ନବବର୍ଷ: ଏକ ଉତ୍ସବ ବିଚାର (ଦୁଇ)

ଇଏ ଏକ ବିଚିତ୍ର କୋଳାହଳର ସମୟ ।

ନବବର୍ଷର ପ୍ରାକ୍ କାଳ ହେଉଛି ଏମିତି ଗୋଟିଏ ରାତ୍ରୀ ଯେଉଁ ରାତ୍ରିଟି ହେଉଛି ଆମର ସବୁଠୁ ଶବ୍ଦବହୁଳ ରାତ୍ରୀ । ଆଉ କିଛି ସମୟ ପରେ ଆମେ ଆଉ ଗୋଟିଏ କାଳଖଣ୍ଡକୁ ଭେଟିବୁ। ସେଠାରେ ଆମ ପାଇଁ ସୁଖ କି ଦୁଃଖ କି ଆଉ କେଉଁ ଅଲୌକିକତା କି ଆଉ କ’ଣ ରହିଅଛି ତାହା ଆମକୁ ଆଦୌ ଜଣାନାହିଁ ।

ଅନେକ ସମ୍ଭାବନା ଆଉ ବିଶ୍ୱାସ ସହ ଆମେ ଏତିକି ବେଳେ ଯେଉଁ କୋଳାହଳରେ ରହିଥାଉ  ତାହା ଶବ୍ଦର ଆଉ ନିଃଶବ୍ଦ ରେ ନିର୍ମାଣ ।

ନବବର୍ଷର ପ୍ରାକ୍ କାଳ ବା ଯାହାକୁ ଆମେ କହୁ ନିଉ ଇଅର୍ ଇଭ୍  ସେଇଟି କହିବାକୁ ଗଲେ ହେଉଛି ଆମର  ବର୍ଷର ସବୁଠାରୁ ଅଧିକ କୋଳାହଳପୂର୍ଣ୍ଣ  ରାତ୍ରୀ । କାରଣ ଠିକ୍ ସେହି କାଳଖଣ୍ଡରେ ଠିଆ ହୋଇ ଆମ ଭିତରେ ସଚରାଚର ଯେଉଁ ନବ-ଭୟାର୍ତ୍ତ ବା ନିଉଫୋବିକ୍ ଟି ବାସ କରିଆସୁଛି ତାହାକୁ ଅସ୍ୱୀକାର କରିବାକୁ ଯାଇ ଆମେ ସାଧାରଣତଃ ଆମର ଆଗାମୀ ସମୟକୁ  ଆନନ୍ଦ ଆଉ ଉଲ୍ଲାସର ମାତ୍ରାଧିକ ପୁଟ ଦେଇ ଆମର କୋଳାହଳକୁ ଠିକ୍ ଏତିକିବେଳେ  ସଂରଚନା କରିଥାଉ । ମଣିଷ କହିବାକୁ ଗଲେ ଦୁଇଟି ଜିନିଷକୁ ମନେ ରଖିଥାଏ, ତାହାର ସବୁଠାରୁ ଆନନ୍ଦଦାୟକ ମୁହୂର୍ତ୍ତ ଏବଂ ତାହାର ସବୁଠାରୁ ବେଦନାକ୍ତ ସମୟର ଅତୀତକାଳ । ସେଦୃଷ୍ଟିରୁ ମଣିଷ ଇଚ୍ଛା କଲେ ତାହାର ବେଦନାଭରା ସମୟକୁ ଚାପି ରଖିବା ପାଇଁ ତାହାର ଅତୀତର ଆନନ୍ଦମୟ ସମୟକୁ ମନେ ପକାଇ ପାରିବ । ମାତ୍ର ମଣିଷର ଆଗାମୀ ସମୟରେ  ତାହା ପାଇଁ ସେମିତି କିଛି ର  ସ୍ଥିରତା ଯେହେତୁ  ନାହିଁ ତେଣୁ ସେ ଆଗାମୀ ସଂଭାବନାକୁ ଅତୀତ କାଳର ଆନନ୍ଦବେଳ ମାନଙ୍କ ସହ ଏକାଠି ଯୋଡିଯାଡି ଗୋଟିଏ ମଧୁରମୂହୁର୍ତ୍ତ ନିର୍ମାଣ କରିବାକୁ  ପ୍ରୟାସ କରିଥାଏ । ଏତିକିବେଳେ ଏହି ଭଳି ମଧୁର ନିର୍ମାଣ ହେଉଛି ଆମର ଅତୀତର ବେଦନାକ୍ତ ମୁହୂର୍ତ୍ତଭଳି  ଯାତନା ସମୂହକୁ ପ୍ରତିହତ କରିବାର ଏକ ଆଶ୍ରୟ । ସତ କହିଲେ ଆମର ଅତୀତର ବେଦନା ଆମ ଭିତରେ ନିଓଫୋବିକ ବା ନୂତନତା  ପ୍ରତି ଏକ ଭୟ ଆଉ ସନ୍ଦେହ ସୃଷ୍ଟି କରିଥାଏ । ନବ-ଭୟାର୍ତ୍ତ ବା ନିଓଫୋବିକ୍ ର ବିଷାଦର ସ୍ୱରୂପ ସାଧାରଣତଃ ଦୁଇପ୍ରକାର ଭାବରେ ଆମକୁ ବିଷର୍ଣ୍ଣ କରି ରଖିଥାଏ,ହୁଏତ ଆଗାମୀ କାଳରେ ଆମର ଦୁଃଖ ଆମର ଅତୀତରେ ଭୋଗିଥିବା ଦୁଃଖ ଭଳି ପ୍ରବଳତର ହେବ ଅଥବା ଆମେ ଏଇଲେ ଯେଉଁ ଆନନ୍ଦ ଲାଭ କରୁଛୁ ତାହା ଆଉ ଅଧିକ ସମୟ ରହିବ ନାହିଁ । ତାହାପରେ ଆମର ଦୁଃଖ ବହୁଗୁଣିତ ହୋଇ ଆମପାଖକୁ ଲେଉଟି ଆସିବ ।

ଆମର ସମସ୍ତ ବିଷାଦବୋଧକୁ ଏହି ନବବର୍ଷର ପ୍ରାକ୍ କାଳରେ ଘଡିଏ ଭୁଲିଯିବାକୁ ଉଚିତ ମଣୁ ବୋଲି  ଆମେ ଏଇ ସମୟରେ ମାତ୍ରାଧିକ ଆନନ୍ଦରେ ଉଲ୍ଲସିତ ହେଉ ଆଉ ସେଇ ଉଲ୍ଲାସ ର ରୋଷଣୀରେ ଏଇ ବିଶେଷ ସମୟଟି କୋଳାହଳପୂର୍ଣ୍ଣ ହୋଇଯାଏ ।

ପ୍ରାଚୀନ କାଳରେ ଯେତେବେଳେ ଆମର ସମସ୍ତ ଧ୍ୟାନଧାରଣା କୃଷିକୈନ୍ଦ୍ରିକ ଥିଲା ସେତେବେଳେ ନବବର୍ଷର ଏହି ପ୍ରାକ୍ କାଳକୁ ଇଉରୋପ୍ ର କୃଷକ ମାନେ ଏକ ଭିନ୍ନ ଭାବରେ ପାଳନ କରୁଥିଲେ । ଖ୍ରୀଷ୍ଟୀୟ ଅଷ୍ଟମ ନବମ ଶତାବ୍ଦୀରେ ଇଉରୋପ୍ ର କୃଷକ ମାନେ ମନେ କରୁଥିଲେ ସେମାନଙ୍କର ଫସଲ ହାନି ପଛରେ ରହିଛି ଆଧିଭୌତିକ ଦୁରାତ୍ମାମାନଙ୍କର ଦୁଷ୍ଟ ବୁଦ୍ଧି । ଏହି ଦୁରାତ୍ମାମାନେ ଫସଲରେ ପୋକ ଆଉ ରୋଗ ଆଦି ସୃଷ୍ଟି କରି ମଣିଷକୁ ସେମାନଙ୍କର ବଶୀଭୂତ କରିବାକୁ ସବୁବେଳେ ଚାହୁଁଥିଲେ । ଇଉରୋପର କୃଷକମାନେ ନବବର୍ଷର ଏଇ ପ୍ରାକ୍ କାଳକୁ ଦୁରାତ୍ମା ମାନଙ୍କୁ ଶସ୍ୟକ୍ଷେତ୍ରରୁ ତଡିବା ପାଇଁ ବିଶେଷ ପ୍ରବନ୍ଧ ମାନ କରୁଥିଲେ । ସେମାନେ ଉଚ୍ଚକଂଠରେ ଚିତ୍କାର କରି, ଶିଙ୍ଗା ବାଦନ କରି ଶସ୍ୟ କ୍ଷେତ୍ରରୁ ଦୁରାତ୍ମାମାନଙ୍କୁ ଆକାଶକୁ ଏଇ ସମୟରେ ତଡିଦେଉଥିଲେ । ଏହି ସମୟରେ ଚାଇନାରେ ଲୋକେ ଆଲୋକର ଦେବତା ୟାଙ୍ଗ୍ ଙ୍କ ଆରାଧନା କରିବା ସହିତ ଅଂଧାରର ଦେବତା ୟିନ୍ ଙ୍କୁ ତଡିବା ପାଇଁ ରାତିରେ ବାଣ ଫୁଟାଉଥିଲେ, ଶିଙ୍ଗାବାଦନ କରୁଥିଲେ । କିନ୍ତୁ ବିଧିବଦ୍ଧ ଭାବରେ ନୂଆବର୍ଷ କୁ ଏକ ପ୍ରଥା ହିସାବରେ ପାଳନ କରିବା କଥା ଆରମ୍ଭ ହୋଇଥିଲା ଖ୍ରୀଷ୍ଟୀୟ ସପ୍ତଦଶ ଶତାବ୍ଦୀର ଆମେରିକାରେ  ବସବାସ କରୁଥିବା ଓଲନ୍ଦାଜ ମାନେ ନୂଆବର୍ଷର ଆଗମନକୁ ନାଚଗୀତ ଆଉ ପାନଭୋଜନରେ ପାଳନ କରିବାର ପ୍ରାମାଣିକ ଉଲ୍ଲେଖ ମିଳେ ।

ନୂତନଯୁଗର ଅଧିବାସୀ ମାନେ ଆସିବା ପୂର୍ବରୁ ଆମେରିକାର ଆଦିମ ଅଧିବାସୀ ମାନେ ବିଶେଷତଃ ଯେଉଁମାନଙ୍କୁ ଇରୋକ୍ୟୁଇସ୍ ଇଣ୍ଡିଆନ୍ ବୋଲି କୁହାଯାଉଥିଲା ସେମାନେ ନୂଆ ବର୍ଷ କୁ ଏକ ବିଚିତ୍ର ଭାବରେ ପାଳନ କରୁଥିଲେ । ଏହି ଉତ୍ସବଟି ସେମାନଙ୍କର ନୂତନ ଫସଲ ପାଚିବା ଆଉ ଅମଳହେବା ସମୟରେ ପାଳିତ ହେଉଥିଲା । ଇରୋକ୍ୟୁଅସ୍ ଇଣ୍ଡିଆନ୍ ମାନେ ସେମାନଙ୍କର ସମସ୍ତ ବଳକା ଖାଦ୍ୟଶସ୍ୟ,ଲୁଗାପଟା,ବାସନକୁସନ ଯାହା ଯାହା ତାଙ୍କର ବିଗତ ବର୍ଷର ଅର୍ଜନ ଥିଲା ସେହି ସବୁକୁ ଏକାଠି କରି ସେଥିରେ ନିଆଁ ଲଗାଇ ଏକ ଅଗ୍ନ୍ୟୁତ୍ସବ ବା ବନ୍-ଫାୟାର୍ ର ଆୟୋଜନ କରୁଥିଲେ । ଏହା ଦ୍ୱାରା ସେମାନେ ଯାହା ସେମାନଙ୍କର ଅତୀତ ରହିଥିଲା ତାହାକୁ ସଂପୂର୍ଣ୍ଣ ଧ୍ୱଂସ କରି ଏକ ପୂର୍ଣ୍ଣତଃ ନୂତନତ୍ୱ ସହିତ ବଞ୍ଚିବାର ଆୟୋଜନ କରୁଥିଲେ ,ଏଇ ଭଳି ନୂଆ ବର୍ଷ ପାଳନ ଆଳରେ । ନିଜର ଅତୀତର ସବୁକିଛିକୁ ଜାଳି ଦେବା ଆଉ ନୂତନତାକୁ ଶୂନ୍ ରୁ ଆରମ୍ଭ  କରିବା ଭଳି ଆମେରିକାର ଇରୋକ୍ୟୁଅସ୍ ଇଣ୍ଡିଆନ୍ ଆଦିମ ଅଧିବାସୀଙ୍କ ର ଏପରି ଏକ ଉତ୍ସବ ପାଳନ ସଂପର୍କରେ ନୃତତ୍ତ୍ୱବିତ୍ ମାନଙ୍କ ଭିତରେ ମତପାର୍ଥକ୍ୟ ରହିଛି ।  ଅନେକ ବିଦ୍ୱାନ ଏହିଭଳି ପର୍ବପାଳନ ଅର୍ଥାତ୍ ସବୁକିଛି ଯାହା ସେମାନଙ୍କର ଆଗରୁ ଥିଲା ତାହାକୁ ନିଆଁରେ ଜାଳିଦେବା ଭଳି କଥାକୁ ଆକ୍ଷରିକ ଭାବରେ  ଗ୍ରହଣ କରୁନଥିବା ବେଳେ ଏହି ଭଳି ନୂଆବର୍ଷ ପାଳନର ବନ୍-ଫାୟାର୍ କୁ ପ୍ରତୀକାତ୍ମକ ବୋଲି ବିଚାର ବ୍ୟକ୍ତ କରିଛନ୍ତି । ଏ ସଂପର୍କରେ ନିଜର ମତ ବ୍ୟକ୍ତ କରି ପ୍ରଖ୍ୟାତ ନୃତତ୍ତ୍ୱବିତ୍ ସାର୍ ଜେମସ୍ ଫ୍ରେଜର୍ ତାଙ୍କର “ଗୋଲଡେନ୍ ବାଓ” ପୁସ୍ତକରେ ଉଲ୍ଲେଖ କରିଛନ୍ତି ଯେ, ଇରୋକ୍ୟୁଅସ୍ ଇଣ୍ଡିଆନ ମାନେ ନବବର୍ଷ ପାଳନ କରୁଥିଲେ ସତ , ନିଆଁ ଜାଳୁଥିଲେ ସତ ଆଉ ନିଆଁରେ ସେମାନେ ଯାହାପାରିଲେ ତାହା ଫୋପାଡୁଥିଲେ ସତ ,ମାତ୍ର ସେତେବେଳକୁ ସେମାନେ ନାରୀ ଆଉ ପୁରୁଷ ନିର୍ବିଶେଷରେ ମୁଖା ପିନ୍ଧୁଥିଲେ, ନିଶାଗ୍ରସ୍ତ ଓ ଉତ୍ସୃଙ୍ଖଳ ଥିଲେ ଏବଂ ପରସ୍ପରକୁ ଆଘାତ କରୁଥିଲେ । ସେଦୃଷ୍ଟିରୁ ସେତେବେଳେ ସେମାନେ ନିଆଁକୁ ଯାହା ଫୋପାଡୁଥିଲେ ତାହାକୁ ଅତୀତକୁ ଜାଳିବା ଭଳି ଏକ ସଚେତନ ବିଚାରବନ୍ତ ପ୍ରଥାବୋଲି ଗ୍ରହଣ କରାଯିବା ଉଚିତ ନୁହଁ । ବରଂ ଏହା ଚରମ ବିଶୃଙ୍ଖଳିତ ଚେତନାର ଏକ ପ୍ରକାର ଉଦ୍ଭଟ ପ୍ରତିଫଳନ । ସାର୍ ଜେମସ୍ ଙ୍କର ଇରୋକ୍ୟୁଅସ୍ ଇଣ୍ଡିଆନ୍ ଙ୍କ ନବବର୍ଷ ପାଳନ ସଂପର୍କରେ ଅଭିମତ ବିଦ୍ୱାନ ଜଗତରେ ବିଶେଷ ଭାବରେ ଗ୍ରହଣୀୟ ।

ଆମେରିକାରେ ଉପନିବେଶ ସ୍ଥାପନ ପରେ ଇଉରୋପୀୟ ଉପନିବେଶବାଦୀ ଶକ୍ତି ମାନେ ଆମେରିକାର ଆଦିମ ଅଧିବାସୀଙ୍କର ନବବର୍ଷ ପାଳନରେ ସଂପୂର୍ଣ୍ଣ ଉତ୍ସୃଙ୍ଖଳତା ଦେଖିଥିଲେ । ଏହି ଭଳି ନବବର୍ଷ ପାଳନ ନିଆଁରେ ଖାଦ୍ୟଦ୍ରବ୍ୟ ପୋଷାକ ଆଦି ଜାଳିବା ଫଳରେ ସେମାନଙ୍କର ଅବସ୍ଥା କ୍ରମଶଃ ଦୟନୀୟ ହେବାକୁ ଲାଗିଲା । ଫଳରେ ୧୭୭୫ ଖ୍ରୀଅର ଏକ ଆଇନ ଅନୁସାରେ ଏହିଭଳି ଉତ୍ସୃଙ୍ଖଳ ନବବର୍ଷ ପାଳନ କୁ ବନ୍ଦ କରାଗଲା । ସେମାନେ ସାଂକେତିକ ଭାବରେ ନିଆଁ ଜାଳି ସେଥିରେ ସାଂକେତିକ ଭାବରେ ଅତୀତଦହନ କରିବା ଭଳି ବ୍ୟବସ୍ଥାପନା ରହିଥିଲା ।

ଖ୍ରୀଷ୍ଟୀୟ ଅଷ୍ଟାଦଶ ଶତାବ୍ଦୀ ବେଳକୁ ନବବର୍ଷ କୁ ସ୍ୱାଗତ କରିବା ଭଳି ଭିନ୍ନ ଏକ ଆୟୋଜନ କୁ ଦେଖିବାକୁ ମିଳିଥିଲା । ଇଂଲଣ୍ଡ,ସ୍ୱିଡେନ ଆଉ ଜର୍ମାନୀ ରେ ଏହାର ପ୍ରଚଳନ ବେଶ୍ ଥିଲା । ତାହାର ପ୍ରଭାବ ବି ଆମେରିକାରେ ସେତେବେଳେ ଦେଖିବାକୁ ମିଳିଥିଲା । ଏଇଠି ପ୍ରସଂଗକ୍ରମେ କହିବା ଉଚିତ ହେବ ଯେ ଆମର ସାଂସ୍କୃତିକ ଇତିହାସରେ ଗୋଟିଏ ଉତ୍ସବର ପାଳନ ବିଧି ଗୋଟିଏ ଅଞ୍ଚଳକୁ କେନ୍ଦ୍ରିତ ହୋଇ ସୀମିତ ହୋଇ କେବେହେଲେ ରହିନଥାଏ । ଉତ୍ସବର ପାଳନ ଯେଉଁଠି ଯେତେବେଳେ ହେଉ ତାହା ଅନ୍ୟ ଅଂଚଳମାନଙ୍କରେ ଅନୁସୃତ ପ୍ରଥାମାନଙ୍କ ଦ୍ୱାରା ପ୍ରଭାବିତ ହୋଇଥାଏ । ଭିନ୍ନ ଭିନ୍ନ ଅଂଚଳରେ ପାଳିତ ପର୍ବ ପରସ୍ପରକୁ ପ୍ରଭାବିତ କରିବା ଭଳି ଧାରଣା ମଣିଷର ସାଂସ୍କୃତିକ ବିଚାରର ଏକ ବିଶିଷ୍ଟ ବିଭବ । ସେ ଯାହାହେଉ ଖ୍ରୀଷ୍ଟ୍ରୀୟ ଅଷ୍ଟାଦଶ ଶତାବ୍ଦୀ ବେଳକୁ ଇଉରୋପ୍ ରେ ନବବର୍ଷ ଯେମିତି ପାଳନ କରାଯାଉଥିଲା ତାହାକୁ ଅନ୍ୟ ଭାବରେ “ମମର୍ସ ପାରେଡ୍” ବୋଲି କୁହାଯାଏ । ମମର୍ସର ଓଡିଆ ଭାଷାନ୍ତର ହେଉଛି ମୁଖାଧାରୀ  । ନବବର୍ଷ ପାଳନ ପାଇଁ ସକାଳେ ଲୋକେ ନିଜର ମୁହଁକୁ ଭିନ୍ନ ଭିନ୍ନ  ମୁଖା ରେ ଢାଙ୍କି ଆଉ ନିଜର ଦେହକୁ ଜାତିଜାତିକା ପକ୍ଷୀର ପରରେ ଆଚ୍ଛାଦିତ କରି ରାସ୍ତାରେ ନାଚଗୀତ କରି ବାହାରନ୍ତି । ଘରକୁ ଘର ବୁଲି ପଇସା ମାଗନ୍ତି । ସେଇ ପଇସାରେ ଭୋଜି ହୁଏ  । ଅଷ୍ଟାଦଶ ଶତାବ୍ଦୀର ଇଂଲଣ୍ଡ ଆୟାରଲାଣ୍ଡରେ ନୂଆ ବର୍ଷ ଦିନ ସକାଳେ ଏଇଭଳି ମୁଖାପିନ୍ଧି ରାସ୍ତାରେ ଯିବାବେଳେ ସେମାନେ ଛୋଟଛୋଟ ନାଟିକା ବି ଅଭିନୟ କରୁଥିଲେ। ସେହି ସମୟରେ ଜଣେ ମୁଖାଧାରୀ ଯାହାକୁ ଦେବତା କୁହାଯାଉଥିଲା ସେ ଏକ କୃତ୍ରୀମ ଯୁଦ୍ଧରେ ମୃତ୍ୟୁ ବରଣ କରୁଥିଲା ଆଉ ତାହାପରେ ଜଣେ ମୁଖାଧାରୀ ଯିଏ ଥିଲା ଡାକ୍ତର ସେ ଏହି ଦେବତାକୁ ପ୍ରାଣପ୍ରଦାନ କରୁଥିଲା । ଏହି ଭଳି କାହାଣୀର ପ୍ରାମାଣିକ ଉଲ୍ଲେଖ ଦେଖିବାକୁ ମିଳେ ।

୧୮୮୬ ଖ୍ରୀଅ ର ଜାନୁଆରୀ ପହିଲାରେ ନବବର୍ଷ ପାଳନର ଏକ ଭିନ୍ନ ରୂପ ଦେଖିବାକୁ ମିଳିଥିଲା କାଲିଫର୍ଣ୍ଣିଆରେ । ସେଥରର ସେମାନଙ୍କର ନୂଆବର୍ଷ ପାଳନ କୁ ସଂପୂର୍ଣ୍ଣ କଳାତ୍ମକ ରୂପରେ ପାଳନ କରାଯାଇଥିଲା ବୋଲି କୁହାଯାଏ । ସେମାନେ ଅତୀତର ବେବିଲୋନୀୟ ସଭ୍ୟତାରେ ରଥ-ଦୌଡ ସମୟରେ ସେମାନେ ଯେଉଁଭଳି ନିଜର ରଥକୁ ଫୁଲରେ ସଜାଉଥିଲେ ଠିକ୍ ସେହିଭଳି କାଲିଫର୍ଣ୍ଣିଆରେ ସେମାନେ ସେଥର ନିଜନିଜର  ଗାଡିକୁ ପୁରାପୁରି ଫୁଲରେ ସଜାଇ ଥିଲେ । ଆଉ ଅପରାହ୍ନରେ ଖେଳକୁଦ ପ୍ରତିଯୋଗିତା ହେଉଥିଲା । ୧୯୦୨ ଖ୍ରୀଷ୍ଟାବ୍ଦରେ ନୂଆବର୍ଷ ଦିନ ଅପରାହ୍ନରେ ଗୋଲାପଫୁଲ ର ଫୁଟବଲ୍ ତିଆରି କରି ସେଥିରେ ଖେଳ ହେଉଥିଲା ।୧୯୧୬ ବେଳକୁ ଅସଲ ଫୁଟବଲ୍ ଖେଳର ବ୍ୟବସ୍ଥା ହେଲା ସେଇ ନୂଆବର୍ଷ ଦିନ ।

ପ୍ରାଚୀନ କାଳରୁ ଆଉ ଗୋଟିଏ ଗୁରୁତ୍ୱ ପୂର୍ଣ୍ଣ କଥା ହେଉଛି ଗୋଟିଏ ଶିଶୁକୁ ପ୍ରତୀକ ଭାବରେ ଉପସ୍ଥାପନ କରି ନୂଆବର୍ଷ କୁ ପାଳନ କରିବାର ବିଧି । ଖ୍ରୀପୂ ଷଷ୍ଠ ଶତାବ୍ଦୀରେ ଗ୍ରୀସ୍ ରେ ଏହି ଭଳି ନୂଆବର୍ଷ ପାଳନର ପ୍ରଥା ଥିଲା । ଏହା ହେଉଛି ଡାୟୋନିଅସ୍ ଙ୍କ ର ଏକ ଉତ୍ସବ । ମଦ୍ୟର ଏବଂ ଉର୍ବରତାର ଦେବତା ହେଉଛନ୍ତି ଡାୟୋନିଅସ୍ । ତାଙ୍କର ପ୍ରତୀକ ହିସାବରେ ଗୋଟିଏ ଶିଶୁକୁ ଗୋଟିଏ ଦୋଳାରେ ଧରି ରାଜପଥରେ ନାଚଗୀତ ସହ ଯାତ୍ରା କରାଯାଉଥିଲା । ଶିଶୁ ଟି ଦୋଳାରେ ରହିବା ଅର୍ଥ ଉର୍ବରତା ର ଜନ୍ମ ଆଉ ପୁନରାଗମନ । ଏହି ଭଳି ଶିଶୁକୁ “ନବବର୍ଷର ଶିଶୁ” ବା ” ନିଉଇୟର୍ସ ବେବି” ବୋଲି କୁହାଯାଉଥିଲା । ଗ୍ରୀସ୍,ମିଶର ଆଉ ରୋମାନ୍ ମାନଙ୍କ ଭିତରେ ଏହି “ନବବର୍ଷର ଶିଶୁ ” ଏତେ ଜନପ୍ରିୟ ଥିଲା ଯେ କାଥୋଲିକ ଚର୍ଚ୍ଚ ଏହାକୁ ସ୍ୱୀକୃତି ଦେବାକୁ ଶେଷରେ ସମ୍ମତ ହୋଇଥିଲା ।  ସେମାନେ ଏହି ଶିଶୁ କୁ ଆଉ ଗ୍ରୀକ୍ ଦେବତା ଡାୟୋନିଅସ୍ ଙ୍କ ପ୍ରତୀକ ବୋଲି ମାନିବାକୁ ରାଜିନଥିଲେ । ସେମାନେ ଏହି ଶିଶୁ କୁ ଯୀଶୁଖ୍ରୀଷ୍ଟଙ୍କର ପ୍ରତୀକ ବୋଲି ଗ୍ରହଣ କରିବାକୁ ସମସ୍ତଙ୍କୁ ଅନୁମତି ଦେଇଥିଲେ ।

ଏଥର ନୂଆ ବର୍ଷ ପାଳନ ର ସର୍ବଶେଷ ରୂପକୁ ଆସିବା । ତାହା ହେଉଛି ନୂଆବର୍ଷର ପ୍ରତିଶ୍ରୁତି । କହିବାକୁ ଗଲେ ପ୍ରାୟ ଚାରିହଜାର ବର୍ଷ ତଳେ ବେବିଲୋନୀୟ ସଭ୍ୟତାରେ ନୂଆ ବର୍ଷ ପାଳନର ପ୍ରମୁଖ ଅଂଶ ହିସାବରେ ନୂଆବର୍ଷରେ ଏକ ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତିକୁ  ପାଳନ କରିବା । ଗୋଟିଏ ଅନୁଧ୍ୟାନ ରୁ ଜଣାଯାଇଛି ଯେ ପୃଥିବୀ ର ସବୁଠାରୁ ଅଧିକ ନୂଆବର୍ଷର ପ୍ରତିଶ୍ରୁତି ଦୁଇଟି ହେଉଛି,ଏକ୍,ନିଜର ଓଜନ କମ୍ କରିବା,ଦୁଇ,ଧୂମପାନ ତ୍ୟାଗ କରିବା । ଏଇଠି ଆପଣମାନଙ୍କୁ କହିବାକୁ ଚାହିଁବି, ବେବିଲୋନୀୟ ମାନଙ୍କର ଆଜକୁ ଚାରି ହଜାର ବର୍ଷ ତଳର ନବବର୍ଷର ପ୍ରତିଶ୍ରୁତି ଥିଲା, ନିଜର ବାକି ଥିବା ଋଣକୁ ଶୁଝିବା ଆଉ ଯେଉଁ କୃଷି ତଥା ଘର ଉପକରଣମାନ ବନ୍ଧା ପଡିଛି ତାହାକୁ ମୁକୁଳାଇ ଆଣିବା ।

ନୂଆବର୍ଷ ପାଳନ କିଏ କେମିତି କରୁଛି ତାହା ସେମିତି ଏକ ବଡ କଥା ନୁହଁ । ଏଇଠି ଯାହାର ଏକ ସଂକ୍ଷିପ୍ତ ଉଲ୍ଲେଖ ରଖାଯାଇଛି ତାହାର ବାଦ୍ ବି ନୂଆବର୍ଷ ଭିନ୍ନ ଭିନ୍ନ ବାଟରେ ପାଳିତ ହୋଇଆସୁଛି । ସଭ୍ୟତାର ବିବର୍ତ୍ତନରେ ଅନେକ ଉତ୍ସବ ବା ଯେଉଁ ଘଟଣାକୁ ଆମେ ଉତ୍ସବ ଆକାରରେ ପାଳନ କରିବାକୁ ଉଚିତ ମନେକରୁ ସେଇଭଳି ଆଳ ବା ମାର୍ଫତ୍ ,ସେଇସବୁ କ୍ରମଶଃ ସାମୁହିକତାରୁ ବ୍ୟକ୍ତିପରକ ହୋଇ ଉଠୁଥିବାର ବିବର୍ତ୍ତନକୁ ଆମେ ଲକ୍ଷ୍ୟକରି ପାରିବା । ଅନ୍ୟ ଭାବରେ କହିଲେ ଆମର ପର୍ବ ମାନ ଉତ୍ସବ ମାନ ଆଉ ସାମୁହିକ ସ୍ତରରେ ରହୁନାହିଁ । ବ୍ୟକ୍ତିଗତ ହୋଇଯାଉଛି। ତାହାଫଳରେ ଆମେ ଏହି ଉତ୍ସବପାଳନର ସ୍ୱରୂପକୁ ଠିକ୍ ରେ ଦେଖିପାରୁନାହୁଁ । ସାଂସ୍କୃତିକ ଇତିହାସରେ ସାମୁହିକତାରେ ଅସ୍ତିତ୍ୱ ଥାଏ,ବ୍ୟକ୍ତିଗତ ସ୍ତରରେ ସେଇଟି ଅନୁପସ୍ଥିତ ।

ନବବର୍ଷ ର ଉତ୍ସବ ପାଳିବା ସମୟରେ ଆମେ ଯଦି ନିଜର ବ୍ୟକ୍ତିପରକ ଆବେଗବନ୍ଧନୀକୁ ଅତିକ୍ରମ କରି ସାମୁହିକ ହେବାର ପ୍ରୟାସକରୁ ତାହାହେଲେ ଆମେ ସାଂସ୍କୃତିକ ସମୃଦ୍ଧ ହୋଇପାରିବା ନିଶ୍ଚୟ।

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →

Leave a Reply

Your email address will not be published. Required fields are marked *