିଲା, କେମିତି ଗୋଟିଏ ବାତ୍ସଲ୍ୟଭାବ ତା’ର ସମଗ୍ର ସତ୍ତାକୁ ଆଚ୍ଛନ୍ନ କରିଦେଲା । ତାକୁ ମନେହେଲା ସିଏ ଯେମିତି ସୁନନ୍ଦା ନୁହେଁ ଆଉ କେହି ଜଣେ । ତା’ ଭିତରେ ଯେ ଏତେ ନମନୀୟତା, କୋମଳପଣ ଏତେ ଭାବସ୍ନିଗ୍ଧତା ଥିଲା, ସେ ଏଇ ପ୍ରଥମ ଥର ଆବିଷ୍କାର କଲା  । ମାଆ, ଭାଇ ଭାଉଜ, ସାଙ୍ଗସାଥୀ ଗହଣରେ ଗର୍ବୀ ଅହଂକାରୀ ସ୍ୱାର୍ଥପର ମଣିଷଟିଏ ବୋଲି ଅପଖ୍ୟାତି ଅର୍ଜିଥିବା ସୁନନ୍ଦାର ଯେମିତି ଏଇ ଅପମୃତ୍ୟୁ ହେଲା । ତା’ ଭିତରୁ ସଦ୍ୟଫୁଟା ଗଙ୍ଗଶିଉଳି ଭଳି ଭୁରୁଭୁରୁ ବାସ୍ନାଥିବା ଶୁଭ୍ର ଶୁଦ୍ଧ ଅସ୍ତିତ୍ୱଟା ବାହାରି ଆସି ମଧୁଶଯ୍ୟା ଗୃହକୁ ଆହୁରି ମହକମୟ କରିଦେଲା । ଆଷାଢୁଆ ସୂତା ବନ୍ଧା ହୋଇଥିବା ତା’ର ମେହେନ୍ଦୀ ବୋଳା ହାତଟାକୁ ଓଢ଼ଣା ଭିତରୁ ବାହାର କରି ସେ ପ୍ରଭଞ୍ଜନ ହାତ ଉପରେ ରଖିଲା ଓ ଧୀର କମ୍ପିତ କଣ୍ଠରେ କହିଲା, ତମେ ଏ ସଂପର୍କରେ ନିଶ୍ଚିନ୍ତ ରୁହ । ସେମିତି କିଛି ଅଭିଯୋଗ କରିବାର ସୁଯୋଗ ମୁଁ ତମକୁ କେବେ ହେଲେ ଦେବିନାହିଁ ।

ଆଶ୍ୱସ୍ତ ହେଲା ପ୍ରଭଞ୍ଜନ  ।

ମଧୁଶଯ୍ୟା ରାତ୍ରିର ମଧୁର ମାଦକତା ଯାହା ପାଇଁ ଏମିତି ଭାବଗାମ୍ଭୀର୍ଯ୍ୟ ହୋଇ ପଡ଼ିଥିଲା ସେଇ ମଣିଷଟାକୁ ସୁନନ୍ଦା ପ୍ରଥମ କରି ଯେତେବେଳେ ଭେଟିଲା ସେ ଅଭିଭୂତ ହୋଇ ପଡ଼ିଥିଲା । ଏତିକି ସୌନ୍ଦର୍ଯ୍ୟର ଅଧିକାରିଣୀ କୋଉ ମଣିଷ ହୋଇପାରେ? ବୟସ ଆଗରେ ଯୌବନଟା ହାର ମାନେ ବୋଲି ସେ ଶୁଣିଥିଲା କିନ୍ତୁ ଏଠି ସେ ଦେଖୁଛି ଓଲଟା । ଏଇ ମଣିଷଟାର ଯୌବନ ପାଖରେ ଯେମିତି ବୟସଟା ହାର ମାନିଯାଇଛି । ବୈଧବ୍ୟର ନିରାବରଣ ସାଧାସିଧା ରୁଚିପୂର୍ଣ୍ଣ ବେଶବାସ ଯେମିତି ସେ ସୌନ୍ଦର୍ଯ୍ୟକୁ ଆହୁରି ଶାଣିତ ଓ ବ୍ୟକ୍ତିତ୍ୱ ସଂପନ୍ନ କରିଦେଇଛି  । ଏ ମଣିଷଟା କ’ଣ କେବେ କାହାର ପ୍ରତିଦ୍ୱନ୍ଦ୍ୱୀ ହୋଇପାରେ?

ପ୍ରଭଞ୍ଜନ କହୁଥିଲା, ସୁନନ୍ଦା ! ଇୟେ ଭାଉଜ! ଏ ଘରର ସର୍ବମୟୀକର୍ତ୍ତୀ । ତାଙ୍କର ଅଖଣ୍ଡ ସାମ୍ରାଜ୍ୟରେ ଆମେ ସବୁ ଅନୁଗତ ପ୍ରଜା ।

ଖଟ ଉପରୁ ତଳକୁ ଓହ୍ଲେଇ ସୁନନ୍ଦା ସମ୍ଭ୍ରମରେ ତାଙ୍କୁ ମୁଣ୍ଡିଆଟିଏ ମାରିଲା  । ଅଳ୍ପହସି ନଇଁ ପଡି ସେ ସୁନନ୍ଦାର ଦୁଇ ବାହୁକୁ ଧରି ନିଜ ଆଡ଼କୁ ଆଉଜାଇ ଆଣିଲେ । ତା’ ଦୁଇ ହାତରେ ଦୁଇପଟ ସୁନାକଙ୍କଣ ଗଳେଇ ଦେଇ ସେ କହିଲେ ଏ ଦୁଇ ପଟକ ଘରର ଖାନ୍ଦାନୀ କଙ୍କଣ, ବଡବୋହୂର ପ୍ରାପ୍ୟ । ମୋ ଶାଶୁ ମୋତେ ଦେଇଥିଲେ ଆଜିଠୁଁ ଇୟେ ତୋର, ତାର ସମ୍ମାନ ରଖିବୁ । ସୁନନ୍ଦା ଅନୁଭବ କରୁଥିଲା ସେ ଶବ୍ଦ ଗୁଡ଼ାକ ଶେଷ ଆଡ଼କୁ କେମିତି ବତୁରୀ ଯାଉଥିଲା କୋହରେ ।ଲାଗୁଥିଲା ଓଜନିଆ ଓଜନିଆ ।

କୃତଜ୍ଞତାରେ ଭିଜିଯାଇ ଏ ଉପହାରକୁ ସେ ସ୍ୱୀକାର କରିଥିଲା । ମନ୍ତ୍ରମୁଗ୍ଧ ହୋଇ ପ୍ରଭଞ୍ଜନ ଦୁହିଁଙ୍କୁ ଦେଖୁଥିଲା, ଦୟା କ୍ଷମା ପ୍ରେମ ମମତାର ମୂର୍ତ୍ତିମୟୀ ଦେବୀ ଭାଉଜ, ଅଭିଜ୍ଞତାରେ ପାକଳ ହୋଇ ଯାଇଥିବା ତାଙ୍କର ବ୍ୟକ୍ତିତ୍ୱ । ସମ୍ମାନରେ ଭକ୍ତିରେ ସମ୍ଭ୍ରମରେ ମୁଣ୍ଡ ନଇଁ ଯାଇଥିଲା ତା’ର । ଏ ଘରକୁ ଆଉ କିଏ ଆସିଲେ କାଳେ ଏ ଦେବୀ ମୂର୍ତ୍ତିକୁ ଅସମ୍ମାନ କରିବ, ସେଇଥିପାଇଁ ବୟସ ଗଡ଼ିଯାଉଥିଲେ ବି ବିବାହ କରିବାକୁ ସେ ରାଜି ନଥିଲା ଜମା। ଶେଷକୁ ସେଇ ଦେବୀ ମୂର୍ତ୍ତିର ହିଁ ଜୟ ହେଲା । ସେ ଅଡ଼ିବସିଲେ, ଘରେ ଚୁଲୀ ଜଳିଲା ନାହିଁ । ସେ କହିଲେ ଲୋକ କହୁଛନ୍ତି ତମର ସଂପତ୍ତି ଖାଇବି ବୋଲି ମୁଁ କୁଆଡେ ତମକୁ ବାହା କରାଇ ଦେଉ ନାହିଁ। ମୁଁ ଲୋକଙ୍କର ନିନ୍ଦା ଅପବାଦ ଶୁଣିପାରିବି ନାହିଁ । ତମେ ଯଦି ବାହା ନହବ ତାହେଲେ ଘର ଅଲଗା କର । ଧନସଂପତ୍ତି ବାଣ୍ଟିଦିଅ । ହାତରେ ଫୁଟେଇ ଖାଅ । ମୋର ସଖ୍ୟ ପାଇଲେ ପୁଅଟାକୁ ମଣିଷ କରିବି, ନ ହେଲେ ତା’ ଭାଗ୍ୟରେ ଯାହା ଥିବ ।

ନିରବ ରହିଲା ପ୍ରଭଞ୍ଜନ, ସେ ଭଲଭାବରେ ଜାଣିଥିଲା, ତା’ର ହାତରେ ଫୁଟେଇ ଖାଇବା ଭାଉଜଙ୍କ ଦେହରେ ଯିବ ନାହିଁ । ସେ ନିଜେ ହିଁ ପାଇବେ କଷ୍ଟ । ସେ ବି ତା’ର ରଣ କୌଶଳ ଆରମ୍ଭ କରିଦେଲା ।

ସଂଧ୍ୟାରେ ଷ୍ଟୋଭଟିଏ, ଡେକ୍ଚିଟିଏ ଓ କଡେ଼ଇଟିଏ କିଣି ଆଣି ଅଗଣାରେ ଥୋଇ ଦେଇ ସେ କହିଲା; ଭାଉଜ ମତେ ସେ ସମ୍ପତ୍ତି ବାଡ଼ି ବାଣ୍ଟ ଫାଣ୍ଟ କଥା କହନାଇଁ । ମୋତେ ମୁଠାଏ ଫୁଟେଇଦବାକୁ ଯଦି ତମକୁ କଷ୍ଟ ହେଉଛି, କାଲିଠୁଁ ମୋ ପାଇଁ ପଡ଼ି ଦୁଇଟା ପଠେଇ ଦବ । ମୁଁ ହାତରେ ରାନ୍ଧି ଖାଇବି । ଦରକାର ହେଲେ ତମ ପାଇଁ ବି ଦୁଇଟା ଫୁଟେଇ ଦେବି ।

କୃତିମ କ୍ରୋଧରେ ପ୍ରଭଞ୍ଜନର କାନ ଦୁଇଟା ମୋଡ଼ି ଦେଇ ସେ କହିଥିଲେ; ଆଉ କେତେ ମୋ ଜୀବନ ଜଳେଇ ପୋଡେ଼ଇ ଖାଇଲେ ତମ ଆତ୍ମା ଶାନ୍ତି ହବ? ଗୋଟାକ ଉପରେ ତ ଭରସା କରିଥିଲି ଯେ ସିଏ ଏମିତି ମଝି ଦରିଆରେ ଛାଡ଼ିଦେଇ ଚାଲିଗଲା। ତମେ ତ ସେଇ ଲାଉର ମଞ୍ଜି। ଚଣ୍ଡାଳ ଯମ ହେଲେ ମୋତେ ଉଠେଇ ନିଅନ୍ତା । ସିଏ ବି ମୋ ନାଁ ଗାଁ ଭୁଲି ଗଲାଣି। ତାଙ୍କର ସଫେଦ କାନିଟାକୁ ମୁହଁରେ ଦେଇ  ସୁଁ ସୁଁ ହେଲେ ।

ପ୍ରଭଞ୍ଜନ ଧୀରେ ବାହାରକୁ ଚାଲିଯାଇ ଆତ୍ମରକ୍ଷା କଲା, ଭାଉଜଙ୍କର ଯୋଜନା ବିଫଳ ହେଲା ।

ଏଥର କିନ୍ତୁ ସତକୁ ସତ ସେ ସିରିଅସ୍ ଥିଲେ, ପ୍ରଭଞ୍ଜନ ହାତକୁ ଚା’ କପ୍ ବଢେ଼ଇ ଦେଲା ବେଳକୁ ତାଙ୍କ ଫୁଲିଲା ଫୁଲିଲା ଆଖି ଓ ଫଣ ଫଣ ମୁହଁ ଦେଖି ସେ ପଚାରିଲା- “ତମ ଦେହ ଭଲ ନାହିଁକି ଭାଉଜ?”

ବିସ୍ଫୋରଣ କଲାଭଳି ସେ କହିଲେ; “ଏତେ ଚିନ୍ତା ତମର ମୋ ଦେହ ମୁଣ୍ଡ ପାଇଁ । ମୋତେ ଆଉ ତମେ ଏ ଦୁନିଆରେ ରଖେଇ ଦବନାଇଁ। ମୁଁ ଏତେ ନିନ୍ଦା ଅପବାଦ ଶୁଣି ପାରିବି ନାଇଁ। ମରଣ ଠୁଁ ଏ ଅପବାଦ ବଳି ଯାଉଛି । ତମକୁ ନେହୁରା ହଉଚି, ତମେ ମୋତେ ଟିକେ ବିଷ ଆଣିଦିଅ । ତା’ପରେ ତମେ ଅଭିଆଡ଼ୀ ରୁହ, କି ବାଡୁଅ ରୁହ, ଲୋକ ମୋତେ ଆଉ ନିନ୍ଦା ଦେବେ ନାହିଁ ।”

ପ୍ରଭଞ୍ଜନ ବ୍ୟସ୍ତ ହୋଇ କହିଲା; କ’ଣ ହୋଇଛି ଭାଉଜ? ଖୋଲି କରି କୁହ, ତମକୁ ପୁଣି କିଏ କି ନିନ୍ଦା ହେଲା? ଏତେ ସାହସ କାହାର?

ଆଖିରୁ ଲୁହପୋଛି ସେମିତି କାନ୍ଦିଲା ସ୍ୱରରେ ସେ କହିଲେ; କହିବେନି?  ତମେ ତ କହିବାକୁ ସେମାନଙ୍କୁ ସୁଯୋଗ ଦେଉଛ। ସେମାନେ ମାତେ କହିବେନି ତ ଆଉ କାହାକୁ କହିବେ? ପ୍ରଭଞ୍ଜନ ଅବୁଝା ଆଖିରେ ଡବ ଡବ କରି ଚାହିଁଥିଲା ତାଙ୍କ ଲୁହଭିଜା ମୁହଁ ଆଡେ଼ । ତଳକୁ ମୁହଁ କରି ସେ କହିଲେ;

ତମର ବାହା ବୟସ ଗଡ଼ିଯାଉଚି, ମୁଁ କୁଆଡେ ତମକୁ ବାହାକରୁନି ମୋ ସ୍ୱାର୍ଥ ପାଇଁ । ମୋ ଚରିତ୍ରକୁ ଲୋକେ ଆକ୍ଷେପ କରିବା ଆରମ୍ଭ କଲେଣି ।

ଏ ସବୁର ଅର୍ଥ ବୁଝିବା ପାଇଁ ପ୍ରଭଞ୍ଜନର ଯଥେଷ୍ଟ ବୟସ ହୋଇଥିଲା । ତା’ ହୃଦୟ ବିଦୀର୍ଣ୍ଣ ହୋଇଗଲା । ଖଣ୍ଡ ଖଣ୍ଡ ହୋଇଗଲା ତା’ର ବ୍ୟକ୍ତିସତ୍ତା । ସେ ଆର୍ତ୍ତନାଦ କରି ଉଠିଲା । ଭାଉଜ କ’ଣ ପାଗଳ ହେଇଗଲେ । ଏଭଳି ଅରୁଚିକର କଥାଗୁଡାକ ତାଙ୍କ ମୁହଁରେ ଉଚ୍ଚାରିତ ହେଉ, ଏ କଥା ସେ ଆଦୌ ଚାହୁଁ ନଥିଲା । ଅସହିଷ୍ଣୁ ହୋଇ ସେ କହିଲା;

“ବାସ୍ – ଭାଉଜ- ବାସ୍ ! ତମର ଯାହା ଇଚ୍ଛା ସେୟା କର, ମୁଁ ବାହା ହେବା ପାଇଁ ରାଜି, ତମେ ସେ ଅସନା କଥାଗୁଡ଼ାକ କୁହନାହିଁ ।” ଚା’କପଟା ଥୋଇ ଦେଇ ସେ ଝଡ଼ପରି ବସିବା ଜାଗାରୁ ଉଠି ଚାଲିଗଲା ।

ଏଥର ବାହାଘର ପାଇଁ ରୀତିମତ ଆୟୋଜନ ଚାଲିଲା, କନ୍ୟା ଦେଖା ଠାରୁ  ଆରମ୍ଭ କରି ବାହାଘର, ଭୋଜି, ବନ୍ଧୁଚର୍ଚ୍ଚା ପର୍ଯ୍ୟନ୍ତ ଲୋଟଣୀ ପାରା ପରି ନାଚି ଡେ଼ଇଁ ସବୁ ତୁଲଉ ଥିଲେ ଭାଉଜ । ପ୍ରଭଞ୍ଜନ କିନ୍ତୁ ଯନ୍ତ୍ର ମଣିଷଟିଏ ପାଲଟି ଯାଇଥିଲା । ଉତ୍ସାହ ନଥିଲା, ଉଦ୍ଦୀପନା ନଥିଲା ବରଂ ଭୟ ଆଶଙ୍କା ଓ ଉଦବେଗରେ ମୁହୂର୍ତ୍ତଗୁଡ଼ାକ ତାକୁ କୋଟି କୋଟି ଯୁଗ ଭଳି ଲାଗୁଥିଲା । ସେ ଅପେକ୍ଷା କରିଥିଲା ଏମିତି ଏକ ମିଳନାତ୍ମକ ମୁହୂର୍ତ୍ତକୁ  । ସମୁଦ୍ର ଭଳି ସ୍ନେହ ମମତା ବୁଝାମଣା ଢେ଼ଉଗୁଡାକ ଫୁଲି ଉଠୁଥିବ ଆକାଶର ଛାତି ପର୍ଯ୍ୟନ୍ତ, ଆକାଶ ନଇଁ ଆସୁଥିବ, ବିସ୍ତରି ଯାଉଥିବ ସମୁଦ୍ରର ଛାତିରେ, ସବୁ ଏକାକାର ହେଇ ଯାଉଥିବ । ସମୁଦ୍ର, ଆକାଶ, ପୃଥିବୀ, ସୂର୍ଯ୍ୟଚନ୍ଦ୍ର, ଗ୍ରହ ନକ୍ଷତ୍ର ସବୁଠି ଥିବ ଖାଲି ସ୍ନେହ ପ୍ରେମ ପ୍ରୀତିର ଅଖଣ୍ଡ ଜୁଆର ।

ସୁନନ୍ଦା ଠୁଁ ପ୍ରତିଶ୍ରୁତି ପାଇଲା ପରେ ଆଶ୍ୱସ୍ତ ହୋଇଥିଲା ପ୍ରଭଞ୍ଜନ, ଆଜି ପୁଣି କଙ୍କଣ ପ୍ରସଙ୍ଗରେ ସେ ସଂପୂର୍ଣ୍ଣ ନିଶ୍ଚିନ୍ତ ହୋଇପଡ଼ିଛି  । ସେ ଚାହିଁଥିଲେ କଙ୍କଣ ଦୁଇଟା ନିଜ ବୋହୁ ପାଇଁ ରଖିପାରିଥାନ୍ତେ, ସେ ଦୁଇଟାରେ ସଂପୂର୍ଣ୍ଣ ଅଧିକାର ତାଙ୍କର । ସୁନନ୍ଦାକୁ ସେ ହଳକ ଦେଇ ସେ ଆଉଥରେ ସାବ୍ୟସ୍ତ କରିଦେଲେ ପ୍ରଭଞ୍ଜନ ତାଙ୍କର ଦିଅର ନୁହେଁ ବଡ଼ ପୁଅ, ସୁନନ୍ଦାକୁ ବଡ଼ ବୋହୂର ଅଧିକାର ସେ ଦେଇଛନ୍ତି । ତା’ର ଆଶଙ୍କା ଉଦବେଗ ହେତୁହୀନ ଥିଲା । ଏକଥା ଅନୁଭବ କଲା ପରେ ନିଜ ଚିନ୍ତାର ସଂକୀର୍ଣ୍ଣତାରେ ସେ  ଜଡ଼ସଡ଼ ହୋଇ ଯାଇଥିଲା  ।

ସମୟ ଗଡ଼ି ଚାଲିଲା  । ଦିନେ ଆବିଷ୍କାର କଲା ପ୍ରଭଞ୍ଜନ, ତା ଘର ଉପରେ ଆକାଶ ଛିଡ଼ି ପଡ଼ିଛି, ପବନ ଅଣଚାଶ ହୋଇ ବହୁଚି ତା’ ଘରେ  । ସାତ ସମୁଦ୍ର ତେର ନଈର ଜଳରାଶି ତା’ ଚଟାଣର ମାଟି ସବୁକୁ ବତୁରେଇ ଦେଇଛି । କୋଉ ମୁହୁର୍ତ୍ତରେ ସେ ରସାତଳଗାମୀ ହୋଇଯିବ ତା’ର ଠିକ୍ ଠିକଣା ନାହିଁ ।

ସୁନନ୍ଦା ପ୍ରତିଶ୍ରୁତି ରକ୍ଷା କରିଛି । ଭାଉଜଙ୍କୁ ଶାଶୁଭଳି ଭକ୍ତି ଓ ସମ୍ମାନ ପ୍ରଦର୍ଶନରେ ଅବହେଳା କରି ନାହିଁ କେବେ । ସବୁ ଅସୁବିଧାକୁ ସହିନେଇଛି ସିନା ପଦଟିଏ ଅଭିଯୋଗ ସେ ତା’ ମୁହଁରେ ଶୁଣିନାହିଁ । ଅଥଚ ସର୍ବ ସହଣିକା ଦେବୀ ମୂର୍ତ୍ତି ଭାଉଜଙ୍କର କ’ଣ ହେଇଛି? ତାଙ୍କର କଣ୍ଠସ୍ୱରରେ ଜଗତଯାକର ରୁକ୍ଷତା ସେ କେବେ କେମିତି କେଉଁଠୁ ସାଉଁଟି ଆଣିଲେ? ଆଶ୍ଚର୍ଯ୍ୟ ହେଉଥିଲା ପ୍ରଭଞ୍ଜନ । ପାଟି ଖୋଲିଲେ ଅନ୍ୟକୁ ଗିଳି ପକାଇବାର ହିଂସ୍ରତା। ତାଙ୍କ ଓଠର କଇଁଫୁଲିଆ ହସ ଜାଗାରେ ଏବେ ତିରସ୍କାରର ଦାସ କେରାଣ୍ଡି କଣ୍ଟା । ଅପରକୁ ବିଦ୍ଧ କରିଦେବାର ବ୍ୟଗ୍ରତା, କ୍ଷତାକ୍ତ କରିବାର ଔଦ୍ଧତ୍ୟ, ଅହଂକାର  । ସବୁଠାରୁ ଆଶ୍ଚର୍ଯ୍ୟ ଓ ବିସ୍ମିତ ହେଲା ପ୍ରଭଞ୍ଜନ, ଭାଉଜଙ୍କର ଏ ଆକସ୍ମିକ ପରିବର୍ତ୍ତନର ଶିକାର କେବଳ ସେ ଦୁହେଁ ନୁହଁନ୍ତି, ତାଙ୍କ ନିଜ ପୁଅ ନିରୀହ ମନୁ ପର୍ଯ୍ୟନ୍ତ ବି ଏହା ସଂକ୍ରମିତ ହୋଇଯାଇଛି । ଏମିତି କି ପୋଷା ବିଲେଇ କୁକୁର ଓ ସିଏ ବାପ ଘରୁ ଯୌତୁକରେ ଆଣିଥିବା ଓ ସର୍ବଦା ତାଙ୍କ ସ୍ନେହ ଆଦରର ଅଗ୍ରଭାଗ ଦାବୀ କରୁଥିବା ଗାଈ ବଉଳା ଓ ତା କଅଁଳା ପିଲାଟା ବି ଏଥିରୁ ବାଦ୍ ପଡ଼ି ନାହାନ୍ତି ।

ବଉଳାର ସେବା ସେ ନିଜେ କରନ୍ତି, ଯେତେ ଜଞ୍ଜାଳ ଭିତରେ ଥିଲେ ବି ବଉଳା ଆଗରେ ଘାସ କେରାଏ ନ ଦେଲେ, ପେଜ ତୋରାଣୀ ମୁନ୍ଦାଏ ନ ଦେଖେଇଲେ ତାଙ୍କୁ ଶାନ୍ତି ଲାଗେ ନାହିଁ ।

ସେଦିନ ଗଉଡ଼ ଆସିନଥିଲା, ବଉଳା ଆଗରେ କୁଳୁଚି ହାଣ୍ଡିଟା ଥୋଇ ଦେଇ ସେ ଭିତରକୁ ଗଲେ । କ୍ଷୀର ଦୁହିଁବା ପାଇଁ ଡେକ୍ଚିଟିଏ ଧରି ଆସି ଦେଖନ୍ତି ତ କୁଳୁଚି ହାଣ୍ଡିଟା ମୁହଁମାଡ଼ି ତଳେ ଗଡୁଛି । ତଳେ ବିଛାଡ଼ି ହୋଇ ପଡ଼ିଥିବା କୁଳୁଚି ତକ ଜିଭ ଲଗେଇ ଚାଟୁଛି ବଉଳା । ତାଙ୍କ ମୁଣ୍ଡକୁ  ପିତ୍ତ ଚଢ଼ିଗଲା । ହଳିଆ ପାଞ୍ଚଣ ଖଣ୍ଡେ ଧରି ପାହାର ଉପରେ ପାହାର କଷିଦେଇଗଲେ ବଉଳାକୁ । ପିଠି, ପେଟ, ମୁହଁ ମୁଣ୍ଡ ଗୋଡ଼ ସବୁଠି । ତା ଦେହ ସାରା ନୋଳା ନୋଳା ଦାଗ, ଖୁଣ୍ଟ ଚାରିପଟେ ଘୂରି ଘୂରି ସେ ଯନ୍ତ୍ରଣାରେ ଗଁ ଗଁ ହେଉଥିଲା  । ଶବ୍ଦଶୁଣି ପ୍ରଭଞ୍ଜନ ଘର ଭିତରୁ ଉଠି ଆସି ତାଙ୍କ ହାତରୁ ବାଡ଼ିଟା ଛଡେ଼ଇ ପରିସ୍ଥିତି ଶାନ୍ତ କରିଥିଲା, ତଥାପି ଫଁ ଫଁ ହେଇ ସେ କହୁଥିଲେ;

“ଆରେ କ’ଣ କରି ମୋତେ ପାଇଛନ୍ତି? ଢେ଼ଙ୍କିକୁ କାଠ ମନେ କଲେଣି? ମୁଁ ନିଆଶ୍ରୀ ହେଇଛି? ଅନାଥ ହେଇଛି? ଏମାନଙ୍କ ଦୟାର ଭିକାରୀ ମୁଁ? ଜାଣି ନାହାନ୍ତି ମୋ ପ୍ରତାପ?”

ପ୍ରଭଞ୍ଜନ ଠିକ୍ ବୁଝିଥିଲା ବକ୍ତବ୍ୟର ଲକ୍ଷ୍ୟ ଓ ଉଦ୍ଦେଶ୍ୟ । ସୁନନ୍ଦା ଅସହାୟ ଦୃଷ୍ଟିରେ ପ୍ରଭଞ୍ଜନ ମୁହଁକୁ ଚାହିଁଲା । ପ୍ରଭଞ୍ଜନର କିଛି କହିବାର ନଥିଲା, ସେ ମୁହଁ ତଳକୁ କଲା  ।

ସୁନନ୍ଦାର ମାନସିକ ଯନ୍ତ୍ରଣା ପ୍ରଭଞ୍ଜନକୁ ଅଛପା ନଥିଲା, ଏ ପରିସ୍ଥିତିର ମୁକାବିଲା କରିବା ପାଇଁ ସୁନନ୍ଦାର ଯେ ଯଥେଷ୍ଟ ସାମର୍ଥ୍ୟ ରହିଛି ସେ କଥା ବି ପ୍ରଭଞ୍ଜନ ଠିକ୍ ବୁଝିଥିଲା, ତଥାପି ସୁନନ୍ଦା କିଛି କହୁ ନଥିଲା । ବୋତଲରୁ ବାହାରିଥିବା ଜିନ୍ ଟିଏ ଭଳି ସେ ପ୍ରଭଞ୍ଜନର ସବୁ ସର୍ତ୍ତ ନିଃସର୍ତ୍ତରେ ମାନିନେଇଥିଲା ।

ସମାଧାନର ସୂତ୍ର ଖୋଜି ପାଉନଥିଲା ପ୍ରଭଞ୍ଜନ, ଖୁନୀ ଆସାମୀକୁ ଫାଶୀ ଆଦେଶ ଦେବା ଭଳି ଦିନେ ଭାଉଜ କହିଲେ, ମୁଁ ଆଉ ପର ପାଇଁ ଘାଣ୍ଟି ହେଇ ମରି ପାରିବି ନାହିଁ । ମୋ ହାଣ୍ଡି ଚୁଲି ଅଲଗା କର । ମୁଁ ହାତରେ ଗଣ୍ଡାଏ ଫୁଟେଇ ଶାନ୍ତିରେ ରହିବି । ଅସହାୟ ଦୃଷ୍ଟିରେ ତାଙ୍କ ମୁହଁକୁ ଚାହିଁ ପ୍ରଭଞ୍ଜନ କହିଲା ।

“ଏ କ’ଣ କହୁଛ ଭାଉଜ? କାହାକୁ ତମେ କହୁଛ ପର? ମନୁ ଆଉ ମୋତେ କେବେ ତମେ ଅଲଗା ଦୃଷ୍ଟିରେ ଦେଖିବାର ମନେ ପଡୁନାଇଁ ମୋର । ପିଲାଦିନୁ ମାଆକୁ ହରାଇବାର ଅଭାବ ତମେ କେବେ ମୋତେ ଅନୁଭବ କରିବାକୁ ଦେଇ ନାହଁ, ଏବେ ମୋତେ ପର କରିଦେଲେ ମୁଁ କ’ଣ ପର ହୋଇଯିବି?”

“ହୁଁ-ମାଆ! କିଏ କାହାର ମାଆ! କିଏ କାହାର ପୁଅ! ସମସ୍ତେ ଆପଣା ସ୍ୱାର୍ଥରେ । ସୁଖର ସାଥୀ, ଖାଲି ଲୋକ ଦେଖାଣିଆପଣ।ମାଅ-ମାଆ-ମାଆ କହ ପୋଇଲି କି ଚାକରାଣୀ । କୋଉ ଜନ୍ମରେ କି ଧାରୁଆ ହୋଇଥିଲି ଯେ ଏବେ ସୁଝୁଛି ।” ଭାଉଜଙ୍କ ମୁହଁର ବିଦ୍ରୁପ ଓ ଆକ୍ଷେପରେ ଭରପୁର ଏ ଶବ୍ଦ ଗୁଡ଼ିକ ଅତ୍ୟନ୍ତ ଅଶ୍ଳୀଳ ଲାଗୁଥିଲା ପ୍ରଭଞ୍ଜନକୁ । ତା’ର ଆଉ କିଛି କହିବାର ନଥିଲା । ଏତେ ସୁନ୍ଦର ସ୍ୱଭାବର ମଣିଷଟାର କ’ଣ ଏମିତି ହୋଇଗଲା? ପାଗଳୀ ହୋଇଗଲେ କି ଆଉ?

ସୁନନ୍ଦାର ଧୈର୍ଯ୍ୟର ଚ୍ୟୁତି ଘଟୁଥିଲା  । ଯଥେଷ୍ଟ ହେଇଗଲା ସେବା, ଧର୍ମ। ଯଥେଷ୍ଟ ହେଇଗଲା ବୋହୁପଣ । ସତ୍ୟରକ୍ଷା  । ଆଉ ନୁହେଁ । ସେ ଆଉ ଅଧିକ ଅପମାନିତ ହେବାକୁ ଚାହୁଁନଥିଲା । ପ୍ରଥମ କରି ସେ ଅଡ଼ିବସିଲା ପ୍ରଭଞ୍ଜନ ପାଖରେ । ବିଜ୍ଞ ପରାମର୍ଶଟିଏ ବି ଦେଲା, କହିଲା-ତମ ସ୍କୁଲରେ କ୍ୱାର୍ଟରସ୍ ଖାଲି ଅଛି, ଆମେ କିଛିଦିନ ପାଇଁ ସେଇଠିକି ଚାଲିଯିବା, ଅପାଙ୍କର ଟେନସନ କମିଯିବ। ଘରଟା ଭିତରେ ସବୁବେଳେ ରବେଇ ଖବେଇ ହେବା, କାନ୍ଥକୁ ବାଡ଼କୁ ଦେଖେଇ କହିବା ଦ୍ୱାରା ତାଙ୍କ ସ୍ୱଭାବ ନଷ୍ଟ ହେଉଛି । ସତକୁ ସତ ଯଦି ସେ ମାନସିକ ସନ୍ତୁଳନ ହରେଇ ବସିବେ, ସେତେବେଳେ ପୁଣି ନୂଆ ସମସ୍ୟା। ଆମେ କିଛିଦିନ ବାହାରେ ରହିଗଲେ ହୁଏତ ତାଙ୍କର ମାନସିକତାର କିଛି ପରିବର୍ତ୍ତନ ଆସିପାରେ ।

ସୁନନ୍ଦାର ପରାମର୍ଶ ଗ୍ରହଣ କଲା ପ୍ରଭଞ୍ଜନ । ତାପରଦିନ ଦୁଇଟି ସୁଟକେଶରେ ଜିନିଷ ସଜାଡ଼ି ଦୁହେଁ ସ୍କୁଲ୍ କ୍ୱାରର୍ସକୁ ଚାଲିଗଲେ। ବିଦାୟ କାଳୀନ ମୁହୁର୍ତ୍ତଟାବି ସେମିତି ବେଦନା ଦାୟକ ବୋଲି କେହି ଅନୁଭବ କଲେ ନାହିଁ ବାହାରେ । ସୁନନ୍ଦାର କିଛି ପ୍ରତିକ୍ରିୟା ନଥିଲା। ନିଜ କୋଠରୀ ଭିତରକୁ ପଶିଯାଇ ଧଡ୍ କରି କବାଟ ବନ୍ଦକରି  ଦେଇଥିଲେ ଭାଉଜ ।

ଘରଠାରୁ କୋଡ଼ିଏ କିଲୋମିଟର ଦୂର ପ୍ରଭଞ୍ଜନର ସ୍କୁଲ । ସୁନନ୍ଦା ପ୍ରଭଞ୍ଜନ ଚାଲିଗଲେ । ଫେରି ଚାହିଁଲେ ନାହିଁ ପଛକୁ । ଭାଉଜଙ୍କର ସ୍ନେହ ପ୍ରେମ ପ୍ରୀତି ଏବଂ ନିନ୍ଦା ଗାଳି ଓ ତିରସ୍କାର ସେମାନଙ୍କର ସମ୍ବଳ । ଚଲାପଥର ପୁଞ୍ଜି । ସେଇ ମୂଳଧନ ନେଇ ସରକାରୀ  କ୍ୱାର୍ଟରରେ ସେମାନେ ଆରମ୍ଭ କଲେ ନୂଆ ଜୀବନ । ନୂଆ ଘର କରଣା ।

ଏଣେ ଉଜୁଡ଼ି ଯାଉଥିଲା ଆଉ ଗୋଟିଏ ସଂସାର । ପ୍ରଭଞ୍ଜନ ସୁନନ୍ଦା ଘରଛାଡିଲା ପରେ ଭାଉଜ ଖିଆପିଆ ଛାଡ଼ିଦେଲେ। ଦିନ କେଇଟାରେ ଶୁଖି କଳା ଖପରା ହୋଇଗଲେ । ତାଙ୍କ ଶରୀରର ତେଜ ଶ୍ରୀହୀନ ହୋଇ ପଡ଼ିଲା । ସତେ ଯେମିତି କେଉଁ ପାପର ପ୍ରାୟଶ୍ଚିତ ସେ କରୁଛନ୍ତି । ଶରୀରର ପ୍ରତି ଅଂଶକୁ ତିଳତିଳ ଦଗ୍ଧକରି ସେ କଳଙ୍କ ଛଡ଼ଉଛନ୍ତି ଦେହରୁ ।

ଖବର ପାଇ ସୁନନ୍ଦା ପ୍ରଭଞ୍ଜନ ଆସିଲେ । ପ୍ରଭଞ୍ଜନ ଭାଉଜର ଗୋଡ଼ ଉପରେ ମୁଣ୍ଡ ଥୋଇ କହିଲା, ଏ କ’ଣ ହେଲା ଭାଉଜ? ଏତେ ଶିରୀ ହେଲଣି, ଆମକୁ ଟିକେ ଖବର ଦେଲନି?

ସେମିତି ଶୁଖିଲା ଘଡ଼ଘଡ଼ ଗଳାରେ ସେ କହିଲେ; “ଛୁଅଁନା ଛୁଅଁନା ମୋତେ, ମୁଁ ପାପୀ, ଅପରାଧିନୀ, ମୁଁ ଚଣ୍ଡାଳୁଣୀ ସପ୍ତନରକରେ ମତେ ଠାବ ନାହିଁ । ମୋତେ ପ୍ରାୟଶ୍ଚିତ କରିବାକୁ ଦିଅ ।” ଦୁଇ କୋଟର ଗତ ଚକ୍ଷୁରୁ ତାଙ୍କର ନିଗିଡ଼ି ପଡ଼ିଲା ଦୁଇ ଧାର ଲୁହ । ସୁନନ୍ଦା ତାଙ୍କ ନୁଖୁରା କେଶରେ ହାତ ବୁଲାଉ ବୁଲାଉ କହିଲା; “ଅପା! ଏମିତି କାହିଁକି କହୁଛ? ଭୁଲ ତ ଆମେ କରିଛୁ, ତମକୁ ଏମିତି ଏଠି ଛାଡ଼ି ଦେଇ ଆମେ ଅପରାଧ କରିଛୁ । ଆମକୁ ପଛେ କ୍ଷମା ନ ଦେଲେ  ନ ଦିଅ । ତମେ  ନିଜକୁ ଏମିତି ଅଭିସମ୍ପାତ ଦିଅନାହିଁ । ଆମ ଛାତି ଫାଟିଯାଉଛି ।”

ପ୍ରଭଞ୍ଜନ ପାଦ ପାଖରୁ ଉଠି ମୁଣ୍ଡ ପାଖକୁ ଗଲା । ପକେଟରୁ ରୁମାଲ ବାହର କରି ତାଙ୍କ ହାଡ଼ ସର୍ବସ୍ୱ ଶିଠୁଆ ମୁହଁକୁ ପୋଛି ଦେଲା; ତାଙ୍କ ମୁଣ୍ଡ ତଳୁ ତକିଆ ବାହାର କରି ନିଜ କୋଳ ଉପରେ ରଖିଲା । ସୁନନ୍ଦା ବସିଲା ପାଦ ପାଖରେ ।

ସେ ନିରାସକ୍ତ କଣ୍ଠରେ କହିଲେ; “କ’ଣ ଟିକେ କହିଦେଲି ଯେ ତମେ ଦେଶାନ୍ତରୀ ହୋଇ ଚାଲିଗଲ? ଏ ଘର ଦ୍ୱାର, ଜମିବାଡ଼ି, ଗାଈ ଗୋରୁ, ମନୁଆର ଭବିଷ୍ୟତ କାହାକୁ ସମର୍ପି ଦେଇ ମୁଁ ଯାଇଥାନ୍ତି? ତମ ଭାଇ ଭଳି ତମେ ବି କ’ଣ ମତେ ପର କରିଦେଲ”?

ଉଦଗତ କୋହକୁ ସମ୍ଭାଳୁ ସମ୍ଭାଳୁ ପ୍ରଭଞ୍ଜନ କହିଲା; “ମୁଁ ପାପ କରିଛି ଭାଉଜ ! ଯାହା ଦଣ୍ଡ ଦବ ଦିଅ । ହେଲେ ସେମିତି କଥା କୁହ ନାହିଁ । ତମେ ଭଲ ହେବ । ତମ ସଂସାରକୁ ତମେ ସମ୍ଭାଳିବ । ମୋ କାନ ଧରି  ତମେ ମୋତେ ବୁଦ୍ଧି ବାଟ ବତେଇଦବ । ଯେମିତି ପିଲାଦିନେ କରୁଥିଲ ।”

“ଏତେ ସପନକୁ ରାତି ନାହିଁରେ ।” ସେ ନିର୍ଲିପ୍ତ କଣ୍ଠରେ କହିଲେ ।

ସତକୁ ସତ ଆଉ ରାତି ନଥିଲା ସପନ ଦେଖିବା ପାଇଁ  । ସେମିତି ଅଧା ସପନ ଦେଖି ଦେଖି ସିଏ ବାଟ କାଟିଲେ । ଡାକ୍ତର ବଇଦ କହିଲେ ଦେହରେ ରୋଗ ନାହିଁ, ମାନସିକ ରୋଗ । ସିଏ କିନ୍ତୁ ସମସ୍ତଙ୍କୁ ଫାଙ୍କିଦେଇ ମାସ ଦୁଇଟାରେ ଚାଲିଗଲେ ସେ ଅଫେରା ରାଇଜକୁ  । ମନୁଆକୁ ଅନାଥ ହେବା ପାଇଁ ଦେଲେ ନାହିଁ ପ୍ରଭଞ୍ଜନ ଓ ସୁନନ୍ଦା  । କ୍ୱାର୍ଟର୍ସ ଛାଡ଼ି ଆସି ସେମାନେ ପୂର୍ବ ପରି ଗାଁରେ ରହିଲେ । ଏକଦା ପରିବାରର ମୂଳସୂତ୍ର ଭାଉଜଙ୍କର ନଥିବା ପଣ ଦେହସୁହା ହୋଇଗଲା । ମନୁଆ ପାଠ ପଡ଼ିଲା  । ମାଆର ସ୍ମୃତିରେ ଧୀରେ ଧୀରେ ଅଳନ୍ଧୁ ଜମିଲା ।

ପୂର୍ବପରି ଆକାଶରେ ସୂର୍ଯ୍ୟ ଚନ୍ଦ୍ର ଯେମିତି ଉଦୟ ଅସ୍ତ ହେଉଥିଲେ ସେମିତି ଚାଲୁଥିଲା । ପୃଥିବୀଟା ଯେମିତି ସମୟ ସୁଅରେ ଗଡ଼ି ଚାଲୁଥିଲା ସେମିତି ଚାଲିଲା । ତା ସାଙ୍ଗରେ କୋଟିକୋଟି କୀଟପତଙ୍ଗ ଠାରୁ ନଦ ନଦୀ ପାହାଡ଼ ପର୍ବତ ପର୍ଯ୍ୟନ୍ତ ସମସ୍ତେ ସମସ୍ତଙ୍କ ଲକ୍ଷ୍ୟପଥରେ ଅଣନିଃଶ୍ୱାସୀ ହୋଇ ଧାଉଁଥିଲେ। କିନ୍ତୁ ବେଳେବେଳେ ପ୍ରଭଞ୍ଜନର ପୃଥିବୀଟା ମୁହୂର୍ତ୍ତକ ପାଇଁ କାଳର କରାଳ ସ୍ରୋତରେ ଅଟକି ଗଲା ଭଳି ଲାଗୁଥିଲା । ବହି ଯାଉଥିବା ପବନ, ଗଡ଼ିଯାଉଥିବା ଜଳ, ସମୁଦ୍ରର ଉତ୍ତାଳ ଢେ଼ଉ, ଏମିତିକି ସୂର୍ଯ୍ୟ ଚନ୍ଦ୍ର ଗ୍ରହ ନକ୍ଷତ୍ରଙ୍କ ଗତି ବି ମୁହୂର୍ତ୍ତକ ପାଇଁ ଅଟକିଯିବା ପରି ତାକୁ ଲାଗୁଥିଲା, ଯେତେବେଳେ ସେ ଭାଉଜଙ୍କର ବଞ୍ଚିଥିବା ବେଳର ମୁହୂର୍ତ୍ତମାନଙ୍କୁ ରୋମନ୍ଥନ କରୁଥିଲା । ସ୍ନେହ ପ୍ରେମ ସେବା ଓ ସଦିଚ୍ଛାର ଜୀବନ୍ତ ପ୍ରତିମାଟାର ହଠାତ୍ କାହିଁକି ଏମିତି ଘଟାନ୍ତର ହେଲା? ତାର ଚିନ୍ତାଶକ୍ତି ଲୋପ ହୋଇଯାଉଥିଲା । ଏ ଅସିଦ୍ଧ ସିଦ୍ଧାନ୍ତକୁ ସେ ଆଦୌ ଗ୍ରହଣ କରିପାରୁନଥିଲା । ସେ ଜାଣିଥିଲା ଏତେ ବଡ଼ ଅସମାହିତ ପ୍ରଶ୍ନର ଉତ୍ତର ତାକୁ କେହି ଦେଇ ପାରିବେ ନାହିଁ, ସେ ବଞ୍ଚିଥିବା ପର୍ଯ୍ୟନ୍ତ  । କେଜାଣି ଦେଇଥିଲେ ଦେଇଥାନ୍ତେ ସେଇ ଭାଉଜ ନିଜେ । ସେଇଟା ବି ଆଉ ସମ୍ଭବ ନୁହେଁ  ।

ଆଃ, ଭାଉଜଟା ହେଲେ ବଞ୍ଚିଥାନ୍ତେ କି ଆଉ କିଛି ଦିନ!

୨୧୩ ସି-ବ୍ଲକ୍, ଏମେରାଲ୍ଡ ଆପର୍ଟମେଣ୍ଟ୍, ଲକ୍ଷ୍ମୀସାଗର, ଭୁବନେଶ୍ୱର-୭୫୧୦୦୬, ମୋ- ୯୪୩୭୦୩୩୦୭୪, E-mail: basantimohanty12@gmail.com

About Basanti Mohanty

Basanti Mohanty is a writer based in Bhubaneswar.

View all posts by Basanti Mohanty →