ମୂଳ ଲେଖା : ଇସମତ ଚୁଗତାଇ || ଅନୁବାଦ : ଜ୍ୟୋତି ନନ୍ଦ
ସାଦା ଜ୍ୟୋତ୍ସ୍ନା ବିଛାଡିପଡିଥିବା ଚୌକିରେ ବଗ ପର ଠାରୁ ଆହୁରି ସାଦା କେଶରେ ଦାଦୀକୁ ଏକାବାରେକେ ପଥରର ସ୍ତୂପ ବୋଲି ମନେ ହେଉଥିଲା,ଯେମିତି ତାହାର ଦେହରେ ଟୋପାଏ ବୋଲି ରକ୍ତ ନାହିଁ ।ତାହାର ହାଲକା ସୁର୍ମା ରଙ୍ଗା ଆଖିର ମଣି ଯାଏଁ ସାଦା ବଳୟ ଦେଖାଯାଉଥିଲା,ଆଉ ତାହାର ଜ୍ୟୋତିହୀନ ଆଖି ଖୋଲିଲେ ବୁଝାଯାଉଥିଲା,ଭିତରକୁ ଆଲୁଅ ଯିବାର ସବୁତକ ବାଟ ଯେମିତି ବନ୍ଦ। ମୋଟା କପଡାର ପର୍ଦ୍ଦାରେ ଢଙ୍କା ଝରକାର ଆଢୁଆଳରେ ଭୟରେ ଭୟରେ ଲୁଚି ବସିଥାଏ ସେ। ତାହାକୁ ଦେଖିଲେ ଆଖିକୁ ଧନ୍ଦା ଲାଗିଯାଏ,ଯେମିତି ଭଲକରି ପେଷାଯାଇଥିବା ରୂପାର ଗୁଣ୍ଡ ବତାସରେ ଉଡିବୁଲୁଛି,ସେମିତି ସାଦା ସାଦା ନିଆଁର ଫୁଲକି ଫୁଟି ବାହାରୁଛି। ତାହାର ଚେହେରାରେ ପବିତ୍ରତା ଆଉ କୁମାରୀତ୍ୱର ଆଲୁଅ ଥିଲା। ଅଶି ବର୍ଷ ହେଲାଣି ଏଇ କୁମାରୀର ଦେହରେ କେବେ ବି କେଉଁ ପୁରୁଷର ହାତ ପଡିନି।
ତେର ଚଉଦ ବର୍ଷ ବୟସରେ ସେ ଦେଖାଯାଉଥିଲା ଗୋଛାଏ ଫୁଲ ଭଳି। ଅଣ୍ଟାର ତଳ ଯାଏଁ ଝୁଲି ରହିଥିଲା ଘନ ସୁନେଲି କେଶ ଆଉ ଦୁଧ ଅଳତାମିଶା ଥିଲା ଦେହର ରଙ୍ଗ। ସମୟର ପରିବର୍ତ୍ତନ ସହ ଅଳତା ରଂଗ ଫିକା ପଡିଯାଇଛି ଆଉ ରହିଛି ଖାଲି ଦୁଧର ରଂଗ। ତାହାର ରୂପର ଖ୍ୟାତି ଏତେ ପରିମାଣରେ ଚାରିଆଡକୁ ବିଛାଡି ପଡିଥିଲା ଯେ ସେଥିରେ ତାହାର ବାପାମାଆଙ୍କର ନିଦ ହାରାମ ହେବାର ଅବସ୍ଥା। ସେମାନଙ୍କୁ ଭୟ ମାଡିବସୁଥିଲା,କିଏ ଜାଣେ କେତେବେଳେ କେଉଁଠାରୁ ଜିନ୍ ଟିଏ ଆସି ତାଙ୍କର ଝିଅକୁ ହଠାତ୍ କେଉଁଠିକୁ ଉଡାଇ ନେଇଯିବ । କାରଣ ତାହାକୁ ସେମାନେ ଏଇ ପୃଥିବୀର ଗୋଟିଏ ପ୍ରାଣୀ ବୋଲି ମନେ କରୁନଥିଲେ ।
ତାହାପରେ ଆମର ଆମ୍ମାର ମାମୁଁ ସହିତ ତାହାର ବିବାହ ଠିକ୍ ହୋଇ ଗଲା । ଦୁଲହନ ଯେତେଟା ଫର୍ସା,ଦୁଲହା ମିଆଁ ର ସେତିକିଟା ଗାଢ କାଳି ଭଳି ଦେହର ରଂଗ।ଦେହର ରଂଗକୁ ବାଦ୍ ଦେଲେ ଏମିତି କି ମାଆର ମାମୁଁ ଥିଲେ ପୁରୁଷାଳି ସୌନ୍ଦର୍ଯ୍ୟର ଗୋଟିଏ ଉତ୍କୃଷ୍ଟ ନମୁନା । କେତେ ସୁନ୍ଦର ବଡ ବଡ ସ୍ୱପ୍ନାଳୁ ଆଖି,ତଲବାର ର ଧାର ଭଳି ତୀକ୍ଷ୍ଣ ଠିଆ ନାକ ଆଉ ମୁକ୍ତାକୁ ମ୍ଳାନ କରିଦେବା ଭଳି ଦାନ୍ତ ଦି ଭାଡି। କିନ୍ତୁ ନିଜର ଦେହର ରଂଗକୁ ନେଇ ସେ ସବୁବେଳେ ଅଖୁସୀ ଥିଲା।
ବାହାଘର ର ବାଗଦାନ ହୋଇଗଲା ପରେ ସମସ୍ତେ ଥଟ୍ଟା କରିବାକୁ ଲାଗିଲେ,
” ହାୟରେ,ଦୁଲହା ର ହାତ ଲାଗିଲେ ତ ଦୁଲହନ ମଇଳା ହୋଇଯିବ !”
” ଚାନ୍ଦରେ ଗ୍ରହଣ ଲାଗିଯିବ।”
କାଲୁ ମିଆଁ ସେ ସମୟରେ ଥିଲା ସତର ବର୍ଷର ଗୁଆଁର ଗୋବିନ୍ଦ,ବିଗିଡି ଯାଇଥିବା,ଉଦଭ୍ରାନ୍ତ ମନର ଛୋକରା। ଦୁଲହନର ରୂପକୁ ଦେଖି ତାହାର ମନରେ ଏମିତି ଏକ ଆତଙ୍କ ର ସୃଷ୍ଟି ହେଲା ଯେ,ସେ ରାତାରାତି ତାହାର ନନିହାଲ୍( ଅଜାର ଘର)କୁ ପଳାଇ ଗଲା। ଚାପା ଗଳାରେ ସେ ତାହାର ସମବୟସୀ ଜିଗରି ଦୋସ୍ତ ମାନଙ୍କୁ କହିଥିଲା,
” ମୁଁ ଶାଦୀ କରିବି ନାହିଁ।”
ଏଇଟି ଥିଲା ସେଇ ଜମାନା, ଯେତେବେଳେ ଗଳାର ସ୍ୱରକୁ ଟିକିଏ ଉଚ୍ଚା କରିଛ ମାନେ ଜୋତାରେ ପିଟି ପିଟି ସମତଳ । ଥରେ ବାଗଦାନ ହୋଇ ଯାଇଛି ମାନେ ସେଇଟା ଆଉ ଭାଙ୍ଗିବାର କୌଣସି ଅବକାଶ ନାହିଁ। ନାକ କଟା ହୋଇଯିବାର ଆଶଙ୍କା ଥିଲା।
ଆଉ ଦୁଲହନ ର ଖୁଣ କହିଲେ ବା କ’ଣ ? ଏଇଟା ଯେ ସେ ଥିଲା ସୀମାର ବାହାରେ ସୁନ୍ଦରୀ। ସାରା ଦୁନିଆ ସୁନ୍ଦର ପାଇଁ ପାଗଳ,ଆଉ ତାହାର ଦୁଲହା ସୁନ୍ଦର କୁ ନାରାଜ,ଇଏ ଯେମିତି ଏକେବାରେକେ ମସ୍କରାର ଚରମ ।
“ତାହାର ଭାରି ଦିମାକ” ଚାପା ଗଳାରେ କହିଲା କାଲୁ ମିଆଁ ।
“କେମିତି ଜାଣିଲୁ ?”
ଯେତେବେଳେ କୌଣସି ପ୍ରମାଣ ନାହିଁ କିନ୍ତୁ ଗୋଟିଏ କଥା ଚାଲୁ ରହିଛି ଯେ ସୁନ୍ଦରୀମାନେ ଭାରି ଦିମାକୀ ହୁଅନ୍ତି ଆଉ କାଲୁ ମିଆଁ ଆଉ କାହାର ଦିମାକ ସହ୍ୟ କରିବ ସେଇଟା ସଂପୂର୍ଣ୍ଣ ଅସମ୍ଭବ । ନାକ ଉପରେ ମାଛି ବସିବାଟାକୁ ବି ସେ ବରଦାସ୍ତ କରେ ନା।
ତା’କୁ ଅନେକ ବୁଝାଗଲା ଯେ ,ମିଆଁ ନିକାହ ହୋଇଗଲେ ସେ ତୋର ସମ୍ପତ୍ତି ହବ।ତୋର ହୁକୁମରେ ସେ ଦିନକୁ କହିବ ରାତି ଆଉ ରାତିକୁ କହିବ ଦିନ। ବସ୍ କହିଲେ ବସିବ,ଉଠ୍ କହିଲେ ଉଠିବ ।
ପିଠିରେ ବେଶ୍ କିଛି ଜୋତା ପଡିଲା ଆଉ ଶେଷ ପର୍ଯ୍ୟନ୍ତ କାଲୁ ମିଆଁକୁ ଧରି ଆଣି ଶାଦୀ କରାଇ ଦିଆ ହେଲା।
ଡୋମଣୀମାନେ ( ଡୋମ ଜାତିର ମହିଳା,ଯେଉଁମାନେ ବିଭିନ୍ନ ଉତ୍ସବ-ଅନୁଷ୍ଠାନରେ ନାଚଗୀତ କରିଥାନ୍ତି ,କେହି କେହି ବେଶ୍ୟାବୃତ୍ତି ବି କରିଥାନ୍ତି )ଆସି ନାଚଗୀତ କରିଗଲେ। ସେଥିରେ ଥିଲା ଫର୍ସା କନ୍ୟା ଆଉ କଳା ବରକୁ ନେଇ କିଛି ଗୀତ। ଏଥିରେ କାଲୁ ମିଆଁ ଅତ୍ୟଧିକ କ୍ଷୁବ୍ଧ ହୋଇ ଉଠେ। ତାହାର ଉପରେ ଆଉ କିଏ ଯେମିତି ତାହାର ଦେହରେ ଛୁଞ୍ଚି ଫୋଡିବା ଭଳି ଏମିତି କ’ଣ କହିଥିଲା ଯେ ,ସେ ତାହାପରେ କାଠ ଭଳି ହଠାତ୍ ଦୃଢ ହୋଇଗଲା। କିନ୍ତୁ କେହି ତାହାର ଏଇ ସବୁ ରାଗ କି ଭୟକୁ ଗୁରୁତ୍ୱ ଦେଉନଥିଲେ। ଏଗୁଡିକୁ ନିହାତି ଥଟ୍ଟାମସ୍କରା ଭାବି ସେମାନେ ଦୁଲହା ଉପରେ ସେମାନଙ୍କର ଟିପ୍ପଣୀ ଜାରି ରଖିଥିଲେ ।
କୋଷମୁକ୍ତ ତଲବାର ଭଳି ଦୁଲହା ମିଆଁ ଯେତେବେଳେ ଯାଇ ଦୁଲହନ ର କମରାରେ ଯାଇ ପହଞ୍ଚିଲା,ଗାଢ ଲାଲ ରଂଗର ସବୁ ଫୁଲର ଭିତରେ ଅସ୍ତବ୍ୟସ୍ତ ଅବସ୍ଥାରେ କନ୍ୟାକୁ ବସି ରହିଥିବାର ଦେଖି ବରର ଦେହରୁ ଝାଳ ବାହାରିବାର ଅବସ୍ଥା। ଦୁଲହନର ସାଦା ଧବଧବ ରେଶମୀ କୋମଳ ହାତକୁ ଦେଖିବା ମାତ୍ରକେ ତାହାର ମଥାକୁ ରକ୍ତ ଚଢିଗଲା।
ଥର ଥର ହାତରେ ମୁହଁର ଓଢଣାକୁ ଉଠାଇନେବା ବେଳେ ମଥା ତଳକୁ କରେ ଦୁଲହନ।
“ଆଛା,ତମେ ନିଜେ ଓଢଣାଟିକୁ ଖୋଲି ଦିଅ।”
ଦୁଲହନ ତାହାର ମଥାଟିକୁ ଆହୁରି ତଳକୁ କରେ।
“ମୁଁ କହୁଛି,ଓଢଣାଟା ଖୋଲ” ଦୁଲହା ଧମକ ଦିଏ।
ଦୁଲହନ ଆହୁରି ତଳକୁ ମଥା ନୁଆଁଇଁ ଆଣେ ।
“ଆଛା,ତୋର ଏତେ ଦିମାକ୍ !”
ଦୁଲହା ତାହାର ପାଦର ଜୋତାକୁ ଖୋଲି କାଖରେ ଜାକି ପଛପଟର ଝରକା ଦେଇ ବାହାରକୁ ଡେଇଁ ପଡେ।ସେଇଠୁ ସିଧା ଷ୍ଟେସନ ,ତାହାପରେ ଟ୍ରେନ୍ ରେ ସିଧା ଯୋଧପୁର ।
ଇଏ ହେଉଛି ସେଇ ସମୟର କଥା ଯେତେବେଳେ ଏତେ ତଲାକଫଲାକ ର ପ୍ରଚଳନ ନଥିଲା। ଶାଦୀ ହୋଇ ଯାଇଛି ମାନେ ବାସ୍ ହୋଇଯାଇଛି । କାଲୁ ମିଆଁ ସାତବର୍ଷ ଧରି ଘରଠାରୁ ଗାୟେବ ହୋଇଯାଇଥିଲା। ଦୁଲହନ ଏଇ ସାତବର୍ଷ କାଳ ନିଜର ବାପଘର ଆଉ ଶଶୁର ଘର ଭିତରେ ଯିବା ଆସିବାରେ ଝୁଲି ରହିଥାଏ। ଘରର ସ୍ତ୍ରୀଲୋକଙ୍କୁ ଜଣା ଥିଲା ଯେ,ଏଇ ଦୁଲହନ ଏଯାଏଁ ଅଗମ୍ୟା ରହିଯାଇଛି। ସେଇ କଥା ବଢି ବଢି ପୁରୁଷମାନଙ୍କ ଯାଏଁ ଯାଇ ପହଞ୍ଚେ। କାଲୁ ମିଆଁକୁ ଏ ବିଷୟରେ ଜିଜ୍ଞାଷାବାଦ କରାହୁଏ।
“ସେ ଦିମାକୀ !”
” କେମିତି ଜାଣିଲୁ ?”
“ମୁଁ କହିଲି ଓଢଣା ଖୋଲ୍ ,ସେ ସେକଥା ଶୁଣିନି !”
“ଅଜବ କଥା ତ ! କିଏ କେବେ ଶୁଣିଛି ଯେ,କନ୍ୟା ନିଜର ଓଢଣାକୁ ନିଜେ ଖୋଲିଛି ! ସେଇଟା ତ ତୋର ଖୋଲିବାର କଥା ?”
“କେବେହେଲେ ନୁହଁ । ମୁଁ କସମ ଖାଇଛି ସେ ନିଜେ ଓଢଣା ନଖୋଲିରେ ଚୁଲ୍ଲୀକୁ ଯାଉ !”
” ମାଆଗୋ ,ଇଏ ଅଜବ ନା-ମରଦ ତ ! ଦୁଲହନକୁ ଓଢଣା ଖୋଲିବାକୁ କହୁଛି ! ଏହା ପରେ ତମେ ତା’କୁ ଆଉ କ’ଣ କ’ଣ କରିବାକୁ କହିବ ! ଆଲ୍ଲା ମାଫ କରନ୍ତୁ ।”
ଗୋରୀ ବିବିର ମାଆବାପା ସେମାନଙ୍କର ଗୋଟିଏ ବୋଲି ଝିଅ ପାଇଁ ଚିନ୍ତାରେ କ୍ଷୀଣ ହେବାକୁ ବସିଲେ। ଝିଅଟାର ଏପରି କ’ଣ ଦୋଷ ଯେ ,ବର ତାହାର ଦେହରେ ହାତଟିକକକୁ ଛୁଆଁଇଲା ନାହିଁ । ଏମିତି କଥା କେହି କେବେ ଦେଖିନି,ଶୁଣିନି।
କାଲୁ ମିଆଁ ନିଜର ମର୍ଦାନିର ପ୍ରମାଣ ହିସାବରେ ରଣ୍ଡିବାଜୀ,ଲୌଣ୍ଡାବାଜୀ,
ମୁର୍ଗିବାଜୀ,କବୁତରବାଜୀ ଇତ୍ୟାଦି ସବୁରକମର ବାଜୀକୁ ବାଦ ଦେଲାନାହିଁ,ଆଉ ଗୋରୀ ବିବି ଓଢଣା ର ତଳେ ଦୁକୁ ଦୁକୁ ହୋଇ ଜଳିବାକୁ ଲାଗିଲା।
ନାନୀ ଆମ୍ମାର ଅବସ୍ଥା ଖରାପ ହେବାରୁ କାଲୁ ମିଆଁ ଘରକୁ ଫେରି ଆସିଥିଲା ସାତ ବର୍ଷ ପରେ। ଏଇଟିକୁ ଗୋଟିଏ ଉତ୍ତମ ସୁଯୋଗ ବୋଲି ବିବେଚନା କରି ବିବିର ସହିତ ତାହାର ମିଳନ ଘଟାଇଦେବା ପାଇଁ ଆଉ ଥରେ ଚେଷ୍ଟା କରା ହୁଏ। କିନ୍ତୁ କାଲୁ ମିଆଁ ସାଫ୍ କହିଦିଏ,” ମୁଁ ମୋ ଅମ୍ମିଜାନର ନାଆଁରେ କସମ୍ ଖାଇଛି ,ମୁଁ ତାହାର ଓଢଣା ଖୋଲିବି ନାହିଁ।”
ସଭିଏଁ ଗୋରୀ ବିବିକୁ ବୁଝାଇ ବସିଲେ,” ଦେଖ୍ ବେଟି,ସାରା ଜୀବନର କର୍ଜକୁ ଚୁକ୍ତା କରିବାକୁ ହେବ। ହାୟା-ଶରମ କୁ ଚାପି ରଖ୍ ଆଉ ମନକୁ ଶକ୍ତ କରି ତୁ ତୋ ଓଢଣାକୁ ଖୋଲି ଦେ। ଏଥିରେ ଲଜ୍ଜା ପାଇବାର କିଛି ନାହିଁ । ସେ ତୋହର ସ୍ୱାମୀ,ତୋର ଖାମିନ୍ଦ,ମାଲିକ। ତାହାର ହୁକୁମକୁ ମାନିବା ତୋହର କର୍ତ୍ତବ୍ୟ। ତୋହର ନାଜାତ୍ ( ସ୍ୱାଧୀନତା) ତାହାର ହୁକୁମ କୁ ତାମିଲ୍ କରିବା ଭିତରେ ରହିଛି।”
ପୁଣି ତା’କୁ ଦୁଲହନ ବେଶରେ ସଜାଇ ଦିଆଯାଏ। ବିଛଣାକୁ ସଜାଇ ଦିଆଯାଏ ,ଆଉ ଦୁଲହା ମିଆଁକୁ ଦୁଲହନର କାମରା ଭିତରକୁ ଠେଲି ଦିଆ ହୁଏ। ଗୋରୀ ବିବି ଏଇଲେ ଏକୋଇଶ ବର୍ଷର ଉଦଭିଗ୍ନ ଯୌବନା ସୁନ୍ଦରୀ। ତାହାର ପ୍ରତିଟି ଅଂଗରେ ଯୌବନ ପ୍ରଷ୍ଫୁଟିତ ହେଉଛି । ଆଖିର ଦୃଷ୍ଟି ଭାରି ଆଉ ମନ୍ଥର । ନିଃଶ୍ୱାସ ଗଭୀର । ଦୀର୍ଘ ସାତୋଟି ବର୍ଷ ସେ ଏଇ ମୁହୂର୍ତ୍ତଟିର ସ୍ୱପ୍ନ ଦେଖି ବିତାଇଦେଇଛି। ଅଳ୍ପବୟସୀ ଝିଅ ମାନେ ଅନେକ ରହସ୍ୟର କଥା ଜଣାଇ ଦେଇଥିବାରୁ ତାହାର ଛାତିର ଧଡଧଡ ବଢି ଚାଲିଛି।
ଦୁଲହନର ମେହେନ୍ଦୀ ରଙ୍ଗା ହାତ ଆଉ ପାଦକୁ ଦେଖି କାଲୁ ମିଆଁର ମଥାକୁ ଜିନ୍ ଚଢିବାକୁ ଲାଗେ । ତାହାର ସାମ୍ନାରେ ଦୁଲହନକୁ ରଖାଯାଇଛି। ଚଉଦ ବର୍ଷର ଅଫୁଟା କଳି ନୁହଁ,ଏକୋଇଶ ବର୍ଷର ଏକ ପୂର୍ଣ୍ଣ ପ୍ରଷ୍ଫୁଟିତ ଫୁଲ। ମିଆଁର ଜିଭରୁ ଲାଳ ଗଡିବାକୁ ଲାଗେ। ଆଜି ନିଶ୍ଚୟ ରାତି ଆଉ ଦିନ ଏକାକାର ହୋଇ ଏକ ଆନନ୍ଦମୟ ସଂଧ୍ୟାକୁ ତିଆରି କରିବ। କୌଣସି ଏକ ଶିକାରୀ ଚିତା ଭଳି ତାହାର ଅଭିଜ୍ଞ ଦେହ ହେଣ୍ଟାଳ ଦେଉଥିଲା। ଏ ପର୍ଯ୍ୟନ୍ତ ସେ ଦୁଲହନ ର ଚେହେରା ଦେଖିନି । ଅନେକ ଦୁଷ୍କର୍ମର ମଧ୍ୟରେ ବି ଏଇ ରସରେ ଭରପୁର ଦୁଲହନର ଚେହେରା ର କଳ୍ପନା ତାହାର ମନରେ କରତ ଚଳାଇଯାଉଥିଲା ।
“ଓଢଣା ଖୋଲ” ସେ କମ୍ପିତ ଗଳାରେ ହୁକୁମ ଦିଏ ।
ଦୁଲହନର ଆଙ୍ଗୁଳିମାନ ନିଷ୍କ୍ରିୟ।
“ଓଢଣା ଖୋଲ ” ଖୁବ ନରମ ଆଉ କାନ୍ଦ କାନ୍ଦ ଗଳାରେ କହିଲା ସେ।
ନୀରବତା ଓହ୍ଲାଇ ଆସେ।
“ମୋର ହୁକୁମ ନମାନିଲେ ମୁଁ ବି ଆଉ ନିଜର ମୁହଁ ଦେଖାଇବି ନାହିଁ ।”
ଦୁଲହନ ଟିକିଏ ବୋଲି ଅସ୍ଥିର ହୁଏ ନାହିଁ ।
କାଲୁ ମିଆଁ ଘୁଷି ମାରି ଝରକାକୁ ଖୋଲେ, ପଛପଟର ବଗିଚା ଭିତରୁ ସେଇଠୁ ଡିଆଁ ମାରେ।
ସେଦିନ ରାତିରେ ଚାଲି ଯିବାପରେ ସେ ଆଉ କେବେ ଫେରି ଆସିନି।
ଅପୃଷ୍ଟ ଗୋରୀ ବିବି ତିରିଶ ବର୍ଷ କାଳ ଅପେକ୍ଷା କରି ରହିଥିଲା ତାହାର ପାଇଁ। ସଭିଏଁ ଏହା ଭିତରେ ମରି ହଜି ଗଲେ । ଜଣେ ବୁଢୀ ଖାଲା (ମାଉସୀ) ସହିତ ଫତେପୁର ସିକ୍ରିରେ ରହିଥିବା ବେଳେ ଖବର ଆସିଲା,ଦୁଲହା ଘରକୁ ଫେରିଛି।
ଦୁଲହା ମିଆଁ ଅନେକ ନାଳନର୍ଦ୍ଦମାରେ ଲୁଟପାଟ ହୋଇ,ଅନେକ ରୋଗବ୍ୟାଧି ଅମଳ କରି ଜୀବନର ଅନ୍ତିମ ମୁହୂର୍ତ୍ତରେ ଘରକୁ ଫେରି ଆସିଛି । ଶେଷ ନିଃଶ୍ୱାସ ତ୍ୟାଗ କରିବା ଆଗରୁ ସେ ମିନତି ଜଣାଏ,ଗୋରୀ ବିବିକୁ ଯାଇ କୁହ,ମୋର ସମୟ ଘନେଇ ଆସୁଛି ,ସେ ଯେମିତି ଥରଟିଏ ଆସେ।
ଗୋରୀ ବିବି କାନ୍ଥକୁ ଆଉଜି ଘଡିଏ ଠିଆ ହୋଇ ରହିଲା। ତାହାପରେ ସିନ୍ଧୁକ ଖୋଲି ବାହାର କରିଥିଲା ଜୀର୍ଣ୍ଣ ହୋଇଯାଇଥିବା ତାହାର ଶାଦୀର ଯୋଡା। ଅଧାପଚା କେଶରେ ସୋହାଗର ତେଲ ଲଗାଇ ନିଜର ଓଢଣାକୁ ଭଲ କରି ସମ୍ଭାଳି ମୃତ୍ୟୁପଥଯାତ୍ରୀ ରୋଗୀର ଶିରଦେଶରେ ବିନା ବିଳମ୍ବରେ ପହଞ୍ଚିଯାଏ।
“ଓଢଣା ଖୋଲ ” କାଲୁ ମିଆଁ ମୃତ୍ୟୁର ଦ୍ୱାର ଦେଶରୁ କଇଁ କଇଁ ହୋଇ କାନ୍ଦି ଉଠେ।
ଗୋରୀ ବିବିର ଥୁରୁ ଥୁରୁ ହାତ ଓଢଣା ପର୍ଯ୍ୟନ୍ତ ଉଠେ ପୁଣି ତଳକୁ ଖସିପଡେ।
କାଲୁ ମିଆଁ ଆଉ ନାହିଁ ।
ଗୋରୀ ବିବି ସେଇଠେ ଚଟାଣ ଉପରକୁ ଖସି ପଡେ। ଖଟର ପାୟାରେ ପିଟି ପିଟି ହାତର ସବୁତକ ଚୁଡି ଭାଙ୍ଗି ପକାଏ ତାହାପରେ ମଥାର ବଦଳରେ ଟାଣି ଖୋଲିଦିଏ ବୈଧବ୍ୟର ଓଢଣା ।