ରବିକଥା-୭
ରବୀନ୍ଦ୍ରନାଥ ଖାଇବାକୁ ଓ ଖୁଆଇବାକୁ ବେଶୀ ଭଲ ପାଉଥିଲେ। ତେଣୁ ତାଙ୍କ ନାମ ସହିତ ଅନେକ ‘ଖାଦ୍ୟରସିକ’ ଶବ୍ଦଟି ଯୋଡ଼ି ଦେଇଥାନ୍ତି। ତେବେ ଏ ସମ୍ପର୍କରେ ରବୀନ୍ଦ୍ରନାଥଙ୍କ ସାହିତ୍ୟରେ କିମ୍ବା ରବୀନ୍ଦ୍ରନାଥଙ୍କୁ ନେଇ ଲେଖା ଥିବା ବିଭିନ୍ନ ଲେଖକଙ୍କର ସ୍ମୃତିରେ, ଜୀବନୀରେ ଖୁବ୍ କମ୍ ଦେଖିବାକୁ ମିଳେ।
ଶୁଣାଯାଏ, ରବୀନ୍ଦ୍ରନାଥ ଆମ୍ବ ଖାଇବାକୁ ବେଶୀ ପସନ୍ଦ କରୁଥିଲେ। ସେ ଜାପାନ ଯିବା ସମୟରେ ସାଙ୍ଗରେ ଆମ୍ବ ନେଇ ଯାଇଥିଲେ। ପୁତ୍ର ରଥୀନ୍ଦ୍ରନାଥଙ୍କ ଲେଖାରେ ମିଳେ ଯେ, ଥରେ ଅସୁସ୍ଥ ହୋଇ ଆମେରିକା ଯିବା ସମୟରେ ମୁମ୍ବାଇ ବନ୍ଦରରୁ ସେମାନେ ଗୋଟିଏ ବକ୍ସ ଆମ୍ବ କିଣି ଧରି ଯାଇଥିଲେ।
ଥରେ ରବୀନ୍ଦ୍ରନାଥଙ୍କୁ ଦେଖା କରିବାକୁ ଲେଖକ ବନଫୁଲ ସପରିବାର ଶାନ୍ତି ନିକେତନ ଯାଇଥିଲେ। ସେତେବେଳେ ଶାନ୍ତି ନିକେତନରେ ବସନ୍ତ ଉତ୍ସବ ସମୟ। ସେ ସାଙ୍ଗରେ ନେଇ ଯାଇଥିଲେ ତାଙ୍କ ପତ୍ନୀଙ୍କ ହାତ ତିଆରି ସନ୍ଦେଶ। ସେ ବକ୍ସଟି ଖୋଲି ରବୀନ୍ଦ୍ରନାଥଙ୍କ ସାମ୍ନାରେ ରଖିଲେ। ରବୀନ୍ଦ୍ରନାଥ ସେଥିରୁ ଗୋଟିଏ ଖାଇ ତାଙ୍କର ପ୍ରଶଂସା କରିଥିଲେ।

ଗୋଟିଏ ସାକ୍ଷାତକାରରେ ରବୀନ୍ଦ୍ରନାଥ ବନଫୁଲଙ୍କୁ କହିଥିଲେ,-“ତମର ଲେଖା ପଢି ମନେ ହେଉଛି, ତମେ ରାଗ ଖାଇବାକୁ ଭଲପାଅ। ସନ୍ଧ୍ୟାରେ ବଡ଼ ବଡ଼ କାବୁଲି ମଟର ଘୁଗୁନି କଲେ କେମିତି ହେବ ? ଘୁଗୁନି ମଝିରେ ଗୋଟିଏ ଲାଲ୍ ଲଙ୍କା ରହିବ। କଣ କୁହ ? ବନଫୁଲ ସମ୍ମତି ନ ଜଣାଇବାର କୌଣସି କାରଣ ନଥିଲା। କିନ୍ତୁ ରବୀନ୍ଦ୍ରନାଥ ଏଇ ମୁଗ୍ଧ ରସବୋଧ ଉଡ଼େଇ ଦେବାର ନୁହେଁ। ବନଫୁଲଙ୍କ ଲେଖା ପଢ଼ି ସେ ଧରି ନେଇଥିଲେ ଯେ ବନଫୁଲ ରାଗ ଖାଇବାକୁ ପସନ୍ଦ କରନ୍ତି। ଏହା ପଛରେ ଗୁଢକଥା ଥିଲା। ବନଫୁଲ କୋଉଠି ନା କୋଉଠି ରବୀନ୍ଦ୍ରନାଥଙ୍କୁ ସମାଲୋଚନା କରିଥିଲେ। ସେଇଟା ତାଙ୍କ ନଜରରେ ପଡ଼ିଥିଲା। ସେ ଦିନ ସେ ବନଫୁଲଙ୍କୁ କହିଥିଲେ,- “ତମର ନାମ ବନଫୁଲ ନୁହେଁ, ବିଛୁଆତି ହେବାର ଥିଲା। ଯେଉଁ ଗୋଟିଏ ଦି’ଟା ଘା’ ଦେଇଛ, ତାର ଯନ୍ତ୍ରଣା ଏ ପର୍ଯ୍ୟନ୍ତ କମିନି।
ପୁଅ ରଥୀନ୍ଦ୍ରନାଥ ଲେଖିଛନ୍ତି, ବାବାଙ୍କ ଖାମଖିଆଲି ସଭାର କଥା ମନେ ଅଛି। ଏହାର ସଭ୍ୟମାନେ ପ୍ରତି ମାସରେ ନିଜ ନିଜ ଘରେ ପାଳି କରି ସଭା ଆୟୋଜନ କରୁଥିଲେ। ସେଠାରେ ଗୀତ, କବିତା, ଅଭିନୟ ବ୍ୟତୀତ ପ୍ରଚୁର ଆଡ୍ଡା ହେଉଥିଲା। ତା ସହିତ ଚାଲୁଥିଲା ଖାଦ୍ୟପେୟ। ଅନେକ ଥର ତାଙ୍କ ଘରେ ମଧ୍ୟ ଆଡ୍ଡା କରିବାର ପାଳି ପଡ଼ିଥିଲା । ଯେଉଁ ଦିନ ତାଙ୍କ ଘରେ ଆଡ୍ଡା ହେଉଥିଲା, ସେ ଦିନ ମାଆ ସବୁ ଦାୟିତ୍ୱ ନେଉଥିଲେ। ସାଧାରଣ ରାନ୍ଧଣା ନ ହୋଇ ପ୍ରତ୍ୟେକ ଆଇଟମର କିଛି ବୈଶିଷ୍ଟ୍ୟ ରହୁଥିଲା।”
ରଥୀନ୍ଦ୍ରନାଥ ଆହୁରି ଲେଖିଛନ୍ତି, – “ବାବା ମନେ କରୁଥିଲେ ଯେ, ଖାଇବାଟା ଉପଲକ୍ଷ୍ୟ ମାତ୍ର। ରାନ୍ଧଣା ଭଲ ହେଉ କି ନହେଉ, ଖାଇବା ପତ୍ର, ବସିବା ଆସନ, ପରିବେଷଣର ପ୍ରଣାଳୀ, ଘରର ସାଜସଜ୍ଜା ସବୁ ସୁନ୍ଦର ହେବା ଦରକାର। ମାଆ ରାନ୍ଧିଲା ବେଳେ ଅନ୍ୟମାନେ ସବୁ ଘର ସଜେଇବାରେ ଲାଗୁଥିଲେ।
ବନଫୁଲଙ୍କ ଲେଖାରୁ ଜଣାଯାଏ, ରବୀନ୍ଦ୍ରନାଥ ଖାଇବାକୁ ଓ ଖୁଆଇବାକୁ ଭଲ ପାଉଥିଲେ। ଯେଉଁ ଦିନ ଲଙ୍କା ଦେଇ ଘୁଗୁନି ଖୁଆଇଥିଲେ, ସେଦିନ ରବୀନ୍ଦ୍ରନାଥ ଆନୁଷ୍ଠାନିକ ଭାବେ ବନଫୁଲଙ୍କ ପରିବାରକୁ ଖାଇବାକୁ ଡାକିଥିଲେ। ଉତ୍ତରାୟଣର ଗୋଟିଏ ବାରଣ୍ଡାକୁ ପର୍ଦ୍ଦା ଦେଇ ଖାଇବାର ଆୟୋଜନ କରାଯାଇଥିଲା। ଖାଇବାବେଳେ ପ୍ରତ୍ୟେକ ଲୋକଙ୍କ ପଛରେ ଜଣେ ଲୋକ ରହି ଦେଖା ଚାହାଁ କରୁଥିଲେ। ଏପରିକି ଦେଢ଼ ବର୍ଷର ଶିଶୁର ଆସନ ପଛରେ ମଧ୍ୟ ଜଣେ ତତ୍ତ୍ଵାବଧାରକ ଠିଆ ହୋଇଥିଲେ। ଖାଇବା ତ ନିଶ୍ଚୟ ଭଲ ଥିଲା, କିନ୍ତୁ ଖାଇବା ପଶ୍ଚାତରେ ଏତେ ସବୁ ଆୟୋଜନ, ତାହା ଥିଲା ରବୀନ୍ଦ୍ରନାଥଙ୍କ ଆତ୍ମଦର୍ଶନ।