ତ୍ରିରତ୍ନକୁ ଆବାହନ ଓ ଖ୍ରୀଷ୍ଟଜନ୍ମ କଥା

ବର୍ଷ ଯେମିତି ଶେଷ ହୋଇ ଆସେ ଆମକୁ ମନେପଡେ ଦୁଇଟି କଥା,ଶୀତ ଆଉ ଯୀଶୁଖ୍ରୀଷ୍ଟ । ଖୁବ୍ ଅଧିକ ଭାବରେ ମନେପଡେ ଏଇ ଦୁଇଟିର କଥା । ପ୍ରବଳ ଶୀତରେ କାଙ୍କୁରିକୁଙ୍କୁରି ହୋଇ ସାଧାରଣ ର ଭାରି ଅସ୍ତବ୍ୟସ୍ତ ଜୀବନ ଯେତେବେଳେ  ଆଉ ଠିକ୍ ସେତିକି ବେଳେ ପୃଥିବୀର ସବୁଠାରୁ ଅଧିକ ଚର୍ଚ୍ଚିତ ଏକ ଦେବଶିଶୁର ଧରାବତରଣ ର ଉତ୍ସବ । ଏଇ ଦୁଇଟି ଭିତରେ ଯେମିତି କେଉଁଠି ଟିକିଏ ବିରୋଧାଭାଷ ରହିଯାଏ । ଆମେ ଭାବୁ ଆମର ସମସ୍ତ ଦେବତା ଯେମିତି ଏପରି ଏକ ସମୟରେ ଜନ୍ମଗ୍ରହଣ କରିବେ ଯେତେବେଳେ ପୃଥିବୀ ସାରା ଋତୁଚକ୍ର ରେ ଥିବ ଶାନ୍ତ ସମାହିତ ବତାସ । ଯେମିତି ଶରତ ଋତୁ । ଦେବତା ର ଆଗମନ ସହିତ ଆମେ କୌଣସି ଜଳବାୟୁଗତ ପ୍ରତିବନ୍ଧକକୁ ଗ୍ରହଣ କରିବାକୁ ହୁଏତ ପସନ୍ଦ କରୁନା । ମାତ୍ର ଜନ୍ମ ଦୃଷ୍ଟିରୁ ମଣିଷ ଆଉ ଦେବତା ସମାନ । ଶୁନ୍ ରୁ ଆରମ୍ଭ । ଜନ୍ମ ପରେ ମଣିଷ ମଣିଷ ହିସାବରେ ଗଢି ଉଠେ ଆଉ ଦେବତା ହୋଇଉଠେ ଦେବତା । ତେଣୁ ଆରମ୍ଭଟି ଅର୍ଥାତ୍ ଜନ୍ମ ରୂପ ଟି ସମାନ ଥିବା କାରଣରୁ ଯୀଶୁଖ୍ରୀଷ୍ଟ ପ୍ରବଳ  ଶୀତ ରାତିରେ ଜନ୍ମ ନେଇଥିଲେ ବୋଲି କୁହାଯାଏ । ଡିସେମ୍ବର ୨୫ ର ଶୀତରାତିରେ ଯୀଶୁଖ୍ରୀଷ୍ଟ ଜନ୍ମ ଗ୍ରହଣ କରିଥିଲେ ବୋଲି ଏମିତି ଯାହା କୁହାଯାଏ ତାହାର ଅର୍ଥ ହେଉଛି ଯେ ୟୀଶୁଖ୍ରୀଷ୍ଟଙ୍କର ଜନ୍ମକାଳକୁ ନେଇ ଇତିହାସ ଦୃଷ୍ଟିରୁ ଯଥେଷ୍ଟ ଦ୍ୱିଧା ରହିଅଛି ।

ଅନେକେ ମନେ କରନ୍ତି ପୃଥିବୀର ତ୍ରାଣକର୍ତ୍ତା କ’ଣ ଏତେ ସାଧାରଣ ଯେ ତାଙ୍କୁ ଗୋଟିଏ ସାଧାରଣ ମଣିଷର ଜନ୍ମଦିନ ଭଳି ଜନ୍ମ ଦିନରେ ବାନ୍ଧି ଦିଆଯାଇପାରିବ ।

ସେ ଯାହାହେଉ ଖ୍ରୀଷ୍ଟଜନ୍ମର ଐତିହାସିକ ସ୍ୱରୂପ କୁ ବୁଝିବା ପୂର୍ବରୁ ଏକ ଖ୍ରୀଷ୍ଟ ବିଚାରର ସଂସ୍କୃତ ଭାଷାରେ ରଚିତ ଏହି ଶ୍ଳୋକଟିକୁ ପାଠ କରାଯାଉ ।

୧. ବନ୍ଦେ ସଚ୍ଚିଦାନନ୍ଦମ ବନ୍ଦେ
ବନ୍ଦେ ସଚ୍ଚିଦାନନ୍ଦମ ବନ୍ଦେ ।
୨. ପରମପୁରାଣପରାତ୍ପରମ
ପୁର୍ଣ୍ଣମାଖଣ୍ଡପରାଭରମ
ତ୍ରିସଙ୍ଗସୁଧାମସଙ୍ଗଉଦ୍ଧମଦୁରାବେଦମ ବନ୍ଦେ।
୩. ପିତୃସବିତୃପରମେଶମଜମ୍
ଭବବୃକ୍ଷବୀଜମବୀଜମ୍
ଅଖିଳକାରଣମିକ୍ଷନସୃଜନଗୋବିନ୍ଦମ ବନ୍ଦେ।
୪. ଅନାହତଶବ୍ଦମନନ୍ତମ
ପ୍ରସୁତପୁରୁଷସୁମହାନ୍ତରମ୍
ପିତୃସ୍ୱରୂପଚିନ୍ମୟରୂପସୁମୁକୁନ୍ଦମ ବନ୍ଦେ।
୫. ସଚ୍ଚିଦୋର୍ମେଳନଶରଣଂ ଶୁବଶ୍ୱସିତାନନ୍ଦଘନମ୍
ପାବନଯାବନବାଣୀବଦନା
ଜୀବନାନନ୍ଦମ ବନ୍ଦେ ।

ଉକ୍ତ ଶ୍ଳୋକଟି ର ଶୀର୍ଷକ  ହେଉଛି “ବନ୍ଦେ ସଚ୍ଚିଦାନନ୍ଦମ” । ଏହାକୁ ବିଶେଷରେ “ତ୍ରିରତ୍ନର ଆରାଧନା ବା “କାଣ୍ଟିକଲ୍ ଟୁ ଦି ଟ୍ରିନିଟି” ବୋଲି କୁହାଯାଏ । ସଂସ୍କୃତ ଭାଷାରେ ରଚିତ ଏଇଟି ହେଉଛି  ଖ୍ରୀଷ୍ଟତତ୍ତ୍ୱର ପ୍ରଥମ ଶ୍ଳୋକ । ଏହାକୁ ରଚନା କରିଛନ୍ତି ଭାରତରେ ଖ୍ରୀଷ୍ଟତତ୍ତ୍ୱର ଅନ୍ୟତମ   ଆଦ୍ୟପୁରୁଷ ଶ୍ରୀ ବ୍ରହ୍ମବାନ୍ଧବ ମୁଖୋପାଧ୍ୟାୟ । ବ୍ରହ୍ମବାନ୍ଧବଙ୍କ ସମୟ ହେଉଛି ୧୮୬୧ ରୁ ୧୯୦୭ ଖ୍ରୀ.ଅ।

କଲିକତା ଠାରୁ ୫୫ ମାଇଲ ଦୂର ଗୋଟିଏ ସ୍ୱଚ୍ଛଳ ବ୍ରାହ୍ମଣ ପରିବାରରେ ତାଙ୍କର ଜନ୍ମ ।ବ୍ରହ୍ମବାନ୍ଧବଙ୍କ ଆଦ୍ୟନାମ ଭବାନୀଚରଣ ଥିଲା । ସେ ନରେନ୍ଦ୍ର ଅର୍ଥାତ୍ ସ୍ୱାମୀ ବିବେକାନନ୍ଦଙ୍କର ସହପାଠୀ ଥିଲେ । ପରେ ସେ ବ୍ରାହ୍ମସମାଜର ଅନ୍ୟତମ ପ୍ରାଣପୁରୁଷ କେଶବ ଚନ୍ଦ୍ର ସେନ୍ ଙ୍କ ସଂସ୍ପର୍ଶରେ ଆସିଥିଲେ । କେଶବଚନ୍ଦ୍ର ବ୍ରାହ୍ମସମାଜର ମାର୍ଫତ୍ ରେ ଭାରତରେ ଏକେଶ୍ୱରବାଦ ଓ ଏକପ୍ରକାର ବିକଳ୍ପ “ଭାରତୀୟ ଚର୍ଚ୍ଚ” ର ପ୍ରତିଷ୍ଠା କରିବାର ପ୍ରୟାସରେ ଥିଲେ । ବ୍ରାହ୍ମସମାଜ ର କେତେକ ତାତ୍ତ୍ୱିକ ବିଭେଦ ଯୋଗୁ ଉଭୟ ବିଦ୍ୱାନ  କେଶବଚନ୍ଦ୍ରଙ୍କ ସହ ଭବାନୀଚରଣଙ୍କର ମତାନ୍ତର ଘଟିଥିଲା । ସେଇଥିପାଇଁ  ଭବାନୀଚରଣ ଖ୍ରୀଷ୍ଟଧର୍ମ ଆଡକୁ ଆକର୍ଷିତ ହୋଇଥିଲେ ଏବଂ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ । ଧର୍ମପରିବର୍ତ୍ତନ ପରେ ତାଙ୍କର ନାଆଁ ହୋଇଗଲା  ବ୍ରହ୍ମବାନ୍ଧବ ।

ଖ୍ରୀଷ୍ଟ ଧର୍ମର ପ୍ରଗାଢ ଅଧ୍ୟୟନ ଓ ନିଷ୍ଠା ଯୋଗୁ ବ୍ରହ୍ମବାନ୍ଧବଙ୍କୁ ଭାରତୀୟ ଚର୍ଚ୍ଚ ଇତିହାସରେ “ଭାରତୀୟ ଧର୍ମତତ୍ତ୍ୱର ଜନକ” ବୋଲି କୁହାଯାଏ । ଅବଶ୍ୟ ତାଙ୍କର ଖ୍ରୀଷ୍ଟଧର୍ମ ଗ୍ରହଣ ର ଯଥେଷ୍ଟ  ଆଗରୁ ଭାରତରେ ଖ୍ରୀଷ୍ଟଧର୍ମ ପ୍ରବେଶ କରିଥିଲା । ବ୍ରହ୍ମବାନ୍ଧବ  ବିଶେଷକରି ଷ୍ଟିଫେନ୍ ଙ୍କ କୋଙ୍କଣୀ ଭାଷାରେ ବିରଚିତ “ଖ୍ରୀଷ୍ଟ ପୁରାଣ (୧୬୧୬ଖ୍ରୀଅ)ଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହୋଇଥିଲେ।

ଖ୍ରୀଷ୍ଟ ଧର୍ମକୁ ଧର୍ମାନ୍ତରିତ ହୋଇଯିବା ପରେ ବ୍ରହ୍ମବାନ୍ଧବ ଉନବିଂଶ ଶତାବ୍ଦୀର ଶେଷ କାଳରେ ସ୍ୱପ୍ନ ଦେଖୁଥିଲେ ଏମିତି ଗୋଟିଏ  “ଭାରତୀୟ ଚର୍ଚ୍ଚ” ର ଯାହା ସଂପୂର୍ଣ୍ଣ ଭାବରେ ସମସ୍ତ  ଉପନିବେଶବାଦରୁ ମୁକ୍ତ ହୋଇ ଭାରତୀୟତାକୁ  ପ୍ରତିପାଦନ କରୁଥିବ  । ସେଇଥିପାଇଁ ସେ ବିଶେଷତଃ ବେଦାନ୍ତ ଓ ଅନ୍ୟାନ୍ୟ ଭାରତୀୟ ଧର୍ମ ର ବିଚାର ପୁସ୍ତକଗୁଡିକର ତତ୍ତ୍ୱସହିତ ଖ୍ରୀଷ୍ଟଧର୍ମର ତତ୍ତ୍ୱକୁ  ଯୋଡିବା ପାଇଁ ବିଶେଷ ପ୍ରୟାସ କରିଥିଲେ ।ଜଣେ ଖ୍ରୀଷ୍ଟଧର୍ମାବଲମ୍ବୀ ଭାରତୀୟର ସଂପୂର୍ଣ୍ଣ ଧାର୍ମିକ ଅବଧାରଣାର ଆଧାରରେ ବ୍ରିଟିଶ ଉପନିବେଶର ସଂଯତ ଏବଂ ସଂକୁଚିତ ପ୍ରତିବାଦ କରିବା ଭଳି ଆଭିମୁଖ୍ୟ ସେ ସମୟରେ  ଖୁବ୍ ବିରଳ ଘଟଣା । ଖ୍ରୀଷ୍ଟତତ୍ତ୍ୱର ଭାରତୀୟ ପରିଭାଷା ରେ ପ୍ରକାଶିତ କରିବା ପାଇଁ ସେ  ସଂସ୍କୃତ ଭାଷାର ହୁଏତ ଉପଯୋଗ କରିଛନ୍ତି ବୋଲି କହିଲେ କଥାଟି ସେତେ ଭୁଲ ହୋଇଯିବ ନାହିଁ।

ସେ ସମୟ ର ଏହି  ପ୍ରଖ୍ୟାତ ବିଦ୍ୱାନ ବ୍ରହ୍ମବାନ୍ଧବ ଉପାଧ୍ୟାୟ ଏଇଟା ଏଇ ଶ୍ଳୋକଟିରେ ଯେଉଁ ତ୍ରିରତ୍ନର ଆରାଧନା କରିଛନ୍ତି ତାହାର ଖ୍ରୀଷ୍ଟଧର୍ମରେ ପରିପ୍ରେକ୍ଷ୍ୟଟି କ’ଣ ବୋଲି ପ୍ରଶ୍ନର ଉତ୍ତର ତାହାହେଲେ କ’ଣ ହେବ ?

ବ୍ରହ୍ମବାନ୍ଧବ ଏହି “ବନ୍ଦେ ସଚ୍ଚିଦାନନ୍ଦମ୍” ଶ୍ଳୋକରେ ପ୍ରଭୂଙ୍କୁ ଯେଉଁ ତ୍ରିରତ୍ନର ଆଧାର ବୋଲି କହିଛନ୍ତି ତାହା ହେଉଛି ପ୍ରଭୂ ଯୀଶୁଖ୍ରୀଷ୍ଟ ହେଉଛନ୍ତି ଏକାଧାରରେ ସର୍ବୋପସ୍ଥିତ , ସର୍ବଜ୍ଞାତା ଏବଂ ସର୍ବଆନନ୍ଦମୟ।

ଏବେ ଫେରିବା ଯୀଶୁଖ୍ରୀଷ୍ଟଙ୍କ ଜନ୍ମକଥାକୁ ।

ଏମିତିରେ କହିବାକୁ ଗଲେ ପାଶ୍ଚାତ୍ୟ ଇତିହାସର ସବୁଠାରୁ ଚର୍ଚ୍ଚିତ ଜନ୍ମଦିନ ହେଉଛି ମେରୀ ପୁତ୍ର ଙ୍କ ଜନ୍ମଦିନ ଯାହାଙ୍କୁ ପରେ ଯୀଶୁ ଖ୍ରୀଷ୍ଟ ବୋଲି କୁହାଯାଏ । କିନ୍ତୁ ସବୁଠାରୁ ବିଡମ୍ବନା ର ବିଷୟ ହେଉଛି ଯେ ଯୀଶୁଖ୍ରୀଷ୍ଟଙ୍କ ର ଜନ୍ମର ସଠିକ ବର୍ଷ, ମାସ ବା ତାରିଖ ସଠିକ ଭାବରେ ନିର୍ଦ୍ଧାରିତ ହୋଇପାରିନାହିଁ । ସେଇଥିପାଇଁ ଲଘୁ ମନ୍ତବ୍ୟ କରାଯାଏ ଯେ,ପ୍ରଭୂ ଯୀଶୁ ନିଜର ଜୀବଦ୍ଦଶାରେ ଜାଣିପାରି ନଥିଲେ କେବେ ହେଉଛି  ଅସଲରେ ତାଙ୍କର ଜନ୍ମଦିନ ? ତାଙ୍କର ଅନୁଗାମୀ ମାଥିଉଙ୍କ ସୁସମାଚାର ଅନୁସାରେ ଜୁଡା ର ରାଜା ହେରୋଦଙ୍କ ସମୟରେ ଖ୍ରୀଷ୍ଟଜନ୍ମ ଘଟିଥିଲା । ରାଜା ହେରୋଦ ଜୁଦାରେ ପ୍ରାୟ ତିରିଶବର୍ଷ ଶାସନ କରିଥିଲେ । ଏହି ସମୟରେ ସେ ଜେରୁଜେଲମ୍ ରେ ମନ୍ଦିର ନିର୍ମାଣ ତଥା ସହର ବାହାର ର ମରୁଭୂମୀରେ ବିଶାଳକାୟ ପ୍ରସାଦ ଏବଂ ଦୁର୍ଗର ନିର୍ମାଣ କରିଥିଲେ । ରାଜା ହେରୋଦଙ୍କ ମୃତ୍ୟୁ ଖ୍ରୀପୂ ୪ ରେ ହୋଇଥିଲା । ରାଜା ହେରାଦଙ୍କ ମୃତ୍ୟୁ କାଳକୁ ଦେଖିଲେ ଜଣାଯିବ ଯେ ଯେହେତୁ ଏହା ଖ୍ରୀଷ୍ଟପୂର୍ବ ୪ ର ଘଟଣା ତେଣୁ ଖ୍ରୀଷ୍ଟଙ୍କ ଜନ୍ମ ର ଚାରି ବର୍ଷ ପୂର୍ବରୁ ରାଜା ହେରାଦଙ୍କ ବିୟୋଗ ଘଟିଅଛି ।

ରାଜା ହେରାଦଙ୍କ ମୃତ୍ୟୁର ଦଶବର୍ଷ ପରେ ରାଜା ଅଗଷ୍ଟସ୍ ଙ୍କ ସମୟରେ ରୋମାନ ଗଭର୍ଣ୍ଣର କ୍ୱିରିନସ୍ ୬ ଖ୍ରୀଷ୍ଟାବ୍ଦରେ ଗୋଟିଏ  ସର୍ବ ସାଧାରଣରେ କରଭାର ବ୍ୟବସ୍ଥାର ପ୍ରଚଳନ କରିଥିଲେ । ରାଜା ପ୍ରଜାଙ୍କୁ ସୁରକ୍ଷା ଏବଂ ଶାସନ ପ୍ରଦାନ କରୁଥିବା କାରଣରୁ ପ୍ରଜା ମାନେ ରାଜାଙ୍କୁ କର ପ୍ରଦାନ କରିବା ଉଚିତ ବୋଲି କ୍ୱିରିନସ୍  ପ୍ରଜା ମାନଙ୍କ ଠାରୁ  କର ଆଦାୟ ର ଘୋଷଣା କରିଥିଲେ । ଏହି ଭଳି କର ଆଦାୟ ର ଘୋଷଣା  ଫଳରେ ଲୋକମାନେ ବ୍ୟତିବ୍ୟସ୍ତ ହୋଇ ନିଜନିଜର ପ୍ରାଚୀନ ଗାଆଁ ମାନଙ୍କୁ ଅର୍ଥାତ୍ ସେମାନଙ୍କର ପ୍ରାଚୀନ ବସତି ଆଡକୁ ଫେରିବାକୁ ଆରମ୍ଭ କରିଥିଲେ ବୋଲି କୁହାଯାଏ । କିନ୍ତୁ ସିରିଆ ର ସହରରୁ ସେମିତି ଲୋକମାନେ ନିଜ ନିଜ ପ୍ରାଚୀନ ଆବାସକୁ କରଭାର କାରଣରୁ ପଳାୟନର ସେମିତି କୌଣସି  ପ୍ରାମାଣିକ ତଥ୍ୟ ର ଉଲ୍ଲେଖ ମିଳେ ନାହିଁ । ଜୁଦା ସହରକୁ  ବାଇବେଲ ବର୍ଣ୍ଣିତ ସେମିତି କୌଣସି ତିନିଜଣ ପ୍ରାଜ୍ଞଙ୍କର ଆଗମନ  ଅଥବା ଜଣେ ଅତ୍ୟନ୍ତ ନିଷ୍ଠୁର ରାଜା ହିସାବରେ  ପରିଚିତ ରାଜା ହେରୋଦଙ୍କ ସମୟରେ ସେମିତି ବ୍ୟାପକ ଶିଶୁବଧ ର କୌଣସି ଇତିହାସ-ଉତ୍ସ ନାହିଁ । ସମାନ ଭାବରେ ସେହି ସମାନ ସମୟରେ ଏମିତି ଏକ ଦେବଶିଶୁର ଜନ୍ମ ଆଉ ଯିଏ ପରେ  ତାହାର ଜୀବନ କାଳରେ ମଣିଷଜାତିର ତ୍ରାଣକର୍ତ୍ତା ହିସାବରେ ଏକ ଅଲୌକିକ ଉଚ୍ଚତାକୁ ପ୍ରାପ୍ତ ହେବ ତାହାର ଅସ୍ତିତ୍ୱକୁ କେହି କେବେ ଅସ୍ୱୀକାର କରିନାହାଁନ୍ତି । ତେଣୁ ବାଇବେଲ୍ ର ସେହି ପ୍ରସିଦ୍ଧ କାହାଣୀମାନ ଆମର ଅତ୍ୟନ୍ତ ପରିଚିତ, ବେଥେଲହାମ୍ କୁ ଯାତ୍ରା,ପାନ୍ଥଶାଳା,ମେଷପାଳନ,ମାଜାଇ,ଆଉ ଜେରୁଜେଲମ୍ କୁ ପଳାୟନ । ପୁରାଣର କାହାଣୀ ଭଳି ଏସବୁ ରହିଛି । ଖ୍ରୀଷ୍ଟଙ୍କ ଅନୁଗାମୀମାନେ ଏକଥା କହିଛନ୍ତି । ଗସପେଲ୍ ରେ ବାରଂବାର ଏକଥା କୁହାଯାଇଛି । କେହି କିନ୍ତୁ ଖ୍ରୀଷ୍ଟ ଜନ୍ମ ର କୌଣସି ନିର୍ଦ୍ଦିଷ୍ଟ ବର୍ଷ,ମାସ ବା ତାରିଖ ର ଉଲ୍ଲେଖ କରିନାହାଁନ୍ତି । ମାତ୍ର ପ୍ରଥମେ  ଖ୍ରୀଷ୍ଟ ଜନ୍ମ ର ଉତ୍ସବ ଜାନୁଆରୀ ମାସର ୬ ତାରିଖରେ ପାଳନ ହେଉଥିବାର ସର୍ବ ପ୍ରାଚୀନ ପ୍ରାମାଣିକ ଉଲ୍ଲେଖ ଦେଖିବାକୁ ମିଳିଥାଏ ।

ଇତିହାସ ଦୃଷ୍ଟିରୁ କହିବାକୁ ଗଲେ ସର୍ବପ୍ରଥମେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମର ପ୍ରକୃତ କାଳ ନିରୂପଣ କରାଯାଇଥିଲା ଖ୍ରୀଷ୍ଟ ଜନ୍ମର ବହୁତ ପରେ । ସର୍ବପ୍ରଥମେ  ୩୫୪ ଖ୍ରୀଷ୍ଟାବ୍ଦରେ ଜଣେ ସିରିଆନ୍ ସନ୍ଥ ଫିଉରିଅସ୍ ଡାୟୋନିସିଅସ୍ ଫିଲୋକାଲସ୍  କାଳଗଣନା କରି ଗୋଟିଏ ପଞ୍ଜିକା ବା କାଲେଣ୍ଡର ପ୍ରସ୍ତୁତ କରିଥିଲେ । ସେହି କାଲେଣ୍ଡର ରେ ୩୩୬ ଖ୍ରୀଷ୍ଟାବ୍ଦର ଗୋଟିଏ ଉଲ୍ଲେଖ ରହିଥିଲା । ଅନ୍ୟ ଭାବରେ ଆଉ ଥରେ କହିଲେ, ଫିଉରିଅସ୍ ଡାୟୋନିଅସ୍ ଙ୍କର ୩୫୪ଖ୍ରୀଷ୍ଟାବ୍ଦରେ ପ୍ରସ୍ତୁତ ପଞ୍ଜିକାରେ ୩୩୬ ଖ୍ରୀଷ୍ଟାବ୍ଦ ବର୍ଷର ତଳେ ଯାହା ଉଲ୍ଲେଖ ଥିଲା, ତାହାର ଇଂରେଜୀ ତର୍ଜମାଟି ଏହିଭଳି: “ଏଇଟଥ୍ ଡେ ବିଫୋର୍ ଦି କାଲେଣ୍ଡସ୍ ଅଫ୍ ଜାନୁଆରି (ଡିସେମ୍ବର ୨୫) ବାର୍ଥ ଅଫ୍ ଖ୍ରାଏଷ୍ଟ  ଇନ୍ ବେଥଲହାମ୍ ଇନ୍ ଜୁଡା “। ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀର ମଧ୍ୟଭାଗରେ  ଜଣେ ସନ୍ଥଙ୍କ ଦ୍ୱାରା  ଖ୍ରୀଷ୍ଟଜନ୍ମ ସଂପର୍କରେ ଏହା ସର୍ବପ୍ରଥମ ପ୍ରାମାଣିକ ଉଲ୍ଲେଖ ଯେଉଁଠି ଜାନୁଆରୀ ମାସ ଆରମ୍ଭର ଆଠ ଦିନ ପୂର୍ବରୁ ଅର୍ଥାତ୍ ଡିସେମ୍ବର ମାସ ର ୨୫ ତାରିଖ ଦିନ ଖ୍ରୀଷ୍ଟ ଜନ୍ମ ହୋଇଥିବା କଥା ଲିପିବଦ୍ଧ ରହିଛି । ଏହା ପୂର୍ବରୁ ଖ୍ରୀଷ୍ଟଙ୍କର ଜନ୍ମ ସମୟର ମାସ, ବର୍ଷ କି ତାରିଖ ର କୌଣସି ଉଲ୍ଲେଖ କୌଣସି ଗସପେଲ୍ ରେ କି ଖ୍ରୀଷ୍ଟ ଅନୁଗାମୀମାନଙ୍କ ଲେଖାରେ ନଥିବା କଥା ଆଗରୁ କୁହାଯାଇଛି ।

ସନ୍ଥ ଫିଉରିଅସ୍ ଡାୟୋନିଅସ୍ ଙ୍କ କାଲେଣ୍ଡର ଅନୁସାରେ ଖ୍ରୀପୂ ୪ ଠାରୁ ଖ୍ରୀଷ୍ଟିଆନ ଯୁଗର ଆରମ୍ଭ ବୋଲି ଗ୍ରହଣ କରାଯାଏ । ତାଙ୍କର ମତ ଅନୁସାରେ ସେହି ଖ୍ରୀପୂ ୪ ଠାରୁ ଖ୍ରୀଷ୍ଟିଆନ୍ ଯୁଗ ବା ଖ୍ରୀଷ୍ଟାବ୍ଦର କଳନା ହୋଇ ଆସୁଛି । ତେଣୁ ସନ୍ଥ ଫିଉରିଅସ୍ ଡାୟୋନିସିଅସ୍  ଙ୍କ ଅନୁସାରେ ଖ୍ରୀଷ୍ଟାବ୍ଦ ପ୍ରଚଳନର ସେହି ଷ୍ଟାର୍ଟିଙ୍ଗ୍ ପଏଣ୍ଟ ବା ଆରମ୍ଭ ବିନ୍ଦୁ ଅର୍ଥାତ୍ ଖ୍ରୀପୂ ୪ କୁ ଖ୍ରୀଷ୍ଟଜନ୍ମର ସମୟ ବୋଲି ବିଚାର କରାଯାଉଛି । ଏସବୁକୁ ବିଚାର କୁ ନେଇ ଦେଖିଲେ ଏହି ତଥ୍ୟଟି ଆମକୁ ରୋଚକ ଲାଗିବ ଯେ ଖ୍ରୀଷ୍ଟଙ୍କ ଜନ୍ମ ଅର୍ଥାତ୍ ଖ୍ରୀଷ୍ଟାବ୍ଦର ଆରମ୍ଭ ଖ୍ରୀଷ୍ଟପୂର୍ବ ରୁ ଅର୍ଥାତ୍ ଖ୍ରୀଷ୍ଟପୂର୍ବ ୪ ରୁ ଆରମ୍ଭ ହୋଇଛି । ଟିକିଏ ଦାର୍ଶନିକସୁଲଭ ଭଙ୍ଗୀରେ କହିଲେ ,ଏଇଠି ଖ୍ରୀଷ୍ଟ ଏକ ବ୍ୟକ୍ତି ନୁହଁନ୍ତି,ଏଇଠି ସେ ଏକ କାଳ । ଯୀଶୁଖ୍ରୀଷ୍ଟ ଏଇଠି ଏକ କାଳବାଚକ ଶବ୍ଦ ।

ଏଇଠି ତାହାହେଲେ ପ୍ରଶ୍ନ ଉଠିବ ସନ୍ଥ ଫୁରିଅସ୍ ଡୋୟୋନିଅସ ଫିଲୋକାଲସ୍ ଡିସେମ୍ବର ୨୫ ତାରିଖକୁ ଖ୍ରୀଷ୍ଟଜନ୍ମର ପ୍ରକୃତ ଦିନ ବୋଲି ବାଛିବା ପଛରେ କାରଣ କ’ଣ? ସର୍ବପ୍ରଥମେ ଖ୍ରୀଷ୍ଟଜନ୍ମଦିନ  ଜାନୁଆରୀମାସର ୬ ତାରିଖ ଦିନ ପାଳନ ହୋଇ ଆସୁଥିବା କଥା ଆଗରୁ କୁହାଯାଇଛି । ଫିଉରିଅସ୍ ଡାୟୋନିଅସ୍ ଙ୍କ ୩୫୪ ଖ୍ରୀଷ୍ଟାବ୍ଦରେ ପ୍ରସ୍ତୁତ କାଲେଣ୍ଡର ଏବଂ ତଦନୁଯାୟୀ ସେ ସମୟର ଖ୍ରୀଷ୍ଟଧର୍ମର ମୁଖ୍ୟ ମହାମାନ୍ୟ ପୋପ୍ ଜୁଲିଅସ୍ ପ୍ରଥମ (ପରେ ସେ ସନ୍ଥତ୍ୱ ପ୍ରାପ୍ତ  ହୋଇଥିଲେ ) ୨୫ ଡିସେମ୍ବର କୁ ଖ୍ରୀଷ୍ଟଜନ୍ମର ପବିତ୍ର ଦିନ ହିସାବରେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହି ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀର ମଧ୍ୟକାଳରୁ ଆଜି ଯାଏ ଏହି ବିଶେଷ ଦିନ ଅର୍ଥାତ୍ ଡିସେମ୍ବର ୨୫ କୁ ଖ୍ରୀଷ୍ଟଜନ୍ମର ପବିତ୍ର ଦିନ ହିସାବରେ ପାଳନ କରାଯାଇ ଆସୁଅଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସର୍ବପ୍ରଥମେ ଜାନୁଆରୀ ମାସ ର ୬ ତାରିଖ ଠାରୁ ଆରମ୍ଭ କରି ଭିନ୍ନ ଭିନ୍ନ ସମୟରେ ଜାନୁଆରୀ ମାସର ୧ ତାରିଖ,ମାର୍ଚ୍ଚ ମାସର ୨୫ ତାରିଖ ଏବଂ ମେ ମାସର ୨୦ ତାରିଖ ଦିନ ଖ୍ରୀଷ୍ଟଜନ୍ମ ର ଉତ୍ସବ ପାଳିତ ହୋଇ ଆସୁଥିବା କଥାର ପ୍ରମାଣ ଦେଖିବାକୁ ମିଳେ । ୩୫୪ ଖ୍ରୀଷ୍ଟାବ୍ଦ ପରଠାରୁ କିନ୍ତୁ ଏଯାବତ୍ ଡିସେମ୍ବର ୨୫ ହିଁ ଖ୍ରୀଷ୍ଟଜନ୍ମର ପ୍ରକୃତ ଦିନ ହିସାବରେ ଗ୍ରହଣୀୟ ହୋଇ ଆସୁଛି । ଡିସେମ୍ବର ମାସର ୨୫ ତାରିଖକୁ ଖ୍ରୀଷ୍ଟଙ୍କ ଜନ୍ମଦିନ ବୋଲି ଗ୍ରହଣୀୟ ହେବା ପଛରେ ସାଧାରଣତଃ ଦୁଇଟି କାରଣ ପ୍ରମୁଖ । ଲ୍ୟୁକ୍ ଙ୍କ ସୁସମାଚାର ଅନୁସାରେ ମହେଶ ପାଳକ ମାନେ ଖ୍ରୀଷ୍ଟଙ୍କ ଜନ୍ମ ହେବାର ଘୋଷଣାର ଖବର ପାଇଥିଲେ ଯେତେବେଳେ ସେମାନେ ରାତ୍ରିକାଳ ରେ ନିଜର ମେଷଦଳ ଉପରେ ଦୃଷ୍ଟି ରଖିଥିଲେ । ନିଜର ମେଷଦଳ ଉପରେ ମେଷପାଳକମାନେ ଦିନ ଆଉ ରାତି ସତର୍କ ଦୃଷ୍ଟି କେବଳ ଗୋଟିଏ ସମୟରେ ରଖିଥାନ୍ତି ଆଉ ତାହା ହେଉଛି ମେଷଦଳର ଲୋମଶ ହେବାର ସମୟ ବା ଯାହାକୁ ଇଂରେଜୀରେ କୁହାଯାଏ ଲାମ୍ବିଙ୍ଗ୍ ଟାଇମ୍ । ମେଷଦଳର ଲାମ୍ବିଙ୍ଗ୍ ଟାଇମ୍ ସାଧାରଣତଃ ଶୀତକାଳରେ ହୋଇଥାଏ । ଅନ୍ୟ ସମୟରେ ମେଷପାଳକମାନେ ନିଜର ମେଷଦଳ ଉପରେ ସେମିତି ସତର୍କ ଦୃଷ୍ଟି ଦିଅନ୍ତି ନାହିଁ । ଲ୍ୟୁକ୍ ଙ୍କ ସୁସମାଚାର ଅନୁସାରେ ଗଭୀର ରାତ୍ରି କାଳରେ ନିଜର ମେଷଦଳର ଉପରେ ସତର୍କ ଦୃଷ୍ଟି ରଖିଥିବା ବେଳେ ମେଷପାଳକ ମାନେ ଯେହେତୁ ଖ୍ରୀଷ୍ଟଜନ୍ମର ସମ୍ବାଦ ପାଇଥିଲେ ସେଦୃଷ୍ଟିରୁ ସେ ସମୟଟି ଘୋର୍ ଶୀତକାଳ ହୋଇଥିବା ସମ୍ଭବ । ସେଇଥିପାଇଁ ଯେଉଁ ଶୀତକାଳୀନ ତାରିଖ ଟି ବଛାଗଲା ତାହା ହେଲା ୨୫ ଡିସେମ୍ବର । ଏଇ ବିଶେଷ ତାରିଖକୁ ଖ୍ରୀଷ୍ଟଜନ୍ମର ତାରିଖ ହିସାବରେ ବଛାଯିବା ପଛରେ ଏହା ହେଉଛି ପ୍ରଥମ କାରଣ ।

୨୫ ଡିସେମ୍ବର ଖ୍ରୀଷ୍ଟଜନ୍ମ ପଛରେ ଯେଉଁ ଦ୍ୱିତୀୟ କାରଣଟି ରହିଛି ତାହା ର ପଛରେ ଏକ ଧର୍ମଭିତ୍ତିକ ରାଜନୈତିକ ଆଭିମୂଖ୍ୟ ରହିଅଛି । ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀ ବେଳକୁ ଡିସେମ୍ବର ମାସର ୨୫ ତାରିଖ ଦିନ ରୋମାନ୍ ମାନେ ଏକ ବିଶେଷ ପର୍ବ ପାଳନ କରୁଥିଲେ । ସେତେବେଳେ ରୋମାନ୍ ମାନେ ଯାହାକୁ କହନ୍ତି “ପାଗାନ୍” ବା  ବହୁଦେବ- ଆରାଧନା କରୁଥିଲେ । ଖ୍ରୀଷ୍ଟାନ୍ ମାନଙ୍କ ତୁଳନାରେ ସେମାନଙ୍କର ସଂଖ୍ୟା ଯଥେଷ୍ଟ ଅଧିକ ଥିଲା । ସେହି ପାଗାନ୍ ରୋମାନ୍ ମାନେ ଡିସେମ୍ବର ମାସର ୨୫ ତାରିଖ ଦିନ ମହାସମାରୋହରେ ଗୋଟିଏ ପର୍ବ ପାଳନ କରୁଥିଲେ । ସେହି ପର୍ବକୁ ” ନାତାଲିସ୍ ସୋଲିସ୍ ଇନଭିକ୍ଟି” ବା “ଅପରାଜେୟ ସୂର୍ଯ୍ୟଦେବଙ୍କ ଜନ୍ମଦିନ ” ବୋଲି କୁହାଯାଉଥିଲା । ସେତେବେଳେ ସୂର୍ଯ୍ୟଦେବଙ୍କ ନାଆଁ ଥିଲା ମିଥରାସ୍ । ଏହି ଉତ୍ସବ ପାରସ୍ୟରୁ ଆରମ୍ଭ ହୋଇ ଖ୍ରୀଷ୍ଟ ପୂର୍ବ ପ୍ରଥମ ଶତାବ୍ଦୀରେ ରୋମାନ୍ ସାମ୍ରାଜ୍ୟରେ ବ୍ୟାପୀ ଯାଇଥିଲା ।  ୨୭୪ ଖ୍ରୀଷ୍ଟାବ୍ଦ ବେଳକୁ ଏହି “ମିଥରାଇଜମ୍” ବା ସୂର୍ଯ୍ୟବାଦ ଏପରି ବ୍ୟାପକ ଆଦୃତି ଲାଭ କରିଥିଲା । ତତ୍କାଳୀନ ରୋମାନ ସମ୍ରାଟ ଅଉରେଲିଆନ୍ ଏହାକୁ ରାଜଧର୍ମ ବୋଲି ଘୋଷଣା କରିଥିଲେ । କହିବାକୁ ଗଲେ ମିଥରାଇଜମ୍ ଏତେ ବ୍ୟାପକତା ଅର୍ଜନ କରିଥିଲା ଯେ  ସେ ସମୟରେ ଅନେକ ମନେ କରୁଥିଲେ ଏହିଭଳି ସୂର୍ଯ୍ୟ ଉପାସନା ଅବ୍ୟାହତ ରହିଲେ ଖ୍ରୀଷ୍ଟଧର୍ମର  ଭବିଷ୍ୟତ ବୋଲି ଆଉ କିଛି ରହିବ ନାହିଁ । ତେଣୁ ସେ ସମୟରେ ମିଥରାଇଜମ୍ ଆଉ ଖ୍ରୀଷ୍ଟଧର୍ମ ମଧ୍ୟରେ ସମାଜରେ ଗୋଟିଏ ପ୍ରକାର ଅସହଜ ଶୀତଳ ଯୁଦ୍ଧ ଚାଲିଥିଲା । ସେ ସମୟର ରୋମାନ ସାମ୍ରାଜ୍ୟର ଉଭୟ ଉଚ୍ଚବର୍ଗ ଆଉ ନିମ୍ନବର୍ଗ କୌଣସି ଉତ୍ସବକୁ ଦୀର୍ଘ ଦିନ ଧରି ପାଳନ କରିବାରେ ଅଧିକ ଆଗ୍ରହ ପ୍ରକାଶ କରୁଥିଲେ । ଖାଲି ଏହି ସୂର୍ଯ୍ୟ ଜନ୍ମଦିନ ର ଉତ୍ସବ ନୁହଁ ,ଦେଖିବାକୁ ଗଲେ ଖ୍ରୀଷ୍ଟ ପୂର୍ବ ଅଷ୍ଠମ ଶତାବ୍ଦୀର ଶେଷ ଭାଗରୁ ରୋମାନ୍ ମାନେ ଦୀର୍ଘକାଳ ଧରି ଉତ୍ସବପାଳନରେ  ଅଭ୍ୟସ୍ତ ଥିଲେ । “ନାତାଲିସ୍ ସୋଲିସ୍ ଇନଭିକ୍ଟି” ଭଳି ସୂର୍ଯ୍ୟଦେବଙ୍କ ଜନ୍ମଦିନରେ ଭୋଜି ,ସାର୍ବଜନୀନ ନୃତ୍ୟଗୀତ ଆଦିରେ ସେମାନେ ସମୟ ବିତାଉଥିଲେ । ଏହା ସହିତ ମଧ୍ୟ ସେମାନେ ଶନିଦେବ ସଟନ୍ନ ଙ୍କ ପାଇଁ ଉତ୍ସବ ବି ପାଳନ କରୁଥିଲେ । ଏହି ଉତ୍ସବକୁ “ସାଟାରନାଲିଆ” ବୋଲି କୁହାଯାଉଥିଲା । ନିଜର ଧର୍ମକୁ ଯଥାସମ୍ଭବ ବ୍ୟାପକତାର ପରିପ୍ରେକ୍ଷ୍ୟ ଦେବାପାଇଁ ଖ୍ରୀଷ୍ଟାନ ସନ୍ଥ ଏବଂ ଧର୍ମଗୁରୁ ମାନେ ପାଗାନ୍ ରୋମାନ ମାନଙ୍କର ସୂର୍ଯ୍ୟଦେବ ଆଉ ଶନିଦେବ ଉଭୟ ଙ୍କର ମହାସମାରୋହରେ ପାଳିତ ହୋଇ ଆସୁଥିବା ଡିସେମ୍ବର ୨୫ ତାରିଖ ଦିନଠାରୁ ଆରମ୍ଭ ହୋଇ ଆସୁଥିବା ଉତ୍ସବର ବହୁଳତାକୁ ପ୍ରତିହତ କରିବା ଆବଶ୍ୟକ ବୋଲି ଅନୁଭବ କରିଥିଲେ । ତେଣୁ ସେମାନେ ସେହି ସମାନ ଦିନ ଅର୍ଥାତ୍ ଡିସେମ୍ବର ମାସର ୨୫ ତାରିଖ କୁ ଖ୍ରୀଷ୍ଟଜନ୍ମର ପବିତ୍ର ଦିନ ବୋଲି ସ୍ଥିର କରିଥିଲେ । ଏହି ଭଳି ନିର୍ଣ୍ଣୟ ପଛରେ ଐତିହାସିକତା ର ଆଧାର ଅପେକ୍ଷା ଧର୍ମଗତ ରାଜନୀତିର ଭୂମିକାଟି ଯଥେଷ୍ଟ ଅଧିକ ।

ପ୍ରାଥମିକ ଭାବରେ ଏହି ଦିନକୁ କେବଳ ପ୍ରାର୍ଥନା ର ଆଧାରରେ ପାଳନ କରିବା ପାଇଁ ଖ୍ରୀଷ୍ଟଧର୍ମର  ଗୁରୁମାନେ ନିର୍ଣ୍ଣୟ କରିଥିଲେ । ଯଦିଓ ସେମାନଙ୍କ ଦୃଷ୍ଟିରେ ଏହା ପାଗାନ୍ ରୋମାନ୍ ମାନଙ୍କ ଉତ୍ସବର ମୁକାବିଲା କଲା ଭଳି ଏକ ପ୍ରତିବାଦମୂଳକ ଧାର୍ମିକ ଉତ୍ସବ ଥିଲା , ତଥାପି ସେମାନେ ଏହାକୁ ପାଗାନ୍ ରୋମାନମାନଙ୍କ ଭଳି ବିଳାସ ବ୍ୟସନରେ ପାଳନ ନକରି  ଏହାକୁ ସଂଯତ ନିରାଡମ୍ବର ଭାବରେ   ଖ୍ରୀଷ୍ଟ ଉପାସନାରେ ପାଳନ କରିବାକୁ ସ୍ଥିର କରିଥିଲେ । ତେଣୁ  ଯୀଶୁଖ୍ରୀଷ୍ଟ ଙ୍କ ପାଇଁ ସମବେତ ପ୍ରାର୍ଥନା ବା “ମାସ୍” କରାଯାଉଥିବାରୁ ଏଇଦିନକୁ ଖ୍ରୀଷ୍ଟମାସ ବା କ୍ରିସମାସ ବୋଲି ଅନ୍ୟ ଭାବରେ କୁହାଯାଇଥାଏ । ୩୫୪ ଖ୍ରୀଅ ରେ ଜଣେ ଅଜ୍ଞାତ ଧର୍ମଗୁରୁ ଏଇ ଦିବସ ସଂପର୍କରେ ମନ୍ତବ୍ୟ ହେଉଛି,” ଆମେ ଏହି ଦିବସକୁ ପବିତ୍ର ବୋଲି ମନେକରୁ,ଏହା ପାଗାନ୍ ମାନଙ୍କର ସୂର୍ଯ୍ୟ ଜନ୍ମ ଭଳି ନୁହଁ,ଏହା ହେଉଛି ତାଙ୍କର ଉତ୍ସବ ଯିଏ ସୂର୍ଯ୍ୟ ଓ ସେମାନଙ୍କୁ ନିର୍ମାଣ କରିଅଛି ।”

ଖ୍ରୀଷ୍ଟାନ୍ ଧର୍ମର ଐତିହାସିକ କାଳକ୍ରମରେ ଏଇ ଦୁଇଟି ଘଟଣା ଗୁରୁତ୍ୱପୂର୍ଣ୍ଣ। ୩୩୬ ଖ୍ରୀଅ ରେ ରୋମାନ ସମ୍ରାଟ କନଷ୍ଟାଣ୍ଟାଇନ୍ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ ହେଲେ ।ପ୍ରଥମଥର ପାଇଁ ସେତିକିବେଳଠାରୁ ରୋମାନ ସାମ୍ରାଜ୍ୟ ଆଉ ଖ୍ରୀଷ୍ଟଧର୍ମ ଏକାଙ୍ଗୀକୃତ ହୋଇଗଲା । ଆଉ ୩୫୪ଖ୍ରୀଷ୍ଟାବ୍ଦରେ ରୋମ୍ ର ବିଶପ ଲିବେରିଅସ୍ ଘୋଷଣା କରିଥିଲେ ଯେ,ଯିଶୁଖ୍ରୀଷ୍ଟଙ୍କ ମୃତ୍ୟୁ ଦିବସ ଭଳି ତାଙ୍କର ଜନ୍ମଦିନ ବି ପାଳନ କରିବା ଅନିର୍ବାର୍ଯ୍ୟ ।

ତାହା ପରଠାରୁ ଡିସେମ୍ବର ୨୫ ଖ୍ରୀଷ୍ଟଜନ୍ମ ହିସାବରେ ଅବିବାଦିତ ରହିଛି ।

ପ୍ରଚଣ୍ଡ ଶୀତକାଳରେ ପାଳିତ ହେଉଥିବା କାରଣରୁ ଖ୍ରୀଷ୍ଟଜନ୍ମ କୁ ବିଶେଷ ଭାବରେ ଏକ ଶୀତଉତ୍ସବ ଆକାରରେ ପରିଗଣିତ କରାଯାଏ । ପ୍ରାଚୀନ ଇଂରେଜୀରେ ଅର୍ଥାତ୍ ଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀ ବେଳକୁ ଗୋଟିଏ ଶବ୍ଦର ପ୍ରଚଳନ ଥିଲା। ଏଇଠି ପ୍ରଯୁଜ୍ୟ ସେହି ବିଶେଷ ଶବ୍ଦଟି ହେଉଛି “ଜୁଲ୍ ((Yule)। ଶୀତକାଳର ଅୟନାନ୍ତ ଅର୍ଥାତ୍ ସୂର୍ଯ୍ୟ ଯେତେବେଳେ କର୍କଟରେଖାର ଶେଷତମ ଦୂରତ୍ୱରେ ଅବସ୍ଥାନ କରୁଥାନ୍ତି ଅର୍ଥାତ୍ ୨୫ ଡିସେମ୍ବର ଦିନ ଅର୍ଥାତ୍ ଖ୍ରୀଷ୍ଟଜନ୍ମର ଦିନକୁ “ୟୁଲ୍” ବୋଲି କୁହାଯାଉଥିଲା। ସ୍ୱିଡେନ ,ଆଇସଲାଣ୍ଡ ଭଳି ଦୂରବର୍ତ୍ତୀ ଉତ୍ତର ଗୋଲାର୍ଦ୍ଧର ଦେଶ ଗୁଡିକ ଯେଉଁଠି ଶୀତର ପରିମାଣ ସବୁଠାରୁ ଅଧିକ ଏବଂ ଯେଉଁଠି ଶୀତ କହିବାକୁଗଲେ ଯଥେଷ୍ଟ ଦୀର୍ଘ ସେଠାରେ ୨୫ ଡିସେମ୍ବର ଠାରୁ ନୂଆବର୍ଷର ଆରମ୍ଭ ଯାଏଁ ଶୀତର ପ୍ରକୋପକୁ ଏକ ଉତ୍ସବର ପୁଟ ଦେଇ ଉପସ୍ଥିତ ଶୀତକଷ୍ଟକୁ ପ୍ରତିହତ  କରିବା ଉଦ୍ଦେଶ୍ୟରେ ସାମୂହିକ ଉଲ୍ଲାସରେ ଆୟୋଜନ କରାଯାଇଥାଏ  ବ୍ୟାପକ  ଶୀତକାଳୀନ ଉତ୍ସବ ।  ନିଦାରୁଣ ଶୀତର ପରିପ୍ରେକ୍ଷୀରେ  ସାମୂହିକତାର ଏଇ ବିଜୟ ଉତ୍ସବକୁ “ଜୁଲାଟାଇଡ୍” ବୋଲି କୁହାଯାଏ। ଉତ୍ସବ ଆଳରେ ଏକ ପ୍ରାକୃତିକ ପ୍ରତିବନ୍ଧକକୁ ଦୂର କରିବା ଭଳି କ୍ରିୟାଟି ତେଣୁ ସେଇ ସବୁ ଦେଶର ଅତ୍ୟନ୍ତ ଆନନ୍ଦର ପର୍ବ। ଏଇ “ଜୁଲାଟାଇଡ୍” ଉତ୍ସବ ଡିସେମ୍ବର ୨୫ ତାରିଖ ଠାରୁ ଦୀର୍ଘ ବାରଦିନ ଧରି ପାଳିତ ହୋଇଥାଏ। ଏହି ଉତ୍ସବ ସମୟରେ ଲୋକମାନେ ବଡବଡ କାଠଗଣ୍ଡିମାନ ଆଣି ତାହାକୁ ଗୋଟିକ ପରେ ଗୋଟିଏ ଜଳାଇଥାନ୍ତି। ଏହି ନିଆଁ ସେହି ଅଂଚଳରୁ ସମସ୍ତ ଅମଙ୍ଗଳକାରୀ ପ୍ରଭାବକୁ ଦୂରକରିଦେବା ସହିତ ସେମାନଙ୍କ ପାଇଁ ଏକ ସୁନ୍ଦର ନବବର୍ଷର ବାହକ ହେବ ବୋଲି ସେମାନଙ୍କର ବିଶ୍ୱାସ ରହିଥାଏ। କାଠଗଣ୍ଡିରେ ନିଆଁ ଲଗାଇବା ସହିତ ସେମାନେ ନାନାପ୍ରକାରର କେକ୍ ଆଦି ପ୍ରସ୍ତୁତ କରି ପରସ୍ପର ସହିତ ବିନିମୟ କରିବା ସହିତ ତାହାକୁ ଭକ୍ଷଣ କରିଥାନ୍ତି। ଏହିସବୁ କେକ୍ କୁ ଜୁଲ-କେକ୍ ବୋଲି କୁହାଯାଏ । ଏହା ସହିତ ଏଇ ସମୟକୁ ଆନନ୍ଦମୁଖର କରିବା ପାଇଁ ବିଭିନ୍ନ ପ୍ରକାର “ଜୁଲ୍-ସଂଗୀତ” ଗାନ କରାଯାଇଥାଏ। ଏଇ ସମୟରେ ଜଳାଯାଇଥିବା କାଠଗଢର ପାଉଁଶକୁ ସେମାନେ ସଂଗ୍ରହକରି ଏକ ପବିତ୍ର ବସ୍ତୁ ଆକାରରେ ନିଜନିଜର ଘରେ ରଖିଥାନ୍ତି । ଏହାକୁ ସେମାନେ ନିଜନିଜର କୃଷିକ୍ଷେତ୍ରରେ ପକାଇଥାନ୍ତି। ଏହା ଦ୍ୱାରା ଫଳନ ଭଲ ହେବ ବୋଲି ସେମାନଙ୍କର ବିଶ୍ୱାସ।

କାଳକ୍ରମେ ଏହି ମହାନ ଶୀତଉତ୍ସବ ଅର୍ଥାତ୍ ଜୁଲାଟାଇଡ୍ ର ପାଳନ ରେ ଭିନ୍ନ ଭିନ୍ନ ଦେଶରେ  ଭିନ୍ନ ଭିନ୍ନ ବ୍ୟବସ୍ଥାର ସଂଯୋଜନ ଘଟିଛି। ଉଦାହାରଣ ସ୍ୱରୂପ ଆଇସଲାଣ୍ଡରେ ଖ୍ରୀଷ୍ଟଜନ୍ମ ପାଳନକୁ ତଥା ଜୁଲାଟାଇଡ୍ ର ଆରମ୍ଭ କୁ ସେମାନେ ଏକ ନିଆରା ଢଙ୍ଗରେ ପାଳନ କରିଥାନ୍ତି। ଆଇସଲାଣ୍ଡର ଅଧିବାସୀମାନେ କ୍ରିସମାସର ସଂଧ୍ୟାର ଅବ୍ୟବହିତ ପୂର୍ବରୁ ପରସ୍ପରକୁ ଉପହାର ଆକାରରେ ପୁସ୍ତକ ପ୍ରଦାନ କରିଥାନ୍ତି। ଆଉ ସେମାନେ ଶେଜକୁ ଗଲାବେଳେ ତାଙ୍କର ଚାରିପଟେ ରହିଥାଏ ଶେଜ ଉପରେ ଉପହାର ପାଇଥିବା ସେଇ ପୁସ୍ତକଗୁଡିକ । ଆଇସଲାଣ୍ଡର ଅଧିବାସୀମାନେ ରାତିସାରା ଉଜାଗର ରହି ସେଇ ବହିମାନଙ୍କୁ ଶେଜରେ ଶୋଇ ପଢିବାରେ ଲାଗିଥାନ୍ତି। ଅବଶ୍ୟ ସେତେବେଳେ ତାଙ୍କର ନିକଟରେ ଉପହାର ପାଇଥିବା ବହିଗୁଡିକ ସହିତ କିଛି ଚକୋଲେଟ୍ ରହିଥିବା ଏକାନ୍ତ ଆବଶ୍ୟକ। ତେଣୁ ଚକୋଲେଟ୍ ସହ ବହି ପଢିବାର ଆନନ୍ଦ ସହିତ ସେମାନେ ପାଳନ କରିଥାନ୍ତି ସେମାନଙ୍କର କ୍ରିସମାସ୍। ଏଇଭଳି ପୁସ୍ତକସହିତ କ୍ରିସମାସପାଳନକୁ ସେମାନେ କହିଥାନ୍ତି “କ୍ରିସମାସ-ପୁସ୍ତକ-ବନ୍ୟା”ବା “ଜୁଲାବୁକାଫ୍ଲଡ୍”। ସେଇଥିପାଇଁ ସେମାନେ ବସ୍ତୁତଃ ସେପ୍ଟେମ୍ବର ମାସରୁ ବହି କିଣିବାକୁ ଆରମ୍ଭ କରିଥାନ୍ତି ଏହି “ଜୁଲାଟାଇଡ୍” ପର୍ବ ପାଳନର ପ୍ରସ୍ତୁତିପର୍ବ ହିସାବରେ। ଆଇସଲାଣ୍ଡର ବହିମାନ ତେଣୁ ମୂଖ୍ୟାଂଶରେ ସେପ୍ଟେମ୍ବର ଠାରୁ ନଭେମ୍ବର ମାସ ମଧ୍ୟରେ ପ୍ରକାଶିତ ହୋଇଥାଏ।

(ବନ୍ଧନୀ ମଧ୍ୟରେ ଏଇ ସୂଚନାଟି ରଖିବା ଉଚିତ ମଣୁଛି । ଅନେକଦିନ ଧରି ମୁଣ୍ଡପିଛା ପୁସ୍ତକପ୍ରକାଶନ ହାରରେ ଆଇସଲାଣ୍ଡ ପୃଥିବୀର ଶୀର୍ଷସ୍ଥାନରେ ରହିଥିଲା। ମାତ୍ର ଗତ ୨୦୧୭ ର ହିସାବ ଅନୁସାରେ ତାହାର ସ୍ଥାନ ଏବେ ଦ୍ୱିତୀୟ।ପ୍ରଥମ ସ୍ଥାନରେ ଅଛି ଇଂଲଣ୍ଡ। ଇଂଲଣ୍ଡରେ ପ୍ରତି ଦଶଲକ୍ଷ ଲୋକଙ୍କ ପାଇଁ ୨୭୧୦ ଟି ବହି ପ୍ରକାଶିତ ହେଉଥିବା ବେଳେ ଆଇସଲାଣ୍ଡରେ ପ୍ରକାଶିତ ହେଉଛି ୨୬୨୮ ଖଣ୍ଡ ବହି।)

ଖ୍ରୀଷ୍ଟଜନ୍ମ ସଂପର୍କିତ ଏଇ ଆଲେଖର  ଉପସଂହାରରେ ଆଉ ଘୋଟିଏ କଥା।

ମାନବ ସଭ୍ୟତାର ଆଦ୍ୟକାଳରେ କେବଳ ମଣିଷର ମୃତ୍ୟୁଦିବସ ପାଳିତ ହୋଇ ଆସୁଥିଲା । କାରଣ ମୃତ୍ୟୁ ବେଳକୁ ଜଣେ ମଣିଷର ଜୀବନ କାଳର ସାମଗ୍ରିକ କୃତୀତ୍ତ୍ୱ ସମସ୍ତଙ୍କୁ ଦେଖାଯାଇଥାଏ । ଜନ୍ମ ବେଳକୁ କିନ୍ତୁ ସମସ୍ତେ ଶୁନ୍ ,ତେଣୁ ଜନ୍ମଦିନ ପାଳନର ଆବଶ୍ୟକତା କେହି ଅନୁଭବ କରୁନଥିଲେ । ମଣିଷର ମରଣ ଦିନକୁ ପାଳନ କରି ସଂପୃକ୍ତ ମଣିଷର ଅବଦାନକୁ ସ୍ମରଣ କରିବା ଏବଂ ତାହା ପ୍ରତି କୃତଜ୍ଞତା ନିବେଦନ କରିବା ଆମର ପରଂପରା ଥିଲା । ମାତ୍ର ଯୀଶୁଖ୍ରୀଷ୍ଟ ଙ୍କ ଜନ୍ମ ପାଳନ କରିବା ହେତୁ ଆମେ ତାହାପରେ ଆମର ଜନ୍ମଦିନକୁ ପାଳନ କରିବା ବି ଶିଖିପାରିଲୁ । ଖ୍ରୀଷ୍ଟଜନ୍ମ ପାଳନ ର ଏହା ଏକ ସର୍ବସାଧାରଣ ପ୍ରତିରୂପ ।

°°°°°

ପ୍ରଭୂ ଯୀଶୁଙ୍କର ପବିତ୍ର ଧରାବତରଣର ଦିନ । ପବିତ୍ର କ୍ରିସମାସ୍ । ପବିତ୍ର ବଡଦିନ।

ଆପଣମାନଙ୍କର ଏହି ବଡଦିନ ଆନନ୍ଦମୁଖର ହେଉ।

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →

Leave a Reply

Your email address will not be published. Required fields are marked *