ରବୀନ୍ଦ୍ରନାଥ ଠାକୁର କେବଳ କବିତାର ରାଜା ନୁହଁନ୍ତି, ସେ ଏକାଧାରରେ ଥିଲେ ଜଣେ ସାହିତ୍ୟିକ, ଚିତ୍ରଶିଳ୍ପୀ, ନାଟ୍ୟଶିଳ୍ପୀ, ପରିବିଶବିତ୍, ଶିକ୍ଷାବିତ୍ ଓ ସଂଗଠକ। ତାଙ୍କର ଜୀବନଯାତ୍ରା, ରୁଚି ଓ ପସନ୍ଦ ଥିଲା ବୈଚିତ୍ର୍ୟମୟ। ତାଙ୍କର ସେହି ରୁଚିର ଅନ୍ୟତମ ନିଦର୍ଶନ ଥିଲା ତାଙ୍କର ପ୍ରିୟ ହାମ୍ବାର ମଡେଲର ଗାଡ଼ି। ଏହି ଗାଡ଼ିଟି କେବଳ ଗୋଟିଏ ଯାନବାହାନ ନଥିଲା, ବରଂ ଏଇଟା ଥିଲା ରବୀନ୍ଦ୍ରନାଥଙ୍କ ନିତ୍ୟସଙ୍ଗୀ, ତାଙ୍କ ଜୀବନର ଗୋଟିଏ ଅବିଚ୍ଛେଦ୍ୟ ଅଂଶ ଏପରିକି ଭାରତୀୟ ଇତିହାସର ଏକ ନିରବ ସାକ୍ଷୀ।
ହାମ୍ବାର ଗାଡ଼ିର ଆଗମନ: ରବୀନ୍ଦ୍ରଙ୍କୁ ଉପହାର
୧୯୩୮ ମସିହା। ରବୀନ୍ଦ୍ରନାଥ ଯେତେବେଳେ ବୟସର ଭାରରେ କ୍ଳାନ୍ତ ଓ କ୍ରମଶଃ ଅସୁସ୍ଥ ହୋଇଯାଉଛନ୍ତି, ସେତେବେଳେ ତାଙ୍କର ଜ୍ୟେଷ୍ଠ ପୁତ୍ର ରଥୀନ୍ଦ୍ରନାଥ ଠାକୁର ଆମେରିକାରୁ କୃଷି ବିଜ୍ଞାନ ବିଭାଗରୁ ପଢାଶୁଣା ଶେଷ କରି ଦେଶକୁ ଫେରିଲେ। ବାପାଙ୍କର ଦୈନନ୍ଦିନ ଜୀବନର ଚଲାବୁଲାକୁ ଆହୁରି ସ୍ବଛନ୍ଦମୟ କରିବା ନିମନ୍ତେ ସେ ଗୋଟିଏ ଗାଡ଼ି କିଣିବା ପାଇଁ ସିଦ୍ଧାନ୍ତ ନିଅନ୍ତି।ସେଇବର୍ଷ ହିଁ ରଥୀନ୍ଦ୍ରନାଥ କିଣି ଆଣନ୍ତି ଏକ ଯୋଡ଼ା ହାମ୍ବାର ଗାଡ଼ି। ଗୋଟିଏ ରଖିଲେ ଯୋଡାଶଙ୍ଖରେ ଓ ଅନ୍ୟଟି ବିଶ୍ଵଭାରତୀ, ଶାନ୍ତି ନିକେତନରେ। ଗାଡ଼ିଟି ଥିଲା ୧୯୩୩ ସାଲର ମଡେ଼ଲ୍, ଯାହାର ଦାମ୍ ଥିଲା ତତ୍କାଳୀନ ୪୦୦ପାଉଣ୍ଡ (ପ୍ରାୟ ୫୩ ହଜାର ଭାରତୀୟ ମୁଦ୍ରା)। ସେଇ ସମୟରେ ଏଇ ଦାମ୍ ଥିଲା ବେଶ୍ ବେଶୀ। ଗାଡ଼ିଦୁଇଟି କିଣା ଯାଇଥିଲା “ଏଚ.ଏଚ. ଲିଲି”ରୁ, ଯାହା ଥିଲା ଭାରତ ଓ ବର୍ମା(ବର୍ତ୍ତମାନର ମିଆଁମାର)ର ଏକମାତ୍ର ହାମ୍ବାର୍ ଗାଡ଼ିର ଡିଲର୍।
ପ୍ରିୟ ବାହନ: ନିତ୍ୟସଙ୍ଗୀ
ଗାଡ଼ିଟି ହାତରେ ପାଇ ରବୀନ୍ଦ୍ରନାଥ ଖୁବ୍ ଆନନ୍ଦିତ ହୋଇଥିଲେ। ଆଶ୍ରମ ପ୍ରାଙ୍ଗଣରେ ଦୈନନ୍ଦିନ ଚଲାବୁଲା ସହିତ ଗାଡ଼ି ଚଢ଼ି ଚାରିପାଖର ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରୁଥିଲେ। ସକାଳ ଓ ସନ୍ଧ୍ୟା ଦୁଇବେଳା ନିୟମ କରି ବାହାରି ପଡ଼ନ୍ତି ଗାଡ଼ି ଧରି। ଶାନ୍ତି ନିକେତନ ପଥପ୍ରାନ୍ତରେ ଗାଡ଼ିଟି ଦେଖିବା ମାତ୍ରେ ବୁଝାଯାଉଥିଲା, ଭିତରେ ଅଛନ୍ତି କବିଗୁରୁ ସ୍ବୟଂ।
କେବଳ ରବୀନ୍ଦ୍ରନାଥ ନୁହନ୍ତି, ଏଇ ଗାଡ଼ିରେ ଚଢିଛନ୍ତି ଆହୁରି ଅନେକ ଐତିହାସିକ ବ୍ୟକ୍ତିତ୍ବ। ସୁଭାଷଚନ୍ଦ୍ର ବୋଷ୍, ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ ପ୍ରମୁଖ ନେତାମାନେ ଏଇ ହାମ୍ବାର ଗାଡ଼ିରେ ଯାତ୍ରା କରିଥିଲେ। ଫଳରେ ଏଇ ଗାଡ଼ିଟି କେବଳ ରବୀନ୍ଦ୍ରନାଥଙ୍କ ନୁହେଁ, ହୋଇଉଠିଥିଲା ସ୍ବାଧୀନତା ଆନ୍ଦୋଳନ ଓ ବୌଦ୍ଧିକ ଚର୍ଚ୍ଚାର ଏକ ମୂର୍ତ୍ତ ପ୍ରତୀକ।
କବିଙ୍କ ସୃଜନଶୀଳ ସ୍ପର୍ଶ:
ରବୀନ୍ଦ୍ରନାଥ ଜଣେ ଚିତ୍ରକର ଓ କଳାକାର ଥିବାରୁ ତାଙ୍କର ସୌନ୍ଦର୍ଯ୍ୟ ଜ୍ଞାନ ଯଥେଷ୍ଟ ଥିଲା। ତେଣୁ ତାଙ୍କର ପ୍ରିୟ ଗାଡ଼ିକୁ ମଧ୍ୟ ସେ ନିଜ ଅନୁସାରେ ସଜାଇଥିଲେ। ସେ ସମୟରେ କୌଣସି ଗାଡିରେ ଶୀତତାପ ନିୟନ୍ତ୍ରିତ(ଏସି)ର ବ୍ୟବସ୍ଥା ନଥିଲା ବେଳେ ରବୀନ୍ଦ୍ରନାଥ ତାଙ୍କ ଗାଡ଼ିରେ ଏସି ଲଗାଇଥିଲେ। ଶାନ୍ତି ନିକେତନର ଗରମ ଅବହାୱା ଗାଡ଼ି ଭିତରେ ବସିଲେ ଜଣା ପଡୁନଥିଲା। ଏହାବ୍ୟତୀତ ଗାଡ଼ିର ଛାତ ଓ ସିଟ୍ ଉପରେ ମଧ୍ୟ ଥଣ୍ଡା ପଟି ଲଗେଇଥିଲେ। ଏମିତି ଛୋଟ ଛୋଟ ଉଦ୍ୟମରୁ ହିଁ ତାଙ୍କର ସୃଜନଶୀଳ ମନର ପରିଚୟ ବହନ କରେ।
ହାମ୍ବାର ଗାଡ଼ିର ଐତିହାସିକ ଗୁରୁତ୍ବ:
୧୮୬୮ ମସିହାରେ ଥୋମାସ୍ ହାମ୍ବାର୍ ପ୍ରତିଷ୍ଠା କରିଥିଲେ ହାମ୍ବାର କମ୍ପାନୀ। ଧୀରେ ଧୀରେ ବ୍ରିଟିଶ ପ୍ରସ୍ତୁତ ଏଇ ଗାଡି ପ୍ରତିଷ୍ଠାନଟି ବିଶ୍ବବିଖ୍ୟାତ ହେବାକୁ ଲାଗିଲା। ୧୯୩୩ ମସିହାରେ ହାମ୍ବାର୍ ସ୍ନାଇପ୍ ଓ ହାମ୍ବାର ଫୁଲମ୍ୟାନ୍ ସେଡାନ୍ ଥିଲା ସେଇ ଧରଣର ଶ୍ରେଷ୍ଠ ଗାଡ଼ି ମଧ୍ୟରେ ଅନ୍ୟତମ। ୪ ଲିଟରର ଶକ୍ତିଶାଳୀ ଇଞ୍ଜିନ୍ ଥିଲା ଏହାର ହୃଦୟ, ଯାହା ତତ୍କାଳୀନ ଅନ୍ୟ ଗାଡିର ତୁଳନାରେ ଯଥେଷ୍ଟ ଆଗରେ ରଖୁଥିଲା।
ରବୀନ୍ଦ୍ରନାଥଙ୍କ ଏଇ ପ୍ରିୟ ଗାଡ଼ିଟି ବର୍ତ୍ତମାନ ମଧ୍ୟ ଇତିହାସର ସାକ୍ଷୀବହନ କରି ଅଛି। ବର୍ତ୍ତମାନ ଏଇ ଗାଡ଼ିଟି ସଂରକ୍ଷିତ ରହିଛି ଶାନ୍ତି ନିକେତନ ରବୀନ୍ଦ୍ରଭବନରେ। ଏବେ ବି ପ୍ରତିଦିନ ହଜାର ହଜାର ଦର୍ଶକ ଗାଡ଼ିଟି ଦେଖିବାକୁ ଆସନ୍ତି। ଗାଡ଼ି ସହିତ ଫୋଟ ଉଠାନ୍ତି। କାରଣ ଗାଡ଼ି ସହିତ ପୁରି ରହିଛି ଏକ ଅନନ୍ୟ ଇତିହାସ।
ଉପସଂହାର:
ରବୀନ୍ଦ୍ରନାଥଙ୍କ ହାମ୍ବାର ଗାଡ଼ି କେବଳ ଏକ ବାହନ ନୁହେଁ, ଏହା କବିଗୁରୁଙ୍କ ଜୀବନଦର୍ଶନର, ତାଙ୍କର ସରଳ ଅଥଚ ଶୈଳ୍ପିକ ରୁଚିର, ତାଙ୍କର ଜୀବନଯାପନ ଓ ଚଲାବୁଲାର ଏକ ନିରବ ପ୍ରମାଣ। ଏଇ ଗାଡ଼ିଟି ଆଜି ମଧ୍ୟ ଆମକୁ ମନେ ପକାଇଦିଏ- ଗୋଟିଏ ଗାଡ଼ି ମଧ୍ୟ ହୋଇପାରେ ଇତିହାସର ସାକ୍ଷୀ, ସାହିତ୍ୟ ସଂସ୍କୃତିର ଯାତ୍ରୀ ଓ ସମୟର ସାକ୍ଷାତ ଦଲିଲ୍।

