ଯୁଦ୍ଧବନ୍ଦୀ

ମୂଳ ଲେଖା : ମୁନା ଫାଦହିଲ || ଅନୁବାଦ : ଜ୍ୟୋତି ନନ୍ଦ

ସାହିରା ଚୌକାଠ ନିକଟରେ ଛିଡା ହୋଇଥାଏ,ରୋଷେଇ ଘରର ଉଜ୍ଜଳ ସୂର୍ଯ୍ୟାଲୋକରେ ଘଷିମାଜି ହୋଇ ବେଶ୍ ତୋଫା ଦିଶୁଥାଏ ସେ,ସେ ସେଇଠୁ ଦେଖୁଥାଏ ତାହାର ଆବ୍ବାଜାନ କେମିତି ଏପରି ସ୍ୱଚ୍ଛ ହୋଇଯାଉଛନ୍ତି। ସେ ମାର୍ବଲ ଟେବୁଲ ପାଖରେ ବସିଥାନ୍ତି,ରେଡିଓର ନବ୍ କୁ ଘୁରାଉଥାନ୍ତି। ସୂର୍ଯ୍ୟ ତାହାର କିରଣରେ ତାଙ୍କୁ ଗାଧୋଇ ଦେଉଥାଏ । ସାହିରା ତାଙ୍କ ପାଖକୁ ଯିବା ପାଇଁ ଚେଷ୍ଟାକଲା,ହେଲେ ସାଲେହ ନିଜର କାନ୍ଧକୁ ଟିକିଏ “ଶ୍ରଗ୍” କରି ଗୋଟିଏ ମରିଚିକା ଭଳି ହଠାତ୍ ଉଭାନ ହୋଇଗଲେ ଚାରିପଟର ଧଳାକାନ୍ଥର ଭିତରେ।

ସାଲେହ ନିଜର ଚାରିପଟରେ ଯେତେକ ଇଲେକ୍ଟ୍ରୋନିକ ଉପକରଣ ରହିଛି ସେଥିରେ ନିରନ୍ତର ବିସ୍ମୟବୋଧ କରୁଥାନ୍ତି। ଆଗରୁ କୋଡିଏ ବର୍ଷ ତଳେ ଯେତେବେଳେ ଇରାନ କର୍ତ୍ତୃପକ୍ଷ ତା’ଙ୍କୁ ପ୍ରଥମେ ଧରିଥିଲେ ସେତେବେଳେ ଏଗୁଡିକ କହିବାକୁ ଗଲେ ସେମିତି କିଛି ହିଁ ନଥିଲା। ଏବେ ,ତାଙ୍କର  ଅଧିକାଂଶ ସମୟ ସେଗୁଡିକୁ ଭଲ କରି ଖୋଜିବାରେ ହିଁ ବିତି ଯାଉଛି। ବନ୍ଦୀତ୍ୱ କାଳରେ ,ସବୁକିଛି ସମାନ ରହିଥାଏ। ବନ୍ଦୀମାନେ ପରସ୍ପରକୁ ସେହି ସମାନ କାହାଣୀକୁ ହଜାର ଥର କହିଥାନ୍ତି ଆଉ ବାହାନା କରନ୍ତି ଯେମିତି ସେଥିରେ ଥିବା ପ୍ରତିଟି କଥା ସେମାନେ ଏଇ ପ୍ରଥମବାର ଶୁଣୁଛନ୍ତି। ସାହିରା ତାଙ୍କୁ ଦେଖିଲେ ସ୍ମିତହାସ୍ୟ ଦିଏ। ସେ ଗୋଟିଏ ଛୋଟ ପିଲା ଭଳି ଦିଶୁଥାନ୍ତି,ଆପଣାକୁ ଦିଆଯାଇଥିବା ହୋମଟାସ୍କକୁ ନେଇ ସେ ବେଶ୍ ବ୍ୟସ୍ତ। ସାହିରା  ସିଙ୍କ୍ ନିକଟକୁ ଧୋଇବା ପାଇଁ ଯାଏ ଆଉ ନିଜର ସମସ୍ତ ଆବେଗକୁ ସଫା କରିଦିଏ।

ସାହିରାକୁ ଯେତେବେଳେ ପାଞ୍ଚ ବର୍ଷ ବୟସ ସାଲେହ ଧରାପଡନ୍ତି,ତାକୁ ଯେତେବେଳେ ତେଇଶ ହେବ ସେତେବେଳେ ତାଙ୍କୁ ଛାଡିଦିଆଯାଏ । ସାହିରା ଆଉ ତାହାର ଅମ୍ମିଜାନ  ପ୍ରଥମ,ଦ୍ୱିତୀୟ,ତୃତୀୟ କିସ୍ତିରେ ଇରାନ ଆଉ ଇରାକ ଭିତରେ ଚାଲିଥିବା ଯୁଦ୍ଧବନ୍ଦୀ ବିନିମୟକୁ ଅପେକ୍ଷା କରନ୍ତି,ସେତେବେଳକୁ ଉଭୟ ଦେଶ ମଧ୍ୟରେ ଚାଲିଥିବା ଆଠ ବର୍ଷର ଯୁଦ୍ଧ  ଶେଷ ହୋଇଯାଇଥାଏ ଅନେକ ଆଗରୁ। ଫେରସ୍ତ ଯୁଦ୍ଧବନ୍ଦୀମାନଙ୍କୁ ସେମାନେ ପଚାରୁଥାନ୍ତି ,ସେମାନେ ସାଲେହକୁ ଦେଖିଛନ୍ତି କି ନାହିଁ,ସେମାନେ ତାହାକୁ ଜାଣନ୍ତି କି ନାହିଁ । କେହି କିଛି କହନ୍ତି ନାହିଁ । ୧୯୯୬ ରେ ସାହିରା ର ଅମ୍ମିଜାନର ମୃତ୍ୟୁ ହୁଏ। ସାହିରା ଏପରି କରିବାକୁ ସକ୍ଷମ ହୁଏ ୧୯୯୮ ରେ।

ସେଥର ଶୀତକାଳ,ବାଗଦାଦର ଅଲ୍-ନସର ଛକ ନିକଟରେ ସାହିରା ନିଜର କାର୍ ଭିତରେ ତିନିରାତି ଶୋଇଥିଲା,ତା’କୁ କୁହାଯାଇଥିଲା ଯେ ଶେଷ ଯୁଦ୍ଧବନ୍ଦୀକୁ ସେଇଠି ମୁକ୍ତ କରାଯିବ। ସାହିରା ତାହାର ସାଥିରେ ଆଣିଥାଏ ତାହାର ଆବ୍ବାଜାନଙ୍କର ଗୋଟିଏ ପୁରୁଣା ଆଇଡି ଫଟୋ,ତାହାକୁ ସେ ଏନଲାର୍ଜ କରି ଗୋଟିଏ ସୁନେଲି ଫ୍ରେମ୍ ରେ ବନ୍ଧେଇ କରି ପାଖରେ ରଖିଥିଲା। ସାହିରା ଆଶାକରୁଥିଲା,ଯଦି ବା ସାଲେହ ତାହାକୁ ଚିହ୍ନି ନପାରେ ,ସେ ନିଶ୍ଚୟ ତାହାର ଏଇ ପୁରୁଣା ଫଟୋକୁ ଚିହ୍ନିପାରିବ। ସାହିରା ନିଜର କାର୍ ର ସିଟ୍ କୁ ଆଉଜି ଆରାମ ରେ ବସେ,ପିନ୍ଧା ଜାମାର ହାତକୁ ଟାଣି ଆଙ୍ଗୁଳିଗୁଡିକୁ ଘୋଡାଇପକାଏ,ଆଉ ଢୋଳାଇବାକୁ ଲାଗେ। ଲୋକବାକଙ୍କ ଭୀଡ ଆଉ ବିଶୃଙ୍ଖଳାରେ ତାହାର ଗାଡି ଦୋହଲିବାକୁ ଲାଗିଲେ ତାହାର ନିଦ ଭାଙ୍ଗେ। ଏହି ଭୀଡ ସାଙ୍ଖରେ ତାହାର ଗାଡି ଚାଲିବାକୁ ଆରମ୍ଭ କରେ।

ପ୍ରଥମରେ, ସାଲେହ ନିଜର ଆଖିକୁ ବିଶ୍ୱାସ କରିପାରୁନଥିଲା ଯେ ବନ୍ଦୀଶାଳାର କବାଟ ଖୋଲିଯିବ ଆଉ ଦ୍ୱାରରକ୍ଷୀ ମାନେ ବଡପାଟିରେ ଫାର୍ଶି ରେ ତାହାକୁ ବାହାରି ଆସିବାପାଇଁ କହିବେ।ସାଲେହ ଭାବୁଥିଲା,ତାହାର ଅନ୍ୟ ସହବନ୍ଦୀମାନଙ୍କ ଭଳି,ଯେ ସେମାନଙ୍କୁ ଏବେ ମୃତ୍ୟୁଦଣ୍ଡ ପ୍ରଦାନ କରାଯିବ। “ସେମାନେ ଆମକୁ କ’ଣ ଛାଡିଦେବେ” ସେମାନଙ୍କ ଭିତରୁ ଜଣେ କିଏ ଆଶାବାଦୀ ହୋଇ ପଚାରେ। “ଚୁପ୍” ସାଲେହ ତାହାକୁ ଚାପୁଡାଏ ପକାଏ। ସେମାନେ ସମସ୍ତେ ବାହାରକୁ ଆସନ୍ତି,ଗୋଟିଏ ଧାଡିରେ। ବାହାରର ପୃଥିବୀ ଦୃଷ୍ଟିହୀନର ପୃଥିବୀ ଭଳି ସମୁଜ୍ଜଳ। ସାଲେହ ଆକାଶ ଦେଖିବାକୁ କ୍ଷୁଧାର୍ତ୍ତ,ହେଲେ ଏହାର ଉଜ୍ଛଳତାକୁ ତାହାର ଆଖି ସମ୍ଭାଳି ପାରୁନଥାଏ । ଯେତେବେଳେ ସେମାନେ ତାହା ଆଡକୁ ହଳେ ନୂଆ ଲୁଗା ଫୋପାଡି ଦିଅନ୍ତି ଆଉ ଏହାକୁ ପିନ୍ଧିବାକୁ କହନ୍ତି ,ସାଲେହକୁ ଆଶ୍ଚର୍ଯ୍ୟ ଲାଗେ। ସେ ନିଜର ପୁରୁଣା ପୋଷାକକୁ ଚିରିଦିଏ ଆଉ ସେଥିରୁ ଖଣ୍ଡିଏ କୁ ଲୁଚାଇ ରଖେ : ଯଦି ଏଇଟି ଗୋଟିଏ ମିଛ ଆଶା ହୁଏ,ସେ ତେବେ ଏଇ ଖଣ୍ଡିକରେ ବେକରେ ଦଉଡି ଦେବ। ତାହାପରେ ସାଲେହ ଆଉ ଅନ୍ୟମାନଙ୍କୁ ବସ୍ ରେ ନିଆଯାଇଥିଲା। ସେଇ ବସ୍ ର ସିଟ୍ ରେ ଗଦି ପଡିଥିଲା। ଅଠର ବର୍ଷ ହେବ ସାଲେହ କୌଣସି ଗଦି ଉପରେ ବସିନାହିଁ । ସେ ସେହି ବସିବା ଗଦିକୁ ନିଜର ପାପୁଲିରେ ଚାପ ଦେଲା ଆଉ କାନ୍ଦି ପକାଇଲା। ସେତେବେଳେ ଯାଇ ସେ ଜାଣି ପାରିଲା ଯେ ସେ ଏଥର ଘରକୁ ଯାଉଛି।

“ବୁସରା !”

“ଆବ୍ବାଜାନ ! ଏଇଠି ମୁଁ ” ସେମାନେ ପରସ୍ପରକୁ ଆଲିଙ୍ଗନ କଲେ ଆଉ ସମୟକୁ ଭୁଲିଗଲେ।ସେମାନଙ୍କର ଆଖପାଖରେ ଭୀଡ ଚିତ୍କାର କରୁଥାଏ ।

“ବୁସରା !” ସାଲେହ ସାହିରାର ଓଠରେ ଚୁମା ଦେବା ପାଇଁ ଉଦ୍ୟତ ।

“ଆବ୍ବାଜାନ,ମୁଁ ହେଉଛି ସାହିରା। ମାଆ,ସେ ଆଉ..”ସାହିରା ଇତସ୍ତତଃ ହୁଏ। ସାଲେହ ତାହାର ହାତକୁ ପଛେଇ ଆଣେ ,ଯେମିତି ତାହାକୁ ଏକ ଶକ୍ତ ଇଲେକ୍ଟ୍ରିକ ଧକ୍କା ଲାଗିଛି । ସାହିରା,ଯିଏ ତାହାର କୁନି କୁନି ହାତରେ ତାହାକୁ ଜାବୁଡି ଧରୁଥିଲା,ଆଲୁରିବାଲୁରି କଥା କହୁଥିଲା,ତାହାର କୁଞ୍ଚୁକୁଞ୍ଚିଆ କେଶକୁ ସେ ଆଉଁଷି ଦେଉଥିଲା ,ଘରସାରା ଠୁକୁଠୁକୁ କରି ଚାଲୁଥିଲା। “ସାହିରା” ତାହାର କପାଳରେ ଗୋଟିଏ ଚୁମା ଦିଏ ସାଲେହ ଆଉ କହେ,” ମୁଁ ତୋତେ ଚିହ୍ନି ପାରିଲି ନାହିଁ ।”

“ଆବ୍ବାଜାନ୍” ସାଲେହ ଦେଖେ ସାହିରା ତାହାର ହାତକୁ ଗୋଟିଏ ଟାୱେଲ୍ ରେ ପୋଛୁଚି। “ତମକୁ ଭୋକ ଲାଗିଲେ ଲଞ୍ଚ ପ୍ରସ୍ତୁତ ଅଛି। ତମକୁ କେବଳ ଏହାକୁ ଗରମ କରିନେବାର ଅଛି । ଠିକ୍ ତ ? ମୁଁ ଏବେ କାମକୁ ବାହାରିଲି। ତମର ଆଉ କ’ଣ ଦରକାର, କହିବ ?ଠିକ୍ ଅଛି,ଠିକ୍ ଅଛି।” ସାହିରା ତାହାର ଏକତରଫା କଥାବାର୍ତ୍ତା ଚାଲୁ ରଖିଥାଏ । ସେ ସାଲେହର ମଥାକୁ ଟିକିଏ ଠୁକାଇ ଦେଇ ତାହାର ପାଖ ଦେଇ ଯାଇ ନିଜର କୋଟ ଆଉ ପର୍ସକୁ ଉଠାଇ ନିଏ । ” ଘରକୁ ଛାଡି କୁଆଡକୁ ଯିବ ନାହିଁ,ଠିକ୍ ତ ? ଯଦି କିଛି ଦରକାର ପଡେ ତେବେ ଫୋନ୍ କରିବ। ବାଇ।”

ସାଲେହ ରେଡିଓର ଭିତରେ ଯେଉଁ କାର୍ଯ୍ୟକଳାପ ରହିଛି ତାହାକୁ ନେଇ ଭାରି ଚିନ୍ତାରେ ଅଛି। ସାଲେହ ବାହାରେ ଦରଜା ବନ୍ଦ ହେବାର ଶବ୍ଦ ଶୁଣେ,ଏକ ଦୁଇ ତିନ,ଝିଅର ମିଳାଇଯାଉଥିବା ପାଦଶବ୍ଦକୁ ଶୁଣେ । ସାଲେହ ତାହାପରେ ସେ ଯେଉଁ ଚେୟାରରେ ବସିଥିଲା ତାହାର ଗଦିକୁ ପାପୁଲିରେ ଚାପ ଦେଇ ପରୀକ୍ଷା କରେ ଏହା ଅସଲ କି ନୁହଁ ।  ସେ ତାହାପରେ ଉଠି ଛିଡା ହୁଏ  ଆଉ ପରଦା ସବୁକୁ ଟାଣି ଆଖିକୁ ଝଲସି ଦେଉଥିବା ସୂର୍ଯ୍ୟାଲୋକକୁ ଅବରୁଦ୍ଧ କରିଦିଏ।

°°°°°

Prisoner of War story by Muna Fadhil, Iraq

ଏଇ କାହାଣୀରେ ଯଥାର୍ଥକୁ ନେଇ ଗୋଟିଏ ପରିଭାଷାର ନିର୍ମାଣ କରା ଯାଇଛି। ପିତାର ଯଥାର୍ଥ ଆଉ ସନ୍ତାନ ର ଯଥାର୍ଥ ଏଇ ଦୁଇଟିର ଭିତରେ ଏକ ଅସୁରକ୍ଷିତ ଦ୍ୱନ୍ଦ୍ୱର କଥା ଏଇ କାହାଣୀରେ ରହିଛି।

ପିତାର ଯଥାର୍ଥକୁ ଦେଖିଲେ ପିତା ଚିରକାଳ ଏକ ବନ୍ଦୀ ,ଏଇ ଭଳି ଏକ ବିଚିତ୍ର ଅନୁଭବ ର ଏକ  ବାସ୍ତବ କାହାଣୀ ଇଏ।

ଆବେଗବିଜଡିତ ବାପାଙ୍କୁ ବାପାଙ୍କ ଦିବସରେ  ବୁଝିବା ପାଇଁ ବିନିର୍ମାଣ କରିବାକୁ ଗଲାବେଳେ ଏଇ କାହାଣୀ କାହାକୁ କାହାକୁ ହୁଏତ କିଛି ସାହାଯ୍ୟ କରିପାରେ।

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →