ରବୀନ୍ଦ୍ରନାଥଙ୍କ ପ୍ରେମକାହାଣୀ

ର ବି କ ଥା : ୧୧

ରବୀନ୍ଦ୍ରନାଥ ଠାକୁର ଥିଲେ ଆପାଦମସ୍ତକ ଜଣେ ପ୍ରେମିକ ପୁରୁଷ। ତାଙ୍କ ସାହିତ୍ୟସୃଷ୍ଟିରେ ଥିବା ପ୍ରେମଦର୍ଶନ ଆମେ ସମସ୍ତେ ଜାଣୁ। କିନ୍ତୁ ବ୍ୟକ୍ତିଗତ ଜୀବନର ପ୍ରେମ ସମ୍ପର୍କରେ ଅନେକ ଅଜ୍ଞ। ରବୀନ୍ଦ୍ରନାଥ ଜୀବନରେ ଅନେକ ଥର ପ୍ରେମର ତରଙ୍ଗରେ ଅବଗାହନ କରିଛନ୍ତି, ପ୍ରେମ ପାଇଁ ନିଜକୁ ଉଜାଡ଼ି ଦେଇଛନ୍ତି। ବିଶ୍ବକବିଙ୍କ ପ୍ରେମକଥା ପଡ଼ିଲେ ଯେଉଁମାନଙ୍କ ନାମ ଆଲୋଚନାର ପରିସରକୁ ଆସେ, ସେମାନେ ହେଲେ ପତ୍ନୀ  ମୃଣାଳିନୀ ଦେବୀ, ମରାଠୀ କନ୍ୟା ଆନ୍ନା ତଡଗଡ, ଭାଉଜ କାଦମ୍ବରୀ ଦେବୀ, ଆର୍ଜେଣ୍ଟିନାର ଭିକ୍ଟୋରିଆ ଓକାମ୍ପୋ, ରବୀନ୍ଦ୍ର ରଚନାର ଗୁଣମୁଗ୍ଧ ପାଠିକା ହେମନ୍ତବାଳା, ଭାତ୍ରୁସ୍ପୂତ୍ରୀ ଇନ୍ଦିରା ଓ ରବୀନ୍ଦ୍ର ଭକ୍ତ ରାନୁ ଅଧିକାରୀ ପ୍ରମୁଖ।

ମରାଠୀକନ୍ୟାର ପ୍ରେମ:

ରବୀନ୍ଦ୍ରନାଥ ବମ୍ବେରେ ଥିଲାବେଳେ ପ୍ରଥମେ ପ୍ରେମରେ ପଡିଥିଲେ ଜଣେ ମରାଠୀକନ୍ୟା ସହିତ। ଝିଅଟିର ନାଁ ଥିଲା ଆନ୍ନା ତଡଖଡ୍। ଆନ୍ନା ଥିଲେ ଡା. ଆତଦାରାସ୍ ପାଣ୍ଡୁରଙ୍ଗାଙ୍କର କନ୍ୟା। ତାଙ୍କ ସହିତ କବିଙ୍କ ପ୍ରେମ ଥିଲା ମାତ୍ର ଏକ ମାସରୁ ସାମାନ୍ୟ କିଛି ଦିନ ବେଶୀ। ପରେ ସେ ଦୁହିଁଙ୍କ ଯୋଗାଯୋଗ ଥିଲା କେବଳ ପତ୍ର ବିନିମୟ ମାଧ୍ୟମରେ। କବି ସେତେବେଳେ କିଶୋରାବସ୍ଥା ପାର ହୋଇ ଯୌବନାବସ୍ଥାରେ। ଆନ୍ନା ଥିଲେ ଜଣେ ବିଦୁଷୀ, ବୁଦ୍ଧିମତୀ, ରୂପ ଲାବଣ୍ୟରେ ଭରପୁର ତରୁଣୀ। କବି ତାଙ୍କର ନାମ ଦେଇଥିଲେ- ନଳିନୀ। କବିଙ୍କ ଆଦ୍ୟ ଜୀବନରେ ରଚିତ ବହୁ କାବ୍ୟ କବିତା ଓ ନାଟକରେ ଏଇ ନାମଟି ବହୁବାର ଦେଖିବାକୁ ମିଳେ। ଏହି ପ୍ରେମ ଖୁବ୍ ଅଳ୍ପ ସମୟ ପାଇଁ ହେଲେ ମଧ୍ୟ ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ ଥିଲା ରବୀନ୍ଦ୍ରନାଥଙ୍କ ଜୀବନରେ। (ପ୍ରଥମ ପ୍ରେମ ସମ୍ପର୍କରେ ପୂର୍ବରୁ କହିଛି, ପଢ଼ନ୍ତୁ _ ରବିକଥା-୬)

କାଦମ୍ବରୀଦେବୀଙ୍କ ପ୍ରେମ:

ରବୀନ୍ଦ୍ରନାଥଙ୍କ ଜୀବନରେ ଦ୍ବିତୀୟ ନାରୀ ଥିଲେ ତାଙ୍କ ଭାଉଜ କାଦମ୍ବରୀ। କାଦମ୍ବରୀ ଥିଲେ କବିଙ୍କ ବଡ଼ ଭାଇ ଜ୍ୟୋତିରିନ୍ଦ୍ରନାଥଙ୍କ ସହଧର୍ମିଣୀ। ରବୀନ୍ଦ୍ରନାଥ ଓ କାଦମ୍ବରୀ ଦୁଇଜଣ ଥିଲେ ପ୍ରାୟ ସମବୟସର। ତାଙ୍କ ସହ ବିତିଥିବା ଅନେକ ସୁମଧୁର ସ୍ମୃତିକୁ ସେ ଭାରତୀ ପତ୍ରିକାରେ ଲେଖିଛନ୍ତି- ” ସେଇ ଝରକା ଓ ଝରକା ଆରପଟେ ଥିବା ଗଛମାନେ ମନେପଡନ୍ତି। ସେ ସମୟରେ ଅଶ୍ରୁଜଳରେ ରିକ୍ତ ମୋର ପ୍ରାଣର ଭାବଗୁଡିକ ମନେ ପଡ଼େ। ସେ ଯେମିତି ମୋ ପାଖରେ ଠିଆ ହେଉଥିଲେ। ତାଙ୍କୁ ଦେଖି ମୋ ଆଖିରେ ପାଣି ଆସେ। ତାଙ୍କୁ ନେଇ ଅନେକ କବିତା ଛପା ହେଲା, ଅନେକ ଅଛପା ରହିଗଲା।” ଏଇ ଲେଖା ପ୍ରକାଶ ପାଇବା ପରେ ଠାକୁରବାଡିରେ ନିଆଁ ଲାଗି ଯାଇଥିଲା। ତା ପରଠୁ କବିଙ୍କ ବିବାହ ପାଇଁ କନ୍ୟା ଖୋଜା ଆରମ୍ଭ ହେଲା। କିଛି ଦିନ ଭିତରେ କବି ବିବାହ ବନ୍ଧନରେ ଆବଦ୍ଧ ହେଲେ।‌ ତେବେ କିଶୋରୀ ଭାଉଜ କାଦମ୍ବରୀ ସହିତ ତାଙ୍କର ସମ୍ପର୍କ ଥିଲା ମଧୁର ଓ ସୌଖିନ। କାରଣ ଦୁହିଁଙ୍କ ଭିତରେ ଉତ୍ତମ ବୁଝାମଣା ଥିଲା। “ଚାରୁଲତା” ଓ “ନଷ୍ଟନୀଡ”ରେ ଏହାର ଛାପ ସ୍ପଷ୍ଟ ଦେଖିବାକୁ ମିଳେ।

ବିଦେଶୀକନ୍ୟା ଭିକ୍ଟୋରିଆର ପ୍ରେମ:

ବିଦେଶୀକନ୍ୟା ଭିକ୍ଟୋରିଆ ଏକାମ୍ପୋ ସହିତ ପ୍ରେମ ସମ୍ପର୍କ ଥିଲା ରବୀନ୍ଦ୍ରନାଥଙ୍କର। ଏଇ ପ୍ରେମର ଗାଥା ରଚିତ ହୋଇଥିଲା ଆର୍ଜେଣ୍ଟିନାର ପ୍ଳାତା ନଦୀର ତୀରେ। ଏ ନଦୀତୀରରେ ବସି କବିଙ୍କ ସଙ୍ଗୀ ହୋଇ ପଥ ଚାଲିଛନ୍ତି ଭିକ୍ଟୋରିଆ। ରବୀନ୍ଦ୍ରନାଥ ତାଙ୍କୁ ସ୍ବରଚିତ କବିତା ପଢି ଶୁଣେଇଛନ୍ତି। ସେତେବେଳେ ନୋବେଲଜୟୀ ରବୀନ୍ଦ୍ରନାଥ ବିଶ୍ବରେ ଖୁବ୍ ପରିଚିତ। ଦେଶ ବିଦେଶରେ ତାଙ୍କର ଅସଂଖ୍ୟ ଭକ୍ତ। ଭିକ୍ଟୋରିଆ ରବୀନ୍ଦ୍ରନାଥଙ୍କ ଗୀତାଞ୍ଜଳିର ଫରାସୀ ଅନୁଦିତ ବହିଟି ପଢି ବିମୁଗ୍ଧ ହୋଇ ତାଙ୍କ ପ୍ରେମରେ ପଡିଥିଲେ। ରବୀନ୍ଦ୍ରନାଥ ବିଶ୍ବଭ୍ରମଣର ଏକ ପର୍ଯ୍ୟାୟରେ ଆଜେଣ୍ଟିନା ଯାଇଥିଲେ। ସେଠାରେ ପହଞ୍ଚି ବିପୁଳ ସମ୍ବର୍ଦ୍ଧନା ପାଇଥିଲେ। ପ୍ରିୟ କବିଙ୍କୁ ପାଖରେ ପାଇ ଉଦବେଳିତ ହୋଇଥିଲେ ଏକାମ୍ପୋ। ସେଠାରେ ଦୁଇଜଣଙ୍କ ମଧ୍ୟରେ ସୁସମ୍ପର୍କ ତିଆରି ହୋଇଥିଲା। ଅନେକ କହନ୍ତି, ରବୀନ୍ଦ୍ରନାଥଙ୍କ ଜନପ୍ରିୟ ଗୀତ “ଆମି ଚିନି ଗୋ ଚିନି ଗୋ ଚିନି ତୁମାରେ, ଓଗୋ ବିଦେଶିନୀ” ତାଙ୍କୁ ନେଇ ଲେଖାଯାଇଛି। କିନ୍ତୁ ଗୀତଟି ଲେଖାଯାଇଥିଲା ୧୮୯୫ ମସିହାରେ, ସିଆଲଦାହରେ। ଆଉ ରବୀନ୍ଦ୍ରନାଥ ଆର୍ଜେଣ୍ଟିନା ଯାଇଥିଲେ ଅନେକ ପରେ, ସମ୍ଭବତଃ ୧୯୨୪ରେ। ହୁଏତ ସିଆଲଦା’ରେ ରବୀନ୍ଦ୍ରନାଥ ଯାହାକୁ ନେଇ ଗୀତଟି ଲେଖିଥିଲେ, ସେ ଆଉ ଗୋଟିଏ ପ୍ରେମର ଉପାଖ୍ୟାନ ହୋଇପାରେ।

ପାଠିକା ହେମନ୍ତବାଳାଙ୍କ ପ୍ରେମ:

ରବୀନ୍ଦ୍ରନାଥଙ୍କ ପ୍ରେମକଥାରେ ଆସେ ହେମନ୍ତବାଳାଙ୍କ କାହାଣୀ। ସେ ଥିଲେ ରବୀନ୍ଦ୍ରନାଥଙ୍କ ଜଣେ ଗୁଣମୁଗ୍ଧ ପାଠିକା। ତାଙ୍କ ସହିତ କବିଙ୍କ ଏକାଧିକ ପତ୍ର ବିନିମୟ ହୋଇଛି। କବିଙ୍କୁ ହେମନ୍ତବାଳା ଡାକୁଥିଲେ କବିଦାଦା। ବିଭିନ୍ନ ପାରିବାରିକ ବାଧା ସତ୍ତ୍ବେ, ଏପରିକି ରାତିରେ ମଧ୍ୟ ସେ ତାଙ୍କ ଘର ଲ୍ୟାନ୍ସଡାଉନ୍ ରୋଡରୁ କବିଙ୍କ ଯୋଡାସାଙ୍କ ଘରେ ଯାଇ ହଠାତ୍ ହାଜିର୍ ହୋଇଯାଉଥିଲେ ସେ। ଗୋଟିଏ ଚିଠିରେ ସେ ରବୀନ୍ଦ୍ରନାଥଙ୍କୁ ଲେଖିଛନ୍ତି,-“ଆପଣ ମୋର ଦେବତା, ମୋର କଳ୍ପଲୋକର ରାଜା। ମୋର ଦୁର୍ଭାଗ୍ୟ ଯେ, ମୋର ପୂର୍ଣ୍ଣ ପୂଜା ଆପଣଙ୍କ ଚରଣରେ ଦେଇପାରିନି। ଆପଣ କଣ ମୋର ମନ ବୁଝି ପାରୁନାହାଁନ୍ତି।” ଗୁଣମୁଗ୍ଧ ଏଇ ପାଠିକାକୁ ସ୍ବଭାବ ସୁଲଭ ଭଙ୍ଗୀରେ ଆପଣାର କରି ନେଇଥିଲେ ରବୀନ୍ଦ୍ରନାଥ।

ସ୍ତ୍ରୀର ସମବୟସୀ ଇନ୍ଦିରାର ପ୍ରେମ:

ସ୍ତ୍ରୀ ମୃଣାଳିନୀ ଦେବୀଙ୍କ ସମବୟସୀ ଭାତ୍ରୁସ୍ପୂତ୍ରୀ ଇନ୍ଦିରାଙ୍କୁ ମଧ୍ୟ ଟିକେ ଭିନ୍ନ ଭାବରେ ରବୀନ୍ଦ୍ରନାଥଙ୍କ ଜୀବନରେ ଦେଖିବାକୁ ମିଳେ। ଇନ୍ଦିରା ବୟସରେ ଛୋଟ ହେଲେ ମଧ୍ୟ କବିଙ୍କ ମନ ସହିତ ମନ ମିଶୁଥିଲା। ଇନ୍ଦିରାକୁ ଲେଖିଥିବା ଅନେକ ଚିଠିରେ ସେ କଥା ଲକ୍ଷ୍ୟ କରାଯାଏ। ଇନ୍ଦିରା ବହୁଦିନ ଧରି ଅନୂଢା ଥିଲେ।ସଙ୍ଗୀତଚର୍ଚ୍ଚାର ଆଗ୍ରହ ଓ ସାହିତ୍ୟାନୁରାଗ କାରଣରୁ ରବୀନ୍ଦ୍ରନାଥଙ୍କ ସହିତ ସୁସମ୍ପର୍କ ଗଢି ଉଠିଥିଲା ତାଙ୍କର। ଇନ୍ଦିରା ଚିଠି ଲେଖିଲେ ରବୀନ୍ଦ୍ରନାଥ ତାର ଲମ୍ବା ଲମ୍ବା ଉତ୍ତର ଦେଉଥିଲେ। ଏପରିକି, ସବୁ କାର୍ଯ୍ୟ ଛାଡ଼ି ସେ ଆଗ ଇନ୍ଦିରାକୁ  ଚିଠି ଲେଖୁଥିଲେ। ଜୀବନର ଶେଷଭାଗରେ ରାନୁ ଅଧିକାରୀ ସହିତ ରବୀନ୍ଦ୍ରନାଥଙ୍କ ମନର ମିଳନ ଘଟିଥିଲା। ରାଣୁ ଏ ମଧ୍ୟରେ କବିଙ୍କ ସବୁ ଗଳ୍ପ ପଢି ଦେଇଥିଲେ। କବି କାହିଁକି ଏତେ କମ୍ ଗଳ୍ପ ଲେଖିଛନ୍ତି ବୋଲି ଚିଠିରେ ସେ ଅଭିଯୋଗ କରିଥିଲେ।

ଏତେ ସବୁ ପ୍ରେମ ସତ୍ବେ ମୃଣାଳିନୀ ଦେବୀଙ୍କ ପ୍ରତି ତାଙ୍କର ପ୍ରେମ ଊଣା ହୋଇ ନଥିଲା।

About Dr. Sarat Kumar Jena

Dr. Sarat Kumar Jena is a writer, researcher and from Odisha. Currently he is working as a professor at Biswabharati University, Kolkata.

View all posts by Dr. Sarat Kumar Jena →