କବିତାର ମନ୍ତ୍ର


ଯୋଉ ଶବ୍ଦପୁଂଜ ସମାନଭାବେ ଉଚ୍ଚାଟିତ କରେ ଗୋଟିଏ ଭାବ ଓ ଅର୍ଥ;ତା ମଂତ୍ର। କବିତା ସମାନଭାବେ ଭାବ ଓ ଅର୍ଥ ସମସ୍ତଂକୁ ପ୍ରଦାନ କରେନାଇଁ। ସ୍ଥାନାଂକର ପରିବର୍ତ୍ତନ ସ, ମାନସିକତାର ଭିନ୍ନତା ହେତୁ ଏହା ପ୍ରତ୍ଯେକଂକୁ ଅଲଗାଅଲଗା ସଂବେଦନା ଓ ଶିହରଣ ଦିଏ। କବିତା ତେଣୁ ମଂତ୍ର ନୁହଁ; ମଂତ୍ରର ଶକ୍ତି କିଂତୁ କବିତାରେ ଥାଏ । କବିତା ଲୌକିକ; ମନ୍ତ୍ର ଆଧିଦୈବିକ । ଉଭୟ ସ୍ମାରଣ୍ଯ। କିନ୍ତୁ ସାଧନ ସମାନ ନୁହେଁ। ମନ୍ତ୍ର ଏକୀଭୂତ (concentrated);କବିତା ସ୍ଫୁରିତ ପ୍ରସ୍ଫୁଟିତ !

ଧରନ୍ତୁ, ଆପଣ କବିତା ଲେଖିବାକୁ ଚାହୁଛନ୍ତି ତ ଆପଣ ୧୫ ପ୍ରତିଶତ ଇମୋଶନ୍, ୧୨ ପ୍ରତିଶତ ସେଣ୍ଟିମେଣ୍ଟ୍, ୧୫ ପ୍ରତିଶତ ଆଇଡିଆ ୯ ପ୍ରତିଶତ ଥିମ୍,୮ ପ୍ରତିଶତ ଇମେଜ୍,ସିମିଲି,ମେଟାଫର୍, ୧ପ୍ରତିଶତ ଶୀର୍ଷକ, ୩ ପ୍ରତିଶତ ଫିଲସଫି, ଓ୍ବାର୍ଡ୍ ପ୍ଲେ, ୪ପ୍ରତିଶତ ( ଯଦି ଜାଣନ୍ତି), ଠୋକ୍ ଏଲିମେଣ୍ଟ ୨-୩ ପ୍ରତିଶତ ଓ ବାକି ପ୍ରତିଶତ ଅନୁକୁଳ ଶବ୍ଦ,ପରିବେଶ ଓ ପରିସ୍ଥିତିକୁ ଚାହିଁ ସଂଗ୍ରହ କରନ୍ତୁ। ମନୋନିବେଶ କରନ୍ତୁ। ଧୀରେଧୀରେ ଆପଣ ମିଶିଯାନ୍ତୁ ସେ ଧାରଣା ବା ଚିତ୍ର ବା ଦୃଶ୍ୟ ବା ଘଟଣା ବା ଯାତନା ଭିତରେ। ଯଦି ଆପଣ ନିଜକୁ ସମ୍ଭାଳି ପାରୁଛନ୍ତି ତ ଆଖିରେ ସମସ୍ତ କବିତାଟିକୁ ଦେଖନ୍ତୁ। ସେଇ ସମୟରେ ଚେହେରାକୁ ଅନ୍ତତଃ ମନେ ରଖନ୍ତୁ ଓ ତା ପାଇଁ ପୋଷାକ କି ଡିଜାଇନର ହେଲେ ଚିତ୍ତାକର୍ଷକ ଓ ହୃଦୟସ୍ପର୍ଶୀ ହେବ ସେଥିପାଇଁ ଉଦ୍ୟମ କରନ୍ତୁ। କବିତା ଏକାଥରେ ଟ୍ଯାପ୍ ଖୋଲିଦେଲା ପାଣି ପରି ବହିଆସେନା। ସବୁବେଳେ ତ ଆଦୌ ନୁହେଁ। ତେଣୁ, ଆସିଲେ ବି ଦଶବାର ଥର ଆଖି ପକାନ୍ତୁ। ଦେଖିବେ କବିତା ଓ.କେ ! ହସନ୍ତୁନି। ହସେଇବା ପାଇଁ ଯଦି ଲେଖୁଥାନ୍ତି ତେବେ ବି ହସନ୍ତୁନି। ଏହା କବିତାକୁ ପାଣିଚିଆ କରି ଦେଇପାରେ। ବୁଝିଲେ ? କିନ୍ତୁ ମନ୍ତ୍ର ପାଇଁ ଏ ସର୍ବତ ଚଳିବନି। ଓଲଟ, ମନ୍ତ୍ର ଗୋଡ଼େଇବ ଯେ ଲୁଗାପଟା ଫୋପାଡ଼ି କୁଆଡ଼େ ଦଉଡ଼ିବେ ଜାଣି ପାରିବେନି। ଅବଶ୍ୟ, କବିତା ଯଦି ଲେଖୁଥାଆନ୍ତି (ସବୁ ଅକ୍ଷରଜ ଯେ !); କିନ୍ତୁ କହୁନଥାନ୍ତି; ତେବେ ଆପଣ ବାର ଲୋକଙ୍କ ସ’ ବସାଉଠା କରିବା ଆଦୋୖ ଦରକାର ନାଇଁ। ତାଙ୍କ ଚାଲି, ଚଳଣି, ଠାଣି,ବାଣୀ କିଛିରେ ନିଘା ରଖିବା ଲୋଡ଼ା ନାଇଁ। ଯୋଉ କବିତା କହେ, ତା ଅର୍ଥ କ’ଣ- ଏବେ ଜାଣିଲେ ତ ? ଅନ୍ୟର ଭାଷା ଯେ ପର୍ଯ୍ଯନ୍ତ ଆପଣ ବ୍ଯବହାର କରୁଛନ୍ତି ସେ ପର୍ଯ୍ୟନ୍ତ ଆପଣ ଲେଖୁଛନ୍ତି ! କ୍ଲିଅର୍ ?

ପ୍ରକୃତରେ, ଓଡ଼ିଆ କବିତାରେ ଖୋଜିଲେ ଚରିତ୍ର ଅଥବା ପରିବେଶଭିତ୍ତିକ ଅନୁପ୍ରବେଶୀୟ ଭାଷା ଦେଢ଼ରୁ ଅଢ଼େଇଟା ଭିତରେ ମିଳିବ। ସଚ୍ଚିଦାନନ୍ଦ ରାଉତରାୟଙ୍କ ‘ମୁଁ ତ ଭ୍ରଥ ନାହାକ ଝୁଅ’, ସୌଭାଗ୍ଯ କୁମାର ମିଶ୍ରଙ୍କ ‘ସର୍କସ’ ( ଅଧା)।କବିତା କ୍ଷେତ୍ରରେ, କବିତାରେ ବିଶେଷ କରି କୁହା- କବିତା ଲେଖା କବିତାଠୁ ଲେଖିବା ଅନେକ କଷ୍ଟ । ଏଥିପାଇଁ ସ୍ମରଣ,ଅନୁଧ୍ୟାନ ତଥା ଅନୁସରଣ କଳ୍ପନାଠାରୁ ଅଧିକ ଜରୁରୀ। ଏବେ, ବୁଝିଲେ ?

ବୁଝିବାର କିଛି ନାଇଁ ଏଥିରେ, ଫିରଭି ନ ବୁଝିପାରିଲେ ଜାଣିବାକୁ ଚେଷ୍ଟା କରିବେ। ବାସ୍ତବ କଥାଟି ହେଲା,ଓଡ଼ିଶା କେବଳ ନୁହେଁ,ସମଗ୍ର ଭାରତବର୍ଷରେ ଊଣାଅଧିକେ କଥାଟିଏକୁ ନିଜ ଦେହକୁ ନିଅନ୍ତି; କାମକୁ ନୁହେଁ। ଯିଏ କାମ କଲା ତାକୁ ଉତ୍ସାହିତ ନ କରି ଉତ୍ତେଜିତ କରିବାରେ ବିକୃତ ଆନନ୍ଦ ପାଆନ୍ତି। ନିଜର ଅଯୋଗ୍ଯତା ଘୋଡ଼େଇବା ପାଇଁ ଅନେକ ବାଟ ଖୋଜିବାରେ ଲାଗିଯାଆନ୍ତି। ଏ ରାଜ୍ୟର ପରମ୍ପରା ସବୁକାଳେ ରହିଲା ! ପ୍ରତ୍ୟେକ ବ୍ଯକ୍ତି ନିଜ କଥା ପାଇଁ ଯେତେ ବ୍ଯସ୍ତ, ସେତେ ନୁହେଁ କାମ ପ୍ରତି। ଏହା ହେଇପାରେ ଯେ କାମରୁ କାମନା ଜାତ ହୁଏ ଓ କାମନା ଦୁଃଖର କାରଣ ! ଦୁଃଖ ଦେଖିବାକୁ ସିନାଭଲ; ନିଜେ ଭୋଗିବାକୁ ନୁହେଁ।

କଥାର କତାଦଉଡ଼ି ବୋଳି ମୋଟା ଯେତେ କଲେ ବି କାମ ନାମକ ପ୍ରବୃତ୍ତିଟି ଅକାମୀ ହେଇ ରହିଯାଏ। କିନ୍ତୁ,ଏଇ ‘କଥା’ ସବୁ ସର୍ବନାଶ ଓ ସୃଜନର ସଞ୍ଚାର କରାଏ ! ବିନା ପାଣି ବିନା ଖରା ବିନା ସାରରେ ଯଦି କିଛି ଅଙ୍କୁରୋଦ୍ଗମ ହେଇଥାଏ ତ ସେଇଟା ଏଇ କଥା ଆଉ କାମରେ ଟିକିଏ ନାଆଁକୁ ଫରକ। ସେତିକି କରିବା ପାଇଁ ଆମେ ରାଜି ନୋହୁ। ଅଳସୁଆ- ଙ୍କର ବାରବାଟି ଚାଷ; ଜାଣିଥିବେ। ଅଥଚ କଥା କହିବାରେ ସଭାରେ, ମାଇକ ଆଗରେ କହିଲାବେଳେ ଆମେ ଚଙ୍ଗଡ୍ ! ଆପଣଙ୍କ ‘କଥା’ରେ ହିଁ ସବୁ। ଗୋଟାଏ ଗୋଟାଏ ଶବ୍ଦ ପରା ନିଆଁ ଲଗେଇଦେଉଛି ପରିବାରରେ, ବନ୍ଧୁବାନ୍ଧବରେ, ସମାଜରେ; ବାକି ସବୁ ଛାଡ଼ନ୍ତୁ। କାମ ଆମର କଥାଠୁ ପଛରେ ରହୁଛି। ରହୁ, ବେପାର ତ ଚାଲିଛି ଠିକରେ; ଭବିଷ୍ୟତରୁ କ’ଣ ମିଳିବ ! କାଲି ଦେଖିଛି କିଏ ?

ଆପଣ ବରଂ ମନଧ୍ୟାନ ଦିଅନ୍ତୁ କବିତାରେ। କବିତା ପଢ଼ିବା ପାଇଁ ଅଳ୍ପ ଶକ୍ତି ବିନିଯୋଗ କରନ୍ତୁ। କିଛି ଶକ୍ତି ଓ ସାହସ ବାନ୍ଧନ୍ତୁ ବନ୍ଧୁତା ପାଇଁ; ପରସ୍ପରର ଗୁଣଗାନ କରନ୍ତୁ। ଯଦି କିଛି ଶକ୍ତି ବଳିଛି ତେବେ ତାକୁ ସାଇତି ରଖନ୍ତୁ କ୍ଷେତ୍ର ଅଧିକାରୀଙ୍କ ଉପଚାର ପାଇଁ; ଏଇଟା ଏକଦମ୍ ଜରୁରୀ। ଯେତେ ଭଲ ଲେଖିଲେ ବି ଚିହ୍ନଟ କରିବା ଲୋକଙ୍କ ଆଖିରେ ମୋତିଆବିନ୍ଦୁ। ଡାକ୍ତର ନାହାନ୍ତି କି ଅପରେସନ୍ ନାଇଁ ! ଲାଇମ୍ ଲାଇଟ୍ ଆପଣ ଦେଖିବାକୁ ହେଲେ ସୁପାରିଶ ଦେବେ ଏଇ ଅଧିକାରୀ। ବୁଝିଲେ ?

ଆପଣ ଯଦି ଭାବିବେ ମୁଁ ବି ଏଇଥିରୁ ଗୋଟିଏ, ଯିଏ କାମ କମ୍ ଓ କଥାମାନ ଖାଲି କହୁଛି; ତେବେ ମୁଁ ଆଦୌ ଦିହକୁନେବିନି। କାରଣ ବି ଜଣେଇଦେଉଛି ଯେ ମୁଁ ଆଜ୍ଞା ଅକର୍ମା ଓ ଅଧମ, ପୁଣି ସାଧାରଣ ମଣିଷଟିଏ ! ଆପଣଙ୍କ ଭଳି ମୋର କିଛି ନାଇଁ। ଆପଣଙ୍କ
ଉନ୍ନତି ମୋର କାମ୍ଯ। ଆପଣଙ୍କ ଉନ୍ନତି ରାଜ୍ୟର ଓ ଦେଶର ଉନ୍ନତି।

ଆପଣ ଯେମିତି ପାରୁଛନ୍ତି ମୁଁ ସେମିତି ହେଲେ ପାରନ୍ତି !
ମୋର ସବୁ ସମ୍ମାନ, ସବୁ ସମ୍ପତି ଆପଣମାନେ !

ଲୁଗା ଭିଡ଼ନ୍ତୁ,ଟାଇ ଭିଡ଼ନ୍ତୁ ଓ ମୈଦାନକୁ ଡେଇଁ ପଡ଼ନ୍ତୁ।

ଜୟ ଶ୍ରୀହନୁମାନ!