ଶେଷ ଦୃଶ୍ୟ (ଭାଗ – ୧୧)

।। ୧୧ ।।

ତିନିତାଲା ବିଶିଷ୍ଟ କୋଠାଟିର ସବା ଉପରେ ଥିବା କୋଠରିରେ ଏକ ପୁରୁଣାକାଳିଆ ପଲଙ୍କରେ ଶୋଇଥିଲେ ସୁନ୍ଦରମଣି । ତାଙ୍କ ଗୋରା ତକତକ ଦେହଟି କ୍ରମଶଃ ଜଳୀୟ ଅଂଶ ଉଡିଯାଇଥିବା କମଳା ଚୋପା ପରି ଦିଶୁଥିଲା । ପଦସେବା କରିବାକୁ ପାଖରେ ଚାକର ବାକର କେହି ନଥିଲେ । ପାଖରେ ଏକ ଆରାମ ଚେୟାରରେ ମଝିରେ ମଝିରେ ଆସି ବସୁଥିଲେ ତାଙ୍କ ପିଲାଦିନର ବାନ୍ଧବୀ ସରଳା ।

କୋଠରିକୁ ଲାଗି ଠିଆ ହୋଇଥିବା ପୁରୁଣା ନଡିଆ ଗଛଟି ବୋଧହୁଏ ସୁନ୍ଦରମଣିଙ୍କୁ ଚିହ୍ନିଥିଲା । ସୁନ୍ଦରମଣି ଛୋଟ ଥିଲାବେଳେ ଏ ଗଛଟି ଲଗାଇଥିଲେ ତାଙ୍କ ଘରର ଗୁମାସ୍ତା ନବଘନ ପରିଜା । ସେତେବେଳେ ଲୋକଙ୍କ ଭିତରେ ଅନ୍ଧବିଶ୍ୱାସ ଥିଲା, ନଡିଆ ଗଛ ଲଗାଇଲେ ଅନିଷ୍ଠ ହୁଏ । ତେଣୁ ଗୁମାସ୍ତା ହିଁ ଗାଁ ସାରା ବୁଲି ବୁଲି ନଡିଆ ଗଛ ଲଗାଉଥିଲେ । କାରଣ ତାଙ୍କର ମୃତ୍ୟୁପ୍ରତି ଓ ଅନ୍ଧବିଶ୍ୱାସ ପ୍ରତି ଖାତିର ନଥିଲା ।

ସେଇ ଗଛର ପତ୍ରଗୁଡିକ ଏବେ ସୁନ୍ଦରମଣିଙ୍କ କୋଠରିରେ ଘଷି ହେଉଛନ୍ତି ଓ ମଝିରେ ମଝିରେ କେତୋଟି ବାହୁଙ୍ଗାର ପତ୍ର ପବନରେ ପଶି ଆସୁଛି ଝରକା ଭିତରକୁ । ଗୁଣ୍ଡୁଚି ମୂଷାଟିଏ ସେଇ ବାହୁଙ୍ଗା ଦେଇ ଆସି କୋଠରି ସାରା ବିଚରଣ କରି ପୁଣି ଫେରି ଯାଉଥିଲା ତା ବସାକୁ ।

ତେବେ ଏ ସବୁ ଘଟଣା ଓ ଦୃଶ୍ୟପଟ୍ଟ ସହ ସୁନ୍ଦରମଣିଙ୍କର କୌଣସି ସଂପର୍କ ନଥିଲା । ସେ ଖୁବ୍ ଅସୁସ୍ଥ ଥିଲେ । ତାଙ୍କର କୌଣସି ନିର୍ଦ୍ଦିଷ୍ଟ ରୋଗବୈରାଗ ନଥିଲେ ବି ଡାକ୍ତର ତାଙ୍କୁ ଅଧିକ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି ।

ବାପଘରେ ଦିନେ ସୁନ୍ଦରମଣିଙ୍କର ଅଖଣ୍ଡ କ୍ଷମତା ଥିଲା । ତାଙ୍କ ପିତା ପ୍ରପିତାମହଙ୍କ ପରି ସେ ବେଶ୍ ପରାକ୍ରମୀ ଥିଲେ । ତାଙ୍କ ବଂଶରେ କାଳେ ପୁଅମାନଙ୍କୁ ନରମ ସ୍ୱଭାବର ଝିଅ ଓ ଝିଅମାନଙ୍କୁ ନରମ ସ୍ୱଭାବର ପୁଅଙ୍କୁ ବାହା ଦିଆଯାଉଥିଲା । ଯାହା ଫଳରେ କି ଉଭୟ ପୁଅ ଓ ଝିଅଙ୍କର, ସେମାନେ ଯେଉଁଠି ଥାଆନ୍ତୁ ନା କାହିଁକି, ପରାକ୍ରମ ଜାରି ରହୁଥିଲା । ସୁନ୍ଦରମଣିଙ୍କ କ୍ଷେତ୍ରରେ ବି ସେଇଆ ଘଟିଥିଲା । ଦିନବନ୍ଧୁଙ୍କ ସହ ଯେତେବେଳେ ତାଙ୍କର ବିବାହ ପ୍ରସ୍ତାବ ପଡିଲା ସେତେବେଳେ କାଳେ ତାଙ୍କ ଶାଶୂଘର ଅର୍ଥାତ ଦିନବନ୍ଧୁଙ୍କ ପରିବାରର କୌଣସି ପ୍ରଭାବ ନଥିଲା । ସେମାନେ ଖୁବ୍ ଗରିବ ଓ ସାଧାରଣ ଥିଲେ । ଶାଶୂ ସୋଲା ବିକି ଘର ଚଳାଉଥିଲେ ଏବଂ ସେ କାଳେ ସେହି ଅଂଚଳର ଜମିଦାରଙ୍କର ରକ୍ଷିତା ଥିଲେ । ହେଲେ ସୁନ୍ଦରମଣିଙ୍କ ବାପାଙ୍କର ସେ ସବୁ ପ୍ରତି ଏତେ ଧ୍ୟାନ ନଥିଲା । ବରଂ କୌଣସି ବଦନାମିଆ ପରିବାରରେ ଝିଅ ବାହାଦେଲେ ବରଂ ସେଠି ତାଙ୍କ ଝିଅକୁ ରାଜୁତି କରିବାକୁ ସୁବିଧା ହେବ ବୋଲି ସେ ବିଚାର କରୁଥିଲେ । ସୁନ୍ଦରମଣି ଦିନାକେତେ ଶିକ୍ଷକତା ବି କରୁଥିଲେ ।

ତେବେ ଏସବୁ ପୁରୁଣା ରେକର୍ଡ ସହ ସୁନ୍ଦରମଣିଙ୍କ ବର୍ତ୍ତମାନ ଘଟଣାପ୍ରବାହର କୌଣସି ସଂପର୍କ ନଥିଲା । ସେ ଖୁବ୍ ବିବ୍ରତ ଥିଲେ । ତାଙ୍କ ଭାଇ ଭାଉଜମାନେ ମଧ୍ୟ ତାଙ୍କର ଆଚରଣରେ ସନ୍ତୁଷ୍ଟ ନଥିଲେ । ତେଣୁ ବାପଘର ସହ ତାଙ୍କର ସଂପର୍କ ବହୁଦିନ ହେଲା କୋହଳ ପଡିଯାଇଥିଲା । କିନ୍ତୁ ଯେବେଠାରୁ ସ୍ୱାମୀ ଦିନବନ୍ଧୁ ମହାନ୍ତି ଏମ୍‌ଏଲ୍‌ଏ ଓ ବିଧାୟକ ହେଲେ ତାଙ୍କ ପ୍ରଭାବରେ ସୁନ୍ଦରମଣିଙ୍କ ଗୋଡ ତଳକୁ ସମସ୍ତେ ପୁଣି ଆସୁଥିଲେ ବାଧ୍ୟାହୋଇ । ଏବଂ ସୁନ୍ଦରମଣି ପୁଣି ପ୍ରଭାବଶାଳୀ ହୋଇ ଉଠିଥିଲେ ।

‘ଦେଈ ! ଉଠନ୍ତୁ ଟିକେ ଗରମ କ୍ଷୀର ପିଇ ଦିଅନ୍ତୁ । ତମେ କିଛି ଖାଇନ ଦୁଇଦିନ ହେଲାଣି ।’

ଚୁମି ବୋଲି ଭାଇଘରେ ଥିବା ଏଇ କାମବାଲୀ ଝିଅଟି ସୁନ୍ଦରମଣିଙ୍କର ସେବାଯତ୍ନ କରୁଛି । ତାକୁ ସୁନ୍ଦରମଣି କିଛି ଟଙ୍କା ଦେଇଛନ୍ତି । ଡ୍ରେସ୍ ଖଣ୍ଡେ ଦେଇଛନ୍ତି । ସ୍ୱାମୀ ଦିନବନ୍ଧୁ ଓ ପୁଅ ରାଜା କୁଆଡେ ନା କୁଆଡେ ପଳେଇଛନ୍ତି । ତାଙ୍କୁ ଏକୁଟିଆ ଛାଡିଛୁଡି ସମସ୍ତେ ପଳେଇଲେ ପୋଲିସ୍ ଡରରେ । ସେ ତ ମାଇପିଟିଏ କ’ଣ ବା କରନ୍ତେ, କୁଆଡେ ବା ଯାଆନ୍ତେ ? ଓକିଲ ବାବୁ କହିଲେ, ମ୍ୟାଡାମ ଆପଣ ବି ପଳାନ୍ତୁ । ନହେଲେ ପୋଲିସ୍ ବାନ୍ଧିବା ନିଶ୍ଚୟ ।

ଅନ୍ୟଦିନ ହୋଇଥିଲେ ପୋଲିସ୍ ସୁନ୍ଦରମଣିଙ୍କ ତେଜ ଦେଖିଥାନ୍ତା । ଶାଲା ପୋଲିସ୍ ନା ଫୋଲିସ୍ ! ବହୁ ପୋଲିସ୍ ତାଙ୍କ ଘରେ ଆସି ଚା ପାଣି ପିଇ ଗୋରୁଙ୍କ ପରି ପାନ ଚାକୁଳେଇ ଯାଇଚନ୍ତି । ଅଧିକାଂଶ ପୁଲିସି ମନ୍ତ୍ରୀଙ୍କ ପାଖରେ ନିଜର କାମ କରିବାକୁ ସୁନ୍ଦରମଣିଙ୍କ ପାଖରେ ହିଁ ଅଧିଆ ପଡନ୍ତି । ପୁଲିସି ଅଫିସରଙ୍କୁ ସେ ଟହଲିଆ ପରି ବ୍ୟବହାର କରନ୍ତି । ପୁଲିସି ନା ଫୁଲିସି ! ଫୁଃ ! ହେଲେ ସେ ପୋଡାମୁହିଁ ବୋହୂ କି କିମିଆ କଲା କେଜାଣି, ପୂରା ସାମ୍ରାଜ୍ୟ ଭାଙ୍ଗିଦେଲା । କି ଦାଣ୍ଠ ତା’ର !! ପୂରା ବଂଉଶ ସାରା ଲୋକଙ୍କ ନାଁରେ କେସ୍ ପେଲିଦେଲା ! ସେ ଶାଳୀ ମାଈ ଏସ୍‌ପି ଖଣ୍ଡକ ବୋହୂକୁ ବାଟ ବତେଇଲା । ମିଳିମିଶିକି ଷଡଯନ୍ତ୍ର କରିଦେଲେ !

ନିଦଟା ଲାଗି ଆସୁଥିଲା । ଝିଅଟା ଗରମ କ୍ଷୀର ଟିକେ ଦେଲାରୁ ପିଇଦେଲେ ସୁନ୍ଦରମଣି । ପଚାରିଲେ- ପୋଲିସ୍ ଫୋଲିସ୍ ଆସିଥିଲେ କି ଗାଁକୁ ? ମତେ ଟିକେ ଖବର ଦେବୁଲୋ ଝୁଅ ।

ସୁନ୍ଦରମଣି ବାପଘରକୁ ଆସିବାରେ ତାଙ୍କ ଭାଇ ଭାଉଜ ଅସନ୍ତୁଷ୍ଟ । କିଏ ଚାହିଁବ ତାଙ୍କ ଘରକୁ ପୋଲିସ୍ ଆସୁ ବୋଲି ! ସୁନ୍ଦରମଣିଙ୍କୁ ପୋଲିସ୍ ଖୋଜୁଛି ଏହା ସମସ୍ତେ ଜାଣନ୍ତି । ସେ ଖୁବ୍ ଚିନ୍ତିତ ଥିଲେ । ସ୍ୱାମୀ ଓ ପୁଅ କୋଉଠି ଲୁଚିଲେ ? ଧୀରେ ଧୀରେ ସୁନ୍ଦରମଣିଙ୍କ ଭିତରେ ପଶ୍ଚାତାପ ଦାନା ବାନ୍ଧୁଛି । ସେ ନିଜ ଭିତରେ ନିଜକୁ ପ୍ରଶ୍ନ ପଚାରୁଛନ୍ତି । ବୋହୂକୁ ସେ ବହୁତ ହଇରାଣ କରିଛନ୍ତି କି ? ଆହାଃ ! ନିଜର ଗୁଣ ବିଷୟରେ ସେ ନିଜେ ବି ଜାଣିପାରୁ ନାହାଁନ୍ତି । ତାଙ୍କ ଭିତରେ ପୁଅକୁ ଏମ୍‌ଏଲ୍‌ଏ କରିବାର ନିଶା ଘାରିଥିଲା । ସେଥିରେ କ୍ଷତି କ’ଣ ଥିଲା ? ସବୁ ମାଆ ତ ନିଜ ପୁଅକୁ ଉଚ୍ଚରେ ଦେଖିବାକୁ ଚାହେଁ । ସେ ବି ଦେଖିଥିଲେ । ଖୁବ୍ ରୁକ୍ଷ ଭାବରେ ସେ ନିଜ ସଂସାରକୁ ଶାସନ କରୁଥିଲେ । ଚାକରମାନଙ୍କୁ ବିଧା ଗୋଇଠା ପକୋଉଥିଲେ । ବୋହୂକୁ ନିର୍ଯାତନା ଦେଉଥିଲେ । ସବୁ ସେଇ ଯକ୍ଷବାବାର ଦୋଷ ।

ଯକ୍ଷବାବା ତାଙ୍କୁ ସ୍ୱପ୍ନ ଦେଖେଇଥିଲା, ପୁଅ ତାଙ୍କର ଏମେଲେ ହବ । ଆହାଃ ! ଗୋଟିଏ ଘରେ ଦୁଇ ଦୁଇଟି ଏମେଲେ ଓ ଗୋଟିଏ ମନ୍ତ୍ରୀ । ୱାର୍ଲଡ ରେକର୍ଡ । ବେଳ ପଡିଲେ ସେ ବି ରାଜ୍ୟସଭାକୁ ପଳେଇଥାନ୍ତେ । ବୋହୂକୁ ବି ମୁଖ୍ୟମନ୍ତ୍ରୀ କନିଷ୍କ ପଟ୍ଟନାୟକ ବ୍ଲକ୍ ଚେୟାରମ୍ୟାନ୍ କରି ଦେଇଥାନ୍ତେ । ସେଇଥିପାଇଁ ତ ସେମାନେ ନୂଆ ବାହାଘର ପରେ ତାଙ୍କ ପାଖକୁ ନେଇଥିଲେ ବୋହୂକୁ । ଆହାଃ ! କି ଫନ୍ଦିଫିକର ହେଲା କେଜାଣି ସବୁ ଭାଙ୍ଗିରୁଜି ଧୂଳିସାତ୍ ହେଇଗଲା !

ସୁନ୍ଦରମଣି ଧୀରେ ଧୀରେ ଭାଙ୍ଗି ପଡୁଥିଲେ । ସେ ଝରକା ଦେଇ ଦୂର ପାହାଡ ଆଡେ ଅନେଇଲେ । ଦୂରରେ ପାହାଡ, ତା ପାଦତଳେ ଜଙ୍ଗଲ । ଦୂର ଦୂର ପର୍ଯ୍ୟନ୍ତ ଲମ୍ବିଛି ସବୁଜ ବିଲମାଳ । ପ୍ରକୃତିର ଏ ସବୁ ସୌନ୍ଦର୍ଯ୍ୟକୁ ସେ ବହୁଦିନ ପରେ ନିରିଖେଇ ଦେଖିବାର ଅବସର ପାଉଛନ୍ତି ।

‘ତମେ କେମିତି ଅଛ ହେ ସଈ ? ଦି ଦିନ ହେଲା ଟିକେ ଦେଖିବାକୁ ଆସିବି ବୋଲି ଆସିପାରୁ ନଥିଲି । ଆଜି ଟିକେ ଫୁରୁସତ ହେଲା ଯେ ଧାଇଁ ଅଇଲି ।’

ଝରକାରୁ ମୁହଁ ଫେରେଇ ସୁନ୍ଦରମଣି ଚାହିଁଲେ ଏପଟକୁ । ଏ ଲୋକଟି କିଏ ? ତାଙ୍କୁ ସଈ ଡାକୁଛି ? ଅନେକ ଦିନ ଧରି ନିଜ ଗର୍ବ ଓ ଅହଂକାର ଭିତରେ ରହିବାର ଇଏ ହେଉଛି ଫଳ । ସୁନ୍ଦରମଣି ନିଜ ଗାଁର ଲୋକମାନଙ୍କୁ ଆଉ ଠିକ୍‌ରେ ଚିହ୍ନିପାରୁ ନାହାଁନ୍ତି । ଏ ଲୋକଟି କିଏ ?

‘ହେଇଟି ସଈ ଚିହ୍ନି ପାରୁନ ଟି ? ମୁଁ ପରା ବିଷ୍ଣୁମୋହନ । ତମ ପିଲାଦିନ ସାଙ୍ଗ । ସଈ ।’

ସୁନ୍ଦରମଣି ସଳଖି ବସିଲେ । ଆଖି ତରାଟି ଚାହିଁଲେ ଲୋକଟିକୁ ।

‘ଓହୋ ! ବିଷ୍ଣୁମୋହନ !! ଆରେ ସଈ ତମକୁ ମୁଁ ଚିହ୍ନିପାରୁନି ଭଲକି । ମୋ ଆଖିରୁ ପାୱାର ପଳେଇଲାଣି ବୋଧେ । ତମେ ବି କ’ଣ ବୁଢା ହେଇଗଲଣି ନା କ’ଣ ? ଆରେ ମୁଁ ସିନା ବୁଢୀ ହେଇଗଲିଣି । ତମେ ତ ଟୋକୋ ହେଇକି ରହିବା କଥାନା ।’

ସୁନ୍ଦରମଣିଙ୍କ କଥା ଶୁଣି ଠୋ ଠୋ ହୋଇ ହସି ଉଠିଲେ ବିଷ୍ଣୁମୋହନ । ସେ ସୁନ୍ଦରମଣିଙ୍କ ପିଲାଦିନ ସାଙ୍ଗ । ଦୁହେଁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସାଙ୍ଗ ହୋଇ ପଢିଥିଲେ ଗୋଟିଏ ସ୍କୁଲରେ । ସୁନ୍ଦରମଣି ଥିଲେ ଜମିଦାର ଘର ଝିଅ, ଆଉ ବିଷ୍ଣୁମୋହନ ଥିଲେ ସାଧାରଣ ଚାଷୀଘର ପୁଅ । ଦିନାକେତେ ବିଷ୍ଣୁମୋହନ ସୁନ୍ଦରମଣିଙ୍କୁ ପ୍ରେମ କରୁଥିଲେ । ଅପ୍ରାପ୍ତବୟସ୍କ ପ୍ରେମ । ଲୁଚେଇ ଲୁଚେଇ ସେ ସୁନ୍ଦରମଣିଙ୍କୁ କଂଟେଇ କୋଳି ଆଣି ଦେଉଥିଲେ । ପ୍ରତିବଦଳରେ ସୁନ୍ଦରମଣି କେବଳ ବିଷ୍ଣୁମୋହନଙ୍କ ହାତକୁ ଟିକିଏ ଧରି ନିଜ ଦେହର ଉଷ୍ଣତା ବାଂଟି ଦେଉଥିଲେ । ବାସ୍ ସେତିକି ଥିଲା ପ୍ରେମର ଆଦାନପ୍ରଦାନ ।

‘ସଈ ତମେ ମତେ ମନେରଖିଚ ତାହା ହିଁ ବଡକଥା । ଦିନେ ଆମେ କେତେ ସାଙ୍ଗ ଥିଲେ !’

ସୁନ୍ଦରମଣି ଟିକିଏ ଲଜ୍ଜିତ ଅନୁଭବ କଲେ । କିଛିଦିନ ତଳେ ଏଇ ସଈ ନିଜ ପୁଅର ଚିକିତ୍ସା ବିଷୟ ନେଇ ଯାଇଥିଲେ ଦିନବନ୍ଧୁଙ୍କ ପାଖକୁ । କାଳେ ମନ୍ତ୍ରୀ କୋଉଠି ଟିକେ କହିଦେଲେ, ସରକାର ଚିକିତ୍ସା ଖର୍ଚ୍ଚ ବହନ କରିବେ । ଖୁବ୍ ଗରିବ ଅଭାବୀ ପରିବାର ବିଷ୍ଣୁମୋହନଙ୍କର । କିନ୍ତୁ ସୁନ୍ଦରମଣି ନିଜ ପିଲାଦିନ ସାଙ୍ଗକୁ ଏମିତି ବାଗରେ କଥାକହି ଫେରେଇ ଦେଲେ ଯେ, ବିଷ୍ଣୁମୋହନ ଆଉ କେତେ ତାଙ୍କ ଦୁଆରକୁ ଯାଇନଥିଲେ । ପରେ ତାଙ୍କର ସେ ପୁଅଟି ଚିକିତ୍ସା ଅଭାବରୁ ମୃତ୍ୟୁବରଣ କରିଥିଲା ।

ସୁନ୍ଦରମଣି ଭାବୁଥିଲେ, କେତେ ଉଦାର ସ୍ୱଭାବର ଏ ମଣିଷଟି ସତରେ ! ତାଙ୍କଠାରୁ କେବେ କିଛି ପାଇନି । କିନ୍ତୁ କୌଣସି ସମୟରେ ବି ସେ ଅଭିମାନ କରି ମୁହଁ ଫେରେଇନି ତାଙ୍କ ପାଖରୁ । ପିଲାଦିନେ ତାଙ୍କୁ ପ୍ରେମ କରି ବସିଥିଲା । କିନ୍ତୁ ସୁନ୍ଦରମଣି କେବେବି ତାକୁ ପ୍ରେମ ହିଁ କରିନାହାଁନ୍ତି । ବରଂ ବାହାନା କରିଛନ୍ତି ପ୍ରେମର । କେବଳ କଂଟିକୋଳି ଖାଇବାକୁ । ତା ପରେ କେବେବି ସୁନ୍ଦରମଣି ତା କଥା ମନେପକେଇ ନାହାଁନ୍ତି । ପଚାରି ନାହାଁନ୍ତି, କେମିତି ଅଛ ସଈ ? ଟଙ୍କା ପଇସା କିଛି ଦରକାର ହେଲେ କହିବ ।

ପୁଅର ଚିକିତ୍ସା ପାଇଁ ମଧ୍ୟ ସୁନ୍ଦରମଣି କୌଣସି ସାହାଯ୍ୟ କରିନାହାଁନ୍ତି । ବରଂ ମିଛ କହି ତାଙ୍କୁ ଫେରେଇ ଦେଇଥିଲେ ନିଜ ଦୁଆରୁ । କିନ୍ତୁ ଆଜି ତାଙ୍କ ଦୁର୍ଦ୍ଦିନରେ ସେ ଧାଇଁ ଆସିଛି ସଈକୁ ଟିକେ ଦେଖିବାକୁ, ଭଲମନ୍ଦ ପଚାରିବାକୁ । ଆହାଃ !

ସୁନ୍ଦରମଣି ନିଜେ ଛୋଟ ହୋଇଯାଉଥିଲେ । ବିଷ୍ଣୁମୋହନ ଆରାମରେ ବସି ଖବରକାଗଜ ପଢୁଥିଲେ, ଯେଉଁଥିରେ ଦିନବନ୍ଧୁ ଓ ସୁନ୍ଦରମଣିଙ୍କ କଳା କାରାନାନା ସଂପର୍କରେ ପ୍ରକାଶ ପାଇଥିଲା ଏ ମୁଣ୍ଡରୁ ସେ ମୁଣ୍ଡ ଯାଏଁ ।

ବିଷ୍ଣୁମୋହନ ପେପର ପଢା ବନ୍ଦ କରି କହିଲେ- ‘ସଈ ! ତମେ ତ ଏତେ ଭଲଲୋକ । ଦିନବନ୍ଧୁ ଭାଇ ତ ଏତେ ସାହାଯ୍ୟକାରୀ ଲୋକ । ସେ ବୋହୂଟା ତମ ନାଁରେ ଏମିତି କାହିଁକି ସତମିଛ ଥାନାରେ କହିଲା ମ ? ତମର କ’ଣ ନାହିଁ ଯେ, ତମେ ପୁଣି ଯୌତୁକ ନିର୍ଯାତନା ଦେବ ? ମୁଁ ଜାଣିଛି ଏ ସବୁ ଶହେରେ ଶହେ ମିଛ ।’

ବିଷ୍ଣୁମୋହନଙ୍କ କଥା ଶୁଣି ସୁନ୍ଦରମଣି ଭେଁ ଭେଁ ହୋଇ କାନ୍ଦି ଉଠିଲେ । ବିଷ୍ଣୁମୋହନ ହଡବଡେଇ ଗଲେ । ସଈଙ୍କ ମୁଣ୍ଡରେ ହାତ ବୁଲେଇ ସେ ତାଙ୍କୁ ବୋଧ ଦେବାକୁ ଚେଷ୍ଟା କରୁଥିଲେ । ତାଙ୍କ ହାତ ଧରି ତାଙ୍କୁ ବିଛଣାରେ ଟିକିଏ ଶୁଏଇ ଦେବାକୁ ଚେଷ୍ଟା କଲେ । ସୁନ୍ଦରମଣିଙ୍କ ହାତ ଧରିଲା ବେଳେ ସ୍କୁଲ୍‌ବେଳେ ଯୋଉ ଅନୁଭବ ଥିଲା, ସେମିତି ହିଁ ଅନୁଭବ ପାଉଥିଲେ ବିଷ୍ଣୁମୋହନ । ସୁନ୍ଦରମଣି ତାଙ୍କ ଆଖିକୁ ଚାହିଁଥିଲେ ଅପଲକ ନୟନରେ ।

ସୁନ୍ଦରମଣି ଧୀରେ କରି ବିଷ୍ଣୁମୋହନଙ୍କୁ ପଚାରିଲେ- ତମେ ମତେ ବାହାହେବ ସଈ ? ମୁଁ ତମକୁ ପ୍ରେମ କରେ ।

ବିଷ୍ଣୁମୋହନ ତତ୍‌କ୍ଷଣାତ୍ ସୁନ୍ଦରମଣିଙ୍କ ହାତ ଛାଟି ତାଙ୍କ ବିଛଣାରୁ ଉଠି ପଡିଲେ । ସେ ସଈଙ୍କ କଥାରେ ଚମକି ପଡିଲେ ଓ ଅଳ୍ପ ସମୟ ପରେ ଖୁବ୍ ଯୋରରେ ହସିଲେ ।

‘ତମେ ପାଗଳ ହେଇଗଲଣି କି ସଈ ?’ ବିଷ୍ଣୁମୋହନ କହିଲେ ।

‘ନା । ମୁଁ ମୋର ଅସଲ ସତ୍ତାକୁ ଫେରି ଆସିବାକୁ ଚାହୁଁଛି ସଈ । ଖୁବ୍ ଭଲ ହେଇଥାନ୍ତା ସେତେବେଳେ ଯଦି ଜିଦ୍ କରି ମୁଁ ତମକୁ ବାହାହୋଇ ଯାଇଥାନ୍ତି । ଅନ୍ତତଃ ଏବେ ମୋ ପଛରେ ପୋଲିସ୍ ପଡିବା ଯାଏ କଥା ଯାଇନଥାନ୍ତା ।’

‘କିନ୍ତୁ ତମେ ତ ସେମିତି କିଛି କରିନା । ଡରୁଚ କାହିଁକି ?’

‘ତମେ ତମ ସଈକୁ ଜୀବନ ସାରା ଭୁଲ୍ ହିଁ ବୁଝି ଆସିଛ ବିଷ୍ଣୁମୋହନ । ତମେ ମୋହଗ୍ରସ୍ତ ହରିଣୀ । ମୁଁ ସବୁ ଜାଣିଥିବା ଶିକାରୀ ।’

‘କିନ୍ତୁ ଆମେ ପରସ୍ପରକୁ ଖୁବ୍ ପ୍ରେମ କରୁଥିଲେ ।’

‘ନା । ତମେ ମତେ ପ୍ରେମ କରୁଥିଲ । ମୁଁ ନୁହେଁ ।’

‘କିନ୍ତୁ !! ତାହା କେମିତି ସତ ? ମୁଁ ତ ସବୁଦିନ କଂଟେଇ କୋଳି ଆଣି ତମ ଆଂଜୁଳାରେ ଢାଳି ଦେଉଥିଲି କେବଳ ତମ ହାତର ସ୍ପର୍ଶ ଟିକିଏ ପାଇବାକୁ ।’

‘ତମ ହାତର ଉଷ୍ଣତାରେ ମୁଁ କେବେବି ଉତ୍ତେଜିତ ହୋଇନି । ବରଂ ଚାଟଶାଳୀର ପ୍ରଧାନ ଗୁରୁଜୀଙ୍କ ଦେହର ଉଷ୍ଣତା ମତେ ଭଲ ଲାଗୁଥିଲା ।’

‘କିନ୍ତୁ…’

ସୁନ୍ଦରମଣିଙ୍କ କଥାରେ ବିଷ୍ଣୁମୋହନଙ୍କ ଆଖିକୁ ଧୀରେ ଧୀରେ ଲୁହ ଆସୁଥିଲା । ଛଳଛଳ ଆଖିରେ ସେ ଆଉ ସୁନ୍ଦରମଣିଙ୍କୁ ଚାହିଁ ପାରୁନଥିଲେ । ସୁନ୍ଦରମଣି କିନ୍ତୁ ଗପି ଚାଲିଥିଲେ ।

‘ମୁଁ ଜୀବନସାରା ଖୁବ୍ ପାପ କରିଛି ସଈ । ଖୁବ୍ । ବୋହୂକୁ ଅକଥନୀୟ ନିର୍ଯାତନା ଦେଇଛି । ସେ କାନ୍ଦିଲେ ମତେ ଖୁବ୍ ଭଲ ଲାଗୁଥିଲା । ସ୍ୱାମୀ ଦିନବନ୍ଧୁ ରାତିରେ କୁକୁର ପରି ଘରସାରା ଚାଲିଲେ ମତେ ତାଙ୍କୁ ଦେଖି ଖୁବ୍ ସୁଖ ଅନୁଭବ ହେଉଥିଲା । ଯକ୍ଷବାବା ଯେତେ ରକ୍ତ ଚାହିଁଛି ମୁଁ ଦେଇଛି । ମଣିଷ ରକ୍ତ ବି ।’

‘ମଣିଷ ରକ୍ତ !!’ ବିଷ୍ଣୁମୋହନ ଚେୟାର ଛାଡି ଉଠିପଡିଲେ । ଆଦରର ପ୍ରେମିକା ସୁନ୍ଦରମଣିଙ୍କ କଥା ଶୁଣି ସେ ଭୟ କରିବା ଆରମ୍ଭ କରିଥିଲେ । ପୁରାଣରେ ରାକ୍ଷସୀଙ୍କ କଥା ସେ ଶୁଣିଥିଲେ । କିନ୍ତୁ ଆଖି ସାମ୍ନାରେ ମାଇପିଟିଏ ରାକ୍ଷସୀ ପାଲଟି ଯାଉଥିବାର ଦୃଶ୍ୟ ସେ ପ୍ରଥମ କରି ଅନୁଭବ କରୁଥିଲେ ।

ସୁନ୍ଦରମଣି ଅଧିକ କିଛି କଥା କହିପାରୁ ନଥିଲେ । ଧୀରେ ଧୀରେ ସେ ନିସ୍ତେଜ ହେବା ପରି ଅନୁଭବ କରୁଥିଲେ । ସବୁ ଭୟ ସତ୍ୱେ ବିଷ୍ଣୁମୋହନ ତାଙ୍କ ପାଖକୁ ଦଉଡି ଯାଇ ସୁନ୍ଦରମଣିଙ୍କୁ ଖଟରେ ଶୁଆଇ ଦେଇ ତାଙ୍କ ମୁଣ୍ଡକୁ ଜଙ୍ଘ ଉପରେ ରଖି ବାଳକୁ ଆଉଁସି ଦେଲେ । ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ଏଃ କ’ଣ ? ସୁନ୍ଦରମଣିଙ୍କ ପାଟିରୁ ଗରଳ ପରି ଫେଣ ବାହାରିବାରେ ଲାଗିଛି । ତାଙ୍କ ଆଖି ଧୀରେ ଧୀରେ ବୁଜି ହୋଇଯାଉଛି । ସୁନ୍ଦରମଣିଙ୍କ ଶରୀର ନିସ୍ତେଜ ହେଉଥିଲା ଓ ସେ କ’ଣ ସବୁ ଗଁ ଗଁ ହୋଇ କହୁଥିଲେ, ଯାହାକୁ ବିଷ୍ଣୁମୋହନ ବୁଝିପାରୁ ନଥିଲେ ।

ଏଇ ସମୟରେ କିଏ ଜଣେ ତଳ ଘରୁ ଡାକ ପକେଇଲା- ପୋଲିସ୍ ଆସିଲେ… ପୋଲିସ୍‌…

କିନ୍ତୁ ସେତେବେଳକୁ ବିଷ୍ଣୁମୋହନଙ୍କ ଜଙ୍ଘ ଉପରେ ସୁନ୍ଦରମଣିଙ୍କ ଦେହ ସଂପୂର୍ଣ୍ଣ ଥଣ୍ଡା ପଡିସାରିଥିଲା ।

କ୍ରମଶଃ.. .. ..