ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଠାରୁ ଚାରିଦିନ ଯାଏଁ ମହାପ୍ରଭୁଙ୍କର ଗୋପଲୀଳା ଓ ବିଭିନ୍ନ ବେଶ ସମ୍ପାଦନ ନୀତି ଅନୁଷ୍ଠିତ ହୋଇଥାନ୍ତି । ଗୋବିନ୍ଦ ଲୀଳା ର ପ୍ରତ୍ୟକ୍ଷ ସାନିଧ୍ଯ ପ୍ରାପ୍ତି ହେବା ସହ ନିଜକୁ ଗୋପୀ ଭାବରେ ମଜ୍ଜେଇ ଦବାର ଏହା ଏକ ଦୁର୍ଲଭ ସୌଭାଗ୍ଯ ।
୧ ।। ବଣଭୋଜି ବେଶ
ଭାଦ୍ରବର ମାସ କୃଷ୍ଣ ପକ୍ଷ ଦଶମୀ ତିଥି ରେ ଏହି ମନଲୋଭା ବେଶରେ ବନମାଳୀ ସଜ ହୋଇ ଦର୍ଶନ ଦେଇଥାନ୍ତି । ଏହି ଦିନ ମଧ୍ୟାହ୍ନ ଧୂପ ଲାଗି ପରେ ଦକ୍ଷିଣ ଘରୁ ରାମକୃଷ୍ଣ ଦୁଇ ଭାଇ (ଚଳନ୍ତି ପ୍ରତିମା) ଆଜ୍ଞା ମାଳ ପାଇ ବିଜେ କରନ୍ତି । ସନ୍ଧ୍ୟା ଧୂପ ପରେ ମହାପ୍ରଭୁ ରତ୍ନ ସିଂହାସନରେ ସ୍ବହସ୍ତ ରେ ଶିକା ମଧ୍ୟେ ସ୍ଥାପିତ ରୂପାର ପିଙ୍ଗଣରେ ସରଲବଣୀ ଧରିଥାନ୍ତି ଓ ଅନ୍ଯ ହସ୍ତ ରେ ଲଉଡି ବାଡି ରେ ଡେରା ଦେଇ ତ୍ରିଭଙ୍ଗୀ ଠାଣୀରେ ପେଡାମାଳି ଲାଗି ହୋଇଥାନ୍ତି । ତାଙ୍କ ପାଦ ଦେଶରେ ଦୁଇଟି ବାଛୁରୀ ଠିଆ ହୋଇ ସମସ୍ତ ପରିବେଶକୁ କୃଷ୍ଣ ମୟ କରୁଥାନ୍ତି । ଦୁଇ ବାଛୁରୀ ଏକଲୟ ରେ ଶ୍ରୀମୁଖାରବିନ୍ଦ ରେ ଚକା ନୟନ କୁ ଏମିତି ଚାହିଁ ଥାନ୍ତି ସତେ କି ବୁଝିଥାନ୍ତି ଏଇ ଆଖି ହିଁ ସର୍ବସ୍ବ।
ଏହି ବେଶର ପ୍ରବର୍ତ୍ତକ ଶ୍ରୀ ଚୈତନ୍ଯ ମହାପ୍ରଭୁ ଅଟନ୍ତି ବୋଲି ଲୋକମୁଖରେ ବିଶ୍ବାସ ।
୨ ।। କାଳୀୟ ଦଳନ ବେଶ
ଭାଦ୍ରବ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥି ରେ ମହାପ୍ରଭୁଙ୍କର ଏହି ଅପୂର୍ବ କମନୀୟ ବେଶର ଦର୍ଶନ ଲାଭ କରିବାର ସୌଭାଗ୍ଯ ଉଦିତ ହୁଏ । ଏହି ଦିନ ବଡ ଦେଉଳ ରେ ପରମପିତା ବ୍ରହ୍ମା ନିଜର ଅଜ୍ଞାନତା କାରଣେ ଶ୍ରୀ ବିଷ୍ଣୁ ମାୟା ଯୋଗେ ସ୍ବୟଂ ଅବତାରୀ ମହାବିଷ୍ଣୁ ଗୋବିନ୍ଦଙ୍କୁ ବାଳଲୀଳା କରୁଥିବା ଦେଖି ସନ୍ଦେହ ରେ ପଡି ପ୍ରଭୁଙ୍କୁ ପରୀକ୍ଷା କରିବା ଉଦ୍ଦେଶ୍ୟେ ସମସ୍ତ ଧେନୁ, ବତ୍ସା ଓ ସଖା ମାନଙ୍କୁ ଅପହୃତ କରି ବ୍ରହ୍ମ ଲୋକକୁ ଚାଲିଗଲେ ।
ଯେ ସକଳ ମାୟା ର ପତି ତାଙ୍କୁ କି ଅବା ମାୟା ସ୍ପର୍ଶ କରିବାରେ ସକ୍ଷମ ! ସେହି ଗଳ୍ପ ରେ ବ୍ରହ୍ମା ଙ୍କ ଉପରେ କୃପାପରବଶ ହୋଇ ତାଙର ଅହଂ ଭଙ୍ଗ କରି ଜ୍ଞାନାଲୋକ ପ୍ରଦାନ ରୂପକ ଆଶିଷ ଓଜାଡିଥିଲେ ।
ଆଜି ଦିନରେ ଏ ସକଳ ବୃତାନ୍ତ ସହ ଅଘାସୁର ଓ ବକାସୁର ବଧ ସହ ସିଂହ ଦ୍ବାରରେ ଫଳବିକା କିଣା ନୀତି ( ପାଣି ସିଙ୍ଗଡା ) ମଧ୍ୟ ସମାପନ ହୋଇଥାନ୍ତି ଦକ୍ଷିଣ ଘରୁ ଆଜ୍ଞାମାଳ ପ୍ରାପ୍ତ ଶ୍ରୀ ରାମକୃଷ୍ଣ ଦୁଇ ଭାଇଙ୍କ ଦ୍ବାରା ।ସମସ୍ତ ନୀତି ଆଜ୍ଞା ମାଳ ମହାପ୍ରଭୁଙ୍କ ଠାରୁ ପ୍ରାପ୍ତି ପରେ ହିଁ ସମ୍ପନ୍ନ ହେବା ନିୟମ ।
ତା ପରେ ଏହି ଦ୍ବାପରଯୁଗୀୟ ନୀତି ସମସ୍ତ ରେ ପରମ୍ପରା ଅନୁଯାୟୀ କାଳିୟଦଳନ ନୀତି ସମାପନ ହୁଅନ୍ତି । ଏହି ନୀତି ତିନୋଟି ଭାଗରେ ସମାପିତ ହୋଇଥାଏ । ଯଥାକ୍ରମେ;
୧) ଗୋପାଳ ବଲ୍ଲଭ ଭୋଗରେ ଲହୁଣୀ / ଲବଣୀ ଚୋରି କରନ୍ତି ମାଖନଚୋର ଲଲ୍ଲା । ଏହି ଲୀଳା ମଦନମୋହନ ଓ ରାମକୃଷ୍ଣ ଦକ୍ଷିଣ ଘରୁ ବିଜେ କରି କରିଥାନ୍ତି ।
୨) ଲବଣୀଖିଆ ନୀତି ….ଏହା ଏକ ବାତ୍ସଲ୍ୟଭାବ ର ନୀତି ।ମହାଭୋଇ ଗୋପାଙ୍ଗନା ମାନେ ସ୍ବୟଂ କୁ ଗୋପୀ ଗଉଡୁଣୀ ବେଶରେ ସଜାଇ ଥାନ୍ତି ଓ କୃଷ୍ଣ ଙ୍କୁ କୋଳରେ ବସେଇ ନିଜ ହାତରେ ପଦ୍ମ ମୁଖକୁ ଦର୍ଶନ ପୂର୍ବକ ସର ଲବଣୀ ବଳେଇ ବଳେଇ ଖୋଉଥାନ୍ତି । ମନମୋହକ ଦୃଶ୍ୟ । ଦେଖଣାହାରିଏ ମାଆମାନେ ବି କ୍ଷଣିକ ପାଇଁ ଜଶୋଦା, ଗୋପୀ ନ ହେଇ ରହିପାରିବା ଅସମ୍ଭବ । ମନ ତ ଲାଖିଥିବ, ଲାଗୁଥିବ ଆହା ଏ ସର ଓଳିରୁ ଅସରନ୍ତି ହୁଅନ୍ତା କି ଏ ସର ସବୁ ,ସମୟ ହେଲେ ଏଇଠି ଅଟକ ହନ୍ତା ….ଆଉ ମୁଁ ଏମିତି ଖୋଉଥାନ୍ତି ତା ମୁହଁ କୁ ଚାହିଁ ଚାହିଁ ଅପଲକେ । ପଲକ ପଡିଲେ ଉଠିଲା ବେଳକୁ ନଟବର ଯଦି ମୋ କୋଳେ ନଥାଇ ଆଉ ଜଣଙ୍କର କୋଳେ, ତେବେ ! ହସି ହସି ଖୁସି ବାସିର ଆସର ।
୩ ) ଅମୃତ ଲଡୁ ଖିଆ ନୀତି …… ଏ ଦିବ୍ଯ ନୀତି ଟି ପୁରୀର ମାର୍କଣ୍ଡ ସରୋବର ମଧ୍ୟସ୍ଥ ଦୀପଦାଣ୍ଡି ସମିପରେ ଏକ ମଞ୍ଚା ବନ୍ଧା ଯାଇଥାଏ । ସେଠାକୁ ରାମକୃଷ୍ଣ ବିଜେକରନ୍ତି । (ମାର୍କଣ୍ଡ ଋଷିଙ୍କ ଆଶ୍ରମ କୂଳରେ) । ଏହାକୁ କାଳନ୍ଦୀ ନଦୀର ପ୍ରତିକ ରୂପରେ ରଖାଯାଏ । ସେଠାରେ କାଳୀୟ ମହାପ୍ରଭୁଙ୍କୁ ଅର୍ଥାତ୍ କୃଷ୍ଣଙ୍କୁ ଦଂଶନ ( ମାନବୀୟ ଲୀଳା) କରିବା ମାତ୍ରେ ସେ ବିଷଜ୍ବଳା ରେ କଷ୍ଟ ପାଆନ୍ତି । ବର୍ତ୍ତମାନ ପକ୍ଷୀ ରାଜ ଗରୁଡଙ୍କୁ ବରଣ କରି ଆବାହନ କରାଯାଏ, ଗରୁଡ ସର୍ପ କୂଳର ମହା ଅରି । ଗରୁଡବେଶଧାରି ସେବକ ଙ୍କୁ ଦେଖି ସର୍ପ ଭୟଶଙ୍କୁଳ ହୁଏ ।ଗରୁଡ ଗୋବିନ୍ଦ ଙ୍କୁ ଅମୃତ ଲଡୁ ଖୁଆନ୍ତି ଯଦ୍ବାରା ତାଙ୍କର କଷ୍ଟ ଲାଘବ ହୁଏ ଓ ସେ ବଳିୟାନ, କୋଟି ସୂର୍ଯ୍ୟ ବଳି ତେଜିୟାନ୍ ହୋଇ ଗରବ ଗଞନ ହରି କାଳିୟର ଅହଂକୁ ଦମନ କରନ୍ତି ।
କାଳୀୟ ଅଭିମାନୀ, ନୃତ୍ୟ ରତ ନାରାୟଣ ତାର ଫଣା ଉପରେ ନଟବର ରୂପେ ନୃତ୍ୟ ରଚି ହନନ କଲେ ତାର ଦର୍ପର । ସେ ଗାଳି ସହଜେ ପଛେ ଦର୍ପ ନୁହେଁ । କାହାରି ଦର୍ପ ରଖେନି । ତାକୁ ମୃତ୍ୟୁ ଦଣ୍ଡାଦେଶ ବଦଳରେ କ୍ଷମା ବରଦାନ ଦେଲେ । ଯୋଉ ଚରଣାରବିନ୍ଦକୁ ମହାଲକ୍ଷ୍ମୀ ସ୍ବୟଂ ମଞ୍ଚାଳୁଥାନ୍ତି ସ୍ବହସ୍ତରେ, ଯାହାକୁ ଧୌତ କରିବାକୁ ବ୍ରହ୍ମା କୋଟି ଜନ୍ମ ତପ କରନ୍ତି, ଯାହାର ଚରଣାରମୃତକୁ ଶିବଶମ୍ଭୁ ନିଜ ଜଟାରେ ଧାରଣ କରି ନିଜକୁ ଅହୋଭାଗ୍ଯ ମଣନ୍ତି ସେଇ ପଦ ପଙ୍କଜ କାଳୀୟର ଅହଂ ବିହୀନ ଆତ୍ମ ସମର୍ପଣରେ ସଦା ସର୍ବଦା ପାଇଁ ଶ୍ରୀ ପଦକୁ ମଥାରେ ଧାରଣକଲା । ଧନ୍ଯ ଧନ୍ଯ ତୁମେ ପ୍ରଭୁ, ଧନ୍ଯ ତୁମ କରୁଣା ।
ଏହି ବେଶରେ ରତ୍ନ ସିଂହାସନ ସ୍ଥିତ ମହାପ୍ରଭୁ ମଧ୍ୟ କାଳୀୟଦଳନ ସଜରେ ହାତରେ ଅମୃତ ଲଡୁ ଓ ବଂଶୀ ଧାରଣ ପୂର୍ବକ ଛନ୍ଦା ପୟର ତ୍ରିଭଙ୍ଗୀ ଠାଣୀରେ ବିଦ୍ଯମାନ ଥାନ୍ତି ।
ଏହି ଦିନ ଧେନୁକାସୁର ବଧ ନୀତି ମଧ୍ୟ ସମାପନ ହୋଇଥାନ୍ତି ।
ଏହି କାଳିୟଦଳନବେଶର ପ୍ରବର୍ତ୍ତକ ଗଜପତି ମହାରାଜା ପ୍ରତାପରୁଦ୍ର ଦେବ ଅଟନ୍ତି ।
୩) ପ୍ରଳମ୍ବାସୁର ବଧ
ଏହି ମନଲୋଭା ବେଶ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ବାଦଶୀ ତିଥି ରେ ଅନୁଷ୍ଠିତ ହୁଅନ୍ତି । ଏଥିରେ ଆଠ, ନ’ଅ ବର୍ଷ ର ଦୁଇଟି ବାଳକ କୃଷ୍ଣ ବଳରାମ ବେଶରେ ମହାକାୟ ପ୍ରଳମ୍ଭ କୁ ବଧ କରିଥାନ୍ତି ଅଭିନୟ ରେ ଏବଂ ମହାପ୍ରଭୁ ମଧ୍ୟ ଏହି ସମାନ ବେଶରେ ବଳରାମ ଙ୍କର ପାଦତଳେ ବସିଥିବା ପ୍ରଳମ୍ଭ ଅସୁର ର ପ୍ରତିକୃତି ଆଖିରେ ଭୟ ସ୍ପଷ୍ଟ ଦିଶୁଥାଏ ।
ଏହି ବେଶରେ ପ୍ରବର୍ତ୍ତନ ଭକ୍ତ ବଳରାମ ଦାସଙ୍କ ଦ୍ବାରା ଆରମ୍ଭ ହୋଇଥିବା ପ୍ରବାଦ ଅଛି ।
୪ ) କୃଷ୍ଣ ବଳରାମ ବେଶ
ଏହି ବେଶ ଭାଦ୍ରବ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥି ରେ ସମ୍ପୁର୍ଣ୍ଣ ହୋଇଥାଏ ।ଜଗା ବଳିଆ ଦୁଇ ଭାଇ ଙ୍କୁ କୃଷ୍ଣ ବଳରାମ ବେଶରେ ରତ୍ନ ବେଦୀ ରେ ଦର୍ଶନ କରି ଗୋପୀ ଭାବରେ ମନ ଆଲ୍ହାଦିତ ହୋଇଉଠେ ।
ଜୟ ଜଗନ୍ନାଥ