ଶାନ୍ତିନିକେତନରେ ବର୍ଷସାରା ଅନୁଷ୍ଠିତ ହେଉଥିବା ମେଳା ମଉଛବମାନଙ୍କ ମଧ୍ୟରେ ନନ୍ଦନମେଳା ଅନ୍ୟତମ। ଏହା ପ୍ରତ୍ୟେକ ବର୍ଷ ଡିସେମ୍ବର ମାସ ୧ ଓ ୨ ତାରିଖରେ କଳାଭବନ ପ୍ରାଙ୍ଗଣରେ ଅନୁଷ୍ଠିତ ହୁଏ। | କଳାଭବନର ଛାତ୍ରଛାତ୍ରୀମାନେ ବର୍ଷସାରା ଯେଉଁ ପେଣ୍ଟିଙ୍ଗ୍, ଗ୍ରାଫିକ୍ ଡିଜାଇନ୍, ସେରାମିକ୍ସ, ଡୋକ୍ରା, ମାଟି ଅଳଙ୍କାର, କାଚ, ଲୁହା, ପଥର ଓ କାଠ ତିଆରି ସ୍ଥାପତ୍ୟ, ବିଭିନ୍ନ କନା ଓ କାଗଜ ନିର୍ମିତ ବହୁ ଶିଳ୍ପକଳା ଚିତ୍ରକଳା ନିର୍ମାଣ କରିଥାନ୍ତି, ଏହି ମେଳାରେ ସେସବୁ ପ୍ରଦର୍ଶିତ ହେବା ସହ ବିକ୍ରି ହୁଏ। ଏହାବ୍ୟତୀତ ଯୁବଶିଳ୍ପୀମାନେ କାଠ, ବାଉଁଶ, କନା ଏବଂ ବହୁ ଅଦରକାରୀ ଦ୍ରବ୍ୟରେ ଇନଷ୍ଟାଲେସନ୍ ଡିଜାଇନ୍ ଆଦି ପ୍ରସ୍ତୁତ କରି ସେମାନଙ୍କର ସର୍ଜନଶୀଳ ପ୍ରତିଭାର ପରିଚୟ ଦେଇଥାନ୍ତି।
କଳାଭବନର ପ୍ରାକ୍ତନ ଅଧ୍ୟାପକ ନନ୍ଦଲାଲ୍ ବସୁଙ୍କ ନାମାନୁସାରେ ଏହିମେଳାର ନାମ ନନ୍ଦନମେଳା। ରବୀନ୍ଦ୍ରନାଥଙ୍କ ଆହ୍ବାନରେ ନନ୍ଦଲାଲ୍ ବସୁ ପ୍ରଥମେ ଶାନ୍ତିନିକେତନ ଆସନ୍ତି ୧୯୧୪ ମସିହା ଏପ୍ରିଲ ୨୪ ତାରିଖ ଶୁକ୍ରବାର ଦିନ। ନନ୍ଦଲାଲଙ୍କୁ ଆଣିବା ପାଇଁ ସେତେବେଳର ଚିତ୍ରଶିକ୍ଷକ ଅମିତ କୁମାର ହାଲଦାର ଯାଆନ୍ତି । ସେ ଆସିବା ପରଦିନ ଅର୍ଥାତ ଏପ୍ରିଲ୍ ୨୫ ଶନିବାର ଦିନ ଆମ୍ରକୁଞ୍ଜରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଏ । ସେଦିନ ଗୁରୁଦେବ ଆଶିର୍ବାଣୀ ସ୍ବରୂପ ତାଙ୍କ ଉଦ୍ଦେଶ୍ୟରେ ଗୋଟିଏ କବିତା ଲେଖି ପାଠ କରନ୍ତି ।

ଶାନ୍ତିନିକେତନର କଳାଭବନ ଥିଲା ଶିଳ୍ପାଚାର୍ଯ୍ୟ ନନ୍ଦଲାଲ ବସୁଙ୍କ ସାଧନା ପୀଠ | କଳାଭବନର ଇତିହାସରେ ସେ ଦୀର୍ଘକାଳ ଧରି ଅଧ୍ୟାପନା କରିଥିଲେ। ତେଣୁ ସ୍ୱାଭାବିକ ଭାବରେ କଳାଭବନର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ସମସ୍ତେ ନନ୍ଦଲାଲଙ୍କ ଜନ୍ମଦିନକୁ ସ୍ମରଣୀୟ ଦିନ ଭାବରେ ମନେ ରଖନ୍ତି | ନନ୍ଦଲାଲ ୩ ଡିସେମ୍ବର ୧୮୮୩ରେ ଜନ୍ମଗ୍ରହଣ କରିଥିଲେ। କିନ୍ତୁ କଳାଭବନର ପିଲାମାନେ ବହୁ ପୂର୍ବରୁ (୧୯୩୯ ପୂର୍ବରୁ) ପ୍ରତ୍ୟେକ ବର୍ଷ ଡିସେମ୍ବର ୩ ତାରିଖ ଦିନ ଭୋରରୁ ଆଶ୍ରମ ଗୀତ(ଆମାଦେର ଶାନ୍ତିନିକେତନ)ର କିଛି ଅଂଶ ଗାଇ ବୈତାଳିକ କରି ଆଶ୍ରମ ପରିକ୍ରମା କରୁଥିଲେ। ତା’ପରେ ଛାତ୍ର ଓ ଅଧ୍ୟାପକମାନେ ସମସ୍ତେ ମିଶି ବଣଭୋଜି କରିବାକୁ ବାହାରକୁ ଯାଇ ସାରାଦିନ ଆନନ୍ଦ ଉପଭୋଗ କରୁଥିଲେ। ଏଇଭାବେ ନନ୍ଦଲାଲଙ୍କ ଜନ୍ମଦିନଟି କଳାଭବନର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନଙ୍କ ପାଇଁ ଥିଲା ଉତ୍ସବର ଦିନ ।
ଶାନ୍ତିନିକେତନର ନନ୍ଦନମେଳା ଭଳି ବରୋଦା ବିଶ୍ୱବିଦ୍ୟାଳୟର ଆର୍ଟ କଲେଜରେ ମଧ୍ୟ ‘ଆର୍ଟ- ଫେୟାର’ ନାମକ ଏକ ମେଳା ଅନୁଷ୍ଠିତ ହୁଏ | ତେବେ ତା ସହିତ ଶାନ୍ତି ନିକେତନର ମେଳାର କୌଣସି ପ୍ରକୃତିଗତ ସାଦୃଶ୍ୟ ନଥିବା ମନେହୁଏ।
ଏହି ମେଳା ଅନୁଷ୍ଠିତ ହେବାର କିଛି କାରଣ ଅଛି। ୧୯୭୨ ମସିହାରେ କଳାଭବନର ଜଣେ ଛାତ୍ରର ହଠାତ୍ ଦୁର୍ଘଟଣା ଘଟିଲା। ସେଥିପାଇଁ ଆର୍ଥିକ ସହାୟତା ନେଇ ସମସ୍ତଙ୍କ ଚିନ୍ତା ଉଦ୍ରେକ ହେଲା ଓ ସ୍ଥାୟୀପାଣ୍ଠିର ଅଭାବକୁ ତୀବ୍ର ଅନୁଭବ କରାଗଲା | ଠିକ୍ ସେତେବେଳେ ନନ୍ଦଲାଲଙ୍କ ଜନ୍ମଦିନ ଉତ୍ସବ, ‘ବରୋଦା ଆର୍ଟ ମେଳା’, ସ୍ଥାୟୀ ପାଣ୍ଠି ଗଠନ- ଏସବୁ ଭାବନା ଭିତରୁ ଜନ୍ମ ହେଲା ନନ୍ଦନମେଳା। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବିପର୍ଯ୍ୟୟର ମୁକାବିଲା ପାଇଁ ଏକ ସ୍ଥାୟୀ ପାଣ୍ଠି ଗଠନ କରିବା |

୧୯୭୩ ମସିହାରେ କଳାଭବନ ପରିସରରେ ପ୍ରଥମେ ଏହା ଅନୁଷ୍ଠିତ ହୋଇଥିଲା । ସେ ବର୍ଷ ଏହାର ନାମ ଥିଲା ‘ନନ୍ଦମେଳା’। ତା ପର ବର୍ଷ ୧୯୭୪ରେ ଏହାର ନାମ ହେଲା ‘ନନ୍ଦନ ମେଳା’ | ଏଥିରେ କିଛି ଛାତ୍ର ଓ ଅଧ୍ୟାପକ କ୍ଷୁବ୍ଧ ହୋଇଥିଲେ। ନନ୍ଦନ ଶବ୍ଦଟିର ବ୍ୟୁତ୍ପତ୍ତି ଗତ ଅର୍ଥ ହେଉଛି ‘ଯାହା ଆନନ୍ଦ ଦିଏ’ (ନନ୍ଦ୍+ ଅନ୍) | ରବୀନ୍ଦ୍ରନାଥ କଳାଭବନ କର୍ମଶାଳାର ନାମ ‘ନନ୍ଦନ’ ରଖିଥିଲେ। କର୍ମଶାଳା ‘ନନ୍ଦନ’ କର୍ମଜୀବୀ ନନ୍ଦଲାଲଙ୍କୁ ଜୀବନ ସାରା ଆନନ୍ଦ ଦେଇଥିଲା | ତେଣୁ, ଏହା ଶିଳ୍ପାଚାର୍ଯ୍ୟଙ୍କ ନାମରେ ହେଉ କିମ୍ବା ତାଙ୍କ ସୃଷ୍ଟି ନାମରେ ହେଉ କିମ୍ବା କଳା ଅର୍ଥରେ ହେଉ, ଏହି ମେଳା ବିଶ୍ୱ ଭାରତର ଏକ ଲୋକପ୍ରିୟ ପର୍ବ ଭାବରେ ପରିଚିତି ଲାଭ କରିଛି। ତେଣୁ ଭାରତ ଓ ବିଶ୍ବର ବିଭିନ୍ନ ପ୍ରାନ୍ତରୁ ବହୁ ଚିତ୍ରକର ଓ କଳା ସମୀକ୍ଷକ ଯୋଗଦିଅନ୍ତି।

ଏହି ମେଳାରେ କଳାଭବନର ଛାତ୍ରମାନଙ୍କ ଦ୍ୱାରା ନିର୍ମିତ ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ଯେପରିକି ପ୍ରତିମୂର୍ତ୍ତି, ଖେଳନା, ଚିତ୍ରିତ ସରା, ଚିତ୍ର, କ୍ୟାଲେଣ୍ଡର, ଅଭିନନ୍ଦନ ପତ୍ର, ମୁଖା, ପିତ୍ତଳ ଅଳଙ୍କାର, ବାଟିକ୍ ବ୍ଳାଉଜ ପିସ୍ ଆଦି ପ୍ରଦର୍ଶନୀ ସହ ବିକ୍ରି ହୁଏ। କଳାଭବନ ମଣ୍ଡପରେ ସଂଗୀତର ଆସର ଜମିଉଠେ। କୋଉଠି ଅଭିନୟ, କୋଉଠି ଯାଦୁବିଦ୍ୟା ଓ କୋଉଠି ତତକ୍ଷଣାତ୍ ଫୋଟ ଆଙ୍କିବା, କୋଉଠି କାର୍ଟୁନ କରିବା ବି ଚାଲେ। ପରିଦର୍ଶକମାନଙ୍କ ପାଇଁ ଛାତ୍ରଛାତ୍ରୀମାନଙ୍କ ତରଫରୁ ବିଭିନ୍ନ ଧରଣର ଚା ଓ ଖାଦ୍ୟ ଦୋକାନ ବି ଥାଏ। କଳାଭବନ ପରିସରରେ ଥିବା ବହୁ ପୁରୁଣା ଗଛଗୁଡିକୁ ସୁନ୍ଦର ଭାବରେ ସଜେଇ ଦିଆଯାଏ। | ଭବନ ପରିସର ଯୁଆଡେ ଦେଖିବେ, ସିଆଡେ କିଛିନା କିଛି କଳା କାରିଗରୀର ସ୍ପର୍ଶ ଓ ସର୍ଜନଶୀଳତାକୁ ଅନୁଭବ କରିହୁଏ। ମେଳାର ପ୍ରସ୍ତୁତି ପର୍ଯ୍ୟାୟରେ, ଛାତ୍ରମାନେ ବିଭିନ୍ନ କାର୍ଯ୍ୟକଳାପରେ ନିୟୋଜିତ ହୁଅନ୍ତି ଏବଂ ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ତିଆରି କରିବାରେ ବୃତ୍ତିଗତ ଦକ୍ଷତା ହାସଲ କରନ୍ତି ।କଳାଭବନ ଅନ୍ତର୍ଗତ ଛଅଟି ବିଭାଗ ତରଫରୁ ଅଲଗା ଅଲଗା ଷ୍ଟଲ ଖୋଲାଯାଏ। ଦୁଇ ଦିନ ଧରି ଚାଲିଥିବା ମେଳା ପରେ ଡିସେମ୍ବର ୩ରେ ନନ୍ଦଲାଲ ବୋଷଙ୍କ ଜନ୍ମଦିନ ପାଳନ କରାଯାଏ। ସଂସ୍କୃତିପ୍ରେମୀଙ୍କ ପାଇଁ ଏହି ମେଳା ଏକ ଉତ୍ତମ ଗନ୍ତବ୍ୟସ୍ଥଳ।
ପ୍ରସିଦ୍ଧ ଚିତ୍ରକାର ନନ୍ଦଲାଲ ବୋଷଙ୍କ ନାମରେ ନାମିତ ଏହି ମେଳା ୧୯୭୩ ପରଠାରୁ ଅନୁଷ୍ଠିତ ହୋଇଆସୁଛି | ଚଳିତବର୍ଷ ଏହାର ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯାଇଥିଲା। ତେବେ ଏହି ମେଳା ଚାରି ବର୍ଷ ପାଇଁ ବନ୍ଦ ରହିଥିଲା | ଅତୀତରେ, ଥରେ ନକ୍ସଲ ଆନ୍ଦୋଳନ ହେତୁ, ଥରେ ବନ୍ୟା ହେତୁ ଏବଂ କୋରୋନା କାରଣରୁ ଦୁଇବର୍ଷ ମୋଟ ଚାରିବର୍ଷ ଏହି ମେଳା ବନ୍ଦ ହୋଇଥିଲା। ତେବେ ଚଳିତବର୍ଷ ନନ୍ଦନମେଳା ଭାରି ଜାକଜମକରେ ପାଳିତ ହୋଇଥିଲା। ଭାରତବର୍ଷର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଲୋକ ଆସି ଏହି ମେଳାରେ ଯୋଗଦେଇ ଶୀତସଞ୍ଜର କଳାପ୍ରଦର୍ଶନୀକୁ ଉପଭୋଗ କରିଥିଲେ।
ସୁବିଧା ହେଲେ କେବେ ଆପଣମାନେ ବି ଆସନ୍ତୁ।
ପ୍ରକୃତି ଭିତରେ ଚିତ୍ର-ସଂଗୀତ-ସାହିତ୍ୟକୁ ଉପଭୋଗ କରନ୍ତୁ।

