ପ୍ରଥମରୁ ଏତିକି ନିବେଦନ ଯେ ଏଇ ଆଲେଖଟି ଅଧ୍ୟାତ୍ମର ଏକ ଐତିହାସିକ ବିଚାର। ଏଥିରେ କାହାର ଈଶ୍ୱର-ବିଶ୍ୱାସକୁ ଆହତ କରିବା ଭଳି କୌଣସି ଅଭିପ୍ରାୟ ଉପସ୍ଥିତ ଲେଖକ ଆଦୌ ରହିନାହିଁ।
ଆମେ ପ୍ରଥମେ ଆମର ଦେବତତ୍ତ୍ୱର ତ୍ରିମୂର୍ତ୍ତି ଧାରଣାକୁ ଟିକିଏ ଅନୁଧ୍ୟାନ କରିବା।କହିବାକୁ ଗଲେ ଆମ ଧର୍ମଧାରାରେ ତ୍ରିମୂର୍ତ୍ତି ପରିକଳ୍ପନା ର ଏକ ପ୍ରକାରର ଆଦ୍ୟରୂପ ଏଇଠି ସଂଲଗ୍ନ ଦୁଇଟି ଚିତ୍ରରୁ ବିଶେଷତଃ ଦେଖିବାକୁ ମିଳିଥାଏ।
ଏଇଠି ଯେଉଁ ପ୍ରସ୍ତର-ଚିତ୍ରମାନ ସଂଲଗ୍ନ କରା ଯାଇଛି ତାହା ମଧ୍ୟପ୍ରଦେଶର ଟିକଲା ନାମକ ସ୍ଥାନରେ ଦେଖାଯାଇଛି।
ଏହାର ସମୟ ହେଉଛି ଖ୍ରୀପୂ ତୃତୀୟରୁ ଖ୍ରୀପୂ ଦ୍ୱିତୀୟ ଶତାବ୍ଦୀ।
ପ୍ରସ୍ତର ଗାତ୍ର ରେ ଯେଉଁ ତ୍ରିମୂର୍ତ୍ତି ର ଚିତ୍ର ରହିବାର ଦେଖାଯାଉଛି ତାହାକୁ ବଳରାମ,ବାସୁଦେବ ଏବଂ ଏକାନଂଶା ଙ୍କ ଚିତ୍ର ବୋଲି ବିଶ୍ୱାସ କରାଯାଏ ।
ବିଷ୍ଣୁଙ୍କ ଅଲୌକିକ ବିଭ୍ରମ-ଶକ୍ତି ଯାହାକୁ ଯୋଗମାୟା ବୋଲି କୁହାଯାଏ ତାହା ହେଉଛି ଏକାନଂଶା।
ସଂଲଗ୍ନ ଦ୍ୱିତୀୟ ଚିତ୍ରରେ ଖଣ୍ଡିଏ ପଥରରେ ଖୋଳା ହୋଇଥିବା ତିନୋଟି ମୂର୍ତ୍ତିକୁ ଦେଖିପାରିବା।
ଏହି ରିଲିଫ୍ ର ପ୍ରାପ୍ତିସ୍ଥାନ ହେଉଛି ଇଜିପ୍ଟର ବେରେନିକେ ନାମକ ଅଂଚଳ।
ସେଥିରେ ବୃଷ୍ଣି ଅର୍ଥାତ୍ ବାସୁଦେବବଂଶଜ ନାୟକ ମାନେ ରହିଛନ୍ତି । ଅର୍ଥାତ୍ ଚକ୍ର ହସ୍ତରେ ରହିଛନ୍ତି ବାସୁଦେବ କୃଷ୍ଣ ,ହଳ ଧାରୀ ଶଙ୍କର୍ଷଣ ଏବଂ ଏକାନଂଶା ବା ଯୋଗମାୟା।
ଇଜିପ୍ଟର ବେରେନିକାରେ ମିଳିଥିବା ଏଇ ଦ୍ୱିତୀୟ ରିଲିଫ୍ ର ସମୟ ବି ମଧ୍ୟପ୍ରଦେଶ ର ଟିକଲା ନିକଟରେ ମିଳିଥିବା ସମୟ ସହ ସମାନ ,ଅର୍ଥାତ୍ ତୃତୀୟରୁ ଦ୍ୱିତୀୟ ଶତାବ୍ଦୀ ଖ୍ରୀଷ୍ଟପୂର୍ବ ।
କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଇଜିପ୍ଟର ଉଲ୍ଲିଖିତ ସେଇ ବେରେନିକେ ଅଂଚଳରେ ଯେଉଁଠି ସେଇ ବୃଷ୍ଣି ନାୟକମାନଙ୍କର ଚିତ୍ର ରହିଛି ସେଠାରେ ବି ବୁଦ୍ଧଙ୍କର ଉପସ୍ଥିତି ଦେଖିବାକୁ ମିଳେ। ତେଣୁ ଏଇ ଦୁଇଟି ତଥ୍ୟକୁ ଏକାଠି କରି ସେଥିରୁ ଏକ ଅନୁମାନ କରାଯାଇପାରେ ଯେ ବୁଦ୍ଧ/ବୌଦ୍ଧଙ୍କ ସହିତ ତ୍ରିମୂର୍ତ୍ତି ର ପରିକଳ୍ପନା ଭାରତରୁ ସେଠିକି ଯାଇ ଅଛି ।
ଭାରତରେ ଆର୍ଯ୍ୟମାନଙ୍କର ଉଦବାସ୍ତୁ ତଥା ଖାଦ୍ୟସଂଗ୍ରାହକର ଜୀବନ, ସ୍ଥିର ବସତି ତଥା କୃଷିକର୍ମଭିତ୍ତିକ-ଖାଦ୍ୟ ଉତ୍ପାଦକ ର ସାମାଜିକ-ଜୀବନ ପାଲଟି ଗଲା ପରେ ସେମାନଙ୍କର ଧାର୍ମିକ ଆଧାର ର ପ୍ରମୁଖ ବିଭାବ ଆକାରରେ ତିନୋଟି ବିନ୍ଦୁ ହୋଇଗଲା, ସୃଜନ, ପାଳନ ଏବଂ ସଂହାର, ଅନ୍ୟଭାବରେ କହିଲେ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱର ।
ପରବର୍ତ୍ତୀ ପର୍ଯ୍ୟାୟରେ ଆରମ୍ଭ,ପ୍ରତିପାଳନ ଆଉ ସଂହାର ର ଏଇ ତ୍ରିବିଧ ମୂର୍ତ୍ତି ର ଏକ ମାନବୀକରଣର ପ୍ରୟୋଜନ ପଡିଲା। କାରଣ ଦେବତା ଆଉ ମାନବ ଭିତରେ ଏକ ସଚଳ କାର୍ଯ୍ୟକ୍ଷମର ଦୂରତ୍ୱ ସର୍ବଦା ରହୁଥିଲେ ହେଁ ସେଇ ଦୂରତ୍ୱକୁ ସଂକୁଚିତ କରିବା ଭଳି ମାନବିକ ଅସ୍ତିତ୍ୱ ଆଉ ଅଂହ ଆଉ ସ୍ଥିତାବସ୍ଥାର ସଂଘର୍ଷ ରହିଆସୁଥିଲା। ମଣିଷ ଯେଉଁ କଥାକୁ ବୁଝି ପାରୁଥିଲା ବା ବୁଝି ପାରିବା ଭଳି ଗୋଟିଏ କାରଣ ନିଜ ଆଗରେ ସେ ଯେତେବେଳେ ଗଢିପାରିବା ଭଳି ପର୍ଯ୍ୟାୟରେ ପହଞ୍ଚିଯାଇଛି ବୋଲି ଭାବିବସିଲା ସେତେବେଳେ ଦେବତା ଆଉ ମଣିଷ ଭିତରେ ଦୂରତ୍ୱଟି ବଢିବାକୁ ଲାଗିଲା। ଜଣେ ରାଜା ହେବ ନା ଭକ୍ତ ହେବ ,ଏଇ ଦ୍ୱନ୍ଦ୍ୱଟି ମଣିଷ ର ସମସ୍ତ ସଫଳତାର କାଳରେ ମଣିଷକୁ ଏକ ସ୍ୱତନ୍ତ୍ର ଆତ୍ମବିକଶିତ “ଏଣ୍ଟିଟି”ରେ ପରିଣତ କରିବାକୁ ବସୁଥିଲା। ତେଣୁ ଦେବତା ଆଉ ମଣିଷ, ଏଇ ଦୁଇଟି ପ୍ରବିଧି ଭିତରେ ଏକ ସେତୁ ନିର୍ମାଣ ପାଇଁ ଭକ୍ତିର ଏକ ପ୍ରକାର ସମର୍ପଣ ଭାବ ବିକଶିତ ହେବାକୁ ଲାଗିଲା। ଯାହାଫଳରେ ଦେବତା ମଣିଷର ଆକାର ଆଉ ମଣିଷ ଦେବତାର ଆକାର ଏଇପରି ଚେତନା ସ୍ତରରେ ଏକ ଉଦଗମ ଘଟିଲା।
ତେଣୁ ଦେବତାମାନେ ମଣିଷ ଯୋନୀରେ ଜନ୍ମ ନେବାକୁ ଲାଗିଲେ । ମଣିଷ ହେଲେ ।ମଣିଷ ଭଳି ଲୀଳା ଖେଳା କଲେ। ବ୍ରହ୍ମା-ବିଷ୍ଣୁ-ରୁଦ୍ର ଏଇ ତ୍ରିଧାରାର ବିଶ୍ଵାସ ପ୍ରବାହ,ଯେଉମାନେ ଆରମ୍ଭରୁ ଯେମିତି ଥିଲେ ଶେଷଯାଏଁ ସେଇଭଳି ସମାନ କ୍ଷମତାଶାଳୀ ଏବଂ ସମସ୍ତ ଅଲୌକିକତା ସହ ସେଇ ଭଳି ଅପରିବର୍ତ୍ତନୀୟ ଭାବରେ ଶେଷଯାଏଁ ବି ରହିବେ,ସେମାନଙ୍କର ବିବର୍ତ୍ତନ ବୋଲି କହିଲେ କେବଳ “ଦୁଷ୍ଟ ନିବାରି ସନ୍ଥ ପାଳୁ” ଭଳି କିଛି କିଛି ଲୌକିକ ଘଟଣା ପ୍ରବାହ ହୁଏତ ରହିବ ମାତ୍ର ତାହା ଆଦ୍ୟନ୍ତ ଯାହାକୁ ଆମେ କହିପାରିବା ସ୍ଥିତିଶୀଳ ,ସ୍ଥିତିସ୍ଥାପକ ନୁହଁ ।
ତେଣୁ ସେଇ ଦେବ-ତ୍ରିବିଧତାର ଏକ କାର୍ଯ୍ୟ-ସଂପ୍ରୟୋଗ ବା ୱାର୍କିଙ୍ଗ ମଡେଲ୍ ଆକାରରେ ମଣିଷ ଯୋନୀରେ ଜନ୍ମ ନେଲେ ଦୁଇଜଣ ଦେବତା,ରାମ ଆଉ କୃଷ୍ଣ। ରାମ ମଣିଷ ସଭ୍ୟତାର ଧନୁଶର ଯୁଗର ପ୍ରତିଭୂ ହୋଇଥିବା ବେଳେ କୃଷ୍ଣ ଆଉ ଟିକିଏ ବିକଶିତ ପର୍ଯ୍ୟାୟ ର ମାନବ ର ଅବସ୍ଥାନକୁ ପ୍ରତିନିଧିତ୍ୱ କରନ୍ତି ।
ଦେବତାକୁ ଯେତେବେଳେ ମାନବ ଜନ୍ମ ନେବାକୁ ପଡିବ ସେତେବେଳେ ତାହାର ସେଇ ଜନ୍ମକୁ ନିଶ୍ଚିତ ଭାବରେ କୌଣସି ସାଧାରଣ ମାନବ ଜନ୍ମ ଆକାରରେ ଦୃଶ୍ୟମାନ ହେବାକୁ ଦିଆଯିବା କଦାପି ସମ୍ଭବପର ହେବନାହିଁ । ସେଇଥିପାଇଁ ରାମଜନ୍ମରେ ପୁତ୍ରେଷ୍ଟି ଯଜ୍ଞ ଓ ଚରୁ ଏଇ ଭଳି କିଛି ତ ଅଲୌକିକ ଘଟଣା ଘଟିବ।ଏବଂ କୃଷ୍ଣ ଜନ୍ମ ସଂପର୍କିତ କାହାଣୀ ଆମ ମାନଙ୍କର ଗୋଚର। ମଣିଷର ଲୌକିକତାକୁ ସେଇଠି ଏକ ପ୍ରକାର ସମାପ୍ତ କରି ଦେବତାର ଏପରି ମଣିଷ ଜନ୍ମରେ ସମସ୍ତ ଅଲୌକିକତାକୁ ନିହାତି ସମନ୍ୱିତ ଭାବରେ ଆମ କାଳଖଣ୍ଡରେ ଏକପ୍ରକାରେ ସୁନିୟୋଜିତ କରାଯାଇଛି।
ଆଗରୁ ଉଲ୍ଲେଖ ଅଛି ଦେବତା ମାନେ ଚିରକାଳ ଆରମ୍ଭରୁ ଶେଷ ଯାଏଁ ସମାନ ,ଏକ ପ୍ରକାର ଗଣ୍ଡିରେ ଆବଦ୍ଧ। ତେଣୁ ଆମେ ଅନ୍ୟତ୍ର ଦେବତାର ବାଲ୍ୟ ଲୀଳା ଦେଖିପାରିବା ନାହିଁ । ଯେଉଁଠି ଦେବତାର କ୍ଷେତ୍ରରେ ଆରମ୍ଭ ହିଁ ଶେଷ ସେଇଠି ବାଲ୍ୟକାଳ ରହିବ କେଉଁଠି ? ଏଇଠି କିନ୍ତୁ ଆମେ ରାମ ଆଉ କୃଷ୍ଣ ଙ୍କ କ୍ଷେତ୍ରରେ ବାଲ୍ୟଲୀଳା ଦେଖିବାକୁ ପାଇଲେ,ସେମାନଙ୍କର ବିବର୍ତ୍ତନ ବି ଦେଖିବାକୁ ପାଇଲେ । ଶ୍ରୀରାମଚନ୍ଦ୍ର ବାଲ୍ୟକାଳକୁ ଅତିକ୍ରମ କରିବା ପରେ ବନସ୍ତକୁ ଯାତ୍ରା କରିଥିଲେ ଏବଂ ତାଙ୍କର ଏଇ ବନସ୍ତ ଯାତ୍ରା ଏକ ପ୍ରକାର ” ଢର୍ଣ୍ଣି ଇନଟୁ ୱାଇଲଡରନେସ୍” ବା ବିଶୃଙ୍ଖଳ ପ୍ରବାହକୁ ଯାତ୍ରା ଯାହା ଏକ ପ୍ରକାର ବନସ୍ତକୁ କାଟି ବସତି ସ୍ଥାପନ କରିବା ଏବଂ ଆଦିମତା କୁ ନୂତନ ସମାଜବ୍ୟବସ୍ଥାର ପରିସରର ଭିତରକୁ ଆଣିବା (ଅନସାଭେଜିଙ୍ଗ୍ ଦି ସାଭେଜ୍) ଭଳି ସମାଜ କ୍ରୀୟାରେ ଦେବ-କାରକ ବା ଡିଭାଇନ୍ କାଟାଲିଷ୍ଟ ସାଜିଛନ୍ତି। କିନ୍ତୁ ଶ୍ରୀକୃଷ୍ଣଙ୍କ କ୍ଷେତ୍ରରେ ଦେଖିଲେ ଶ୍ରୀରାମଙ୍କ ତୁଳନାରେ ତାଙ୍କର ବାଲ୍ୟକାଳଟି ଅଧିକ ପ୍ରଖର ,ପ୍ରଗାଢ ଆଉ ଘଟଣାବହୁଳ ଭାବରେ ଅଧିକ ଉଲ୍ଲେଖଯୋଗ୍ୟ। ଶ୍ରୀକୃଷ୍ଣଙ୍କ ବାଲ୍ୟକାଳ କୁ ତର୍ଜମା କଲେ ଲାଗିବ ଯେମିତି ତାଙ୍କୁ ଜଣେ ଦେବନାୟକ କରାଯିବା ଉଦ୍ଦେଶ୍ୟରେ ଏକ ପ୍ରୟୋଗଶାଳାରେ ଆବଦ୍ଧ କରାଯାଇଛି। ଯେଉଁଠି ତାଙ୍କୁ ପ୍ରତିନିୟତ ରାକ୍ଷସ ଅର୍ଥାତ୍ ଶକ୍ତିସଂପନ୍ନ ଅନୈତିକ ପ୍ରଭାବ ବିନ୍ଦୁ ଗୁଡିକୁ ଧୂଳିସାତ କରିବାକୁ ପଡିଛି ଆଉ ଧୂଳିସାତ କରିବାକୁ ପଡିଛି ସମସ୍ତ ବିଷକୁ ,ବିଷ ଆପଣମାନେ ଜାଣନ୍ତି ତାହା ହେଉଛି ସମାଜ ଭିତରେ ଉପଜାତ ଏକ ସ୍ୱାଭାବିକ ଅନିଷ୍ଟକାରୀ ଦ୍ରବ୍ୟଭାଗ ( ଫାର୍ମାକୋଲଜି ଅନୁସାରେ ବିଷ ର ପରିଭାଷା ହେଉଛି ,ଯାହା ଆବଶ୍ୟକତାଠାରୁ ଅନୁପାନରେ ଅଧିକ ତାହା ବିଷ,ସେଦୃଷ୍ଟିରୁ ଆବଶ୍ୟ ଅଧିକ ଅମୃତ ପାନ କଲେ ତାହା ବି ବିଷ ହେବ,ସେ ପ୍ରସଂଗଟି ଭିନ୍ନ ,ଏ ବିଷୟରେ ପରେ କେବେ।)। ସମାଜରୁ ବସ୍ତୁତଃ ଏଇ ଦୁଇଟି କ୍ଷୟକାରୀ କାରକ ଅର୍ଥାତ୍ ଶକ୍ତିଧାରୀ ଅନୈତିକତା ଏବଂ ସହଜାତ ଆତ୍ମଘାତ ,ଏହାକୁ ଅପସାରଣ କରିବା ଭିତରେ କୃଷ୍ଣ ନିଜକୁ ପରବର୍ତ୍ତି ଏକ ସୁସ୍ଥ ସମାଜନିୟନ୍ତା ଆକାରରେ ନିଜକୁ ଗଢି ତୋଳିଛନ୍ତି । ଏହା ସହିତ ଶ୍ରୀକୃଷ୍ଣଙ୍କ ବାଲ୍ୟ ଆଉ କିଶୋରକାଳର ଯେଉଁ ବିରୋଧାଭାଷଟି ରହିଛି ତାହା ହେଉଛି ତାଙ୍କର ଚପଳତା ଏବଂ ତାଙ୍କର ପ୍ରେମ। ସେଇ ସମାନ ସମୟରେ ତାଙ୍କର ଅସୁରନିଧନ ଆମକୁ ଯେତିକି ଅଲୌକିକ ଭାବରେ ବିସ୍ମିତ କରିଛି ତାଙ୍କର ଚପଳତା ଆଉ ପ୍ରେମ ଆମକୁ ସେତିକି ପରିମାଣରେ ତାଙ୍କର ନିକଟ ତର କରିଛି,ଆମେ ସେତିକି ତାଙ୍କୁ ଲୌକିକତାରେ ଆପଣାର ବୋଲି ଗ୍ରହଣ କରିଛୁ ଆଉ ତାଙ୍କର ବଂଶୀବାଦନ ଶୁଣିଛୁ।
ଶ୍ରୀରାମଙ୍କ ବନସ୍ତ ଗମନ ତଥା ଆଦିମକୁ ସମାଜ ପରିସରକୁ ଆଣିବା ଭଳି ଯାତ୍ରା ଭଳି ଶ୍ରୀକୃଷ୍ଣ ଗୋପରୁ ମଥୁରାକୁ ଯାତ୍ରା କରିଛନ୍ତି। ଗୋପପୁର ହେଉଛି ଏକ ଗୋମେଷାଦିଭିତ୍ତିକ ସମାଜ-ସଂରଚନା ଆଉ ମଥୁରା ହେଉଛି ଏକ ନଗର-ସଭ୍ୟତା। ଶ୍ରୀକୃଷ୍ଣଙ୍କ ସେଇ ଯାତ୍ରାରେ ଆମେ ସମାଜର ବିବର୍ତ୍ତନର ସେଇ ଇତିହାସର ପୃଷ୍ଠାଟିକୁ ପଢିପାରିବା। ଶ୍ରୀକୃଷ୍ଣଙ୍କର ଆଉ ଗୋପପୁର ଫେରି ନପାରିବା ପଛରେ କାରଣ ସେଇ ଗୋଟିକ । ସବୁ ଦେବ କାହାଣୀରେ ଅଥବା ଦେବ ପୁରାଣରେ ଯଦି ଦେବତା ର ଟାର୍ଗେଟ-ପଏଣ୍ଟ ଗୋଟିଏ ଅସୁର ବା ଅତ୍ୟାଚାରୀ ତାହେଲେ କଂସ ବଧ ପରେ ଶ୍ରୀକୃଷ୍ଣଙ୍କର ସେଇ ଅଧାମଲହୁଣୀ ଆଉ ବଂଶୀବାଦନ ସହିତ କୁଞ୍ଜରେ ଅଭିସାର ରଚିବା ଭଳି ଏକ ସରଳ ସାଧାରଣ ଜୀବନ ବଞ୍ଚିବାର ଥିଲା । ମାତ୍ର ସେ ଆଉ ମଥୁରାରୁ ଫେରି ନାହାଁନ୍ତି । ବିଷ୍ଣୁପୁରାଣ ଅନୁସାରେ ତାଙ୍କର ବଡ ଭାଇ ବଳଭଦ୍ର ଗୋପକୁ ଆସିଛନ୍ତି ମାତ୍ର ପ୍ରଥମରୁ ତାଙ୍କୁ ଶ୍ରୀକୃଷ୍ଣ ବୋଲି ଧରିନେବାର ଭୁଲଟି ଖୁବ୍ ଅଳ୍ପ ସମୟ ଭିତରେ ସମସ୍ତଙ୍କ ଠାରୁ ଅପସରି ଯାଇଛି। ଯେତିକି ସମୟ ଅତିକ୍ରାନ୍ତ ହୋଇଛି ଗୋପବାସୀଙ୍କ ପାଇଁ ଶ୍ରୀକୃଷ୍ଣ ସେତିକି ସେତିକି ଗୋଟିଏ କଳ୍ପନାପୁରୁଷରେ ପରିବର୍ତ୍ତିତ ହୋଇଯାଇଛନ୍ତି।
ଶ୍ରୀକୃଷ୍ଣ ଙ୍କ ସଂପର୍କରେ ଏଇ ଚର୍ଚ୍ଚାଟି ଅତ୍ୟନ୍ତ ସୀମିତ ଏକ ଚର୍ଚ୍ଚା। ଅତି ସଂକ୍ଷେପରେ କହିଲେ କୃଷ୍ଣକାଳକୁ ଆମେ ଦୁଇଟି ଭାଗରେ ବିଭକ୍ତ କରିପାରିବା,ଏକ କଂସ କାଳ ଏବଂ ଦୁଇରେ ଭାରତ କାଳ ବା ମହାଭାରତ କାଳ, ଗୋଟିଏ ରେ ସେ ଧର୍ମସଂସ୍ଥାପକ ର ଭୂମିକାରେ ରହିଛନ୍ତି ଆଉ ଅନ୍ୟଟିରେ ତାଙ୍କର ଭୂମିକା ଧର୍ମଧାରକ ର ଅର୍ଥାତ୍ ଧର୍ମ -ସଂଚାଳକର ।
ପରିଣତ ଶ୍ରୀକୃଷ୍ଣ ଆମକୁ ଅତ୍ୟନ୍ତ ସରଳ ଭାବରେ ବୁଝାଇ ଯାଇଛନ୍ତି ହତ୍ୟା ଆଉ ଆତ୍ମହତ୍ୟା ଭିତରେ ଅସଲ ଫରକଟି କ’ଣ? ଆମର ନଗର ଜୀବନର ସାମାଜିକ ନୈତିକତା ଅନେକ ପରିମାଣରେ ତାହାର ପ୍ରତୀକାତ୍ମକତା ଉପରେ ଆଧାରିତ ।
ଆଉ ଗୋଟିଏ କଥା।
ଏକାନଂଶା ନାଆଁଟି କିନ୍ତୁ ଭାରି ସୁନ୍ଦର । ଭାରି ସୁନ୍ଦର। ଏଥିରେ ବିକ୍ରମ ଅଛି, ବିଭ୍ରମ ଅଛି, ଆଉ ଅଦ୍ୱିତୀୟପଣ ବି ଅଛି ।
ଶେଷରେ ଏଇଠି ସଂଲଗ୍ନ ତୃତୀୟ ଚିତ୍ରରେ ଯେଉଁ ବୃଷ୍ଣି ନାୟକ ମାନଙ୍କର ସମାବେଶ ଘଟିଛି ସେମାନେ ହେଉଛନ୍ତି ଶଙ୍କର୍ଷଣ,ବାସୁଦେବ-କୃଷ୍ଣ, ପ୍ରଦ୍ୟୁମ୍ନ, ଅନିରୁଦ୍ଧ ଏବଂ ଶାମ୍ବ।
ପବିତ୍ର ବୃଷ୍ଣିନାୟକଙ୍କ ଜନ୍ମ ଦିନରେ ଆଜିର କାମନା ଆପଣମାନଙ୍କୁ ସେ ଅବିରତ ନିଜର କୃପାସ୍ପର୍ଶ ପ୍ରଦାନ କରିବା ହୁଅନ୍ତୁ।