ତାଙ୍କର ଡାଏରୀରେ ଏଇଭଳି ଗୋଟିଏ ଛବିକୁ ନେଇ ଲେଖା ଏମିତି ରହିଛି।
ଡାଏରୀରେ ଲେଖାଥିବା ତାରିଖଟି ହେଉଛି ୧୯୨୦ ସାଲ ଫେବ୍ରୁଆରୀମାସର ଦୁଇ ତାରିଖ।
ନିଜର ଡାଏରୀରେ ଫ୍ରାଞ୍ଜ କାଫକା ସେଦିନ ଲେଖିଥିଲେ :
” ଛବିଟି ଉପରେ ସେ ଦୃଷ୍ଟି ନିବଦ୍ଧ କଲେ। ଛବିରେ ଅଛି ଗ୍ରୀଷ୍ମକାଳର ଗୋଟିଏ ରବିବାରର ଦୃଶ୍ୟ,ଦୃଶ୍ୟଟି ଲଣ୍ଡନର ଟେମସ୍ ନଦୀର। ଛବିରେ ଗୋଟିଏ ଲମ୍ବା ଭାଗ ଧରି ଟେମସ୍ ର ଏକୂଳ ଠାରୁ ସେକୂଳ ଯାଏଁ ନୌକାଗୁଡିକ କୁଆଡକୁ ଯିବା ପାଇଁ ଯେମିତି ପ୍ରସ୍ତୁତ ହୋଇ ରହିଛି । ସବୁ ନୌକାରେ ତରୁଣ ମାନେ ରହିଛନ୍ତି,ସେମାନେ ଭାରି ଆନନ୍ଦ ରେ ଥିବାର ଦେଖାଯାଉଛି । ସେମାନଙ୍କର ପରିଧାନ ଗୁଡିକ ପଡୁଥିବା ଆଲୋକରେ ବେଶ୍ ଉଜ୍ଜଳ ଆଉ ରଙ୍ଗିନ ଆଉ ଏମାନେ ଯେମିତି ଉପସ୍ଥିତ ଚାରିପାଖର ଉଷୁମ ବତାସ ଆଉ ତଳର ଥଣ୍ଡା ଜଳଧାର ନିକଟରେ ନିଜକୁ ସମର୍ପି ଦେଇଛନ୍ତି। ଏବଂ ସେମାନଙ୍କ ଭିତରେ ଏତେ ପରିମାଣର ସମାନତା ରହିଛି ଯେ ସେମାନେ ନିଜର ସ୍ୱାଚ୍ଛନ୍ଦ୍ୟ କୁ ନିଜର ବ୍ୟକ୍ତିଗତ ନୌକା ପର୍ଯ୍ୟନ୍ତ ସୀମୀତ ନକରି ନିଜର ଉତ୍ସାହ ଏବଂ ଥଟ୍ଟାମଜ୍ଛାକୁ ଗୋଟିଏ ନୌକାରୁ ଅନ୍ୟ ନୌକାକୁ ଏଇ ଭଳି ସବୁ ନୌକା ସହିତ ସହଭାଗ କରିନେଉଛନ୍ତି।
ବର୍ତ୍ତମାନ ସେ କଳ୍ପନା କରେ। ସେ କଳ୍ପନା କରେ ଯେ ସେ ଛିଡା ହୋଇଛି ନଈର କୂଳରେ,ନଈକୂଳ ସାରା ସବୁଜ ଘାସ ଭର୍ତ୍ତି – ଛବିରେ ଦୁଇଟିଯାକ କୂଳ ସେମିତି ଦିଶୁନାହିଁ,ଏକାଠି ଜମା ହୋଇଥିବା ନୌକାଗୁଡିକ ଯେମିତି ପୂରା ସ୍ଥାନଟିକୁ ନିଜର ଅକ୍ତିଆର୍ କୁ ନେଇଯାଇଛନ୍ତି । ସେ ଊତ୍ସବକୁ ଲକ୍ଷ୍ୟ କରେ, ସେସବୁ ଅସଲରେ କୌଣସି ଉତ୍ସବ ନୁହଁ,ତଥାପି ତମେ ତାହାକୁ ସେମିତି କହିପାର, ଅବଶ୍ୟ ସେ ସେଥିରେ ଭାଗ ନେବାପାଇଁ ଉତ୍ସୁକ,ସେ ବସ୍ତୁତଃ ସେଇଥିପାଇଁ ପ୍ରସ୍ତୁତ ହୋଇ ରହିଛି,ମାତ୍ର ନିଜକୁ ସେ ଅତ୍ୟନ୍ତ ସାଧୁତାର ସହ କହିଦେଇଛି ଯେ, ସେମାନଙ୍କର ଏଇ କଥିତ ଉତ୍ସବର ପ୍ରବେଶ ପଥ ତାହାପାଇଁ ବନ୍ଦ – ନିଜକୁ ଅପ୍ରତ୍ୟକ୍ଷ ଭାବରେ ତାହା ସହିତ ସଂଲଗ୍ନ କରିପାରିବା ତାହାର ପକ୍ଷରେ ସଂପୂର୍ଣ୍ଣ ଅସମ୍ଭବ,ଏହା ଦୀର୍ଘ ପ୍ରସ୍ତୁତିର ଅପେକ୍ଷା ରଖେ ଯାହା କେବଳ ଗୋଟିଏ ରବିବାରରେ ବା କିଛି ବର୍ଷରେ ସମ୍ଭବପର ନୁହଁ,ଏବଂ ସେ ନିଜକୁ ଏଇ ଉଦ୍ଦେଶ୍ୟରେ ଚାଳିତ କରିପାରିବ ,ଯଦି ସମୟ ସେଇଠି ସ୍ଥିର ହୋଇ ଅଟକିଯାଇପାରେ, ଏହା ଛଡା ଆଉ କୌଣସି ପଥ ନାହିଁ,ତାହାର ସମସ୍ତ ବଂଶଲତିକା, ତାହାର ସମସ୍ତ ଶିକ୍ଷା ଦୀକ୍ଷା, ତାହାର ସମସ୍ତ ଶାରିରୀକ ପ୍ରଶିକ୍ଷଣ ସେଇ ସବୁ ଭିନ୍ନ ପ୍ରକାରର ହେବାର ଥିଲା ।
ତେଣୁ ତାହା ହେଉଛି ଏହିପରି ଯେ ,ସେ ସେହି ଛୁଟି କଟାଳି ମାନଙ୍କ ଠାରୁ କେତେ ଦୂରରେ ରହିଥାଏ,ମାତ୍ର ଏହା ସହିତ ବି ସେ ସେମାନଙ୍କର ନିକଟତର ଏବଂ ଏହାକୁ ନିର୍ଣ୍ଣୟକୁ ନେବା ଅଧିକ କଷ୍ଟକର । ସେ ଯାହା ହେଉ,ସେମାନେ ତାହା ଭଳି ଠିକ୍ ମଣିଷ ,ମାନବିକତା ସେମାନଙ୍କ ନିକଟରୁ ବାଦ୍ ପଡିଯାଇନାହିଁ ,ଏବଂ ତମେ ଯଦି ମନ ଭିତରକୁ ଖୋଜିବାକୁ ଯିବ ତମେ ନିଶ୍ଚୟ ଦେଖିପାରିବ ସେହି ସମାନ ଅନୁଭବ ଯାହା ତାହାର ଉପରେ ଆଧିପତ୍ୟ ବିସ୍ତାର କରିଛି ଆଉ ତାହା ତାହାକୁ ସେମାନଙ୍କ ଭିତରେ ଥିବା ଯାତ୍ରାମନସ୍କତାରୁ ବହିଷ୍କୃତ କରିଦେଇଛି,କେବଳ ଅଲଗା ଏତିକି ଯେ,ଏହା ସେମାନଙ୍କ ଉପରେ ଅଧିକାର ବିସ୍ତାର କରିବାକୁ ଆସିଛି,ସଂପୂର୍ଣ୍ଣ ସଫଳ ହୋଇନାହିଁ , କେବଳ ଅଂଧାରରେ ଉଙ୍କି ମାରୁଛି। “
ନିଜର ଡାଏରୀରେ ନିଜର କଥାକୁ ସେ ପ୍ରଥମ ପୁରୁଷରେ ନଲେଖି “ସେ” ବା ତୃତୀୟ ପୁରୁଷରେ ଲେଖିଛନ୍ତି।
ଏହି ଆତ୍ମିକ ଉଚ୍ଚାରଣକୁ ତୃତୀୟ ପୁରୁଷରେ ଲେଖିବା କାମଟି ଡାଏରୀରେ ଲେଖିବା ପୂର୍ବରୁ କାଫକା ନିଜର ପିତାଙ୍କ ଉଦ୍ଦେଶ୍ୟରେ ଗୋଟିଏ ଲମ୍ବା ଚିଠି ଲେଖିଥିଲେ। ଏଇଟି “ଲେଟର୍ ଟୁ ହିଜ ଫାଦର୍” ନାଆଁରେ ପ୍ରକାଶିତ ଓ ବେଶ୍ ଚର୍ଚ୍ଚିତ।
କାଫକାଙ୍କର ତାଙ୍କର ପିତାଙ୍କ ସହିତ ସଂପର୍କ ଅତ୍ୟନ୍ତ ଅସହଜ ଥିଲା। ପିତାଙ୍କ ନିକଟକୁ ଚିଠିରେ ଯେଉଁକଥା ସେ ଲେଖିଥିଲେ ତାହାର ମୂଳ ବକ୍ତବ୍ୟକୁ ସେ ତାଙ୍କର ୧୯୨୦ ଫେବ୍ରୁଆରୀ ମାସ ୨ ତାରିଖର ଦିନଲିପିରେ ଗୋଟିଏ ଛବି ର ଚର୍ଚ୍ଚା କରିବା ଆଳରେ ବର୍ଣ୍ଣନା କରିଛନ୍ତି। ତୃତୀୟ ପୁରୁଷରେ ବର୍ଣ୍ଣନା କରିଛନ୍ତି। ଯେମିତି କ୍ଷମତା ସହିତ ନିଜର ଅସହଜପଣକୁ ଟିକିନିଖି କରି ବ୍ୟାଖ୍ୟା କରିଛନ୍ତି ।
ଏଇ ବିଶେଷ ଦିନଲିପିରେ କାଫକା ଯେଉଁ ଛବି ର ବିଶ୍ଳେଷଣ କରିଛନ୍ତି ତାହା ବ୍ରିଟିଶ ଆର୍ଟିଷ୍ଟ ଏଡୱାର୍ଡ ଜନ୍ ଗ୍ରେଗୋରୀ(୧୮୫୦-୧୯୦୯) ଙ୍କର ଏକ ଛବି,” ବୋଲଟର୍ସ ଲକ୍,ସନଣ୍ଡେ ଆଫଟର ନୁନ୍” ନାମକ ଏକ ଅଏଲ୍ ପେଣ୍ଟିଙ୍ଗ। କାଫକାଙ୍କ ସମୟରେ ଏହା ବିଭିନ୍ନ ସ୍ଥାନରେ ପ୍ରଦର୍ଶିତ ହେଉଥିଲା।
କାଫକା ଏହାର ମୂଳ ଛବିଟି ନା ଏହାଏ ଏକ ପ୍ରତିଲିପି ଦେଖିଥିଲେ,ତାହାକୁ ନେଇ ଯଥେଷ୍ଟ ମତ ପାର୍ଥକ୍ୟ ରହିଛି।
ଆଉ ଗୋଟିଏ ସୂଚନା।
ଅଷ୍ଟ୍ରିଆ-ହଙ୍ଗେରୀର ଦ୍ୱେତ ରାଜତନ୍ତ୍ରର ଅଧୀନରେ ଥିବା ବୋହେମିଆ ର ରାଜଧାନୀ ପ୍ରାଗ୍ ରେ ହରମାନ କାଫକା ଆଉ ଇୟୁଲି କାଫକା ଙ୍କର ଗୋଟିଏ ପୁତ୍ର ସନ୍ତାନ ଜନ୍ମନିଏ । ବାପାମାଆ ଶକ୍ତିଶାଳି ହାବସବର୍ଗ ସମ୍ରାଟଙ୍କ ନାଆଁରେ ପୁଅର ନାଆଁ ରଖନ୍ତି ଫ୍ରାଞ୍ଜ ଆଉ ଦ୍ୱିତୀୟ ନାଆଁ ଟି ରେ ସେମାନଙ୍କର ବଂଶ ପଦବୀ କାଫକା ରଖନ୍ତି ।
କାଫକା ଶବ୍ଦର ଅର୍ଥ ହେଉଛି ମାଟିଆକାଉ ।
ବିଶ୍ୱବିଖ୍ୟାତ ଲେଖକ ଫ୍ରାଞ୍ଜ କାଫକାଙ୍କୁ ଆଜି ହେଉଛି ସ୍ମରଣ କରିବାର ଦିନ । ଆଜି ତାଙ୍କର ଜନ୍ମଦିନ ।
ଆଜି ଅର୍ଥାତ୍ ୩ ଜୁଲାଇ ୧୮୮୩ ଦିନ ଏହି କଥାଧୀଶ୍ୱରଙ୍କ ଭୂମ୍ୟାରୋହଣ ଘଟିଥିଲା।