ଜଣେ ପିତାର ପତ୍ର

ଘଡିଏ ସମୟ ବାହାର କରି ଏଇ ପତ୍ରଟିକୁ ଥରଟିଏ ପାଠ କରିବାକୁ ଅନୁରୋଧ। ଅବଶ୍ୟ ଆପଣମାନେ ଏହାକୁ ପାଠ ନକଲେ ଯେ ପୃଥିବୀର ତଥା ଆପଣମାନଙ୍କର ଜ୍ଞାନ ଜଗତରେ ସେମିତି କୌଣସି ଅପରିସୀମ କ୍ଷତି ହୋଇଯିବ ସେକଥା ଆଦୌ ନୁହଁ। ଏହାକୁ ପାଠ ନକଲେ ଯଦି କିଛି କ୍ଷତି ହେବ ବୋଲି କେହି ମନେ କରନ୍ତି ତେବେ ତାହା କେବଳ ହୃଦଗତ କ୍ଷତି ହୋଇପାରେ ବୋଲି ଉପସ୍ଥିତ ଲେଖକର ବିଚାର ।

ମଣିଷ ହୃଦୟରେ କେତେ,ଉଦାରତାରେ କେତେ, ସହିଷ୍ଣୁତାରେ କେତେ, ଦାମ୍ଭିକତାରେ କେତେ, ଶ୍ରେଷ୍ଠତ୍ୱର ପ୍ରଦର୍ଶନରେ କେତେ, ଅନ୍ୟକୁ ଅସ୍ୱୀକାର କରିବାରେ କେତେ ଏବଂ ମୁଖ୍ୟତଃ ତାହାର ବିଚାରରେ କେତେ ମଣିଷ ହୋଇପାରେ ତାହାର ଆକଳନ ଆପଣମାନଙ୍କ ଉପରେ ନ୍ୟସ୍ତ କରି ଉପସ୍ଥିତ ଲେଖକ ଏଇ ଚର୍ଚ୍ଚିତ ପିତାର ଚର୍ଚ୍ଚିତ ପୁତ୍ର ନିକଟକୁ ଲେଖିଥିବା ପତ୍ରର ପ୍ରସଙ୍ଗକୁ ଯାଉଛି।

ପ୍ରସଙ୍ଗରେ ରହିଥିବା ଲିଖିତ ପତ୍ରଟି ବିଶ୍ୱ ଇତିହାସର ଏକ ଆଲୋଡନକାରୀ ପତ୍ର। ଯଦିଓ ଏଇ ପତ୍ରଟି ସଂପର୍କରେ କୌଣସି ବିଶେଷ ଅଦୃଶ୍ୟ କାରଣରୁ ସେମିତି ଚର୍ଚ୍ଚା ହୁଏ ନାହିଁ । ଆମେ ହୁଏତ ଗୋଟିଏ କଥାରେ ସହମତ ହୋଇପାରୁ ଯେ ମଣିଷ ଯେତେବେଳେ ଆଉ କାହା ପାଖକୁ କୌଣସି ଅବସରରେ ଚିଠି ଖଣ୍ଡିଏ ଲେଖିଥାଏ ସେଇ ଚିଠିରେ ଯେତେ ଯେତେ ଆଢୁଆଳ ରହିଥିଲେ ବି ଆମେ ସେଥିରୁ ଚିଠିର ଲେଖକ ଆଉ ଚିଠିର ପ୍ରେରକ ଉଭୟଙ୍କର ଚରିତ୍ରଗୁଣର ଏକ ନିର୍ଦ୍ଦିଷ୍ଟ ରୂପରେଖାକୁ ନିରୂପିତ କରିପାରିବା ପାଇଁ ଊଣା ଅଧିକେ ସମର୍ଥ ହେଉ। ସରଳ ଭାବରେ କହିଲେ ଚିଠିରେ ଯେତେ ମିଛ ରହିଥାଉ ପଛକେ ସବୁରି ପଛରେ ଗୋଟିଏ ସଂଦିଗ୍ଧ ପ୍ରଶ୍ନଚିହ୍ନ ଲଗାଇ ଆମେ ସତକୁ ହୁଏତ ଉଦ୍ଧାର କରିପାରୁ ।

ଆମେ ଯଦି କୌଣସି ଚରିତ୍ରକୁ ଏକ ନିର୍ଦ୍ଦିଷ୍ଟ ଛାଞ୍ଚରେ “ଟାଇପ୍-କାଷ୍ଟ୍” କରିଦେଇ ଥାଉ ତାହାଲେ ତାହାର ହସ୍ତ ଲିଖିତ ପତ୍ରାବଳୀକୁ ପାଠ କରି ସେଥିରୁ ତାହାର ଚରିତ୍ରର ଅସଲ ବିନ୍ୟାସ ଆମେ ହୁଏତ କରିପାରିବୁ।

ଏଇଠି ପତ୍ରଲେଖକ ପିତା ଆଉ ପତ୍ରର ପ୍ରାପକ ପୁତ୍ର ଉଭୟେ ଭାରତର ଇତିହାସରେ ଚର୍ଚ୍ଚିତ ସମ୍ରାଟ।

ଏଇ ପତ୍ରଟି ଭାରତରେ ମୁଘଲ ସାମ୍ରାଜ୍ୟର ଆଦ୍ୟ ରୂପକାର ସମ୍ରାଟ ବାବରଙ୍କର ଲିଖିତ ପତ୍ର ତାଙ୍କ ପରବର୍ତ୍ତି ମୁଘଲ ସମ୍ରାଟ ପୁତ୍ର ହୁମାୟୁନଙ୍କୁ।

ଏଇ ଚିଠି ଖଣ୍ଡିକ ବସ୍ତୁତଃ ଭାରତରେ ମୁଘଲ ସାମ୍ରାଜ୍ୟର ପ୍ରତିଷ୍ଠାତା ବାବରଙ୍କର ଏକ ଉଦାର ଭାବବ୍ୟଞ୍ଜକ ପତ୍ର,ନିଜର ସନ୍ତାନକୁ।

ତୈମୁରଲଙ୍ଗଙ୍କ ବଂଶଧର ତଥା ଜଣେ ରାଜପୁତ୍ର ହିସାବରେ ବାବର ୧୪୮୩ ଖ୍ରୀଷ୍ଟାବ୍ଦ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଜନ୍ମକାଳକୁ ମଧ୍ୟଏସିଆର ଏଇ ଦୁର୍ଦ୍ଧଷ ରାଜବଂଶ କାଳ କବଳରେ କ୍ଷୟିଷ୍ଣୁ ହୋଇଯାଇଥିଲା। ବାବର ଏକାକୀ ନିଜର ଦକ୍ଷତା ବଳରେ ଏହାର ଗୌରବର ପୁନରୁଦ୍ଧାର କରିବାକୁ କେବଳ ଯେ ସମର୍ଥ ହୋଇଥିଲେ ସେକଥା ନୁହଁ ସେ ଫର୍ଗଣା ଭଳି ଏକ ଅଖ୍ୟାତ ଅଞ୍ଚଳରୁ ଆସି ଭାରତବର୍ଷରେ ନିଜର ରାଜବଂଶର ଶାସନ ତଥା ମୁଘଲ ଶାସନକୁ ପ୍ରତିଷ୍ଠା କରିବାକୁ ସମର୍ଥ ହୋଇଥିଲେ। ତାଙ୍କ ଦ୍ୱାରା ରଚିତ ପୁସ୍ତକ “ବାବରନାମା” ରେ ନିଜର ଜୀବନକଥା, ଯୁଦ୍ଧଜୟ କଥା ଏବଂ ଭାରତର ସମକାଳର ସାମାଜିକ ଅବସ୍ଥାର ବିବରଣୀକୁ ଲିପିବଦ୍ଧ କରି ଯାଇଛନ୍ତି। ଭାରତର ଷୋଡଶ ଶତାବ୍ଦୀର ଜଟିଳ ସାମାଜିକ ବିନ୍ୟାସର ଐତିହାସିକ ଅଧ୍ୟୟନ କରିବା ସମୟରେ ବାବର-ରଚିତ ବାବରନାମା ଆମକୁ ଅନେକ ତଥ୍ୟସମୃଦ୍ଧ କରିବା ଭଳି କ୍ଷେତ୍ର ପ୍ରସ୍ତୁତ କରିଥାଏ ଯାହାକୁ ଆମେ ଆମେ ନିଷ୍ପକ୍ଷ ଭାବରେ ଅନୁଶୀଳନ କରିବାକୁ ସମର୍ଥ ହୋଇଥାଉ।

ନିଜର ପୁତ୍ର ହୁମାୟୁନଙ୍କ ନିକଟକୁ ଏଇ ବିଶେଷ ପତ୍ରଟି ଲେଖିବା ବେଳକୁ ମୁଘଲ ସମ୍ରାଟ ବାବରଙ୍କର ବୟସ ପଇଁଚାଳିଶ ବର୍ଷରୁ ଅଳ୍ପ କିଛି କମ ଥିଲା। ୧୫୩୦ ଖ୍ରୀଷ୍ଟାବ୍ଦରେ ତାଙ୍କର ଲାହୋର୍ ନିକଟରେ ମୃତ୍ୟୁ ଘଟିଥିଲା।

ବାବର ତାଙ୍କ ପୁତ୍ର ହୁମାୟୁନଙ୍କୁ ଲିଖିତ ଏଇ ପତ୍ରଟି ବର୍ତ୍ତମାନ ସମୟରେ ଖାଲି ଭାରତବର୍ଷ ନୁହଁ,ସମଗ୍ର ଇସଲାମିକ ଜଗତ ପାଇଁ ବି ବିଶେଷ ବିଶେଷ ପ୍ରାସଙ୍ଗିକ ।

ଏଇ ଚିଠିଟିର ଲେଖନ ତାରିଖ ହେଉଛି, ୧୧ ଜାନୁଆରୀ ୧୫୨୯।

ଏବେ ଚିଠିଟିର ଅନୁସୃଜନକୁ ପାଠ କରାଯାଉ:

” ପ୍ରିୟ ସନ୍ତାନ ମୋର ! ହିନ୍ଦୁସ୍ଥାନ କହିଲେ ଯେଉଁ ଭୂଦେଶ ଖଣ୍ଡିକ ରହିଛି ତାହା ବିବିଧତାରେ ଭରପୂର। ଈଶ୍ୱରଙ୍କ ଅସୀମକୃପା,ସତ୍ୟ ସେ,
ସମ୍ଭୁଜ୍ଜଳ ସେ, ସର୍ବୋଚ୍ଚ ସେ , ତାଙ୍କର ଦୟାରୁ ଆମର ସାମ୍ରାଜ୍ୟ ଏଠାରେ ସ୍ଥାପିତ ହୋଇଛି। ଏହା ତେଣୁ ତୁମ ପାଇଁ ଯଥାଯଥ ହେବ ଯେ , ତୁମେ ତୁମ୍ଭର ହୃଦୟରୁ ସମସ୍ତ ଧର୍ମଗତ ବିଦ୍ୱେଷକୁ ଦୂରିଭୂତ କରିବା ଦିଗରେ ଅଗ୍ରସର ହେବ, ପ୍ରତ୍ୟେକ ସଂପ୍ରଦାୟର ସହଜାତ ନିଜସ୍ୱ ନୀତିର ଆଧାରରେ ନ୍ୟାୟ ପ୍ରଦାନ କରିବ। ଏବଂ ବିଶେଷ ଭାବରେ ଗୋ-ବଧ କରିବାରୁ ନିବୃତ୍ତ ରହିବ, କାରଣ ଏଇଟି ହେଉଛି ପ୍ରକୃତ ପନ୍ଥା ଯାହାଦ୍ୱାରା ତୁମେ ହିନ୍ଦୁସ୍ଥାନର ଅଧିବାସୀ ମାନଙ୍କର ହୃଦୟକୁ ଜୟ କରିବା ପାଇଁ ସମର୍ଥ ହୋଇପାରିବ; ଏବଂ ରାଜ୍ୟର ପ୍ରଜାମାନେ,ରାଜାନୁଗ୍ରହରେ , ତୁମ ପ୍ରତି ଅନୁଗତ ହୋଇ ରହିବେ। ଏବଂ ତୁମ୍ଭ ରାଜ୍ୟର ପରିସୀମା ଭିତରେ ଯେତେକ ମନ୍ଦିର ରହିଛି ତଥା ପ୍ରତ୍ୟେକ ସଂପ୍ରଦାୟର ଯେତେ ଯେତେ ପୂଜାସ୍ଥଳ ରହିଛି,ତୁମ୍ଭେ ତାହାକୁ ଧ୍ୱଂସ କରିବ ନାହିଁ । ଏହି ଭଳି ନ୍ୟାୟ ପ୍ରଦାନ କର ଯାହାଫଳରେ ସାର୍ବଭୌମ ସମ୍ରାଟ ତାଙ୍କର ପ୍ରଜାମାନଙ୍କ ପ୍ରତି ଏବଂ ପ୍ରଜାମାନେ ସାର୍ବଭୌମ ସମ୍ରାଟଙ୍କ ପ୍ରତି ଆନନ୍ଦିତ ରହିବେ। ଇସଲାମର ପ୍ରଗତି ଅଧିକ ଭଲ ଭାବରେ ଉଦାରତାର ଖଡ୍ଗ ଦ୍ୱାରା ସମ୍ଭବପର, ଦମନର ଖଡ୍ଗ ଦ୍ୱାରା କଦାପି ନୁହଁ ।

ସିଆ ଏବଂ ସୁନ୍ନିଙ୍କ ମଧ୍ୟରେ ଯେଉଁ ବିବାଦ ରହିଛି ତାହାକୁ ଏଡାଇ ଯାଅ ; କାରଣ ତାହାରି ମଧ୍ୟରେ ଇସଲାମ୍ ର ଦୁର୍ବଳତା ରହିଅଛି । ଏବଂ ସମସ୍ତ ପ୍ରଜାଙ୍କୁ ଏକାଠି କର, ଏପରି ଭାବରେ ଏକାଠି କର ଯେମିତି ଭିନ୍ନ ଭିନ୍ନ ବିଶ୍ୱାସର ପ୍ରଜାଏ ଚାରି ବର୍ଣ୍ଣ ରେ ରହନ୍ତି, ତାହା ଫଳରେ ରାଜନୈତିକ କ୍ଷେତ୍ର ବିଶେଷ (ବଡି ପୋଲିଟିକ୍) ଭିନ୍ନ ଭିନ୍ନ ଅସୁଖରୁ ମୁକ୍ତ ରହିପାରିବ । ଏବଂ ହଜରତ୍ ତୈମୁର ସାହାବ କିରାନ୍ ଙ୍କ କର୍ମସକଳକୁ ସବୁବେଳେ ମନେରଖ , ତାହା ଫଳରେ ତୁମ୍ଭେ ପ୍ରଶାସନ କ୍ଷେତ୍ରରେ ଅଧିକ ଦକ୍ଷ ହୋଇପାରିବ। ଏବଂ ଏହା ଆମ୍ଭମାନଙ୍କ ପ୍ରତି କର୍ତ୍ତବ୍ୟର ଉପଦେଶ।”

ମୁଘଲ ସାମ୍ରାଜ୍ୟର ପ୍ରତିଷ୍ଠାତା ବାବର ତାଙ୍କର ପୁତ୍ର ତଥା ଉତ୍ତରାଧିକାରୀ ହୁମାୟୁନଙ୍କୁ ଲେଖିଥିବା ଏଇ ପତ୍ରଟିକୁ ପାଠ କରିବା ପରେ ଆମମାନଙ୍କ ମନକୁ ସର୍ବପ୍ରଥମେ ଏଇ ପ୍ରଶ୍ନଟି ଆସିବ (ଆଜିର ସମୟରେ ଏପରି ପ୍ରଶ୍ନ ଆମମାନଙ୍କ ଭିତରକୁ ଆସିବା ଏକ ପ୍ରକାର ସ୍ୱାଭାବିକ କଥାରେ ପରିଣତ ହୋଇଗଲାଣି ) ଯେ, ସତରେ କ’ଣ ବାବର ଏପରି ଗୋଟିଏ ପତ୍ର ଲେଖିଥିଲେ ଯେଉଁଥିରେ ବସ୍ତୁତଃ ସେ ନିଜର ଉତ୍ତରାଧୀକାରୀକୁ ଭାରତରେ ରାଜଧର୍ମ ପାଳନ ର ଶିକ୍ଷା ଦେଇଯାଇଛନ୍ତି ?

ବାବର କ’ଣ ସତରେ ଏପରି ଉଦାର ଥିଲେ ? ରାଜନୈତିକ ଭାବରେ ଏପରି ଭଦ୍ର ବା ଡିସେଣ୍ଟ ଥିଲେ ?

ଏପରି ଏକ ପ୍ରଶ୍ନର ପଛରେ ଜଣେ ଶାସକର ( ସିଏ ବାବର ହୁଅନ୍ତୁ କି ଆଉ ଅନ୍ୟ କେହି ହୁଅନ୍ତୁ) ଉଦାରତା ଅଥବା ଭଦ୍ରତା ର କଥା ପ୍ରମୁଖତାର ସହ ରହିବ ନାହିଁ ,ଏଇଠି ରହିଛି ରାଷ୍ଟ୍ରଶାସନର କଥା, କେବଳ ଗୋଟିଏ ରାଷ୍ଟ୍ରକୁ କେମିତି ଉପଯୁକ୍ତ ଭାବରେ ଶାସନ କରାଯାଇପାରିବ ଆଉ ରାଷ୍ଟ୍ରର ବିସ୍ତାର କରାଯାଇପାରିବ ତାହା ର ସଫଳ ପ୍ରୟୋଗର କଥା। ଭାରତ ଭଳି ଏକ ବିରାଟ ବିବିଧତା ପରିପୂର୍ଣ୍ଣ ଦେଶକୁ ସଫଳଭାବରେ ଶାସନ କରିବାକୁ ଗଲାବେଳେ ସେତେବେଳର ସେଇ ସଂଖ୍ୟାଲଘୁ ଦଳର ରାଜନୈତିକ ନାୟକ ବାବର ଭଲଭାବରେ ବୁଝିଥିଲେ ଯେ,ସମାଜରେ ଧାର୍ମିକ ସଂହତି ଏବଂ ପ୍ରଜାକୂଳର ସ୍ୱେଚ୍ଛାକୃତ ଆନୁଗତ୍ୟରେ ହିଁ ଶାସକର ସାର୍ବଭୌମତା ତିଷ୍ଠିରହିପାରିବ।ଶାସକର ସାର୍ବଭୌମତାକୁ ସ୍ଥିର ଏବଂ ଶକ୍ତିସମର୍ଥ କରିବା ପାଇଁ ସମସ୍ତ ପ୍ରଜାକୂଳକୁ ଗୋଟିଏ ସୂତାରେ ବାନ୍ଧିବାକୁ ପଡିବ।ତେଣୁ ସେମାନଙ୍କର ବିବିଧତାକୁ ସ୍ୱୀକାର ଏବଂ ସମ୍ମାନ କରିବାକୁ ପଡିବ।

ଯଦି ଜଣେ ମନେକରେ ଯେ ସେ ସମୟର ଶାସକ ମାନେ କେବଳ କୁଖ୍ୟାତ ରୋମାନ ସମ୍ରାଟ ନିରୋ ବା କାଲିଗୁଲାଙ୍କ ଭଳି ଖାଲି ଅତ୍ୟାଚାରୀ ଥିଲେ,ଶାସନ କହିଲେ ସେମାନେ କେବଳ ରକ୍ତରଂଜିତ ଖଣ୍ଡାଖେଳ କରି ଚାଲୁଥିଲେ ତେବେ ସେକଥା ସତଠାରୁ ଢେର୍ ଦୂରରେ ରହିବ। ଏକଥା ନୁହଁ ଯେ ରାଜାମାନେ ଅତ୍ୟାଚାରୀ ନଥିଲେ। ସବୁ ସମୟରେ ସବୁକାଳରେ ରାଜାମାନଙ୍କୁ “ହିତକାରୀ ନିଷ୍ଠୁର ଅର୍ଥାତ୍ ବେନୋଭୋଲେଣ୍ଟ ଡେସପଟ୍ ” ବୋଲି କୁହାଯାଇଛି। କାହାର କାହାର ନିଷ୍ଠୁରଭାବଟି ତାହାର ହିତକାରୀ ଭାବଠାରୁ ଅଧିକ ରହୁଥିଲା,ଏଥିରେ କାହାର ଦ୍ୱିମତ ନାହିଁ। କିନ୍ତୁ ସବୁ ଶାସକମାନେ ଏକ ବର୍ଗବିଶେଷ ବା କ୍ଲାସ୍ ହିସାବରେ ଊଣାଅଧିକେ ପ୍ରାୟ ସମାନ । ମାତ୍ର ଯେଉଁମାନେ ସଫଳ ଆଉ ଉଲ୍ଲେଖଯୋଗ୍ୟ ଶାସକ ସେମାନଙ୍କ କ୍ଷେତ୍ରରେ ରାଷ୍ଟ୍ରଶାସନରେ ସବୁବେଳେ ଶକ୍ତି ଏବଂ ପ୍ରଜାବତ୍ସଳତାର ସମନ୍ୱୟ ଏକାନ୍ତ ଭାବରେ ଦୃଶ୍ୟ ହୋଇଥାଏ ।

ଜଣେ ସଫଳ ରାଜା ସିଏ ଯିଏ ହେଉନା କାହିଁକି ଏକ ରାଷ୍ଟ୍ରଶାସନର ଅବଧାରଣା ଉପରେ ନିରନ୍ତର କାର୍ଯ୍ୟରତ ରହିଥାଏ।

ଏଇ ପତ୍ରରେ ବାବର ମୂଖ୍ୟତଃ ରାଷ୍ଟ୍ରଶାସନ ର ତିନୋଟି ବିନ୍ଦୁ ଉପରେ ଆଲୋକପାତ କରିଛନ୍ତି, ପ୍ରଥମରେ ଧାର୍ମିକ ସଂହତି, ଦ୍ୱିତୀୟରେ ଉପଯୁକ୍ତ ନ୍ୟାୟିକ ବ୍ୟବସ୍ଥା ଏବଂ ଶେଷରେ ସମସ୍ତ ସାମାଜିକ ଚଳଣୀ ତଥା ପାରଂପାରିକତାକୁ ସମ୍ମାନ (ଗୋ-ବଧ ନିଷେଧର କଥା )।

ଇତିହାସକୁ ପର୍ଯ୍ୟାଲୋଚନା କଲାବେଳେ , ପ୍ରଜାର ଆନୁଗତ୍ୟ ର ଯଦି ଏକମାତ୍ର ଆଧାର ରାଷ୍ଟ୍ରର ଦମନ ଶକ୍ତି ହୋଇଥାଏ,ତାହାହେଲେ ତାହାର ସେଇ ଆନୁଗତ୍ୟ ଅଧିକ ସମୟ ରହିବ ନାହିଁ।

ବାବରଙ୍କର ପୁତ୍ର ହୁମାୟୁନଙ୍କୁ ଲିଖିତ ଏଇ ବିଶେଷ ପତ୍ରଟି ର ଉତ୍ସ ସଂପର୍କରେ ଶେଷରେ ଉଲ୍ଲେଖ କରୁଛି । ଏନ.ସି.ମେହେଟାଙ୍କ ଲିଖିତ ୧୯୩୬ ରେ ପ୍ରକାଶିତ ପୁସ୍ତକ “ଦି ଟ୍ୱେଣ୍ଟିଏଥ୍ ସେଞ୍ଚୁରୀ”ର ପୃଷ୍ଟା ସଂଖ୍ୟା ୩୪୦ ରେ “ଆନ୍ ଅନପବ୍ଲିସଡ୍ ଟେଷ୍ଟାମେଣ୍ଟ ଅଫ୍ ବାବର ” ରେ ସଂପୃକ୍ତ ଚିଠିଟି ରହିଅଛି। ଉକ୍ତ ଉତ୍ସରୁ ସଂଗୃହୀତ ଉପରୋକ୍ତ ପତ୍ରଟି ଐତିହାସିକ Simon Sebag Montefiore ଙ୍କ ଲିଖିତ ପୁସ୍ତକ “Written in History: Letters That Changed the World” ରେ ସ୍ଥାନିତ ହୋଇଛି।

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →